ଶୁଣ ପରୀକ୍ଷ

 

 

 

 

 

 

 

 

 

 

 

ଶୁଣ ପରୀକ୍ଷ

ଶ୍ରୀ ଭୁବନେଶ୍ୱର ବେହେରା

 

ଶୁଣ ପରୀକ୍ଷ

 

ଯୌବନ ସାଧାରଣତଃ ଅତି ଚଞ୍ଚଳ ଅସ୍ଥିର ଓ ମାଦକତା ଭରା–ନିଜ ରୂପ ରସ ଓ ଗନ୍ଧରେ ନିଜେ ମତୁଆଳ । ଏହି ଯୌବନର ସ୍ପର୍ଶ ପାଇ ବଣର ମର୍କଟୀ ମଧ୍ୟ ଆପଣାକୁ ରମ୍ଭା ଅପ୍‌ସରୀ ଅଥବା ବିଶ୍ୱ ସୁନ୍ଦରୀ ବୋଲି ଜ୍ଞାନ କରି ନିଜର ରୂପ ଛଟା ଦେଖାଇ ବୁଲେ, ଆଉ ମତ୍ତ ହସ୍ତୀ ହୁଏ ଉନ୍ମତ୍ତ ।

 

ସେହି ଯୌବନର ପ୍ରଭାବ ମଣିଷ ଉପରେ ମଧ୍ୟ ପଡ଼େ । ତେଣୁ ଯୁବକ ହୁଏ ବେଳେ ବେଳେ ଉଦ୍‌ଭ୍ରାନ୍ତ–ଦିକ୍‌ଭ୍ରଷ୍ଟ ।

 

ଯୌବନ ସଙ୍ଗରେ ଧନ ସମ୍ପତ୍ତି, ପ୍ରଭୃତ୍ୱ ତଥା ଅବିବେକୀତା ପ୍ରଭୃତ୍ୱ ଅନର୍ଥର କାରଣ ସମୂହ ଯେତେବେଳେ ପୁଞ୍ଜୀଭୂତ ହୋଇ ପଡ଼ନ୍ତି ସେ ସମସ୍ତର ଅଧିକାରୀ ଅନେକ ସମୟରେ ଧରାକୁ ସରା ଜ୍ଞାନ କରେ ।

 

ମନେହୁଏ ପାଣ୍ଡବ କୁଳର ମହାରାଜା ପରୀକ୍ଷିତଙ୍କ ଏହି ଦଶା ଘଟିଥିଲା । ପାରିଧିରେ ଶ୍ରାନ୍ତ ଏହି ଯୁବକ ରାଜା ଦିନେ ତାଙ୍କର ପିପାସା ମେଣ୍ଟାଇବା ଆଶାରେ କିଛି ସମୟ ଆଶ୍ରମ ଦ୍ୱାରରେ ଅପେକ୍ଷା କଲା ପରେ ଯେତେବେଳେ ଦେଖିଲେ ଯେ ବୃଦ୍ଧ ଋଷି ଆଖି ବି ଖୋଲୁ ନାହାନ୍ତି, ସେ ଧୈର୍ଯ୍ୟ ହରାଇ ବସିଲେ ଆଉ ପାଖରେ ପଡ଼ିଥିବା ଗୋଟିଏ ମଲା ସାପକୁ ଋଷିଙ୍କ ଗଳାରେ ଲମ୍ବାଇ ଦେଇ ସେଠାରୁ ଚାଲିଗଲେ । ଋଷିଙ୍କ ଯୁବକ ପୁଅ ଯେତେବେଳେ ଆଶ୍ରମକୁ ଫେରିଲେ, ଧ୍ୟାନମଗ୍ନ ନିଜ ବାପାଙ୍କ ଗଳାରେ ମଲା ସାପଟିଏ ଝୁଲୁଥିବା ଦେଖି ତାଙ୍କର ମଧ୍ୟ ଧୈର୍ଯ୍ୟଚ୍ୟୁତି ଘଟିଲା । ସେ ରାଗରେ ଅଭିଶାପ ଦେଲେ ଯେ ଯିଏ ଏମିତି ମଲା ସାପ ଝୁଲାଇଛି ସାତ ଦିନ ଭିତରେ ସର୍ପ ଦଂଶନରେ ତା’ର ମୃତ୍ୟୁ ହେବ ।

 

ହସ୍ତିନାପୁରରେ ଏ ଅଭିଶାପ କଥା ଜଣା ପଡ଼ିଗଲା । ଦଳେ ଯୁବକ ଅଭିଶାପଟିକୁ ହସରେ ଉଡ଼ାଇ ଦେଇ ତାତ୍ସଲ୍ୟ କରି କହିଲେ ‘ରାଜପ୍ରାସାଦର ଏପରି ଏକ କକ୍ଷରେ ମହାରାଜ ଅବସ୍ଥାନ କରନ୍ତୁ ଯାହା ଭିତରକୁ ସାପ କାହିଁକି ପିମ୍ପୁଡ଼ିଟିଏ ବି ଗଳି ଯାଇ ପାରିବନି ।’

 

ଆଉ ଦଳେ ଟିପ୍‌ପଣୀ କାଟିଲେ, ‘ଆଚ୍ଛା, ଧରି ନିଆଯାଉ ସାପଟିଏ କୌଣସି ମତେ ରୁଦ୍ଧ କକ୍ଷ ଭିତରକୁ ଗଳିଯାଇ ରାଜାଙ୍କୁ କାମୁଡ଼ି ଦେଲା । ତେବେ କ’ଣ ଏଇ ସାମାନ୍ୟ ସାପ କାମୁଡ଼ାକୁ ଭଲ କରିଦେବା ପାଇଁ ଆମ ରାଜ୍ୟରେ ବଇଦ ନାହାନ୍ତି ! ମଲା ଲୋକକୁ ଜିଆଁଇ ପାରୁଥିବା ଧନ୍ୱନ୍ତରୀ ନିଜେ ପରୀକ୍ଷିତ ରାଜାଙ୍କୁ ଭଲ କରି ଦେବାପାଇଁ ଅର୍ଥ ଲୋଭରେ ସ୍ୱର୍ଗରୁ ଓହ୍ଲାଇ ଆସିବେ । ତେଣୁ ଏତେ ଚିନ୍ତା କାହିଁକି ?’

 

ଅନ୍ୟ କେହି କେହି ମନ୍ତବ୍ୟ ଦେଲେ, ‘ଆପଦ ଉପସ୍ଥିତ ହେଲେ ବୁଢ଼ାମାନଙ୍କୁ ଟିକିଏ ପଚାରି ଦେବା ଭଲ ।’

 

ଶେଷରେ ବୁଢ଼ାଙ୍କୁ ପଚରା ଗଲା । ସେମାନେ ପରାମର୍ଶ ଦେଲେ, ‘ପ୍ରତିଷେଧ ବ୍ୟବସ୍ଥା ଅବଶ୍ୟ ଗ୍ରହଣୀୟ–ତେଣୁ ରୁଦ୍ଧ କକ୍ଷ ଭିତରେ ରାଜା ଆଶ୍ରୟ ନିଅନ୍ତୁ ଓ ସର୍ବଶ୍ରେଷ୍ଠ ବୈଦ୍ୟ ସବୁ ପାଖରେ ଜଗି ରହନ୍ତୁ–ତଥାପି ବ୍ରାହ୍ମଣ ପୁତ୍ରର ଅଭିଶାପ ଯେହେତୁ ଅଲଂଘ୍ୟ(...) ମହାରାଜା ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରହନ୍ତୁ ।’

 

ପରୀକ୍ଷିତଙ୍କ ବିବେକ ଉଦୟ ହେଲା । ସେ ଇଚ୍ଛା ପ୍ରକାଶ କଲେ ଯେ ଇହଲୋକରେ ତାଙ୍କର ଆଉ ଯେଉଁ ସାମାନ୍ୟ ସାତ ଦିନର ମାତ୍ର ରହଣୀ, ସେଇ ସମୟତକ ସେ ପାଣ୍ଡବ ସଖା ଶ୍ରୀକୃଷ୍ଣଙ୍କ ନାମ ଓ ଯଶ ଗାନ ଶୁଣି ଶୁଣି କଟାଇବେ । ଫଳରେ ଶୁକଦେବ ଗାଇଲେ–

 

‘ଶୁଣ ପରୀକ୍ଷ ନରନାଥ

କୃଷ୍ଣ ଚରିତ ଭାଗବତ ।

.......................

.........................

 

ଏପରି ଭାବରେ ପରୀକ୍ଷ ନରନାଥ ଭାଗବତ ଶୁଣିଲେ ଓ ସେ ସଙ୍ଗରେ ଅନ୍ୟମାନେ ମଧ୍ୟ କୃଷ୍ଣ ଚରିତ ଶୁଣିବାର ସୁଯୋଗ ପାଇଲେ ।

 

ରାଜା ମହାରାଜାଙ୍କ ଉଚ୍ଛେଦ ଘଟିଲା ପରେ ଆଜିକାଲି ଆମ ଦେଶରେ ଆଉ ରାଜା ମହାରାଜା ନାହାନ୍ତି–ତଥାପି ନରନାଥଙ୍କ ଅଭାବ ନାହିଁ । ଏ ପ୍ରବନ୍ଧମାଳାର ଲେଖକ ତା’ର ୩୩ ବର୍ଷର କର୍ମମୟ ଜୀବନ ମଧ୍ୟରେ ୨୧ ବର୍ଷ କାଳ କଲେଜ ଛାତ୍ରଙ୍କ ଗହଣରେ କଟାଇ ଆସିଛି–୬ ବର୍ଷ ବୁର୍ଲା ଇଞ୍ଜିନିୟରିଂ କଲେଜରେ, ୧୦ ବର୍ଷ ରାଉରକେଲା ଆଞ୍ଚଳିକ ଇଞ୍ଜିନିୟରିଂ କଲେଜରେ, ୫ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ । ଏହି ୨୧ ବର୍ଷ ଭିତରେ ସେ କଲେଜମାନଙ୍କରେ ତଥା ବାଟରେ ଘାଟରେ ପଇଁତରା ମାରୁଥିବା ଅନେକ ଆଧୁନିକ ପରୀକ୍ଷ ନରନାଥମାନଙ୍କୁ ଭେଟିଛି ସେହି ନରନାଥମାନଙ୍କ ମଧ୍ୟରୁ ଅନେକେ ତାଙ୍କର ବୃଦ୍ଧ ଗୁରୁଜନମାନଙ୍କ ଗଳାରେ ମଲା ସାପ ଝୁଲାଇ ଦେବାପାଇଁ ଉତ୍କଣ୍ଠିତ ନ ହେଲେ ମଧ୍ୟ ପଶ୍ଚାତ୍‌ପଦ ଯେ ନୁହନ୍ତି ତାହା ସେ ଜାଣେ । ସେହି ଗୁରୁଜନମାନଙ୍କର କେହି କେହି ଏପରି ପରୀକ୍ଷମାନଙ୍କୁ ସାତ ଦିନରେ ନ ହେଲେ ମଧ୍ୟ ଯଥା ସମୟରେ ସର୍ପ ଦଂଶନ କରୁ ବୋଲି ଅଭିଶାପ ଦେଇ ଥାଇପାରନ୍ତି ଏମାନେ ତ ଯେତେ ଅଭିଶପ୍ତ ହେଲେ ମଧ୍ୟ କେବେ କୌଣସି ରକମର ଭାଗବତ ଶୁଣିବାକୁ ଚାହିଁବେନି–ସେହି ଅଭିଶପ୍ତ ତଥା ଅନଭିଶପ୍ତ ପ୍ରିୟ ଛାତ୍ରଙ୍କ ଉଦ୍ଦେଶ୍ୟରେ ହିଁ ଏହି ‘ଶୁଣ ପରୀକ୍ଷ’ ମୁଖ୍ୟତଃ ଉଦ୍ଦିଷ୍ଟ ।

 

ପରୀକ୍ଷିତ ମହାରାଜାଙ୍କ କାହାଣୀ ଓ ଆମ ଏହି ପରୀକ୍ଷଙ୍କ କାହାଣୀ ଭିତରେ କିନ୍ତୁ ଗୋଟିଏ ବଡ଼ ପାର୍ଥକ୍ୟ ରହିଛି । ଶୁକଦେବଙ୍କ ମୁହଁରୁ ଭାଗବତ ଶୁଣିସାରିଲା ପରେ ମଧ୍ୟ ସର୍ପ ଦଂଶନରେ ପରୀକ୍ଷିତ ମହାରାଜାଙ୍କ ମୃତ୍ୟୁ ହେଲା । ସାପ କାମୁଡ଼ାରେ କିନ୍ତୁ ଆମ ଏହି ପରୀକ୍ଷମାନଙ୍କ ମୃତ୍ୟୁ ନାହିଁ । ଏମାନଙ୍କ ମଧ୍ୟରୁ କେତେ ନିଜେ ଗରଳ ଭକ୍ଷୀ–ତେଣୁ ସ୍ୱୟଂ ସଦାଶିବ । ଯିଏ ହଳାହଳ ପାନ କରି ନୀଳକଣ୍ଠ, ସର୍ପ ଯାହାଙ୍କ ଭୂଷଣ, ସର୍ପ ଦଂଶନରେ ତାଙ୍କର ମୃତ୍ୟୁ କାହିଁ ?

 

ଏଇ ଗରଳଭକ୍ଷୀମାନେ ଆଜି ତାଣ୍ଡବ ନୃତ୍ୟରେ ମତ୍ତ ଓ ବିଭୋର । ତେଣୁ ସେମାନେ ପ୍ରତ୍ୟେକେ ଯେ ସତ୍ୟ–ଶିବ ଓ ସୁନ୍ଦର ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଚେତନ । ‘ଶୁଣ ପରୀକ୍ଷ’ ଏହି ନୃତ୍ୟକାରୀମାନଙ୍କୁ କ୍ଷଣକ ପାଇଁ ହେଲେ ମଧ୍ୟ ତାଙ୍କ ତାଣ୍ଡବ ନୃତ୍ୟରୁ ଓହରାଇ ଆଣି ଯତ୍‍କିଞ୍ଚିତ୍‌ ଯୋଗସ୍ଥ କରିବ ।

 

ପାଶ୍ଚାତ୍ୟ ଯୁବ ଜଗତ ସଙ୍ଗରେ ତାଳ ମିଳାଇ ଭାରତୀୟ ଯୁବ ସମାଜ ଆଜି ପୁରୁଣା ରୀତି ନୀତି, ଢଙ୍ଗରଙ୍ଗର ଚାଲିଚଳଣ ବିରୁଦ୍ଧରେ ବିପ୍ଳବର ଆହ୍ୱାନ ଦେଇଛି । ଯାହା ଶାଶ୍ୱତ ଓ ଚିରନ୍ତନ, ତାହା ନିତ୍ୟ ନୂତନ–କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ ତେଣୁ କେବେ ବୁଢ଼ା ହୁଏନି କି ମା’ ପୃଥିବୀ କେବେ ବୁଢ଼ୀ ହୁଏନା । ଭାରତୀୟ ଜୀବନ ଦର୍ଶନ ଚିରନ୍ତନୀ ସତ୍ୟ ଉପରେ ପ୍ରତିଷ୍ଠିତ । ସେହି ଜୀବନ ଦର୍ଶନ ତେଣୁ ପୁରୁଣା ହେବ କିପରି ?

 

ଏ କଥା କିନ୍ତୁ ସତ ଯେ ଯୁଗଯୁଗର ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ଏହି ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି–ଅଳିଆ ଗଦା ଭିତରେ ହଜିଲା ରତ୍ନ ମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁଁ କରୁଁ ଆମ ଯୁବ ସମାଜ ଯେପରି ସେହି ଆବର୍ଜନା ସଙ୍ଗରେ ରତ୍ନ ମୁଦିକୁ ମଧ୍ୟ ଫିଙ୍ଗି ନ ଦିଅନ୍ତି । ଏହି ଅଳିଆ ସଫାକାରୀ ଓ ବିପ୍ଳବ ଧ୍ୱଜାଧାରୀଙ୍କ ଭ୍ରୂକୁଟିଳ ଅନ୍ଧାରୁଆ ମୁହଁରେ ସାମାନ୍ୟ କିଛି ହସ ଫୁଟାଇ ଆବର୍ଜନା ଫିଙ୍ଗିଲା ବେଳେ ରତ୍ନମୁଦିକୁ ମଧ୍ୟ ଦରାଣ୍ଡିବା ପାଇଁ ଚେତାଇ ଦେବା ଏହି ‘ଶୁଣ ପରୀକ୍ଷ’ ର ଲକ୍ଷ୍ୟ ।

 

‘ମଣିଷ ସମ୍ବନ୍ଧରେ ଏକ ପ୍ରବନ୍ଧ’ ବ୍ୟତୀତ ଏ ପ୍ରବନ୍ଧାବଳୀର ଅନ୍ୟାନ୍ୟ ସବୁ ପ୍ରବନ୍ଧ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମାସିକ ସାହିତ୍ୟ ପତ୍ରିକା ‘ସପ୍ତର୍ଷି’ ର ବିଭିନ୍ନ ସଂଖ୍ୟାମାନଙ୍କରେ ସମ୍ପାଦକୀୟ ରୂପରେ ପ୍ରକାଶିତ ହୋଇଥିଲା । ଏହି ସମ୍ପାଦକୀୟ ସବୁକୁ ପୁସ୍ତକ ଆକାରରେ ପ୍ରକାଶ କଲେ ‘ସପ୍ତର୍ଷି’ ପଢ଼ି ନ ଥିବା ଅନେକେ ସେହି ପୁସ୍ତକ ପଢ଼ି କିଛି ଆନନ୍ଦ ପାଇପାରିବେ ବୋଲି ‘ସପ୍ତର୍ଷି’ ର କେତେ ସହୃଦୟ ପାଠକ ସୂଚନା ଦେଇଥିଲେ । ‘ଶୁଣ ପରୀକ୍ଷ’ ସେହି ପରାମର୍ଶର ପରିଣତି ।

 

କହିବା ବାହୁଲ୍ୟ ଯେ ଏ ଉଦ୍ୟମ ପଛରେ ମୋର ସହଧର୍ମିଣୀ ଶ୍ରୀମତୀ ଉମାଙ୍କ ଉତ୍ସାହ ଓ ପ୍ରେରଣା ଯଥେଷ୍ଟ ମାତ୍ରାରେ କାର୍ଯ୍ୟ କରିଛି ।

 

ପ୍ରବନ୍ଧ ସମୂହର ପଠନ ପରେ ବିଦଗ୍‌ଧ ପାଠକଙ୍କ ମୁଖମଣ୍ଡଳର ଭ୍ରୁକୁଟି କୁଟିଳତ୍ୱ କେତେ ମାତ୍ରାରେ ଅପସାରିତ ହେଲା ତାହା ହିଁ ଲେଖକର ଉଦ୍ୟମର ସଫଳତା ଇଙ୍ଗିତ କରିବ ।

 

ଲେଖକ

Image

 

ଗଳ୍ପସୂଚୀ

 

୧.

ନାଟର ଗୋବର୍ଦ୍ଧନ

୨.

ଫେଶନ୍‌

୩.

ଭୁଲ

୪.

ଶାନ୍ତିପୂର୍ଣ୍ଣ ଆରେ ପଲ୍ଲୀଗ୍ରାମ

୫.

ମଣିଷ ସମ୍ବନ୍ଧରେ ଏକ ପ୍ରବନ୍ଧ

୬.

ମଣିଷ ଓ ତା’ର କାରିଗର

୭.

ଅମୃତର ସନ୍ତାନ

୮.

ଧର୍ମ ଓ ମତବାଦ

୯.

ଢେଙ୍କି ଓ ପ୍ରକୃତି

୧୦.

ଘୋଡ଼ାତ୍ୱର ଲଗାମ

୧୧.

କୁମ୍ଭାରଙ୍କୁ ପଦେ

୧୨.

ଘୋଡ଼ାକୁ ପାଣି ପିଆଇବ କିପରି

୧୩.

ଲେଡ଼ି ଗୁଡ଼

୧୪.

ଭୁଷ୍‌ ପଣ୍ଡିତ

୧୫.

ଶିକ୍ଷା ପଦ୍ଧତିର ଗୋଲକଧନ୍ଦା

୧୬.

ଚାଲି ନ ଜାଣି

୧୭.

ଧନ ନୁହେଁ ମନ

୧୮.

ତିନି ତୁଣ୍ଡରେ

୧୯.

ରାଜା ବିନୁଁ....

୨୦.

କୀର୍ତ୍ତିମୟୀ ମାଆ ମୋର

୨୧.

ପାହିଲାଣି ଏବେ

୨୨.

ସତ୍ୟର ପଥ

୨୩.

ସଭ୍ୟତା ଓ ସଂସ୍କୃତି

୨୪.

ସଖା ଶ୍ରୀକୃଷ୍ଣ

୨୫.

ଶକ୍ତି ଓ ଜ୍ଞାନ

୨୬.

ବିଜ୍ଞାନ ଓ ଦର୍ଶନ

୨୭.

ଶିକ୍ଷାନୀତି ବନାମ ରାଜନୀତି

୨୮.

ଏରଣ୍ଡୋପି...

୨୯.

କଳ୍ପନାର ରାଜପୁତ୍ର

୩୦.

ଅନ୍ଧାର ଘର

୩୧.

ବିଶ୍ୱ ଦେଖ ମଧୁମୟରେ ଜୀବନ

୩୨.

ଯା ଦେବୀ

Image

 

ନାଟର ଗୋବର୍ଦ୍ଧନ

 

କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା କରିଥାଆନ୍ତି ନାଟରେ ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଏ ଗୋବର୍ଦ୍ଧନ ଠିକ୍ କ’ଣ ସବୁ କରେ, ଆଉ ଏ ନାଁ’ ଟି କିଏ କେଉଁଥିପାଇଁ ପ୍ରଥମ କରି ଦେଲା, ସେ ସମ୍ବନ୍ଧରେ ବିଶେଷ କିଛି କହି ହେଉନି–ତେବେ ଧରି ନିଆଯାଇପାରେ ଯେ, ସିନେମାର ଡାଇରେକ୍ଟର ପରି ଏହି ନାଟର ଗୋବର୍ଦ୍ଧନ–ଲୋକଲୋଚନର ଅନ୍ତରାଳରେ ରହି ନାଟରେ ଭାଗ ନେଉଥିବା ଖେଳାଳୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଚରିତ୍ର ବଣ୍ଟନ କରେ ଓ ସେମାନେ ଠିକ୍‌ କିପରି ଭାବରେ ନାଚିବେ ସେ ବିଷୟରେ ନିର୍ଦ୍ଦେଶ ଦିଏ ।

ଏହି ‘ନାଟର ଗୋବର୍ଦ୍ଧନ’ ଆଖ୍ୟାଟି ସାଧାରଣତଃ ଭଲ ଅର୍ଥରେ ନିଆଯାଉଥିବାର ଶୁଣାଯାଏନି ‘ନାଟ ଲଗେଇଛି’ ବା ‘ପାଲା ଲଗେଇଛି’ ପରି ବିରକ୍ତି ବ୍ୟଞ୍ଜକ ଇଙ୍ଗିତ ପଛରେ କୌଣସି ଆକ୍ଷେପର ହିଁ ସୂଚନା ମିଳେ । ତେଣୁ ଲୋକ ଚକ୍ଷୁରେ ନାଟର ଗୋବର୍ଦ୍ଧନ ଏକଜାତୀୟ ଭିଲେନ୍‌, ଗୋଟିଏ ଖଳ ପ୍ରକୃତିର ନାୟକ ।

ନାଟ କହିଲେ ସାଧାରଣ ଭାବରେ ଦଣ୍ଡନାଟ, ସୁଆଙ୍ଗ, ପାଲା, ଦାସକାଠିଆ ଓ ଅପେରା ପ୍ରଭୃତି ବୁଝାଯାଉଥିଲେ ହେଁ ଆମ ଭାଷାରେ ଏହି ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳେ । ରାଜନୀତିରେ କୁଆଡ଼େ କେହି କେହି ରୀତିମତ ନାଟ ଲଗାଉଥାଆନ୍ତି–କଳକାରଖାନାମାନଙ୍କରେ ଧାରଣା, ଧର୍ମଘଟ ପ୍ରଭୃତି ନାଟ ତାମସା ଲାଗେ ଏବଂ ଅନେକ ସମୟରେ ଛାତ୍ରମାନେ ମଧ୍ୟ ସ୍କୁଲ କଲେଜମାନଙ୍କରେ ନାନା ରକମର ନାଟ ଲଗାଉଥିବା ଶୁଣାଯାଏ । ତେଣୁ ଏପରି ପ୍ରତ୍ୟେକ ନାଟରେ ଜଣେ ଲେଖାଏଁ ଗୋବର୍ଦ୍ଧନ ଥିବା ସ୍ୱାଭାବିକ କଥା ।

ରାମାୟଣରେ ମନ୍ଥରା ଓ ମହାଭାରତରେ ଶକୁନିକୁ ‘ନାଟର ଗୋବର୍ଦ୍ଧନ’ ବୋଲି ଧରି ନିଆଯାଇପାରେ

କାହାରି କାହାରି ମତରେ ସଂସାର ଗୋଟିଏ ଖେଳଘର ଓ ସେଥିରେ ପ୍ରତ୍ୟେକ ମଣିଷ ତା’ର ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରି ଚାଲିଛି । ଏ ‘ଭବରଙ୍ଗ ଭୂମିତଳେ’ କୁଆଡ଼େ ‘କେହି ରହିନାହିଁ’ କିମ୍ବା ‘ରହିବେ ନାହିଁ’ ଆଉ ସମସ୍ତେ ‘ନିଜ ନିଜ ଅଭିନୟ ସାରି’ ଆପଣା ଆପଣା ଘରକୁ ଯଥା ସମୟରେ ବାହୁଡ଼ି ଯିବେ । ଏଥିରୁ କେଉଁ ଜଣେ ନଟକୂଟିଆ, ଗୋବର୍ଦ୍ଧନିଆ ଏ ସଂସାରରେ ସବୁ ପାଲା ଲଗେଇଛି ବୋଲି ଭାବିନେବା ସ୍ୱାଭାବିକ କଥା । କିନ୍ତୁ ଏ ସବୁ ଭିତରେ ଗୋଟିଏ ଧାରାବାହିକ କ୍ରମାନ୍ୱୟତା ଓ ମହାନ ଉଦ୍ଦେଶ୍ୟର ସନ୍ଧାନ ପାଇ କେହି କେହି ‘ସଂସାରର ଲୀଳା ଖେଳା ସରିଲା ଆମ୍ଭର’ ବୋଲି ଘୋଷଣା କରି ‘ମହାଯାତ୍ରା’ ଆରମ୍ଭ କରି ଦେଇଥିବା କଥା ମଧ୍ୟ ଶୁଣାଯାଏ ଏପରି ସ୍ଥଳେ ଏ ଖେଳର ପରିଚାଳକଙ୍କୁ ନାଟର ଗୋବର୍ଦ୍ଧନ ବୋଲି କୁହାଯିବା ଉଚିତ୍ ହେବ କି ନାହିଁ ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇପାରେ । କିନ୍ତୁ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ଜୀବନ ମୁଖ୍ୟତଃ ଗୋଟିଏ ଲେଖାଏଁ ନାଟ ହୋଇଥିବାରୁ ପ୍ରତ୍ୟେକ ମଣିଷ ଭିତରେ ଯେ ଜଣେ ଗୋବର୍ଦ୍ଧନ ଲୁଚି ରହିଛି ଏଥିରେ ସନ୍ଦେହ ନାହିଁ ।

ଜାଣିଲା ଲୋକେ କହନ୍ତି ଯେ ମଣିଷର ମନ ତା’କୁ ଯେମିତି ନଚାଏ ସେ ବାଧ୍ୟ ହୋଇ ସେପରି ନାଚେ । ତେଣୁ ଏହି ମନକୁ ଗୋଟିଏ ନାଟର ଗୋବର୍ଦ୍ଧନ ବୋଲି ନିଃସନ୍ଦେହରେ କୁହାଯାଇପାରେ

ସ୍କୁଲରେ ଛାତ୍ର ବାପା ମା’ଙ୍କ କଥା ମାନି ପଢ଼ିବାକୁ ଚାହୁଁଥିଲେ ମଧ୍ୟ କ୍ଲାସ ରୁମ୍‌ରେ ଶିକ୍ଷକ ଯେତେବେଳେ କିଛି ପଢ଼ାଉଥାନ୍ତି ଆଖି ବ୍ଲାକବୋର୍ଡ଼କୁ ଅନାଇ ଥିଲେ ହେଁ ମନ ଯାଇ କେଉଁ ତେନ୍ତୁଳି ଗଛ, କଇଥ କିମ୍ବା ଆମ୍ବଗଛ ଚଢ଼ି ସାରିଥାଏ । ଶିକ୍ଷକଙ୍କ ବକ୍ତୃତା ଆଡ଼କୁ କାନେଇ ରହିଲେ ବି ମନ ନିଜେ ନିଜେ ପେଁକାଳି ବଜାଇବାକୁ ଆରମ୍ଭ କରେ । କଲେଜରେ ସେମିତି ବ୍ଲାକ୍‌ବୋର୍ଡ଼ରେ ବିଜ୍ଞାନର କୌଣସି ଫର୍ମୁଲା ଦେଖୁ ଦେଖୁ ମନ ସେହି ଫର୍ମୁଲା ଉପରେ କୌଣସି ଚିତ୍ର ତାରକାର ମୁହଁ ଆଙ୍କିଦିଏ–ନ ହେଲେ ହଠାତ୍ ବ୍ରେବେର୍ଣ୍ଣ ଷ୍ଟେଡିୟମ୍‌ କିମ୍ୱା ଫିରୋଜ ସାହା କୋଟ୍ଲା ଗ୍ରାଉଣ୍ଡର କ୍ରିକେଟ୍‌ ଫିଲ୍‌ଡ଼ରେ ପହଞ୍ଚି ଯାଇ ନିଜେ ନିଜେ ବ୍ୟାଟିଂ ଆରମ୍ଭ କରିଦିଏ, କିମ୍ବା ଠିକ୍‌ ବହି ଖୋଲି ପଢ଼ି ବସିଲା ବେଳକୁ ସମାଜବାଦୀ ଜୀବନର ଆଦର୍ଶକୁ ବୃଦ୍ଧାଙ୍ଗୁଷ୍ଟି ଦେଖାଇ ଏହି ମନ ସୁନେଲୀ ସ୍ୱପ୍ନରେ ମଣିମୁକୁତାର ମୁକୁଟ ପିନ୍ଧାଇ ହାତୀର ସୁନା–ହାଉଦାରେ ବସାଏ ଆଉ ସ୍ୱପ୍ନ ପୁରୀର ରାଜକନ୍ୟା ପାଖକୁ ‘ବରାତ୍‌’ ପ୍ରଶେସନ୍ ଆରମ୍ଭ କରିଦିଏ । ବୟସ ଯେମିତି ଗଡ଼ି ଗଡ଼ି ଯାଏ, ପଇସାଟିଏ ବେଙ୍କ୍‌ ବେଲେନ୍‌ସ ନ ଥିଲେ ମଧ୍ୟ ଖପରେଲି ଘରେ ରହୁଥିବା ପ୍ରୌଢ଼ ଶିକ୍ଷକର ମନ ବିରାଟ ପ୍ରାସାଦ ରଚିବାକୁ ଆରମ୍ଭ କରେ ।

ମଣିଷ ବୁଝେ ଯେ ଏହି ଶୟତାନ ମନକୁ ଆକଟ ନ କଲେ ତା’ର ମଙ୍ଗଳ ନାହିଁ–ତେବେ ବି ସେ ନିରୁପାୟ ହୋଇଯାଏ । ମନକୁ ମଣ କରିବା କେତେ କଷ୍ଟ ସେ ସମ୍ବନ୍ଧରେ ଏଠାରେ ଗୋଟିଏ ଗଳ୍ପର ଅବତାରଣା କରାଯାଇପାରେ ।

ରାଜାଙ୍କର କିଛି ଅଭାବ ନ ଥିଲା–ବିଶାଳ, ସାମ୍ରାଜ୍ୟ, କୋଷାଗାର ଧନରତ୍ନରେ ଭରପୁର ପୁଅ ଝିଅ, ହାତୀ ଘୋଡ଼ା, ସୈନ୍ୟ ସାମନ୍ତ, କେଉଁଥିରେ ଅଭାବ ନାହିଁ । ତେବେ ବି ରାଜାଙ୍କର ଗୋଟିଏ ବଡ଼ ଦୁଃଖ–ମୁଣ୍ଡରୁ ବାଳ ଉପୁଡ଼ି ଉପୁଡ଼ି ତାଳୁ ଉପରେ ଦେଖା ଦେଇଥିବା ‘ଠ’ ଟି ଧୀରେ ଧୀରେ ବଡ଼ ହେବାର ଲାଗିଥାଏ ଓ ଭୟ ହେଉଥାଏ ଯେ ବାଳ ଉପୁଡ଼ିବା ବନ୍ଦ ନ ହେଲେ ଓ ନୂଆ ବାଳ ନ ଗଜୁରିଲେ ସେ ଦିନେ ପୂରାପୂରି ଚନ୍ଦା ହୋଇଯିବେ ।

ରାଜ୍ୟର ବଡ଼ ବଡ଼ ଡାକ୍ତର, କବିରାଜ, ହାକିମ ସମସ୍ତେ ତାଙ୍କର ସବୁ ଉପାୟ ଶେଷ କରି ସାରିଥିଲେ । ଜବାକୁସୁମ, ଅଅଁଳା ଆଉ ଆଉ କେତେ ଫୁଲ ଫଳ ରସରୁ ତିଆରି ହୋଇଥିବା ତୈଳ ସବୁ କିଛି କାମ ଦେଖାଇ ପାରିଲାନି କେଡ଼େ କେଡ଼େ ଭୃଙ୍ଗରାଜ, ନାରାୟଣ, ମହାନାରାୟଣ ତୈଳ ସବୁ ଫେଲ୍‌ ମାରିଗଲେ । ବୃହତ୍‌ ଛାଗଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନାନା ଜାତୀୟ ଘୃତ ଆଉ କେତେ କେତେ ସାଲସା ମଧ୍ୟ କାମ ଦେଲାନି । ବରଂ ମୁଣ୍ଡ ଧୀରେ ଧୀରେ ଅଧିକ ଚକ୍‌ ଚକ୍‌ କରିବାକୁ ଆରମ୍ଭ କଲା ।

ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା ଓ ସେ ରାଗରେ ଘୋଷଣା କଲେ ଯେ ଯଦି ମାସେ ଭିତରେ ତାଙ୍କର ଚନ୍ଦା ମୁଣ୍ଡରେ ବାଳ ନ ଉଠେ ତେବେ ରାଜ୍ୟର ସବୁ ଡାକ୍ତରଙ୍କ ମୁଣ୍ଡକାଟ ହେବ ।

ଡାକ୍ତରମାନଙ୍କ ଭିତରେ ଭାଳେଣି ପଡ଼ିଗଲା ଏବଂ ଅନେକେ ଆସନ୍ନ ବିପଦର ଆଶଙ୍କାରେ ଖାଇବା ପିଇବା ମଧ୍ୟ ଛାଡ଼ିଦେଲେ । ଜଣେ ଖୁସି ମିଜାଜ ଓ ବେ’ ପରବାଏ ଡାକ୍ତର କିନ୍ତୁ ରାଜାଙ୍କର ଏ ଚ୍ୟାଲେଞ୍ଜ ଗ୍ରହଣ କରି ଯଥା ସମୟରେ ଗୋଟିଏ ଶୁଭଦିନ ଓ ଶୁଭ ମୂହୂର୍ତ୍ତରେ ତାଙ୍କ ମହୌଷଧି ବାକ୍‌ସ ଧରି ରାଜାଙ୍କ ପାଖରେ ପହଞ୍ଚିଗଲେ । ବାକ୍‌ସ ଭିତରେ ନାନା ରଙ୍ଗର ଓ ନାନା ଢଙ୍ଗର ତୈଳ ଶିଶି ସବୁ ଥାଏ । ଡାକ୍ତର ମହାଶୟ ରାଜାଙ୍କର ଚନ୍ଦାମୁଣ୍ଡ ତନ୍ନ ତନ୍ନ କରି ପରୀକ୍ଷା କଲେ, ଲମ୍ବା ଚୌଡ଼ା ମାପିଲେ, ମସୃଣତା ପରୀକ୍ଷା କଲେ–ରାଜାଙ୍କ ମୁଣ୍ଡରେ ନିଜ ପ୍ରତିବିମ୍ବ ଦିଶୁଛି ନା ନାହିଁ ପରଖି ନେଲେ–ଆଉ ଗମ୍ଭୀର ଭାବରେ ମୁଣ୍ଡ ଟୁଙ୍ଗାରି ଘୋଷଣା କଲେ ଯେ ୨୨ ଦିନରେ ରଜାଙ୍କ ମୁଣ୍ଡରେ ଯେତେ ବାଳ ବାହାରିବ ସେଥିରୁ ଖଣ୍ଡିଏ ଗାଲିଚା ତିଆରି ହୋଇପାରିବ ।

ତୈଳ ଶିଶି ସବୁ ବାହାର କରାଗଲା । ପ୍ରତ୍ୟେକ ତୈଳର ଗୁଣ ବର୍ଣ୍ଣନା ବି ସଙ୍ଗେ ସଙ୍ଗେ ଚାଲିଥାଏ । କେଉଁ ତୈଳ ମର୍ଦ୍ଦନରେ କେଶ ଗୁଚ୍ଛ ଝିଙ୍କି କାଠି ପରି ହେବ ତ କେଉଁଥିରେ ପ୍ରତ୍ୟେକ ବାଳ ଶାଳ ଗଛ ପରି ମୋଟା ହୋଇ ଶାଖା ପ୍ରଶାଖା ମେଲିଯିବ । ଯେଉଁ ତୈଳର ସାମାନ୍ୟ ମର୍ଦ୍ଦନରେ ରାଜାଙ୍କ କେଶ ରାଶି ହିମାଳୟର ଚାମରୀ ଗାଈ ଲାଞ୍ଜର ଚଅଁର ପରି ହେବ ସେପରି ତୈଳର ଗୋଟିଏ ଶିଶି ରାଜାଙ୍କ ଟେବୁଲ ଉପରେ ଥୋଇଦେଇ ଡାକ୍ତର ଅନୁପାନ ଦେଲେ ଯେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ରାଜା ଗାଧୋଇବେ, ଆଉ ଗାଧୋଇବା ପୂର୍ବରୁ ବାଁ ହାତ ପାପୁଲିରେ ଆଠଅଣି ସାଇଜ୍‌ରେ କିଛି ତେଲ ଢାଳି ନେଇ ମୁଣ୍ଡର ଚନ୍ଦା ଅଂଶରେ ଧୀରେ ଧୀରେ ପାଞ୍ଚ ମିନିଟ୍‌ କାଳ ଘଷିବେ ।

ରାଜାଙ୍କ ମୁହଁରେ ହସର ଢେଉ ଖେଳିଗଲା ।

ବାକ୍‌ସ ବନ୍ଦ କରି ଘରକୁ ଯିବା ବାଟରେ ଡାକ୍ତର ବାବୁ ହଠାତ୍‌ ଚମକି ଉଠିଲେ ଓ ଫେରି ଆସି କ୍ଷମା ମାଗି ରାଜାଙ୍କୁ କହିଲେ ଯେ ସେ ଗୋଟାଏ ବଡ଼ କଥା କହିବାକୁ ଭୁଲି ଯାଇଛନ୍ତି । ତେଲ ଲଗାଇଲାବେଳେ ରାଜା ଯେପରି ତିନୋଟି ଜିନିଷ ମନେ ନ ପକାନ୍ତି–ପଚା ଅଣ୍ଡା, ଛିଣ୍ଡା ଚପଲ ଓ ଖଣ୍ଡିଆ ଝାଡ଼ୁ । ଏ ଭିତରେ କୌଣସି ଜିନିଷଟି ସେତେବେଳେ ରାଜାଙ୍କର ମନେ ପଡ଼ିଲେ ଔଷଧ ଆଉ କାଟୁ କରିବନି

ରାଜାଙ୍କ ମୁହଁରେ ବିଦ୍ରୁପର ହାସ୍ୟରେଖା ଦେଖାଦେଲା ଯିଏ ହୀରା, ନୀଳା, ମୋତି ମାଣିକ୍ୟକୁ ମଧ୍ୟ ଗଣନା କରନ୍ତିନି ସେ କୁଆଡ଼େ ପଚା ଅଣ୍ଡା, ଛିଣ୍ଡା ଚପଲ ଆଉ ଖଣ୍ଡିଆ ଝାଡ଼ୁ, କଥା ଭାବିବେ !

ଭୋର ଚଢ଼େଇ ସବୁ ଚେଁ ଚାଁ କଲାବେଳକୁ ରାଜା ପଲଙ୍କରୁ ଉଠି ତେଲ ଶିଶି ପାଖକୁ ଦୌଡ଼ିଗଲେ । ହାତ ପାପୁଲିରେ କିଛି ଢାଳି ମୁଣ୍ଡରେ ଦେବାକୁ ଯାଉଛନ୍ତି ଠିକ୍‌ ସେତିକିବେଳେ ତାଙ୍କର ମନେ ପଡ଼ିଗଲା ଯେ ପଚା ଅଣ୍ଡା, ଛିଣ୍ଡା ଚପଲ, ଖଣ୍ଡିଆ ଝାଡ଼ୁ ବିଷୟରେ ନ ଭାବିବା କଥା-। ଆଉ ତୈଳ ମର୍ଦ୍ଦନ ହୋଇ ପାରିଲାନି ତା’ ଆରଦିନ ବି ଠିକ୍‌ ସେମିତି ତେଲ ମୁଣ୍ଡ ପାଖକୁ ନେଲା ବେଳକୁ ସେଇ ଛିଣ୍ଡା ଚପଲ କଥା ମନେ ପଡ଼ିଗଲା । ପୁଣି ତହିଁ ଆରଦିନ ବି ସେଇୟା ରାଜା ଶେଷରେ ମନ ଦୃଢ଼ କଲେ, ପ୍ରତିଜ୍ଞା କଲେ ଯେ ପଚା ଅଣ୍ଡା କାହିଁକି, ସେ ସକାଳେ କୌଣସି କଥା ଭାବିବେନି

ପାହାନ୍ତିଆ ହେଲା । ହାତ ପାପୁଲିରେ ତେଲ ନେଇ ଦାନ୍ତ କାମୁଡ଼ି, ଡାହାଣ ହାତର ମୁଠା ଟାଣ କରି, ଆଖି ବୁଜି କଦାପି କିଛି ଭାବିବେନି ବୋଲି ଦୋହରାଇ ଏକ–ଦୁଇ–ତିନି ପରେ ତେଲ ଯେମିତି ତାଳୁରେ ଥାପୁଡ଼େଇଛନ୍ତି, ସେହି ମୁହୂର୍ତ୍ତରେ ପାଟିରୁ ‘ଛିଣ୍ଡା ଚପଲ’ ଶବ୍ଦ ବନ୍ଧୁକର ଗୁଳି ପରି ବାହାରି ଆସିଲା । ରାଜାଙ୍କର ସବୁ ଆଶା ଭରସା ସେଥିରେ ହିଁ ଶେଷ ହୋଇଗଲା ।

ଏହି ଚଞ୍ଚଳ ମନକୁ ଆକଟ କରିବା ସହଜ ନୁହେଁ । ଏହି ମନ ଏପରି ପିଚ୍ଛିଳ ଯେ ତା’କୁ ସହଜରେ ଧରି ରଖି ହୁଏନି ।

କେହି କେହି କହନ୍ତି ଯେ ଔଷଧ ଦ୍ୱାରା ଏ ମନକୁ ବଶ କରାଯାଇପାରେ ମଣିଷ ବେଳେ ବେଳେ ଅଫିମ ନିଶାରେ ସ୍ୱର୍ଗରେ ଖାଲି ଥିବା ଇନ୍ଦ୍ରଙ୍କ ଆସନରେ ଯାଇ ବସେ; ଗଞ୍ଜେଇ, ମେରିଜୁଆନା, ଏଲ.ଏସ.ଡ଼ି. ନିଶାରେ ଆକାଶରେ ପହଁରି ବୁଲେ । ଆଉ କେବେ କେବେ ମଦ ପିଇ ରାସ୍ତା ଘାଟରେ ଛାତି ପିଟେ ଓ ନିଶ ମୋଡ଼ି ବାହାସ୍ଫୋଟ ମାରି ନେପୋଲିୟନ୍‌ ବୋନାପାର୍ଟଙ୍କୁ କୁସ୍ତି ଆଖଡ଼ାକୁ ଡାକେ । ଆମର ମହାନ ସଂସ୍କୃତି କିନ୍ତୁ ଦୃଢ଼ ଭାବରେ ଘୋଷଣା କରେ ଯେ ଔଷଧ ଦ୍ୱାରା ମନକୁ ବଶୀଭୂତ କରିବା ଧାରଣା ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ଔଷଧ ମନକୁ କ୍ଷଣିକ ଉନ୍ମାଦନା ଦେଇ ସ୍ୱପ୍ନିଳ କରିପାରେ ମାତ୍ର ଅନବରତ ବ୍ୟବହାର ଦ୍ୱାରା ମଣିଷ ଶେଷରେ ଔଷଧର ଦାସ ହେବା ସଙ୍ଗେ ସଙ୍ଗେ ନିଜେ ମନର କ୍ରୀତଦାସ ହୋଇଯାଏ । ତା’ ପରିବର୍ତ୍ତେ ଏହି ସଂସ୍କୃତି ଶିକ୍ଷା ଦିଏ, ଯେ କଣ୍ଟାକୁ କଣ୍ଟାରେ ବାହାର କଲା ପରି ମନକୁ ବୁଦ୍ଧି ଓ ବିବେକର ଶକ୍ତି ବଳରେ ଦୃଢ଼କରି ସେହି ଦୃଢ଼ ମନ ସାହାଯ୍ୟରେ କ୍ରମାଗତ ଅଭ୍ୟାସ ଦ୍ୱାରା ଚଞ୍ଚଳ ମନକୁ ଆକଟ କରାଯାଇପାରେ

ଲକ୍ଷ୍ୟ ହୀନ ଭାବରେ ଘୁରି ବୁଲୁଥିବା କୁକୁରକୁ ହାଡ଼ ଖଣ୍ଡିଏ ଦେଲେ ଯେ ଯେମିତି ହାଡ଼କୁ ରେକେଟି ରେକେଟି ଗୋଟିଏ ଜାଗାରେ ପଡ଼ି ରହେ, ଏହି ବାରବୁଲା ମନକୁ ଯେପରି ତା’ର ପ୍ରିୟ ଜିନିଷଟିଏ ଧରାଇ ଦେଲେ କିଛି ସମୟ ପାଇଁ ଧୀରସ୍ଥିର ଓ ଶାନ୍ତ ହୋଇ ରହେ । ଛୋଟ ଛୁଆକୁ ପ୍ରଥମେ ଭାତ ଖୁଆଇଲାବେଳେ ସେ ଭାତକୁ ଯେମିତି ଜିଭ ଆଗରେ ବାହାରକୁ ଠେଲି ଦିଏ କିନ୍ତୁ କ୍ରମେ କ୍ରମେ ସେହି ଭାତରୁ ସ୍ୱାଦ ପାଇ ଖୁସିରେ ଖାଏ, ସେପରି ମନକୁ ମଧ୍ୟ ଧୀରେ ଧୀରେ ତା’ ପ୍ରିୟ ବସ୍ତୁ ନ ଦେଇ ଶ୍ରେୟ ଜିନିଷ ଭଲପାଇବାକୁ ଶିକ୍ଷା ଦିଆଯାଇପାରେ ପାଠପଢ଼ା ଠାରୁ ଆରମ୍ଭ କରି ଗବେଷଣା, ସମାଜ ସେବା, ସାହିତ୍ୟ ସେବା, ଦେଶ ସେବା ପ୍ରଭୃତି ଯେ କୌଣସି ଭଲ କାମରେ ମନକୁ ଏପରି ଭାବରେ ଲଗାଇ ଦେଇ ପାରିଲେ ଘିଅ ଦୀପର ଶିଖା ପରି ଉର୍ଦ୍ଧ୍ୱଗାମୀ ତଥା ଏକାଗ୍ର ହୋଇ ମନ ଯଥା ସମୟରେ ଶାନ୍ତ (….)

ଆମର ଏହି ସଂସ୍କୃତି ପୁଣି ସାବଧାନ କରିଦିଏ ଯେ ଗୋଟିଏ ସୁସ୍ୱାଦୁ ଖାଦ୍ୟର ଆସ୍ୱାଦନରେ ମଣ ହୋଇଥିବା ମନ ଆଉ ଗୋଟିଏ ସ୍ୱାଦୁ ଖାଦ୍ୟର ସନ୍ଧାନ ପାଇଲେ ପୁଣି ଚଞ୍ଚଳ ଓ ଚପଳ ହୋଇଯାଇପାରେ ତେଣୁ ଯେଉଁ ସୁଖ ଓ ଆନନ୍ଦ ଠାରୁ ଆଉ ଶ୍ରେଷ୍ଠତର ଆନନ୍ଦ ନାହିଁ ସେପରି ଆନନ୍ଦର ଆସ୍ୱାଦନରେ ମନ ସମ୍ପୂର୍ଣ୍ଣ ସ୍ଥିର ହୋଇଯାଏ । ଏପରି ଧୀର ସ୍ଥିର ଶାନ୍ତ ମନର ଅଧିକାରୀ ହିଁ ଅମୃତର ସନ୍ତାନ

ଏହି ନାଟର ଗୋବର୍ଦ୍ଧନ ଚଞ୍ଚଳ ମନ ମଣିଷକୁ ବାସନାର ସଂକୀର୍ଣ୍ଣ ଗଳି କନ୍ଦି ଭିତରେ ବାଟ କଢ଼ାଇ ନେଇ ନରକର ଦ୍ୱାର ଉନ୍ମୁକ୍ତ କରି ସେ ଭିତରକୁ ଠେଲି ଦିଏ, ଆଉ ସେହି ମନ ଯେତେବେଳେ ମଣ ହୋଇଯାଏ ସେ ହୁଏ ପରମ ଆନନ୍ଦର ସ୍ରଷ୍ଟା । ତେଣୁ ଏହି ମନକୁ ଆକଟ କରିବା ସହଜସାଧ୍ୟ ନ ହେଲେ ହେଁ ତା’କୁ ସବୁବେଳେ ସତ୍‌ ଚିନ୍ତାରେ ନିୟୋଜିତ କରି କ୍ରମାଗତ ଚେଷ୍ଟା କରିବା ହିଁ ପ୍ରତ୍ୟେକ ମଣିଷ ପକ୍ଷରେ ସର୍ବତୋଭାବେ ବିଧେୟ ବୋଲି ମନେହୁଏ ।

Image

 

ଫେସନ

 

ସମୟ ସମୟରେ ମଣିଷ ଏପରି ଅବସ୍ଥାରେ ପଡ଼େ ଯେ ସେ ତା’ ମନର କଥା କେଉଁଠି କହିପାରେନି, ଆଉ କାହାକୁ ନ କହି ରହି ମଧ୍ୟ ପାରେନି । ଏହା ଯେ କେବଳ ଆଧୁନିକ ମଣିଷର ଗୋଟିଏ ନୂଆ ଅନୁଭୂତି ତା’ ନୁହେଁ, ଆଗେ ବି ଏପରି ଘଟୁଥିଲା

 

ଗୋଟିଏ ଜଣାଶୁଣା ଗପ ।

 

ଥରେ କୁଆଡ଼େ ଜଣେ ରାଜାଙ୍କର ଦିଓଟି ଯାକ କାନ କୌଣସି କାରଣରୁ ଗଧକାନ ପାଲଟିଗଲା । କାଳେ କିଏ ସେହି ଗଧକାନକୁ ଦେଖି ପକାଇବ ଏଇ ଭୟରେ ଓ ଲାଜରେ ରାଜା ସବୁବେଳେ ଟୋପି ପିନ୍ଧି କିମ୍ବା ପଗଡ଼ି ଭିଡ଼ି କାନ ଦିଓଟିକୁ ଲୁଚାଇ ରଖୁଥିଲେ । ଦିନେ ରାଜାଙ୍କୁ ଖିଅର କରୁ କରୁ ରାଜବାରିକ ଟୋପିଟିକୁ କେମିତି ହଠାତ୍‌ ଉପରକୁ ଠେଲି ଦେଲା ଓ ଗୋଟିଏ ଗଧ କାନ ଦେଖି ପକାଇଲା । ବାରିକମାନଙ୍କର ସ୍ୱାଭାବିକ ଚତୁର ପଣିଆ ଯୋଗୁଁ କାନଟି ଦେଖି ନ ଥିବା ଢଙ୍ଗ ଓ ବାହାନା କରି ସନ୍ଦେହକୁ ବଦ୍ଧମୂଳ ବିଶ୍ୱାସରେ ପରିଣତ କରିବା ଉଦ୍ଦେଶ୍ୟରେ ଅନ୍ୟ ପାଖ କାନ ମଧ୍ୟ ଟୋପି ଟେକିବା ଛଳନାରେ ଦେଖି ନେଲା ଓ ସ୍ୱଭାବ ଜାତ କୌତୂହଳ ଦମନ କରିପାରିବା ଶକ୍ତି ବଳରେ ଛାତି ଭିତରୁ ହାବେଳି ବାଣ ପରି ଉପରକୁ ଠେଲି ଆସୁଥିବା ହସକୁ କୌଣସିମତେ ଚାପି ଦେଇ ସେଠାରୁ ଖସି ଆସିଲା । ଘରକୁ ଆସିବା ବାଟରେ ଯାହାକୁ ଦେଖିଲା ତା’କୁ ଏହି ତାଜା ଓ ଗରମାଗରମ ଖବରଟି ଶୁଣାଇ ଦେବାକୁ ପ୍ରବଳ ଇଚ୍ଛା ହେଉଥିଲେ ହେଁ ଘଟଣାଟି ପ୍ରଘଟ ହୋଇଗଲେ ତା’ର ମୁଣ୍ଡକାଟ ଯେ ସୁନିଶ୍ଚିତ, ସେହି ଭୟରେ କାହାକୁ କିଛି କହିପାରିଲାନି କଥାଟି କିନ୍ତୁ ରାତି ଦିନ ସବୁବେଳେ ତା’ ମନ ଓ ପେଟ ଭିତରେ ଖଜବଜ ହେଉଥାଏ, ଆଉ ବଦହଜମିର ହାକୁଟି ପରି ପେଟ ଭିତରୁ ଠେଲା ମାରି ଜିଭ ଆଗ ପର୍ଯ୍ୟନ୍ତ ଚାଲି ଆସୁଥାଏ । ବାରିକ ତା’ ସ୍ତ୍ରୀକୁ ମଧ୍ୟ ଏ କଥାଟି କହିବାକୁ ସାହସ କଲାନି–ସ୍ତ୍ରୀ ଲୋକମାନେ କୁଆଡ଼େ ସହଜରେ କୌଣସି କଥା ପେଟ ଭିତରେ ରଖିପାରନ୍ତିନି ଓ ‘କାହାକୁ କହିବିନି’ କହି ଆଗ ପଡ଼ୋଶୀକୁ ସବୁ କହି ଦିଅନ୍ତି । ଶେଷରେ ବାରିକ ତା’ ଘର ବାଡ଼ି ଆଡ଼େ ଗୋଟିଏ ଗାତ ଖୋଳି ଗାତ ଭିତରେ ମୁଣ୍ଡ ପୁରାଇ ତା’ ଭିତରେ ଥିରି ଥିରି କହିଲା, ‘ରାଜାଙ୍କର ଗଧ କାନ’

 

ଯଥା ସମୟରେ କେମିତି ସେ ଗାତରୁ ଗଛଟିଏ ଉଠିଲା ଓ ପବନରେ ଗଛ ଦୋହଲିଲା ବେଳକୁ ‘ରଜାଙ୍କର ଗଧକାନ, ରଜାଙ୍କର ଗଧକାନ’ ବୋଲି ଗୀତ ବାଜି ଉଠିଲା, ସେ କଥା ସମସ୍ତଙ୍କୁ ଜଣା ।

 

ଆଜିକାଲିର ଆଧୁନିକ ବେଶଭୂଷା ଓ ଢଙ୍ଗଢାଙ୍ଗ ଦେଖିଲେ ଆମକୁ ମଧ୍ୟ ବେଳେ ବେଳେ ସେ ରାଜାଙ୍କ ବାରିକର ଦଶା ଭୋଗ କରିବାକୁ ପଡ଼େ ଏ ଉଦ୍ଭଟ ବେଶ ସବୁ ଦେଖି ଅନେକ ସମୟରେ ନ ଦେଖିଲା ଭଳି ଭଙ୍ଗୀ କଲେ ମଧ୍ୟ ସେ ବିଷୟରେ କିଛି ନ କହି ରହି ହୁଏ ନାହିଁ । କହିବାରେ ଯେ ବିପଦର ସମ୍ଭାବନା ରହିଛି ତାହା ମଧ୍ୟ ଜଣାଶୁଣା ।

 

ଫେସନର ଗୋଟିଏ ଦିଗରେ ଏବେ ଦେଖା ଦେଇଛି ଘର ଚଟିଆର ବସା ପରି ଇତସ୍ତତଃ ଓ ନୁଖୁରା ମୁଣ୍ଡର ବାଳ–ବେଳେ ବେଳେ ଦି’ ଚାରି କେରା କାନ୍ଧ ଉପରେ ଝୁଲି ପଡ଼ି ପାଣିରେ ଭିଜିଗଲା କୁକୁଡ଼ା କି କାଉର ପଟାନ୍ତର ଦିଏ । ନିଶଦାଢ଼ି ବିହୀନ ଯତ୍ନହୀନ ମୁହଁ, ଦେହରେ ମିଶି ଯାଉଥିବା ନଳୀ ପେଣ୍ଟ, ଗେରୁଆ ପଞ୍ଜାବୀ ଓ ରୁଦ୍ରାକ୍ଷମାଳା–ପୁଅ କି ଝିଅ ବୋଲି ବି ଚିହ୍ନି ହୁଏନି ଅନ୍ୟ ଦିଗରେ ଦେଖିବାକୁ ମିଳେ କଦମ୍ବ କେଶର ପରି ଛୋଟ ଛୋଟ ଓ ଗୋଜିଆ ଗୋଜିଆ ମୁଣ୍ଡର ବାଳ, ମହୁଫେଣା କିମ୍ବା ବାୟା ଚଢ଼େଇର ବସା ପରି ଝୁଲୁଥିବା ଦାଢ଼ି, ପ୍ୟାଟର୍ଣ୍ଣ କରା କଲି, ଅରଣା ମହିଷି ସିଂଘିଆ ନିଶ, ଆଣ୍ଠୁ ପାଖରେ ସରୁ ହୋଇ ପାଦ ପାଖରେ ଢିଲା ହୋଇଯାଇଥିବା ବେଲ୍‌ବଟମ୍‌ ଟ୍ରାଉଜର ଓ ବଣରେ ବାଘ ଭାଲୁ ବୁଲୁଥିବା ସାପୁଆ କେଳା ଗୋଖୂର ଖେଳାଉଥିବା, ଚଢ଼େଇ ବସା ବାନ୍ଧୁଥିବା ଠାରୁ ଆରମ୍ଭ କରି ବିଜୁଳିଶକ୍ତିର ଟ୍ରାନ୍‌ସମିଶନ ଟାୱାର ପର୍ଯ୍ୟନ୍ତ ଦୃଶ୍ୟର କାହାଣୀ ଓ ଉପନ୍ୟାସ ଭରା ହାୱାଇଏନ ସାର୍ଟ ।

 

ଫେସନ୍‌ର ଗତି ଦୁର୍ବୋଧ ବୋଲି ମନେ ହେଲେ ହେଁ ସମୟର ଗତି ସଙ୍ଗେ ସଙ୍ଗେ ଠିକ୍‌ ଘଣ୍ଟାର ପେଣ୍ଡୁଲମ ପରି ଏ ପାଖରୁ ସେପାଖ ଓ ପୁଣି ସେ ପାଖରୁ ଏ ପାଖ ଘୂରି ବୁଲିଥିବା ପରି ଜଣା ପଡ଼େ । ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବ ହେଉଥିବା କୋଟ୍‍ ଫେସନ ପାଇଁ ଛୋଟ ହୋଇ ହୋଇ ଶେଷରେ ଉଏଷ୍ଟ କୋଟ୍‍ ପରି ଅଣ୍ଟାକୁ ଛୁଇଁଲା ପରେ ପୁଣି ଆଣ୍ଠୁ ଆଡ଼କୁ ଗତି କରେ । ବ୍ଲାଉସ୍‌ ସବୁ ଛୋଟ ହୋଇ ହୋଇ ସରିଗଲା ଅବସ୍ଥାକୁ ଆସିଲା ପରେ ପୁଣି ବଢ଼ିବାକୁ ଆରମ୍ଭ କରେ ଓ ଲମ୍ବରୁ ଲମ୍ବତର ହୋଇ କହୁଣୀକି ଡେଇଁଯାଏ । ଯେଉଁ ୧୨ ଇଞ୍ଚିଆ ଡ୍ରେନ୍‌ ପାଇପ୍‌ ବାଲେ ଆମ ୧୮ ଇଞ୍ଚିଆଙ୍କୁ ‘ପାଇଜାମା’ ବୋଲି ଥଟ୍ଟା କରୁଥିଲେ ସେମାନେ ଆଉ କେତେଦିନ ଗଲେ ଶେଯ ଖୋଳ ପିନ୍ଧ ବାହାରିବେ ବୋଲି ମନେ ହୁଏ । ଦିନ ଆସିବ ଆମ ଆଈ ବୁଢ଼ୀଙ୍କ ଢୋଲିଆ ଖୋସା, ଝରାଦିଆ ରୂପା ଫୁଲ, ନଥ ଓ ଗୁଣା ସିନେମା ଜଗତରେ ନୂଆ ରୂପ ନେଇ ଦେଖା ଦେବ ।

 

ଏଥିରୁ କିନ୍ତୁ ଗୋଟିଏ ନୂତନ ଆଲୋକର ସନ୍ଧାନ ମିଳେ–ନୂଆ ଆଶା ଜାଗି ଉଠେ । ମନେ ହୁଏ ଯେ ଆମର ସେ ଦିନ ପୁଣି ଫେରି ଆସିବ । ସୃଷ୍ଟିର ନିୟମ ବୋଧହୁଏ ସେହିପରି । ଶଗଡ଼ ଚକରେ ଲାଖି ରହିଥିବା କୌଣସି ଜିନିଷ ଯେପରି ଚକ ଗଡ଼ି ଚାଲିଲାବେଳେ ଥରେ ଉପର ଓ ଥରେ ତଳ ହେଉଥାଏ–ଗୋଟିଏ ଧରାବନ୍ଧା ନିୟମ ଅନୁଯାୟୀ–ଶୀର୍ଷତମ ସ୍ଥାନକୁ ଉଠି ସାରିଲା ପରେ ତଳକୁ ଖସିବାକୁ ଆରମ୍ଭ କରେ ଓ ନିମ୍ନତମ ସ୍ଥାନରେ ପହଞ୍ଚିଲା ପରେ ପୁଣି ଉପରକୁ ଉଠେ, ସବୁ ଠିକ୍‌ ସେହିପରି ପ୍ରତ୍ୟେକ ଗତିଶୀଳ ବସ୍ତୁର ଗତିରେ ନିଶ୍ଚିତ ଭାବେ ଗୋଟିଏ ସୀମା ଥାଏ । ଆଗେଇ ଯାଇ ସେଇଠି ପହଞ୍ଚିଲା କ୍ଷଣି ପୁଣି ସେ ଫେରେ–ଯୁକ୍ତରୁ ବିଯୁକ୍ତ ଦିଗକୁ, ଯୁକ୍ତ ପାଖର ଶେଷ ସୀମା ଠାରୁ ବିଯୁକ୍ତ ପାଖର ଶେଷ ସୀମା ପର୍ଯ୍ୟନ୍ତ । ପୁଣି ବିଯୁକ୍ତରୁ ଯୁକ୍ତକୁ ଗତି ଆରମ୍ଭ ହୁଏ–ଆଗକାଳର ଶଗଡ଼ ଚକ କିମ୍ୱା ଆଜିକାଲିର ପେଣ୍ଡୁଲମ୍‍ର ନ୍ୟାୟରେ । ପୁରୁଣା ଓ ନୂଆ ଓ ପୁରୁଣା ଭିତରେ କେବଳ ଏତିକି ପାର୍ଥକ୍ୟ–ସମୟ ହିଁ ବୋଧହୁଏ ବ୍ୟବଧାନ ।

 

ଦିନ ଆସିଛି ଯେତେବେଳେ ଆଉ ବୟସ ଓ ସ୍ଥାନର ମୂଲ୍ୟବୋଧ ନାହିଁ । ପୁଅ ଓ ବାପ, ଗୁରୁ ଓ ଶିଷ୍ୟ ଭିତରେ ପାର୍ଥକ୍ୟ ଉଠିଯାଇଛି ସମୟର ଚକ ଗଡ଼ି ଚାଲିଲା ପରେ ପୁଣି ଦିନ ଆସିବ ପୁଅ ବାପକୁ ପୂର୍ବର ସମ୍ମାନ ଦେବ ଓ ଶିଷ୍ୟ ଗୁରୁଙ୍କ ଆଶୀର୍ବାଦ ଭିକ୍ଷା କରିବ । ସମୟ ଓ କାଳର ଅର୍ଥ ସମାନ ହୋଇଥିଲେ ହେଁ ଗୋଟାଏ ଅନ୍ୟଟିର କ୍ରାନ୍ତିକାରୀ ରୂପ । ସମୟ ଆଜି କାଳ ରୂପରେ ଦେଖା ଦେଇଛି । କାଳ ପୁଣି ସମୟରେ ପରିଣତ ହେବ ।

Image

 

ଭୁଲ

 

ମଣିଷ ବେଳେ ବେଳେ ଭୁଲ କରେ, ଆଉ ଏମିତି ଭୁଲ କରେ ବୋଲି ହିଁ ସେ ମଣିଷ ହୋଇ ରହେ । ପୁରାଣ ଓ ଇତିହାସରୁ ଜଣାଯାଏ ଯେ ମଣିଷ ଚିରଦିନ ହିଁ ମଝିରେ ମଝିରେ ଭୁଲ କରି ଆସିଛି ।

ସତ୍ୟଯୁଗର କଥା । ବିଶ୍ୱାମିତ୍ର କୁଆଡ଼େ ଭୁଲ କରିଥିଲେ ଓ ସେ ଭୁଲରୁ ଜନ୍ମ ନେଇଥିଲେ ଶକୁନ୍ତଳା । ତା’ପରେ ତ୍ରେତୟା–ରାମାୟଣ ଯୁଗ ପ୍ରଜାବତ୍ସଳତାର ନିଦର୍ଶନ ସ୍ୱରୂପ ଓ ଜନମତର ଖାତିରରେ କରାଯାଇଥିଲେ ମଧ୍ୟ ସୀତାଙ୍କ ବନବାସ ଗୋଟାଏ ଭୁଲ ପରି ହିଁ ମନେହୁଏ-। ଦ୍ୱାପର ତଥା ମହାଭାରତ ଯୁଗ । ଧର୍ମର ପ୍ରତୀକ ଯୁଧିଷ୍ଠିର ମଧ୍ୟ ଶକୁନି ସଙ୍ଗରେ ପଶାଖେଳି ନିଜ ରାଜ୍ୟ ସଙ୍ଗରେ ଦ୍ରୌପଦୀଙ୍କୁ ହରାଇଥିଲେ । ଆଉ ଆଜିର ଏ କଳିଯୁଗ କଥା ତ’ ଛାଡ଼ ! ଗାନ୍ଧୀଜୀଙ୍କ ପରି ମହାତ୍ମା ମଧ୍ୟ ଭାରତୀୟମାନଙ୍କ ସତ୍ୟ ଓ ଅହିଂସାରେ ବିଶ୍ୱାସ ରଖି ୧୯୨୧-୨୨ ରେ ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହ ପାଇଁ ଡାକରା ଦେଇଥିବାରୁ ଗୋଟାଏ ମସ୍ତବଡ଼ ଭୁଲ କଲେ ବୋଲି କହିଲେ ଏବଂ ତା’କୁ ସେ ‘ହିମାଲୟାନ୍‌ ବ୍ଲଣ୍ଡର’ ବୋଲି ବର୍ଣ୍ଣନା କରିଥିଲେ । କଥାରେ ଅଛି ଯେ ମୁନିମାନଙ୍କର ମଧ୍ୟ ମତିଭ୍ରମ ହୁଏ ଓ ଋଷିମାନେ ବେଳେ ବେଳେ ଆର୍ଷ ପ୍ରୟୋଗ କରନ୍ତି । ପୁରାଣ ଅନୁସାରେ ଦେବଦେବ ମହାଦେବ ମଧ୍ୟ ଭୁଲରେ ତାଙ୍କ ପୁଅ ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ ଓ ଭୁଲ ଜାଣିସାରିଲା ପରେ ଗୋଟିଏ ହାତୀ ମୁଣ୍ଡ ଆଣି ଯୋଡ଼ି ଦେଲେ ।

ଏ ସବୁ ଭୁଲର ବର୍ଣ୍ଣନା କେବଳ ଯେ ହିନ୍ଦୁମାନଙ୍କର ପୁରାଣ ଓ ଇତିହାସରେ ଦେଖିବାକୁ ମିଳେ ତାହା ନୁହେଁ, ବାଇବେଲ୍‌ରେ ଆଦମ୍‌ ଓ ଇଭ୍‌ଙ୍କ ଚରିତ୍ର ବୃତ୍ତାନ୍ତ ମଧ୍ୟ ଠିକ୍‌ ସେଇ ଧରଣର ।

ଆଦମ ଓ ଇଭ୍‍ଙ୍କୁ ଇଡେନ ଉପବନରେ ଛାଡ଼ିଦେଲାବେଳେ ସ୍ୱୟଂ ପରମେଶ୍ୱର କୁଆଡ଼େ ସେ ଦୁହିଁଙ୍କୁ ବଗିଚାର ଗୋଟାଏ ସୁନ୍ଦର ଫଳ ଭୁଲରେ ମଧ୍ୟ ନ ଖାଇବାକୁ ସତର୍କ କରିଦେଇ ଯାଇଥିଲେ । ଶଇତାନ କିନ୍ତୁ ସବୁବେଳେ କାନେ କାନେ ଇଭ୍‍ଙ୍କୁ ସେହି ରସଭରା ଜ୍ଞାନଫଳ ଚାଖିବାକୁ ପ୍ରବର୍ତ୍ତାଇ ଶେଷରେ ସଫଳ କାମ ହୋଇଥିଲା । ପରିମାଣରେ ଇଭ୍‍ର କ୍ରମାଗତ ପ୍ରରୋଚନା ଯୋଗୁଁ ଆଦମ ମଧ୍ୟ ଫଳ ଖାଇବାକୁ ରାଜି ହେଲେ । ତା’ ପରେ କେମିତି ଲଜ୍ଜାର ଆବିର୍ଭାବ ହେଲା, କାମନା ଜନ୍ମ ନେଲା ଓ ଅବିନାଶୀ ପ୍ରକୃତି ମଧ୍ୟରେ ନାଶଶୀଳ ଜରାକ୍ଲିଷ୍ଟ ମନୁଷ୍ୟ ମୁଣ୍ଡ ଟେକି ଉଠିଲା, ତା’ର ସୁନ୍ଦର ବର୍ଣ୍ଣନା ସମସ୍ତଙ୍କୁ ଜଣା ।

ଦେବତାମାନେ କୁଆଡ଼େ ଭୁଲ କରନ୍ତିନି ! କିନ୍ତୁ ଭୁଲ ନ କରି କ’ଣ ଯେ ସେମାନେ ଅଧିକ ପାଆନ୍ତି ତାହା ଅବଶ୍ୟ ଭଲ କରି ବୁଝିହୁଏନି ସବୁଦିନ ସକାଳ, ସଞ୍ଜ, ସେହି ଅମୃତ ପିଇ, ସବୁବେଳେ ସେ ରମ୍ଭା, ମେନକା, ଉର୍ବଶୀଙ୍କ ନାଚ ଦେଖି ଦେଖି ନିଶ୍ଚୟ ଆମ କଲେଜ ପିଲାଙ୍କ ଭାଷାରେ ‘ବୋର୍‌’ ହୋଇ ଯାଉଥିବେ ଟିକିଏ ଦୁଃଖ କଷ୍ଟ ନ ସହିଲେ, ଭୋକ ଉପାସରେ ଦିନେ ଅଧେ ନ ରହିଲେ ଶିକ୍ଷକଙ୍କ ଗାଳି କିଛି ନ ଶୁଣିଲେ, ବୁଢ଼ା ଟୋକା ଭେଦଭାବ କିଛି ନ ଥିଲେ ଜୀବନ ଦୁର୍ବିସହ ହେବା କଥା ସେଥିପାଇଁ ବୋଧହୁଏ ଦେବତାମାନେ ମଧ୍ୟ ମଝିରେ ମଝିରେ ଗୋଟିଏ ଅଧେ ଭୁଲ କରି ଦିଅନ୍ତି ଆଉ ଭୁଲ କଲା ସାଙ୍ଗେ ସାଙ୍ଗେ ସ୍ୱର୍ଗରୁ ପୃଥିବୀକୁ ଟପ୍‌-ଟାପ୍‌ ଖସି ପଡ଼ନ୍ତି ବର୍ଷା କିମ୍ବା କୁଆପଥର ପରି ଏବଂ ଏମିତି ‘ଅଭିଶପ୍ତ’ ଜଣେ ଅଧେ କୁଆଡ଼େ ତାଙ୍କ ପ୍ରିୟାଙ୍କ ପାଖକୁ କ’ଣ ସବୁ ଚିଠି ଲେଖି କାହାକୁ ନ ପାଇଲେ ମେଘକୁ ଦୂତ କରି ପଠାନ୍ତି ।

କୁହାଯାଇଥାଏ ଯେ ରାକ୍ଷସମାନେ ଭୁଲ ପରେ ଭୁଲ କରି ଚାଲିଥାଆନ୍ତି । ସେମାନଙ୍କୁ ଯଦି ଏ ବିଷୟରେ କିଛି ପଚରା ପାଆନ୍ତା, ସେମାନେ ନିଶ୍ଚୟ ଏଥିର ପ୍ରତିବାଦ କରି କହନ୍ତେ ଯେ ଏ ସବୁ କେବଳ ଦେବତାମାନଙ୍କ ପ୍ରୋପାଗଣ୍ଡା, ଅପପ୍ରଚାର, ଚକ୍ରାନ୍ତ । ସେମାନେ ବୋଧହୁଏ ଓଲଟା ଅଭିଯୋଗ କରନ୍ତେ ଯେ ପ୍ରକୃତରେ ଦେବତାମାନେ ହିଁ ଥରକୁ ଥର ନିଃସଙ୍କୋଚରେ ଓ ନିର୍ଭୟରେ ଭୁଲ କରି ଯାଆନ୍ତି । ମହାଦାନୀ ବଳିକୁ କୌଶଳରେ ପାତାଳକୁ ଠେଲିବାଠାରୁ ଆରମ୍ଭ କରି ଦେବତା ଓ ଅସୁରମାନଙ୍କର ମିଳିତ ଉଦ୍ୟମରେ ସମୁଦ୍ର ମନ୍ଥନ କରି ତହିଁରୁ ବାହାରିଥିବା ହାତୀ ଘୋଡ଼ାଠାରୁ ଅମୃତ ପର୍ଯ୍ୟନ୍ତ ସବୁ ଦେବତାମାନେ କିପରି ଚକ୍ରାନ୍ତ କରି ନେଇଗଲେ ତହିଁର ଉଦାହରଣ ଦିଅନ୍ତେ ।

ଏ ସବୁଥିରୁ ମନେ ହୁଏ ଯେ କେବଳ ମଣିଷ ନୁହେଁ, ଦେବତା ଓ ଅସୁର ସମସ୍ତେ ଭୁଲ କରନ୍ତି । ତେଣୁ ଖାଲି ଭୁଲ କରିବାଟା ଯେ ଘୃଣ୍ୟ, ସେପରି ବିବେଚନା କରିବା ଉଚିତ ହେବ ନାହିଁ-। ଜାଣି ଶୁଣି ଭୁଲ କରିବା, ଭୁଲକରି ଭୁଲ ସ୍ୱୀକାର ନ କରିବା ଅଥବା ଭୁଲ କରିସାରିଲା ପରେ ସେଥିପାଇଁ ନିର୍ଦ୍ଦିଷ୍ଟ ଫଳ ଭୋଗ କରିବାରେ କୁଣ୍ଠାବୋଧ କରିବା କିନ୍ତୁ ନିନ୍ଦନୀୟ ।

ଭୁଲ କ’ଣ ଓ ତାହାର ନିଦାନ କିପରି କରାଯିବ, ସେ ସମ୍ୱନ୍ଧରେ ଏଠାରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ।

ଆମ ଭାରତରେ ରାସ୍ତାର ବା ପାଖରେ ଗାଡ଼ି ଚଳାଇବା ଠିକ୍‌ ବୋଲି ଧରା ଗଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାହାଣ ପାଖରେ ଗାଡ଼ି ଚଳାଇବା ଠିକ୍‌ ବୋଲି ଧରାଯାଏ-। ତେଣୁ ନଈ ଦେଶ ଦେଶକୁ ବାଙ୍କ ପରି ଭୁଲର ସଂଜ୍ଞା ମଧ୍ୟ ଭିନ୍ନ ଭିନ୍ନ ଥିବାର ଦେଖାଯାଏ-

ଭୁଲ କିମ୍ୱା ଭଲ ଏହି ଧାରଣା ତେଣୁ ଗୋଟାଏ ଦୃଷ୍ଟିକୋଣ ବୋଲି ମନେ ହୁଏ । ପ୍ରତ୍ୟେକ ଦେଶର ଓ ପ୍ରତ୍ୟେକ ଜାତିର ଭୁଲ ଓ ଭଲ ସମ୍ୱନ୍ଧରେ ନିଜ ନିଜ ସଂଜ୍ଞା ତଥା ନିୟମକାନୁନ ରହିଥାଏ ।

ଆଗେ ଆମ ଦେଶରେ ଏହି ଭୁଲ ଓ ଭଲ ବିଷୟରେ ସମାଜ ହିଁ ମୁଖ୍ୟତଃ ମାନ ନିରୂପଣ କରୁଥିଲା । ସେହି ମାନ ଅନୁସାରେ ବ୍ରାହ୍ମଣ, କ୍ଷତ୍ରିୟ ପ୍ରଭୃତି ବର୍ଣ୍ଣ ବିଭାଗ ଅନୁଯାୟୀ ସମସ୍ତଙ୍କ ରୀତି ନିୟମର ରୂପ ରେଖ ସ୍ଥିର କରାଯାଉଥିଲା । ସମାଜରେ ପୁରୁଷ ଓ ସ୍ତ୍ରୀର ସ୍ଥାନଠାରୁ ଆରମ୍ଭ କରି ବାପା, ମା, ପୁଅ, ଝିଅ, ଗୁରୁ, ଶିଷ୍ୟ, ରାଜା, ପ୍ରଜା ସମସ୍ତଙ୍କର ସ୍ଥାନ ନିରୂପିତ ହେଉଥିଲା ଓ ସେମାନଙ୍କ ଯଥାଯଥ କର୍ତ୍ତବ୍ୟର ନିର୍ଦ୍ଦେଶ ଦିଆଯାଉଥିଲା ସେ ନିର୍ଦ୍ଦେଶନାମା ହିଁ ଥିଲା ମାପକାଠି । ଏହି ମାପକାଠି କର୍ତ୍ତବ୍ୟ ବିଚ୍ୟୁତି, ଭୁଲର ପରିମାଣ ଓ ସେଥିପାଇଁ ଦଣ୍ଡବିଧାନ ଇଙ୍ଗିତ କରୁଥିଲା । ସମାଜ ଗୋଟିଏ ସ୍ୱୟଂଚାଳିତ ସଂସ୍ଥା ପରି କାମ କରୁଥିଲା ।

ସମୟର ଗତି ଅନୁସାରେ ସମାଜର ଏହି ଭୂମିକା ଏବେ ପୂରାପରି ବଦଳି ଯାଇଛି । ବ୍ରାହ୍ମଣ ସମାଜ, କ୍ଷତ୍ରୀୟ ସମାଜ କିମ୍ବା ହିନ୍ଦୁ ସମାଜ, ମୁସଲମାନ ସମାଜ ପରି ସମାଜ ବିଭାଗ ଧୀରେ ଧୀରେ ଉଠିଯାଇ କେବଳ ଗୋଟିଏ ସମାଜ ଦେଖା ଦେଇଛି–ଭାରତୀୟ ସମାଜ । ଏହି ସମାଜରେ ପ୍ରତ୍ୟେକ ପ୍ରତ୍ୟେକଙ୍କ ସଙ୍ଗେ ସମାନ–ସମସ୍ତଙ୍କର ସମାନ ଅଧିକାର ।

ଦୁଃଖର କଥା–ଏ ନୂତନ ସମାଜର କର୍ମକର୍ତ୍ତାମାନେ ନାଗରିକମାନଙ୍କର ଅଧିକାର ବିଶଦ ଭାବରେ ଦର୍ଶାଇ ଦେଇଥିଲେ ମଧ୍ୟ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ନିର୍ଦ୍ଧାରଣ କରିଦେଇ ପାରି ନାହାନ୍ତି । ଫଳରେ ଭୁଲ ଓ ଭଲର ମାପକାଠି ଆଜି ହଜିଯାଇଛି ଓ ଯିଏ ଯାହା କରିପାରିଲା ତାହା କରି ଯାଉଛନ୍ତି ଏବଂ ଦରକାରବେଳେ ଅନ୍ୟ କୌଣସି ଦେଶର ମାପକାଠି ଆଡ଼ିକି ଆଙ୍ଗୁଠି ଦେଖାଇ ଦେଉଛନ୍ତି । ନିଜର ଯେ କିଛି ଭୁଲ ହୋଇପାରେ ତାହା କେହି କଳ୍ପନା ହିଁ କରି ପାରୁନାହାନ୍ତି । କିନ୍ତୁ ସମସ୍ତେ ଅନ୍ୟର ଭୁଲ ବାଛିବାକୁ ସବୁବେଳେ ଆଗଭର ହୋଇ ଯାଉଛନ୍ତି । ଏ ରୋଗ ବାପ ମା’, ପୁଅ ଝିଅ, ଶିକ୍ଷକ ଛାତ୍ର ସମସ୍ତଙ୍କୁ ଗ୍ରାସ କରିଛି । ଫଳରେ ପ୍ରତ୍ୟେକ ଭାବୁଛନ୍ତି ଯେ ସେମାନେ ଜଣେ ଜଣେ ଦେବତା ଓ ଅନ୍ୟମାନେ ସମସ୍ତେ ଅସୁର ।

ଆମ ଦେଶର ସାଧାରଣ ପ୍ରଥା ଅନୁସାରେ ଦେବତାମାନଙ୍କୁ ମନ୍ଦିର ଭିତରେ ଭର୍ତ୍ତି କରି ଦେଇ ଟିକିଏ ଗୁଡ଼, କାଣିଚାଏ ଦୁଧସର ଆଉ କଦଳୀରୁ ଆଙ୍ଗୁଳିଏ ଭୋଗ ଲଗାଇ ଦିଆହୁଏ । ଧୂପ ନାଁ’ରେ ଟିକିଏ ଧୂଆଁ ଆଉ ଦୀପ ନାଁ’ରେ ଟୋପାଏ ଘିଅର ସଳିତା ଜଳାଇ ଦେଇ ଗୋଟାଏ ଦି’ଟା ଥାପୁଡ଼ି ସହ ଘଣ୍ଟି ହଲାଇ ଦିଆ ହୁଏ ଓ ଶେଷରେ କବାଟ କିଳି ଦିଆଯାଏ । ଦେବତା ମନ୍ଦିର ଭିତରେ ପଥର ପାଲଟି ଯାଆନ୍ତି ଏବଂ ତାଙ୍କର ପାଟି ଫିଟାଇବାକୁ ବି ଜୁ’ ନ ଥାଏ

ବାପା ମା’ ଓ ଶିକ୍ଷକମାନେ ଯଦି ନିଜ ନିଜ ଭୁଲ ସ୍ୱୀକାର କରି ବେଳରୁ ହୁସିଆର ନ ହୁଅନ୍ତି ତେବେ ସେମାନେ ମଧ୍ୟ ଏପରି ଦେବତାମାନଙ୍କ ଦଶା ଭୋଗ କରିବାର ସମ୍ଭାବନା ରହିଛି ।

Image

 

ଶାନ୍ତିପୂର୍ଣ୍ଣ ଆରେ ପଲ୍ଲୀଗ୍ରାମ

 

ଓଡ଼ିଆ ଲଘୁ କାବ୍ୟର ଯୁଗସ୍ରଷ୍ଟା ‘ଡାମରା କାଉରେ ଡାମରା କାଉ’ ଉଞ୍ଚ ପରବତେ ବୋବାଉ ଥାଉ’ ‘ଚଟିଆ ମୂଷାରେ ଚୂଟେଇ ମୂଷି, ଧାନଅମାରକ ଖାଉଥା ବସି’ ର ଗାୟକ ପଲ୍ଲୀ କବି ନନ୍ଦକିଶୋର ପଲ୍ଲୀ ଅଞ୍ଚଳର ଗୋଟିଏ ସରଳ ସୁନ୍ଦର ଓ ନିଖୁଣ ଚିତ୍ର ଦେବାକୁ ଯାଇ ଗାଇଥିଲେ,

 

‘ଶାନ୍ତିପୂର୍ଣ୍ଣ ଆରେ ପଲ୍ଲୀଗ୍ରାମ

ମଧୁରିମା ମୟ ତୋର ନାମ ।’

 

ନନ୍ଦ କିଶୋରଙ୍କ ପରି ଅନେକ ମହାନ୍‌ କବି ଓ ଭାବୁକ ଯୁଗ ଯୁଗ ଧରି ପଲ୍ଲୀଗ୍ରାମର ଅନାବିଳ ଶାଶ୍ୱତ ସୌନ୍ଦର୍ଯ୍ୟରେ ବିମୋହିତ ଓ ଆତ୍ମହରା ହୋଇ ଯାଇଛନ୍ତି ।

 

ଗାଁ’ର ଠିକ କ’ଣ ସବୁ ଯେ ମଣିଷ ମନକୁ ଏପରି ସ୍ପର୍ଶ କରେ ସେ ସବୁକୁ ସିଧାସଳଖ ଆଙ୍ଗୁଠି ଦେଖାଇ ଚିହ୍ନାଇ ଦେବା ସହଜ ନୁହେଁ । ଡାମରା କାଉ ଓ ଚୁଟିଆ ମୂଷା ପରି ବର୍ଷା ଦିନିଆ ବେଙ୍ଗ, ନିରୋଳା ରାତିର ଝିଙ୍କାରି, ନିଶା ଗର୍ଜୁଥିଲା ବେଳର ପେଚା ଓ ଭେରେଣ୍ଡା, ଦିନ ଦିପହରିଆ କୁମ୍ଭାଟୁଆ, କାପ୍ତା, ଗାଁ ପୋଖରୀ, ଆମ୍ବ ତୋଟା ଗାଈଜଗାଳୀଠାରୁ ପଲ୍ଲୀ ବଧୂ ପର୍ଯ୍ୟନ୍ତ ଗାଁର ଅନେକ ଜୀବନ୍ତ ଓ ପ୍ରାଣହୀନ ନାୟକ ନାୟିକା ଗ୍ରାମୀୟ ଜୀବନରେ ନିଜ ନିଜ ପ୍ରଭାବ ପକାଇ ଯାଆନ୍ତି ସେ ସମସ୍ତଙ୍କ ଅଭିନୟ ମଧ୍ୟରେ ସରଳ, ନିରଳସ, ନିରାଡ଼ମ୍ବର କର୍ମମୟ ଜୀବନ ନେଇ ମୁଖ୍ୟ ଭୂମିକାରେ ଦେଖା ଦିଏ କୃଷକ ।

 

ଭାରତ ଯେ ଆଜି କେବଳ କିଷାନ୍‌ର ଜୟଗାନ କରୁଛି ତା’ ନୁହେଁ–ଭାରତୀୟ ସଂସ୍କୃତିରେ କୃଷକ ଚିର ଦିନ ନମସ୍ୟ ହୋଇ ଆସିଛି ।

 

ଏ ସମ୍ବନ୍ଧରେ ଗୋଟିଏ ପୁରୁଣା ଜଣାଶୁଣା କାହାଣୀ ମନେପଡ଼େ

 

ଭାରତୀୟ ସାଂସ୍କୃତିକ ରଙ୍ଗମଞ୍ଚର ସର୍ବଶ୍ରେଷ୍ଠ ଲୋକପ୍ରିୟ ଅଧିନାୟକ କଳିଗୋଳ ଭିଆଣ ବିଶାରଦ ଦେବର୍ଷି ନାରଦ ଦିନେ ତାଙ୍କର ଢିଙ୍କି ଉପରେ ଚଢ଼ି ବୀଣା ବଜେଇ ବଜେଇ ବୈକୁଣ୍ଠରେ ବିଷ୍ଣୁଙ୍କ ପାଖରେ ପହଞ୍ଚିଗଲେ ବିଷ୍ଣୁ ଓ ନାରଦଙ୍କ ମଧ୍ୟରେ ଯଥାରୀତି ସୃଷ୍ଟି ସମ୍ବନ୍ଧୀୟ ଅନେକ କଥାବାର୍ତ୍ତା ହେଲା । ସର୍ବଜ୍ଞ ହୋଇ ମଧ୍ୟ ଭଗବାନ ନାରଦଙ୍କ ମାନରକ୍ଷା ପାଇଁ ତାଙ୍କଠାରୁ ପୃଥିବୀର ଭଲ ମନ୍ଦ ସବୁ ପଚାରି ବୁଝି ନେଲେ । ନାରଦ ସେ ସବୁ କହି ସାରିଲା ପରେ ଭଗବାନଙ୍କୁ ପ୍ରଶ୍ନ କଲେ ତାଙ୍କର ଶ୍ରେଷ୍ଠ ଭକ୍ତ କିଏ ?

 

ଭକ୍ତି ଯୋଗ ଓ ନାମ କୀର୍ତ୍ତନର ପ୍ରବର୍ତ୍ତକ ତଥା ପ୍ରଚାରକ ନାରଦ ବୋଧହୁଏ ମନେ କରୁଥିଲେ ଯେ ଭଗବାନ ତାଙ୍କୁ ହିଁ ଇଙ୍ଗିତ ଦେବେ । ଭଗବାନ କିନ୍ତୁ କୌଣସି ଗୋଟିଏ ଗାଁ’ର ଜଣେ କୃଷକର ନାମ ଧରି ତାଙ୍କୁ ତାଙ୍କର ଶ୍ରେଷ୍ଠ ଭକ୍ତ ବୋଲି ସଚାଇ ଦେଲେ । ନାରଦ ଆଶ୍ଚର୍ଯ୍ୟ ହେଲେ । ତାଙ୍କ ମନରେ ଅଭିମାନ ମଧ୍ୟ ଜାତ ହେଲା । ବିଷ୍ଣୁଙ୍କ ପାଖରୁ ବିଦାୟ ନେଇ ସେ ସିଧାସଳଖ ସେହି କୃଷକ ପାଖକୁ ଚାଲିଲେ–ଦେଖିବେ ସେ କ’ଣ କରି ତାଙ୍କ ଠାରୁ ବଡ଼ ଭକ୍ତ ପାଲଟିଛି ।

 

ଅଲକ୍ଷ୍ୟରେ ରହି ନାରଦ ଚାଷୀର ରଙ୍ଗ, ଢଙ୍ଗ, ରୀତି ନୀତି ସବୁ ଦେଖିବାକୁ ଲାଗିଲେ । ଚାଷୀ ତା’ର ଚାଷ କାମରେ ସବୁବେଳେ ବ୍ୟସ୍ତ ଥାଏ । କେତେବେଳେ ହଳ ଧରୁଥାଏ ତ କେତେବେଳେ ମାଟି ହାଣୁଥାଏ, କେବେ ଢେଲା ଭାଙ୍ଗେ ତ କେତେବେଳେ ଖତ ବୋହି ନେଇ କ୍ଷେତରେ ଦିଏ–ବଳଦଙ୍କ ଯତ୍ନ ନିଏ–ଗଛ ବାଉଁଶ ଆଣି ଘର ମରାମତି କରେ, କେତେ କ’ଣ ଗୀତ ଗାଏ । ସମୟ ପାଇଲେ ପିକା ଫୁଙ୍କେ, ସାଥି ଚାଷୀଙ୍କ ସାଙ୍ଗରେ ମଉଜିଆ ଖୁସି ଗପ କରେ ଆଉ ଲୁଣ ଲଙ୍କା ପିଆଜ ଧରି କଂସା ଭର୍ତ୍ତି ପଖାଳ ଠୁଙ୍କେ–ଟାହିଟାପରା ମଧ୍ୟ କରେ ।

 

ନାରଦ ଦେଖିଲେ ଯେ ଚାଷୀଟି କେବଳ ଶୋଇଲାବେଳେ ଥରେ ଭଗବାନଙ୍କ ନାମ ନେଉଛି ଓ ଭୋର ଖଟରୁ ଉଠିଲାବେଳେ ଥରେ ସେହି ଭଗବାନଙ୍କ ଉଦ୍ଦେଶ୍ୟରେ ନମସ୍କାର କରୁଛି-। ଦିନରାତି ଭିତରେ ବାସ୍‌ ସେତିକି ।

 

ପ୍ରତ୍ୟେକ ମୁହୂର୍ତ୍ତରେ ନାରାୟଣ ଭଜୁଥିବା ନାରଦ ଏ ଚାଷୀ ଠାରୁ କେଉଁ ଗୁଣରେ ହୀନ ସେ ସମ୍ବନ୍ଧରେ ତାଙ୍କ ମନରେ ସନ୍ଦେହ ହେଲା । ଭଗବାନ ତେବେ କ’ଣ ଠିକ୍‌ ଖବର ରଖି ପାରି ନାହାନ୍ତି ? ନାରଦଙ୍କ ବିରୁଦ୍ଧରେ କିଛି ଅପପ୍ରଚାର ଚାଲିନାହିଁ ତ ? ଅସୁରମାନଙ୍କୁ ଦେବତାମାନଙ୍କ ଚକ୍ରାନ୍ତ କଥା ମଝିରେ ମଝିରେ କହି ଦେଉଥିବାରୁ ଦେବତାମାନେ କିଛି ଷଡ଼ଯନ୍ତ୍ର କରି ନାହାନ୍ତି ତ-?

 

ନାରଦ ପୁଣି ଥରେ ବୈକୁଣ୍ଠଧାମ ଚାଲିଲେ । ତାଙ୍କ ପାଇଁ ସବୁବେଳେ ବୈକୁଣ୍ଠର ବଡ଼ ଦରଜା ଖୋଲା । ଲକ୍ଷେ ଭାର ଗଦା ଧରି ଜୟ ବିଜୟ ଦେଖିଲା କ୍ଷଣି ଆଡ଼େଇ ଯାଆନ୍ତି । ନାରଦ ସିଧାସଳଖ ଭଗବାନଙ୍କ ପାଖକୁ ଯାଇ କୃଷକର ରଙ୍ଗ ଢଙ୍ଗ ସବୁ ବର୍ଣ୍ଣନା କରି ସର୍ବଶ୍ରେଷ୍ଠ ଭକ୍ତ କିଏ ସେ ବିଷୟରେ ପୁନର୍ବିଚାର ପାଇଁ ଅନୁରୋଧ କଲେ ।

 

ଏ ସମ୍ୱନ୍ଧରେ ଆଲୋଚନା କରିବା ପାଇଁ ଭଗବାନ ରାଜି ହେଲେ । କିନ୍ତୁ ତା’ ପୂର୍ବରୁ ଗୋଟାଏ ଛୋଟ କାମ କରିବାକୁ ସେ ନାରଦଙ୍କୁ ନିର୍ଦ୍ଦେଶ ଦେଲେ । ଆଦେଶ ହେଲା ଯେ ନାରଦ ଗୋଟିଏ ତେଲରେ ଭରପୂର ତେଲ ସରା ମୁଣ୍ଡରେ ଥୋଇ ବୈକୁଣ୍ଠର ଚାରିଆଡ଼େ ଘେରାଏ ବୁଲି ଆସିବେ–ବୁନ୍ଦିଏ ତେଲ ବି ଯେମିତି ସରାରୁ ଉଛୁଳି ନାରଦଙ୍କ ମୁଣ୍ଡରେ ନ ପଡ଼େ ।

 

ସାମାନ୍ୟ କଥା । ଯଥା ସମୟରେ ତେଲ ସରା ମୁଣ୍ଡରେ ରଖି ନାରଦ ସହସ୍ରେ ଯୁଣ ଲମ୍ବ ଓସାର ବୈକୁଣ୍ଠ ପ୍ରଦକ୍ଷିଣରେ ବାହାରିଲେ । ଗୋଟିଏ ହାତ ମୁଣ୍ଡ ଉପରେ ତେଲ ସରାରେ ଥାଏ–ଅନ୍ୟ ହାତରେ ବୀଣା । ଟିକିଏ ଜୋରରେ ଚାଲିଲେ ମନେହୁଏ ଯେ ତେଲ ମୁଣ୍ଡରେ ଢାଳି ହୋଇଯିବ । କେଉଁଠି ପାହାଚ ଗୋଟିଏ ଚଢ଼ିଲେ, କେଉଁଠି ପାଦ ତଳକୁ ଖସିଗଲେ, ଆବରା ଖାବରା ରାସ୍ତାର କେଉଠିଁ ଝୁଣ୍ଟି ପଡ଼ିଲେ ମୁଣ୍ଡ ଉପରେ ତେଲ ଦୋହଲି ଉଠେ । ଅତି ସନ୍ତର୍ପଣରେ ନାରଦ ଆଗେଇ ଗଲେ ।

 

ଟିକିଏ ଡେରି ହେଲା ସତ–ନାରଦ ଶେଷରେ ବିଷ୍ଣୁଙ୍କ ପାଖକୁ ଫେରି ଆସିଲେ । କାର୍ଯ୍ୟର ସଫଳତା ଯୋଗୁ ମୁହଁ ତାଙ୍କର ଉଜ୍ଜ୍ୱଳ ଦିଶୁଥିଲା ।

 

ବିଷ୍ଣୁ ଏଥର ଗୋଟିଏ ଅଖାଡ଼ୁଆ ପ୍ରଶ୍ନ କଲେ । ପଚାରିଲେ–ତେଲ ସରା ଧରି ବୁଲିଲାବେଳେ ନାରଦ କେତେଥର ଭଗବାନଙ୍କ ନାମ ନେଇଛନ୍ତି ।

 

ନାରଦ ଆଶ୍ଚର୍ଯ୍ୟ ହେଲେ । ପ୍ରଶ୍ନଟି ନ୍ୟାୟ ସଙ୍ଗତ ବୋଲି ତାଙ୍କର ମନେ ହେଲାନି ସେ ଭିତରେ ତ ସେ ଭଗବାନଙ୍କ ନାମ ନେଇ ନାହାନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଯେତେବେଳେ ମୁଣ୍ଡରେ ତେଲ ଢାଳି ହୋଇଯିବାର ସମ୍ଭାବନା, ଯେ ତେଲ ଘଡ଼ି ଆଡ଼ିକି ମନ ନ ଦେଇ ଭଗବାନଙ୍କ ଆଡ଼ିକି ମନ ଦିଅନ୍ତେ କିପରି ! ଭଗବାନଙ୍କୁ ମନେ ପକେଇବେ କେମିତି ଯେ ଡାକିବେ-?

 

ଭଗବାନ ଏଥର ବୁଝାଇ ଦେଲେ ।

 

କୃଷକର ମୁଣ୍ଡରେ ତେଲ ସରା ଠାରୁ ଆହୁରି ବିଶାଳ ବୋଝ । ଏ ପାଖ ସେ ପାଖ ହେଲେ ସୃଷ୍ଟି ଦୋହଲି ଯିବ, ସାରା ସଂସାର ଭୋକ ଉପାସରେ ମରିବ । ସମସ୍ତଙ୍କୁ ଖୁଆଇ ପିଆଇ ସୁଖରେ ରଖିବା ପାଇଁ ସେ ନିତି ଦିନ ଲାଗି ପଡ଼ିଥାଏ । ଭଗବାନଙ୍କ ନାମ ନେବା ପାଇଁ ତା’କୁ ସମୟ ବି ମିଳେନି ଯେତେବେଳେ ଟିକିଏ ବିଶ୍ରାମ ପାଏ ଭଗବାନଙ୍କ ନାମ ନିଏ, ଆଉ ସଦାସର୍ବଦା ଭଗବାନଙ୍କ ନିର୍ଦ୍ଦେଶ ମତେ କାମ କରି ଚାଲିଛି ବୋଲି ଆନନ୍ଦ ମନରେ ଦିନ କାଟେ । ନାରଦ କଥାର ଉଦ୍ଦେଶ୍ୟ ବୁଝି ଯାଇଥିଲେ ।

 

ଏ କଥା ମନେ କରି ବୋଧହୁଏ ଭକ୍ତ କବି ମଧୁସୂଦନ ସେ ଦିନ ଗାଇଥିଲେ–

 

‘ଛାଡ଼ି ବନ୍ଧୁ ନଗର ଚହଳ

ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶ ସର୍ବଦା ଉଜ୍ଜ୍ୱଳ

 

ଆଜି ସମୟ ବଦଳି ଯାଇଛି, ଯାତାୟତର ସୁବିଧା ଯୋଗୁଁ ଗ୍ରାମାଞ୍ଚଳ ଊଣା ଅଧିକେ ସହର ତଳିରେ ପରିଣତ ହେଲାଣି । ଗ୍ରାମୀୟ ଜୀବନରେ ସରଳତା ପରିବର୍ତ୍ତେ ନାନା ରକମର କୁଟିଳତା ଓ ଜଟିଳତା ଦେଖା ଦେଇଛି । ଗୋବର, ଗେରୁ କିମ୍ବା ଛୁଇ ମାଟି ଲିପାରେ ଆଗ ଚକଚକ କରୁଥିବା ମାଟି କାନ୍ଥମାନଙ୍କରେ ଏବେ କେଉଁଠି ଭୋଟବାକ୍‌ସର ଚିତ୍ର ଦେଖାଦେଇଛି ତ କେଉଁଠି ଲେଖା ହୋଇଛି–‘ଦୁଇଟି ସନ୍ତାନ ଯଥେଷ୍ଟ’ ଖରାଦିନିଆ ଦି’ପହରବେଳେ ଘର ଭିତରେ ଗାଁ ବୁଢ଼ାବୁଢ଼ୀଙ୍କ ମେଳରେ ରାମାୟଣ ମହାଭାରତ ବୋଲା ହେବା ବଦଳରେ ସମସ୍ତେ ସଦାସର୍ବଦା କ୍ଲବ ଘର ଆଡ଼କୁ ମୁହାଁଇଲେଣି । ଜହ୍ନ ରାତିରେ ଗାଁ ଝିଅଙ୍କ ବୋରିଆ ନାଚ ଓ ହୁମ ଗୀତ, ପୁଅଙ୍କ ଡୁଡ଼ୁ ଖେଳ ଆଉ ନାହିଁ, ହଳଦୀ ମଖା ମୁହଁ ଓ ଝୁଣ୍ଟିଆ ପିନ୍ଧା ଅଳତା ବୋଳା ପାଦ ବଦଳରେ ଗାଁ ଦାଣ୍ଡରେ ଦେଖା ଦେଇଛି ସ୍ନୋ ପାଉଡ଼ର ଲେପା ମୁହଁ ଓ ‘ବେଲ୍‍ବଟ୍‌’ କାମିଜ, ଧୋତି ପିନ୍ଧା, ଗାମୁଛା ଓ ବେତ ଧରା ଗାଁ ଅବଧାନଙ୍କ ସ୍ଥାନ ପୂରଣ କରିଛନ୍ତି ନଳୀପେଣ୍ଟ ପିନ୍ଧା ଧର୍ମଘଟ ଚିନ୍ତାଗ୍ରସ୍ତ ଆଧୁନିକ ସ୍କୁଲ ଶିକ୍ଷକ । ଶଗଡ଼ ସ୍ଥାନରେ ଏଠି ସେଠି ଟ୍ରାକ୍ଟର ଓ ଜିପ୍‌ ଗାଡ଼ି ଉଙ୍କି ମାରିଛି ଆଉ ଗାଁ ପୋଖରୀରେ ବଡ଼ ଶେଉଳ ମାଛ ଛୋଟମାଛ ସବୁକୁ ଦୟା ଦେଖାଉଥିବା ରୀତିରେ କାହିଁ କେଉଁଠି ବଡ଼ ବଡ଼ କୃଷକ ସବୁ ଛୋଟ କୃଷକମାନଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ।

 

ତଥାପି ଗାଁର ଆକର୍ଷଣ ଏଡ଼ି ହୁଏନି । ଗାଁ କାହିଁକି ଯେ ଏତେ ଭଲ ଲାଗେ ସେ କଥା କହିବା ସହଜ ନୁହେଁ । ରବି ଶଙ୍କରଙ୍କ ସେତାର ବାଦନ ଶୁଣିଲା ପରେ ମଧ୍ୟ ଝରଣାର କୁଳୁକୁଳୁ ଧ୍ୱନି କାହିଁକି ଯେ ଭଲ ଲାଗେ, ଲତା ମଙ୍ଗେଶକରଙ୍କ ଗୀତ ଶୁଣି ସାରି କୋଇଲିର କୁହୁତାନ ଆଡ଼କୁ କାହିଁକି ଯେ ମନ ଯାଏ ସେ କଥା କିଏ କହିବ ? ସେପରି ଶୀତ ତାପ ନିୟନ୍ତ୍ରିତ ଅଥବା ଉଷା ଫେନ୍‌ ଖଞ୍ଜା କୋଠରୀ ଠାରୁ ଆମ୍ବ ତୋଟାର ଖୋଲା ପବନ ଆଉ ସହରର ରଙ୍ଗୀନ ଆଲୋକ ସଜ୍ଜାଟାରୁ ସେଇ ପୁରୁଣା ଚିରାଚରିତ ‘ବାଘନିଶ ହଲାନା’ ରଙ୍ଗ ଦିଆ ବୁଢ଼ା ଇନ୍ଦ୍ରଧନୁ କାହିଁକି ଯେ ଭଲଲାଗେ ସେ କଥା ମଧ୍ୟ କହିହୁଏନି ଏ କଥା କିନ୍ତୁ ସତ ଯେ ସହରରେ ଆର୍କେଷ୍ଟ୍ରାର ମେଲୋଡ଼ି ଯେତେ ଭଲ ହେଲେ ମଧ୍ୟ ଗ୍ରାମାଞ୍ଚଳର ‘ତୋର ପିତା ଥିଲା ଗୋବିନ୍ଦ ଚନ୍ଦ୍ରରେ....’ର କେନ୍ଦରା ମୂର୍ଚ୍ଛନାକୁ କେବେ ହଜାଇ ଦେଇପାରିବନି; ସୋଫାସେଟ୍‌ର କୋମଳତା ଖେତ ହୁଡ଼ାର କର୍କଶ ସ୍ୱାଚ୍ଛନ୍ଦ୍ୟକୁ ଦବାଇ ଦେଇପାରିବନି

 

କାହିଁକି ?

 

ଯେତେ ଥର ପ୍ରଶ୍ନ କଲେ ବି ମନ ବୁଝିଲା ଭଳି କୌଣସି ଉତ୍ତର ମିଳେନି

 

ମନେ ହୁଏ ଯେ ପଲ୍ଲୀ ଅଞ୍ଚଳର ପରିବେଷ୍ଟନୀ ମଧ୍ୟରେ ହିଁ ମଣିଷ ଅନ୍ତରର ସ୍ୱରୂପ ସଙ୍ଗରେ ଲୀଳାମୟ ପ୍ରକୃତିର ଛନ୍ଦମୟ ମିଳନ ସମ୍ଭବପର ହୁଏ ।

Image

 

ମଣିଷ ସମ୍ବନ୍ଧରେ ଏକ ପ୍ରବନ୍ଧ

 

ଜଟାଜୁଟଧାରୀ କେହି କେହି ଊର୍ଦ୍ଧ୍ୱମୂଳ ଓ ଶାଖାବିହୀନ କ୍ଷୁଦ୍ର ଅଶ୍ୱତ୍‌ଥ ତୁଲ୍ୟ ଦେଖାଯାଉଥିଲେ ହେଁ ସାଧାରଣତଃ କୌଣସି ସରୁ ଥୁଣ୍ଟାଗଛ ଉପରେ ଭଙ୍ଗା ହାଣ୍ଡିଟିଏ ଥୁଆ ହୋଇଥିଲେ ସେ ଯେପରି ଦିଶେ, ସେପରି ଦିଶୁଥିବା ଜନ୍ତୁବିଶେଷକୁ ମଣିଷ କୁହାଯାଏ । ଥୁଣ୍ଟାଗଛର କୋରଡ଼ରେ ଚଢ଼େଇ ଯେପରି ବସା କରେ, ମଣିଷ ଭିତରେ ମଧ୍ୟ ଚଢ଼େଇଟିଏ ସେପରି ବସା ବାନ୍ଧି ରହିଥାଏ ବୋଲି କେହି କେହି କହନ୍ତି । କିନ୍ତୁ ଚଢ଼େଇ ଉଡ଼ିଗଲେ ଥୁଣ୍ଟାଗଛର କୌଣସି କ୍ଷୟକ୍ଷତି ହେଉ ନ ଥିବା ସ୍ଥଳେ ମଣିଷ ଭିତରର ଚଢ଼େଇ ଉଡ଼ିଗଲା ପରେ ତା’କୁ ଯେତେ ଠିଆ କରିବାକୁ ଚେଷ୍ଟାକଲେ ମଧ୍ୟ ସେ ଆଉ ଠିଆ ହୋଇ ରହି ପାରେନାହିଁ–ଗଡ଼ିପଡ଼େ ।

ଗରିଲାଜାତୀୟ ମାଙ୍କଡ଼ ବ୍ୟତୀତ ଅନ୍ୟାନ୍ୟ ଜନ୍ତୁସବୁ ଫଳଭାରେ ଅବନତ ତରୁଗଣଙ୍କ ସଦୃଶ ବିନମ୍ରତାର ସୂଚନା ଦେଇ ଅବନତ ବଦନରେ ପୃଥିବୀପୃଷ୍ଠକୁ ଅନାଇଁ ହାମୁଡ଼େଇ ହାମୁଡ଼େଇ ଚାଲୁଥିବାବେଳେ ମଣିଷ ସିଧାସଳଖ ଆକାଶକୁ ଫଣା ଟେକି ‘ମୁଁ-ମୁଁ’ ବୋଲି ଗରଜି ଗରଜି ଚାଲେ । କୌଣସି ନିରୀହ ପ୍ରାଣୀ ଏପରି ମଣିଷକୁ ଭୁଲରେ ଥୁଣ୍ଟାଗଛ ବୋଲି ଭାବି ତା’ର ଅତି ନିକଟକୁ ଚାଲିଗଲେ ବିଶେଷ ବିପଦ ପଡ଼ିବାର ଆଶଙ୍କା ରହିଛି । ତେଣୁ ଏ ଜନ୍ତୁବିଶେଷର ଅଙ୍ଗପ୍ରତ୍ୟଙ୍ଗ ଉପରେ ସମ୍ୟକ ଦୃଷ୍ଟିପାତ କରି ତା’କୁ ଉତ୍ତମ ରୂପେ ଚିହ୍ନି ରଖିବା ତଥା ତା’ ସମ୍ୱନ୍ଧରେ କିଛି ସାଧାରଣ ଜ୍ଞାନ ଅର୍ଜ୍ଜନ କରିବା ବିଧେୟ ।

କେତେକ ମଣିଷଙ୍କ ଏକାଧିକ ମୁଣ୍ଡ ଥିବା କଥା ଶୁଣାଯାଇଥିଲେ ମଧ୍ୟ ସାଧାରଣତଃ ପ୍ରତ୍ୟେକ ମଣିଷର ଗୋଟିଏ ଲେଖାଏଁ ମୁଣ୍ଡ ଥାଏ । ମନ୍ତ୍ରୀ କିମ୍ବା କୌଣସି ଉଚ୍ଚପଦସ୍ଥ କର୍ମଚାରୀ ହୋଇଗଲେ ମଣିଷ ଏହି ଗୋଟିଏ ମାତ୍ର ମୁଣ୍ଡ ମଧ୍ୟ ସମୟ ସମୟରେ ହରାଉଥିବା ଦେଖାଯାଏ । ମୁଣ୍ଡକୁ ତଳ ଉପର, ଏ ପାଖ ସେପାଖ କିମ୍ବା ଘଣ୍ଟାର ପେଣ୍ଡୁଲମ୍‌ ପରି ହଲାଇଲେ ବିଭିନ୍ନ ମଣିଷ ଭିନ୍ନ ଅର୍ଥ କରନ୍ତି । ଘଣ୍ଟା ପରି ମଣିଷର ମୁଣ୍ଡ ମଧ୍ୟ ସମୟ ସମୟରେ ବିଗିଡ଼ିଯାଏ । ଅରଣା ମଇଁଷି ପାଖରୁ ଦନାଇ ଦୂରରେ ରହିଲା ପରି ‘ସ୍କ୍ରୁ’–ଢିଲା ମଣିଷଙ୍କ ପାଖରୁ ଅନ୍ୟମାନେ ଦୂରେଇ ରହିବା ଉଚିତ୍‌ । ଏକ–ଶିଙ୍ଗିଆ ମଣିଷଙ୍କ କଥା ଶୁଣାଯାଉଥିଲେ ମଧ୍ୟ ମଣିଷର ଶିଙ୍ଗ ନ ଥାଏ ।

ମଣିଷ ମୁଣ୍ଡର ଶିଖର ଦେଶରେ କେଶଗୁଚ୍ଛ । ଏହି କେଶର ଆକାର–ପ୍ରକାର ଭେଦରୁ ମଣିଷର ବିଭାଗ କେତେକାଂଶରେ ନିର୍ଣ୍ଣୟ କରାଯାଇପାରେ । ଲମ୍ବା ବାଳ ଥିଲେ ସ୍ତ୍ରୀ ମଣିଷ, ଧଳା ବାଳ ଥିଲେ ବୁଢ଼ା, ଟାଙ୍ଗର ଖେଳ ପଡ଼ିଆ ଅଥବା ଚୋପାଛଡ଼ା ଆଳୁପରି ଦେଖାଯାଉଥିଲେ ପଣ୍ଡିତ, ପାଣିରେ ତିନ୍ତି ଯାଇଥିବା କାଉ, କୁକୁଡ଼ା ଅଥବା ଭାଲୁପରି ଦେଖାଯାଉଥିଲେ ଛାତ୍ର ଓ ଜଟା ଥିଲେ ଋଷି ମଣିଷ ବୋଲି ଅନୁମାନ କରାଯାଇପାରେ ଏପରି ଜଟା ଥିବା ଯୋଗୁଁ ମଣିଷମାନଙ୍କର ବ୍ୟବହାରରେ କ୍ଷୁବ୍‌ଧ ହେଲେ ଋଷି–ମଣିଷମାନଙ୍କୁ ଜଟା ଛିଣ୍ଡାଇବାକୁ ସୁବିଧା ହୁଏ

କୌଣସି ମଣିଷର ମୁଣ୍ଡ ତେଲିଆ ଦେଖାଗଲେ ଅନ୍ୟ ମଣିଷମାନେ ସେ ମୁଣ୍ଡରେ ତେଲ ଢାଳନ୍ତି ।

ଠିକ୍ କେଶ ତଳ ସାମ୍‌ନାକୁ କପାଳ । ଏଥିରେ କ’ଣ ସବୁ ଲିଖନ ହୋଇଥାଏ ଯେ କେହି ତା’କୁ ଆନ କରି ପାରନ୍ତିନି ମଣିଷମାନେ ସାଧାରଣତଃ ଅନ୍ୟ ମଣିଷମାନଙ୍କ କପାଳରେ ଚିତା କୁଟାନ୍ତି ।

କପାଳ ତଳକୁ ଦୁଇଟି ଲେଖାଏଁ ଆଖି । ଗୋଟିଏ ମଣିଷକୁ କିମ୍ବା ବେଳେ ବେଳେ ଆଦୌ ଆଖି ନ ଥିବା ମଣିଷକୁ କେହି କେହି ପଦ୍ମଲୋଚନ ବୋଲି ଡାକନ୍ତି ଏହି ଆଖି ସାହାଯ୍ୟରେ ପୁରୁଷ ମଣିଷ (ମଣିଷର ପ୍ରକାର ଭେଦ) ସ୍ତ୍ରୀ ମଣିଷ (ଆଉ ଗୋଟିଏ ପ୍ରକାର ଭେଦ) ଆଡ଼କୁ ସମୟ ସମୟରେ ଟେରେଇ ଚାହିଁପାରେ ଓ ସ୍ତ୍ରୀ ମଣିଷ କଟାକ୍ଷପାତ କରିପାରେ ।

ଆଖି ତଳକୁ ଗୋଟିଏ ନାକ ଗାଁ କନିଆଁମାନଙ୍କ ନାକରୁ ଏକ ପ୍ରକାର ତରଳ ପଦାର୍ଥ ନିର୍ଗତ ହୁଏ ।

ନାକର ଦୁଇ ପାଖରେ ଗୋଟିଏ ଲେଖାଏଁ ଗାଲ । ଗାଲଟି ଚାପୁଡ଼ାପାଇଁ ଉପଯୁକ୍ତ ସ୍ଥାନ ବୋଲି ଅନେକ ବିବେଚନା କରନ୍ତି । ଜଣକର ଗାଲରେ ଆଉ ଜଣେ ଚାପୁଡ଼ାଟିଏ ଦେଲେ ପୂର୍ବୋକ୍ତ ମଣିଷ ପରୋକ୍ତ ମଣିଷର ଦୁଇ ଗାଲରେ ଦୁଇ ଚାପୁଡ଼ା ବଜାଇ ନ ଦେଇ ନିଜର ଅନ୍ୟ ଗାଲ ଦେଖାଇ ଦେବାପାଇଁ କହିଥିବା ଜଣେ ମଣିଷଙ୍କୁ ଅନ୍ୟ ମଣିଷମାନେ କ୍ରୁଶରେ ବିଦ୍ଧ କରି ଦେଇଥିଲେ ।

ଗାଲର ପୂର୍ବ ଓ ପଶ୍ଚିମ ପ୍ରାନ୍ତରେ ଗୋଟିଏ ଲେଖାଏଁ କାନ ! କାନର ଏପରି ଅବସ୍ଥିତି ଯୋଗୁଁ ଶିକ୍ଷକମାନେ (ଗୋଟିଏ ଭୟଙ୍କର ପ୍ରକାରର ମଣିଷ) ପାଠ ପଢ଼ାଇଲାବେଳେ ପାଠଟି ଛାତ୍ରମାନଙ୍କର ଗୋଟିଏ କାନରେ ପଶି ସହଜରେ ଅନ୍ୟ କାନ ଦେଇ ସିଧାସଳଖ ବାହାରିଯାଏ ।

ଦୁଇ ଗାଲ ମଝିରେ ଗୋଟିଏ ପାଟି ଓ ତା’ଭିତରେ ଗୋଟିଏ ଗହ୍ୱର । ଜଣକର ସେହି ପାଟି ଭିତରେ ଆଉ ଜଣେ କେହି ବିଶ୍ୱବ୍ରହ୍ମାଣ୍ଡ ଦେଖିଥିଲେ ବୋଲି ଶୁଣାଯାଏ । କିନ୍ତୁ ସମସ୍ତଙ୍କର ପାଟି ଭିତରେ ଏପରି ବିଶ୍ୱବ୍ରହ୍ମାଣ୍ଡ ବଦଳରେ ଦାନ୍ତ ଓ ଜିଭ ଦେଖିବାକୁ ମିଳେ । ଦାନ୍ତ ସାହାଯ୍ୟରେ ମଣିଷ ହାଡ଼, ରକ୍ତ ଚାଉଳ ତଥା ଅନ୍ୟାନ୍ୟ ଅନେକ ପଦାର୍ଥ ଚୋବାଇପାରେ ପାଟିର ଏ ପାଖ ସେପାଖ ଗତି ବେଗରୁ ମଣିଷ କିରି କିରି ହସୁଛି କିମ୍ବା ମୃଦୁ ହାସ୍ୟ କରୁଛି, ତାହା ଜଣାପଡ଼େ ଓ ଉପର ତଳ ଗତି ବେଗରୁ ରଡ଼ି, ଚିତ୍କାର ତଥା କ୍ରନ୍ଦନ ବୁଝାଯାଏ । ନିଜର ପ୍ରଶଂସା ଗାଇଲାବେଳକୁ ମଣିଷର ଗୋଟିଏ ମାତ୍ର ଜିଭ ସହସ୍ରଜିହ୍ୱା ହୁଏ ।

ଗରିବ ମଣିଷମାନେ ମୁଣ୍ଡଝାଳ ତୁଣ୍ଡରେ ମାରନ୍ତି ।

ପାଟି ଉପରକୁ ଓ ନାକ ତଳକୁ ଥିବା କେଶ ପରି ପଦାର୍ଥକୁ ନିଶ କୁହାଯାଏ । ଏଇ ନିଶ ଆକାରରେ ପ୍ରଜାପତି ପରି ହୋଇଥିଲେ ହିଟଲର୍‌ଜାତୀୟ, ଗାଈ ଲାଞ୍ଜର ଚାମର ପରି ହୋଇ ସିଧାସଳଖ ପୂର୍ବ-ପଶ୍ଚିମକୁ ମାଇଲିଏ ଅଧମାଇଲ ଯାଇଥିଲେ ଷ୍ଟାଲିନ୍‌ଜାତୀୟ, କୁକୁର ଲାଞ୍ଜ ପରି ସରୁ ଓ ପୂର୍ବ-ପଶ୍ଚିମରୁ ହଠାତ୍‌ ଦକ୍ଷିଣକୁ ଖସିଥିଲେ ଚେଙ୍ଗିଜଖାନ୍‌ ଜାତୀୟ ଓ ଉତ୍ତରକୁ ଉଠିଥଲେ ରାଜା କିମ୍ବା ପୋଲିସ୍‌ ମଣିଷ ବୋଲି ବୁଝିବ । ପୂର୍ବ ପଶ୍ଚିମକୁ କିଛି ଦୂର ଯାଇ ଦକ୍ଷିଣକୁ ଖସିଲା ପରେ ପୁଣି ପୂର୍ବ ଓ ପଶ୍ଚିମକୁ ମୁହାଁଇଥିଲେ କଲେଜଛାତ୍ର ବୋଲି ଊଣା ଅଧିକେ ନିଶ୍ଚିତ ଭାବେ କୁହାଯାଇପାରେ ।

ଦରକାର ପଡ଼ିଲେ ଏ ନିଶ ମୋଡ଼ାଯାଏ । ସ୍ତ୍ରୀ–ମଣିଷମାନଙ୍କର ନିଶ ନ ଥାଏ–ତେଣୁ ସେମାନେ ନିଶ ନ ମୋଡ଼ି ଅଣ୍ଟା ଭିଡ଼ନ୍ତି ।

ମୁଣ୍ଟତଳକୁ ଗୋଟିଏ ବେକ ବା ଗଳା । ମନ୍ତ୍ରୀମାନେ ବେକରେ ଫୁଲମାଳ ପିନ୍ଧନ୍ତି । ଧନୀମାନଙ୍କ ସ୍ତ୍ରୀମାନେ ଗଳାରେ ସୁନାହାର ମଣ୍ଡି ହୁଅନ୍ତି । ଆଉ ପେଟ ବିକଳରେ ଗରିବ ମଣିଷ ବେକରେ ଦଉଡ଼ି ଦିଏ ।

ଏହି ଗଳାରେ ଧକ୍‌କା ଦିଆଯାଇପାରେ

ମୁଣ୍ଡ ତଳକୁ ରହିଥିବା ଯେଉଁ ଅଂଶକୁ ବେକ ଯୋଡ଼ିକରି ରଖିଥାଏ ତା’କୁ ଗଣ୍ଡି କହନ୍ତି ।

ଏହି ଗଣ୍ଡି ଉପରର ସାମନା ଭାଗରେ ଛାତି । କ୍ଷମତାରେ ଥିବା ମଣିଷମାନେ ଛାତି ଫୁଲାଇ ଚାଲନ୍ତି ! କାନ୍ଦିଲା ବେଳକୁ ଏ ଛାତି ପିଟାଯାଇପାରେ ।

ଠିକ୍‌ ଛାତିର ପଛ ପଟକୁ ପିଠି । ସବଳ ମଣିଷ ଦୁର୍ବଳ ଉପରେ ଅତ୍ୟାଚାର କଲା ବେଳେ ଏହି ଦୁର୍ବଳ ମଣିଷର ପିଠିରେ କେହି ପଡ଼ନ୍ତି ନାହିଁ । ଗାଲ ଯେପରି ଚାପୁଡ଼ାର ସ୍ଥାନ, ପିଠି ସେହିପରି ବିଧାର ଉପଯୁକ୍ତ ସ୍ଥାନ ।

ଛାତି ଓ ପିଠି ଦୁଇ ପାଖରେ ଗଛର ଡାଳ ପରି ଦୁଇଟି ହାତ ଥାଏ । ଏ ହାତର ଉପକାରିତା ଅନେକ । ଜଣକର ପରିଶ୍ରମର ମୂଲ୍ୟ ଅନ୍ୟ ଜଣେ ଏହା ସାହାଯ୍ୟରେ ପଇଠ କରିପାରେ । ଗୋଟିଏ ହାତର ଉପରି ଭାଗରେ ଆର ହାତ ବାଡ଼େଇ ବାହାସ୍ଫୋଟ ଦେଇପାରେ । ଆଗରୁ କୁହାଯାଇଥିବା ବିଧା, ଚାପୁଡ଼ା ଗଳାଧକ୍‌କା ସମୂହ ଭାବରେ ବିତରଣ କରିପାରେ । ଠେଙ୍ଗା, ଟାଙ୍ଗିଆ, ବନ୍ଧୁକ, ବୋମା ପ୍ରଭୃତି ଧରିପାରେ । ଚାଳନା କରିପାରେ ଅବା ଫିଙ୍ଗିପାରେ । ଖୋଳିପାରେ, ତାଡ଼ିପାରେ, ଖାଇପାରେ ଓ ଅନ୍ୟର ଜିନିଷ ନିଜ ପକେଟରେ ଭର୍ତ୍ତି କରିପାରେ ।

ମଣିଷ ଉପରେ ମଣିଷ ଠେଙ୍ଗା, ଟାଙ୍ଗିଆ ବନ୍ଧୁକ ବ୍ୟବହାର ନ କରିବାକୁ କହୁଥିବା ଜଣେ ମଣିଷଙ୍କୁ ଅନ୍ୟ ମଣିଷମାନେ ଗୁଳି କରି ମାରିଦେଲେ ।

ଛାତି ତଳକୁ ପେଟ । ଏହି ଚାଖଣ୍ଡେ ପେଟ ପାଇଁ ମଣିଷ ବାର ଦ୍ୱାର ଆଉ କୌଣସି ଭଦ୍ରଲୋକଙ୍କ ପିଣ୍ଡାକୁ ଯାଏ । ଯେଉଁ ମଣିଷମାନେ ଏହି ପେଟରେ ଓଦା କନା ଦେଇ ଶୁଅନ୍ତି ସେମାନଙ୍କୁ ଗରିବ ବୋଲି ଜାଣିବ ।

ପେଟ ମଝିରେ ଗୋଟିଏ ଗର୍ତ୍ତ । ଏହି ଗର୍ତ୍ତଟିର ମହିମା ଅନେକ । କେହି ଜଣେ ଏ ନାଭିରୁ ଆଉ ଗୋଟିଏ ପାଦ ବାହାର କରିଥିଲେ । ଆଉ ଜଣେ ଯୋଗନିଦ୍ରାରେ ଶୋଇ ରହିଥିଲା ବେଳେ ଏଥିରୁ ଗୋଟିଏ ପଦ୍ମନାଡ଼ ବାହାରିଥିଲା ଓ ସେହି ନାଡ଼ ଉପରେ ଚତୁର୍ଦ୍ଦିଗକୁ ମୁହଁ କରି ବସିଥିବା ଭଦ୍ରଲୋକ ହିଁ ଏ ସୃଷ୍ଟି ଭିଆଣ କରିଛନ୍ତି ବୋଲି କେହି କେହି କହନ୍ତି । ତେବେ ତହିଁର କୌଣସି ଚାକ୍ଷୁଷ ପ୍ରମାଣ ନାହିଁ ।

ଧନୀମାନେ ନାହିରେ ତେଲଦେଇ ଶୁଅନ୍ତି ।

ପେଟ ଓ ନାଭି ପାଖରେ ଅଣ୍ଟା ନିଶ ନ ଥିଲେ ଏହା କିପରି ଭିଡ଼ାଯାଇପାରେ ସେ ସମ୍ବନ୍ଧରେ ପୂର୍ବରୁ କୁହାଯାଇଥିବା ମନ୍ତବ୍ୟ ଦ୍ରଷ୍ଟବ୍ୟ ।

ଗଣ୍ଡିକୁ ଟେକି ଧରିଥିବା ଦୁଇଟି ଖମ୍ବ ପରି ଅଙ୍ଗର ନାମ ଗୋଡ଼ । ଗୋଟିଏ ନିରୀହ ମଣିଷକୁ କୌଣସି ଭୟଙ୍କର ମଣିଷ ଚୋବାଇ ଖାଇବାକୁ ଗୋଡ଼ାଇଲାବେଳେ ପୂର୍ବୋକ୍ତ ମଣିଷଟି ଏହି ଦୁଇ ଖମ୍ବ ସାହାଯ୍ୟରେ ଦ୍ରୁତ ଗତିରେ ପଳାୟନ କରିପାରେ । ନତୁବା ଏପରି ଆକ୍ରମଣ ସମ୍ମୁଖୀନ ହେବାପାଇଁ ଶକ୍ତି ଓ ସାମର୍ଥ୍ୟ ଥିଲେ ଗୋଡ଼ର ଉପରି ଭାଗରେ ଥିବା ଜଙ୍ଘକୁ ପିଟି ରଣପାଇଁ ଆହ୍ୱାନ ଦେଇପାରେ ।

ଏହି ଗୋଡ଼ ଗୋଦରା ହୋଇଥିଲେ ମଣିଷ ଯେତେ କୋଡ଼େ, ସେତେ ମାଡ଼େ ।

ପ୍ରତ୍ୟେକ ଖମ୍ବ ତଳକୁ ଲମ୍ବା ଥାଳିଆ ପରି ଦେଖାଯାଉଥିବା ଅଙ୍ଗ ବିଶେଷକୁ ପାଦ କୁହାଯାଏ । କେହି କେହି ମଣିଷ ଅନ୍ୟ କେଉଁ ମଣିଷଙ୍କ ପିଠିରେ ପାଦ ପ୍ରହାର କରନ୍ତି । କେହି କେହି ବା ଅନ୍ୟ କାହାରି ପାଦ ଘଷନ୍ତି ଓ ବେଳେବେଳେ ପାଦ ଚାଟନ୍ତି ବୋଲି ଶୁଣାଯାଏ ।

ପୂର୍ବ କାଳର ଝିଅ–ମଣିଷମାନଙ୍କ ଚାରୁ–କୁନ୍ତଳ ଦେଖି ଚାମରୀ ଗାଈ ହିମାଳୟକୁ ପଳାୟନ କରୁଥିଲା । ଭରୁ ଦେଖି କାମଦେବଙ୍କ ଧନୁରୁ ଗୁଣ ଖସି ଯାଉଥିଲା ଓ ବଦନ ନିରେଖି ପୂର୍ଣ୍ଣମୀ ଚାନ୍ଦ ମେଘରେ ମୁହଁ ଲୁଚାଉଥିଲା । ନାକ ଦେଖି ତିଳଫୁଲ ଝଡ଼ି ପଡ଼ୁଥିଲା, ନିଃଶ୍ୱାସ ଗନ୍ଧରେ ଆକୃଷ୍ଟ ଅଳିକୂଳ ଗୁଞ୍ଜରି ଏପରି ବାମାଙ୍କୁ ଆକୁଳ କରୁଥିଲେ । ନୟନ ଦେଖି କୁରଙ୍ଗର ନେତ୍ରରୁ ପଲକ ପଡ଼ୁ ନ ଥିଲା । ଅଧର ଓ ଦନ୍ତପନ୍ତି ଦର୍ଶନରେ ମନ୍ଦାର ଫୁଲ ତଥା ଡାଳିମ୍ବ କରମକୁ ନିନ୍ଦୁଥିଲେ-। କଟି ଦେଖି ସିଂହ ବଣ ମଧ୍ୟରେ ଓ ହାତ ଦେଖି ପଦ୍ମନାଡ଼ ପାଣି ଭିତରେ ଲୁଚି ରହୁଥିଲେ-। ଏପରି ଝିଅ ମଣିଷଙ୍କ କଟାକ୍ଷପାତରେ କବି ମଣିଷଙ୍କ ମୁଣ୍ଡ ବିଗିଡ଼ି ଯାଉଥିଲା ଓ ସେମାନଙ୍କ ଯୋଗୁ ଟ୍ରୟ ନଗରୀ ଧ୍ୱଂସ ହେଉଥିଲା, ଲଙ୍କାପୁରୀ ଛାରଖାର ହେଉଥିଲା, କୌରବ ବଂଶ ସମୂଳେ ନାଶ ଯାଉଥିଲା ଆଜିକାଲି ସେପରି ଆଉ ଘଟୁନାହିଁ । ଚନ୍ଦ୍ରଙ୍କ ବଦନରେ ଏବେ ବ୍ରଣ ଦେଖା ଦେଇଥିବାରୁ ଓ ଏକାଳର କବିମାନେ ମୁଖ୍ୟତଃ ଗବାକ୍ଷ ନିକଟରେ ବସି ରହୁଥିବାରୁ ଅବସ୍ଥାର ପରିବର୍ତ୍ତନ ଘଟିଛି ।

କେବଳ କେଉଁ ଜଣେ ସଗର ରାଜାଙ୍କ ରାଣୀଙ୍କୁ ଛାଡ଼ିଦେଲେ ଅନ୍ୟ କେହି ମଣିଷ ଡ଼ିମ୍ବ ଦେଇଥିବା କଥା ଶୁଣାଯାଏ ନାହିଁ । ତେଣୁ ସନ୍ତାନ ପ୍ରସବ କରୁଥିବା ପ୍ରାଣୀ ହିସାବରେ ମଣିଷକୁ ବାଦୁଡ଼ି, ତିମିମାଛ ଅଥବା ପଶୁଶ୍ରେଣୀରେ ଗଣନା କରାଯାଇପାରେ । ମଣିଷ ଦେଖିବାକୁ କଳା, ଧଳା ବା ଗୋରା, ହଳଦିଆ, ତମ୍ବାଳିଆ, ଖଇରା ଓ ମାଟିଆ ।

ଏମାନଙ୍କ ଭିନ୍ନ ଭିନ୍ନ ଧରଣର ଚିତ୍କାରକୁ ଭାଷା କହୁହାଯାଏ

ମଣିଷମାନେ, ଗଛ, ପତ୍ର, ମାଛ, କଇଁଛ, ଚେରମୂଳ ସବୁ ଖାଆନ୍ତି । ଏ ସବୁ ପଦାର୍ଥ ପୂର୍ବୋକ୍ତ ହାତ ସାହାଯ୍ୟରେ ପାଟି ମଧ୍ୟ ଦେଇ ଗର୍ଭକୁ ନିକ୍ଷେପ କରାଯାଏ । ଶୁଣିବାକୁ ମିଳେ ଯେ ଆଗକାଳରେ କେଉଁ କେଉଁ ଜାତୀୟ ମଣିଷ ଅନ୍ୟଜାତୀୟ ମଣିଷମାନଙ୍କୁ କଞ୍ଚା କିମ୍ବା ପୋଡ଼ି ଖାଇ ଯାଉଥିଲେ, କିନ୍ତୁ ଆଜିକାଲି କୌଣସି ମଣିଷ ଅନ୍ୟ ମଣିଷଙ୍କୁ ସିଧାସଳଖ ଖାଇ ଯାଉଥିବାର ଦେଖାଯାଏ ନାହିଁ ।

ମଶା, ମାଛି, ପିମ୍ପୁଡ଼ି ଅଥବା ପଙ୍ଗପାଳ ପରି ଏମାନଙ୍କ ସଂଖ୍ୟା ଯେପରି ବୃଦ୍ଧି ନ ପାଏ, ସେଥିପାଇଁ ହେଉ, ଅଥବା ଅନ୍ୟ କୌଣସି କାରଣ ଯୋଗୁଁ ହେଉ, ଏମାନେ ଧର୍ମ ନାମରେ ଦେଶ ନାମରେ ଜାତି ବର୍ଣ୍ଣ ତଥା ଭାଷା ନାମରେ ଅଥବା ବିନା କାରଣରେ ନିଜ ନିଜ ମଧ୍ୟରେ ସଦାସର୍ବଦା ହଣାକଟା ହେଉଥାଆନ୍ତି ।

ଏପରି ଭାବରେ କିଛି କାଳ ଏ ସଂସାରର ମିଛ ମାୟାରେ ଲଡ଼-ବଡ଼ ଲଡ଼-ବଡ଼ ହେବା ପରେ ମଣିଷ ଶୁଖା ଖଡ଼୍‌ ଖଡ଼୍‌ ହୋଇଯାଏ । ତା’ର ବହୁତ କଫ, ବାତ, ପିତ୍ତ ହୁଏ ଓ ତଣ୍ଟି ଘଡ଼୍‌ ଘଡ଼୍‌ ଶୁଭେ । ଯଥା ସମୟରେ ମଣିଷ ଭିତରେ ଥବା ଚଢ଼େଇ ଏ ଅବସ୍ଥା ନିରୀକ୍ଷଣ କରେ ଓ ଅନ୍ୟମାନଙ୍କ ଅଜାଣତରେ କେତେବେଳେ ଉଡ଼ିଯାଏ । ଫଳରେ ମଣିଷ ସବୁଦିନ ପାଇଁ ଗଡ଼ି ଗଡ଼ି ପଡ଼େ । (ଏଠାରେ ଥୁଣ୍ଟାଗଛର ପାର୍ଥକ୍ୟ ଦ୍ରଷ୍ଟବ୍ୟ) । ଏପରି ଦୁର୍ଦ୍ଦଶାଗ୍ରସ୍ତ ମଣିଷ ମରିଗଲା ପରେ ତା’ର ଭାଇ ବନ୍ଧୁ ମାନେ ତା’କୁ ବୋହି ନେଇ ବଡ଼ ବଡ଼ କାଠ ଲଦି ଜାଳି ଦିଅନ୍ତି ଏବଂ ଭୋଜନଦ୍ୱାରା ଅନ୍ୟ ମଣିଷମାନଙ୍କୁ ଆପ୍ୟାୟିତ କରନ୍ତି

ନିତିଦିନ ଏପରି ଘଟୁଥିଲେ ମଧ୍ୟ ଜଣେ ଅଧେ ମଣିଷଙ୍କୁ ଛାଡ଼ି ଦେଲେ ଅନ୍ୟ ପ୍ରତ୍ୟେକ ମଣିଷ ଭାବେ ଯେ ତା’ କଥା ସ୍ୱତନ୍ତ୍ର ଓ ତା’ର ମରଣ ନାହିଁ । ତେଣୁ ପ୍ରାଣୀ ଜଗତରେ କେବଳ ଏହି ପ୍ରାଣୀ ଅନ୍ୟ ପ୍ରାଣୀଙ୍କର ଖାଦ୍ୟପଦାର୍ଥ ତଥା ଅନ୍ୟାନ୍ୟ ଧନସମ୍ପଦ ଲୁଟି ଆଣି ନିଜେ ଜମା କରେ । ସେଥିପାଇଁ ଚଢ଼େଇ ଉଡ଼ିଯିବାର ଅବ୍ୟବହିତ ପୂର୍ବରୁ ମଣିଷ ଯେ ତା’ର ଏପରି ସବୁ ସମ୍ପଦ କେଉଁଠି ଲୁଚାଇ ରଖିଥାଇ ପାରେ ସେ ସମ୍ବନ୍ଧରେ ଅନ୍ୟମାନେ ସନ୍ଦେହ କରିବା ସ୍ୱାଭାବିକ ।

ସଂସାରରେ ଅନେକ ସମ୍ପଦ ଠୁଳ କରିସାରିଲା ପରେ ‘ଜିଣିବାକୁ ନାହିଁ ଆଉ ଧରାଖଣ୍ଡ’ ବୋଲି ଅଶ୍ରୁସିକ୍ତ ଗଣ୍ଡ କରିଥିବା ଜଣେ ମଣିଷ ଏପରି ସନ୍ଦେହର ସମ୍ଭାବନା ହୃଦୟଙ୍ଗମ କରି କୁଆଡ଼େ ଆଗରୁ କହି ଯାଇଥିଲେ ଯେ, ମୃତ୍ୟୁ ପରେ ତାଙ୍କୁ ଯେତେବେଳେ କୋକେଇରେ ବୋହି ନିଆଯିବ ସେତିକିବେଳେ ତାଙ୍କର ଦୁଇ ହାତକୁ ମେଲା କର କୋକେଇ ବାହାରେ ଝୁଲାଇ ଦିଆଯିବ, ଯାହା ଦେଖି ସମସ୍ତେ ଜାଣିବେ ଯେ ସେ ଟ୍ରେଜେରୀରେ ଚାବି ପେନ୍ଥା ନିଜ ସଙ୍ଗରେ ନେଇ ଯାଉ ନାହାନ୍ତି ଓ ଏ ସଂସାରକୁ ଯେପରି ଭାବରେ ଆସିଥିଲେ, ସେପରି ଭାବରେ ଖାଲି ହାତରେ ହିଁ ବିଦାୟ ନେଉଛନ୍ତି ।

ଏ ସମସ୍ତ ବିଷୟ ଅନୁଧ୍ୟାନ ତଥା ପର୍ଯ୍ୟାଲୋଚନା କରିସାରିଲା ପରେ ଉପସଂହାରରେ କୁହାଯାଇପାରେ ଯେ ଏପରି ଅଦ୍ଭୁତ ଜନ୍ତୁ ସବୁ କେଉଁଠାରୁ ଆସନ୍ତି ଓ ଶେଷରେ କେଉଁଠିକି ଯାଆନ୍ତି ସେ କଥା ଠିକ୍‌ ନ ଜାଣିଲା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଟିକିଏ ହୁସିୟାର ହୋଇ ଚଳିବାକୁ ପଡ଼ିବ

Image

 

ମଣିଷ ଓ ତା’ର କାରିଗର

 

କେହି କେହି ପ୍ରଶ୍ନ କରନ୍ତି ଯେ ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି ନା ମଣିଷ ଭଗବାନଙ୍କୁ ସୃଷ୍ଟି କରିଛି । ପ୍ରଶ୍ନଟି ଯେ ଅତି ଜଟିଳ ଏଥିରେ ସନ୍ଦେହ ନାହିଁ ।

 

ଭଗବାନଙ୍କ ଅସ୍ତିତ୍ୱ ସମ୍ବନ୍ଧରେ ମହା ମହାଜ୍ଞାନୀମାନେ ମଧ୍ୟ ଆଲୋଚନା କରିବାକୁ ପଶ୍ଚାତ୍‌ପଦ ହୁଅନ୍ତି । ତେଣୁ ସ୍ୱଳ୍ପ ଜ୍ଞାନ ନେଇ ସେ ସମ୍ବନ୍ଧରେ ଆଲୋଚନା କରି ବସିବା ଅଳ୍ପ ପାଣିରେ ଶଫରୀ ଫର ଫର କଲା ପରି ଅଥବା ଫମ୍ପା ହାଣ୍ଡି ସାମାନ୍ୟ ଓ ବ୍ୟଙ୍ଗର ପ୍ରଚ୍ଛନ୍ନତା ଯୋଗୁଁ ବେଶି କୁଟିଳ ବୋଲି ମନେ ହୁଏ । କେବଳ ସେ କୁଟିଳତା ଖଣ୍ଡନ କରିବାକୁ ଚେଷ୍ଟା କରିବା ଉଦ୍ଦେଶ୍ୟରେ କିଛି ଆଲୋଚନା କରାଯାଇପାରେ

 

ଜୀବଜଗତରେ କେବଳ ମଣିଷ ହିଁ ଚିନ୍ତା କରିପାରେ ବୋଲି ସମସ୍ତେ ସ୍ୱୀକାର କରନ୍ତି । ମଣିଷ ଚିନ୍ତା କରିପାରେ ବୋଲି କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ବହିର୍ଭୁତ ବିଷୟ ବସ୍ତୁମାନଙ୍କର କଳ୍ପନା କରିପାରେ, ସେ ସମ୍ବନ୍ଧରେ ଅନୁସନ୍ଧାନ ଓ ଅନୁଧ୍ୟାନ କରିପାରେ ଓ ସେ ଅନୁଧ୍ୟାନର ଫଳାଫଳ ନିର୍ଣ୍ଣୟ କରିପାରେ–ଗ୍ରହ ଉପଗ୍ରହମାନଙ୍କଠାରୁ ଶହ ଶହ ଆଲୋକ ବର୍ଷ ଦୂରରେ ଥିବା ଗେଲେକ୍‌ସି ଓ ନକ୍ଷତ୍ରମାନଙ୍କ ସ୍ଥିତି ନିର୍ଣ୍ଣୟ କରେ । କସ୍ମିକ୍‌ ରଶ୍ମିର ମୂଳ ଉତ୍ସ ସମ୍ବନ୍ଧରେ ଚିନ୍ତା କରେ । କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ପରମାଣୁ ଠାରୁ ଅନେକ ସାନ ଇଲେକ୍ଟ୍ରନ୍‌–ନିଉଟ୍ରନ୍‌ ପ୍ରଭୃତିର ତଥ୍ୟ ଉଦ୍‌ଘାଟନ କରିସାରିଲା ପରେ ଫୋଟନ, ମେଜନ୍‌ ପ୍ରଭୃତି କଣିକାର ଅସ୍ତିତ୍ୱ ଘୋଷଣା କରେ । ପରମାଣୁ ଅନ୍ତରର ମହାଶକ୍ତି ଆବିଷ୍କାର କରି ତହିଁର ଚାକ୍ଷୁଷ ପ୍ରମାଣ ଦିଏ, ରକ୍ତରେ ଥିବା ଜିନ୍‌ର ଗୁଣ ବର୍ଣ୍ଣନା କରେ ଓ ନିତି ନୂତନ ମାନସିକ ଦିଗ୍‌ବଳୟ ସୃଷ୍ଟି କରି ଚାଲେ ସେହି ମଣିଷ ଯଦି କୌଣସି ସର୍ବଶକ୍ତିମାନ ତଥା ସବୁ ଶକ୍ତିର ମୂଳ ଉତ୍ସଙ୍କ ସ୍ଥିତି ସମ୍ବନ୍ଧରେ କଳ୍ପନା କରି ତହିଁର ଅନୁସନ୍ଧାନ କରି ବସେ ଓ ସେହି ସର୍ବଶକ୍ତିର ମୂଳ ଉତ୍ସଙ୍କୁ ଭଗବାନ ନାମରେ ନାମିତ କରି ସେହି ପ୍ରକ୍ରିୟାରେ ଭଗବାନ ଓ ତାଙ୍କ ରୂପରେଖ ସୃଷ୍ଟି କରେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତେଣୁ ସେହି କଳ୍ପିତ ଭଗବାନ ମଣିଷକୁ ସୃଷ୍ଟି କରିଛନ୍ତି ନା ନାହିଁ ସେ ବିଷୟ ହିଁ ଆଲୋଚନା ଯୋଗ୍ୟ

 

ମଣିଷ ଯେ ନିଜେ ନିଜକୁ ସୃଷ୍ଟି କରି ନାହିଁ ତାହା ସ୍ୱତଃ ସିଦ୍ଧ । ସେ ନିଜକୁ ସୃଷ୍ଟି କରିଥିଲେ ନିଜ ଦେହରେ ପକ୍ଷୀର ଡେଣା ଖଞ୍ଜି ମେଘ ଭିତରେ ଲୁଚକାଳି ଖେଳି ଥାଆନ୍ତା ତିମି ଓ ଶାର୍କ ଶକ୍ତି ଏବଂ କ୍ଷିପ୍ରତା ନେଇ ସମୁଦ୍ରର ଉତ୍ତାଳ ତରଙ୍ଗରେ ନାଚି ବୁଲି ଥାଆନ୍ତା, ଜରା ବ୍ୟାଧୀ ଓ ମୃତ୍ୟୁରୁ ମୁକ୍ତ ହୋଇ ଚିରଯୌବନ ନେଇ ଆନନ୍ଦମୟ ହୋଇଥାଆନ୍ତା

 

ବାପା ମା’ ମଧ୍ୟ ମଣିଷ ସୃଷ୍ଟି କରନ୍ତିନି ସେମାନେ ଯଦି ନିଜ ଇଚ୍ଛା ଅନୁସାରେ ପୁଅ ଝିଅ ସୃଷ୍ଟି କରୁଥାଆନ୍ତେ ପ୍ରତ୍ୟେକ ମଣିଷ କାମଦେବଙ୍କ ପରି ସୁନ୍ଦର, ପବନସୁତଙ୍କ ପରି ପରାକ୍ରମୀ, ବୃହସ୍ପତିଙ୍କ ପରି ଜ୍ଞାନୀ ଓ କୁବେରଙ୍କ ପରି ଧନଶାଳୀ ହୋଇଥାନ୍ତା । ପୁଅ ନ ହୋଇ ଝିଅ ଜନ୍ମ ହେଲା ବୋଲି କେତେ ଘରେ କାନ୍ଦ ବୋବାଳି ପଡ଼ନ୍ତାନି ।

 

ଏକଥା ତେଣୁ ନିଶ୍ଚିତ ଯେ ମଣିଷକୁ କେହି ଜଣେ ଅଦୃଶ୍ୟ କାରିଗର, ମିସ୍ତ୍ରୀ ମେକାନିକ୍‌ କିମ୍ବା ବିନ୍ଧାଣୀ ସ୍ୱଇଚ୍ଛାରେ କିମ୍ବା କୌଣସି ଅର୍ଡର ମୁତାବକ୍‌ ସୃଷ୍ଟି କରୁଛି । କଳା, ଗୋରା, ହଳଦିଆ ପ୍ରଭୃତି ରଙ୍ଗ, ଡେଙ୍ଗା ଗେଡ଼ା ପ୍ରଭୃତି ଆକାର ଭେଦରୁ ମନେ ହୁଏ ଯେ ଏମ୍ବାସେଡ୍‍ର ଫିଏଟ୍‌ କିମ୍ବା ଷ୍ଟାଣ୍ଡାର୍ଡ ମଟରକାର ତିଆରି କରୁଥିବା କମ୍ପାନୀମାନଙ୍କପରି ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ମଣିଷ ସୃଷ୍ଟି କରୁଛନ୍ତି, ଆଉ ଟାଟା–ମାର୍ସଡିଜ୍‌, ଲି ଲେଣ୍ଡ ଟ୍ରକ କମ୍ପାନୀ ପରି ଅନ୍ୟ କୌଣସି କମ୍ପାନୀ ହାତୀ, ଗଣ୍ଡାର, ଅରଣା ମହିଷି ପ୍ରଭୃତି ଓ ଗୋଳାବାରୁଦ କାରଖାନାର ‘ଶକ୍ତିମାନ’ ଟ୍ରକ ପରି କୌଣସି ଅର୍ଡିନେନ୍‌ସ ଫେକ୍ଟରୀ ବାଘ, ଚିତାବାଘ ଗଧିଆ ପ୍ରଭୃତି ତିଆରି କରୁଛି ।

 

ମଟର ଗାଡ଼ିରେ ଲାଗିଥିବା କଳକବ୍‌ଜା ପରି ମଣିଷ ଭିତରେ ମଧ୍ୟ ନାନା ରକମର କଳକବ୍‌ଜା ରହିଛି । ହାତ ଗୋଡ଼ଠାରୁ ଆରମ୍ଭ କରି କଲିଜା ଫୁସ୍‌ଫୁସ ଅନ୍ତନାଡ଼ୀ ପର୍ଯ୍ୟନ୍ତ ସବୁ ମଣିଷର କଳକବ୍‍ଜା ଏକା ଧରଣର ହୋଇଥିବାରୁ ମନେ ହୁଏ ଯେ କୌଣସି ସ୍ପେଆର ପାର୍ଟ୍‌ କମ୍ପାନୀ ବିନ୍ଧାଣୀକୁ ଏ ସବୁ ଆଗ ମାର୍କା ମାଲ ଯୋଗାଇ ଦେଉଛି ।

 

ଢିଙ୍କିକୁଟା କିମ୍ବା କୁଟା ଚାଉଳ, ହାତ ତିଆରି କିମ୍ବା ମେସିନ ତିଆରି କାଗଜ ପରି ମଣିଷ ହେଣ୍ଡମେଡ୍‍ କି ମେସିନମେଡ୍‍ ସେ ସମ୍ବନ୍ଧରେ ମଧ୍ୟ ସନ୍ଦେହ ଜନ୍ମେ । ଆହୁରି ମଧ୍ୟ ପ୍ରଶ୍ନ ଉଠେ ଯେ ମଣିଷ ତିଆରି କଲା ବେଳକୁ ବିନ୍ଧାଣୀ ଯନ୍ତ୍ରପାତି ଖଞ୍ଜି ଦେଲା ପରେ ସେ ଭିତରେ ନିଜେ ବସି ତା’କୁ ଚଳାଏ, କୌଣସି ଡ୍ରାଇଭରଟିଏ ବସାଇଦିଏ କିମ୍ବା ହେଣ୍ଡେଲ ମାରି ଷ୍ଟାର୍ଟ କଲାକ୍ଷଣି ନୁଆ ମଣିଷ ଫୁଟ୍‌ ଫୁଟ୍‌ ଆରମ୍ଭ କରିଦେଲେ ତା’କୁ ସେମିତି ଛାଡ଼ିଦିଏ ।

 

ଯେଉଁମାନେ ହେଣ୍ଡେଲ୍‌ ଷ୍ଟାର୍ଟରେ ବିଶ୍ୱାସୀ, ସେମାନଙ୍କ ମତରେ ଷ୍ଟାର୍ଟ ବନ୍ଦ ହୋଇଗଲେ ମଣିଷ ମରିଯାଏ; ଆଉ ମରିଗଲା ପରେ ମଣିଷର ଆଉ କୌଣସି ଅସ୍ତିତ୍ୱ ରହେନି କିନ୍ତୁ ମଣିଷ ଭିତରେ ‘ମୁଁ’ ଗୋଟାଏ ବସି ତର୍ଜନ ଗର୍ଜନ କରୁଥିବାରୁ ମନେ ହୁଏ ଯେ ବିନ୍ଧାଣୀ କୌଣସି ଗୋଟିଏ ଡ୍ରାଇଭର ବସାଇ ଦେଉଛି ଆଉ ସେ ଡ୍ରାଇଭର ହିଁ ମଣିଷକୁ ଏପଟ ସେପଟ ଘୋଷାରି ବୁଲୁଛି ଓ ମଣିଷ କୌଣସି କାରଣରୁ ଭାଙ୍ଗି ରୁଜି ଗଲେ କିମ୍ବା ମରିଗଲେ ଏ ଅଦୃଶ୍ୟ ଡ୍ରାଇଭର ମଣିଷ ଦେହରୁ ବାହାରି ଆସୁଛି । ଡ୍ରାଇଭରଟି ବିନ୍ଧାଣୀଙ୍କ ଦ୍ୱାରା ନିଯୁକ୍ତ ହୋଇଥିବାରୁ ଓ ତାଙ୍କ ଆଦେଶ ମାନୁଥିଲେ ମଧ୍ୟ ସେ ଜୀବାତ୍ମା ରୂପରେ ସ୍ୱତନ୍ତ୍ର ବୋଲି କେହି କେହି କହନ୍ତି । କାହାରି କାହାରି ମତରେ କିନ୍ତୁ ବିନ୍ଧାଣୀ ଓ ଡ୍ରାଇଭର ଏକ ଓ ଅଭିନ୍ନ ।

 

ବୈଜ୍ଞାନିକ ନିଉଟନ୍‌ ପ୍ରମାଣ କରି ଦେଇଗଲେ ଯେ ବସ୍ତୁ ସ୍ଥିତାବସ୍ଥାରେ ହିଁ ଥାଏ ଓ କୌଣସି ବାହ୍ୟ ଶକ୍ତିର ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ସେହି ସ୍ଥିତାବସ୍ଥାରେ ହିଁ ରହେ । ଆମ ପୃଥିବୀ ନିଜେ ଗୋଟିଏ ନଟୁ ପରି, ନିଜ ଅକ୍ଷର ଚାରିପଟେ ନିତି ଦିନ ଘୂରୁଛି ଓ ସୂର୍ଯ୍ୟଙ୍କ ଚାରିଆଡ଼େ ରୀତିମତ ପରିକ୍ରମା କରି ବୁଲୁଛି । ଏ ପୃଥିବୀକୁ କିଏ ପ୍ରଥମେ ନଟୁ କରି ଘୂରାଇଲା ? କୌଣସି ଡ୍ରାଇଭର ଯଦି ନାହିଁ–ତେବେ ପୃଥିବୀ କକ୍ଷଚ୍ୟୁତ ହୋଇ ଅନ୍ୟ କୌଣସି ଗ୍ରହରେ ଧକ୍‍କା ଲାଗିବନି ତ ? ମଣିଷ ପ୍ରମାଣ କରି କହେ ଯେ ବିଶ୍ୱବ୍ରହ୍ମାଣ୍ଡରେ ଏପରି କୋଟି କୋଟି ପୃଥିବୀ ଘୂରି ବୁଲୁଛନ୍ତି-। ଏ ସମସ୍ତେ କାହାର ଆଦେଶ ନ ମାନି ଯଦି ନିଜ ଇଚ୍ଛାରେ ଘୂରି ବୁଲିବେ ତେବେ ତାଙ୍କ ଭିତରେ ସଂଘର୍ଷ ହେବ ନାହିଁ କି ? ପରମାଣୁ ଭିତରେ ଏତେ ଶକ୍ତି କିଏ ଠୁଳ କଲା ? ଏପରି ପ୍ରଶ୍ନ ଓ ଆହୁରି ଅନେକ ଅନେକ ପ୍ରଶ୍ନ ମନ ଭିତରେ ସ୍ୱତଃ ଜାଗି ଉଠେ ।

 

କିଏ ଏସବୁ କାରସାଦି କରୁଛି ତହିଁର ସିଦ୍ଧାନ୍ତ ସମ୍ବନ୍ଧରେ ସମସ୍ତେ ଏକମତ ନୁହନ୍ତି । ଅନେକ ବିଶ୍ୱାସ କରନ୍ତି ଯେ ଋଷିଆର ବୈଜ୍ଞାନିକମାନେ ଯେପରି କୌଣସି ମଣିଷ ବସି ନ ଥିବା ସ୍ପୁଟନିକ୍‌ ଯାନକୁ ଚନ୍ଦ୍ରରେ ଓହ୍ଲାଇ ଦେଇ ପୃଥିବୀରୁ ସେ ଯାନକୁ ନିୟନ୍ତ୍ରଣ କରି ଚନ୍ଦ୍ରର ମାଟି ଖୋଳାଇ ପାରିଛନ୍ତି ସେପରି ଜଣେ ସର୍ବଜ୍ଞ ଓ ସର୍ବଶ୍ରେଷ୍ଠ ବୈଜ୍ଞାନିକ ଦୁରରୁ ସବୁ ଗ୍ରହ ନକ୍ଷତ୍ର, ଜୀବ ନିର୍ଜୀବ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି । ସେମାନଙ୍କ ମତରେ ଏହି ବୈଜ୍ଞାନିକ ହିଁ ମଣିଷ ତିଆରି କରୁଥିବା ସେଇ ବିନ୍ଧାଣୀ । ସେମାନେ ପୁଣି କହନ୍ତି ଯେ ସେଇ ବିନ୍ଧାଣୀ ନିଜେ ହିଁ ସବୁ ଆଖି, ସବୁ କାନ, ସବୁ ନାକ, ସବୁ ଶକ୍ତି, ସବୁ ସାମର୍ଥ୍ୟ, ସବୁ ଡ୍ରାଇଭର ଆଉ ସବୁ ସବୁ–ଏକ ଏବଂ ଅନେକ ।

 

ସବୁଠାରେ ପୂରି ରହିଥିବାରୁ ସେ ଯେତେ ଦୂରରେ ସେତେ ନିକଟରେ ମଧ୍ୟ । ସାକାର ଓ ନିରାକାର ।

 

ଜଣେ ଯଦି ସବୁ ନିୟନ୍ତ୍ରଣ କରେ ଆଉ ସମସ୍ତଙ୍କର ମାଲିକ ହୁଏ, ତେବେ ସେ ନିଶ୍ଚୟ ସବୁଠାରୁ ବଡ଼ ପୁଞ୍ଜିବାଦୀ, ଏହା ଭାବି ପୁଞ୍ଜିବାଦ ବିରୋଧୀମାନେ ଏପରି କୌଣସି ବିନ୍ଧାଣୀର ଅସ୍ତିତ୍ୱ ସ୍ୱୀକାର କରନ୍ତି ନାହିଁ । ସେମାନଙ୍କ ମତରେ ଏସବୁ ପ୍ରକୃତି ବୋଲି ଗୋଟିଏ ସମାଜବାଦୀ ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ

 

ତେବେ କମ୍ପାନୀ କିମ୍ବା ସମବାୟ ସଂସ୍ଥାଟିଏ ରହିଲେ ମଧ୍ୟ ତହିଁର ଜଣେ ପରିଚାଳକ ବା ଡାଇରେକ୍ଟର ଦରକାର । ସେ ବିନ୍ଧାଣୀ ତେଣୁ ଜଣେ ଡାଇରେକ୍ଟର ରୂପରେ ପୁଣି ଥରେ ଦେଖା ଦିଅନ୍ତି ।

 

ଏ ସବୁ ଭାବନା ଭୀଷଣ ଗୋଳମାଳିଆ । ସାଧାରଣ ମଣିଷ ତେଣୁ ଏ ଚିନ୍ତାରୁ ଦୂରେଇ ରହିବାକୁ ଚାହେ ।

 

ଗୋଟିଏ କଥା କିନ୍ତୁ ନିଶ୍ଚିତ । ବେଟେରୀ, କାରବୁରେଟର, ଏ, ସି, ପମ୍ପ ପରି କୌଣସି ଅଂଶ କାମ ନ କଲେ ମଟର ଗାଡ଼ି ଯେପରି ବନ୍ଦ ହୋଇଯାଏ ଆଉ ସେପରି ଗୋଟିଏ ନୂଆ ଜିନିଷ ଆଣି ଖଞ୍ଜି ଦେଲେ ପୁଣି ଥରେ ଚାଲେ–ମଣିଷ ଭିତରର ଅନେକ କଳକବ୍‌ଜା ଏପରି ଯେ ସେଥିରୁ ଗୋଟିଏ ଖରାପ ହୋଇଗଲେ ମଧ୍ୟ ମଣିଷ ଚିରଦିନ ପାଇଁ ଅକାମୀ ହୋଇଯାଏ–ଥରେ ବନ୍ଦ ହୋଇଗଲେ ତା’କୁ ଆଉ ଥରେ ଚାଲୁ କରି ହୁଏ ନାହିଁ । ଅନ୍ୟ କେଉଁଠାରୁ ସେପରି ଖଣ୍ଡିଏ କଳକବ୍‌ଜା ଆଣି ଅକାମୀ କଳକବ୍‌ଜା ବଦଳରେ ତା’କୁ ଖଞ୍ଜି ହୁଏ ନାହିଁ–କେବଳ ସାମାନ୍ୟ ମରାମତି କରିହୁଏ ଯାହା ।

 

କିନ୍ତୁ ସେ ମରାମତି ମଧ୍ୟ ଅତ୍ୟନ୍ତ କଷ୍ଟପ୍ରଦ । ସେତିକିବେଳେ ଅସହାୟ ମଣିଷ ବିକଳରେ ତା’ର ବାପା ମା’ଙ୍କୁ ଡାକେ–କିଛି ସାହାଯ୍ୟ ସାନ୍ତ୍ୱନା ପାଇବା ଆଶାରେ ଓ ମାନସିକ ଶାନ୍ତି ପାଇଁ ସାଥୀ ସହୋଦରଙ୍କ ସାନ୍ନିଧ୍ୟ ଲୋଡ଼େ । କିଂକର୍ତ୍ତବ୍ୟବିମୂଢ଼ ବାପା ମା’ ପୁଅ ଝିଅର କଷ୍ଟ ଦେଖି ନିଃସହାୟ ଭାବରେ ସେହି ବିନ୍ଧାଣୀଙ୍କୁ ହିଁ ସେତେବେଳେ ମନେ ପକାନ୍ତି–କାକୁତି ମିନତି କରି ତାଙ୍କର ଦୟାଭିକ୍ଷା କରନ୍ତି–ତାଙ୍କର ବନ୍ଦନା ଗାନ କରନ୍ତି ।

 

ମହାଭାରତର ଗୋଟିଏ ସୁନ୍ଦର ଆଖ୍ୟାନ ଏଠାରେ ମନେପଡ଼େ ।

 

ପିତୃହୀନ ତଥା ସହାୟ ଓ ସମ୍ବଳହୀନ ପାଞ୍ଚୋଟି ସାନ ସାନ ପିଲାଙ୍କୁ ନେଇ ମା କୁନ୍ତୀ ଯେତେବେଳେ ହସ୍ତିନାରେ ଧୃତରାଷ୍ଟ୍ରଙ୍କ ଆଶ୍ରୟ ନେଲେ କୌରବ ଓ ସେମାନଙ୍କ ଖଳ ପ୍ରକୃତିର ବନ୍ଧୁମାନଙ୍କ ଚକ୍ରାନ୍ତରେ ତାଙ୍କ ପୁଅଙ୍କ ଜୀବନ ଯେ ସଙ୍କଟାପନ୍ନ ସେ କଥା ସେ ଶୀଘ୍ର ଜାଣି ପାରିଥିଲେ । ଭଗବାନ ହିଁ କେବଳ ତାଙ୍କର ସହାୟ ବୋଲି କହି ବିଦୂର ତାଙ୍କୁ ବାସୁଦେବ ଶ୍ରୀକୃଷ୍ଣଙ୍କ ସାହାଯ୍ୟ ଭିକ୍ଷା ପାଇଁ ପରାମର୍ଶ ଦେଲେ । ଶ୍ରୀକୃଷ୍ଣ କୁନ୍ତୀଙ୍କ ଭଣଜା–ବୟସରେ ଯୁଧିଷ୍ଠିରଙ୍କ ଠାରୁ ସାନ–ତଥାପି ପରମ ଭକ୍ତ ବିଦୁରଙ୍କ କଥାରେ ବିଶ୍ୱାସ ରଖି କୁନ୍ତୀ ସେହି ଶ୍ରୀକୃଷ୍ଣଙ୍କର ହିଁ ସ୍ନେହ ଭିକ୍ଷା କଲେ । ଶ୍ରୀକୃଷ୍ଣ ହେଲେ ପାଣ୍ଡବଙ୍କ ସଖା ।

 

ମହାଭାରତ ଯୁଦ୍ଧ ଶେଷ ହୋଇ ସାରିଥିଲା । ଅର୍ଜୁନଙ୍କ ସାରଥୀ ଶ୍ରୀକୃଷ୍ଣ ଏଥର ଦ୍ୱାରକାକୁ ଫେରିଯିବେ– ବିଦାୟ ନେବା ଉଦ୍ଦେଶ୍ୟରେ କୁନ୍ତୀଙ୍କୁ ପାଖକୁ ଗଲେ । ଜତୁଗୃହ ଦାହ, ପାଣ୍ଡବଙ୍କ ବନବାସ, ଦ୍ରୌପଦୀଙ୍କ ଅପମାନ, ଅଜ୍ଞାତ ବନବାସ, ମହାଭାରତ ଯୁଦ୍ଧ ଓ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଜୟଦ୍ରଥଙ୍କ ପଣ–ସବୁ ଗୋଟି ଗୋଟି କରି ମନେ ପକାଇ କୁନ୍ତୀ ଲୁହ ଛଳ ଛଳ ଆଖିରେ କହିଲେ ‘‘କୃଷ୍ଣ, ତୁ ଯିବୁ ଯଦି ଯା’–ଥରେ ଏମିତି ଯଶୋଦା ପାଖରୁ ଗଲୁ ଯେ ତା’ ପାଖକୁ ଆଉ ଫେରିଲୁନି । ଏବେ ଦ୍ୱାରକାକୁ ଯିବୁ–ମୋତେ ବି ପାଶୋରି ଦେବୁ । ତୁ ଯିବା ଆଗରୁ ଏତିକି ଖାଲି ପ୍ରତିଶ୍ରୁତି ଦେଇ ଯା ଯେ ମୁଁ ଜନ୍ମ ଜନ୍ମାନ୍ତରେ ଚିରଦିନ ସହାୟହୀନ ଓ ସମ୍ବଳହୀନ ହୋଇ ରହେ, ଯାହା ଫଳରେ ମୁଁ ତୋତେ ଯେପରି କେତେବେଳେ ବି ପାଶୋରି ନ ଯାଏଁ । ମୋ ପୁଅଙ୍କ ପାଇଁ ତୋ ଅର୍ଜିତ ସାମ୍ରାଜ୍ୟ ଓ ହସ୍ତିନାପୁରର ଐଶ୍ୱର୍ଯ୍ୟ ମୋତେ ତୋର ସାନ୍ନିଧ୍ୟରୁ ବଞ୍ଚିତ ନ କରୁ ।’’

 

ସୁଖବେଳେ ଯିଏ ଭଗବାନଙ୍କ ଅସ୍ତିତ୍ୱ ମଧ୍ୟ ସ୍ୱୀକାର କରେନି ଦୁଃଖବେଳେ ସେହି ମଣିଷ ତାଙ୍କୁ ହିଁ ପିତାମାତା ବନ୍ଧୁ ସଖା ବୋଲି ଏକମାତ୍ର ଭରସା ଜ୍ଞାନରେ ତାଙ୍କର ସାନ୍ନିଧ୍ୟ ଖୋଜେ-। ଦୁଃଖ ଯାଇ ସୁଖ ଆସିଲେ ପୁଣି ସେହି ଭଗବାନଙ୍କୁ ଭୁଲିଯାଏ ।

 

ମିଠା ଜିନିଷ ଖାଇବାକୁ ନ ଦେଇ ଦେହର ହିତ ନିମନ୍ତେ ପିତା ଜିନିଷ ଖାଇବାକୁ ଦେଲେ ଛୁଆମାନେ ଯେମିତି ମା’କୁ ରାଗନ୍ତି–ସୁଖ ନ ଦେଇ ଦୁଃଖ ଦେଲେ ମଣିଷ ବି ବେଳେବେଳେ ତା’ ସ୍ରଷ୍ଟାଙ୍କ ଉପରେ ବିରକ୍ତ ହୁଏ–ତାଙ୍କୁ ଅସ୍ୱୀକାର କରେ

 

ପୁଅଝିଅ ତାଙ୍କର ମଉଜ ମଜଲିସ୍‌ରେ ମତ୍ତ ରହି ବାପା ମା’ଙ୍କୁ ଭୁଲି ଯାଉଥିଲେ ହେଁ ଓ ବେଳେବେଳେ କଟୁ କଥା କହୁଥିଲେ ମଧ୍ୟ ବାପା ମା’ ଯେପରି ସବୁବେଳେ ପୁଅ ଝିଅଙ୍କ ମଙ୍ଗଳ ଚାହାନ୍ତି ଓ ସେମାନଙ୍କ ଦୁଃଖ କଷ୍ଟ ସହିପାରନ୍ତିନି ମଣିଷ ଭଗବାନଙ୍କୁ ସୃଷ୍ଟି କରିଛି ବୋଲି କହି ତାଚ୍ଛଲ୍ୟ କଲେ ମଧ୍ୟ ମଣିଷର ସ୍ରଷ୍ଟା ମଣିଷର ମଙ୍ଗଳ ହିଁ ନିଶ୍ଚୟ ଚାହୁଁଥିବେ ।

Image

 

ଅମୃତର ସନ୍ତାନ

 

ମନେହୁଏ ଯେ ପ୍ରତ୍ୟେକ ମଣିଷର ମୁଣ୍ଡରେ ମଝିରେ ମଝିରେ ତେନ୍ତୁଳିଆ ବିଛା କାମୁଡ଼େ, ଆଉ ସେ ଅଦା ବେପାରୀ ହୋଇ ବି ଜାହାଜର ଖବର ନେବାକୁ ବାଧ୍ୟ ହୁଏ–ଦରକାର ନ ଥାଇ କେତେ ବିଷୟରେ ଅଯଥା ମୁଣ୍ଡ ଘୂରାଏ ।

 

ସମୟ ସମୟରେ ବହି ପଢ଼ୁପଢ଼ୁ କିମ୍ବା କୌଣସି ବିଷୟରେ ଚିନ୍ତା କରୁ କରୁଁ ହଠାତ୍‌ କିଏ ଜଣେ ଅତର୍କିତ ଭାବରେ ବିନା ନୋଟିସରେ ମନ ଭିତରେ ଉଙ୍କି ମାରି ପଚାରି ଦିଏ ‘କୁକୁଡ଼ା ଆଗ ନା ଅଣ୍ଡା ଆଗ ?’

 

ଏପରି ଅକାରଣ ଓ ଉଦ୍ଭଟ ଚିନ୍ତାକୁ ମନରୁ ଜୋର ଜବରଦସ୍ତି ଠେଲିଦେଇ ମଣିଷ ପୁଣି ଯେତେବେଳେ ପଢ଼ାରେ କିମ୍ବା ନିଜର ଅନ୍ୟ ଚିନ୍ତାରେ ମନ ଲଗାଇବାକୁ ଚେଷ୍ଟା କରେ ମୁଣ୍ଡ ଭିତରର କେଉଁ ଗୋଟାଏ ଅଜ୍ଞାତ କୋଣରୁ କୁକୁଡ଼ା ବାହାରି ପଡ଼ି ଚିତ୍କାର କରି ଉଠେ–‘ମୁଁ ନ ଥିଲେ ଅଣ୍ଡା ଆସନ୍ତା କୁଆଡ଼ୁ ?’ ଅନ୍ୟ ଦିଗରୁ ୱାଲ୍‌ଟ ଡିସନେଙ୍କ କାର୍ଟୁନ ପରି ଅଣ୍ଡାଟିଏ ଦି’ ଫାଳ ହୋଇଯାଏ ଆଉ ସେ ଭିତରୁ ଚିଆଁଟିଏ ବାହାରି ଜବାବ ଦିଏ ‘ଅଣ୍ଡା ଆଗ ନ ଥିଲା ତ ତମେ ଆସିଲ କୁଆଡ଼ୁ ?’

 

ମଣିଷ ଜୋରରେ ଆଖି ମକଚି ମୁଣ୍ଡ ଝୁଣି ଦେଇ ପୁଣି ତା’ର ସଂସାରକୁ ଫେରି ଆସେ ଓ ନିଜେ ନିଜକୁ ବୁଝାଇବାକୁ ବ୍ୟର୍ଥ ଚେଷ୍ଟା କରେ ଯେ କୁକୁଡ଼ା ଆଗ ହେଲେ ବା ଅଣ୍ଡା ଆଗ ହେଲେ ତା’ର ଯାଏ ଆସେ କ’ଣ ?

 

ମଜା କଥା ଏଇ ଯେ ଅନ୍ୟ ଜଣେ ଏପରି ଉଦ୍ଭଟ ଚିନ୍ତା କରୁଥିବା ଶୁଣିଲେ ହସ ମାଡ଼େ, ଆଉ ଏହା ତାହାର ପାଗଳାମି ବୋଲି ମନେ ହୁଏ । ତଥାପି ପ୍ରତ୍ୟେକ ମଣିଷ ନିଜ ଅଜାଣତରେ ନିଜେ ସେମିତି ପାଗଳାମି କରେ ।

 

ଯେଉଁମାନେ ଏପରି ଚିନ୍ତାକୁ ଦର୍ଶନ ସାଙ୍ଗରେ ଯୋଡ଼ି ଦେବାକୁ ଚେଷ୍ଟା କରନ୍ତି ସେମାନେ ବୋଧହୁଏ ଭୁଲ କରନ୍ତି । ଚାଉଳ, ଡାଲି, ଲୁଣର ଚିନ୍ତାରେ ଘାଣ୍ଟି ହେଉଥିବା ମଣିଷ ପାଇଁ ଏ ରକମର ଚିନ୍ତା ଅସାଂସାରିକ ବୋଲି ମନେ ହେଉଥିଲେ ହେଁ ସାହିତ୍ୟ ନୃତ୍ୟ, ଗୀତ ଓ ବିଭିନ୍ନ କଳାର ବିକାଶ ଯେପରି ସଭ୍ୟତାର ଗୋଟିଏ ମାପକାଠି, ଏ ରକମର ଚିନ୍ତାଧାରା ବୋଧହୁଏ ଠିକ୍‌ ସେପରି–ମେରୁ ପ୍ରଦକ୍ଷିଣ ଓ ଏଭାରେଷ୍ଟ ଆରୋହଣ ପରି ଅଜଣାର ସନ୍ଧାନରେ ଦୁଃସାହସିକ ପଦକ୍ଷେପ । ଏପରି ଚିନ୍ତା ମଣିଷର ଜୀବନ ସାଙ୍ଗରେ ନିବିଡ଼ ଭାବରେ ଜଡ଼ିତ ପରି ମନେ ହୁଏ । ତେଣୁ ଏହାକୁ ଦର୍ଶନର କୌଣସି ଦୃଷ୍ଟି ଭଙ୍ଗୀ ବୋଲି କୁହାଯାଇ ନ ପାରେ–ଏହା ମଣିଷର ଜୀବନ ଚିନ୍ତା, ମନୁଷ୍ୟ ମନର ସ୍ୱାଭାବିକ ପରିପ୍ରକାଶ । ଏହା ବୋଧହୁଏ ମନୁଷ୍ୟ ସୃଷ୍ଟିର ବିଶେଷତ୍ୱ ।

 

‘ମଣିଷ ଉପରକୁ ଉଠୁଛି ନା ଧୀରେ ଧୀରେ ତଳକୁ ଖସୁଛି’ ଏପରି ଗୋଟିଏ ଚିନ୍ତା ମଧ୍ୟ ମଣିଷର ଜୀବନ ଚିନ୍ତା ବୋଲି ଧରି ନିଆଯାଇପାରେ ।

 

ଆମ ସାଙ୍ଗସାଥୀଙ୍କ ମତରେ ଆଜିକାଲିକା ପିଲା ସବୁ ଧୀରେ ଧୀରେ ତଳକୁ ଖସୁଛନ୍ତି-। ଆମ ବାପା ଓ ତାଙ୍କ ସାଙ୍ଗସାଥୀମାନଙ୍କ ଆଖିରେ ଆମେମାନେ ବି ଠିକ୍‌ ସେମିତି ତଳକୁ ଖସୁଥିଲୁଁ–ଆଉ ଆମ ଅଜା ପଣଅଜା ମଧ୍ୟ ବାପାଙ୍କ ଓ ତାଙ୍କ ସାଙ୍ଗସାଥୀମାନଙ୍କ ବିଷୟରେ ଠିକ୍‌ ସେପରି ମନ୍ତବ୍ୟ ଦେଉଥିଲେ । ଏ ସବୁ ଯଦି ସତ, ତେବେ ମଣିଷ ସମାଜ ପୁରୁଷାନୁକ୍ରମେ ତଳକୁ ଖସୁଛି ?

 

ଋଷ ଦେଶୀୟ ଗୋଟିଏ ବିଖ୍ୟାତ ଗପ ମଧ୍ୟ ସେ ରକମର ସୂଚନା ଦିଏ । ସେ ଗପର ସାର କଥାଟିକୁ ନିଜ ଢଙ୍ଗରେ ଏଠାରେ କୁହାଯାଇପାରେ–

 

ନବାବଙ୍କ ପାଦତଳେ ଅଣ୍ଡା ପରି କୌଣସି ଗୋଟିଏ ଜିନିଷ ଥୋଇଦେଇ କୁର୍ଣ୍ଣିସ୍‌ କରି କରି ପଛକୁ ଘୁଞ୍ଚି ଯାଉଁ ଯାଉଁ ହୋସେନ ମିଆଁ କହିଲା–‘ହଜୁର, ଆମ ଘର ବଗିଚାରେ ମାଟି ଖୋଳୁ ଖୋଳୁ ଅଦ୍ଭୁତ ଜିନିଷଟି ପାଇଛି । ହଜୁର ଯାହା ଆଦେଶ ଦେବେ ।’

 

ଦରବାରରେ ଚହଳ ପଡ଼ିଗଲା । କେହି ଜଣେ କହିଲା ସେଇ ଜିନିଷଟି ଗୋଟିଏ ରକମର ଭାରତୀୟ ଗୁଆଫଳ । ଆଉ ଜଣେ କହିଲା ବାଦାମ । ପିୁଣି ଜଣେ ସବ୍‌ଜାନତା ହସି ହସି ମୁଣ୍ଡ ହଲାଇ କହିଲା–‘ସେଇଟା ଫଳ ନୁହେଁ, ସମୁଦ୍ରର ଗୋଟିଏ ଜୀବ–ଗେଣ୍ଡା ଓ ଶଙ୍ଖ ପରି–ଶୁଖି ଯାଇଛି ଯାହା ।’ ଅନ୍ୟମାନେ ଆଉ କେତେ କ’ଣ କହିଲେ । ଉଜିର୍‌ କିନ୍ତୁ ପରାମର୍ଶ ଦେଲେ ସେ ସହରର ସବୁଠାରୁ ବୁଢ଼ା ଗୁଲାମ ମହମ୍ମଦଙ୍କୁ ପଚାରିଲେ କଥାଟି ଠିକ୍‌ ଜଣା ପଡ଼ିଯିବ ।

 

ନବାବଙ୍କ ଆଦେଶମତେ ୮୦ ବର୍ଷ ବୟସରେ ଥରୁଥୁରୁ ବୁଢ଼ା ଗୁଲାମ ମହମ୍ମଦଙ୍କୁ ଦୁଇ ଜଣ ଟେକା ଟେକି କରି ଦରବାରକୁ ଆଣିଲେ । ଝାଆଁଳିଆ ଦିଶୁଥିବା ଆଖିରେ ଅଣ୍ଡାପରି ଜିନିଷଟିକୁ କିଛି ସମୟ ଅନାଇ ବୁଢ଼ା ମୁଣ୍ଡ ହଲାଇ କହିଲେ ଯେ ସେ ଚିହ୍ନିପାରୁ ନାହାନ୍ତି; ତାଙ୍କ ବାପା ବୋଧହୁଏ ଚିହ୍ନି ଦେବେ ।

 

ଗୁଲାମ ମହମ୍ମଦଙ୍କ ବାପା ଜୀବିତ ଥିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ଯଥା ସମୟରେ ଗୁଲାମଙ୍କ ବାପା ହନିଫ୍‌ ମିଆଁଙ୍କୁ ପାଖକୁ ଡକରା ଗଲା । ଗୋଟାଏ ମସ୍ତବଡ଼ ଠେଙ୍ଗା ଠୁକୁରୁ ଠୁକୁରୁ କରି କାହାର ଆଶ୍ରୟ ବିନା ମିଆଁ ସାହେବ ଦରବାରରେ ପହଞ୍ଚିଗଲେ ।

 

ହନିଫ୍ ଜିନିଷଟିକୁ କିଛି ସମୟ ପାଖରେ ସେପାଖ କରିସାରିଲା ପରେ କହିଲେ ଯେ ପିଲାଦିନେ ସେ ଏମିତି ଜିନିଷ ସବୁ ଦେଖିଥିଲେ, କିନ୍ତୁ ଠିକ୍ ଜିନିଷଟି କ’ଣ ସେ ଏବେ ଧରି ପାରୁ ନାହାନ୍ତି । ତେବେ ତାଙ୍କ ବାପାଙ୍କୁ ଡକାଇଲେ ସେ ନିଶ୍ଚେ କହିଦେବେ ।

 

ହନିଫ୍‍ଙ୍କ ବାପା ଜୀବିତ, ଏ କଥା ଶୁଣି ସମସ୍ତେ ହତବାକ୍‍ ହୋଇଗଲେ । ଡାକରା ପାଇ ହଫିଜ୍‌ ମିଆଁ ଯେତେବେଳେ ହସି ହସି ବଡ଼ ବଡ଼ ପାହୁଣ୍ଡ ପକାଇ ଦରବାରକୁ ପଶି ଆସିଲେ ସମସ୍ତେ ନିର୍ବାକ ବିସ୍ମୟରେ ତାଙ୍କ ଆଡ଼କୁ ଅନାଇ ରହିଲେ । କହରା କହରା ନିଶ, ଦାଢ଼ିର ଗୋଟିଏ ଅଧେ ବାଳ ପାଚିଛି । ଆଖି ଦିଓଟି ସତେ ଯେମିତି ଜଳୁଛି । ମିଆଁ ସାହେବ ଜିନିଷଟିକୁ ଥରେ ଦେଖି ନେଇ ଆଶ୍ଚର୍ଯ୍ୟ ହୋଇ କହିଲେ ‘ଆରେ, ଏ ତ ଆମ କାଳର ଗହମ, କୋଉଠୁ ମିଳିଲା ?’

 

ପୁଅ, ବାପ ଓ ଅଜାଙ୍କୁ ଦେଖି ସମୟର ଗତି ସଙ୍ଗେ ସଙ୍ଗେ ମଣିଷ କେମିତି ଧୀରେ ଧୀରେ ଦୁର୍ବଳ ଓ ଅସହାୟ ହୋଇ ପଡ଼ୁଛନ୍ତି ସମସ୍ତେ ସେଦିନ ବୁଝି ପାରିଥିଲେ ।

 

ପୁରାଣ କଥାରୁ ମଧ୍ୟ ସେପରି ଅନୁମାନ ହୁଏ । କୁହାଯାଏ ଯେ ସୃଷ୍ଟିର ଆରମ୍ଭରେ ଭଗବାନଙ୍କ ନାଭି କମଳରୁ ବ୍ରହ୍ମାଙ୍କ ଉତ୍ପତ୍ତି ହେଲା । ବ୍ରହ୍ମାଙ୍କ ଠାରୁ ଦକ୍ଷ ପ୍ରଜାପତି ଓ ପ୍ରଜାପତିଙ୍କ ଠାରୁ ଋଷିମାନଙ୍କର ଜନ୍ମ । ଆମେ ସମସ୍ତେ ଏହି ଋଷିମାନଙ୍କର ବଂଶଧର ବୋଲି ଶୁଣାଯାଏ । ସମୟର ଗତି ସଙ୍ଗେ ସଙ୍ଗେ ପୁରୁଷାନୁକ୍ରମେ ଆମେ ସବୁ ବୋଧହୁଏ ତଳକୁ ଖସୁଛି–ପାଣିଚିଆ ହୋଇ ଯାଉଛୁ–ଗାଈ ପାଖରୁ ଗୋଆଲା ଜରିଆରେ ଘରେ ପହଞ୍ଚିଲା ବେଳକୁ ଦୁଧର ଅବସ୍ଥା ଯେପରି ହୋଇଥାଏ ସେ ନ୍ୟାୟରେ–ହୋମିଓପ୍ୟାଥି ଔଷଧର ପୋଟେନ୍‌ସ ନ୍ୟାୟରେ ନୁହେଁ ।

 

ଅନ୍ୟ କେତେ ପଣ୍ଡିତ କିନ୍ତୁ ଭିନ୍ନ ରକମର ମତ ଦିଅନ୍ତି । ସେମାନଙ୍କ ଭିତରୁ କେତେ କହନ୍ତି ଯେ ଆମ ପିତୃ ପିତାମହ କୁଆଡ଼େ ମାଙ୍କଡ଼ ଥିଲେ । ତାଙ୍କ ପିତୃ ପିତାମହ ପୁଣି କ’ଣ ଥିଲେ ଯେ ବିଷୟରେ କିଛି ନ କହିଲେ ହିଁ ଭଲ । ଏମାନଙ୍କ ମତରେ ମଣିଷ ଆଗେଇ ଚାଲିଛି । ତା’ର ମନ ବିଶାଳ ହୋଇ ଉଠିଛି । ବୁଦ୍ଧି ବଳରେ ସେ ନାନା ଗ୍ରହ, ଉପଗ୍ରହ ଉପରେ ପାଦ ଦେବାକୁ ବସିଲାଣି । ସେ ଉପରକୁ ଉଠିବାରେ ଲାଗିଛି, ଆଉ ଧାପେ ବାଟ ଗଲେ ଅତିମାନବ ହୋଇଯିବ–ଦେବତା ପାଲଟିଯିବ ।

 

ଏ ଦିଓଟି ପରସ୍ପର ବିରୋଧୀ ମାର୍ଗରେ ଆମ ପରି ସାଧାରଣ ମଣିଷ ବାଟବଣା ହୋଇଯାଏ । ଠିକ୍‌ ବାଟ କେଉଁଠି ଦରାଣ୍ଡିଲା ବେଳକୁ ଆଉ ଗୋଟିଏ ନୂଆ ବାଟ ହାବୁଡ଼ି ଯାଏ ।

 

ହଜାର ହଜାର ବର୍ଷ ପୂର୍ବରେ ପ୍ରାକ୍ ଐତିହାସିକ ଯୁଗରେ ବଶିଷ୍ଠ, ବିଶ୍ୱାମିତ୍ରଙ୍କ ପରି ଋଷିମାନେ ଯେପରି ଦେଖା ଦେଇଥିଲେ ବାଲ୍ମିକୀ ଓ ବ୍ୟାସଦେବଙ୍କ ପରି ମହାକବିମାନେ ଯେପରି ଜନ୍ମ ନେଇଥିଲେ, ସେପରି ଐତିହାସିକ ଯୁଗରେ ବୁଦ୍ଧି, ମହାବୀର, ଯୀଶୁଖ୍ରୀଷ୍ଟ ଓ ମହମ୍ମଦଙ୍କ ସାଙ୍ଗରେ ଶଙ୍କରାଚାର୍ଯ୍ୟ, ନାନକ, ଚୈତନ୍ୟ ଓ କାଳିଦାସ ପ୍ରଭୃତିଙ୍କୁ ଦେଖିବାକୁ ମିଳେ ଆଧୁନିକ ଯୁଗରେ ମଧ୍ୟ ଆମେ ରାମକୃଷ୍ଣ ପରମହଂସ, ବିବେକାନନ୍ଦ, ଗାନ୍ଧୀଜୀ, ଅରବିନ୍ଦ ରବୀନ୍ଦ୍ରନାଥ ତଥା ଗୋପବନ୍ଧୁ ପ୍ରଭୃତିଙ୍କୁ ଦେଖିବାକୁ ପାଉ ।

 

ଏଥିରୁ ମନେ ହୁଏ ଯେ ଅନନ୍ତ କାଳରୁ ହିଁ ମଣିଷ ଭିତରେ ଅତିମାନବ ଓ ମହାମାନବର ସନ୍ଧାନ ମିଳି ଆସିଛି । ଆଉ ସେ ଭିତରେ ରାବଣ ଓ କଂସ ପରି ରକ୍ତ ପିପାସୁ ଚେଙ୍ଗିଜ୍‌ ଖାଁ, ହିଟଲର ଓ ୟାହିୟା ମଧ୍ୟ ଦେଖା ଦେଇଛନ୍ତି । ପ୍ରତ୍ୟେକ ଯୁଗରେ ମଣିଷ ଭିତରେ ଦେବତା ଓ ପିଶାଚର ଆବିର୍ଭାବ ହୋଇଛି । ସେଥିରୁ ହିଁ ଅନୁମାନ ହୁଏ ଯେ ମଣିଷ ସବୁ ଦିନ ସେହି ମଣିଷ ହୋଇ ରହିଛି–ତା’ର ଉତ୍‍ଥାନ ଯେପରି ହୋଇଛି, ପତନ ମଧ୍ୟ ଠିକ୍‌ ସେପରି ହୋଇଛି । ତେଣୁ ସେ ଉପରକୁ ଉଠି ନାହିଁ କି ତଳକୁ ବି ଖସି ନାହିଁ । କେବଳ କେତେବେଳେ କେଉଁ ରୂପରେ ଦେଖା ଦେଇଛି କେତେବେଳେ ଦେବତା ତ ଅନ୍ୟ କେତେବେଳେ ପିଶାଚ, ନରରାକ୍ଷସ ।

 

ପଶୁତ୍ୱ ଓ ଦେବତ୍ୱ ବୋଧହୁଏ ଗୋଟିଏ ମନୁଷ୍ୟର ଦୁଇପାଖ । ଯିଏ ଦସ୍ୟୁରତ୍ନାକର ସିଏ ହିଁ ମହାକବି ବାଲ୍ମିକୀ–ଯିଏ ସୁଦର୍ଶନ କୋମଳହୃଦୟ ଡ: ଜେକିଲ, ସିଏ ହିଁ ଭୟଙ୍କର ରୂପୀ କଠିନ ହୃଦୟ ନରହନ୍ତା ମିଷ୍ଟର ହାଇଡ୍‍

 

ମଣିଷ ଯେତେବେଳେ ନିଜ ମନରୁ ପାଶବିକ ଚିନ୍ତାଧାରା ସବୁକୁ ଦୂରକରି ଦେବାରେ ସକ୍ଷମ ହୁଏ, ସେ ହୁଏ ଦେବତା, ଆଉ ଯେତେବେଳେ ସେ ଭୁଲିଯାଏ ସେ ଅମୃତର ସନ୍ତାନ, ଧୀରେ ଧୀରେ ସେ ତଳକୁ ଖସେ, ଶୟତାନର ରୂପ ନିଏ । ସେତେବେଳେ ପଶୁ ଓ ତା’ ଭିତରେ ଆଉ କିଛି ପ୍ରଭେଦ ରହେନି

 

ସମାଜରେ ସାଧାରଣ ନୈତିକତାର ଅଭାବ ଦେଖି ଅନେକ ସମୟରେ ଧାରଣା ହୁଏ ଯେ ଆଜିର ମଣିଷ ବୋଧହୁଏ ପଶୁ ପାଲଟି ଗଲାଣି ଏ ଧାରଣା କିନ୍ତୁ ସମ୍ପୂର୍ଣ୍ଣ ଭୁଲ ଯେହେତୁ ଆଜି ମଧ୍ୟ ପ୍ରତ୍ୟେକ ମନୁଷ୍ୟ ଭିତରେ ଦେବତ୍ୱ ଛପି ରହିଛି, ଆଉ, ସବୁଦିନ ପରି ଆଜି ବି ଆମରି ମଧ୍ୟରେ ମଣିଷ ରୂପୀ ଦେବତା ଅଛନ୍ତି । କେବଳ ଆମ ନିଜ ମୂଲ୍ୟବୋଧର ଅଭାବ ଯୋଗୁଁ ଆମେ ନିଜେ ନିଜକୁ ତଥା ସେମାନଙ୍କୁ ବୋଧହୁଏ ଠିକ୍‌ ଚିହ୍ନି ପାରୁନାହୁଁ ।

Image

 

ଶୁଣ ପରୀକ୍ଷ

ଧର୍ମ ଓ ମତବାଦ

 

ଇଂରେଜୀରେ ଗୋଟିଏ କଥା ଅଛି ଯେ ସାମାନ୍ୟ ଗୋଟିଏ କୁକୁରକୁ ଫାଶୀ ଦେବାକୁ ଚାହିଁଲେ ମଧ୍ୟ ଆଗ ତାର ବଦ୍‌ନାମ କରିବା ଉଚିତ୍‌ ।

 

କଥାଟି ଯେ ସମ୍ପୂର୍ଣ୍ଣ ନୀତିହୀନ ଏଥିରେ ସନ୍ଦେହ ନାହିଁ । ମଣିଷର କିନ୍ତୁ ଦୁର୍ଭାଗ୍ୟ ଯେ ଚିରକାଳ ମଣିଷ ସମାଜରେ ଏପରି ଗୋଷ୍ଠୀ ସବୁ ଦେଖା ଦେଇଛନ୍ତି । ଯେଉଁମାନେ ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ନୀତି ବାକ୍ୟର ଢାଙ୍କୁଣୀ ତଳେ ନୀତିହୀନ କାର୍ଯ୍ୟ ସବୁ କରି ଯାଆନ୍ତି । ତେଣୁ ଦୁନିଆରେ ଏ ଇଂରାଜୀ ଉକ୍ତିର କ୍ରିୟାତ୍ମକ ପ୍ରୟୋଗ ବହୁଳ ଭାବରେ ଦେଖିବାକୁ ମିଳେ । ସାମ୍ରାଜ୍ୟବାଦୀମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଦଣ୍ଡଦେବା ଆଗରୁ ସେମାନଙ୍କ ବିରୁଦ୍ଧରେ ନାନା ରକମର ଅପରାଧର ତାଲିକା ତିଆରି କରି ଯେପରି ଭାବରେ ଚରିତ୍ର ସଂହାର କରିବାକୁ ଚେଷ୍ଟା କରନ୍ତି ତାହା ଆମ ଦେଶର ପ୍ରାୟ ସମସ୍ତଙ୍କୁ ଜଣା । ଆଜି ମଧ୍ୟ ଏପରି ଭାବରେ କେହି କେହି ନିରୀହ ଲୋକ କ୍ଷମତାନ୍ଧ ବ୍ୟକ୍ତି ବିଶେଷଙ୍କ ଶୀକାର ହେଉଥିବା କଥା ଶୁଣାଯାଏ । ଏ ସମ୍ବନ୍ଧରେ ପୁରୁଣା ଅଥଚ ଚିରନୂତନ ସେହି ଗଧିଆ ଓ ମେଣ୍ଢା ଛୁଆର ଉପାଖ୍ୟାନଟି ମନେପଡ଼େ

 

ମେଣ୍ଢା ଛୁଆକୁ ଦେଖି ଗଧିଆର ପାଟିରୁ ଲାଳ ଗଡ଼ିବାକୁ ଆରମ୍ଭ କରିଥାଏ ନିରୀହ ମେଣ୍ଢା ଛୁଆକୁ ବିନା କାରଣରେ ସିଧାସଳଖ ଆକ୍ରମଣ କରି ଖାଇଯିବା ନୀତିହୀନ ଦେଖାଯିବ ବୋଲି ଭାବି ବୋଧହୁଏ ଗଧିଆ ତା’ର ସଚ୍ଚୋଟ ପଣିଆ ଦେଖାଇବାକୁ ଯାଇ ପ୍ରଥମରେ ଅଭିଯୋଗ କଲା ଯେ ସେ ପିଉଥିବା ପାଣିକୁ ମେଣ୍ଢାଛୁଆ ଗୋଳିଆ କରି ପକାଉଛି । ମେଣ୍ଢାଛୁଆଟି ଉତ୍ତର ଦେଲା–ସେ ତ ପାଣି ସୁଅର ତଳ ଆଡ଼କୁ ରହି ପାଣି ପିଉଛି, ଉପର ମୁଣ୍ଡରେ ଥିବା ଗଧିଆର ପାଣିକୁ ଗୋଳିଆ କରୁଛି କିପରି ?

 

ଯୁକ୍ତିଯୁକ୍ତ କଥା । ବିଷୟଟି ସେତିକିରେ ସରିଗଲାନି ଗଧିଆର ନୂତନ ଅଭିଯୋଗ ହେଲା ଯେ, ଏବେ ସିନା ସେ ଗୋଳିଆ କରୁନି, ଗଲାବର୍ଷ ଏତିକି ବେଳକୁ ଏମିତି ସେ କାହିଁକି ଗୋଳିଆ କରିଥିଲା ?

 

ମେଣ୍ଢା ଛୁଆଟି ଥରିଲା ଗଳାରେ ଜବାବ ଦେଲା–‘ମୁଁ ତ ଗଲାବର୍ଷ ଏ ବେଳକୁ ଜନ୍ମ ହିଁ ହୋଇନଥିଲି, ଆପଣଙ୍କ ପାଣି ଗୋଳିଆ କଲି କିପରି ?’

 

ଗଧିଆ ଏଥର ମୁହଁ ନେଫଡ଼ାଇ ରୁକ୍ଷ କର୍କଶ ସ୍ୱରରେ କହିଲା–‘ତୁ ଯଦି କରି ନ ଥିଲୁ ତେବେ ତୋର ମା’ ଗଲାବର୍ଷ ମୋ ପିଇବା ପାଣି ଗୋଳିଆ କରିଥିଲା ।’

 

ଏହାର ଆଉ କ’ଣ ଜବାବ ଅଛି ?

 

ତା’ପରେ ଗଧିଆ ମହାଶୟ ଯେଉଁ ରାୟ ଦେଇଥିବେ ତାହା କେବଳ କଳ୍ପନା କରାଯାଇପାରେ ।

 

ଆଜି ଧର୍ମର ଅବସ୍ଥା ଠିକ୍‌ ଏହି ମେଣ୍ଢାଛୁଆ ପରି । ଆଧୁନିକ ଧର୍ମକୁ ଫାଶୀ ଖୁଣ୍ଟରେ ଝୁଲାଇବା ଆଗରୁ ତା’ ବିରୁଦ୍ଧରେ ଗୋଟିକ ପରେ ଗୋଟିଏ କାଳ୍ପନିକ ଅଭିଯୋଗ ଆଣିବାରେ ଲାଗିଛି ।

 

ଏକଥା ସତ ଯେ ଧର୍ମ ନାମରେ ଯେତେ ଅତ୍ୟାଚାର ଓ ନରସଂହାର ହୋଇଯାଇଛି ତା’ର ପଟାନ୍ତର ନାହିଁ । ଖ୍ରୀଷ୍ଟିୟାନ ଓ ଇହୁଦୀମାନଙ୍କର ସଂଘର୍ଷ, କାଥୋଲିକ୍‌ ଓ ପ୍ରାଟେଷ୍ଟାଣ୍ଟ୍‌ ବିବାଦ; ଇସଲାମ ଓ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଧର୍ମଯୁଦ୍ଧ; ଧର୍ମନାମରେ ଇସଲାମର ଦିଗ୍‌ବିଜୟ; ପାକିସ୍ଥାନ ସୃଷ୍ଟି ବେଳର ହିନ୍ଦୁ ମୁସଲିମ ଦଙ୍ଗାହଙ୍ଗାମାର ଲୋମହର୍ଷଣକାରୀ କାହାଣୀ–ମାନବ ଇତିହାସର ଗୋଟିଏ ଗୋଟିଏ କଳଙ୍କମୟ ଅଧ୍ୟାୟ । ଆଜିର ପ୍ରଗତିବାଦୀ ଯୁବକ ତଥା ପ୍ରଗତିଶୀଳ ସମାଜ ତେଣୁ ଧର୍ମକୁ ଖଳନାୟକ ଜ୍ଞାନରେ ତା’କୁ ଦେଶାନ୍ତର, ଦ୍ୱୀପାନ୍ତରଠାରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ଓ ଏପରିକି ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ଦେବାକୁ ଚାହେଁ ।

 

ଏପରି ବିଚାର କେବଳ ଯେ ଏକ ତରଫା ତାହା ନୁହେଁ, ଏଥିରେ ଜଣକର ଦୋଷ ଅନ୍ୟ ଜଣକର ଉପରେ ଜୋର ଜବରଦସ୍ତି ଲଦି ଦେଇ ତା’କୁ ଦଣ୍ଡ ଦେବା ପାଇଁ ଅପଚେଷ୍ଟା ବୋଲି ହିଁ ମନେ ହୁଏ ।

 

ମଣିଷର ଧର୍ମ ମୁଖ୍ୟତଃ ଏକ ଓ ଅଭିନ୍ନ । ଯାହା ବିଭିନ୍ନ ସେ ମତବାଦ, ଧର୍ମ ନୁହେଁ ।

 

ଧାରଣ କରିବା ଅର୍ଥରୁ ଧର୍ମ ଶବ୍ଦର ଉତ୍ପତ୍ତି ବୋଲି ସମସ୍ତେ କହନ୍ତି । ବ୍ୟାପକ ଅର୍ଥରେ କହିବାକୁ ଗଲେ ଯାହା ଧରି ରଖେ, ସମ୍ଭାଳି ରଖେ ବା ବଞ୍ଚାଇ ରଖେ, ଯାହା ପାଳନ କରେ ବା ସୃଷ୍ଟି କରେ ଓ ଯାହା ରକ୍ଷା କରେ ତାହା ହିଁ ଧର୍ମ । ଏହି ଅର୍ଥରେ ଇଂରାଜୀରେ ଧର୍ମ ଶବ୍ଦର ଠିକ୍‌ ପ୍ରତିଶବ୍ଦ ନାହିଁ । ‘ରିଲିଜନ୍‌’ ଶବ୍ଦ ଧର୍ମର ପ୍ରତିଶବ୍ଦ ହୋଇପାରେନା ଧର୍ମର ସିଧାସଳଖ ସଂଜ୍ଞା ଦେବା ମଧ୍ୟ କଠିନ ।

 

ଆମ ପୂର୍ବପୁରୁଷମାନେ ତେଣୁ ପରୋକ୍ଷ ଭାବରେ ବୁଝାଇବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କର ମତରେ ଆଲୋକ ଦେବା ସୂର୍ଯ୍ୟର ଧର୍ମ । ସେପରି ଶୀତଳତା ଚନ୍ଦ୍ରର ଆର୍ଦ୍ରତା ଜଳର ଓ ଉତ୍ତାପ ଦେବା ଅଗ୍ନିର ଧର୍ମ । ଏହି ଅର୍ଥରେ ଜୀବଜଗତକୁ ପ୍ରାଣର ସ୍ପନ୍ଦନ ଦେଇ ବଞ୍ଚାଇ ରଖିବା ପବନର ଯେପରି ଧର୍ମ, ପ୍ରାଣୀ ଓ ଉଦ୍ଭିଦ ଜଗତକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିବା ସେପରି ଶସ୍ୟଶ୍ୟାମଳା ପୃଥିବୀର ଧର୍ମ । କଥାରେ କହନ୍ତି, ଧର୍ମ ବଳରେ ସମୁଦ୍ରକୂଳ ଲଙ୍ଘନ କରେନି ଧର୍ମ ବଳରେ ଦିନଯାଇ ରାତି ଆସେ ଓ ରାତି ପରେ ପୁଣି ଦିନର ଆବିର୍ଭାବ ହୁଏ । ଗହ ନକ୍ଷତ୍ର ନିଜ ଅକ୍ଷ, କକ୍ଷରେ ଘୂରି ବୁଲନ୍ତି–ସୃଷ୍ଟି ଧର୍ମକୁ ମାନି ଚଳେ । ତେଣୁ ଧର୍ମକୁ ସୃଷ୍ଟି ତଥା ପ୍ରକୃତିର ସାରସ୍ୱତ ନିୟମ ବୋଲି ଅର୍ଥ କରାଯାଇପାରେ । ଏହି ଅର୍ଥରେ ଧର୍ମର ଚ୍ୟୁତି ତଥା ଅଧର୍ମର ଆଗମନରେ ସୃଷ୍ଟିର ବିନାଶ ହେବା ସ୍ୱାଭାବିକ–ଗ୍ରହ ନକ୍ଷତ୍ର ଯଦି କୌଣସି ଧର୍ମ ବା ନିୟମ ନ ମାନି ନିଜ ମନ ମୁତାବକ ଆକାଶରେ ଘୂରି ବୁଲନ୍ତି ତେବେ ସେମାନଙ୍କ ସଂଘର୍ଷ ଫଳରେ ଯାହା ହେବା କଥା ।

 

ଏଥିପାଇଁ ସମ୍ଭବତଃ କୁହାଯାଏ ଯେ ଧର୍ମର ଗ୍ଲାନି ହୋଇ ଅଧର୍ମର ଅଦ୍ଭ୍ୟୁତ୍‌ଥାନ ହେଲେ ସୃଷ୍ଟି କର୍ତ୍ତା ପୁଣି ଥରେ ସୃଷ୍ଟିର ରଙ୍ଗମଞ୍ଚକୁ ଉଠି ଆସନ୍ତି ।

 

ଯାହା ବଞ୍ଚାଇ ରଖେ ତାହା ଯଦି ଧର୍ମ, ତେବେ ସେହି ଧର୍ମ ସଂଘର୍ଷ ଓ ବିନାଶର କାରଣ ହୋଇପାରେନା

 

ମାନବର ଧର୍ମ କ’ଣ ସେ ସମ୍ବନ୍ଧରେ ସିଧାସଳଖ ଉତ୍ତର ଦେବା ବୋଧହୁଏ ସହଜ ନୁହେଁ । ତେବେ ଯେଉଁ ସବୁ ମୌଳିକଗୁଣ ମାନବ ସମାଜର ଅଭିବୃଦ୍ଧି ଓ ବିକାଶର ସହାୟକ ସେହି ଗୁଣ ସମୂହର ସମଷ୍ଟିକୁ ଧର୍ମ ନାମରେ ନାମିତ କରାଯାଇପାରେ ତେଣୁ ସାଧାରଣ ଭାବରେ କହିବାକୁ ଗଲେ ମାନବିକତା ହିଁ ମାନବର ଧର୍ମ । ମାନବିକତାର ଅର୍ଥକୁ କେତେ ଶବ୍ଦମାଳାର ପରିସର ମଧ୍ୟରେ ସୀମିତ ତଥା ସମ୍ପୂର୍ଣ୍ଣ ପର୍ଯ୍ୟବସିତ କରାଯାଇ ନ ପାରିଲେ ମଧ୍ୟ ଏହା ଦୟା, କ୍ଷମା, ସ୍ନେହ ପରି ହୃଦୟର କୋମଳତାକୁ ବୁଝାଏ, ପଳାୟନବାଦୀ ଦୁର୍ବଳତାକୁ ନୁହେଁ; ସୃଷ୍ଟିର ସୌନ୍ଦର୍ଯ୍ୟ ଉନ୍ମୋଚନକାରୀ ବିକାଶମୁଖୀ ବୁଦ୍ଧିକୁ ବୁଝାଏ, ବିନାଶକାରୀ ଚିନ୍ତାଧାରାକୁ ନୁହେଁ; ପରୋପକାର ପାଇଁ ଶରୀରର ସ୍ଥିତିକୁ ବୁଝାଏ, ସ୍ୱାର୍ଥ ସାଧନ ପାଇଁ ଶରୀରର ପୁଷ୍ଟିସାଧନକୁ ନୁହେଁ-

 

ଆମ ପୂର୍ବପୁରୁଷମାନେ ଧର୍ମର ଏହି ଅର୍ଥରେ ମନୁଷ୍ୟ ସମାଜର ପ୍ରତ୍ୟେକଙ୍କ ବ୍ୟକ୍ତିଗତ ଧର୍ମ ସମ୍ବନ୍ଧରେ ଇଙ୍ଗିତ ଦେଇ ଯାଇଛନ୍ତି । ତାଙ୍କରି ମତରେ ଶିଶୁ ସନ୍ତାନର ଲାଳନପାଳନ ପିତାମାତାଙ୍କର ଯେପରି ଧର୍ମ, ବୃଦ୍ଧ ପିତାମାତାଙ୍କ ସେବା ତଥା ସ୍ତ୍ରୀ ଓ ସନ୍ତାନ ସନ୍ତତିଙ୍କ ରକ୍ଷଣାବେକ୍ଷଣ ପ୍ରତ୍ୟେକ ଗୃହସ୍ଥର ଧର୍ମ ।

 

ଏପରି ଭାବରେ କୁଳଧର୍ମ ଓ ଜାତିଧର୍ମର ସୂଚନା ମଧ୍ୟ ଦେଖିବାକୁ ମିଳେ ।

 

ଅନ୍ୟାୟ ବିରୁଦ୍ଧରେ, ଧର୍ମରକ୍ଷା ପାଇଁ ଓ ଦେଶରକ୍ଷା ନିମନ୍ତେ ଯୁଦ୍ଧ କରିବା ଯେପରି କ୍ଷତ୍ରିୟର ଧର୍ମ, ଜ୍ଞାନ ଆହରଣ ଓ ଶିକ୍ଷାଦାନ ସେପରି ବ୍ରାହ୍ମଣର ଧର୍ମ ବୋଲି କୁହାଯାଏ । ଏପରି ବର୍ଣ୍ଣବିଭାଗ ବୃତ୍ତି ଓ ସ୍ୱଭାବଗତ ଥିଲା ପରି ମନେ ହୁଏ ଜନ୍ମଗତ ନୁହେଁ ଯେହେତୁ ଏକଥା ସ୍ପଷ୍ଟ ଭାବରେ କୁହା ହୋଇଛି ଯେ ସ୍ୱଧର୍ମରେ ଜୀବିକା ଅର୍ଜନ କଷ୍ଟସାଧ୍ୟ ହେଉଥିଲେ ହେଁ ଓ ଅନ୍ୟର ଧର୍ମ ଅପେକ୍ଷାକୃତ ଲାଭ ଦାୟକ ବୋଲି ମନେ ହେଲେହେଁ ସ୍ୱଧର୍ମରେ ମୃତ୍ୟୁ ପଛକେ ଶ୍ରେୟସ୍କର, ପର ଧର୍ମ ଭୟାବହ । ଏଥିରୁ ମନେ ହୁଏ ଯେ ଆଜି ଯେପରି ଜଣେ ପ୍ରକୃତ ଗବେଷକ, ବୈଜ୍ଞାନିକ କିମ୍ବା ଶିକ୍ଷକ ନିଜ ପ୍ରକୃତି ତଥା ସ୍ୱଭାବଗତ ଗୁଣ ବା ଏପ୍‌ଟିଚ୍ୟୁଡ୍‍ ଯୋଗୁଁ ଅର୍ଥନୈତିକ ଦୂରବସ୍ଥାରେ ପଡ଼ି ମଧ୍ୟ ଲାଭଦାୟକ ବାଣିଜ୍ୟ ଆଡ଼କୁ ଆକୃଷ୍ଟ ହୁଏ ନାହିଁ, ଆମ ପରମ୍ପରା ଠିକ୍ ସେପରି ଶିକ୍ଷା ଦେଇ କହିଯାଇଛି ଯେ ବ୍ରାହ୍ମଣ ସ୍ୱଭାବର ବ୍ୟକ୍ତି କ୍ଷତ୍ରିୟ ବୃତ୍ତି କିମ୍ବା ବୈଶ୍ୟର ବୃତ୍ତି ଆଚରଣ କରିବା ଅବିଧେୟ ।

 

ଏଥିରୁ ମନେ ହୁଏ ଯେ ଧର୍ମ ଓ କର୍ତ୍ତବ୍ୟ ପ୍ରାୟ ଏକାର୍ଥ ବ୍ୟଞ୍ଜକ । ମାନବର ଧର୍ମ ତେଣୁ ଏକମୁଖୀ ଏଥିରେ ବହୁମୁଖୀ ବିଭିନ୍ନତା ଜନିତ ସଂଘର୍ଷର ଅବକାଶ ନାହିଁ ।

 

ସୃଷ୍ଟିର ନିୟମ ବୁଝିବା ଯେପରି କଠିନ, ଧର୍ମର ଅର୍ଥ ବୁଝିବା ସେପରି କଠିନ । ସେଥିପାଇଁ ବୋଧହୁଏ ଧର୍ମର ଅର୍ଥ କରିବାକୁ ଯାଇ ନାନା ମତବାଦ ଜନ୍ମ ନେଇଛି । ପ୍ରତ୍ୟେକ ମତବାଦ କହେ ଯେ ତା’ର ଅର୍ଥ ହିଁ ଠିକ୍ ।

 

ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିୟାନ, ମୁସଲମାନ ଓ ଅନ୍ୟ ସବୁ ମତବାଦ ତଥା ସମ୍ପ୍ରଦାୟର ମୂଳ ଉତ୍ସ ସମାନ–ଏକ ଓ ଅଭିନ୍ନ ଆବରଣରେ କେବଳ ବିଭିନ୍ନତା ଦେଖାଯାଏ । କର୍ପୂର ଗୋଟିଏ । ତା’କୁ କିଏ ସୁତା କନାରେ ବୁଜୁଳା ବାନ୍ଧିଛି ତ ଆଉ କିଏ ରେଶମ କିମ୍ବା ପାଟ କନାରେ । ଏ ଭିତରେ କର୍ପୂର ଉଡ଼ି ଯାଇ ସାରିଲାଣି, କିନ୍ତୁ ପ୍ରତ୍ୟେକ ମତବାଦ କର୍ପୂରହୀନ ବୁଜୁଳା ପାଇଁ ହିଁ ଟଣାଓଟରା ଲଗାଇଛନ୍ତି–ଦୁର୍ଗାପୂଜା ବେଳେ ପୂଜା କୁଆଡ଼େ ଯାଏ, କେଉଁ ସାହିର ମୂର୍ତ୍ତି ବେଶି ସୁନ୍ଦର ସେଥିପାଇଁ ଯେପରି ଗଣ୍ଡଗୋଳର ସୃଷ୍ଟି ହୁଏ ମାନବ ସମାଜର ଦୁର୍ଭାଗ୍ୟ ଯେ ସାଧାରଣ ମଣିଷ କୌଣସି ବିଷୟର ସାର ସମ୍ବନ୍ଧରେ ଚିନ୍ତା ନ କରି ଏପରି ଖୋଳପା ପାଇଁ ହିଁ ଲଢ଼ି ବସେ ମତବାଦ ଭିତରେ ଧର୍ମର ଅସ୍ତିତ୍ୱ ଅଛି ସତ, କିନ୍ତୁ ମତବାଦ ଧର୍ମ ନୁହେଁ ।

Image

 

ଢେଙ୍କି ଓ ପ୍ରକୃତି

 

ଯେତେ ମଜା ଘଷା, ସାଧ୍ୟ ସାଧନା କଲେ ମଧ୍ୟ ଅଙ୍ଗାରର ମଳିନତା ପରି ପ୍ରାଣୀମାନଙ୍କର ଜନ୍ମଗତ ପ୍ରକୃତି ବଦଳେନି ବୋଲି କେହି କେହି କହନ୍ତି । ଏ କଥାର ପ୍ରମାଣ ଦେବାକୁ ଯାଇ ମଣିଷ ଅନ୍ୟମାନଙ୍କ ସମ୍ବନ୍ଧରେ ବେଳେବେଳେ ଏକ ତରଫିଆ ବିଚାର କରୁଥିବା ପରି ମନେ ହୁଏ ।

 

କେଉଁ ମହାଶୟ କେବେ ସ୍ୱର୍ଗକୁ ଯାଇ ସେଠାରେ ଚାଲିଥିବା ଧାନକୁଟା ପ୍ରଣାଳୀ ଦେଖି ଆସିଥିଲେ କେଜାଣି, ମନ୍ତବ୍ୟ ଦେଇ ଦେଲେ ଯେ ଢେଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ । ସ୍ୱର୍ଗରେ ତ ସମସ୍ତେ କୁଆଡ଼େ ଖାଲି ଅମୃତ ପିଇ ରହନ୍ତି–ତେଣୁ ସେଠାରେ ଧାନର କାରବାର ଆସିବ କେଉଁଠୁ ଯେ ସେମାନେ ଧାନ କୁଟିବେ କି ଢେଙ୍କି ରଖିବେ ! ପୁଣି ସେଇଠି ବି ଯଦି ଧାନ କୁଟିବାକୁ ପଡ଼େ ତେବେ ଲୋକେ ସ୍ୱର୍ଗକୁ ଯିବାକୁ ଚାହିଁବେ ବା କାହିଁକି ?

 

ସବୁ ଢେଙ୍କି ଯେ ସଦାସର୍ବଦା ଧାନ କୁଟନ୍ତି ସେକଥା ମଧ୍ୟ ନୁହେଁ । ନାରଦ କୁଆଡ଼େ ଗୋଟାଏ ଢେଙ୍କି ଉପରେ ଚଢ଼ି ଦେଶବିଦେଶ ଗସ୍ତ କରନ୍ତି । ଘରର ଢେଙ୍କି ବେଳେବେଳେ କୁମ୍ଭୀର ହେଉଥିବା କଥା ମଧ୍ୟ ମଝିମଝିରେ ଶୁଣାଯାଏ ।

 

ଖାଲି ଯେ ଗୋଟିଏ ନିର୍ଜୀବ ବସ୍ତୁ ସମ୍ବନ୍ଧରେ ମଣିଷ ଏପରି ଟିପ୍‌ପଣୀ ଦିଏ ତା’ ନୁହେଁ- ପ୍ରତିବାଦ କରିପାରୁ ନ ଥିବା ପ୍ରାଣୀମାନେ ମଧ୍ୟ ଏପରି କଟୁ ସମାଲୋଚନାର ଶରବ୍ୟ ହୁଅନ୍ତି ।

 

କିଏ କେବେ କେଉଁଠି ଓ କେଉଁ ଜାତିଆ କୁକୁରକୁ ରାଜଗାଦିରେ ବସାଇ ତା’ର କ୍ରିୟା ବିଧି ନିରୀକ୍ଷଣ କରିଥିଲା କେଜାଣି କହିଦେଲା ଯେ ‘କୁକୁରକୁ କର ଯଦି ରାଜ୍ୟ ଅଧୀଶ୍ୱର, ଚୋବାଇବ ଉପାନହ ସେହୁ ଆପଣାର ।’

 

କୁକୁର ପରି ବାଘ, ବିରାଡ଼ି, ସାପ, ବଗ ପ୍ରଭୃତି ଜନ୍ତୁ ଏପରି ବ୍ୟଙ୍ଗୋକ୍ତିରୁ ରକ୍ଷା ପାଇ ନାହାନ୍ତି ।

 

ଥରେ ଗୋଟିଏ ସାପ ବଣ ଭିତରେ ନିଆଁ ଘେରରେ ପଡ଼ି ଯାଇଥିଲା । ନଳରାଜାଙ୍କୁ ଦେଖି ସେ ପ୍ରାଣ ବିକଳରେ ତା’କୁ ବଞ୍ଚାଇବାକୁ ଅନୁରୋଧ କଲା ନଳରାଜା ମଧ୍ୟ ଦୟାରେ ତରଳିଯାଇ ନିଜ ଜୀବନକୁ ବିପନ୍ନ କରି ନିଆଁ ଭିତରେ ପଶି ସାପଟିକୁ ଉଦ୍ଧାର କରି ଆଣିଲେ । ବାହାରକୁ ଆସିଲାକ୍ଷଣି ସାପ ନଳରାଜାଙ୍କୁ ଦଂଶନ କଲା କୈଫିୟତ ଦେଲା ଯେ ସେ ତ ସର୍ପ ଜନ୍ମ ନେଇଛି, ନିଜ ଖଳ ପ୍ରକୃତି ଛାଡ଼ିବ କିପରି ?....କାଳିନ୍ଦୀ ହ୍ରଦର କାଳୀୟ ମଧ୍ୟ ‘ତୁ ମୋତେ କଲୁ ସର୍ପ ଜାତ, ସ୍ୱଭାବ ଛାଡ଼ିବି କେମନ୍ତ ? ବୋଲି କୃଷ୍ଣଙ୍କୁ କହିଥିଲା ବୋଲି ଅତିବଡ଼ୀ ଜଗନ୍ନାଥ ଦାଶ ଭାଗବତରେ ଗାଇ ଯାଇଛନ୍ତି ।

 

ପ୍ରକୃତି ବଦଳିଛି ବୋଲି କହିଲେ ମଧ୍ୟ ସେ କଥା ବିଶ୍ୱାସ ନ କରିବାକୁ କେହି କେହି ଉପଦେଶ ଦିଅନ୍ତି । ଏ ସମ୍ବନ୍ଧରେ ଅନେକ ସୁନ୍ଦର କାହାଣୀ ରହିଛି । ସେଥିରୁ କେତୋଟି ଏଠାରେ କୁହାଯାଇପାରେ ।

 

ପାଣି ଭିତରୁ ସୁନାକଙ୍କଣକୁ ଦେଖାଇ ବୁଢ଼ା ବାଘଟି ବାଟୋଇଙ୍କୁ ସମ୍ବୋଧନ କରି କହିଲା, ‘ହେ ସାଧୁ ବ୍ରାହ୍ମଣ, ଆପଣଙ୍କ ବ୍ରାହ୍ମଣୋଚିତ ଦୟା ଦେଖାଇ ମୋ ହାତରୁ ଏ ସ୍ୱର୍ଣ୍ଣ ଦାନ ଗ୍ରହଣ କରି ମୋତେ ମୋ ଇହ ଜନ୍ମ କୃତ ପାପପଙ୍କରୁ ଉଦ୍ଧାର କରନ୍ତୁ ।’ ବ୍ରାହ୍ମଣ ମହାଶୟ ବାଘର ପ୍ରକୃତି କଥା ଜାଣି ଦୋ ଦୋ ପାଞ୍ଚ ହେଲେ । ବାଘ ଏଥର କହିଲା–‘ବାଘ ଯେ ମଣିଷ ଖାଏ ଏ ଲୋକ ଅପବାଦ ନିବାରଣ କରିବା ସହଜ ନୁହେଁ ଏତେ ପ୍ରାଣୀହତ୍ୟା କରି ମୁଁ ଜୀବନରେ ଯାହା ସବୁ ପାପ ଅର୍ଜନ କରିଛି ସେ ସବୁ କଥା ଭାବି ଏ ବୁଢ଼ା କାଳରେ ନଖ ଓ ଦନ୍ତହୀନ ହୋଇ ମୁଁ ଯେ କି ଅନୁତାପ କରୁଛି ସେ କଥା କିପରି ବା ବୁଝାଇବି ? କେହି କିନ୍ତୁ ମୋତେ ବିଶ୍ୱାସ କରି ମୋ ପାଖରୁ ଦାନ ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି । ଆପଣଙ୍କ ପରି ଜ୍ଞାନୀ କ’ଣ ଏ ପାପୀକୁ ତା’ର ପାପର ପ୍ରାୟଶ୍ଚିତ୍ତ କରିବା ପାଇଁ ସୁଯୋଗ ଦେବେ ନାହିଁ ?’–ବାଘ ତା’ପରେ ଥୋପାଏ ଲୁହ ବି ଗଡ଼ାଇ ଦେଲା । ବ୍ରାହ୍ମଣ ମହାଶୟ ଦାନ ସ୍ୱରୂପ ସୁବର୍ଣ୍ଣ କଙ୍କଣ ଗ୍ରହଣ କରିବାକୁ ପାଣି ଭିତରକୁ ପଶିଯାଇ ବାଘ ଆଡ଼ିକି ହାତଟି ବଢ଼ାଇ ଦେଲା । ତା’ପରେ କ’ଣ ହେଲା ସେ କଥା ସମସ୍ତେ ଜାଣନ୍ତି ।

 

ଆଉ ସେ ବିରାଡ଼ି !

 

ରୁଦ୍ରାକ୍ଷ ମାଳାଟିଏ ବେକରେ ଗଳାଇ ହାତରେ କମଣ୍ଡଳୁଟିଏ ଧରି ଅଶ୍ୱତ୍‌ଥ ଗଛରେ ଚଢ଼େଇ ଛୁଆମାନଙ୍କ ଜଗୁଆଳୀ ଥିବା ବୃଦ୍ଧ ଜରଦ୍‌ଗବ ପାଖରେ ପହଞ୍ଚି କହିଲା ଯେ ସେ ସିଧାସଳଖ ବୃନ୍ଦାବନରୁ ବୈଷ୍ଣବ ଧର୍ମ ଗ୍ରହଣ କରି ଜଗନ୍ନାଥ ପୁରୀ ଧାମକୁ ସେହି ବାଟ ଦେଇ ଯାଉଛି । ଧର୍ମପ୍ରାଣ ବୃଦ୍ଧ ଜରଦ୍‍ଗବ ବୈଷ୍ଣବ ବିରାଡ଼ିକୁ ସେଠାରେ କିଛିଦିନ ବିଶ୍ରାମ ନେବାକୁ ଅନୁରୋଧ କଲେ । ବିରାଡ଼ି ସେଠାରେ ରହି ମାଳା ଗଡ଼ାଇବାକୁ ଲାଗିଲା ଓ ଯଥା ସମୟରେ ଜରଦ୍‍ଗବକୁ ଗନ୍ଥର କୋରଡ଼ରେ ଆଶ୍ରୟ ନେବାକୁ କହି ନିଜେ ଚଢ଼େଇ ଛୁଆମାନେ କିପରି ଅଛନ୍ତି ଦେଖିବାକୁ ଲାଗିଲା । ଛୁଆ ସଂଖ୍ୟା କେମିତି ଧୀରେ ଧୀରେ କମିଲା ଓ ଶେଷରେ ଚଢ଼େଇ ସବୁ ବୃଦ୍ଧ ଜରଦ୍‌ଗବ ଛୁଆଙ୍କୁ ଖାଇ ଦେଉଛି ବୋଲି ଭାବି ତା’କୁ ମାରି ପକାଇଲେ ସେ କଥା ସମସ୍ତଙ୍କୁ ଜଣା ।

 

ବଗର ମଧ୍ୟ ଥରେ ସେପରି ବିବେକ ଉଦୟ ହୋଇଥିଲା ।

 

ପୋଖରୀ ତୁଠରେ ଠିଆ ହୋଇ ସେ ଅନବରତ କାନ୍ଦିବାକୁ ଲାଗିଲା । ବହୁତ ପାଣି ଭିତରେ ଥାଇ ମାଛ ସବୁ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ତା’କୁ କାରଣ ପଚାରିଲେ, ଆଉ ଭବିଷ୍ୟତ ଦ୍ରଷ୍ଟା ବଗ କହିଲା ଯେ, ସେହି ବର୍ଷ ଭୟଙ୍କର ଖରାହେବ–ସବୁ ନଈ ନାଳ ପୋଖରୀ ଶୁଖିଯିବ ଆଉ ଆହା ! ସବୁ ମାଛ କଙ୍କଡ଼ା ଛଟପଟ ହୋଇ ମରିଯିବେ । ମାଛମାନଙ୍କର ଏ ଦୁଃଖ କଷ୍ଟ ତା’କୁ କିଛି ଦିନ ପରେ ଦେଖିବାକୁ ପଡ଼ିବ । ମାଛମାନେ ପ୍ରତିକାରର ଉପାୟ ପଚାରିଲେ । ବଗ କହିଲା–ଦୂରରେ, ଅନେକ ଅନେକ ଦୂରରେ ଗୋଟିଏ ବିଶାଳ ହ୍ରଦ ଅଛି ଯାହା କି ସହସ୍ର ବର୍ଷରେ ମଧ୍ୟ ଶୁଖେନାହିଁ । ତେବେ ସେଠାକୁ ଏ ମାଛମାନେ ଯିବେ କିପରି ? ବଗ ଏଠାରେ ଆଉ ଦୁଇ ଥୋପା ଲୁହ ଗଡ଼ାଇ ଦେଲା । ବଗ ହିଁ ସେମାନଙ୍କ ଏକମାତ୍ର ସାହା ଭରସା ଭାବି ମାଛମାନେ ହ୍ରଦକୁ କୌଣସିମତେ ନେଇଯିବା ପାଇଁ ଅନୁରୋଧ କଲେ । ମାଛମାନଙ୍କ ମଙ୍ଗଳ ନିମନ୍ତେ ଏପରି ଦୁରୂହ କର୍ମ ସମ୍ପାଦନ କରିବାକୁ ବଗ ଶେଷରେ ରାଜି ହେଲା । ଦିନକୁ କେବଳ ଗୋଟିଏ ବଡ଼ମାଛ କିମ୍ୱା ଛୋଟ ଦି’ ତିନିଟାକୁ ଥଣ୍ଟରେ ଧରି ସେ କ୍ରମାଗତ ସେହି ଦୂର ହ୍ରଦ ଆଡ଼କୁ ଉଡ଼ିଯାଇ ଗୋଟିଏ ଅଶ୍ୱତ୍‌ଥ ଗଛର ତଳେ ସେମାନଙ୍କର କଣ୍ଟା ସବୁ ଜମା କରିବାକୁ ଲାଗିଲା ଶେଷରେ କଙ୍କଡ଼ା କିପରି ତା’ର ଜୀବନ ନେଲା ସେ କଥା ମଧ୍ୟ ସମସ୍ତେ ଜାଣନ୍ତି ।

 

ଏ ସବୁ କାହାଣୀ ପ୍ରମାଣ କରିବାକୁ ଚାହେଁ ଯେ କାହାରି ପ୍ରକୃତି ବଦଳେନି ଏ ମତ କିନ୍ତୁ ସମ୍ପୂର୍ଣ୍ଣ ଭ୍ରମ ପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ ।

 

ପ୍ରକୃତି ବଦଳେ ଓ ନିଶ୍ଚିତ ଭାବରେ ବଦଳେ ।

 

ପ୍ରକୃତି ବଦଳେ ବୋଲି ହିଁ ଦସ୍ୟୁ ରତ୍ନାକର ମହାକବି ବାଲ୍ମିକୀ ପାଲଟି ଗଲେ; ଚଣ୍ଡାଶୋକ ଧର୍ମଶୋକ ହେଲେ ଓ ରତ୍ନାବଳୀଙ୍କ ତୁଳସୀ ଦାସ ସନ୍ଥ ତୁଳସୀରେ ପରିଣତ ହେଲେ । କ୍ଷତ୍ରିୟ ଘରେ ଜନ୍ମ ହୋଇ ବିଶ୍ୱାମିତ୍ର ବ୍ରହ୍ମର୍ଷି ହେଲେ ଓ ବ୍ରାହ୍ମଣ ଘରେ ଜନ୍ମ ନେଇ ପରଶୁରାମ ପରଶୁ କୁଠାର ହାତରେ କ୍ଷତ୍ରିୟ କୁଳର ଆତଙ୍କ ହୋଇଥିଲେ ।

 

ପ୍ରକୃତି ବଦଳେ ବୋଲି ହିଁ ଆଦିମ ମଣିଷ ଆଦିମ ଅବସ୍ଥାରେ ନ ରହି ଦେବତ୍ୱର ସନ୍ଧାନରେ ଆଗେଇ ଚାଲେ ।

 

ପବନ ଯେପରି ଅମ୍ଳଜାନ, ଯବକ୍ଷାରଜାନ ଓ ଅଙ୍ଗାରକାମ୍ଳ ପ୍ରଭୃତି ଉପାଦାନରେ ଗଠିତ–ଓ ଏସବୁ ଉପାଦାନର ତାରତମ୍ୟ ଯୋଗୁଁ ଉପକୂଳ ଯୋଗୁଁ ଉପକୂଳ ଅଞ୍ଚଳ, ପାହାଡ଼ ଅଞ୍ଚଳ ତଥା କଳକାରଖାନାର ଧୂଆଁରେ ଭରି ଯାଇଥିବା ସହରାଞ୍ଚଳର ବାତାବରଣରେ ପାର୍ଥକ୍ୟ ଦେଖାଦିଏ, ସେପରି ମଣିଷର ରକ୍ତ ପ୍ଲାଜମା, କ୍ରୋମୋଜୋମ ଓ ଜିନ୍ ପ୍ରଭୃତି ଉପାଦାନରେ ଗଠିତ ହେଲେ ହିଁ ସେ ସବୁ ବିଭିନ୍ନ ଉପାଦାନର ଗୁଣାତ୍ମକ ତାରତମ୍ୟରେ ମଣିଷର ପ୍ରକୃତିଗତ ପାର୍ଥକ୍ୟ ଦେଖାଦିଏ । କ୍ରୋମୋଜୋନ୍ ଓ ଜିନ୍‍ମାନଙ୍କରେ ପିତାମାତା ଓ ପୂର୍ବପୁରୁଷଙ୍କ ଗୁଣ ସବୁ ପ୍ରତିଫଳିତ ହୋଇଥାଏ ଓ ଏହି କ୍ରୋମୋଜୋନ ଓ ଜିନ୍ ମଣିଷ ପ୍ରକୃତିର ବାହକ ବୋଲି କହନ୍ତି । ସେ ସବୁର ପରିବର୍ତ୍ତନରେ ମଣିଷ ପ୍ରକୃତିର ପରିବର୍ତ୍ତନ ହେବା ତେଣୁ ସମ୍ଭବ ।

 

ଆମ ପୂର୍ବପୁରୁଷମାନଙ୍କ ମତରେ ପ୍ରତ୍ୟେକ ମଣିଷର ପ୍ରକୃତିରେ ସତ୍ୱ, ରଜ ଓ ତମ ଏହି ତିନି ଗୁଣ ମିଳିମିଶି ରହିଥାଏ । ଏହି ତିନିଗୁଣ ରକ୍ତର ଉପାଦାନ କି ନୁହେଁ ସେ କଥା କହି ହେବନି, କିନ୍ତୁ ଏହା ନିଶ୍ଚିତ ଯେ ଭଲର ଆଧିକ୍ୟରେ ମନ୍ଦ ଦବିଗଲା ପରି ତଥା ମନ୍ଦର ଆଧିକ୍ୟରେ ଭଲ ଦବିଗଲା ପରି ସତ୍ତ୍ୱର ପ୍ରାଧାନ୍ୟରେ ରଜ ଓ ତମ ଗୁଣ ଯେପରି ଦବିଯାଏ, ରଜର ପ୍ରାଧାନ୍ୟରେ ସତ୍ତ୍ୱ ଓ ତମ ତଥା ତମର ପ୍ରଧାନ୍ୟରେ ସତ୍ତ୍ୱ ଓ ରଜ ଗୁଣ ଦବିଯାଏ । ଜନ୍ମ ବେଳକୁ ମଣିଷ ତା’ର ରକ୍ତର ମାଧ୍ୟମରେ ପିତାମାତା ଓ ପୂର୍ବପୁରୁଷଙ୍କ କେତେକ ଗୁଣାବଳୀ ନେଇ ସଂସାରକୁ ଆସେ ସତ ତଥା ସତ୍ତ୍ୱ ରଜ ଓ ତମ ଗୁଣ ମଧ୍ୟରୁ କୌଣସି ଗୋଟିଏ ଗୁଣର ପ୍ରାଧାନ୍ୟ ନେଇ ଜନ୍ମ ନିଏ କିନ୍ତୁ ପାରିପାର୍ଶ୍ୱିକ ଅବସ୍ଥା, ପିତା ମାତା, ସାଙ୍ଗ ସାଥୀଙ୍କ ପ୍ରଭାବ, ଶିକ୍ଷା ଓ ସାଧନା ପ୍ରଭୃତି ଏସବୁ ଗୁଣରେ ପରିବର୍ତ୍ତନ ଆଣେ । ଫଳରେ ତା’ର ଜନ୍ମଗତ ପ୍ରକୃତି ବଦଳେ । ପାରିପାର୍ଶ୍ୱିକ ଅବସ୍ଥା ପରି ଖାଦ୍ୟ ମଧ୍ୟ ଏ ଗୁଣାତ୍ମକ ପରିବର୍ତ୍ତନର ସହାୟକ ହୁଏ ।

 

ଜନ୍ମ ଓ ଜନ୍ମଗତ ପ୍ରକୃତି ଉପରେ ମଣିଷର କିଛି କର୍ତ୍ତୃତ୍ୱ ନ ଥିଲେ ହେଁ ସୁସଙ୍ଗ ଲାଭରେ ଓ ବ୍ୟକ୍ତିଗତ ସାଧନା ତଥା ଅଭ୍ୟାସ ଉପରେ ତା’ର ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ରହିଛି । ତେଣୁ ମଣିଷ ଯଦି ଆଜି ସାତ୍ତ୍ୱିକ ପ୍ରବୃତ୍ତି ଏବଂ ଦେବତ୍ୱର ମାର୍ଗରୁ ବିଚ୍ୟୁତ ହୋଇ ତାମସିକ ପ୍ରବୃତ୍ତି ତଥା ଆସୁରୀ ମାର୍ଗରେ ଗତି କରେ ତେବେ ସେଥିପାଇଁ ସେ ନିଜେ ବ୍ୟକ୍ତିଗତ ଭାବରେ ହିଁ ଦାୟୀ ହେବ ।

Image

 

ଘୋଡ଼ାତ୍ୱର ଲଗାମ୍‌

 

ଆଜିକାଲି ଛାତ୍ର ବିଶୃଙ୍ଖଳା କିମ୍ବା ଯୁବ ବିଶୃଙ୍ଖଳା ବିଷୟ ନେଇ ଦୁଇ ଚାରିପଦ ନ କହିଲେ ବା ନ ଲେଖିଲେ ପ୍ରଗତିଶୀଳ ବୋଲି ତ ଜଣା ପଡ଼ିବ ନାହିଁ, ବରଂ ରକ୍ଷଣଶୀଳ ବୋଲି ଗଣ୍ୟ ହେବାର ଆଶଙ୍କା ରହିଛି ।

 

କେହି କେହି କହୁଛନ୍ତି ସାମାଜିକ ପାରିପାର୍ଶ୍ୱିକ ଅବସ୍ଥା ହିଁ ଛାତ୍ର ବିଶୃଙ୍ଖଳା ପାଇଁ ଦାୟୀ । ଅନ୍ୟ କାହାରି ମତରେ ପ୍ରକୃତ ଦୋଷୀ ହେଉଛି ବେକାର ସମସ୍ୟା, ତେଣୁ ଏଇ ବିଶୃଙ୍ଖଳାର କାରଣ ହେଲା ଅର୍ଥନୈତିକ । ଆଉ କେତେକ ପଣ୍ଡିତ ଏଥିରେ ମୁଣ୍ଡ ହଲାଇ ପାପୁଲିରେ ମୁଠା ମାରି କହନ୍ତି–ଏସବୁ ମିଛ । ତାଙ୍କ ମତରେ ମୂଳ କାରଣ ହେଉଛି ରାଜନୀତି ଓ ରାଜନୈତିକ ଦଳମାନଙ୍କର ଭିତିରି କାରସାଦି ।

 

କୌଣସି କଲେଜର ଅଧ୍ୟକ୍ଷଙ୍କୁ ଯଦି ଏ ଭିତରୁ କେଉଁଟା ଭୁଲ ଓ କେଉଁଟା ଠିକ୍ ବୋଲି ପଚରାଯାଏ ସେ ମହାଶୟ ଆଉ ଗୋଟିଏ କଥା କହିବେ । କହିବେ–ଆଗେ ଯେଉଁ ଘର ସ୍କୁଲ ପାଇଁ ବି ଯଥେଷ୍ଟ ନ ଥିଲା, ସେ ଏବେ ହେଲା କଲେଜ ଘର । ୩୦୦ ପିଲାଙ୍କ ପଢ଼ିବା ପାଇଁ ଯେଉଁଠି ଜାଗା ନାହିଁ, ସେଇଠି ପଢ଼ୁଛନ୍ତି ୧୫୦୦ ଜଣ । ଭଲ ଲାଇବ୍ରେରୀ ନାହିଁ, ଲେବୋରେଟରୀ ନାହିଁ, ପିଲାଏ ଘଣ୍ଟାଏ ବସି ବିଶ୍ରାମ ନେବାପାଇଁ କୋଠରୀ ନାହିଁ, ପରୀକ୍ଷା ହଲ ନାହିଁ । ସେଥିରେ କି ଶୃଙ୍ଖଳା ଆଶା କରିବେ ? ଫୁରୁସତ ସମୟ ଟିକିଏ ଭଲଭାବରେ କଟାଇବା ପାଇଁ ଯଦି ଖେଳ ପଡ଼ିଆଟାଏ ବି ନ ଥାଏ ତେବେ ଖାଲି ଖାଲି ବୁଲିବା ଅପେକ୍ଷା ବତୀଖୁଣ୍ଟକୁ ପଥରଟାଏ ଫୋପାଡ଼ିବା କ’ଣ ବେଶି ଆମୋଦଦାୟକ ମନେ ହେବନାହିଁ ? ଆଉ ଶିକ୍ଷକଙ୍କ କଥା ତ ଛାଡ଼ । ଆଜିକାଲିକା ଯୁଗରେ ଯେଉଁଠି ଶିକ୍ଷକଙ୍କ ସାମାଜିକ ମର୍ଯ୍ୟାଦା ବୋଲି କିଛି ନାହିଁ, ସେଇଠି ଟ ୩୫୦୬ ଗାଏ ବେତନ, ଅଥଚ ଦିନ ଦିନ ଧରି ଗଳି କନ୍ଦି ଖୋଜି ଖୋଜି ରହିବା ପାଇଁ ଘରଟିଏ ପାଇଲେ, ତହିଁରେ ଭଲ ପାଇଖାନାଟିଏ ନ ଥାଇ ବି ଘରଭଡ଼ା ଟ ୧୫୦ । ତହିଁରେ ପୁଣି ଦୁଇଜଣ ଜାଗାରେ ଜଣେ ଶିକ୍ଷକ ନିଯୁକ୍ତି ଥିବା ହେତୁ ଦୁଇଗୁଣ ପାଠ ପଢ଼ାଇଲା ବେଳକୁ ତ ସେ ନାକେଦମ୍‌ । ପିଲାଙ୍କ ଭଲ ମନ୍ଦ ଆଉ କେତେବେଳେ ବୁଝିବେ ?

 

ଏ ସବୁ ସତ । କେଉଁ ଗୋଟାକ ବି ଭଲ ନୁହେଁ । ଗଛ ପରି ଗୋଡ଼, କୁଲା ପରି କାନ, ଦଉଡ଼ି ପରି ଲାଞ୍ଜ, ସବୁକୁ ମିଶାଇ ତ ହାତୀ । କେମିତି କହି ହେବ ଯେ ହାତୀ କୁଲା ପରି ନୁହେଁ କି ଦଉଡ଼ି ପରି ନୁହେଁ ?

 

ତେବେ ଗୋଟିଏ କଥା ମନକୁ ଆସେ । ସତେ କ’ଣ ଆମେ ସବୁ ଆଗଦିନ ଗୋଟାଏ ଗୋଟାଏ ମହାତ୍ମା ଗାନ୍ଧୀ ଥିଲୁ ? ଆଉ ଆଜିର ଏଇ ଟୋକା ସବୁ–ଗଲେ, ନଷ୍ଟ ହୋଇଗଲେ...ସତ୍ୟାନାଶ ହୋଇଗଲେ ।

 

ପର୍ବତ ଦୂରରୁ କେଡ଼େ ସୁନ୍ଦର ଦିଶେ । ଚହଟ ଚିକ୍‌କଣ, ଡଉଲ ଡାଉଲ, ପାଖକୁ ଗଲେ-?

 

ଅତୀତ ଠିକ୍‌ ସେଇପରି–ଭାରି ସୁଆଦିଆ । ପଛକୁ ଚାହିଁଲା ବେଳକୁ ସେ ଦିନର ଭେଲ ସବୁକିଛି ମନେପଡ଼େନି, ଖାଲି ଭଲ ସବୁ ମନେପଡ଼େ ସ୍ମୃତି ସବୁ ମଧୁମୟ ହୋଇଉଠେ । ମନେପଡ଼େ ସେତେବେଳେ କେମିତି ଦୁଇ ପଇସାକୁ ବଡ଼ ବଡ଼ ରସଗୋଲା ମିଳୁଥିଲା, ଆଉ କି ନରମ ! ମନେପଡ଼େନି ଯେ ସେଦିନ ସେଇ ସାମାନ୍ୟ ଦୁଇ ପଇସା ପାଇବା କେଡ଼େ କଷ୍ଟକର ହେଉଥିଲା ।

 

ବର୍ତ୍ତମାନ ସବୁବେଳେ ଆମ୍ବିଳିଆ, ନ ହେଲେ ପିତା । ଏଇ ବର୍ତ୍ତମାନର ନିରାଟ ବାସ୍ତବତା ହିଁ କଠୋରତା ଆଣିଦିଏ ସେଥିରେ ଆମର ଟେରିଲିନ୍‌ ସାର୍ଟପେଣ୍ଟ କିମ୍ବା ଚିତ୍ରତାରକା ଦେବାନନ୍ଦର ଅଭିନୟ, କିମ୍ବା ଲତା ମଙ୍ଗେଶକରର ଗୀତ କିମ୍ବା ଗତ ବଣଭୋଜୀର ମଉଜ ମଜଲିସ୍‌ ମନେପଡ଼େନି । ମନେପଡ଼େ କେମିତି ଅମୁକ କମ୍‌ ପାଠ ପଢ଼ି ବି ବେଶି ଦରମା ପାଉଛି, ଢମୁକର ନୂଆ ମଟର ଗାଡ଼ି, ଆଉ ନିଜର....?

 

ଆମେମାନେ ଯେତେବେଳେ ସେବେ କଲେଜରେ ପାଠ ପଢ଼ୁଥିଲୁ ଆମକୁ ବି ସେତେବେଳର ସମାଜ ଅନେକ ସମୟରେ ଉତ୍‌ଶୃଙ୍ଖଳ ବୋଲି କହୁଥିଲେ । ସେବେ ବି ସେମିତି ବିନା କାରଣରେ ଧର୍ମଘଟ ହେଉଥିଲା । ପ୍ରକ୍‍ସି ପଡ଼ୁଥିଲା, ଦୁଷ୍ଟାମି କରିବାକୁ ଇଚ୍ଛା ହେଉଥିଲା । ବିନା ଟିକେଟରେ ରେଳଗାଡ଼ିରେ ଯିବାକୁ ମନ ବଳୁଥିଲା । ମାଙ୍କଡ଼ାମି କରିବାକୁ ଭଲ ଲାଗୁଥିଲା । ଲୋକେ କହୁଥିଲେ–ଚଗଲା, ଟେରୀ କେମିତି କାଟିଛି ଦେଖ । ଝିଅ ହୋଇ କେଡ଼େ ଅଲାଜୁକ, ପୁଅଙ୍କ ସଙ୍ଗରେ ପାଠ ପଢ଼ୁଛି ବ୍ରାହ୍ମଣ ପିଲା ହୋଇ କରଣ ଝିଅ ବାହାହେଲା–ଏ ସବୁରୁ ଆରମ୍ଭ କରି ଶ୍ରେଣୀ ଭିତର ଓ ବାହାରର କେତେକ’ଣ ! ସେତେବେଳର ସବୁ ଶିକ୍ଷକ ବି ଆଇନ୍‌ଷ୍ଟାଇନ୍‌ କିମ୍ବା ରାଧାକ୍ରିଷ୍ଣନ୍‌ ନ ଥିଲେ ।

 

ତେବେ ??

 

ଆମ ସମୟରେ ଡର ଥିଲା । ବାପା ମା’ଙ୍କୁ ଡର, ଗୁରୁଜନଙ୍କୁ ଡର, ଶିକ୍ଷକଙ୍କୁ ଡର, ସରକାରୀ କଳକୁ ଡର ! ଧରା ପଡ଼ିଲେ କେଉଁଠି ମୁହଁ ଦେଖାଇ ହେବନି । ସେଇ ଡର ହିଁ ଥିଲା ଆମର ଘୋଡ଼ାତ୍ୱର ଲଗାମ୍‌ । ଆଜି ସମସ୍ତେ ଲଗାମ୍ ଛାଡ଼–ସ୍ୱାଧୀନ ଦେଶର ସ୍ୱାଧୀନ ନାଗରିକ କି ନା !

 

ହେଉ, ଆଉ ୨୫-୩୦ ବର୍ଷ ପରେ କଲେଜର ଆଜିର ଏଇ ବୀର ଯବାନ ସବୁ ଯେତେବେଳେ ସାମାନ୍ୟ ଶ୍ଳଥଚର୍ମ ହୋଇ ଏଇ ବିଷୟଟିକୁ ଯଦି ଯୋଗକୁ ଓଲଟାଇ ପକାଇବେ, ସେତେବେଳେ ସେମାନେ ତାଙ୍କ ଆଧୁନିକ ସନ୍ତାନ ସନ୍ତତିମାନଙ୍କ these old fools’ ଧାରଣା କଥା ଭାବି କି ମନ୍ତବ୍ୟ ଦେବେ ସେଇଟା ଶୁଣିବା କଥା । ଅବଶ୍ୟ ସେତେବେଳକୁ ଆମ ଭିତରୁ ଅନେକେ ନ ଥିବେ ।

Image

 

କୁମ୍ଭାରଙ୍କୁ ପଦେ

 

ସମୟ ସମୟରେ କେହି କହି କୌଣସି ବ୍ୟକ୍ତିବିଶେଷଙ୍କୁ ମେରୁଦଣ୍ଡହୀନ ବୋଲି ଆକ୍ଷେପ କରୁଥିବା କିମ୍ବା ଅଭିଯୁକ୍ତ କରୁଥିବା ଶୁଣାଯାଏ । ଏଥିରୁ ମଣିଷ ମେରୁଦଣ୍ଡହୀନ ପ୍ରାଣୀ ହୋଇପାରେ ବୋଲି ଭାବିବା ଭୁଲ ହେବ । ମେରୁଦଣ୍ଡ ଥିବା ଯୋଗୁଁ ହିଁ ମଣିଷ ଥୁଣ୍ଟାଗଛ ପରି ସିଧାସଳଖ ଠିଆ ହୋଇପାରେ ଓ ଏପରି ଠିଆ ହୋଇଥିବା ଲୋକ ଆଗକୁ ଯିବାକୁ ଚେଷ୍ଟା କଲେ ଗୋଡ଼ ସଙ୍ଗରେ ଦେହ ମଧ୍ୟ ଆଗକୁ ଯାଏ, ପଛକୁ ଝୁଲି ପଡ଼େ ନାହିଁ । କେତେକ ମଣିଷଙ୍କ ଗତି ସରଳ ଓ ସହଜ ହୋଇଥାଏ । ଅନ୍ୟ ପକ୍ଷରେ ମେରୁଦଣ୍ଡବିହୀନ ପ୍ରାଣୀର ଗତି କେବଳ ଯେ କୁଟିଳ ତାହା ନୁହେଁ ଜଟିଳ ମଧ୍ୟ । ଏପରି ପ୍ରାଣୀ ଗତି କଲାବେଳେ ଗୋଟିଏ ଅଂଶ ଆଉ ଗୋଟିଏ ଅଂଶକୁ ଓଟାରି ନେଉଥିବାର ଲକ୍ଷ୍ୟ କରାଯାଏ ।

 

ଅନେକ ସମୟରେ ମେରୁଦଣ୍ଡକୁ ଆକ୍ଷରିକ ଅର୍ଥରେ ବ୍ୟବହାର ନ କରି ଆଳଙ୍କାରିକ ଅର୍ଥରେ ବ୍ୟବହାର କରାଯାଇଥାଏ । କୌଣସି ପ୍ରାଣହୀନ ସଂସ୍ଥା, ସଙ୍ଗଠନ କିମ୍ବା ଅନୁଷ୍ଠାନ ଶୃଙ୍ଖଳାର ସହିତ ବିନା ଜଟିଳତାରେ ସରଳ ଭାବରେ ପରିଚାଳିତ ହେଉଥିଲେ ଓ ତାହାର ଅଗ୍ରଗତି ସହଜ ଭାବରେ ସାଧିତ ହେଉଥିଲେ ସେପରି ସୁପ୍ରତିଷ୍ଠିତ ଓ ସୁପରିଚାଳିତ ସଂସ୍ଥାର ମେରୁଦଣ୍ଡ ଅଛି ବୋଲି ଧରି ନିଆଯାଏ ଓ ଯିଏ ବା ଯେଉଁମାନେ ଏ ଶୃଙ୍ଖଳିତ ବ୍ୟବସ୍ଥାର ମୁଖ୍ୟ କାରଣ ସେମାନଙ୍କୁ ସଂସ୍ଥାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରାଯାଏ । ଆଗ ଗୋଡ଼ ଓ ପଛ ଗୋଡ଼ ମଝିରେ ଦୋଳି ପରି ଝୁଲୁଥିବା ପଶୁମାନଙ୍କର ମେରୁଦଣ୍ଡ ଭାଙ୍ଗିଲେ ସେ ପଶୁମାନେ ଯେପରି ଦୋଳି ଝିଣ୍ଡିଲା ପରି କଚାଡ଼ି ହୋଇ ପଡ଼ନ୍ତି, ସେହିପରି ଉପରୋକ୍ତ ସୁପରିଚାଳିତ ସଂସ୍ଥାରୁ ଦାୟିତ୍ୱଜ୍ଞାନସମ୍ପନ୍ନ କର୍ତ୍ତବ୍ୟନିଷ୍ଠ ବିବେକୀ ପରିଚାଳକ ଦୂରେଇ ଗଲେ ସଂସ୍ଥାର ମେରୁଦଣ୍ଡ ଭାଙ୍ଗିଯାଏ ଓ ସଂସ୍ଥା ଭୁଷୁଡ଼ି ପଡ଼େ ।

 

ମଣିଷ ସମାଜ ଏପରି ଗୋଟିଏ ସଂସ୍ଥା ।

 

ସଭ୍ୟ ଜଗତର ପ୍ରତ୍ୟେକ ଦେଶରେ ଶିକ୍ଷକମାନଙ୍କୁ ସମାଜର ମେରୁଦଣ୍ଡ ବୋଲି ବିନା ଦ୍ୱିଧା ଓ ବିନା ପ୍ରତିବାଦରେ ଗ୍ରହଣ କରାଯାଇଥାଏ ପ୍ରାଚୀନ ସଭ୍ୟତାର ପୀଠସ୍ଥଳୀ ଭାରତରେ ଶିକ୍ଷକ ଯେ ସମାଜର କେବଳ ମେରୁଦଣ୍ଡ ଥିଲା ତାହା ନୁହେଁ, ସେ ଥିଲା ସମାଜର ପ୍ରାଣକେନ୍ଦ୍ର । ବ୍ୟକ୍ତିବିଶେଷଙ୍କ ଜୀବନର ପଥ ପ୍ରଦର୍ଶକ, ଜନ୍ମଦାତା ପିତାଙ୍କ ସମସ୍କନ୍ଧ ଶିକ୍ଷାଦାତା ଗୁରୁ ।

 

ମେଞ୍ଚାଏ ଚିକିଟା ମାଟି ଚକ ଉପରେ ଥୋଇ ଚକ ବୁଲାଉଁ ବୁଲାଉଁ ହାତର କାଉଁରୀ ପରଶରେ କୁମ୍ଭାର ଯେପରି ମାଟିରୁ କେତେବେଳେ ହାଣ୍ଡି, ମାଠିଆ, ସୋରାଇ ଗଢ଼େ ତ କେତେବେଳେ ଆଟିକା, ଠେକି, ରୁଖା ତିଆରି କରେ, କେବେ ଦିଅଁଙ୍କ ପାଇଁ ଘୋଡ଼ା ହାତୀ ସୃଷ୍ଟି କରେ ତ କେବେ ସେଇ ମାଟିରୁ ଦିଅଁଟିଏ ଗଢ଼ି ପକାଏ; ଶିକ୍ଷକ ସେପରି ସମାଜର କଅଁଳିଆ ଶିଶୁମାନଙ୍କୁ ନେଇ ନାନାରକମର ମଣିଷ ଗଢ଼େ । କିଏ ଇଞ୍ଜିନିୟର, ଡାକ୍ତର ହୁଏ ତ କେହି ସାହିତ୍ୟିକ, ଐତିହାସିକ, ରାଜନୀତିଜ୍ଞ ହୁଅନ୍ତି, କିଏ ସମାଜ ସଂସ୍କାରକ, ଧର୍ମ ପ୍ରଚାରକ ହୁଏ ତ ଅନ୍ୟ କେହି ଶିଶୁ ରାମ, କୃଷ୍ଣ, ବୁଦ୍ଧ, ଗାନ୍ଧୀ ରୂପରେ ବିଶ୍ୱର କଲ୍ୟାଣ ସାଧନ କରିଯାଆନ୍ତି ହାଣ୍ଡି ଗଢ଼ୁ ଗଢ଼ୁ କୁମ୍ଭାରର ଗୋଟିଏ ଦିଓଟି ହାଣ୍ଡି ଫାଟିଗଲା ପରି ଶିକ୍ଷକ ମଣିଷ ଗଢ଼ିଲାବେଳକୁ ଜଣେ ଅଧେ ଫାଟି ଯାଆନ୍ତି ବା ଫେଲ୍ ହୁଅନ୍ତି । କୁମ୍ଭାରର କେତେଟା ହାଣ୍ଡି ବଙ୍କା ତେଢ଼ା ହେଲା ପରି କିମ୍ୱା ପୋଡ଼ିଲାବେଳକୁ କେତେ ଉଆଁଲୁ ଧରିଲା ପରି ଶିକ୍ଷକର କେତୋଟି ଛାତ୍ର ମଧ୍ୟ ସମୟ ସମୟରେ ତେଢ଼ା ମନୋବୃତ୍ତି ଧାରଣ କରନ୍ତି–ସମାଜର ଶିଖୀ ମନାଇଁ ହୁଅନ୍ତି । ପାଣି ମାଠିଆ ଗଢ଼ି, ଦିଅଁ ତୋଳି କିମ୍ୱା ମଦ ପାତ୍ର ତିଆରି କରି କୁମ୍ଭାର ଯେପରି ସେଇ ଗରିବ କୁମ୍ଭାର ହୋଇ ରହିଯାଏ, ସେଇପରି ଗୁରୁଶ୍ରେଷ୍ଠ ଦ୍ରୋଣାଚାର୍ଯ୍ୟ ନିଜ ପୁଅ ଅଶ୍ୱତ୍‍ଥାମାକୁ କ୍ଷୀର ମୁନ୍ଦିଏ ଦେଇ ନ ପାରି ଗାଈଟିଏ ଦାନ ପାଇବା ଆଶାରେ ଦ୍ରୁପଦ ରାଜାଙ୍କ ଦ୍ୱାରସ୍ଥ ହେଲାପରି ଭାରତବର୍ଷରେ ଶିକ୍ଷକ ଯେତେ ଜ୍ଞାନୀ ହେଉନା କାହିଁକି ଗରିବ ଶିକ୍ଷକ ହୋଇ ହିଁ ରହିଯାଏ । କିନ୍ତୁ ବଶିଷ୍ଠ, ବିଶ୍ୱାମିତ୍ର, ସନ୍ଦିପନୀ, ଶଙ୍କର, ରାଧାକୃଷ୍ଣନ୍‍ଙ୍କ ପରି ସବୁବେଳେ ସମାଜରେ ଉପଯୁକ୍ତ ସମ୍ମାନ ପାଇଥାଏ ।

 

ଆଜି କିନ୍ତୁ ଅବସ୍ଥା ବଦଳି ଯାଇଛି । ସମାଜର ମେରୁଦଣ୍ଡରୂପୀ ଶିକ୍ଷକ ତା’ର ନିଜ ମେରୁଦଣ୍ଡ ହରାଇବା ଉପରେ ।

 

ଅବସ୍ଥାର ଏ ଅବାଞ୍ଛିତ ପରିବର୍ତ୍ତନ ପାଇଁ ଦାୟୀ କିଏ ?

 

ହାଣ୍ଡି ଫାଟିଲେ କିମ୍ୱା ଭୁଷୁଡ଼ି ଗଲେ କୁମ୍ଭାର ମାଟିକୁ ଦୋଷ ଦିଏ । ମାଟିରେ ଗୋଡ଼ି ମିଶିଥିବା କଥା କହେ, ପାଣି ଓ ଜାଳକୁ ନିନ୍ଦା କରେ, କିନ୍ତୁ ଦୁନିଆ ଦୋଷ ଦିଏ କୁମ୍ଭାରକୁ–କୁମ୍ଭାରର ଗଠନ ପ୍ରଣାଳୀକୁ–ତା’ର ଅପାରଗତାକୁ । ଆଜି ସେପରି ବହୁ ସଂଖ୍ୟାରେ ଭଙ୍ଗା, ତୁଟା ଓ ତେଢ଼ା ଛାତ୍ର ବାହାରୁଥିବା ଯୋଗୁଁ ସମାଜର ପାରିପାର୍ଶ୍ୱିକ ଅବସ୍ଥାକୁ ଶିକ୍ଷକ ଯେତେ ଦୋଷ ଦେଉଥିଲେ ମଧ୍ୟ ସମାଜ ଶିକ୍ଷକକୁ ହିଁ ଦୋଷୀ ସାବ୍ୟସ୍ତ କରେ ।

 

ପାଣିରେ ଡୁବି ଯାଉଥିବା ଲୋକ କୂଳରେ ଠିଆହୋଇଥିବା ଲୋକମାନଙ୍କଠାରୁ ସାହାଯ୍ୟ ପାଇବା ଆଶାରେ ବିକଳ ଇଙ୍ଗିତ ଦେଲାବେଳେ ତା’କୁ ସାହାଯ୍ୟ ଦେବା ପରିବର୍ତ୍ତେ ପହଁରି ନ ଜାଣି ପାଣି ଭିତରକୁ ପଶି ଯାଇଥିବା ହେତୁ ତା’ର ସମାଲୋଚନା କରିବା ଯେପରି, ଆଜି ଶିକ୍ଷକମାନେ କେତେକ ଅସାମାଜିକ, ଦୃଷ୍ଟିହୀନ ଓ ନୀଚ ମନୋବୃତ୍ତି ପୋଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ଲାଞ୍ଛିତ ଓ ଅପମାନିତ ହେଉଥିଲାବେଳେ, ସେମାନଙ୍କ ଜୀବନ ବିପନ୍ନ ଥିଲାବେଳେ ଓ ବିଶାଳ ଛାତ୍ର ସମାଜର, ଅଭିଭାବକମାନଙ୍କର ତଥା ଆଇନ କାନୁନ ରକ୍ଷାକାରୀ ସରକାରୀ କଳର ନିର୍ବିକାର ଉଦାସୀନତା ପରିଲକ୍ଷିତ ହେଉଥିଲାବେଳେ ଏହି ଶିକ୍ଷକମାନଙ୍କର ଦୋଷ ତ୍ରୁଟି ବାଛିବା ଅତ୍ୟନ୍ତ ଦୁଃଖଦାୟକ ହେବ । ତଥାପି ଶିକ୍ଷକ ସମାଜର ଭବିଷ୍ୟତ ମଙ୍ଗଳ ନିମନ୍ତେ ଏପରି ଦୁର୍ଦ୍ଦିନରେ ମଧ୍ୟ ଆତ୍ମନିରୀକ୍ଷଣ ତଥା ସମସ୍ୟାର ପର୍ଯ୍ୟାଲୋଚନା ବିଧେୟ ବୋଲି ମନେହୁଏ ।

 

ଏଇ କେତେବର୍ଷ ତଳେ ସ୍ୱାଧୀନତା ପ୍ରାପ୍ତିର ଠିକ୍ ପରବର୍ତ୍ତୀ କାଳରେ ଶାସନ ଶିଥିଳତାର ସୁଯୋଗ ନେଇ ‘କଙ୍କଣ ଲୋଭୀ’ କେତେକ ଶିକ୍ଷକ ଅଧିକ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ ଟିଉସନ ଆରମ୍ଭ କଲେ । ଜଣେ ଦି’ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏ ଟିଉସନ କ୍ରମେ ବଡ଼ ଆକାର ଧାରଣ କରି ୧୫/୨୦ ଜଣ ଛାତ୍ର ବିଶିଷ୍ଟ ଟିଉସନ କ୍ଳାସ ରୂପରେ କେତେକ ଶିକ୍ଷକଙ୍କ ଘରେ ଦେଖା ଦେଲା । ଏପରି ଛାତ୍ର ସଂଖ୍ୟା ବଢ଼ାଇବା ଆଶାରେ କେତେକ ଶିକ୍ଷକ ଜାଣି ଶୁଣି ସ୍କୁଲରେ ପାଠ ପଢ଼ାଇବାର ଅବହେଳା କଲେ । ଟିଉସନ ପ୍ରତିଯୋଗିତା କ୍ରମେ ଆରମ୍ଭ ହେଲା ଓ ଏପରି କେତେ ଶିକ୍ଷକ ଟିଉସନ ପାଉଥିବା ଛାତ୍ରଙ୍କୁ ପାଶ୍ ଗେରେଣ୍ଟି ଦେବାକୁ ଆରମ୍ଭ କଲେ । ଫଳରେ ଛାତ୍ରମାନଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନ କହି ଦେବା ପ୍ରବୃତ୍ତି ଦେଖା ଦେଲା ଓ ପରୀକ୍ଷା ପ୍ରଶ୍ନର ଘରୋଇ ସମାଧାନ ଟିଉସନର ଗୋଟିଏ ଅଙ୍ଗ ହେବାକୁ ଲାଗିଲା । କେତେ ଟିଉସନ ପାଉଥିବା ଛାତ୍ର ସେଥିରେ ମଧ୍ୟ ପରୀକ୍ଷା ହଲରେ ଭୁଲ ଲେଖୁଥିବା ଦେଖି ଟିଉସନ ଶିକ୍ଷକ ପରୀକ୍ଷା ହଲରେ ମଧ୍ୟ ଏପରି ଛାତ୍ରମାନଙ୍କୁ ସିଧାସଳଖ ସାହାଯ୍ୟ କରିବାକୁ ଆରମ୍ଭ କଲେ-। ସ୍କୁଲରେ ପ୍ରଧାନ ଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକମାନେ ଏପରି ଅସତ୍ ଉପାୟ ଅବଲମ୍ୱନକୁ ରୋକି ନ ପାରିବା ଯୋଗୁଁ ଧୀରେ ଧୀରେ ଏପରି ସୁବିଧାରୁ ବଞ୍ଚିତ ହେଉଥିବା ଛାତ୍ରମାନେ ବିଦ୍ରୋହ କଲେ ଓ କେତେକ ଅଭିଭାବକମାନଙ୍କ ପ୍ରରୋଚନା ପାଇ ସେମାନେ ମଧ୍ୟ କପି କରିବା ଆରମ୍ଭ କଲେ । ଯଥା ସମୟରେ ରୋଗର ନିରାକରଣ ହୋଇ ନ ଥିବାରୁ ଅଳ୍ପ କେତେ ବର୍ଷ ମଧ୍ୟରେ ଏ କପି କରିବା ବ୍ୟାଧି ଭୀଷଣ ସଂକ୍ରାମକ ଆକାର ଧାରଣ କରି ମେଟ୍ରିକୁଲେଶନ ପରୀକ୍ଷାରେ ପଶିଲା ।

 

ପାଠରେ ନିହାତି ଦୁର୍ବଳ କିନ୍ତୁ କପି କରି ପାଶ୍ କରିଥିବା କେତେ ଛାତ୍ର ଯଥାସମୟରେ କଲେଜମାନଙ୍କରେ ଭର୍ତ୍ତି ହେଲେ । ଶ୍ରେଣୀରେ ପଢ଼ା ହେଉଥିବା ପାଠ ବୁଝିପାରିବା ଶକ୍ତି ମଧ୍ୟ ସେମାନଙ୍କର ନ ଥିଲା ।

 

ଆମ ପରମ୍ପରା ଅନୁଯାୟୀ ୫ ବର୍ଷର ଲାଳନ ପରେ ୧୦ ବର୍ଷ ପାଇଁ ତାଡ଼ନ ସହ ଶିକ୍ଷା ଦେବା କଥା । ତା’ ପରିବର୍ତ୍ତେ ଟିଉସନ ଓ ବେନିୟମ ସାହାଯ୍ୟ ପାଇଥିବା ୧୬ ବର୍ଷ ବୟସର ଏହି ଯୁବକମାନେ ଷୋଡ଼ଶ ବର୍ଷ ପ୍ରାପ୍ତିର ଫଳସ୍ୱରୂପ କଲେଜରେ କପି କଲା ବେଳେ ମଧ୍ୟ ମିତ୍ର ଆଚରଣ ପାଇବା ଆଶା କଲେ । ଫଳରେ କଲେଜ ଅଧ୍ୟାପକ ଓ ଏହି କପି କରା ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଲା । ଏହି ଦ୍ୱନ୍ଦ୍ୱର ପରିଣାମ ହିଁ ଏବେ ଦେଖିବାକୁ ମିଳେ ।

 

ଯେଉଁ ରୋଗର ଆରମ୍ଭ ସ୍କୁଲ ସ୍ତରରେ ହେଉଛି, ସେ ରୋଗର ନିରାକରଣ ସେହି ସ୍କୁଲ ସ୍ତରରେ ହିଁ ହେବା ସମ୍ଭବ । ବ୍ୟାଧି ପୁରୁଣା ହୋଇଗଲା ପରେ ତା’ର ନିରାକରଣ ସହଜସାଧ୍ୟ ନୁହେଁ । ତେବେ ମଧ୍ୟ କଲେଜର ଅଧ୍ୟାପକମାନଙ୍କୁ ହତାଶ ନ ହୋଇ ରୋଗର ନିରାକରଣ ନ ହେଲେ ମଧ୍ୟ ରୋଗ ଯନ୍ତ୍ରଣାର ସାମାନ୍ୟ ଉପଶମ ନିମନ୍ତେ ଯତ୍‍ପରୋନାସ୍ତି ଚେଷ୍ଟା କରିବାକୁ ପଡ଼ିବ

 

‘କହିବା ସହଜ ଓ କରିବା କଠିନ’ ଜାଣି ମଧ୍ୟ ଏ ସମ୍ୱନ୍ଧରେ କିଛି କୁହାଯାଇପାରେ ।

 

କଲେଜମାନଙ୍କରେ ଅଧ୍ୟାପକମାନଙ୍କର ଅନେକ ଅସୁବିଧା ରହିଛି ସତ ଓ ଛାତ୍ରମାନଙ୍କୁ ଶିକ୍ଷା ଦେବା ପ୍ରୟୋଜନୀୟ ବ୍ୟବସ୍ଥା ପର୍ଯ୍ୟାପ୍ତ ଭାବରେ ନାହିଁ, ତାହା ମଧ୍ୟ ସତ । ତେବେ ଯାହା ଅଛି, ଅନେକ କ୍ଷେତ୍ରରେ ସେ ସବୁର ସଦୁପଯୋଗ ଯେ କରାଯାଉ ନାହିଁ ଏହା ଅସ୍ୱୀକାର କରି ହେବ ନାହିଁ । ତେଣୁ ବର୍ତ୍ତମାନର ସନ୍ଧିକ୍ଷଣରେ ଅନ୍ୟମାନଙ୍କ ସାହାଯ୍ୟ ଉପରେ ଭରସା ନ ରଖି ଶିକ୍ଷକମାନଙ୍କୁ ନିଜର ଦୋଷ ତ୍ରୁଟି ନିଜେ ସଂଶୋଧନ କରିବାକୁ ପଡ଼ିବ ଓ ନିଜ କର୍ତ୍ତବ୍ୟ ସମ୍ୱନ୍ଧରେ ସଚେତନ ହେବାକୁ ପଡ଼ିବ

 

ସାମାନ୍ୟ କେତେ ଜଣଙ୍କୁ ଛାଡ଼ି ଦେଲେ କୌଣସି ଶିକ୍ଷକ ସୁଶିକ୍ଷକ ଭାବରେ ଜନ୍ମ ନେଇ ନ ଥାଏ । ତେଣୁ ଶିକ୍ଷକ ନିଜେ ହିଁ ନିଜକୁ ସୁଶିକ୍ଷକ କରି ଗଢ଼ିନିଏ । ସେଥିପାଇଁ ଯେଉଁ ମାତ୍ରାରେ ଉତ୍ସାହ, ଉଦ୍ଦୀପନା, କର୍ତ୍ତବ୍ୟନିଷ୍ଠା ଓ ଶ୍ରମସ୍ୱୀକାର ଦରକାର ତଥା ଜ୍ଞାନ ସାଧନ ଓ ଜ୍ଞାନର କ୍ରମୋନ୍ନତି ପାଇଁ ଯେଉଁ ଚେଷ୍ଟା ଲୋଡ଼ା, ତାହା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ ଏପରି ଅବିରତ ଉଦ୍ୟମ ହିଁ କଲେଜମାନଙ୍କରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବାରେ ସହାୟକ ହେବ ।

 

ଶିକ୍ଷକଙ୍କୁ ନିଜେ ବ୍ୟକ୍ତିଗତ ଭାବେ ଛାତ୍ରମାନଙ୍କର ଆଦର୍ଶ ହେବାକୁ ହେଲେ ସମୟାନୁବର୍ତ୍ତିତା ସହ ଶ୍ରେଣୀ ପାଇଁ ବିଶେଷ ଭାବରେ ଯୋଜନାବଦ୍ଧ ପ୍ରସ୍ତୁତି ଲୋଡ଼ା । ପୋଥିଗତ ବିଦ୍ୟା ଭିତରେ ଯଦି ଶିକ୍ଷକର ଶିକ୍ଷାଦାନ ସୀମିତ ରହେ ତେବେ ଛାତ୍ର ଶ୍ରେଣୀକୁ ଆସିବା ପାଇଁ ଆଗ୍ରହୀ ନ ହେବା ସ୍ୱାଭାବିକ ।

 

ଅନେକ ସମୟରେ ଶିକ୍ଷକର ଶିକ୍ଷା ପ୍ରଣାଳୀରେ ତ୍ରୁଟି ରହିଯାଇଥାଏ । ଏକା ସ୍ୱରରେ ପଢ଼ାଇବା ଫଳରେ ସମୟ ସମୟରେ ଶୁଣିବା ଲୋକର ନିଦ ଆସିଯାଏ, ଟିକିଏ ହସର ଅବତାରଣା କରି ନ ପାରିଲେ ପଢ଼ା ରୁଚିକର ହୁଏ ନାହିଁ । ଶ୍ରେଣୀ ବାହାରେ ଖେଳକୁଦ, ମଉଜ ମଜଲିସ ଓ ନାନାବିଧ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଛାତ୍ରର ପ୍ରତ୍ୟକ୍ଷ ସଂସ୍ପର୍ଶରେ ନ ଆସିଲେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଥିବା ବ୍ୟବଧାନ ଦୂରୀଭୂତ ହୁଏ ନାହିଁ ଓ ଛାତ୍ର ଶିକ୍ଷକକୁ ନିଜର ବୋଲି ମନେ କରିପାରେ ନାହିଁ । ଶିକ୍ଷକର ଗବେଷଣାତ୍ମକ କାର୍ଯ୍ୟ ଦେଖିଲେ ଶିକ୍ଷକର ଜ୍ଞାନ ପ୍ରତି ଛାତ୍ରର ବିଶ୍ୱାସ ଜନ୍ମେ । ଛାତ୍ରମାନଙ୍କ ମଧ୍ୟରେ ରହି ଛାତ୍ର ନ ଜାଣିଲା ପରି ଯେଉଁ ଶିକ୍ଷକ ଦିଗ୍‍ଦର୍ଶନ ଦେଇପାରେ ତା’କୁ ହିଁ ଛାତ୍ରମାନେ ନିଜ ବନ୍ଧୁ, ଦାର୍ଶନିକ ଓ ପଥପ୍ରଦର୍ଶକ ବୋଲି ବିବେଚନା କରନ୍ତି-

 

ପୁଅ ଝିଅ ଯେତେ ବଡ଼ ଭୁଲ କଲେ ମଧ୍ୟ, ଯେତେ କଷ୍ଟ ଓ ମାନସିକ ଯନ୍ତ୍ରଣା ଦେଲେ ମଧ୍ୟ ବାପ ମା’ ସେମାନଙ୍କୁ କ୍ଷମା ଦେଇ ଥାଆନ୍ତି ଓ ତା’ ସଙ୍ଗେ ସଙ୍ଗେ ତାଙ୍କର ମଙ୍ଗଳ ସାଧନରେ ତତ୍ପର ରହନ୍ତି । ଆଜିର ଏହି କେତେ ବିପଥଗାମୀ ଛାତ୍ର ମଧ୍ୟ ଆମ୍ଭମାନଙ୍କର ତଥା ଆମ୍ଭ ଭାଇ ବନ୍ଧୁଙ୍କର ସନ୍ତାନ ସନ୍ତତି । ଯେ ପର୍ଯ୍ୟନ୍ତ ଶିକ୍ଷକ ଲାଞ୍ଛନା, ଗଞ୍ଜଣା, ଅପମାନ ଓ ନିର୍ଯ୍ୟାତନା ସହ ମଧ୍ୟ ଏହି ଛାତ୍ରମାନଙ୍କୁ ନିଜ ପୁଅ ଝିଅ ଆଖିରେ ନ ଦେଖିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ଏ ଛାତ୍ରମାନଙ୍କର ତଥା ସମାଜର ସମ୍ମାନ ଭାଜନ ହୋଇପାରିବେ ନାହିଁ

 

ବିନୋବାଜୀ ଓ ଜୟ ପ୍ରକାଶଙ୍କ ସ୍ନେହ ଓ କ୍ଷମା ବାଣୀରେ ଆଜି ଯଦି ଚମ୍ୱଲ ଉପତ୍ୟକାର ନରହନ୍ତା ଡକାୟତମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିପାରିଲେ ଆମ ପୁଅ ଝିଅଙ୍କ ମାନସିକ ଦୃଷ୍ଟିଭଙ୍ଗୀ ବଦଳାଇବା ସମ୍ୱନ୍ଧରେ ହତବୁଦ୍ଧି ଓ ନିରୁପାୟ ହେଲେ ସମାଜ ଆମ୍ଭମାନଙ୍କୁ ହୀନମଣ୍ୟ ଓ ପଳାୟନପନ୍ଥୀ ବୋଲି ଗଣନା କରିବ ନାହିଁ କି ?

Image

 

ଘୋଡ଼ାକୁ ପାଣି ପିଆଇବ କିପରି

 

ମଣିଷ ସମାଜର ତେରଛା ଦୃଷ୍ଟିଭଙ୍ଗୀର ବାସ୍ତବତାରୁ ରୂପ ନେଇ ଢଗ ଓ ପ୍ରବଚନ ଜନ୍ମ ନିଏ । ଆକ୍ଷରିକ ସତ୍ୟତାର ଅଭାବରୁ ଓ ସାଧାରଣତଃ ପରିହାସ ବ୍ୟଞ୍ଜକ ହୋଇଥିବାରୁ ଅନେକ ସମୟରେ ବ୍ୟକ୍ତି ବିଶେଷ ଢଗର ଅନ୍ତର୍ନିହିତ ସତ୍ୟତା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ ତେଣୁ ଗାଁ କନିଆଁ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ସିଙ୍ଘାଣି ନାକୀ ହେବା ନ୍ୟାୟରେ ଢଗ ଯେତେ ଦର୍ଶନଯୁକ୍ତ ହୋଇଥିଲେ ମଧ୍ୟ ଢଗ ହୋଇ ହିଁ ରହିଯାଏ ।

 

ସମାଜବାଦର ବନ୍ଧୁର ପଥରେ ମନ୍ଥର ଗତିରେ ଅଗ୍ରସର ହେଉଛି ବୋଲି ବାହାନା କରି ଛୋଟେଇ ଛୋଟେଇ ଚାଲୁଥିବା ଆଜିର ଏ ସମାଜରେ ଧନ ଓ ଶକ୍ତି ତଥା କ୍ଷମତା ନ ଥିବା ଲୋକ କିପରି ସମସ୍ତଙ୍କର ପରିହାସର ପାତ୍ର ସେ କଥା ସୂଚାଇବାକୁ ଯାଇ ଗୋଟିଏ ପ୍ରଚଳିତ ଢଗ ଇଙ୍ଗିତ ଦିଏ ଯେ ଗରିବ ମାଇପି ସମସ୍ତଙ୍କର ଏପରି ଏକ ମଧୁର ସମ୍ପର୍କୀୟା ନାରୀ ଯାହା ସାଙ୍ଗରେ କି ଯେ କେହି ନିଃସଙ୍କୋଚରେ ଓ ନିର୍ଭୟରେ ଯେ କୌଣସି ସମୟରେ ଥଟ୍ଟା ତାମସା କରିପାରନ୍ତି ପୁରୁଷ ବଳ ଓ ସ୍ତ୍ରୀ ଦୁର୍ବଳତାର ପ୍ରତୀକ ବୋଲି ଧରାଯାଉଥିବାରୁ ଢଗର ଗରିବ ମାଇପି ଧନ ଓ କ୍ଷମତାହୀନ ବ୍ୟକ୍ତିଙ୍କୁ ହିଁ ବୁଝାଏ ।

 

ଧନ କିମ୍ୱା କ୍ଷମତା କିମ୍ୱା ଦୁଇଟିଯାକ ଠୁଳ ହୋଇ ରହିଥିବା ପୋଲିସ, ପୂର୍ତ୍ତ, ଜଙ୍ଗଲ ଓ ଅବକାରୀ ପ୍ରଭୃତି ସରକାରୀ ବିଭାଗମାନଙ୍କ ମଧ୍ୟରେ ଧନ ଓ କ୍ଷମତାହୀନ ଶିକ୍ଷା ବିଭାଗ ଓ ତତ୍ ସମ୍ୱନ୍ଧୀୟ ବ୍ୟକ୍ତି ବିଶେଷ ଢଗର ଗରିବ ମାଇପି ପରି ବାଟରେ ଘାଟରେ ଆଜି ସମସ୍ତଙ୍କର ପରିହାସର ପାତ୍ର ହେବାରେ କିଛି ଅସ୍ୱାଭାବିକତା ନାହିଁ । କିନ୍ତୁ ଯେଉଁ ଶିକ୍ଷା ପ୍ରଣାଳୀ ଓ ଶିକ୍ଷା ପଦ୍ଧତି ମଧ୍ୟ ଦେଇ ଗତି କରି ଡିଗ୍ରୀ ସାର୍ଟିଫିକେଟ ଇତ୍ୟାଦି ହାସଲ କରିଥିବା ଯୋଗୁ ଓ ଯେଉଁ ଶିକ୍ଷକମାନଙ୍କର ଶିକ୍ଷାଦାନ ଫଳରେ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କ ବିଭିନ୍ନ ବିଭାଗମାନଙ୍କରେ ଉଚ୍ଚ କର୍ମକର୍ତ୍ତାର ଆସନ ପାଇବାର ସୁଯୋଗ ଯେଉଁମାନେ ପାଇଛନ୍ତି ସେଇମାନେ ଯେତେବେଳେ ବର୍ତ୍ତମାନର ଶିକ୍ଷା ପଦ୍ଧତିର ତୁଚ୍ଛତା ପ୍ରତିପାଦନ କରିବାକୁ ଚେଷ୍ଟା କରି ଶିକ୍ଷକ ସମାଜକୁ ପରିହାସ କରନ୍ତି ସେତେବେଳେ ମନରେ ଆଘାତ ଲାଗେ । ‘ଯାହା ପାଇଁ ଚୋରି କରେ ସେ କହେ ଚୋର’ ଏ କଥା ମନେପଡ଼େ ଓ ଯେଉଁ ସିଡ଼ି ସାହାଯ୍ୟରେ ମଣିଷ ଉପରକୁ ଉଠେ, ଚଢ଼ି ସାରିଲା ପରେ ସେଇ ସିଡ଼ିକୁ ଗୋଇଠା ମାରିବା ନୀତି ଦେଖି ମନ ସମୟ ସମୟରେ ବିଦ୍ରୋହ କରି ଉଠେ ।

 

ଆଜିର ଶିକ୍ଷା ଓ ଶିକ୍ଷା ପଦ୍ଧତିରେ ଯେ ସଂସ୍କାର ଆବଶ୍ୟକ ଏଥିରେ କାହାରି ଭିନ୍ନ ମତ ନାହିଁ । କିନ୍ତୁ ଦେଶ ଓ ସମାଜର ସବୁ ଦୂରବସ୍ଥା ପାଇଁ ଏଇ ଶିକ୍ଷା ପଦ୍ଧତି ଉପରେ ସବୁ ଦୋଷ ଲଦି ଦେବା ବହୁତ ଅନ୍ୟାୟ ପରି ମନେହୁଏ ।

 

ଆମ ଦେଶରେ ଆଜି ଯେଉଁ ଶିକ୍ଷା ପଦ୍ଧତି ପ୍ରଚଳିତ ଅଛି ତାହା ବିଲାତର ଶିକ୍ଷା ପଦ୍ଧତିର ଅନୁରୂପ । ତିଳକ, ଗୋଖେଲ, ମୋତିଲାଲ, ଗାନ୍ଧୀଜୀ, ପଟେଲ, ସୁଭାଷ ବୋଷଠାରୁ ଆରମ୍ଭ କରି ଗୋପବନ୍ଧୁ, ମଧୁସୂଦନ ପର୍ଯ୍ୟନ୍ତ; ରାଧାକୃଷ୍ଣନ, ସି.ଭି.ରମଣ, ଜଗଦୀଶ ବୋଷ, ପ୍ରାଣକୃଷ୍ଣ ପରିଜାଙ୍କଠାରୁ ଆରମ୍ଭ କରି ଚନ୍ଦ୍ରଶେଖର, ନର୍ଲିକର, ଖରାନା ପର୍ଯ୍ୟନ୍ତ ଓ ବିବେକାନନ୍ଦ, ଶିବାନନ୍ଦଙ୍କ ଠାରୁ ଆରମ୍ଭ କରି ଚିନ୍ମୟାନନ୍ଦ ଚିଦାନନ୍ଦଙ୍କ ପର୍ଯ୍ୟନ୍ତ ଗତ ଶତାବ୍ଦୀ ଓ ଚଳିତ ଶତାବ୍ଦୀର ଭାରତର ସର୍ବଶ୍ରେଷ୍ଠ କୃତୀ ସନ୍ତାନ ସବୁ ଏହି ଶିକ୍ଷା ପଦ୍ଧତି ଭିତର ଦେଇ ଗତି କରି ଯାଇଛନ୍ତି । ଅରବିନ୍ଦ ଓ ଜବାହରଲାଲଙ୍କ ପରି କେତେଜଣ ଏହି ଶିକ୍ଷା ପଦ୍ଧତିରୁ ତାଲିମ ପ୍ରାପ୍ତ ହୋଇ ନ ଥିଲେ ମଧ୍ୟ ତଦନୁରୂପ ଶିକ୍ଷା ପଦ୍ଧତିର ସନ୍ତାନ ଥିଲେ । ତେଣୁ ବର୍ତ୍ତମାନର ପ୍ରଚଳିତ ଶିକ୍ଷା ପଦ୍ଧତିକୁ ହେୟଜ୍ଞାନ କରି ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରି ଦେବା କେତେ ଦୂର ସମୀଚୀନ ତାହା ବିଚାର ଓ ଆଲୋଚନା ଯୋଗ୍ୟ ।

 

ଅନେକଙ୍କ ମତରେ ପ୍ରଚଳିତ ଶିକ୍ଷା ପଦ୍ଧତି କେବଳ ଯେ ସମୟର ଅନୁପଯୋଗୀ ଓ ଅନେକାଂଶରେ ଖାପଛଡ଼ା ତାହା ନୁହେଁ, ସମାଜର ଚିନ୍ତାଧାରାଠାରୁ ବିଚ୍ଛିନ୍ନ, ତେଣୁ ସର୍ବସାଧାରଣଙ୍କ କଲ୍ୟାଣ ସାଧନ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ଏ ପଦ୍ଧତି ଛାତ୍ରକୁ ଆତ୍ମବିଶ୍ୱାସ ଦେବା ପରିବର୍ତ୍ତେ ପରମୁଖାପେକ୍ଷୀ କରାଏ, ନୂତନ ଓ ମୌଳିକ ଚିନ୍ତାଧାରାର ପରିପ୍ରକାଶ ପାଇଁ ସମର୍ଥ ନୁହେଁ । ଏମାନଙ୍କ ମତରେ ଶିକ୍ଷା ପଦ୍ଧତି ଆଧୁନିକ ହେବା ସଙ୍ଗେ ସଙ୍ଗେ କର୍ମାଭିମୁଖୀ ବା ବୃତ୍ତି ଓ ଧନ୍ଦାମୂଳକ ହେବା ଉଚିତ୍, ଯାହାଦ୍ୱାରା ଛାତ୍ର ତା’ର କଲେଜରୁ ଉପାର୍ଜିତ ଜ୍ଞାନ ସାହାଯ୍ୟରେ ନିଜ ବୁଦ୍ଧିର ବିକାଶ କରିବା ସଙ୍ଗେ ସଙ୍ଗେ ଅନ୍ୟ ଉପରେ ନିର୍ଭର ନ କରି ନିଜ ଗୋଡ଼ରେ ଠିଆ ହୋଇପାରିବ ତଥା ନିଜ କୁଟୁମ୍ୱର ପ୍ରତିପୋଷଣ କରିପାରିବ କୁହାଯାଇଥାଏ ଯେ ଏପରି କର୍ମାଭିମୁଖୀ ଶିକ୍ଷା ପଦ୍ଧତିରେ ଛାତ୍ରର ମନ ପାଠ ଆଡ଼ିକି ବିଶେଷ ଭାବରେ ଆକୃଷ୍ଟ ହୋଇପାରିବ ଯାହାଫଳରେ ସେ ଶ୍ରେଣୀ ବର୍ଜନ କରିବା ଓ ପରୀକ୍ଷାରେ ଅସତ୍ ଉପାୟ ଅବଲମ୍ୱନ କରିବା ପ୍ରଭୃତିରୁ କ୍ଷାନ୍ତ ହେବ । ଏ ଯୁକ୍ତିରେ ଯେ ଯଥେଷ୍ଟ ଗୁରୁତ୍ୱ ରହିଛି ତାହା ଅସ୍ୱୀକାର କରି ହେବନାହିଁ-। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ତେବେ ଭେଷଜ ବିଜ୍ଞାନ, ଇଞ୍ଜିନିୟରିଂ, କୃଷି ବିଜ୍ଞାନ ପ୍ରଭୃତି କର୍ମାଭିମୁଖୀ ଶିକ୍ଷାରେ ବିଭିନ୍ନ ସମସ୍ୟା ଦେଖା ଦେଉଛି କାହିଁକି ? ପୁଣି କୁହାଯାଏ ଯେ ଇଞ୍ଜିନିୟରିଂ ବିଦ୍ୟା କର୍ମାଭିମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ଛାତ୍ରମାନେ ନିଜେ ନିଜ ହାତରେ କିଛି କରି ପାରି ନାହାନ୍ତି ତଥା ନିଜର କୌଣସି ଶିଳ୍ପ ମାଧ୍ୟମରେ ନିଜର କର୍ମସଂସ୍ଥାନର ଯୋଗାଣ କରି ନ ପାରିଛନ୍ତି ସେ ପର୍ଯ୍ୟନ୍ତ ଏ ଶିକ୍ଷାକୁ କର୍ମାଭିମୁଖୀ ଶିକ୍ଷା ବୋଲି କୁହାଯାଇ ନ ପାରେ । ତେବେ କୃଷି ବିଦ୍ୟା ତଥା ଡାକ୍ତରୀ ବିଦ୍ୟା-?

 

ଶିକ୍ଷା ପ୍ରକୃତ ଶିକ୍ଷା ହେବାକୁ ହେଲେ ତାହା ଛାତ୍ରର ଶରୀର, ମସ୍ତିଷ୍କ ଓ ହୃଦୟର ପରିପୂର୍ଣ୍ଣ ବିକାଶରେ ସହାୟକ ହେବା ଉଚିତ୍ ଆମର ଶିକ୍ଷା ପଦ୍ଧତିରେ ଅନେକ ମଇଳା ଜମିଯାଇ ଜମାଟ ବାନ୍ଧିଗଲାଣି ତା’କୁ ଯେ ସଂସ୍କାର କରି ସଫା କରିବାକୁ ହେବ ଏଥିରେ ସନ୍ଦେହ ନାହିଁ । ଦେଶ ପରାଧୀନ ଥିଲାବେଳେ ଆମର ସବୁ ଦୋଷ ଦୁର୍ଗୁଣ ପାଇଁ ସାମ୍ରାଜ୍ୟବାଦକୁ ଦାୟୀ କରି ଇଂରେଜ ଜାତି ମୁଣ୍ଡରେ ଅଠା ବୋଳିବାର ସୁବିଧା ଓ ସୁଯୋଗ ଥିଲା । ଏବେ କିନ୍ତୁ ଆଉ କାହାକୁ ଦାୟୀ କରିବା ବାଟ ନାହିଁ ।

 

ଭାରତରେ ପ୍ରଚଳିତ ଗୋଲାମ ସୃଷ୍ଟିକାରୀ ଶିକ୍ଷା ପଦ୍ଧତିର ତ୍ରୁଟି ଲକ୍ଷ୍ୟ କରି ଶିକ୍ଷା ପ୍ରଣାଳୀର ଆମୂଳ ସଂସ୍କାର ସାଧନ ଓ ମୌଳିକ ଶିକ୍ଷାର ପ୍ରଚଳନ ପାଇଁ ଗାନ୍ଧୀଜୀ ଅନେକ ଚେଷ୍ଟା କରିଥିଲେ । କର୍ମ ମାଧ୍ୟମରେ ଶିକ୍ଷାଦାନ ଓ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଏହି ମୌଳିକ ଶିକ୍ଷାର ମୂଳମନ୍ତ୍ର ଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆଜି ଯେଉଁମାନେ ବର୍ତ୍ତମାନର ଶିକ୍ଷା ପଦ୍ଧତିକୁ ଘୃଣ୍ୟ ବୋଲି ଚିତ୍ରିତ କରି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେଇମାନଙ୍କ ଭିତରୁ କେତେ ସେଦିନ ଗାନ୍ଧୀଜୀଙ୍କ ମୌଳିକ ଶିକ୍ଷାର ତୋଟି ଚିପି ଦେଇଥିଲେ ଓ ଧର୍ମନିରପେକ୍ଷତାର ଦ୍ୱାହି ଦେଇ ନୈତିକ ଶିକ୍ଷାକୁ ଗୋଇଠା ମାରିଥିଲେ ।

 

ଗାନ୍ଧୀଜୀ କହୁଥିଲେ ଯେ ଛାତ୍ର ଆକାଶ ପରି ସ୍ୱଚ୍ଛ ଓ ପବିତ୍ର । ଆକାଶର ଯେପରି ନିଜର କିଛି ରଙ୍ଗ ନ ଥାଏ ଓ କେବଳ ଅନ୍ୟର ରଙ୍ଗ ପ୍ରତିଫଳିତ ହେବା ଫଳରେ ଆକାଶ ରଙ୍ଗୀନ ହୁଏ, ଠିକ୍ ସେହିପରି ଛାତ୍ରର ମନ ଓ ହୃଦୟରେ ନିଜର କିଛି କଳୁଷ ନ ଥାଏ । ପରୀକ୍ଷାରେ ଅସତ୍ ଉପାୟ ଅବଲମ୍ୱନ ପ୍ରଭୃତି ଭ୍ରାନ୍ତ ଚିନ୍ତାଧାରା ତେଣୁ ଆମ କଳୁଷିତ ସାମାଜିକ ଜୀବନର ଏକ ପ୍ରତିବିମ୍ୱ ମାତ୍ର-। ଚାଉଳରେ ଗୋଡ଼ି, ଅଟାରେ ତେନ୍ତୁଳି ମଞ୍ଜି ଗୁଣ୍ଡ, ସୋରିଷ ତେଲରେ ପୋଡ଼ା ମୋବିଲ୍, ଘିଅରେ ଚର୍ବି ପ୍ରଭୃତି ଅପମିଶ୍ରଣ, ଲାଞ୍ଚ, ମିଛ, କଳା ବଜାର, ସଟ୍ଟା ପ୍ରଭୃତି ସାମାଜିକ ଜୀବନର ପରିପ୍ରକାଶ ଭିତରେ ଛାତ୍ର ତା’ର ଦୈନନ୍ଦିନ କର୍ତ୍ତବ୍ୟରେ ହେଳା କରି ଶେଷରେ ପରୀକ୍ଷାରେ ପାଶ୍ କରିବା ପାଇଁ କପି କରିବା ଓ ବାପା ମା’ଙ୍କ ପଇସା ବଳରେ ବେଶି ମାର୍କ ପାଇବାକୁ ସକ୍ଷମ ନ ହେଲେ ନିଜ ଶକ୍ତି ଉପରେ ଭରସା ରଖି ଭୟ ଦେଖାଇ ପାଶ୍ କରିବାକୁ ଚେଷ୍ଟା କରିବା ଆମ ସାମାଜିକ ଜୀବନର ପ୍ରତୀକ ନୁହେଁ କି ?

 

ଛାତ୍ର ତଥା ମନୁଷ୍ୟର ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ମଧ୍ୟରେ କଲେଜ ଜୀବନର ଶିକ୍ଷା ଏକ ଅଙ୍ଗ ବିଶେଷ ମାତ୍ର । ପିଲାଦିନର କଅଁଳିଆ ମନରେ ବାପା ମା’ ଓ ଘରର ଅନ୍ୟମାନଙ୍କ ଚରିତ୍ରର ପ୍ରଭାବ ସାଙ୍ଗରେ ସ୍କୁଲ ଜୀବନର ସାଙ୍ଗସାଥୀମାନଙ୍କ ଆଚରଣ ତଥା ଶିକ୍ଷକଙ୍କ ବ୍ୟକ୍ତିଗତ ଚରିତ୍ରର ପ୍ରଭାବ ଅଲିଭା ଦାଗ ଟାଣି ଦେଇଯାଏ । କଣା କ୍ୟାମେରାର ଆଲୋକ ଚିତ୍ର ପର୍ଦ୍ଦାରେ କ୍ରମାଗତ ଛାପ ପଡ଼ୁଥିଲା ପରି ଛାତ୍ରର ଅଜାଣତରେ ସମାଜର ସବୁ କ୍ରିୟାକଳାପ ତା’ ମନରେ ଛାପ ପକାଇ ଚାଲିଥାଏ । ଯେକୌଣସି ଉପାୟରେ ରାତାରାତି ଧନୀ ହେବାର ଚେଷ୍ଟା, ରାଜନୀତିର ଘୋଡ଼ାବେପାର, ସବଳର ଛାତିଫୁଲା ଚାଲି ସଙ୍ଗରେ ଦୁର୍ବଳର ଅସହାୟତା–କୌଣସି ଘଟନା ବାଦ ଯାଏ ନାହିଁ । ଏହି ଛାପଭରା ମନରେ ଗରିବ ଶିକ୍ଷକର ସଚ୍ଚୋଟ-ପଣିଆ କେବଳ ମେଣ୍ଢାର ସଚ୍ଚୋଟ ପଣିଆ ପରି ମନେ ହୁଏ ଓ ଆଜିର ଦୁନିଆଁରେ ଟିକିଏ ବୋକାମୀର ପରିଚାୟକ ବୋଲି ଜଣାପଡ଼େ-

 

ସାମାଜିକ ଜୀବନର ଏଇ ପରିପ୍ରେକ୍ଷୀରେ ଶିକ୍ଷା ପଦ୍ଧତିର ସଂସ୍କାର ସଙ୍ଗେ ସଙ୍ଗେ କଲେଜ ଛାତ୍ର ଜୀବନର ଆଭିମୁଖ୍ୟ ଯେ ଆପେ ଆପେ ବଦଳିଯିବ ସେ ଆଶା କେବଳ ବିଡ଼ମ୍ୱନା ପରି ମନେ ହୁଏ ।

 

ଇଂରାଜୀରେ ଗୋଟିଏ ପ୍ରବଚନ ଅଛି ଯେ ଘୋଡ଼ାକୁ ସିନା ପାଣି ପାଖକୁ ଟାଣି ନେବ, ପିଇବାକୁ ତା’ର ମନ ନ ଥିଲେ ପାଣି ପିଆଇବ କେମିତି ? ସେହିପରି ଶିକ୍ଷା ପଦ୍ଧତିକୁ ସିନା ବଦଳାଇ ଦେବ, ପାଠ ପଢ଼ାରେ ମନ ନ ଥିବା ଆମର ଏ ଘୋଡ଼ାମାନଙ୍କୁ (କେହି ଯେପରି ଗଧ ବୋଲି ଭୁଲ ନ ବୁଝନ୍ତି !) ପଢ଼ିବା ପାଇଁ ବାଧ୍ୟ କରିବ କିପରି ?

 

ଜାପାନ, ଜର୍ମାନୀ, ଇଂଲଣ୍ଡ ପ୍ରଭୃତି ଯେଉଁ ଦେଶମାନଙ୍କରେ କର୍ତ୍ତବ୍ୟଜ୍ଞାନ ପରି ମହନୀୟ ଗୁଣ ଜାତୀୟ ଚରିତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ସେ ସବୁ ଦେଶରେ ଯେ କୌଣସି ଶିକ୍ଷା ପଦ୍ଧତି ନିଶ୍ଚୟ କୃତକାର୍ଯ୍ୟ ହେବ । ଚରିତ୍ରର ଉନ୍ନତି ନ ହେବା ଯାଏ ଆମ ଦେଶରେ ଯେ କୌଣସି ଶିକ୍ଷା ପ୍ରଣାଳୀ ବିଫଳ ହେବାର ସମ୍ଭାବନା ରହିଛି । ତେଣୁ ଜାତୀୟ ଚରିତ୍ରର ପୁନଃ ପ୍ରତିଷ୍ଠା ହିଁ ଶିକ୍ଷା ପଦ୍ଧତି ସଂସ୍କାରର ମୂଳ ଲକ୍ଷ୍ୟ ହେବା ବିଧେୟ ବୋଲି ମନେହୁଏ ।

Image

 

ଲେଡ଼ି ଗୁଡ଼

 

ମୁଦ୍ରାର ଦୁଇପାଖ ପରି ପ୍ରତ୍ୟେକ ବିଷୟ ତଥା ବିଷୟବସ୍ତୁର ଦୁଇପାଖ ବା ଦୁଇଦିଗ ଥିବା ଦେଖାଯାଏ । ଦିନ-ରାତି, ଭଲ-ମନ୍ଦ, ଲାଭ-କ୍ଷତି, ସୁଖ-ଦୁଃଖ, ଜୟ-ପରାଜୟ ପରି ଏ ଦୁଇ ପାଖ ପରସ୍ପର ବିରୋଧୀ ଓ ବିପରୀତ-ଧର୍ମ୍ମୀ–ଗୋଟିଏ ପାଖ ଅନ୍ୟ ପାଖର ଠିକ୍ ଓଲଟା । ଏଥିରୁ କିନ୍ତୁ କହି ହେବ ନାହିଁ ଯେ ଗୋଟିଏ ଯଦି ସତ, ଅନ୍ୟଟି ମିଛ । ଅନୁଧ୍ୟାନ କଲେ ଦେଖାଯିବ ଯେ ଦୁଇଟିଯାକ ସତ, ଯେହେତୁ ଗୋଟିଏ ନଥିଲେ ଅନ୍ୟଟିର ଅସ୍ତିତ୍ୱ ନାହିଁ । ପରାଜୟ ବିନା ଜୟର ସ୍ଥିତି ଅସମ୍ଭବ । ଦିନ ନ ଥିଲେ ରାତି ଆସିବ କୁଆଡ଼ୁ ? କେବଳ ଗୋଟିଏ ପାଖ ଥିବା ମୁଦ୍ରାର ଅସ୍ତିତ୍ୱ କଳ୍ପନା କରାଯାଇପାରେନା

 

ଦୁଇଦିଗ ମଧ୍ୟରେ ପରସ୍ପର-ବିରୋଧୀ ଭାବ ନିହିତ ଥିଲେ ମଧ୍ୟ ପ୍ରତ୍ୟେକ ଦିଗରେ ସତ୍ୟତାର ସ୍ଥିତି ପ୍ରଚ୍ଛନ୍ନ ଭାବରେ ରହିଥିବାରୁ ଯେକୌଣସି ବିଷୟବସ୍ତୁର ଯେକୌଣସି ଦିଗ ସପକ୍ଷରେ କିଛି ଆଲୋଚନା କରାଯାଇପାରେ । ଏଥିରୁ ବୋଧହୁଏ ଓକିଲାତିର ଜନ୍ମ ଦୁର୍ଭାଗ୍ୟବଶତଃ ମଣିଷ ଗୋଟିଏ ଦିଗର ସପକ୍ଷରେ କହିବାକୁ ଯାଇ ଅନ୍ୟ ଦିଗର ବିରୋଧ କରେ, ଗୋଟିଏ ପକ୍ଷକୁ ସତ ବୋଲି ବର୍ଣ୍ଣନା କରି ଅନ୍ୟ ପକ୍ଷକୁ ମିଛ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରେ । ଏଥିରୁ ଆରମ୍ଭ ହୁଏ ଯୁକ୍ତିତର୍କ, ବାଗ୍‍ବିତଣ୍ଡା, ଆଲୋଚନା ସମାଲୋଚନା–ଡିବେଟ୍‍ ଧଳାକୁ କଳା ଓ କଳାକୁ ଧଳା ବୋଲି ପ୍ରମାଣ କରିବାର ବାସନା ଓ ତତ୍‍ସହ ଜିଦ୍‍

 

ଏହି ଯୁକ୍ତିତର୍କ ଫଳରେ ଗୋଟିଏ ପକ୍ଷର ବିଜୟ ହୁଏ ସତ, କିନ୍ତୁ, ଏ ବିଜୟ ସତ୍ୟର ବିଜୟ ବୋଲି କୁହାଯାଇ ନ ପାରେ । ତର୍କ କରିବାରେ ଯିଏ ଦକ୍ଷ, ଯୁକ୍ତିଚାତୁରୀରେ ଯିଏ ବିଶାରଦ ଓ ବୁଦ୍ଧିର ବିଚକ୍ଷଣତା ଯାହାର ବେଶୀ ତାହାରି ହିଁ ଜୟ ହୁଏ । ପରିଣାମ ସ୍ୱରୂପ ଯେଉଁ ମୀମାଂସା ହୁଏ ବା ସିଦ୍ଧାନ୍ତ ଗ୍ରହଣ କରାଯାଏ ସେ ସିଦ୍ଧାନ୍ତ କେବଳ ସାମୟିକ ଓ ଆପେକ୍ଷିକ ସିଦ୍ଧାନ୍ତ ମାତ୍ର–ଚରମ ଓ ଶେଷ ସିଦ୍ଧାନ୍ତ ନୁହେଁ । ସମୟର ଗତି କିମ୍ୱା ସମୟର ପରିବର୍ତ୍ତନ ସଙ୍ଗେ, ସେହି ବିଷୟରେ ତର୍କବିତର୍କର ନୂତନ ପର୍ଯ୍ୟାୟ ଆରମ୍ଭ ହୁଏ, ପୂର୍ବ ସିଦ୍ଧାନ୍ତର ପରିବର୍ତ୍ତନ ହୁଏ ଓ ନୂତନ ସିଦ୍ଧାନ୍ତର ଆବିର୍ଭାବ ହୁଏ । ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ ଚରମ ସିଦ୍ଧାନ୍ତ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଏ

 

ତାର୍କିକ ମୀମାଂସାର ଅସ୍ଥିରତା ପରିବର୍ତ୍ତନଶୀଳତା ଯୋଗୁ ଯେଉଁ ସବୁ ବିଷୟରେ ସ୍ଥିରତା ଆବଶ୍ୟକ ସେସବୁ ବିଷୟକୁ ତର୍କରୁ ଦୂରରେ ରଖିବା ପାଇଁ ଆମର ପୂର୍ବପୁରୁଷମାନେ ଉପଦେଶ ଦେଇ ଯାଇଛନ୍ତି । ପ୍ରେମ, ଭକ୍ତି, ସ୍ନେହ, ଦୟା ପ୍ରଭୃତି ହୃଦୟର ମହନୀୟ ଗୁଣ ସବୁ ଯେଉଁସବୁ ସମ୍ୱନ୍ଧରେ ଜଡ଼ିତ ସେହିସବୁ ବିଷୟମାନଙ୍କରେ ଆମ ଭାରତୀୟ ପରମ୍ପରା ଓ ସଂସ୍କୃତି ତର୍କକୁ ସ୍ଥାନ ଦିଏ ନାହିଁ । ପାଶ୍ଚାତ୍ୟ ସଭ୍ୟତା ଓ ଭାରତୀୟ ସଭ୍ୟତା ମଧ୍ୟରେ ଏହାହିଁ ପ୍ରଧାନ ପାର୍ଥକ୍ୟ ରୂପେ ପରିଲକ୍ଷିତ ହୁଏ । ପାଶ୍ଚାତ୍ୟ ସଭ୍ୟତାରେ ବୁଦ୍ଧିର ସ୍ଥାନ ମୁଖ୍ୟ ଥିବା ସ୍ଥଳେ ଭାରତୀୟ ସଭ୍ୟତାରେ ହୃଦୟର ସ୍ଥାନ ମୁଖ୍ୟ ଓ ବୁଦ୍ଧିର ସ୍ଥାନ ଗୌଣ ଆସନ ନେଇଥାଏ ତେଣୁ ‘ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର’ ନୀତିରେ ଭକ୍ତ ଓ ଭଗବାନଙ୍କ ସମ୍ୱନ୍ଧ, ପିତା ଓ ପୁତ୍ରର ସମ୍ୱନ୍ଧ, ପତି ଓ ପତ୍ନୀର ସମ୍ୱନ୍ଧ ତଥା ଗୁରୁ ଓ ଶିଷ୍ୟ କିମ୍ୱା ଶିକ୍ଷକ ଓ ଛାତ୍ରର ସମ୍ୱନ୍ଧରେ ଆମ ପରମ୍ପରା ତାର୍କିକ ମୀମାଂସା ଅପେକ୍ଷା ହୃଦୟର ବିଶ୍ୱାସକୁ ପ୍ରାଧାନ୍ୟ ଦେଇଥାଏ ।

 

ଆଜି କିନ୍ତୁ ସମୟ ବଦଳି ଯାଇଛି । ପାଶ୍ଚାତ୍ୟ ସଭ୍ୟତାର କଲେଇ କରା ଚାକଚକ୍ୟ ଓ ଭୋଗବିଳାସମୟ ଜୀବନର ସୌଖୀନତା ପାଖରେ ଭାରତୀୟ ସଭ୍ୟତାର ତ୍ୟାଗପୂତ ଜୀବନ ପରାଜୟ ସ୍ୱୀକାର କରିଛି । ବୁଦ୍ଧି ପାଖରେ ହୃଦୟ ହାର ମାନିଛି । ଶିକ୍ଷକ ଓ ଛାତ୍ରର ସ୍ନେହ ଓ ଭକ୍ତପୂର୍ଣ୍ଣ ପବିତ୍ର ସମ୍ପର୍କରେ ଦେଖାଦେଇଛି ଯୁକ୍ତି ଓ ତର୍କ

 

ଶିକ୍ଷକ ସାଙ୍ଗରେ ସମାନ ଆସନରେ ବସି କଲେଜ ଓ ବିଶ୍ୱବିଦ୍ୟାଳୟ ପରିଚାଳନାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ର ଯେ ହକ୍‍ଦାର କେବଳ ଏ ପ୍ରଶ୍ନ ନୁହେଁ, ପ୍ରଶ୍ନ ଉଠିଛି ପରିଚାଳନାର କେଉଁ କେଉଁ କ୍ଷେତ୍ରରେ କେତେ ପରିମାଣରେ ଓ କିପରି ଭାବରେ ଛାତ୍ରମାନେ ଅଂଶଗ୍ରହଣ କରିବେ । ଏଥିରେ ଗୋଟିଏ ପକ୍ଷ ଯେତେବେଳେ କହେ ଯେ ଜ୍ଞାନର ସ୍ୱଳ୍ପତା ଓ ଅଭିଜ୍ଞତାର ପରିପକ୍ୱତାର ଅଭାବ ଯୋଗୁଁ ଛାତ୍ରମାନେ ଶିକ୍ଷାର ନୀତି ନିର୍ଦ୍ଧାରଣ କରୁଥିବା ଏକାଡେମିକ୍ କାଉନ୍‍ସିଲର ଆଲୋଚନାରେ ଭାଗ ନେବାକୁ ସକ୍ଷମ ନୁହନ୍ତି, ଅନ୍ୟ ପକ୍ଷ କହେ ଯେ, ଭବିଷ୍ୟତରେ ଦେଶର ଶାସନ, ସମାଜର ଶାସନ ତଥା ଶିକ୍ଷାର ଭାର ବହନ କରିବା ପାଇଁ ଛାତ୍ରସମାଜକୁ ଯଦି ପ୍ରସ୍ତୁତ ହେବାକୁ ପଡ଼େ, ତେବେ କଲେଜ ଜୀବନରେ ହିଁ ସେମାନେ ଏ ଦାୟିତ୍ୱ ବହନର ଅଭିଜ୍ଞତା ଅର୍ଜନ କରିବା ଉଚିତ । ଗୋଟିଏ ପକ୍ଷ ଯେତେବେଳେ କହେ ଯେ ପରୀକ୍ଷକ ନିଯୁକ୍ତି ଓ ପରୀକ୍ଷା ପରିଚାଳନା କରୁଥିବା ସିଣ୍ଡିକେଟରେ ଛାତ୍ରମାନଙ୍କର ଉପସ୍ଥିତି ସମୀଚୀନ ନୁହେଁ, ଅନ୍ୟ ପକ୍ଷ ଜବାବ ଦିଏ ଯେ କଲେଜ ଓ ବିଶ୍ୱବିଦ୍ୟାଳୟର ଦୈନନ୍ଦିନ ପରିଚାଳନା ସମ୍ୱନ୍ଧୀୟ ବିଷୟମାନଙ୍କରେ ଭାଗ ନେଲାବେଳେ ପରୀକ୍ଷା ସମ୍ୱନ୍ଧୀୟ କୌଣସି ଆଲୋଚନା ଆରମ୍ଭ ହେଲେ, ସାମୟିକ ଭାବରେ ଛାତ୍ର ପ୍ରତିନିଧି ସଭାକକ୍ଷରୁ ଓହରି ଆସିଲେ ଚଳିଯିବ ନାହିଁ କି-? ଏଥିରେ କିନ୍ତୁ ପୂର୍ବ ପକ୍ଷ ସନ୍ଦେହ ପ୍ରକାଶ କରି ଇଙ୍ଗିତ ଦିଏ ଯେ ନାବିକ ସିନ୍ଧିବାଦ ଗପର ବୁଢ଼ା ପରି ଛାତ୍ର ଯଦି ଥରେ ଶିକ୍ଷକର କାନ୍ଧରେ ଚଢ଼ିଯାଏ, ଆଉ କ’ଣ ତା’କୁ ତଳକୁ ଖସାଇ ଦେଇ ହେବ-? ବିଷୟଟିର ଗୁରତ୍ୱକୁ ଲାଘବ କରିବାକୁ ଯାଇ କେହି କେହି ଶିକ୍ଷକ ଓ ଛାତ୍ରଙ୍କ ଶୁଭାକାଂକ୍ଷୀ ପରିହାସ ଛଳରେ ସୂଚନା ଦିଅନ୍ତି ଯେ କଲେଜ ଓ ବିଶ୍ୱବିଦ୍ୟାଳୟ ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ ଅଂଶଗ୍ରହଣ ବାଧ୍ୟତାମୂଳକ କରି ଉପସ୍ଥାନ ଯଦି ଶତକଡ଼ା ୭୫ କରିଦିଆଯାଏ ତେବେ ବିଷୟଟିର ସମାଧାନ ଆପେ ଆପେ ହୋଇଯିବ ।

 

ତାର୍କିକ ମୀମାଂସା ଫଳରେ ଏପରି ବିଷୟ ସବୁର କିଛି ଗୋଟିଏ ସମାଧାନ ହୋଇଯିବ ସତ, କିନ୍ତୁ ଏପରି ଆଲୋଚନାର ଶେଷ ପରିଣତି ଯେ କେଉଁଠି ସେ ବିଷୟ ନେଇ ଭାବିଲେ ବହୁତ ଦୁଃଖ ଲାଗେ । ଆଶଙ୍କା ଜନ୍ମେ ଯେ ଶିକ୍ଷକ ଓ ଛାତ୍ର ସମ୍ବନ୍ଧୀୟ ଆଲୋଚନା ପରି ପିତା ପୁତ୍ର ସମ୍ୱନ୍ଧୀୟ ଆଲୋଚନା ମଧ୍ୟ ଶୀଘ୍ର ଆରମ୍ଭ ହୋଇଯିବ ଓ ବାର୍ଦ୍ଧକ୍ୟ ଯୋଗୁଁ କର୍ମକ୍ଷମତା ହରାଇ ବସିଥିବା ପିତା ଅକର୍ମଣ୍ୟ, ଅନ୍ନଧ୍ୱଂସକାରୀ, ସମାଜର ଗୋଟିଏ ପରାଙ୍ଗପୁଷ୍ଟ ଜୀବ ହିସାବରେ ଗୃହ-ପରିଚାଳନାର ଚାବିକାଠି ପୁଅ ହାତକୁ ବଢ଼ାଇ ଦେବାକୁ ବାଧ୍ୟ ହୋଇ ବାନପ୍ରସ୍ଥ ଗ୍ରହଣ କରିବ-

 

ଆଜିର ଛାତ୍ର କାଲିର ଶିକ୍ଷକ ଓ ଆଜିର ପୁତ୍ର କାଲିର ପିତା । ତେଣୁ ଆଜିର ଯୁବସମାଜ ଯେଉଁ ନୂତନ ପରମ୍ପରା ସୃଷ୍ଟି କରିବାକୁ ଯାଉଛନ୍ତି ସେଥିର ପରିଣାମ ସେମାନେ ନିଜେ ଭୋଗିବେ ନାହିଁ କି ? ନିଜ କାର୍ଯ୍ୟକଳାପର ପରିଣତି ଅନୁଭବ କରି ଯେତେବେଳେ ସେମାନେ ଅନୁତାପ କରିବେ ସେତେବେଳକୁ ଲେଡ଼ି ଗୁଡ଼ କହୁଣୀକି ବୋହି ଯାଇ ସାରିଥିବ ।

Image

 

ଭୁଷ୍ ପଣ୍ଡିତ

 

‘ପଣ୍ଡିତ’ ଓ ‘ମୂର୍ଖ’–ଦିଓଟି ବିପରୀତ ଅର୍ଥ ବ୍ୟଞ୍ଜକ ଶବ୍ଦ । ଏ ଦୁଇଟି ଶବ୍ଦ ସାଧାରଣ ଭାବରେ ଶିକ୍ଷିତ ଓ ଅଶିକ୍ଷିତ ସଙ୍ଗରେ ସମାନ ବୋଲି ଜଣା ପଡ଼ୁଥିଲେ ହେଁ ମୂର୍ଖକୁ ଯେପରି ଅଶିକ୍ଷିତର ଠିକ୍ ପ୍ରତିଶବ୍ଦ ବୋଲି ଧରି ନିଆ ଯାଇପାରେ ନାହିଁ ପଣ୍ଡିତକୁ ସେପରି ଶିକ୍ଷିତର ପ୍ରତିଶବ୍ଦ ବୋଲି ଗ୍ରହଣ କରାଯାଇ ନ ପାରେ ମୂର୍ଖ ଓ ପଣ୍ଡିତ ଭିତରେ ବ୍ୟବଧାନ ଯେତେ, ଶିକ୍ଷିତ ଓ ଅଶିକ୍ଷିତର ବ୍ୟବଧାନ ତା’ ଠାରୁ ଯଥେଷ୍ଟ କମ୍ ବୋଲି ମନେ ହୁଏ ।

 

ଶିକ୍ଷିତ ଶବ୍ଦର କେତୋଟି ଶ୍ରେଣୀ ବିଭାଗ ରହିଛି–ଯଥା ଅର୍ଦ୍ଧଶିକ୍ଷିତ, ଶିକ୍ଷିତ ଓ ଉଚ୍ଚଶିକ୍ଷିତ । ପଣ୍ଡିତ କହିଲେ ଉଚ୍ଚ ଶିକ୍ଷିତଠାରୁ ମଧ୍ୟ ଊର୍ଦ୍ଧ୍ୱରେ ଥିବା ଜଣେ ବୋଲି ମନରେ ଧାରଣା ଜନ୍ମେ । ଠିକ୍ ସେପରି ମୂର୍ଖ କହିଲେ ଅଶିକ୍ଷିତ ଠାରୁ ଯଥେଷ୍ଟ ନିମ୍ନ ଶ୍ରେଣୀର କେହି ବୋଲି ଖିଆଲ ହୁଏ ।

 

ମୂର୍ଖ ଓ ପଣ୍ଡିତ ମଧ୍ୟରେ ଥିବା ଏହି ବ୍ୟବଧାନ ଯୋଗୁ ମୂର୍ଖକୁ ପଣ୍ଡିତ କିମ୍ୱା ପଣ୍ଡିତକୁ ମୂର୍ଖ ବୋଲି ଭୁଲ କରି ବସିବା ପ୍ରଶ୍ନ ସାଧାରଣତଃ ନ ଉଠିବା କଥା । ତଥାପି କେହି କେହି ମୂର୍ଖ ଧନ ଓ କ୍ଷମତା ବଳରେ ନିଜର ଡିଣ୍ଡିମ ନିଜେ ପିଟି ଅଥବା ନିଜର କାହାଳୀ ନିଜେ ବଜାଇ ଆପଣାକୁ ପଣ୍ଡିତ ବୋଲି ପରିଚୟ ଦେବାକୁ ଚେଷ୍ଟା କରନ୍ତି । କୋଇଲି ବେଶରେ ବୁଲୁଥିବା କେହି କେହି ଏପରି କାଉ ପାଟି ଖୋଲିଲା ପରେ ମଧ୍ୟ ସହଜରେ ଧରା ପଡ଼ନ୍ତିନି । ଜାଣିବା ଶୁଣିବା ଲୋକେ ଏମାନଙ୍କୁ ପଣ୍ଡିତମ୍ମନ୍ୟ ବୋଲି କହନ୍ତି । ଅନ୍ୟ ପକ୍ଷରେ ବିନୟ ଓ ନମ୍ରତାର ପ୍ରତୀକ କେହି କେହି ଜ୍ଞାନୀ ପଣ୍ଡିତ ନିଜର ନଗଣ୍ୟତା ପ୍ରତିପାଦନ କରିବାକୁ ଯାଇ ଆପଣାକୁ ମୂର୍ଖ ବୋଲି ବର୍ଣ୍ଣନା କରିଥାଆନ୍ତି ।

 

ଏ ସମସ୍ତଙ୍କୁ ଛାଡ଼ି ମଣିଷ ସମାଜରେ ଆଉ ଗୋଟିଏ ଜାତିର ପଣ୍ଡିତ ଦେଖିବାକୁ ମିଳନ୍ତି- ଏମାନେ ବିଦ୍ୟାରେ ପଣ୍ଡିତ ହେଲେ ହେଁ ବୁଦ୍ଧିରେ ମୂର୍ଖ ଏମାନଙ୍କ ପାଣ୍ଡିତ୍ୟ ଠିକ୍ ଶୁଆ-ଶାରୀଙ୍କ ପାଣ୍ଡିତ୍ୟ ପରି । ଏପରି ପଣ୍ଡିତମାନଙ୍କୁ ସାଧାରଣତଃ ମୂର୍ଖ-ପଣ୍ଡିତ ଆଖ୍ୟା ଦିଆଯାଇଥାଏ ।

 

ଆଜିକାଲିର ଅନେକ ବିଶ୍ୱବିଦ୍ୟାଳୟ ଡିଗ୍ରୀ ଓ ଉପାଧିଧାରୀ ବିଦ୍ୟାରେ ପଣ୍ଡିତ ହେଲେ ହେଁ ବିଦ୍ୟାର ପ୍ରୟୋଗ ସମ୍ୱନ୍ଧରେ ଅନଭିଜ୍ଞ ହେଉଥିବାରୁ ଆମ ସମାଜ ଏମାନଙ୍କୁ ମଧ୍ୟ ମୂର୍ଖ ପଣ୍ଡିତ ବୋଲି ଗଣିବାକୁ ଆରମ୍ଭ କଲାଣି । ତେଣୁ ଅନେକେ ଆମ ଦେଶରେ ପ୍ରଚଳିତ ଆଧୁନିକ ଶିକ୍ଷାକୁ ମୂର୍ଖ-ପଣ୍ଡିତ ସୃଷ୍ଟିକାରୀ ଶିକ୍ଷା ବୋଲି ବେଳେ ବେଳେ ପରିହାସ କରୁଛନ୍ତି ।

 

ଆଜିର ଶିକ୍ଷା ଯେ କେବଳ ଏପରି ମୂର୍ଖ ପଣ୍ତିତ ସୃଷ୍ଟି କରୁଛି ସେ କଥା କହିବା କିନ୍ତୁ ଅନ୍ୟାୟ ହେବ । ପୂର୍ବକାଳର ଶିକ୍ଷା ମଧ୍ୟ ଏପରି ମୂର୍ଖ ପଣ୍ଡିତ ସୃଷ୍ଟି କରୁଥିଲା ବୋଲି ପରୋକ୍ଷ ଦୃଷ୍ଟାନ୍ତ ମିଳେ ।

 

ସଂସ୍କୃତରେ ଥିବା ଚାରି ମୂର୍ଖ ପଣ୍ଡିତଙ୍କ ଗଳ୍ପ ଅତି ଜଣାଶୁଣା । ତଥାପି ସେ ଉପାଖ୍ୟାନଟି ଏତେ ମନୋରଞ୍ଜକ ଯେ ଏଠାରେ ସାଧାରଣ ଭାବରେ ତା’ର ପୁନରାବୃତ୍ତି କରାଯାଇପାରେ

 

ବିଦ୍ୟାନଗରୀ କାଶୀ ବାରାଣସୀରେ ବିଦ୍ୟାଧ୍ୟୟନ ଶେଷ କଲା ପରେ ନାନା ଉପାଧିରେ ଭୂଷିତ ହୋଇ ଓ ଅନେକ ପୋଥିପତ୍ର ଧରି ନାନା ପ୍ରାନ୍ତରୁ ଆସିଥିବା ପଣ୍ଡିତମାନେ ନିଜ ନିଜ ପ୍ରଦେଶକୁ ଫେରି ଯାଉଥିଲେ ଚାରି ସହପାଠୀଙ୍କ ବାଟ କିଛି ଦୂର ସମାନ । ସେମାନେ ସେ ବାଟରେ ଏକାଠି ଗଲାବେଳେ ଗୋଟିଏ ଶ୍ମଶାନ ପଡ଼ିଲା । ଶ୍ମଶାନରେ ଗଧଟିଏ ଚରୁଥିବା ଦେଖି ଜଣେ ପଣ୍ଡିତ ଶ୍ଳୋକ ବୋଲି ଦେଲେ–‘ରାଜ ଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ !’ ଶ୍ମଶାନରେ ଥିବା ଗଧ ଯେ ଶାସ୍ତ୍ରୋକ୍ତମତେ ସେମାନଙ୍କର ବନ୍ଧୁ ସେ ସମ୍ୱନ୍ଧରେ ନିଃସନ୍ଦେହ ହୋଇ ପଣ୍ଡିତମାନେ ବନ୍ଧୁ ଚର୍ଚ୍ଚା ଆରମ୍ଭ କରିଦେଲେ । କିଏ ଘାସ ଦି’ ଚାରିକେରା ଉପାଡ଼ି ଆଣି ଗଧ ମୁହଁରେ ଦେଲା–କିଏ ଗଧର ପିଠି ଆଉଁସି ଦେଲା, କିଏ ଗୋଡ଼ ଛନ୍ଦା ହୋଇଥିବା ଦଉଡ଼ି ଖୋଲି ବସିଲା ଆଉ କିଏ ବା ଲାଞ୍ଜରେ ଲାଗିଥିବା ଟିଙ୍କ ସବୁ ବାଛିବାକୁ ଲାଗିଲା ।

 

ହଠାତ୍ ଜଣେ ପଣ୍ଡିତ ଆବିଷ୍କାର କଲେ ଯେ ଏ ଭିତରେ ଓଟଟିଏ କେଉଁଠୁ ସେ ପାଖକୁ ଚାଲି ଆସିଛି । ପଣ୍ଡିତମାନେ ଆପଣା ଆପଣା ମଧ୍ୟରେ ଆଲୋଚନା କଲେ–କିଛିକ୍ଷଣ ପୂର୍ବରୁ ନ ଥିବା ଏ ଓଟ ଏତେ ଶୀଘ୍ର ଆସିଲା କେଉଁଠୁ ? ଜଣେ ଏଥର ଶ୍ଳୋକ ବୋଲିଲେ ‘ଧର୍ମସ୍ୟ ତ୍ୱରିତା ଗତିଃ’ ଏପରି ଚଞ୍ଚଳ ଆସିଥିବା ଜୀବ ଦେଖିବାକୁ ଓଟ ରୂପୀ ହେଲେ ହେଁ ନିଶ୍ଚୟ ଯେ ଧର୍ମ ସେ ସମ୍ୱନ୍ଧରେ ପଣ୍ଡିତମାନଙ୍କ ସନ୍ଦେହ ରହିଲାନି । ଆଉ ଜଣେ ପଣ୍ଡିତ ଏଠାରେ ଶ୍ଳୋକ ଗାଇଦେଲେ–‘ଇଷ୍ଟଂ ଧର୍ମେଣ ଯୋଜୟେତ୍ ।’ ଧର୍ମଙ୍କୁ ନିଜର ପ୍ରିୟ ବସ୍ତୁ ପ୍ରଦାନ କରିବା କଥା । ତେଣୁ ଶ୍ମଶାନରେ ସେମାନଙ୍କ ପାଖରେ ରହିଥିବା ପ୍ରିୟ ବନ୍ଧୁ ଗଧକୁ କୌଣସିମତେ ଟେକା ଟେକି କରି ଓଟର ତୋଟିରେ ବାନ୍ଧିବାକୁ ସମସ୍ତେ ଚେଷ୍ଟା କଲେ । ଫଳ ଯାହା ହୋଇଥିବ ତାହା କେବଳ କଳ୍ପନା କରାଯାଇପାରେ ।

 

ଗଳ୍ପ କିନ୍ତୁ ଏତିକିରେ ଶେଷ ହୋଇନି । ଆଉ ଅନେକ କିଛି ଘଟିଛି । ଚାରି ବନ୍ଧୁ ଏପରି ଘଟଣା ବହୁଳ ଅନେକ ବାଟ ଗଲା ପରେ ଗୋଟିଏ ନଈ ପଡ଼ିଲା । ନଈ ପାରି ହୋଇ ଜଣେ ବନ୍ଧୁ ଏଠାରେ ଅଲଗା ବାଟରେ ଚାଲିଯିବେ । ବନ୍ଧୁମାନଙ୍କଠାରୁ ବିଦାୟ ନେଇ ପଣ୍ଡିତ ନଈ ଭିତରେ ପଶିଲେ ଆଉ ପାଣିର ସୁଅ ଠିକ୍ କଳନା କରିପାରି ନ ଥିବା ଯୋଗୁଁ ସେ ସୁଅରେ ଭାସି ଯିବାକୁ ଲାଗିଲେ । ଅନ୍ୟ ପଣ୍ଡିତମାନେ କ’ଣ କରିବେ କିଛି ବୁଝି ନ ପାରି କୂଳରେ ଦଉଡ଼ି ଯାଉଁ ଯାଉଁ ଜଣେ ପଣ୍ଡିତ ଶ୍ଳୋକ ବୋଲି ଦେଲେ–‘ସର୍ବନାଶେ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜଂତି ପଣ୍ଡିତଃ’ ଗୋଟାଯାକ ପଣ୍ଡିତ ଭାସିଯିବା ଅପେକ୍ଷା ଅନ୍ତତଃ ଅଧା ପଣ୍ଡିତ ରକ୍ଷାପାଇବା ଉଚିତ୍ ଭାବି ତାଙ୍କ ପାଖରେ ଥିବା କାତି ସାହାଯ୍ୟରେ ଭାସିଯାଉଥିବା ପଣ୍ଡିତଙ୍କ ମୁଣ୍ଡ କାଟି ଆଣିଲେ ।

 

ଗଳ୍ପଟି ଯେ ସମ୍ପୂର୍ଣ୍ଣ କାଳ୍ପନିକ ଏଥିରେ ସନ୍ଦେହ ନାହିଁ । ତଥାପି ବୁଦ୍ଧି ନ ଥିଲେ ବିଦ୍ୟା କିପରି ଅକାରଣ ହୁଏ ସେ କଥା ସେଦିନର ପରିବେଶ ମଧ୍ୟରେ ଏ ଗପ ସୁନ୍ଦର ଭାବରେ ସୂଚାଇ ଦିଏ ।

 

ଏ ସମ୍ୱନ୍ଧରେ ଆଉ ଗୋଟିଏ ସୁନ୍ଦର ଜଣାଶୁଣା କାହାଣୀ ଏଠାରେ କୁହାଯାଇପାରେ ।

 

ଘରେ ପଣ୍ଡିତ ଓ ପଣ୍ଡିତିଆଣୀ ଦୁଇ ପ୍ରାଣୀ ସକାଳ ବେଳ ପଣ୍ଡିତିଆଣୀ ଗାଧୋଇ ଯିବା ପାଇଁ ନଈ ଆଡ଼ିକି ବାହାରିଛନ୍ତି । ଚୂଲି ଉପରେ ଦୁଧ ହାଣ୍ଡି ବସିଛି । ପଣ୍ଡିତଙ୍କୁ ଅନୁରୋଧ କଲେ ଯେ ସେ ଦୁଧ ହାଣ୍ଡି ଆଡ଼ିକି ଟିକିଏ ନଜର ରଖିଥିବେ–ଦୁଧ ଯେମିତି ଉତୁରି ନ ଯାଏ ।

 

କିଛି ସମୟ ଗଲା । ସତକୁ ସତ ଦୁଧ ଫୁଲି ଉଠି ହାଣ୍ଡିରୁ ଉଛୁଳିବାକୁ ଆରମ୍ଭ କଲା । ପଣ୍ଡିତ ହାଣ୍ଡି ପାଖକୁ ଦଉଡ଼ି ଆସିଲେ କିନ୍ତୁ କ’ଣ କରି ଅବସ୍ଥାକୁ ସମ୍ଭାଳିବେ ବୁଝି ପାରିଲେନି । ଅଗ୍ନିଦେବତାଙ୍କ କୋପ ବୋଲି ମନେ କରି ସେ ସେଠାରେ ଅର୍ଦ୍ଧ ପଦ୍ମାସନରେ ବସି ଅଗ୍ନିଦେବତାଙ୍କ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ଅଗ୍ନି, ବୈଶ୍ୱାନର ବହ୍ନି ପ୍ରଭୃତି ଅମର କୋଷରୁ ଶିଖିଥିବା ସମସ୍ତ ନାମ ଜପ କଲେ–ଯଜ୍ଞରେ ବହୁତ ଘିଅ ଖାଇବା ଫଳରେ କିପରି ତାଙ୍କର ଲୁଦୁବୁଦୁ ବ୍ୟାଧି ହୋଇଥିଲା ଆଉ ଅର୍ଜ୍ଜୁନଙ୍କ ଖାଣ୍ଡବ ବନ ଦହନ ଫଳରେ କିପରି ସେ ବ୍ୟାଧି ଆରୋଗ୍ୟ ହୋଇଥିଲା ସେ କଥା କହିଲେ ଆଉ ‘ତୁ ଅଗ୍ନିଦେବତା ନାନା ସ୍ଥାନରେ ରହି, ନାନା ନାମ ବହି, ନାନା ରୂପରେ ଦେଖା ଦେଉ ଓ ତୁ ହିଁ ସର୍ବଶକ୍ତିମାନ’, ସେ କଥା ମଧ୍ୟ କହିବାକୁ ଛାଡ଼ିଲେନି–ତଥାପି ଦୁଧ ଉଛୁଳିବାକୁ ଲାଗିଲା ।

 

ପଣ୍ଡିତ ଭାବିଲେ ଯେ, ସେ ବୋଧହୁଏ ଭୁଲ ଦେବତାଙ୍କୁ ଆରାଧନା କରୁଛନ୍ତି । ମନରେ ସ୍ଥିର କଲେ ଯେ ଦୁଧରେ ପାଣି ମିଶୁଥିବା ଯୋଗୁଁ ପାଣି କମ୍ କିମ୍ୱା ବେଶି ହେବା ଫଳରେ ବରୁଣ ଦେବତାଙ୍କ କୋପ ହୋଇଛି । ସେ ତେଣୁ ବରୁଣ ଦେବତାଙ୍କ ସ୍ମୃତି ଆରମ୍ଭ କଲେ । ବରୁଣ ଦେବତାଙ୍କ ରୂପ କିପରି, ସେ କ’ଣ ସବୁ ପିନ୍ଧନ୍ତି, କେଉଁଠି ଶୁଅନ୍ତି, ତାଙ୍କର ଧନରତ୍ନ କେତେ ସେ ସବୁ ବର୍ଣ୍ଣନା କଲାପରେ ପ୍ରଳୟ ହେଲେ ସୃଷ୍ଟିର ବିନାଶ କିପରି ହୁଏ ଆଉ ବରୁଣ ନିଜେ କିପରି ଭଗବାନଙ୍କ ଶ୍ୱଶୁର ସେ ସବୁ ମଧ୍ୟ କହିଲେ, କିନ୍ତୁ କିଛି ଲାଭ ହେଲାନି । ତା’ପରେ ପବନ ଦେବତାଙ୍କ ଧ୍ୟାନ ଆରମ୍ଭ କରି ଦେଇଛନ୍ତି ଏ ସମୟରେ ପଣ୍ଡିତିଆଣୀ ତରତର ହୋଇ ଘରେ ପହଞ୍ଚିଗଲେ । ଚୁଲି ଉପରେ ବସିଥିବା ଦୁଧ ହାଣ୍ଡିର ଅବସ୍ଥା, ପଣ୍ଡିତଙ୍କ ଅର୍ଦ୍ଧ ପଦ୍ମାସନ ଓ ହସ୍ତର ଧେନୁମୁଦ୍ରା ଦେଖି କଥା କ’ଣ ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିଲାନି ସେ ଦଉଡ଼ି ଯାଇ ହାତରେ ଥିବା ଢାଳରୁ ପାଣି ପୋଷେ ହାଣ୍ଡି ଭିତରକୁ ଛାଟି ଦେଇ ଜାଳ ଟିକିଏ କମ୍ କରିଦେଲେ ଦୁଧ ଉତୁରିବା କମିଗଲା ।

 

ପଣ୍ଡିତ ଏ ସବୁ ନିରୀକ୍ଷଣ କରୁଥିଲେ । ପାଣିନୀଙ୍କ ବ୍ୟାକରଣ ଓ ଅମର କୋଷ ଅଭିଧାନ ସମ୍ୱନ୍ଧରେ ପଣ୍ଡିତିଆଣୀଙ୍କ ଜ୍ଞାନ ଅତି ସୀମିତ ଥିବା ଯୋଗୁ ସେ ତାଙ୍କୁ ମୂର୍ଖ ବୋଲି ମନେ କରି ଯଥୋଚିତ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଥିଲେ । ଏଥର କିନ୍ତୁ ତାଙ୍କ ମତ ବଦଳି ଯାଇଥିଲା ।

 

ବ୍ୟାବହାରିକ ତଥା ପ୍ରୟୋଗାତ୍ମାକ ଜ୍ଞାନ ବିନା ବିଦ୍ୟା ଯେ ନିରର୍ଥକ ଏ କଥା ସତ । ଏହି ବ୍ୟାବହାରିକ ଜ୍ଞାନ ହିଁ ପ୍ରକାରାନ୍ତରେ ବୁଦ୍ଧି ବୋଲି ବିବେଚିତ ହୋଇଥାଏ ।

 

ଏଠାରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ଯେ ବିଦ୍ୟା ଓ ବୁଦ୍ଧି ମଧ୍ୟରେ ସିଧାସଳଖ କୌଣସି ସମ୍ୱନ୍ଧ ଅଛି ନା ନାହିଁ ଓ ବିଦ୍ୟାର ମାଧ୍ୟମରେ ବୁଦ୍ଧି ଦାନ ସମ୍ଭବପର କି ନୁହେଁ । ପଣ୍ଡିତିଆଣୀଙ୍କ ପରି ଅନେକ ଅଛନ୍ତି ଯେଉଁମାନଙ୍କର ବିଦ୍ୟା ନାହିଁ–କିନ୍ତୁ ବୁଦ୍ଧି ଅଛି । ଅନେକ ଅଛନ୍ତି ସେମାନେ ଶିକ୍ଷିତ ନ ହେଲେ ହେଁ କାର୍ଯ୍ୟଦକ୍ଷ, କର୍ମ ନିପୁଣ ଓ କର୍ମକୁଶଳୀ, କୋକିଶିଆଳୀ ପରି ଧୂର୍ତ୍ତ–କାଉ ପରି ଚତୁର ।

 

କେହି କେହି କହନ୍ତି, ଇନ୍ଦ୍ରିୟ ଓ ମନ ପରି ବୁଦ୍ଧିର ସ୍ୱତନ୍ତ୍ର ସ୍ଥିତି ରହିଛି । ବୁଦ୍ଧି ତେଣୁ ସାଧାରଣ ଭାବରେ ଜନ୍ମଗତ । ବିଦ୍ୟା ସାହାଯ୍ୟରେ ବୁଦ୍ଧିକୁ ମାର୍ଜିତ ତଥା ତୀକ୍ଷଣ କରାଯାଇପାରେ ଏବଂ କ୍ରମାନ୍ୱୟ ଅଭ୍ୟାସ ବଳରେ ଓ ପର୍ଯ୍ୟବେକ୍ଷଣ ଦ୍ୱାରା ବୁଦ୍ଧିର ସୀମାକୁ ଯଥେଷ୍ଟ ବିସ୍ତୀର୍ଣ୍ଣ କରି ଦିଆଯାଇପାରେ କିନ୍ତୁ ଯେଉଁଠି ବୁଦ୍ଧିର ସମ୍ପୂର୍ଣ୍ଣ ଅଭାବ ସେଇଠି ତା’କୁ ଯେ ଆରୋପ କରି ଦିଆଯାଇପାରିବ ସେ ସମ୍ୱନ୍ଧରେ ମନରେ ସନ୍ଦେହ ଜନ୍ମେ ।

 

ଶିକ୍ଷା କିମ୍ୱା ବିଦ୍ୟା ମୁଖ୍ୟତଃ ତାତ୍ତ୍ୱିକ । ବୁଦ୍ଧି ବଳରେ ତା’ର ପ୍ରୟୋଗ ହୁଏ । ଯେଉଁ ଶିକ୍ଷାରେ ତତ୍ତ୍ୱ ସହ ପ୍ରୟୋଗ ସମ୍ୱନ୍ଧରେ ମଧ୍ୟ କିଛି ସୂଚନା ଦିଆଯାଏ–ତାହା ହିଁ ପ୍ରୟୋଗାତ୍ମକ ବିଦ୍ୟା ।

 

ଯେଉଁମାନେ ଭାବନ୍ତି ଯେ କେବଳ ଶିକ୍ଷାକୁ ପ୍ରୟୋଗାତ୍ମକ ବା ଧନ୍ଦାମୂଳକ କରିଦେଲେ ଆଜିର ସବୁ ସମସ୍ୟା ଆପେ ଆପେ ଦୂର ହୋଇଯିବ ସେମାନେ ବୋଧହୁଏ ଭୁଲ କରି ବସନ୍ତି । ପ୍ରୟୋଗାତ୍ମକ ବିଦ୍ୟା ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ । ତାହା ମଧ୍ୟ ତାତ୍ତ୍ୱିକ । ଏପରି ବିଦ୍ୟା ଅର୍ଜନ କରି ମଧ୍ୟ ବ୍ୟବହାର କ୍ଷେତ୍ରରେ କୌଶଳୀ ନ ହେଲେ ତା’ର ପ୍ରୟୋଗ ଆପେ ଆପେ କରି ହେବ ନାହିଁ । ସେଥିପାଇଁ ଭିନ୍ନ ଭିନ୍ନ ଡାକ୍ତର କିମ୍ୱା ଇଞ୍ଜିନିୟର ପ୍ରଭୃତି ବିଶେଷଜ୍ଞମାନଙ୍କ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ଦେଖିବାକୁ ମିଳେ । ପିଲାମାନେ ବ୍ୟବହାର ସମ୍ୱନ୍ଧୀୟ ସାଧାରଣ ଜ୍ଞାନ ଓ ହସ୍ତପଟୁତା କ୍ଳାସ ରୁମ୍ ଅପେକ୍ଷା ବିଶେଷ ଭାବରେ ନିଜ ଘରେ ଓ ଘରର ପରିବେଶ ମଧ୍ୟରେ ବାପା ମା’ଙ୍କ ପାଖରୁ ଶିଖନ୍ତି । ତେଣୁ ଯେଉଁଠି ବାପା ମା’ ଏ ସବୁ ବିଷୟରେ ଉଦାସୀନ ସେଠାରେ ତାତ୍ତ୍ୱିକ ବିଦ୍ୟାରେ ଯେତେ ଧୂରୀଣ ହେଲେ ପିଲାମାନଙ୍କର ବ୍ୟାବହାରିକ ବୁଦ୍ଧିର ବିକାଶ ଘଟେ ନାହିଁ ।

 

ଏଠାରେ ସାଧାରଣ ଭାବରେ ଗୋଟିଏ ଉଦାହରଣ ଦିଆଯାଇପାରେ ଓଡ଼ିଶା ଓ ପଞ୍ଜାବ ତଥା ହରିଆନାର କୃଷି, ଇଞ୍ଜିନିୟରିଂ ତଥା ପଶୁ ଚିକିତ୍ସା ବିଜ୍ଞାନ ପ୍ରାୟ ଏକା ଧରଣର । ତଥାପି ପଞ୍ଜାବ ଓ ହରିଆନାରେ ଯେତେବେଳେ ଅନେକେ ଏ ସବୁ ଶିକ୍ଷା ପାଇ ସାରିଲା ପରେ ସେହି ବିଦ୍ୟା ବଳରେ ନିଜ ନିଜ କର୍ମସଂସ୍ଥାନ କରି ବସନ୍ତି ଓ ସେ ପ୍ରଦେଶମାନଙ୍କରେ ଏ ସବୁ କ୍ଷେତ୍ରରେ ସରକାରୀ ଚାକିରି ପାଇଁ ପ୍ରାର୍ଥୀର ଅଭାବ ପଡ଼େ, ଓଡ଼ିଶାର ସହରମାନଙ୍କରେ ଦୁଧ ଓ ଅଣ୍ଡାର ଅଭାବ ଥିଲାବେଳେ ଚାଷୋପଯୋଗୀ ଜମି ଶସ୍ତାରେ ମିଳୁଥିଲେ ମଧ୍ୟ ଓ ଛୋଟ ଛୋଟ କଳକାରଖାନାର ଯଥେଷ୍ଟ ଅଭାବ ଥାଉଁ ଥାଉଁ ଓଡ଼ିଶାର ଡିଗ୍ରୀଧାରୀ ପଶୁ ଚିକିତ୍ସା, କୃଷି ଓ କାରିଗରୀ ବିଜ୍ଞାନବିତ୍‍ମାନେ ବେକାର ହୋଇ ବସି ରହି ସରକାରୀ ଚାକିରିକୁ ଚାହିଁ ରହନ୍ତି । ଠିକ୍ ସେପରି ଏକା କଲେଜରୁ ପାଶ୍ କରି ମାରୁଆଡ଼ୀ ଘର ପୁଅ କିମ୍ୱା କୌଣସି ଶିଖ୍ ଘର ପୁଅ କର୍ମସଂସ୍ଥାନର ଅଭାବ ଜନିତ ଦୁର୍ଦ୍ଦଶା ଭୋଗୁ ନ ଥିଲାବେଳେ ଓଡ଼ିଆ ପୁଅ ମୁଣ୍ଡରେ ହାତ ଦେଇ ବସେ । ମାରୁଆଡ଼ୀ ଘରର ପିଲାମାନେ ପିଲା ଦିନରୁ ବାପର ଦୋକାନରେ ବସି ବାପକୁ ଘଣ୍ଟାଏ ଦୁଇଘଣ୍ଟା ସାହାଯ୍ୟ କରି ସେମାନଙ୍କ ବାଣିଜ୍ୟ ବ୍ୟବସାୟ ବୁଦ୍ଧିକୁ ଆଗରୁ ପ୍ରଶସ୍ତ କରିଥିବାରୁ ବିଦ୍ୟାର ପ୍ରୟୋଗକୁ ସହଜ ବୋଲି ଜ୍ଞାନ କରନ୍ତି । ସେପରି ଶିଖ୍ ପୁଅ ଛୁଆ ଦିନୁ ବାପର ଭଙ୍ଗା ଗାଡ଼ି ତଳେ ଶୋଇ ନଟ, ବୋଲ୍‍ଟ କଷା କଷି ଆରମ୍ଭ କରିଦେଇଥିବା ଫଳରେ, କଲେଜରୁ ଅତି କଷ୍ଟରେ ପାଶ୍ କରିଥିଲେ ମଧ୍ୟ କର୍ମ କ୍ଷେତ୍ରରେ ଶୀଘ୍ର ପଟୁତା ଲାଭ କରେ । ଇଂଲଣ୍ଡ, ଆମେରିକା, ଜାପାନ ପ୍ରଭୃତି ଦେଶମାନଙ୍କରେ ପିଲାମାନେ ଘରେ ଘରେ ସାଧାରଣ ବ୍ୟାବହାରିକ ବିଦ୍ୟା ଅନେକ ପରିମାଣରେ ହାସଲ କରି ନେଇ ଥାଆନ୍ତି, ଯାହା ଫଳରେ କଲେଜର ତାତ୍ତ୍ୱିକ ବିଦ୍ୟାର ପ୍ରୟୋଗ ସେମାନଙ୍କ ପାଇଁ ସହଜ ସାଧ୍ୟ ହୁଏ ।

 

ଯେଉଁଠି ବାପା ମା’ ପିଲା ଦିନରୁ ‘ଅନ୍ଧାର ହେଲାଣି–କୋକୋମିନା ନେଇଯିବ, କାବୁଲୀବାଲା, ପିଲାଙ୍କୁ ମୁଣିରେ ଭର୍ତ୍ତି କରି ନେଉଛି, ପଠାଣ ବୁଢ଼ା ବସିଛି,’ ଠାରୁ ଆରମ୍ଭ କରି ‘ଗାଈ ପାଖକୁ ଯାଆ ନା–ଲାତ ମାରି ଦେବ, କୁର୍‍ହାଡ଼ି କାହିଁକି ଧରୁଛୁ–ଗୋଡ଼ରେ ବାଜିବ, ଦା’ ସଙ୍ଗରେ ଖେଳ ନା–ଆଙ୍ଗୁଠି କଟିଯିବ’, ଭୂତ, ସାପ, ବିଛା କହି କହି ଛୁଆଙ୍କୁ ବଢ଼ାଇ ଆସୁଛନ୍ତି–ଯେଉଁଠି ପିଲାଟି ଦିନରୁ ଘରେ ଶିଖା ହେଉଛି ଯେ–‘ତୁ ବ୍ରାହ୍ମଣ ଘରର ପୁଅ ହୋଇ ହଳ ଧରିବୁ ? ଭାର ବୋହିବୁ ? ମାଟି ହାଣିବୁ ?’ ସେଇଠି ଆଜିର ଶିକ୍ଷା ପଦ୍ଧତି ଯେତେ ତ୍ରୁଟିପୂର୍ଣ୍ଣ ହେଲେ ମଧ୍ୟ ତା’ ଉପରେ ସବୁ ଦୋଷ ଢାଳି ଦେବା ଅନ୍ୟାୟ ବୋଲି ମନେ ହୁଏ ।

Image

 

ଶିକ୍ଷା ପଦ୍ଧତିର ଗୋଲକଧନ୍ଦା

 

ରେଳଗାଡ଼ିର ତୃତୀୟ ଶ୍ରେଣୀ ଡବା ଭାରତୀୟ ସାଧାରଣ ଜୀବନର ମୂର୍ତ୍ତିମନ୍ତ ପ୍ରତୀକ ।

 

ଜନସାଧାରଣଙ୍କ ପଦ ମର୍ଯ୍ୟାଦା ଦୃଷ୍ଟିରୁ ହେଉ ଅଥବା ଭାରତୀୟ ଜୀବନଧାରଣର ମାନ ତୃତୀୟ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀକୁ ଉନ୍ନୀତ ହୋଇଗଲାଣି ବୋଲି ପ୍ରମାଣ କରିବା ଉଦ୍ଦେଶ୍ୟରେ ହେଉ କିମ୍ୱା ଅନ୍ୟ କୌଣସି ଅଜଣା କାରଣରୁ ରେଳଗାଡ଼ିରୁ ତୃତୀୟ ଶ୍ରେଣୀ ଏବେ ଉଠି ଯାଇଥିଲେ ମଧ୍ୟ ଭାରତୀୟ ଜୀବନଧାରଣର ଯେ କୌଣସି ଦିଗ ଏହି ତୃତୀୟ ଶ୍ରେଣୀ ଡବା ସାଙ୍ଗରେ ତୁଳନୀୟ-। ତେଣୁ ପ୍ରଚଳିତ ଶିକ୍ଷା ପଦ୍ଧତିକୁ ରେଳଗାଡ଼ିର ଏହି ତୃତୀୟ ଶ୍ରେଣୀ ସଙ୍ଗରେ ତୁଳନା କରାଯାଇପାରେ

 

ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିବା ଭିତରେ ପ୍ଳାଟଫର୍ମରୁ ବିଶ୍ରାମାଗାର, ବିଶ୍ରାମାଗାରରୁ ଚା’ ଦୋକାନ, ସିମେଣ୍ଟ ବେଞ୍ଚ, ଟିକେଟ ବିକ୍ରି ଝରକା ଘୂରି ବୁଲି ବେଡ଼ିଂ ଉପରେ କିମ୍ୱା ବାକ୍‍ସ ଉପରେ ବସି ହାଇ ମାରି ମାରି ସମ୍ପୂର୍ଣ୍ଣ ହାଲିଆ ହୋଇଗଲା ବେଳକୁ ଶେଷରେ ଟ୍ରେନ ଯେତେବେଳେ ଷ୍ଟେସନରେ ପହଞ୍ଚିଯାଏ, ‘ଗରମ ଚା, ପାନ ବିଡ଼ି ସିଗାରେଟ, ଚିନାବାଦାମ....ର ତଣ୍ଟିଫଟା ରଡ଼ି ଓ ‘ଆରେ ରାମୁ କୁଆଡ଼େ ଗଲୁରେ–ଏ ମରୁଆ ମା’ ଦଉଡ଼ି ଆସ, ଏ କୁଲି....’କୋଳାହଳ ଭିତରେ ତଥା ଯିବା ଆସିବା ଲୋକ, ସେମାନଙ୍କ ବନ୍ଧୁବାନ୍ଧବ ଓ ପକେଟମାରୁଙ୍କ ଭିଡ଼ ମଧ୍ୟ ଦେଇ ଯାତ୍ରୀମାନେ ଏ ପାଖରୁ ସେ ପାଖ, ଏ ଡବାରୁ ସେ ଡବା ଧାଁ ଦଉଡ଼ ଆରମ୍ଭ କରି ଦିଅନ୍ତି । ନାନାରକମର ଠେଲା ପେଲା ସାହାଯ୍ୟରେ ସିଧାସଳଖ କୌଣସି କବାଟର ଫାଙ୍କ ଭିତର ଦେଇ ଅଥବା ରେଲିଂ ନ ଦିଆ କୌଣସି ଖୋଲା ଝରକା ବାଟରେ ବାହାର ଲୋକଙ୍କ ଟେକା ଟେକି ମାଧ୍ୟମରେ କେହି କେହି ଡବା ଭିତରକୁ ପଶି ଯାଆନ୍ତି ଓ ସେମାନେ ନିଜେ କବାଟ ଝରକା ବନ୍ଦ କରି ଦେଇ ଆଉ କେହି ଯେପରି ସେ ଭିତରକୁ ପଶି ନ ପାରିବେ ସେ ସମ୍ୱନ୍ଧରେ ଯତ୍ନଶୀଳ ହୋଇ ପଡ଼ନ୍ତି-। ବାହାର ଆଡ଼ୁ କବାଟ ଝରକା ବାଡ଼ିଆର ଉତ୍ତର ଆସେ–‘ଜାଗା ନାହିଁ, ଅନ୍ୟ ଡବା ଦେଖ’-

 

ତଥାପି କେହି କେହି ଭାଗ୍ୟବାନ ଛୁଞ୍ଚି ଗଳିବା ପାଇଁ ଜାଗା ନ ଥିବା ସେ ଡବାମାନଙ୍କରେ ପୁଣି କୌଣସିମତେ ପଶି ଯାଆନ୍ତି । ଗୋଲ ଗାଲ ମଣିଷ କ୍ଷଣିକ ପାଇଁ ଚେପ୍‍ଟା ହୋଇଯାଏ । ଗେଡ଼ା ସରୁ ଓ ଡେଙ୍ଗା ହୁଏ ଆଉ ସରୁ ଓ ଡେଙ୍ଗା ବଙ୍କେଇ ଯାଇ ଦେହର ଫାଳେ ଡବା ଭିତରେ ଓ ଅନ୍ୟ ଫାଳକ ଡବା ବାହାରେ ରଖି ସାରିଲା ପରେ ଜିଆ ପଛ ଫାଳ ଆଗକୁ ଭିଡ଼ି ନେଲା ପରି ବାହାରର ଫାଳକୁ ଡବା ଭିତରକୁ ଭିଡ଼ି ନିଏ । ବାକ୍‍ସ ବେଡ଼ିଂ, ଅଖାବସ୍ତା, ଟିଣ ଡବା ସବୁ ଅଦ୍ଭୁତ ଭାବରେ ଭିତରକୁ ପଶେ । ‘ସବୁ ଜିନିଷ ଅଛି ନା ନାହିଁ ଦେଖି ନେ,’ ‘ବାବୁ ପଇସା ଦିଅ’, ‘ପହଞ୍ଚିଲା କ୍ଷଣି ଚିଠି ଦେବୁ’ ଭିତରେ ଟ୍ରେନ୍ ହୁଇସିଲ୍ ମାରେ ଆଉ ତା’ ନିଜ ଭାଷାରେ ‘ଇସ୍–କେତେ ଭିଡ଼, ଇସ୍–କେତେ ଭିଡ଼’ କେତେ ଥର କହି ଷ୍ଟେସନ ଛାଡ଼େ । ଠିକ୍ ପରେ ପରେ ‘କିଏ ରହିଗଲା–କିଏ ରହିଗଲା’.... ପଚାରି ପଚାରି ଅଦୃଶ୍ୟ ହୋଇଯାଏ ।

 

ଗୋଟାଏ ଦିଗରେ ବନ୍ଧୁବାନ୍ଧବଙ୍କୁ ବସାଇ ଦେବା ପାଇଁ ଆସିଥିବା ଲୋକେ ଆଉ ବେଶି ସଂଖ୍ୟାରେ ଟ୍ରେନ୍ ନ ଚଳାଉଥିବା ଯୋଗୁଁ ଓ ମହାସୁଲ ବଢ଼ାଇଥିବାରୁ ସରକାରୀ କଳର କଟୁ ସମାଲୋଚନା କରି କରି ଷ୍ଟେସନ ବାହାରକୁ ଆସନ୍ତି । ଅନ୍ୟ ଦିଗରେ ଟ୍ରେନ୍ ଡବା ଭିତରକୁ ସଦ୍ୟ ପଶିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେହି ବାକ୍‍ସ ପତ୍ର ସଜାଡ଼ୁଁ ସଜାଡ଼ୁଁ କାହାର ଆଙ୍ଗୁଠି ଦଳି ଦେଇଥିବା ଯୋଗୁଁ, ଅନ୍ୟ କେହି ବାକ୍‍ସ ପତ୍ର ପାଇଖାନା ସାମନାରେ ଜମା କରି ଦେଇ ବାଟ ବନ୍ଦ କରି ଦେଇଛି ବୋଲି କିମ୍ୱା ଭିଡ଼ ଭିତରେ ଶୋଇ ରହିଥିବା କେଉଁ ଯାତ୍ରୀର ପେଟ ଉପରେ ଆଉ କେହି ଢଳି ପଡ଼ିଥିବାରୁ ତଥା ଅନ୍ୟାନ୍ୟ ଅନେକ କାରଣରୁ ସାମାନ୍ୟ ପାଟିତୁଣ୍ଡ ଗାଳିଗୁଲଜ ହୋଇସାରିଲା ପରେ ନୂଆ ଓ ପୁରୁଣା ଯାତ୍ରୀଙ୍କ ମଧ୍ୟରେ ସହାବସ୍ଥାନ ପ୍ରତିଷ୍ଠିତ ହୋଇଯାଏ ଓ ଗପ ଜମେ । ବିନା ଟିକଟରେ ଯାଉଥିବା ଯାତ୍ରୀ, ପକେଟମାରୁ, କଳାବଜାରୀ, ଭଦ୍ର, ଅଭଦ୍ର ସମସ୍ତେ ବିଲାତ ଆମେରିକାରେ ରେଳଯାତ୍ରାର ସୁବିଧା ବଖାଣୁ ବଖାଣୁ ଭାରତୀୟ ରେଳବାଇ ଅଫିସରଙ୍କ ଅପାରଗତା, ଅସାଧୁତା, କର୍ତ୍ତୃପକ୍ଷଙ୍କ ବାଜେ ପରିଚାଳନା, ଡବାର ଧତଡ଼୍ ଅବସ୍ଥା ଓ ମଇଳା ସମ୍ୱନ୍ଧରେ ଟୀକା ଟିପ୍‍ପଣୀ ଆରମ୍ଭ କରିଦିଅନ୍ତି ସମସ୍ତଙ୍କ କଣ୍ଠ ସ୍ୱରକୁ ଦବାଇ ଦେଇ ଫେରିବାଲା ଗର୍ଜି ଉଠେ–‘ହିମାଳୟର ଜଡ଼ିବୁଟିରୁ ତିଆରି ଭାରତ ବିଖ୍ୟାତ କବିରାଜଙ୍କ ପ୍ରସ୍ତୁତ ଯାଦୁ ମଲମ...ଥରେ ଲଗାଇଲେ ପୁରୁଣା ଯାଦୁ, କାଛୁ କୁଣ୍ଡିଆ, ବିଇଞ୍ଚି, ଧଳା ଛଉ...ପରୀକ୍ଷା କରି ଦେଖନ୍ତୁ–ନହେଲେ ପଇସା ଫେରସ୍ତ...’

 

‘ଆଉ କିଏ ଯିବ–ଆଉ କିଏ ଯିବ....’ ରାଗିଣୀ ଧରି ଟ୍ରେନ୍ ଆଗେଇ ଚାଲେ ଅନ୍ୟ ଷ୍ଟେସନକୁ ।

 

ଠିକ୍ ଏପରି ଗୋଟିଏ ଦୃଶ୍ୟ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ ।

 

ପରୀକ୍ଷା ଫଳକୁ ଅପେକ୍ଷା କରି କରି ହାଲିଆ ହେଲାବେଳକୁ ଶେଷରେ ଯେତେବେଳେ ଫଳ ବାହାରେ, କେବେ ଜୁଲାଇ ତ କେବେ ଅଗଷ୍ଟ ମାସ ଆସି ପହଞ୍ଚି ଯାଇଥାଏ । କଲେଜମାନଙ୍କରେ ନୂଆ ପାଠ ପଢ଼ା ବର୍ଷର ନାମ ଲେଖା ଭିଡ଼ ଦେଖା ଦିଏ । ଛାତ୍ର ଛାତ୍ରୀମାନେ ବାପା ମା’ କିମ୍ୱା ଅନ୍ୟ କେହି ଅଭିଭାବକଙ୍କୁ ଧରି ବିଜ୍ଞାନ, କଳା, ବାଣିଜ୍ୟ ପ୍ରଭୃତି ବିଭିନ୍ନ ବିଷୟମାନଙ୍କରେ ଭର୍ତ୍ତି ହେବାପାଇଁ କଲେଜ ବାରଣ୍ଡାରେ–ଧାଁଧାପଡ଼ ଆରମ୍ଭ କରିଦିଅନ୍ତି । କିଏ ଡାକ୍ତର ହେବା ଆଶା ନେଇ ବାଇଓଲଜି, କିଏ ଇଞ୍ଜିନିୟର ହେବା ଉଦ୍ଦେଶ୍ୟରେ ଗଣିତ ଆଉ କିଏ ବା ଆଇ.ଏ.ଏସ୍. କିମ୍ୱା ଆଇ.ପି.ଏସ୍. ହେବାପାଇଁ ସାଧାରଣ ଜ୍ଞାନ ପ୍ରଭୃତି ଅଧିକା ବୋଝ ସାଙ୍ଗରେ ନେବାକୁ ଚେଷ୍ଟା କରନ୍ତି

 

ସିଧାସଳଖ ଯଦି ସିଟ୍ ନ ମିଳେ ଏ ପାଖ ସେପାଖର ଫାଙ୍କ ଦେଇ ଅଥବା ବାହାରିଆ ଚାପ ସାହାଯ୍ୟରେ ଭିତରକୁ ଗଳି ଯିବାକୁ ଉଦ୍ୟମ ହୁଏ ।

 

ସିଟ୍ ଅଭାବରୁ କେଉଁ କେଉଁ କଲେଜରେ ଗୋଟିଏ ସହରର ଛାତ୍ର ଅନ୍ୟ ସହରର ଛାତ୍ରମାନଙ୍କୁ ବାଟ ଛାଡ଼ନ୍ତିନି ! ମେଡ଼ିକେଲ ପ୍ରଭୃତି କେତୋଟି କଲେଜ ଭିତରେ କୌଣସିମତେ ପଶି ସାରିଥିବା କେତେ ଛାତ୍ର ସ୍ଥାନସଂଖ୍ୟା ବେଶି ଥିବାରୁ କର୍ମସଂସ୍ଥାନ ହୋଇ ପାରୁ ନାହିଁ ବୋଲି ସିଟ୍ ସଂଖ୍ୟା କମାଇ ଦେଇ ନାମ ଲେଖା ବନ୍ଦ କରିଦେବା ପାଇଁ ବେଳେ ବେଳେ ଚେଷ୍ଟା କରନ୍ତି ।

 

ନାମ ଲେଖା ଶେଷ ହୁଏ ।

 

ଆଧୁନିକ ଶିକ୍ଷାରେ ଉଚ୍ଚ ଶିକ୍ଷିତ ହୋଇ ଉଚ୍ଚାସନ, ଉଚ୍ଚ ପଦବୀ, ଉଚ୍ଚ ପଦ ମର୍ଯ୍ୟାଦା ହାସଲ କରି ସାରି ଶିକ୍ଷା, ସମାଜ ଓ ଶାସନର ଭାଗ୍ୟ ଡୋରୀ ନିଜ ହାତକୁ ନେଇ ସାରିଥିବା ଅଭିଭାବକ ତଥା ଏପରି ଶିକ୍ଷାରୁ ବଞ୍ଚିତ ହୋଇ କର୍ମକୁ ନିନ୍ଦୁଥିବା ଅଭିଭାବକମାନେ ନିଜର ପୁଅ ଝିଅଙ୍କୁ କଲେଜମାନଙ୍କରେ କୌଣସିମତେ ଭର୍ତ୍ତି କରି ଦେଇ ସାରି ଅଥବା ଭର୍ତ୍ତି କରିବାରେ ଅକୃତକାର୍ଯ୍ୟ ହୋଇ ଘରକୁ ଫେରିବା ବାଟରେ ଆଧୁନିକ ଶିକ୍ଷାର କଟୁ ସମାଲୋଚନା ଆରମ୍ଭ କରିଦିଅନ୍ତି ତଥାପି ସେମାନଙ୍କ ଚାପରେ ଶ୍ରେଣୀ ମାନଙ୍କରେ ସ୍ଥାନ ସଂଖ୍ୟା ବଢ଼େ, ନୂଆ କଲେଜ ସବୁ ମୁଣ୍ଡ ଟେକେ ।

 

ଏଣେ କଲେଜରେ ଭର୍ତ୍ତି ହୋଇଥିବା ନୂଆ ଛାତ୍ର ତଥା ପୁରୁଣା ଛାତ୍ରଙ୍କ ମଧ୍ୟରେ ହଷ୍ଟେଲ ସିଟ୍ ଓ ରେଗିଙ୍ଗ୍ ପାଇଁ ନୂଆ ଚିହ୍ନା ପରିଚୟର ସାମାନ୍ୟ କିଛି ପାଟି ତୁଣ୍ଡ ଓ ଭିଡ଼ା ଓଟରା ହେଲା ପରେ ମିଳାମିଶା ହୋଇଯାଏ ଓ ସହପାଠୀଙ୍କ ମଧ୍ୟରେ ବନ୍ଧୁତ୍ୱ ଘନେଇ ଉଠେ । ମଉଜ ମଜଲିସ୍ ଓ ଖୁସି ଗପ ଜମେ । ସେ ଖୁସି ଗପର ଗୁଞ୍ଜନକୁ ଦବାଇ ଦେଇ କଲେଜ ୟୁନିଅନର ଭାବୀ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଗର୍ଜି ଉଠନ୍ତି–‘ମୋତେ ଯଦି ଭୋଟ୍ ଦେବ....’

 

ନିର୍ବାଚନ ସରିଲା ପରେ ଦିନେ ହଠାତ୍ ସମସ୍ତେ ଆବିଷ୍କାର କରନ୍ତି ଯେ, ତାଙ୍କ ପୁରୁଣା କଲେଜରେ କମନ୍ ରୁମ୍ ନାହିଁ, ଭଲ ଲାଇବ୍ରେରୀ ନାହିଁ, ଖେଳ ପଡ଼ିଆ ନାହିଁ, ଯଥେଷ୍ଟ ସଂଖ୍ୟକ ଶିକ୍ଷକ ନାହାନ୍ତି..... ।’

 

‘ଆମର ଦାବି..., ଆମର ଦାବି....’ର ଝଡ଼ ତୋଫାନ ମଧ୍ୟ ଦେଇ କଲେଜ ଅନ୍ୟ ପାଠ ପଢ଼ା ବର୍ଷକୁ ଛୋଟେଇ ଛୋଟେଇ ଚାଲେ ।

 

ରେଳଗାଡ଼ିର ତୃତୀୟ ଶ୍ରେଣୀ ଓ ଆଧୁନିକ ଶିକ୍ଷା ମଧ୍ୟରେ କିନ୍ତୁ ଗୋଟିଏ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ । ତୃତୀୟ ଶ୍ରେଣୀ ଯାତ୍ରୀର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳ ଥାଏ ଓ ସୁବିଧା ଅସୁବିଧା ମଧ୍ୟ ଦେଇ ଯାତ୍ରୀ ଶେଷରେ ସେ ଗନ୍ତବ୍ୟ ସ୍ଥଳରେ ହିଁ ପହଞ୍ଚେ । ଶିକ୍ଷା କ୍ଷେତ୍ରରେ କିନ୍ତୁ ଅନେକ ଛାତ୍ରଙ୍କ କୌଣସି ଲକ୍ଷ୍ୟସ୍ଥଳ ଦେଖିବାକୁ ମିଳେନି । ଅଧିକାଂଶ କ୍ଷେତ୍ରରେ ଛାତ୍ର କେବଳ ଉଦ୍ଦେଶ୍ୟ ହୀନ ଭାବରେ ଖଣ୍ଡିଆଭୂତର ଶୁଖିଲା ପତ୍ର ପରି ଉଡ଼ି ବୁଲେ ଆଉ ଶେଷରେ ଏଇଠି ସେଇଠି ଖାପଛଡ଼ା ହୋଇ ପଡ଼ିଯାଏ ।

 

ଲକ୍ଷ୍ୟହୀନ ଓ ଉଦ୍ଦେଶ୍ୟବିହୀନ ଶିକ୍ଷାକୁ ଶିକ୍ଷା ବୋଲି କହିବା ସମୀଚୀନ ହେବ ନାହିଁ । ପୁଣି ଯେଉଁ ଶିକ୍ଷାରେ ଛାତ୍ରର ମାନସିକ ଓ ବୌଦ୍ଧିକ ବିକାଶ ସଙ୍ଗେ ସଙ୍ଗେ ଶାରୀରିକ ତଥା ଆଧ୍ୟାତ୍ମିକ ବିକାଶ ନ ହୋଇଛି ସେ ଶିକ୍ଷାକୁ ମଧ୍ୟ ପ୍ରକୃତ ଶିକ୍ଷା ବୋଲି ଗ୍ରହଣ କରାଯାଇ ନ ପାରେ-। ତେଣୁ ଆଜିର ଶିକ୍ଷା ଯେ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଏହା ନିଃସନ୍ଦେହ ଏବଂ ଏ ଶିକ୍ଷା ପଦ୍ଧତିର ପରିବର୍ତ୍ତନ ଲୋଡ଼ା ଏଥିରେ ମତଦ୍ୱୈଧର ଅବକାଶ ନାହିଁ ।

 

କିନ୍ତୁ ଆଜିର ଶିକ୍ଷା ପଦ୍ଧତି ବଦଳରେ ଆଉ କେଉଁ ଢଙ୍ଗର ଶିକ୍ଷା ପ୍ରବର୍ତ୍ତନ କରାଯିବ ସେ ସମ୍ୱନ୍ଧରେ ହିଁ ନାନା ମୁନିଙ୍କର ନାନା ମତ ଦେଖାଦିଏ

 

ଜାତିର ଜନକ ଗାନ୍ଧୀଜୀ ଆଧୁନିକ ଶିକ୍ଷା ପଦ୍ଧତି ବଦଳରେ ମୌଳିକ ଶିକ୍ଷା ବା ବେସିକ୍ ଏଡୁକେଶନ ପ୍ରବର୍ତ୍ତନ କରିବାକୁ ମତ ଦେଇଥିଲେ ।

 

ପରମ ଯୋଗୀ ଅରବିନ୍ଦ ଓ ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ବା ଇଣ୍ଟିଗ୍ରେଟେଡ୍‍ ଏଡୁକେଶନର ଗୋଟିଏ ସାଧାରଣ ରୂପରେଖ ଦେଇ ଯାଇଛନ୍ତି ।

 

ଦାର୍ଶନିକ ରାଧାକୃଷ୍ଣନ୍ ଓ ତାଙ୍କ କମିଶନର ଶିକ୍ଷାବିତ୍‍ମାନେ ତଥା ବୈଜ୍ଞାନିକ କୋଠାରୀ ଓ ତାଙ୍କ କମିଶନ୍‍ର ଶିକ୍ଷାବିତ୍‍ମାନେ ଆଧୁନିକ ଶିକ୍ଷାର କେବଳ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି ।

 

ଦେଶର ଅନ୍ୟାନ୍ୟ ଅନେକ ହିତୈଷୀ ଅତୀତର ଗୁରୁ ଆଶ୍ରମ ଶିକ୍ଷା ପରମ୍ପରାକୁ ଫେରିଯିବାକୁ ମତ ଦିଅନ୍ତି ।

 

ଶିକ୍ଷା ପଦ୍ଧତି ଆଜି ଏ ଗୋଲକ ଧନ୍ଦାରେ ।

Image

 

ଚାଲି ନ ଜାଣି

 

ଆଧ୍ୟାତ୍ମିକ ଚେତନାରେ ଉଦ୍ଭାସିତ ଓ ଜ୍ଞାନର ଗାରିମାରେ ଗରୀୟାନ୍ ଭାରତର ଅତୀତ ଅତ୍ୟନ୍ତ ଗୌରବମୟ । କିନ୍ତୁ ସେ ଗୌରବମୟ ଅତୀତର ଶିକ୍ଷା ପଦ୍ଧତି ଯେ ସମ୍ପୂର୍ଣ୍ଣ ତ୍ରୁଟିହୀନ ଓ ଦୋଷଶୂନ୍ୟ ଥିଲା ଏବଂ ସେ ପଦ୍ଧତି ବର୍ତ୍ତମାନ ମଧ୍ୟ ଗ୍ରହଣୀୟ, ସେ ମତ ସହଜରେ ଗ୍ରହଣ କରି ହୁଏ ନାହିଁ ।

 

କୌଣସି ଜାତୀୟ ଶିକ୍ଷା ପଦ୍ଧତି ଯେ କେବଳ ବ୍ୟକ୍ତିବିଶେଷଙ୍କ ପ୍ରତିଭାର ଚରମ ବିକାଶ ସାଧନ କରିବା ପାଇଁ କ୍ଷମ ହେବ ସେତିକି ନୁହେଁ–ଏପରି ଶିକ୍ଷା ପଦ୍ଧତି ସର୍ବସାଧାରଣଙ୍କ ଶିକ୍ଷାର ମାନକୁ ଉନ୍ନତ କରିବା ସଙ୍ଗେ ସଙ୍ଗେ ସମାଜ ତଥା ଦେଶର ସର୍ବବିଧ ଉନ୍ନତି ଓ ବିକାଶର ସହାୟକ ହେବା ଆବଶ୍ୟକ । ଏହି ମାନଦଣ୍ଡ ନେଇ ଆମ ଅତୀତର ଶିକ୍ଷା ପଦ୍ଧତି ପର୍ଯ୍ୟାଲୋଚନା କରାଯାଇପାରେ ।

 

ବ୍ରିଟିଶ ରାଜତ୍ୱ ଆରମ୍ଭର ଅବ୍ୟବହିତ ପୂର୍ବରୁ ସିରାଜଉଦ୍ଦୌଲାଙ୍କ ତଣ୍ଟି କାଟିବା ପାଇଁ ମିରଜାଫର ଯେତେବେଳେ ତା’ର କୁଚକ୍ରାନ୍ତ ଆରମ୍ଭ କରି ଦେଇଥିଲା କିମ୍ୱା ତହିଁର ଅନେକ ପୂର୍ବରୁ ଯେଉଁ ସମୟରେ ସହାୟହୀନ ଓ ଆଶ୍ରୟବିହୀନ ଦାରା ତାଙ୍କ ସ୍ତ୍ରୀ ଓ ପିଲାଛୁଆମାନଙ୍କୁ ଧରି ପ୍ରାଣ ବିକଳରେ ବଣ ଜଙ୍ଗଲରେ ଲୁଚି ବୁଲିଲାବେଳେ ବନ୍ୟ ଜନ୍ତୁ ଶୀକାର କଲା ପରି ସାନ ଭାଇ ଆଉରଙ୍ଗଜେବ ସେମାନଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ମାରି ଦେବାକୁ ଉଦ୍ୟମ କରୁଥିଲେ, ସେଦିନର ଭାରତରେ କୌଣସି ଉଚ୍ଚ କୋଟୀର ଶିକ୍ଷା ପଦ୍ଧତି ପ୍ରଚଳିତ ଥିଲା ବୋଲି ପ୍ରମାଣ ମିଳେ ନାହିଁ ।

 

ମହମ୍ମଦ ଟୋଗ୍‍ଲକ୍ ଯେତେବେଳେ ଦିଲ୍ଲୀରୁ ଦୌଲତାବାଦ୍ ଓ ପରେ ଦୌଲତାବାଦ୍‍ରୁ ଦିଲ୍ଲୀକୁ ରାଜଧାନୀ ବଦଳାଉଥିଲେ ଓ ଜଣେ ଛୋଟା ଲୋକ ଏତେ ବାଟ ଚାଲି ନ ପାରିବାରୁ ତା’କୁ ଘୋଡ଼ା ଲାଞ୍ଜରେ ବାନ୍ଧି ଘୋଷାଡ଼ି ନେବାକୁ ଆଦେଶ ଦେଇଥିଲେ ସେଦିନର ଭାରତରେ ଭାରତୀୟ ନାଗରିକ ଶାରୀରିକ ମାନସିକ ତଥା ଆଧ୍ୟାତ୍ମିକ ଶିକ୍ଷାରେ ସୁଶିକ୍ଷିତ ଥିଲା ବୋଲି କଦାପି କହି ହେବ ନାହିଁ ।

 

ଯେଉଁଦିନ ଜୟଚନ୍ଦ୍ର ପୃଥ୍ୱୀରାଜଙ୍କୁ ହରାଇବା ପାଇଁ ମହମ୍ମଦ ଘୋରୀଙ୍କୁ ନିମନ୍ତ୍ରଣ କରି ଆଣିଲା–ସେଦିନର ଭାରତ କିମ୍ୱା ତା’ ପୂର୍ବରୁ ମହମ୍ମଦ ଗଜନୀ ସୋମନାଥ ମନ୍ଦିର ଧ୍ୱଂସ କରୁଥିବା ଦିନର ଭାରତରେ ଯେ ଶିକ୍ଷା ପଦ୍ଧତି ଭଲ ଥିଲା ତାହା ମଧ୍ୟ ସ୍ୱୀକାର କରିବା ଅତ୍ୟନ୍ତ କଷ୍ଟକର ।

 

ଗୁପ୍ତ ସାମ୍ରାଜ୍ୟର ସ୍ୱର୍ଣ୍ଣ ଯୁଗ ତଥା ନାଳନ୍ଦା, ତକ୍ଷଶୀଳା, ବିକ୍ରମଶୀଳା, ପରିମଳ ଗିରି, ରତ୍ନ ଗିରି ପ୍ରଭୃତି ବିଶ୍ୱବିଦ୍ୟାଳୟମାନଙ୍କ ସାମୟିକ ସ୍ଥିତିର ସୂଚନାକୁ ଛାଡ଼ିଦେଲେ ପୁରୁଙ୍କ ବିରାଟ ସେନାକୁ ଗୋଟିଏ ଛୋଟ ସୁଶୃଙ୍ଖଳ ଗ୍ରୀକ୍ ସେନା ଯେଉଁଦିନ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା ସେହିଦିନଠାରୁ ବ୍ରିଟିଶ ରାଜତ୍ୱର ଆଦିପର୍ବ ପର୍ଯ୍ୟନ୍ତ ଭାରତରେ ଶୃଙ୍ଖଳିତ ସାର୍ବଜନୀନ ଜନ ଶିକ୍ଷାର ପ୍ରଚଳନ ସମ୍ୱନ୍ଧରେ ବିଶେଷ କିଛି ଆଭାଷ ମିଳେନି ।

 

ମହାଭାରତ କାଳୀନ ଭାରତର ଶିକ୍ଷା ପଦ୍ଧତି ମଧ୍ୟ ତ୍ରୁଟିହୀନ ଥିଲା ବୋଲି କୁହାଯାଇ ନ ପାରେ ।

 

ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ ବୋଲି ମନରେ ମାନିନେଇ ଜଣେ ଶବର ପୁଅ ଅସ୍ତ୍ରଶିକ୍ଷା ପାଇବା ଉଦ୍ଦେଶ୍ୟରେ ଯେତେବେଳେ ଦ୍ରୋଣ ଗୁରୁଙ୍କ ପାଖରେ ଯାଇ ପହଞ୍ଚିଲା, ନୀଚ କୁଳଜାତ ବୋଲି କହି ଦୁର୍ଯ୍ୟୋଧନ ଦୁଃଶାସନ ପ୍ରଭୃତି ଅନେକ ଶିଷ୍ୟ ସେହି ଗୁରୁଙ୍କ ସାମନାରେ ତା’କୁ ଗଳାଧକ୍‍କା ଦେଇ ବାହାର କରିଦେଲେ । ଦ୍ରୋଣ ଗୁରୁ ତହିଁରେ କୌଣସି ଆପତ୍ତି ମଧ୍ୟ କଲେନି ସେହି ଶିଷ୍ୟ ପରେ ମାଟିର ଦ୍ରୋଣଙ୍କୁ ଗୁରୁ ବୋଲି ମାନି ଦୂରରୁ ଗୁରୁଙ୍କ ଶିକ୍ଷା ଲକ୍ଷ୍ୟ କରି ନିଜେ ନିଜେ ଅସ୍ତ୍ର ସାଧନା କଲା ବେଳେ କୌରବମାନେ କିପରି ତା’ ସ୍ତ୍ରୀକୁ ଅପମାନ ଦେବାକୁ ଯାଇ ଶେଷରେ ଯୁଦ୍ଧରେ ମରି ଶୋଇଥିଲେ, ଗୁରୁଙ୍କ ଆଦେଶରେ କୌରବମାନଙ୍କୁ ରକ୍ଷା କରିବାକୁ ଯାଇ ଅର୍ଜୁନଙ୍କୁ କିପରି ସେହି ଦଶା ହୋଇଥିଲା ଓ ଶେଷରେ ଗୁରୁଙ୍କ ଇଚ୍ଛା ମତେ ସମସ୍ତଙ୍କୁ ଜିଆଇଁ ଦେଇ ଗୁରୁଦକ୍ଷିଣା ସ୍ୱରୁପ ନିଜ ବୃଦ୍ଧାଙ୍ଗୁଷ୍ଠି କାଟିଦେଲା ପରେ ସେ ଶବର ପୁଅ ଏକଲବ୍ୟ ନାମରେ ପରିଚିତ ହୋଇଥିଲେ ସେହି ଦୁଃଖପ୍ରଦ କାହାଣୀ ସମସ୍ତଙ୍କୁ ଜଣା । ଦୁଷ୍ଟ ଚରିତ୍ର କୌରବମାନଙ୍କୁ ପରେ କେବେ ପ୍ରାଣରେ ମାରି ଦେଇପାରେ ସେଇ ଆଶଙ୍କାରେ ହିଁ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଦ୍ରୋଣ ଗୁରୁ ବୃଦ୍ଧାଙ୍ଗୁଷ୍ଠି ଦକ୍ଷିଣା ମାଗି ଜଣେ ନିରୀହ ଶିଷ୍ୟକୁ ପ୍ରାୟ ପଙ୍ଗୁ କରି ଦେଇଥିଲେ ।

 

ମହାଦାନୀ କର୍ଣ୍ଣଙ୍କ ଶିକ୍ଷାର କାହାଣୀ ମଧ୍ୟ ସେପରି ଦୁଃଖପୂର୍ଣ୍ଣ । ଅସ୍ତ୍ରଶସ୍ତ୍ର ସମ୍ୱନ୍ଧୀୟ ସମସ୍ତ ଜ୍ଞାନ ଦାନ କରିସାରିଲା ପରେ ମହାଯଶା ପରଶୁରାମ ଯେତେବେଳେ ଜାଣିପାରିଲେ ଯେ କର୍ଣ୍ଣ ଜଣେ କ୍ଷତ୍ରିୟ ସନ୍ତାନ ଓ ବ୍ରାହ୍ମଣପୁତ୍ର ନୁହନ୍ତି, ସେ ଅଭିଶାପ ଦେଲେ ଯେ ଠିକ୍ ଘଡ଼ିସନ୍ଧିବେଳେ କର୍ଣ୍ଣ ସବୁ ଶିକ୍ଷା ପାଶୋରି ଯିବେ । ସେହି ଅଭିଶାପ ହିଁ ଶେଷରେ କର୍ଣ୍ଣଙ୍କ କାଳ ହେଲା । ମିଥ୍ୟାର ଆଶ୍ରୟ ନେଇ ଶିଷ୍ୟତ୍ୱ ଗ୍ରହଣ କରିଥିବାରୁ କର୍ଣ୍ଣ ଅବଶ୍ୟ ଦୂଷିତ–କିନ୍ତୁ ଶିକ୍ଷାଦାନର ଏପରି ଜାତିଭେଦ ବିଚାରର ଯଥାର୍ଥତା ବୁଝି ହୁଏନି ।

 

ସେଦିନର ଶିକ୍ଷା ସେ ସମସ୍ତଙ୍କୁ ଅର୍ଥ ଉପାର୍ଜନକ୍ଷମ କରୁଥିଲା ଆଉ ଏକା ଗୁରୁଙ୍କ ପାଖରୁ ଶିକ୍ଷା ଲାଭ କରିଥିବା ସବୁ ଶିଷ୍ୟ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସମାନ ସିଦ୍ଧ ଲାଭ କରୁଥିଲେ ସେ କଥା ମଧ୍ୟ କହି ହୁଏନି । ସନ୍ଦିପନୀ ଋଷିଙ୍କ ଶିଷ୍ୟ ହୋଇ ମଧ୍ୟ ଶ୍ରୀକୃଷ୍ଣଙ୍କ ସହପାଠୀ ସୁଦାମାଙ୍କ ଆର୍ଥିକ ଅବସ୍ଥା କ’ଣ ଥିଲା ସେ କଥା ସମସ୍ତଙ୍କୁ ଜଣା ।

 

ରାମାୟଣ ଯୁଗର ସାଧାରଣ ଶିକ୍ଷା ସମ୍ୱନ୍ଧରେ ମଧ୍ୟ ଠିକ୍ ସେପରି ସନ୍ଦେହ ଦେଖା ଦିଏ-। ରାମାୟଣରେ ଶ୍ରୀରାମଙ୍କ ବନବାସ ପୂର୍ବରୁ ବିଶ୍ୱାମିତ୍ରଙ୍କ ଆଶ୍ରମ, ବନବାସ ଭିତରେ ଭରଦ୍ୱାଜ ଋଷି ଓ ଅନ୍ୟାନ୍ୟ ଋଷିଙ୍କ ଆଶ୍ରମ ଓ ପରିଶେଷରେ ସୀତାଙ୍କ ବନବାସବେଳେ ବାଲ୍ମିକୀ ଆଶ୍ରମ ବର୍ଣ୍ଣନା ଦେଖିବାକୁ ମିଳେ । ଋଷିପୁତ୍ର ତଥା ଋଷି କନ୍ୟାମାନଙ୍କ ସମ୍ୱନ୍ଧରେ ମଧ୍ୟ ସେଥିରୁ ଆମେ କିଛି କିଛି ଜାଣିବାକୁ ପାଉଁ । ମହାଜ୍ଞାନୀ ହନୁମାନଙ୍କୁ ଭେଟୁଁ, ସେତୁବନ୍ଧ ଯୋଜନା ପ୍ରସ୍ତୁତକାରୀ କାରିଗରୀ ବିଦ୍ୟା ନିପୁଣ ନଳ ଓ ନୀଳ, ଭେଷଜ ବିଜ୍ଞାନୀ ସୁଷେଣ ଓ ଯୁଦ୍ଧବିଦ୍ୟା ବିଶାରଦ ଜାମ୍ୱବାନଙ୍କୁ ଦେଖୁଁ । କିନ୍ତୁ ସେ ସଙ୍ଗରେ ଦେଖିବାକୁ ମିଳେ ଶବରପଲ୍ଲୀ, ରାକ୍ଷସ ବିଧ୍ୟୁଷିତ ଦଣ୍ଡକାରଣ୍ୟ, କପି ଭଲ୍ଲୁକଙ୍କ ସାମ୍ରାଜ୍ୟ । ରାମ ରାଜ୍ୟରେ ମଧ୍ୟ ଧୋବା ଓ ଧୋବଣୀଙ୍କ ପରି ନାଗରିକ ଦେଖାଯାଆନ୍ତି ଯେଉଁମାନଙ୍କ କଟୂକ୍ତି ଫଳରେ ସତୀ ସାଧ୍ୱୀ ସୀତାଙ୍କୁ ତପସ୍ୱିନୀ ହେବାକୁ ପଡ଼େ । ଡି.ଏମ.କେ. ଦଳର ମତରେ ସଂସ୍କୃତ ଭାଷାରେ ଶିକ୍ଷିତ ଆର୍ଯ୍ୟମାନେ ତାମିଲ ଭାଷୀ ଦ୍ରାବିଡ଼ମାନଙ୍କୁ କପି ଓ ଭଲ୍ଲୁକ ବୋଲି ବର୍ଣ୍ଣନା କରିଛନ୍ତି ।

 

ଏ ସବୁ ଭିତରେ ଉପନିଷଦ୍ କାଳୀନ ପ୍ରାଚୀନ ଭାରତର ଶିକ୍ଷା ତରଳ ସୁନା ପରି ଜଳି ଉଠେ ଓ ଆଖି ଝଲସାଇ ଦିଏ ।

 

ଛାନ୍ଦୋଗ୍ୟ ଉପନିଷଦ୍‍ର ଦିଓଟି ଆଖ୍ୟାନ ଏଠାରେ ଉଲ୍ଲେଖନୀୟ ।

 

ସତ୍ୟକାମ ଯେତେବେଳେ ଗୌତମଙ୍କ ପାଖକୁ ଯାଇ ତାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ଅନୁରୋଧ କଲେ, ଗୌତମ ସତ୍ୟକାମକୁ ତାଙ୍କର ବଂଶ ପରିଚୟ ମାଗିଲେ । ସତ୍ୟକାମ କହିଲେ–‘ଭଗବାନ୍, ମୁଁ ମୋ ମା’ ଙ୍କୁ ଯେତେବେଳେ ମୋ ପିତାଙ୍କ ପରିଚୟ ମାଗିଲି ସେ କହିଲେ ମୋ ପିତା କିଏ ସେ ନିଜେ ଜାଣି ନାହାନ୍ତି–ତେଣୁ ମା’ଙ୍କ ନାମ ଓ ମୋ ନାମକୁ ମିଶାଇ ଜାବାଳଙ୍କ ପୁତ୍ର ସତ୍ୟକାମ ଜାବାଳ ବୋଲି ପରିଚୟ ଦେବାକୁ କହିଛନ୍ତି ।’ ଗୌତମ ଉତ୍ତର ଦେଲେ–‘ସତ୍ୟକାମ, କେବଳ ପ୍ରକୃତ ବ୍ରାହ୍ମଣ ହିଁ ବିନା ଦ୍ୱିଧାରେ ଏପରି ସତ୍ୟ ପ୍ରକାଶ କରିପାରେ, ଯାଅ, ସମିଧ ସଂଗ୍ରହ କର, ମୁଁ ତୁମକୁ ଶିଷ୍ୟ ରୂପେ ଗ୍ରହଣ କଲି ।’

 

ଛାନ୍ଦୋଗ୍ୟର ଆଉ ଗୋଟିଏ ବର୍ଣ୍ଣନା ।

 

ନାରଦ ସନତ୍ କୁମାରଙ୍କ ପାଖକୁ ଯାଇ ତାଙ୍କୁ ଶିକ୍ଷା ଦେବାକୁ ଅନୁରୋଧ କଲେ । ସନତ କୁମାର ପଚାରିଲେ–‘ତମେ କ’ଣ ସବୁ ପଢ଼ି ସାରିଛ ଓ ଜାଣ ସେ କଥା ଆଗ କହ–ତା’ ଶୁଣିଲା ପରେ ମୁଁ ତୁମକୁ କ’ଣ ଶିକ୍ଷା ଦେବି ସେ ବିଷୟରେ ନିଷ୍ପତ୍ତି କରିବି ।’

 

ନାରଦ କହିଲେ–‘ଭଗବାନ୍, ମୁଁ ଚାରୋଟି ଯାକ ବେଦ, ପୁରାଣ, ଇତିହାସ, ବ୍ୟାକରଣ, ରାଶି ନକ୍ଷତ୍ର, ବିଜ୍ଞାନ, ଗଣିତ ଶାସ୍ତ୍ର, ତର୍କ ଶାସ୍ତ୍ର, ନ୍ୟାୟ ଶାସ୍ତ୍ର, ରାଜନୀତି, ବ୍ରହ୍ମବିଦ୍ୟା, ଭୂତ ବିଦ୍ୟା, ସର୍ପ ବିଦ୍ୟା, ସୂକ୍ଷ୍ମ କଳା ପ୍ରଭୃତି ଅଧ୍ୟୟନ କରିସାରିଛି–କିନ୍ତୁ ସେ ସବୁ ପଢ଼ି ମଧ୍ୟ ମୁଁ ଆତ୍ମା ସମ୍ୱନ୍ଧରେ ଅନଭିଜ୍ଞ । ସମସ୍ତେ କହନ୍ତି ଯେ ଯେଉଁ ଲୋକ ଆତ୍ମଜ୍ଞାନ ଜାଣେ, ସେ କେବଳ ଦୁଃଖ ସମୁଦ୍ର ପାରି ହୋଇଯାଏ । ମୁଁ ଜଣେ ଦୁଃଖୀ–ମୋତେ ଏ ଦୁଃଖ ସମୁଦ୍ର ପାରି ହେବାରେ ସାହାଯ୍ୟ କରନ୍ତୁ ।’ ଏ କଥା ଶୁଣି ସାରିଲା ପରେ ସନତ୍ କୁମାର ତାଙ୍କ ଶିକ୍ଷା ଆରମ୍ଭ କଲେ ।

 

ଅତୀତର ଶିକ୍ଷା ଯେ ଅତି ଉଚ୍ଚ କୋଟୀର ଥିଲା ଏଥିରେ ସନ୍ଦେହ ନାହିଁ । କିନ୍ତୁ ସେ ଶିକ୍ଷା ସର୍ବାଜନୀନ ନ ଥିଲା । ଜିଜ୍ଞାସୁ ଛାତ୍ର ଜ୍ଞାନୀ ଶିକ୍ଷକଙ୍କ ପାଖକୁ ନିଜେ ଯାଇ ତା’କୁ ଶିଷ୍ୟ ରୂପରେ ଗ୍ରହଣ କରିବାକୁ ଅନୁରୋଧ କରୁଥିଲା । ଏଥିରେ ସଂଖ୍ୟାର ପ୍ରଶ୍ନ ନ ଥିଲା–ଦାବି କିମ୍ୱା ହକ୍‍ର ପ୍ରଶ୍ନ ନଥିଲା–ଉପାଧି ଅର୍ଜନର ପ୍ରଶ୍ନ ନ ଥିଲା କିମ୍ୱା ଅର୍ଥ ଉପାର୍ଜନ, କ୍ଷମତା ଲାଭର ପ୍ରଶ୍ନ ନ ଥିଲା । ଜ୍ଞାନ ଆହରଣ ହିଁ ଥିଲା ସେ ଶିକ୍ଷାର ଏକମାତ୍ର ଲକ୍ଷ୍ୟ । ଏପରି ଶିକ୍ଷା ଆଜି ମଧ୍ୟ ଆମ ଦେଶରେ ଦେଖିବାକୁ ମିଳେ । ବମ୍ୱେ ପାଓ୍ୱାଇରେ ଥିବା ସ୍ୱାମୀ ଚିନ୍ମୟାନନ୍ଦଙ୍କ ସନ୍ଦିପନୀ ସାଧନାଳୟ, କଙ୍ଗଡ଼ିର ଗୁରୁକୁଳ, ପଣ୍ଡିଚେରୀର ଅରବିନ୍ଦ ଆଶ୍ରମ, ଉତ୍ତର କାଶୀରେ ଥିବା ସ୍ୱାମୀ ଶିବାନନ୍ଦ, ତପୋବନ ମହାରାଜ, ମହର୍ଷି ମହେଶ ଯୋଗୀ ଓ ଅନ୍ୟାନ୍ୟ ସାଧୁମାନଙ୍କ ଆଶ୍ରମ ପ୍ରଭୃତି ଏଥର ଦୃଷ୍ଟାନ୍ତ । ସେହି ମହାନ୍ ପରମ୍ପରା ଅନୁସରଣ କରି ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କ, ସନ୍ଥ ବିନୋବାଜୀ ମହାତ୍ମା ଗାନ୍ଧିଙ୍କ ଓ ଅନ୍ୟାନ୍ୟ ଅନେକ ଜିଜ୍ଞାସୁ ରମଣ ମହର୍ଷି ଅନୁକୂଳ ଚନ୍ଦ୍ର ଠାକୁର, ଅରବିନ୍ଦ ଓ ଶ୍ରୀମା ତଥା ଅନ୍ୟାନ୍ୟ ସିଦ୍ଧ ପୁରୁଷଙ୍କ ଶିଷ୍ୟ ହୋଇଥିଲେ । ଆଜି ମଧ୍ୟ ଅନେକ ସତ୍ୟସାଇ ବାବା, ଆନନ୍ଦମୟୀ ମା’ ଓ ଅନ୍ୟାନ୍ୟ ଜ୍ଞାନୀମାନଙ୍କ ପାଖକୁ ଯାଆନ୍ତି । ଏ ଧରଣର ଶିକ୍ଷା କିନ୍ତୁ ବ୍ୟକ୍ତିଗତ ଜ୍ଞାନ ଆହରଣର ଉତ୍କର୍ଷତା ପାଇଁ ସର୍ବଶ୍ରେଷ୍ଠ ହେଲେ ହେଁ ସାର୍ବଜନୀନ ହୋଇ ନ ପାରେ । ଅତୀତର ସେ ଶିକ୍ଷାକୁ ଆଜିର ଗବେଷଣାତ୍ମକ ଶିକ୍ଷା ସାଙ୍ଗରେ ତୁଳନା କରାଯାଇପାରେ–ସାଧାରଣ ଶିକ୍ଷା ସାଙ୍ଗରେ ନୁହେଁ । ଅତୀତର ଶିକ୍ଷା ପଦ୍ଧତି ତେଣୁ ଆଜିର ପରିପ୍ରେକ୍ଷୀରେ ଖାପଛଡ଼ା ହେବା ସ୍ୱାଭାବିକ ।

 

ଯେ କୌଣସି ବିଷୟବସ୍ତୁର ଗୁଣାତ୍ମକ ବିଶ୍ଳେଷଣ ବୈଜ୍ଞାନିକ ପ୍ରଣାଳୀରେ କରିବାକୁ ହେଲେ ବିଷୟବସ୍ତୁର ମୂଳ ଉପାଦାନ ସବୁ ପ୍ରଥମେ ନିରୂପଣ କିରବାକୁ ହୋଇଥାଏ ଓ ସେ ସବୁ ଉପାଦାନର ପାରସ୍ପରିକ ଘାତ ପ୍ରତିଘାତ ଜନିତ ଫଳାଫଳ ନିର୍ଣ୍ଣୟ କରିବାକୁ ହୁଏ । ଶିକ୍ଷା ପଦ୍ଧତି ସମ୍ୱନ୍ଧରେ ଯଦି ସେପରି ବିଶ୍ଳେଷଣ କରାହୁଏ, ତେବେ ଦେଖିବାକୁ ମିଳେ ଯେ, ଏଥିରେ ଛାତ୍ର, ଶିକ୍ଷକ ଅଭିଭାବକ, ସମାଜ ଓ ସରକାର ପରିବର୍ତ୍ତନୀୟ ଉପାଦାନ (variables) ଏବଂ ଶିକ୍ଷା ସମ୍ୱନ୍ଧୀୟ ଯାବତୀୟ ଉପକରଣ ଅପରିବର୍ତ୍ତନୀୟ ଉପାଦାନ (constant)

 

ଏ ପରିବର୍ତ୍ତନୀୟ ଉପାଦାନ ଅର୍ଥାତ ଛାତ୍ର ଶିକ୍ଷକ, ଅଭିଭାବକ, ସମାଜ ଓ ସରକାରଙ୍କ ସମୂହ ସହଯୋଗର ସମର୍ଥନ ବିନା କୌଣସି ସାବର୍ଜନୀନ ଶିକ୍ଷା ପଦ୍ଧତି ସଫଳ ହୋଇ ନ ପାରେ । ଏ ଭିତରୁ ଯେ କୌଣସି ଉପାଦାନ କଳଙ୍କିତ ହେଲେ ତାହା ଶିକ୍ଷା ପଦ୍ଧତିକୁ ନିଶ୍ଚୟ ଦୂଷିତ କରିଦେବ । ଶିକ୍ଷକ ଓ ଅଭିଭାବକଙ୍କ ଯାବତ୍ ଆଗ୍ରହ ସତ୍ତ୍ୱେ ଛାତ୍ର ଯଦି ଶିକ୍ଷା ଉଦାସୀନ ରହେ କିମ୍ୱା ଅଭିଭାବକ, ସମାଜ ଓ ସରକାରଙ୍କର ପୂର୍ଣ୍ଣ ସହଯୋଗ ମିଳୁଥିଲା ବେଳେ ଓ ଛାତ୍ର ଶିକ୍ଷା ପ୍ରେମୀ ହେଲେ ମଧ୍ୟ ଆଦର୍ଶ ଶିକ୍ଷକ ଯଦି ନ ମିଳନ୍ତି ତେବେ ଶିକ୍ଷା ପଦ୍ଧତି ଯେତେ ଭଲ ହେଲେ ବି ନିଶ୍ଚୟ ବିଫଳ ହେବ ।

 

ଛାତ୍ର ଯଦି ଦେଖେ ଯେ ସମାଜର ତଥାକଥିତ ଶ୍ରେଷ୍ଠ ବ୍ୟକ୍ତି ତଥା ନିଜ ଅଭିଭାବକଙ୍କ ମଧ୍ୟରେ ଜୀବନର କୌଣସି ମୂଲ୍ୟବୋଧ ନାହିଁ ଓ ସେମାନେ ଯେନ ତେନ ପ୍ରକାରରେ ଧନ ଉପାର୍ଜନ କରୁଛନ୍ତି ଓ ସେଥିପାଇଁ କ୍ଷମତାର ଅସଦ୍ ବ୍ୟବହାର ହେଉଛି–ସେ ନିଶ୍ଚୟ ସେଥିରେ ପ୍ରଭାବିତ ହେବ ଓ ନିଜେ ସେପରି ଆଚରଣ କରି ବସିବ ।

 

ସରକାର ସବୁବେଳେ ପରୋକ୍ଷରେ ଶିକ୍ଷାକୁ ଦିଗ୍‍ଦର୍ଶନ ଓ ଆଭିମୁଖ୍ୟ ଦିଅନ୍ତି । ଧନ୍ଦାମୂଳକ ଶିକ୍ଷା ପ୍ରଚଳନ ସପକ୍ଷରେ ମତ ଦେଉଥିଲେ ହେଁ ସରକାର ଯଦି ସବୁଠାରୁ ବଡ଼ ବଡ଼ ସର୍ବଭାରତୀୟ ଚାକିରି ଯଥା ଆଇ.ଏ.ଏସ୍. ପ୍ରଭୃତିର ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଯୁଗର ଇତିହାସ, ଇଉରୋପର ଇତିହାସ, ରାଜନୀତି ବିଜ୍ଞାନ, ଇଂରାଜୀ ପ୍ରଭୃତି ବିଷୟ ବସ୍ତୁକୁ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ବିଜ୍ଞାନ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟବସ୍ତୁଠାରୁ ବେଶୀ ଗୁରୁତ୍ୱ ଦିଅନ୍ତି ଓୁ ବେଶଭୂଷା, ଚାଲିଚଳଣ, ତଥା ଢଙ୍ଗଢାଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେଇ ଶାରୀରିକ ଶିକ୍ଷା ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ କୌଣସି ଗୁରୁତ୍ୱ ଦିଅନ୍ତିନି, ତେବେ ସର୍ବସାଧାରଣ କଲେଜ ଶିକ୍ଷା ସେଇ ଢଙ୍ଗର ଛାତ୍ର ପ୍ରସ୍ତୁତି ପାଇଁ ନିଶ୍ଚୟ ଚେଷ୍ଟିତ ହେବ ।

 

ଅତୀତର ଶିକ୍ଷା ଗୁରୁ ଆଶ୍ରମ କେନ୍ଦ୍ରିକ ଥିବାରୁ ଅଭିଭାବକ, ସମାଜ ଓ ସରକାରଙ୍କ ପାଖରୁ ଦୂରେଇ ରହି କେବଳ ଛାତ୍ର ଓ ଶିକ୍ଷକ ସର୍ବସ୍ୱ ହେଉଥିଲା । ମନେହୁଏ ଯେ ଗାନ୍ଧିଜୀଙ୍କ ମୌଳିକ ଶିକ୍ଷା ସମାଜ ଭିତରେ ରହି ମଧ୍ୟ କେବଳ ଛାତ୍ର ଓ ଶିକ୍ଷକ–ସର୍ବସ୍ୱ ହେବାକୁ ଚେଷ୍ଟା କରିବା ଫଳରେ ସଫଲ ହୋଇ ପାରିଲାନି । ଅରବିନ୍ଦଙ୍କ ଦର୍ଶିତ ପଦ୍ଧତି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶିକ୍ଷାର ସୁସଂମିଶ୍ରଣ ହେଲେ ମଧ୍ୟ ଯଦି ପଣ୍ଡିଚେରୀ ଆଶ୍ରମରୁ ବାହାରି ଆସି ସାର୍ବଜନୀନ ହେବାକୁ ଚେଷ୍ଟା କରେ ତେବେ ତା’କୁ ମଧ୍ୟ ଆଜିର କଳୁଷିତ ସମାଜ, ଡିପ୍ଳୋମା ସର୍ବସ୍ୱ ଅଭିଭାବକ ତଥା ଅର୍ଥ ଅଭାବରେ ସର୍ବଦା ଜର୍ଜରିତ ସରକାରଙ୍କ ସମ୍ମୁଖୀନ ହେବାକୁ ପଡ଼ିବ । ଫଳରେ ଲାଇବ୍ରେରୀ, ଲାବୋରେଟରୀ, ଛାତ୍ରଙ୍କ ହଷ୍ଟେଲ, ଶିକ୍ଷକଙ୍କ ବାସଗୃହ ଓ ବ୍ୟାୟାମଶାଳା ତଥା ଅବସର ବିନୋଦନ ପ୍ରଭୃତି ଶିକ୍ଷାର ଉପକରଣ ଅଭାବରେ ଆଜିର ଶିକ୍ଷା ପଦ୍ଧତିଠାରୁ ଆଉ ବିଶେଷ ଭିନ୍ନ ହୋଇ ରହିପାରିବନି

 

ଏପରି ଅବସ୍ଥାରେ ସ୍କୁଲ କଲେଜମାନଙ୍କରେ ସର୍ବନିମ୍ନ ଶିକ୍ଷା ସମ୍ୱନ୍ଧୀୟ ଯାବତୀୟ ଉପକରଣ ନ ଯୋଗାଇ କେବଳ ଶିକ୍ଷା ପଦ୍ଧତିକୁ ବଦଳାଇବା ଚେଷ୍ଟା ରେଳଡ଼ବାର ତୃତୀୟ ଶ୍ରେଣୀକୁ କେବଳ ନାମ ବଦଳାଇ ଦ୍ୱିତୀୟ ଶ୍ରେଣୀ କଲା ପରି ହେବ । ଏସବୁ ଦୃଷ୍ଟିରୁ ମନେ ହୁଏ ଯେ ଆଜିର ପରିପ୍ରେକ୍ଷୀରେ ବର୍ତ୍ତମାନର ଶିକ୍ଷା ପଦ୍ଧତିକୁ ରାଧାକ୍ରିଷ୍ଣନ୍ କମିଶନ୍ ଓ କୋଠାରୀ କମିଶନ୍ ଦର୍ଶାଇଥିବା ପଥ ଅନୁସାରେ ସଂସ୍କାର କରିନେବା ହିଁ ଶ୍ରେୟସ୍କର ହେବ ।

Image

 

ଶୁଣ ପରୀକ୍ଷ

ଧନ ନୁହେଁ ମନ

 

ଶୁଣାଯାଏ ଯେ କେତେ ବର୍ଷ ତଳେ କୌଣସି ଜଣେ ରାଜାଙ୍କର ଦେହ ବହୁତ ଖରାପ ଥିଲା । କଲିକତାରୁ ବିଶେଷଜ୍ଞ ଡାକ୍ତର ଆସି ତାଙ୍କ ଦେହ ପରୀକ୍ଷା କରିସାରିଲା ପରେ କଲିଜାର ଅବସ୍ଥା ଦେଖି ପରାମର୍ଶ ଦେଲେ ଯେ ରାଜା ସାହେବ ଯଦି ବଞ୍ଚିବାକୁ ଚାହାଁନ୍ତି ତେବେ ତାଙ୍କୁ ମଦ୍ୟପାନ ଛାଡ଼ିଦେବାକୁ ପଡ଼ିବ । ରାଜା ମହାଶୟ କୁଆଡ଼େ ଏହା ଶୁଣି ଜବାବ ଦେଲେ ଯେ ଯଦି ମଦ୍ୟପାନ ଛାଡ଼ି ଦିଅନ୍ତି ତେବେ ସେ ବଞ୍ଚିବାକୁ ଚାହିଁବେ କାହିଁକି ?

 

ସେତେବେଳେ ଏ କଥା ଶୁଣି ସମସ୍ତେ ଯେତେ ହସିଥିଲେ, ଏପରି ଅଦ୍ଭୁତ ମନୋଭାବ ପାଇଁ ତା’ଠାରୁ ବେଶି ଆଶ୍ଚର୍ଯ୍ୟ ହୋଇଥିଲେ । ଏବେ କିନ୍ତୁ ସମୟ ବଦଳି ଯାଇଛି । ସେପରି ମନୋଭାବରେ କିଛି ଅସ୍ୱାଭାବିକତା ଥିଲା ପରି ଆଜି ଆଉ ଜଣା ପଡ଼ୁନାହିଁ । ଆଜିର ଏହି ତଥାକଥିତ ଆଧୁନିକ ସମାଜରେ ଅଧିକାଂଶଙ୍କ ମନୋବୃତ୍ତି ଠିକ୍ ସେହି ଧରଣର ବୋଲି ହିଁ ମନେ ହୁଏ ।

 

ଜୀବନର କିଛି ଗୋଟିଏ ଉଦ୍ଦେଶ୍ୟ ତଥା ଲକ୍ଷ୍ୟ ଯେ ଥାଇପାରେ ଏ ସମ୍ୱନ୍ଧରେ ଯେଉଁମାନେ ସନ୍ଦିହାନ ଏବଂ ବୈଜ୍ଞାନିକର ସନ୍ଦିଗ୍‍ଧ ଚକ୍ଷୁ ନେଇ ସ୍ପଷ୍ଟ ପ୍ରମାଣ ଅଭାବରେ ମରଣ ପରେ ମଧ୍ୟ ଜୀବନର କ୍ରମାନ୍ୱୟତାକୁ ଯେଉଁମାନେ ବିଶ୍ୱାସ କରିବାକୁ କୁଣ୍ଠିତ, ସେମାନେ ଏହି କ୍ଷଣଭଙ୍ଗୁର ଜୀବନର ସୀମିତ ସମୟକୁ ଭୋଗ ବିଳାସ ତଥା ସୁଖ ସ୍ୱାଚ୍ଛନ୍ଦ୍ୟରେ ଖୁନ୍ଦି ଦେବାକୁ ଚାହିଁବା ସ୍ୱାଭାବିକ କଥା । ତେଣୁ ସେପରି ଲାଳସା ଭରା ସୁଖର ଅଭାବରେ ସେମାନେ ବଞ୍ଚି ରହିବାକୁ ଚାହିଁବେ ବା କାହିଁକି ?

 

ଏ ରକମର ଚିନ୍ତାଧାରା କିନ୍ତୁ ଭାରତୀୟ ପରମ୍ପରା ବିରୋଧୀ ଏଥିରେ ସନ୍ଦେହ ନାହିଁ ଶୁଣାଯାଏ ଯେ କେବଳ ଚାର୍ବାକଙ୍କୁ ଛାଡ଼ି ଅନ୍ୟ କେହି ଭାରତୀୟ ମନୀଷୀ ଏପରି ମନୋଭାବର ପକ୍ଷପାତୀ ନ ଥିଲେ । ତେଣୁ ଏପରି ମନୋବୃତ୍ତି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ତଥା ପାଶ୍ଚାତ୍ୟ ଶିକ୍ଷାର ପରିଣତି ବୋଲି ହିଁ ମନେ ହୁଏ ।

 

ଆମ ସ୍କୁଲ କଲେଜମାନଙ୍କରେ ଭାରତୀୟ ଐତିହ୍ୟ, ପରମ୍ପରା ଓ ଚିନ୍ତାଧାରା ସମ୍ୱନ୍ଧରେ କୌଣସି ଶିକ୍ଷାର ବ୍ୟବସ୍ଥା ନଥିବା ଯୋଗୁଁ ଏହି ପାଶ୍ଚାତ୍ୟ ମନୋବୃତ୍ତିର ଭ୍ରମ ପ୍ରମାଦ ଓ ହୀନତା ତଥା ପ୍ରାଚ୍ୟ ସଭ୍ୟତାର ଉତ୍କର୍ଷତା ସମ୍ୱନ୍ଧରେ ସଚେତନ ହେବା ପାଇଁ ଆମ ଯୁବ ସମାଜ କୌଣସି ସୁଯୋଗ ହିଁ ପାଏନି । ତେଣୁ ସବିଶେଷ ଜ୍ଞାନ ନ ଥିଲେ ଏ ସମ୍ୱନ୍ଧରେ ସାଧାରଣ ଭାବରେ କିଛି ଆଲୋଚନା କରିବା ଉଚିତ ବୋଲି ମନେ ହୁଏ

 

ଅନ୍ୟ ପ୍ରଗତିଶୀଳ ଦେଶମାନଙ୍କ ସଙ୍ଗେ ସମକକ୍ଷ କରି ଆମ ଦେଶକୁ ଗଢ଼ିବାକୁ ହେଲେ ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ, ବିଜ୍ଞାନ ପରି ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଆଗେଇ ଯିବାକୁ ପଡ଼ିବ ଓ ଦେଶକୁ ସମୃଦ୍ଧିଶାଳୀ କରିବାକୁ ହେବ ଏଥିରେ ସନ୍ଦେହ ନାହିଁ ଏଥି ନିମନ୍ତେ ଆମର ବ୍ୟକ୍ତିଗତ ଓ ସମଷ୍ଟିଗତ ଜୀବନର ମାନ ତଥା ଜୀବନଧାରଣ ପ୍ରଣାଳୀକୁ ଆଧୁନିକ ସଭ୍ୟତାର ମାପକାଠି ଅନୁଯାୟୀ ଉନ୍ନତ କରିବାକୁ ହେବ, ଏଥିରେ ମଧ୍ୟ ଦୁଇ ମତ ହୋଇ ନ ପାରେ ଏଥିପାଇଁ ଆର୍ଥିକ ସ୍ୱଚ୍ଛଳତା ଦରକାର ଏଥିରେ ମଧ୍ୟ ଭିନ୍ନ ମତ ପୋଷଣ କରିବାର ଅବକାଶ ନାହିଁ-। ଯେଉଁ ଦେଶରେ ଲକ୍ଷ୍ମୀ ଘରେ ଘରେ ପୂଜା ପାଆନ୍ତି, ସେ ଦେଶର ସଂସ୍କୃତି ଓ ପରମ୍ପରା ମଧ୍ୟ ସାଧୁ ଉପାୟରେ ଧନ ଅର୍ଜନର ପରିପନ୍ଥୀ ହୋଇ ନ ପାରେ ।

 

ଭାରତୀୟ ସଭ୍ୟତା କିନ୍ତୁ ଚିରଦିନ କହି ଆସିଛି ଯେ ଧନ ଭୋଗବିଳାସ ଦେଇପାରେ, ସ୍ୱାଚ୍ଛନ୍ଦ୍ୟମୟ ଜୀବନ ଦେଇପାରେ, ସାମୟିକ ସୁଖ ଦେଇପାରେ ଓ ଏପରିକି ସୁଖମୟ ଜୀବନର ବିରୋଧୀ ମଧ୍ୟ ହୋଇ ନ ପାରେ; କିନ୍ତୁ ଧନ ଓ ସୁଖମୟ ଜୀବନ ଅଥବା ଅର୍ଥ ଓ ଆନନ୍ଦ ଭିତରେ କୌଣସି ଓତଃପ୍ରୋତ ସମ୍ୱନ୍ଧ ନାହିଁ । ଉଦାହରଣ ସ୍ୱରୂପ କୁହାଯାଇପାରେ ଯେ ଧନ ସାଙ୍ଗରେ ସୁଖର ଯଦି ସିଧାସଳଖ ସମ୍ୱନ୍ଧ ଥାଆନ୍ତା ତେବେ ହାଇଦ୍ରାବାଦ ନିଜାମ ଭାରତବର୍ଷରେ ସବୁଠାରୁ ସୁଖୀ ଲୋକ ହୋଇଥାଆନ୍ତେ ଓ ତା’ପରେ କ୍ରମାନ୍ୱୟରେ ସୁଖୀ ହୋଇ ଥାଆନ୍ତେ ଟାଟା, ବିରଳା ପ୍ରଭୃତି । ଓଡ଼ିଶାରେ ମଧ୍ୟ ଇନକମ୍ ଟାକ୍ସ ରିଟର୍ଣ୍ଣ ଅନୁଯାୟୀ ସୁଖୀ ଲୋକଙ୍କ ଗୋଟିଏ ତାଲିକା କରି ଦିଆ ଯାଇ ପାରନ୍ତା । ଆମ କଲେଜମାନଙ୍କରେ ଲେକ୍‍ଚରର୍ ମାନେ ଯେତେ ସୁଖୀ ହୁଅନ୍ତେ ରିଡରମାନେ ତା’ଠାରୁ ପ୍ରାୟ ଦୁଇଗୁଣ ସୁଖୀ ଓ ପ୍ରଫେସରମାନେ ତା’ର ଦୁଇଗୁଣ ସୁଖୀ ହୋଇ ଥାଆନ୍ତେ । ଅଧ୍ୟକ୍ଷମାନଙ୍କ କଥା ତ ଛାଡ଼ ।

 

ଏଥିରୁ ହିଁ ପ୍ରମାଣ ମିଳେ ଯେ ଅର୍ଥ ଉପାର୍ଜନ ଓ ସୁଖମୟ ଜୀବନ ଭିତରେ କୌଣସି ସିଧାସଳଖ ସମ୍ୱନ୍ଧ ନାହିଁ । ଲାଳସା ତୃପ୍ତି ଓ ଆନନ୍ଦ ପ୍ରାପ୍ତି ଭିତରେ ମଧ୍ୟ ସେପରି କୌଣସି ସମ୍ୱନ୍ଧ ନଥିଲା ପରି ମନେହୁଏ ।

 

ଅନେକ ସମୟରେ ଦେଖିବାକୁ ମିଳେ ଯେ କଲେଜମାନଙ୍କରେ ସାଂସ୍କୃତିକ ସମାରୋହ ମାନଙ୍କରେ ଛାତ୍ର ସମାଜ ଗୋଟିଏ ଦିଓଟି ଶାସ୍ତ୍ରୀୟ ସଙ୍ଗୀତ ଶୁଣି ସାରିଲା ପରେ ‘ବୋର୍’ ହୋଇ ଯାଆନ୍ତି ଓ ‘ଆଧୁନିକ’ ଶୁଣିବାକୁ ଦାବି କରନ୍ତି । ୨ । ୪ଟି ‘ଆଧୁନିକ’ ପରେ ପୁଣି ସେଇ ଅବସ୍ଥା । ନୃତ୍ୟ କାର୍ଯ୍ୟକ୍ରମ ଯେତେବେଳେ ଆସେ–ଭାରତନାଟ୍ୟମ୍ ଦେଖି ପ୍ରଥମେ କରତାଳି ଧ୍ୱନି ଶୁଣିଲା ପରେ ଦ୍ୱିତୀୟ ନୃତ୍ୟ ବେଳକୁ ‘ବୋର୍ ବୋର୍’ ଧ୍ୱନି ଶୁଣିବାକୁ ମିଳେ । ଓଡ଼ିଶୀ ଓ ସମ୍ୱଲପୁରୀ ନୃତ୍ୟର ମଧ୍ୟ ଠିକ୍ ସେପରି ଅବସ୍ଥା ହୁଏ । ଅନେକ ଗ୍ରନ୍ଥ ଶେଷରେ ଚିଟା ହୋଇ ସେକେଣ୍ଡ ଶୋ ସିନେମା ଦେଖିବାକୁ ଯାଆନ୍ତି । ଏଥିରୁ ପ୍ରମାଣ ମିଳେ ଯେ ଖାଦ୍ୟପେୟ, ନୃତ୍ୟଗୀତ, ମଉଜ ମଜଲିସ୍ କିଛିକ୍ଷଣ ପାଇଁ ସୁଖକର ହେଲେ ହେଁ ମାତ୍ରା ଟିକିଏ ବେଶି ହୋଇଗଲେ ବୋର୍ ବା ଚିଟା ଲାଗେ, ଓ ସେଥିରୁ ହିଁ କ୍ଷଣିକ ସୁଖର ଅବସାନ ହୁଏ । ମଣିଷ ପୁଣି ନୂତନ ସୁଖର ସନ୍ଧାନରେ ଘୂରି ବୁଲେ ।

 

ଅନ୍ୟ ଦିଗରେ ଆମ ନିଜ ନିଜ ଘରେ ଘରର ଗୃହିଣୀ ବା ଘରର ଆଉ ଗୋଟିଏ ନୂତନ ଦିଗ ଦେଖିବାକୁ ପାଉଁ । ମା’ କେତେବେଳେ ଶୋଇବାକୁ ଯାଏ ଜାଣି ହୁଏନି, ଯେହେତୁ ସେ ଶୋଇବାକୁ ଗଲା ବେଳକୁ ଘରର ସମସ୍ତେ ଶୋଇ ସାରି ଥାଆନ୍ତି । ସେ କେତେବେଳେ ଉଠେ ତାହା ବି ଜାଣି ହୁଏନି, ଯେହେତୁ ସମସ୍ତେ ଉଠିଲା ବେଳକୁ ସେ ତା’ର ନିତ୍ୟକର୍ମ ସାରି କାହା ପାଇଁ ଦାନ୍ତକାଠି, ପାଣି ଠିକ୍ କରୁଥାଏ ଓ କାହା ପାଇଁ ଚା’ ତିଆରି କରୁଥାଏ । କାହାକୁ ଦୁଧ ପିଆଇ ଟିକିଏ ଗେଲ କରି ଦେଉଥାଏ ତ କାହାକୁ ଜୋତା ମୋଜା ପିନ୍ଧାଇ ଦେଇ ବହି ବସ୍ତାନୀ କାନ୍ଧରେ ଝୁଲାଇ ରାସ୍ତା କଡ଼କୁ ନେଇ ଆସୁଥାଏ । ଖାଇଲା ବେଳେ କେହି କୌଣସି ଜିନିଷ ଭଲ ପାଉଛି ଦେଖିଲେ ସବୁତକ ସେଇଠି ବାଣ୍ଟି କୁଣ୍ଟି ଦୁଇ ନିଜେ ପଖାଳ ଓ ତେନ୍ତୁଳି ଧରି ବସେ ଆଉ ପଚାରିଲେ ହସି ଦେଇ କହେ ଯେ ସେ ତ ରାନ୍ଧୁଛି, ସେ କ’ଣ ଆଉ କେବେ ଖାଇବନି ? ଘରର ସମସ୍ତଙ୍କ ସେବା ଶୁଶ୍ରୁଷାରେ ହିଁ ସେ ଆନନ୍ଦ ପାଏ । ସମସ୍ତଙ୍କ ସନ୍ତୋଷରେ ହିଁ ତା’ର ଆନନ୍ଦ ।

 

ଏ ସବୁ ଅଭିଜ୍ଞତା ତଥା ବିଶ୍ଳେଷଣର ସିଦ୍ଧାନ୍ତରୁ ଆମର ମହାନ ସଂସ୍କୃତି ଶିକ୍ଷା ଦିଏ ଯେ ସ୍ଥାୟୀ ସୁଖ ବା ଆନନ୍ଦ ମନ ସାଙ୍ଗରେ ଜଡ଼ିତ–ଧନ ସଙ୍ଗରେ ନୁହେଁ । ଏହି ସଂସ୍କୃତି କହେ ଯେ ଭୋଗ ଅପେକ୍ଷା ତ୍ୟାଗରେ ଆନନ୍ଦ ମିଳେ । ନିର୍ଯ୍ୟାତନା ଅପେକ୍ଷା ସେବାରେ ହିଁ ପରମ ସୁଖ ଓ ସନ୍ତୋଷ ଲାଭ ହୁଏ । ଗୁରୁଜନମାନଙ୍କୁ ତାତ୍ସଲ୍ୟ କରିବା ଅପେକ୍ଷା ସେମାନଙ୍କୁ ସମ୍ମାନ ଦେବାରେ ମାନସିକ ଶାନ୍ତି ମିଳେ ଆଉ ଆତ୍ମ ଚିନ୍ତା ଓ ସ୍ୱାର୍ଥ ସାଧନ ଅପେକ୍ଷା ଅନ୍ୟମାନଙ୍କ ହିତ ସାଧନରେ ମନ ମଧ୍ୟରେ ଚିରନ୍ତନୀ ତୃପ୍ତି ଆସେ ।

 

ଯେଉଁମାନେ ଭାରତୀୟ ସଂସ୍କୃତିକୁ ନିନ୍ଦା କରିବାକୁ ଭଲ ପାଆନ୍ତି ସେମାନେ ଆମ ପରମ୍ପରାକୁ ଗୃହତ୍ୟାଗୀ ସନ୍ୟାସୀର ପଳାୟନବାଦ ରୂପରେ ଦେଖନ୍ତି ଓ ଆମ ଋଷି ମୁନିମାନଙ୍କ ପ୍ରଦର୍ଶିତ ଭକ୍ତି ଓ ଜ୍ଞାନ ମାର୍ଗର ସମାଲୋଚନା କରି ଥାଆନ୍ତି । ସେମାନେ କିନ୍ତୁ ଭୁଲି ଯାଆନ୍ତି ଯେ ରାଜା ଜନକ ଆମ କର୍ମଯୋଗର ପ୍ରତୀକ ।

 

ରାଜ ଋଷି ଜନକଙ୍କ ସମ୍ୱନ୍ଧରେ ଅନେକ ଶିକ୍ଷଣୀୟ ଗପ ଶୁଣିବାକୁ ମିଳେ ।

 

ଥରେ କୁଆଡ଼େ ରାଜାଙ୍କର ଶିକ୍ଷକ ତଥା ଗୁରୁ ଅଷ୍ଟବକ୍ର ଋଷି ତାଙ୍କର କୌପୀନଧାରୀ ଅନେକ ଶିଷ୍ୟମାନଙ୍କୁ ନେଇ ରାଜାଙ୍କର ପ୍ରାସାଦରେ ରହି କେତେ କ୍ଳାସ ନେଉଥିଲେ । ଲେଙ୍ଗୁଟିବାଲା କେତେ ଶିଷ୍ୟ ତାଙ୍କ ସହପାଠୀ ଜନକଙ୍କ କୋଠାବାଡ଼ି ଧନ ଦଉଲତ, ହାତୀ ଘୋଡ଼ା ସବୁ ଦେଖି ମନେ ମନେ ହିଂସା କରୁଥିଲେ । ଜନକ ବେଳେ ବେଳେ କ୍ଳାସକୁ ଡେରିରେ ଆସନ୍ତି । ଅନ୍ୟ ଶିଷ୍ୟମାନେ ଏମିତି ଡେରି କଲେ ଅଷ୍ଟବକ୍ର ସେମାନଙ୍କୁ ଗାଳି ଦିଅନ୍ତି, କିନ୍ତୁ ଜନକଙ୍କୁ କିଛି କହନ୍ତିନି–ବରଂ ବେଳେ ବେଳେ ପଢ଼ା ହୋଇଥିବା ପାଠ ତାଙ୍କୁ ସୁବିଧା ପାଇଁ ଦୋହରାଇ ଦିଅନ୍ତି ଆଉ କେବେ କେବେ ଜନକଙ୍କ ଆଗମନକୁ ଅପେକ୍ଷା କରି ରହନ୍ତି । ହିଂସାପରାୟଣ ଶିଷ୍ୟମାନେ ଧର୍ମଘଟର ମସୁଧା ନ କଲେ ମଧ୍ୟ ଭାବି ନିଅନ୍ତି ଯେ ଜନକଙ୍କ ଧନ ଓ ରାଜ କ୍ଷମତା ଯୋଗୁ ହିଁ ଗୁରୁ ତାଙ୍କୁ ଏପରି ଖାତିର କରୁଛନ୍ତି ।

 

ଥରେ ପାଠ ପଢ଼ା ଚାଲିଥାଏ, ଏପରି ସମୟରେ ଜଣେ କେହି ଧାଇଁ ଆସି ରାଜାକୁ ଖବର ଦେଲା ଯେ ନଅରର ଚାରିଆଡ଼େ ନିଆଁ ଲାଗିଯାଇଛି ଆଉ ଯଜ୍ଞ ଓ ପାଠଶାଳା ମଧ୍ୟ ନିଆଁ ଘେର ଭିତରେ ପଡ଼ିଯିବା ଉପରେ ।

 

ପ୍ରତ୍ୟେକ ଶିଷ୍ୟଙ୍କର ପାଲଟା ବସ୍ତ୍ର ହିସାବରେ ବ୍ୟବହାର କରାଯାଉଥିବା ବଳକା କୌପୀନ ଖଣ୍ଡିଏ ଲେଖାଏଁ ପାଖ ରହିବା ଘରେ ଥାଏ । ନିଆଁ ଲାଗିଥିବା ଖବର ଶୁଣିଲା କ୍ଷଣି ସବୁ ଶିଷ୍ୟ ସେ ଘରକୁ ଦଉଡ଼ି ଗଲେ ଏବଂ କୌପୀନ ସାଙ୍ଗରେ ନିଜେ ନିଜେ ସଂଗ୍ରହ କରିଥିବା ଅନ୍ୟ ଯାହା କିଛି ସାମଗ୍ରୀ ସେମାନଙ୍କର ଥିଲା ସେ ସବୁ ତରବରରେ କାଖରେ ଜାକି କିମ୍ୱା ବୁଜୁଳା ବାନ୍ଧି ହାତରେ ଧରି ଗୋଟିଏ ନିରାପଦ ସ୍ଥାନକୁ ଦଉଡ଼ି ଗଲେ । ଜନକ କିନ୍ତୁ ସେହି ଯଜ୍ଞଶାଳାରେ ଅଡ଼ି ବସିଲେ ଯେ ଅଷ୍ଟବକ୍ର ନିଶ୍ଚୟ ତାଙ୍କ କାନ୍ଧରେ ବସିବେ ଓ ତାଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇ ଦେଇସାରିଲା ପରେ ହିଁ ସେ ନିଜେ ରାଜ ନଅରକୁ ଯାଇ ନିଜ ନିଅର ଓ ଭଣ୍ଡାରର ଯତ୍‍କିଞ୍ଚିତ୍ ଉଦ୍ଧାରର ଚେଷ୍ଟା କରିବେ । ଏଣେ ଅଷ୍ଟବକ୍ର ନିଜେ ତ ଦୌଡ଼ି ପାରିବେ ନାହିଁ । ଜିଦ୍ ଧରି ବସିଥିଲେ ଯେ ତାଙ୍କୁ ନେବାକୁ ଯାଇ ଡେରି କଲେ ଜନକ ନିଜେ ବିପଦରେ ପଡ଼ିବେ, ତେଣୁ ସେ ଏକୁଟିଆ ଶୀଘ୍ର ସେଠାରୁ ଚାଲିଯିବା ଉଚିତ୍ ।

 

ଶେଷରେ ଜନକଙ୍କ କଥା ହିଁ ରହିଲା । ନିରାପଦ ସ୍ଥାନରେ ଅଷ୍ଟବକ୍ର ଅନ୍ୟ ଶିଷ୍ୟମାନଙ୍କ ପାଖରେ ପହଞ୍ଚି ଜନକଙ୍କ କାନ୍ଧରୁ ଓହ୍ଲାଇଲା ପରେ ଜନକ ଯେତେବେଳେ କ୍ଷିପ୍ର ଗତିରେ ନଅର ଆଡ଼କୁ ଚାଲିଗଲେ, ହଠାତ୍ ଦେଖାଗଲା ଯେ ନିଆଁ ନିଜେ ନିଜେ ଲିଭି ଯାଇଛି । ଏ ଅଦ୍ଭୁତ ଘଟଣା ଦେଖି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଅଷ୍ଟବକ୍ର ହସି ହସି ସେମାନଙ୍କୁ କହିଲେ, ‘ଏଥର ବୁଝିଲ ମୁଁ କାହିଁକି ଜନକକୁ ସ୍ୱତନ୍ତ୍ର ସମ୍ମାନ ଦିଏ ! ଏତେ ଧନ ଥାଇ ମଧ୍ୟ ସେ ଜଣେ ମହାନ୍ ସନ୍ୟାସୀ–ରାଜ ଋଷି । ଐଶ୍ୱର୍ଯ୍ୟରେ ତା’ର ଆସକ୍ତି ନାହିଁ–ତେଣୁ ଭଣ୍ଡାରଘର ରକ୍ଷା ଅପେକ୍ଷା ଗୁରୁର ଜୀବନ ରକ୍ଷାକୁ ସେ ଆଜି ପ୍ରଥମ ସ୍ଥାନ ଦେଲା । ସେ ଚିର ଶାନ୍ତ, ଧୈର୍ଯ୍ୟବାନ ଓ କର୍ତ୍ତବ୍ୟ ପରାୟଣ–ଯେତେବେଳେ ଯଜ୍ଞଶାଳାକୁ ଡେରିକରି ଆସେ, ମୁଁ ଧରିନିଏଁ ଯେ ରାଜକର୍ମର ଗୁରୁକର୍ତ୍ତବ୍ୟ ସେ ଯଥା ସମୟରେ ସାରି ପାରି ନାହିଁ । ସାମାନ୍ୟ ଖଣ୍ଡିଏ ପାଲଟା କୌପୀନର ଅଧିକାରୀ ହେଲେ ହେଁ ତୁମ ମନର ତୃଷ୍ଣା ଯାଇନି–ଗୃହ ତ୍ୟାଗୀ ହୋଇଛ, କିନ୍ତୁ ଆସକ୍ତି ତୁମକୁ ଜାବୁଡ଼ି ଧରିଛି ।’

 

ଏ ଗପ ଭାରତର ମହାନ ପରମ୍ପରାର ଇଙ୍ଗିତ ଦିଏ । ଆମ ସଂସ୍କୃତି’ ଐତିହ୍ୟ ତଥା ପରମ୍ପରା ପାଇଁ ଆମମାନଙ୍କର ଗର୍ବ କରିବାର ଯଥେଷ୍ଟ କାରଣ ରହିଛି ।

Image

 

ତିନି ତୁଣ୍ଡରେ

 

ଅନେକେ କହନ୍ତି ଯେ ଶାସନପଦ୍ଧତିମାନଙ୍କ ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ।

 

‘ଗଣଙ୍କ ଦ୍ୱାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’କୁ କୁଆଡ଼େ ଗଣତନ୍ତ୍ର କୁହାଯାଏ ।

 

ଶାସନ କହିଲେ ଶାସନା ବା ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ–ନିଜ ସ୍ତ୍ରୀ କିମ୍ୱା ପୁଅ ଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ । ତେଣୁ ‘ଗଣଙ୍କର ଶାସନ’ ବୋଲି କହିବାରେ କିଛି ବିଶେଷ ଅର୍ଥ ଥିଲାପରି ମନେ ହୁଏନି । ପୁଣି ନିଶ ଉପୁଡ଼ା ରାଜ ରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାର ଭ୍ରଷ୍ଟ ଓ ‘ମ’କାର ବ୍ୟଭିଚାର ଗ୍ରସ୍ତ ୟାହିୟା ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସନ ଡିଣ୍ଡିମ ପିଟି ଘୋଷଣା କରି କହେ ଯେ ତାଙ୍କ ପ୍ରବର୍ତ୍ତିତ ଶାସନ ଗଣଙ୍କ ସମୂହ ହିତ ପାଇଁ ତେଣୁ କେବଳ ଗଣତନ୍ତ୍ର ଶାସନ ଯେ ‘ଗଣଙ୍କ ପାଇଁ’ ବା ଗଣଙ୍କ ହିତ ପାଇଁ, ସେ କଥା କହିବାରେ ମଧ୍ୟ ବିଶେଷ ତାତ୍ପର୍ଯ୍ୟ ନାହିଁ । ଅତଏବ ‘ଗଣଙ୍କ ଦ୍ୱାରା’ ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ୱ ବୋଲି କୁହାଯାଇପାରେ ଏଥିରୁ ବୁଝିବାକୁ ମିଳେ ଯେ ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି । ଅନ୍ୟ ଅର୍ଥରେ, ଏଥିରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ । ସେଥିପାଇଁ ଏ ଶାସନରେ ପ୍ରଭୁ କିମ୍ୱା ଦାସ, ଶୋଷକ କିମ୍ୱା ଶୋଷିତର କଳ୍ପନା କରାଯାଇ ନପାରେ ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ୱାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ୱାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

 

ଆମ ଦେଶର ଜନସାଧାରଣଙ୍କ ଅଭିଜ୍ଞତାରୁ କିନ୍ତୁ ମନେ ହୁଏ ଯେ ଏପରି ପର୍ଯ୍ୟାଲୋଚନା କେବଳ ତାତ୍ତ୍ୱିକ ଓ ପୋଥିଗତ । ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟ ଲଙ୍କାରେ ହରିଶବ୍ଦ ପରି ପୁଞ୍ଜିପତିର ବିଶାଳ ପ୍ରାସାଦ ଓ ଭିକାରୀର ପତ୍ର କୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତାର ଆଶା କେବଳ କଳ୍ପନାର ବିଳାସ । କୁସଂସ୍କାର ପୂର୍ଣ୍ଣ ସାଧାରଣ ଶିକ୍ଷା ବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ବିଲିକା ମାଛ ପରି ସ୍ୱପ୍ନିଳ ଓ ଦୁଷ୍ପ୍ରାପ୍ୟ ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇୟାଁ ପରି କପୋଳ କଳ୍ପିତ ମନରେ ତେଣୁ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କ’ଣ ତାହା ନୁହେଁ ?

 

ଏପରି ସନ୍ଦେହ କିନ୍ତୁ ଅନ୍ୟାୟ ପୂର୍ଣ୍ଣ ବୋଲି ମନେ ହୁଏ ।

 

‘ଗଣଙ୍କ ଦ୍ୱାରା’ ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜେ ନିଜକୁ ଶାସନ କରି ବସିବେ । ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତା ଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବା ହିଁ ସ୍ୱାଭାବିକ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ଏଇ ଜନତାର ପ୍ରତିନିଧି ଯାହାଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନର ଭାର ଜାଣିଶୁଣି ନିଜେ ସମର୍ପି ଦିଅନ୍ତି । ଲୋକ ପ୍ରତିନିଧି ମନୋନୟନ ତେଣୁ ଗଣତନ୍ତ୍ରର ମେରୁଦଣ୍ଡ ।

 

ଯେଉଁ ଦେଶର ଲୋକେ ଶାସନ ସମ୍ୱନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ୱ ସମ୍ୱନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧି ହେବାପାଇଁ ତ ଉପଯୁକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଚ୍ଚୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ୱନ୍ଧରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିଙ୍କୁ ହିଁ ପ୍ରତିନିଧି ରୂପରେ ବାଛି ନିଅନ୍ତି । ଆଉ ଯେଉଁ ଦେଶର ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ୱନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରେ । ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳୀ ବଜାଇ, ସଭାସମିତିରେ ଛାତି ପିଟି ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ୱନ୍ଦୀମାନଙ୍କ କୁତ୍ସା ରଟନା କରି ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରନ୍ତି ।

 

ଭଲ ମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠି ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ସେ ସମ୍ୱନ୍ଧରେ ଆମର ପୁରୁଣା ଓ ଜଣାଶୁଣା ‘ତିନି ତୁଣ୍ଡରେ ଛେଳି କୁକୁର’ ମଜାଗପ ମନେପଡ଼େ

 

କଳା ମିଚ୍ ମିଚ୍ ଦେହ, କହରା ନିଶ, ମେହଗାନି କାଠରେ କୁନ୍ଦିଲା ପରି ହାତ ଆଉ ଫୁଲକା ରୁଟିପରି ଫୁଲି ଉଠିଥିବା ଚୌଡ଼ା ଛାତି–ଲାଠି ହାତରେ ଆକୃତିଟି ଯେତେବେଳେ ରାସ୍ତା ଉପରକୁ ଉଠି ଆସିଲା, ବ୍ରାହ୍ମଣ ଗୋସାଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା । ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ ପଚାରିଲେ–‘ପାଣୁ କିରେ ?’

 

ପାଣୁ ଟିକିଏ ମୁରୁକି ହସ ହସି ଦେଇ ଓଳିକି କରୁଁ କରୁଁ କହିଲା–‘ଗୋସାଇଁ ମହାପୁରୁ ! ଏଇ ଭୋର୍ ଭୋର୍ କୁକୁରଟିଏ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ?’ ଗୋସାଇଁ ମହାରାଜ ସପ୍ରତିଭ ହୋଇ ସାରିଥିଲେ । କହିଲେ, ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏନି ? ଛେଳି କିଏ କୁକୁର କିଏ ଚିହ୍ନି ପାରୁନୁ ? ଜଜମାନ ଛେଳିଟିଏ ଦାନ କଲେ–ସାଙ୍ଗରେ ଆଣିଲାବେଳକୁ ଛେଳିଟା ଭିଡ଼ି ଓଟାରି ହେଉଥିଲା–ବୋହି ନେଇ ଯାଉଛି ।’

 

ପାଣୁ ସୁନା ଖିଲି ପିଟା ଦାନ୍ତ ଦି’ଟାକୁ ଭଲ କରି ନିକୁଟାଇ ବାଟ କାଟି ଯାଉ ଯାଉଁ ଆଉ ଥରେ ବ୍ରାହ୍ମଣଙ୍କ କାନ୍ଧ ଉପରୁ ଆଖି ବୁଲାଇ ଆଣି ଟିପ୍‍ପଣୀ ଛାଡ଼ି ଦେଲା, ଯେଡ଼େ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

 

ଅଗ୍ନା ଅଗ୍ନି ବନସ୍ତ ନ ହେଲେ କ’ଣ ହେଲା, ବେଶ୍ ବୁଦିବୁଦିକିଆ ଜଙ୍ଗଲ । ଚାରିଆଡ଼ିକି ପାହାଡ଼ର ଘେର । ଚଢ଼େଇର ଥଣ୍ଟ ଆଉ କୁର୍‍ହାଡ଼ିର ବେଣ୍ଟ ମଝି ମଝିରେ ଶୁଣାଯାଉଛି ଆଉ ପୁରୋହିତେ ଆଗେଇ ଚାଲିଛନ୍ତି–ଭାବନାର ଅନ୍ତ ନାହିଁ । ପାଣୁକୁ ଦେଖି ସତରେ ସେ ଘବରାଇ ଯାଇଥିଲେ । ଏଇ ଜଙ୍ଗଲ ବାଟଦେଇ ଗଲେ ଗାଁ ଟିକିଏ ପାଖ ପଡ଼େ ଛେଳିର ବୋଝ ହିଁ ତାଙ୍କୁ ଖାଇଲା–ବୁଲା ବାଟ ବରଂ ଭଲ ଥିଲା ।

 

ହଠାତ୍ ଚମକି ଉଠିଲେ । ଠିକ୍ ପାଣୁପରି ଆଉ ଜଣେ କିଏ ମସ୍ତବଡ଼ ଠେଙ୍ଗାଟିଏ ଧରି କେଉଁ ବୁଦା ଉହାଡ଼ରୁ ରାସ୍ତା ଉପରକୁ ଉଠି ଆସିଲା । ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା । ଥରିଲା ହାତରୁ ଛେଳିଟି ଖସି ପଡ଼ୁଁ ପଡ଼ୁଁ କେମିତି ରହିଗଲା ।

 

ଆଗନ୍ତୁକ ଫିକ୍ କରି ଦି’ଫାଳିଆ ହସଟିଏ ହସି ଦେଇ ପ୍ରଣାମ କରୁ କରୁ କହିଲା–‘ନନା–କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ?’

 

ପୁରୋହିତେ ଟିକିଏ ଅଡ଼ୁଆରେ ପଡ଼ିଲେ । କ’ଣ କହିବେ କିଛି ଠିକ୍ କରିପାରିଲେନି ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖି ନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲା ବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟା କଲେ, ଆଉ କହିଲେ ‘କିରେ ରାଧୁ–ଛେଳିଟାକୁ ଚିହ୍ନି ପାରୁନୁ କିରେ-?’

 

ରାଧୁ ବାଟ କାଟି ଯାଉଁ ଯାଉଁ ପଦେ ଶୁଣାଇ ଦେଇ ଗଲା ‘ଛେଳି, ନା ବାଛୁରୀ ? ହଁ–ସରଗକୁ ନିଶୁଣୀ ନାଇଁ ଆଉ...’କ’ଣ କହିଲା ଠିକ୍ ଶୁଣା ଗଲାନି ।

 

ପୁରୋହିତ ମହାଶୟ ଏଥର ଗଭୀର ଚିନ୍ତାରେ ମଜ୍ଜି ଯାଇଥିଲେ । ଯଜମାନ ସତରେ ଗୋଟାଏ କୁକୁର ଦେଇନି ତ ! କଳିକାଳ–କିଏ ବା ଦୃଢ଼ କରି କହିବ ?

 

ବୁଦା ବଣ ଏ ଭିତରେ ସରିଯାଇଛି । ଆଗକୁ ଖୋଲା ରାସ୍ତା । ଗାଁ ବି ଦୂରରୁ ଦିଶିଲାଣି-। ଇଏ ପୁଣି କିଏ ? ହଠାତ୍ ଜଣେ ବିରାଟକାୟ ପୁରୁଷ ଆଉ ଚାରିହାତିଆ ଠେଙ୍ଗାର ଆବିର୍ଭାବ ହେଲା । ପୁରୋହିତେ ଚିହ୍ନି ପାରିଲେ । ପାଖ ଗାଁର ଅଗାଧୁ ।

 

ଅଗାଧୁ ଭକ୍ତି ପୂର୍ଣ୍ଣ ପ୍ରଣାମଟିଏ କଲା ଆଉ ଆଶୀର୍ବାଦ ଗ୍ରହଣ କରୁଁ କରୁଁ ସାପ ଉପରେ ଗୋଡ଼ ପଡ଼ିଲା ପରି ଚମକି ଉଠି କହିଲା, ‘ଅବଧାନେ–ଏମିତି ଜାତିଆ କୁକୁରଟାଏ କୋଉଠୁ ପାଇଲେ ? କିଏ ବି ଛେଳି ବୋଲି ଭୁଲ କରି ବସିବ । ଭଲ ଭୁକୁଛି ନା ?

 

ଯଥେଷ୍ଟ ହୋଇ ସାରିଥିଲା । ପୁରୋହିତେ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି ଜଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଖଣ୍ଡ ଦଉଡ଼ ଦେବାକୁ ଆରମ୍ଭ କଲେ ।

 

ଅଗାଧୁ ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡ଼ି ଧରି ତା’ର ଅନ୍ୟ ଦି’ ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ଖୁସି ମନରେ ଚାଲିଗଲା ।

 

ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଆଉ ଅଗାଧୁ ବାହାରି ପଡ଼ିଛନ୍ତି ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ । ତିନି ତୁଣ୍ଡ ସାଙ୍ଗକୁ ସେମାନଙ୍କ ପାଖରେ ପ୍ରଚାର ପତ୍ର, କାନ୍ଥ ବାଡ଼ ଲେଖା, ସିନେମା ହଲର ପର୍ଦ୍ଦା, ରେଡ଼ିଓ, ଟେଲିଭିଜନ ଠାରୁ ଆରମ୍ଭ କରି ପାଲା, ଦାଶକାଠିଆ, ସଭାସମିତି, ଶୋଭା ଯାତ୍ରା ପର୍ଯ୍ୟନ୍ତ ଅନେକ ନୂତନ ଓ ଆଧୁନିକ ଢଙ୍ଗର ପ୍ରଚାର ଅସ୍ତ୍ର ଜମା ହେଲାଣି । ସେମାନଙ୍କ ପାଖରେ ଧନର ମଧ୍ୟ ଅଭାବ ନାହିଁ ।

 

ଯେଉଁଠି ଶିକ୍ଷିତ ଭୋଟଦାତା ମଧ୍ୟ ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।

 

ଏପରି କେବଳ ପ୍ରଚୁର ଶକ୍ତି ବଳରେ ଜିଣିଥିବା ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧି ଯେତେବେଳେ ନିଜ ହାତରେ କ୍ଷମତା ପାଇ ଯାଉଛନ୍ତି ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ ତରାଜୁର ଦି’ପାଖ ଓଜନ ସମାନ କରୁଁ କୁରୁଁ ଗୋଟିଏ ପଟରୁ ପୁଳାଏ ଉଦରସ୍ଥ କିମ୍ୱା ପକେଟସ୍ଥ କଲା ପରେ ଅନ୍ୟ ପାଖ ଯେତେବେଳେ ବେଶୀ ଓଜନିଆ ହୋଇଯାଉଛି, ସେପଟରୁ ପୁଳେ କାଢ଼ିଆଣି ପକେଟରେ ଭର୍ତ୍ତି କରି ଦେଉଛନ୍ତି ତରାଜୁର ଦି’ପାଖ ଶେଷରେ ଖାଲି ହୋଇଯାଉଛି ଆଉ ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନି ସେମାନଙ୍କ ମଧ୍ୟରୁ କେତେ ମାଙ୍କଡ଼ିଚିତି ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରିଛନ୍ତି । ତା’ପରେ ଆରମ୍ଭ ହେଉଛି ବାଉଁଶ ରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧାହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉଁ ଦେଖାଉଁ ବେଳେ ବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

 

ଯଥା ସମୟରେ ଖେଳ ଭାଙ୍ଗିଯାଉଛି

 

ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ଠିକ୍ ସେଇ ଢଙ୍ଗରେ । ସେହି ଜନତା–ସେଇ ପ୍ରତିନିଧି, ସେଇ ଖେଳ । ବ୍ୟବଧାନ କେବଳ ସମୟ ।

 

ଗଣତନ୍ତ୍ର ଏଥିପାଇଁ ଦୋଷୀ ହେବ କାହିକି ? ଗଧିଆ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ ମେଣ୍ଢାଶାଳ ଭିତରେ ପଶି ଗୋଟିକ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ ସେଥିପାଇଁ ମେଣ୍ଢାଶାଳ ଦୋଷୀ ହେବ କିପରି ?

 

ଗଣତନ୍ତ୍ର ଶାସନ ଯେ ଶ୍ରେଷ୍ଠ ଶାସନ ଏଥିରେ ସନ୍ଦେହ ନାହିଁ । କିନ୍ତୁ ବେଳେ ବେଳେ ମନ ଭିତରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ–ଆମେ କ’ଣ ଗଣତନ୍ତ୍ର ଶାସନ ପାଇଁ ନିଜେ ଉପଯୁକ୍ତ ?

 

କଥାରେ କହନ୍ତି ଯିଏ ଯେଉଁ ଶାସନ ପାଇଁ ଉପଯୁକ୍ତ, ସେ ସେଇୟା ହିଁ ପାଏ । ତେଣୁ ଆଜି ଆମର ଏ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ ।

 

ଗଣଶିକ୍ଷା ଓ ଗଣ ଚେତନାର ଅଭାବ ଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ୱନା ମାତ୍ର

Image

 

ରାଜା ବିନୁଁ

 

ସେ କାଳ ଓ ଏ’କାଳ ।

 

ରହସ୍ୟାବୃତ ଓ ପ୍ରହେଳିକାମୟ ସେ କାଳରେ ମୁଖ୍ୟତଃ ରାଜାମାନେ ରହୁଥିଲେ । ସେଦିନର କାହାଣୀ ଆଉ ଇତିହାସ କେବଳ ଏ ରାଜାମାନଙ୍କର ତଥା ସେମାନଙ୍କ ମାଳ ମାଳ ମହିଷୀଙ୍କର ଜୀବନ ଇତିବୃତ୍ତି ।

 

ଧର୍ମ ସେତେବେଳେ ଥିଲା ରାଜାଙ୍କର ଅନୁଗତ । ପ୍ରଜାଙ୍କ ଆଖିରେ ରାଜା ଥିଲେ ନରରୂପୀ ନାରାୟଣ–ସେମାନଙ୍କ ହର୍ତ୍ତା, କର୍ତ୍ତା ଓ ଭାଗ୍ୟ ବିଧାତା ।

 

କେଉଁ ରାଜା କେତେବଡ଼ ତାହା ତାଙ୍କ ହାତୀ, ଘୋଡ଼ା, ରଥ, ସୈନ୍ୟସାମନ୍ତ ଆଉ ପୋଇଲି ପରିବାରୀଙ୍କ ସଂଖ୍ୟାରୁ ଜଣା ପଡ଼ୁଥିଲା । ପୋଖରୀମାନଙ୍କରେ ବଡ଼ ମାଛ ସାନ ମାଛକୁ ଗିଳିବାକୁ ସତତଃ ଚେଷ୍ଟା କଲା ପରି ବଡ଼ବଡ଼ ରାଜାମାନେ ସାନ ସାନ ରାଜାଙ୍କୁ ଅନବରତ ଆକ୍ରମଣ କରୁଥିଲେ ଆଉ ତାଙ୍କ ହାତୀ ଘୋଡ଼ା ପୋଇଲି ପରିବାରୀଙ୍କ ସାଙ୍ଗରେ ରାଜଜେମାମାନଙ୍କୁ ମଧ୍ୟ ନେଇ ଯାଉଥିଲେ । କେହି କେହି ଲକ୍ଷେ ରାଜାଙ୍କୁ ବନ୍ଦୀ କରି ରଖୁଥିଲେ ମଧ୍ୟ । ‘ଜିଣିବାକୁ ନାହିଁ ଆଉ ଧରାଖଣ୍ଡ’ ଅବସ୍ଥାକୁ ଆସିଲେ କୌଣସି କୌଣସି ରାଜା କୁଆଡ଼େ ସ୍ୱର୍ଗକୁ ଧାଡ଼ି ଦେଉଥିଲେ । ଇନ୍ଦ୍ରଙ୍କ ଆସନ ସବୁବେଳେ ଟଳମଳ ହେଉଥିଲା । ବୃତ୍ତ୍ରାସୁର ପରି ଜଣେ ଅଧେଙ୍କୁ ଛାଡ଼ିଦେଲେ ଇନ୍ଦ୍ର ସବୁବେଳେ ଯୁଦ୍ଧରେ ହାରୁଥିଲେ ଆଉ ବ୍ରହ୍ମାଙ୍କ ସଙ୍ଗରେ ଦେବଗଣଙ୍କୁ ଧରି ବିଷ୍ଣୁଙ୍କ ପାଖରେ ଅନ୍ୟାୟ ବିରୁଦ୍ଧରେ ଗୁହାରି କରୁଥିଲେ । ଶଚୀ ଦେବୀ ଓ ପୃଥିବୀର ବିକଳ ସହି ନପାରି ବିଷ୍ଣୁ ଦେଖା ଦେଉଥିଲେ ଧରାଧାମରେ ।

 

ରାଜାଙ୍କ ଭିତରେ କେତେ ଭଲ ରାଜା ଥିଲେ । ପ୍ରଜାଙ୍କ ହିତ ପାଇଁ ସେମାନେ ତାଙ୍କର ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ଅନ୍ୟମାନଙ୍କର କର୍ତ୍ତବ୍ୟ ସାଧନାରେ ଯେ କେହି ବାଧା ବିଘ୍ନ ସୃଷ୍ଟି କଲେ ତା’କୁ ଦଣ୍ଡ ଦେଉଥିଲେ । ସେମାନଙ୍କ ରାଜ୍ୟରେ କୌଣସି ରକମର ଅନ୍ୟାୟ ହେଉ ନଥିଲା । ଯଥା ସମୟରେ ବୃଷ୍ଟି ନ ହେଲେ ଇନ୍ଦ୍ରଙ୍କୁ ମଧ୍ୟ ଅନୁତାପ କରିବାକୁ ପଡ଼ୁଥିଲା । ଏପରି ରାଜାମାନଙ୍କର ଶାସନରେ ବାଘ ଆଉ ମିରିଗ ଏକା ଘାଟରେ ପାଣି ପିଉଥିଲେ ।

 

ଆଉ ଥିଲେ ଦୁଷ୍ଟରାଜା । ଏହି ଦୁଷ୍ଟଙ୍କ ଭିତରୁ କେହି ନିଜ ପୁଅକୁ ମଧ୍ୟ ହାତୀ ମଡ଼ାଇ, ନିଆଁରେ ଫିଙ୍ଗି, ସମୁଦ୍ରରେ ଭସାଇ ମାରି ଦେବାକୁ ଚେଷ୍ଟା କରୁଥିଲେ ତ କେହି ପର ସ୍ତ୍ରୀ ଚୋରାଇ ନେଉଥିଲେ । କେହି ନିଜ କୁଳଭୁଆଷୁଆଣୀଙ୍କୁ ସର୍ବ ସମ୍ମୁଖରେ ବିବସନା କରାଇବାକୁ ଚେଷ୍ଟା କରୁଥିଲେ ତ ଆଉ କେହି ନିଜ ପିତାଙ୍କୁ ନଗରର ଚୌକୀଦାର କରି ଖଟାଉଥିଲେ ।

 

ପୁଣି ଥିଲେ କେତେ ‘ଅନ୍ଧେର ନଗରୀର ଅବୁଝା ରାଜା’ ସେମାନଙ୍କ ରାଜ୍ୟରେ ଭାଜିଶାଗ ସେର ଟଙ୍କାଏ ତ ଖଜାଲଡ଼ୁ ସେର ମଧ୍ୟ ଟଙ୍କାଟିଏ ହେଉଥିଲା ।

 

ସେ କାଳରେ ରାଜା ବିନୁ ଦେଶର ଅସ୍ତିତ୍ୱ କଳ୍ପନା ବହିର୍ଭୂତ ଥିଲା । ତେଣୁ ପଶୁଜଗତ ଓ ଇତର ଜୀବ ଜଗତରେ ମଧ୍ୟ ରାଜାମାନେ ଦେଖା ଦେଉଥିଲେ ।

 

ବଣର ରାଜା ହୋଇଥିଲା ପଶୁରାଜ ସିଂହ । ରାଜ କ୍ଷମତା ବଳରେ ପ୍ରାପ୍ୟ ତା’ର ପଶୁ ମାରି ଖାଇବାର ଅଧିକାରକୁ ବଣର ପଶୁଜଗତ ବିନା ପ୍ରତିବାଦରେ ମାନି ନେଇଥିଲା । ତେଣୁ ଯେତେବେଳେ ସୁଶାସନ ପ୍ରବର୍ତ୍ତନ ଉଦ୍ଦେଶ୍ୟରେ ପଶୁରାଜ ରାଜି ହୋଇଗଲେ ଯେ ସେ ଦିନକୁ ମାତ୍ର ଗୋଟାଏ ପଶୁ ବଧ କରିବେ–ସେ ଉଦାର ନିଷ୍ପତ୍ତିକୁ ବଣର ପଶୁ ସମାଜ ସ୍ୱାଗତ କରିଥିଲା । ନିଜର ଜୀବନ ରକ୍ଷା କରିବାକୁ ଯାଇ ଠେକୁଆକୁ କିପରି କୂଅ ଭିତରେ ଆଉ ଗୋଟିଏ ନୂଆ ରାଜା ଆବିଷ୍କାର କଲା ଓ ପଶୁରାଜଙ୍କୁ ଏ ନୂଆ ରାଜାର ଆହ୍ୱାନ କଥା ଶୁଣାଇଥିଲା–ସେ କଥା ସମସ୍ତଙ୍କୁ ଜଣା ।

 

ବେଙ୍ଗରାଇଜରେ ମଧ୍ୟ ଥରେ ରାଜା ନ ଥିବାରୁ ବିଶୃଙ୍ଖଳା ଦେଖା ଦେଇଥିଲା ବେଙ୍ଗମାନେ ତାଙ୍କ ପୋଖରୀ ପାଇଁ ଗୋଟିଏ ଭଲ ଉଦାରମନା ରାଜା ଯୋଗାଇ ଦେବା ନିମନ୍ତେ ଇନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ଇନ୍ଦ୍ର ଖଣ୍ଡିଏ କାଠଗଡ଼କୁ ପୋଖରୀର ରାଜା କରି ଥାପି ଦେଲେ । ବେଙ୍ଗମାନେ ପ୍ରଥମେ ଭକ୍ତିପୂତ ପ୍ରଣାମ ସହ କାଠଗଡ଼ ରାଜାଙ୍କ ଗୁଣ କୀର୍ତ୍ତନ କଲେ ଆଉ ବଡ଼ ବେଙ୍ଗଙ୍କ ଅତ୍ୟାଚାରରୁ ସାନବେଙ୍ଗଙ୍କୁ ରକ୍ଷା କରିବା ପାଇଁ ତାଙ୍କ ପାଖରେ ଗୁହାରି କଲେ । କିନ୍ତୁ ରାଜାଙ୍କ ଉଦାସୀନତା ଲକ୍ଷ୍ୟ କରି ଶେଷରେ ସ୍ୱ ସ୍ୱ ଜଣାଣ ଅତି ନିକଟରୁ ନିବେଦନ କରିବା ଉଦ୍ଦେଶ୍ୟରେ ପାଖକୁ ଯାଇ ସର୍ବଶେଷରେ କାଠଗଡ଼ ଉପରେ ଚଢ଼ି ବସିଲେ । ଯଥା ସମୟରେ ବେଙ୍ଗ ସମାଜ ଜଣେ ପରାକ୍ରମଶାଳୀ ରାଜା ପାଇଁ ଅନୁରୋଧ କଲା ଓ ଇନ୍ଦ୍ର ଦେବତା ଯୋଗାଇ ଦେଲେ ଗୋଟିଏ ଥଣ୍ଟୁଆ ବଗ । କାଠଗଡ଼ ରାଜାଙ୍କୁ ଖାତିର କରୁ ନ ଥିବା ବେଙ୍ଗମାନେ ଏଥର ଯେତେବେଳେ ଏହି ବଗ ରାଜାଙ୍କ ପାଖକୁ ଯାଇ ତାଙ୍କ ପିଠି ଉପରେ ଚଢ଼ିବାକୁ ଉଦ୍ୟମ କଲେ ବଗ ରାଜା ସେମାନଙ୍କୁ ଗୋଟା ଗୋଟା ଗିଳି ଦେଇଗଲା । ବେଙ୍ଗମାନେ ଏଥର ଜାଣିଲେ ଯେ ସେମାନେ ଗୋଟିଏ ରାଜାଧିରାଜ ପାଇଛନ୍ତି । ଯଥା ସମୟରେ ପୋଖରୀରେ ବେଙ୍ଗ ଶୂନ୍ୟ ଶାନ୍ତି ବିରାଜମାନ କଲା ।

 

ପିତାକୁ ବନ୍ଦୀ କରି, ଭାଇ ମାନଙ୍କୁ ମାରି ଅଥବା କୂଟକପଟତା ଓ ବିଶ୍ୱାସଘାତକତା କରି ମଧ୍ୟ କେହି କେହି ସେ କାଳରେ ରାଜା ହେଉଥିଲେ । ଅତ୍ୟାଚାର ସହି ନ ପାରି ବେଳେ ବେଳେ ପ୍ରଜାମାନେ ବିଦ୍ରୋହ କରୁଥିଲେ । କିନ୍ତୁ ରାଜାଙ୍କର କ୍ରୁର ପାଶବିକ ଶକ୍ତି ସେ ବିଦ୍ରୋହ ସବୁକୁ ସହଜରେ ଦମନ କରୁଥିଲା । କେବେ କେଉଁଠି ବିଦ୍ରୋହ ସଫଳ ହେଉଥିଲା ଆଉ ବିଦ୍ରୋହୀ ନେତା ଯଥା ସମୟରେ ନିଜେ ରାଜା ହୋଇ ଯାଉଥିଲେ ଆଉ ତାଙ୍କ ପରେ ରାଜା ହେଉଥିଲେ ତାଙ୍କ ପୁଅ-

 

ସେ କାଳର ଅବସାନ ଘଟିଲା ଓ ଆସିଲା ଏ କାଳ ।

 

ଶୋଷଣ ବିରୁଦ୍ଧରେ ଦେଖା ଦେଲା ଜନତାର ସଂଗ୍ରାମ–ପାଶବିକ ଶକ୍ତି ବିରୁଦ୍ଧରେ ଠିଆ ହେଲା ମାନବିକତା, ଅସତ୍ୟ, ଅନ୍ୟାୟ ଓ ହିଂସା ବିରୁଦ୍ଧରେ ସତ୍ୟ ଓ ଅହିଂସା । ଯେଉଁ ସମ୍ରାଟଙ୍କ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ଯାଉ ନ ଥିଲେ ସେ ସମ୍ରାଟଙ୍କ ବିରୁଦ୍ଧରେ ଠିଆ ହେଲେ ଜଣେ ‘ମିକି ମାଉସ୍’–ଆଣ୍ଠୁଯାଏ ଓସାର ଖଣ୍ଡିଏ ଖଦୀ, ଖୋଲା ଦେହ, ହଳେ ଚପଲ ଓ ହାତରେ ଗୋଟିଏ ଠେଙ୍ଗା । କମାଣ ବଦଳରେ ଥିଲା ମୁଠାଏ ଲୁଣ ।

 

ବାଧ୍ୟ ହୋଇ ରାଜପଣ ଛାଡ଼ି ଫେରିଗଲେ ସାତ ସମୁଦ୍ର ତେର ନଈ ପାର ହୋଇ ଆସି ଆମ ଦେଶରେ କୁଚକ୍ରାନ୍ତ କରି ରାଜା ହୋଇଥିବା ବିଦେଶୀ ବେପାରୀ । ଆଉ ବେପାରୀ ରାଜାଙ୍କ ସଙ୍ଗରେ ପୁଡ଼ା ପୁଟୁଳା ବାନ୍ଧି ବିଦାୟ ନେଲେ ତାଙ୍କ ବନ୍ଧୁବର୍ଗ–କେତେ ଶହ ଦେଶୀୟ ରାଜା ।

 

ବିଦ୍ରୋହୀ ନେତା କିନ୍ତୁ ଏଥର ନିଜେ ରାଜା ହେଲେନି । ରାଜା ହେବା ପରିବର୍ତ୍ତରେ ସେ ହେଲେ ସମସ୍ତଙ୍କ ବାପୁ । ରାଜାଙ୍କ ଯୁଗ ଗଲା ଓ ଆସିଲା ଜନତାର ଯୁଗ ।

 

ସେ କାଳର ନିରୀହ ପ୍ରଜା ଏ କାଳର ଶକ୍ତିଶାଳୀ ଜନତାରେ ପରିଣତ ହେଲା । ସ୍ୱରାଜ ସଙ୍ଗରେ ଆସିଲା ବ୍ୟକ୍ତିଗତ ସ୍ୱାଧୀନତା । ରାଜା ଶାସନ ବଦଳରେ ଆସିଲା ଗଣ ଶାସନ ।

 

ବାପୁ କହୁଥିଲେ, ତାଙ୍କ ଭାରତରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ରହିବନି ସମସ୍ତେ ଦି’ଓଳି ପେଟପୂରା ଖାଇବାକୁ ପାଇବେ ମୁଣ୍ଡ ଗୁଞ୍ଜିବାକୁ ସମସ୍ତଙ୍କର କିଛି ଆଶ୍ରା ରହିବ । ରହିବ ଲଜ୍ଜା ଢାଙ୍କିବା ପାଇଁ କନା । ଶିକ୍ଷା ଓ କର୍ମ ଓତପ୍ରୋତ ଭାବରେ ଜଡ଼ିତ ହୋଇଯିବ । ବୁଢ଼ା ବୁଢ଼ୀ, ବିଧବା, ପଙ୍ଗୁ ସମେତ ସବୁ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ହସ୍ତ ଶିଳ୍ପ ଓ କୁଟୀର ଶିଳ୍ପ ଉପରେ ଗୁରୁତ୍ୱ ଦିଆଯିବ–କାରଖାନା କେବଳ କେତୋଟି ଗୁରୁଶିଳ୍ପ ଭିତରେ ହିଁ ସୀମିତ ରହିବ ।

 

ଏ କାଳ ଆସିଲା, କିନ୍ତୁ ବାପୁଙ୍କର ସେ ସ୍ୱପ୍ନର ଭାରତ ଆସିଲାନି

 

ଭୋକିଲା ଜନତାର ଦୁଃଖ ଦୁର୍ଦ୍ଦଶା ଦେଖିବାକୁ ସେ ଆଜି ଆଉ ନାହାନ୍ତି ।

 

ବାପୁଙ୍କ ସଙ୍ଗରେ କୁଟୀର ଶିଳ୍ପ ବିଦାୟ ନେଇଛି । ଗାଁ ମାନଙ୍କରେ ଆଉ ପହିଲି କୁକୁଡ଼ା ଡାକିବା ବେଳର ଢେଙ୍କି ଶବ୍ଦ ଶୁଣିବାକୁ ମିଳୁନି । ଗରିବ ବୋହୂ ଭୁଆଷୁଣୀଙ୍କ ଢେଙ୍କିକୁଟାରୁ ପ୍ରାପ୍ୟ ମୁଠାଏ ଖୁଦ ଚାଉଳ ଆଜି ଧାନବସ୍ତା ସଙ୍ଗରେ ଚାଲିଯାଉଛି ମିଲ ଓ ହଲର ମାଲିକମାନଙ୍କୁ ପାଖକୁ–ଲେଭି ନାଁ’ରେ ଅଥବା ସିଧାସଳଖ ଭାଜିଶାଗ ଓ ଖଜାଲଡ଼ୁର ସମାନ ଦର ପରି ଢେଙ୍କି ଚାଉଳ ଓ ମିଲ ଚାଉଳ ଭିତରେ ଆଉ କିଛି ଫରକ ନାହିଁ ।

 

ଖରାଦିନିଆ ଗାଁ ଆମ୍ୱ ତୋଟାରେ ଆଉ ସେ କାଠୁରିଆର କାଠ କରତିବା କରତ ଶବ୍ଦ ଶୁଭୁନାହିଁ–କରତ ନାହିଁ କି ଆମ୍ୱ ତୋଟା ନାହିଁ । କରତ ଯାଇଛି ସ-ମିଲକୁ ଆଉ ଜମିର ସିଲିଂ ସଙ୍ଗରେ ଯାଇଛି ଆମ୍ୱତୋଟା ।

 

ବାଡ଼ି ବଗିଚାର କପାଗଛ ଓ ବୁଢ଼ାବୁଢ଼ୀଙ୍କ ଅରଟ ଚିର ବିଦାୟ ନେଇଛନ୍ତି ମିଲ ସୂତା ସଙ୍ଗରେ ଯୋଡ଼ ଦେଇ ନପାରି । ମିଲ୍ ସୂତାରେ ଏଇଠି ସେଇଠି ଖଣ୍ଡିଏ ଅଧେ ତନ୍ତ ଲୁଗା ବୁଣା ହେଉଛି–କିନ୍ତୁ ଗାଁ ଦାଣ୍ଡରେ ସେ ତନ୍ତର ଧାଡ଼ି ଆଉ ନାହିଁ ।

 

ଗାଁ ମୁଣ୍ଡର କଇଁ ଓ ପଦ୍ମଫୁଲ ଭରା ପୋଖରୀ ଶୁଖି ଯାଇଛି । ମନ୍ଦିରର ସ୍ଥାନ ନେଇଛି ସରପଞ୍ଚଙ୍କ ପଞ୍ଚାୟତ ଘର ।

 

ରାଜା ଚାଲି ଯାଇଛନ୍ତି କିନ୍ତୁ ମେଣ୍ଢା ପୋଷାକରେ ସଜ୍ଜିତ ଗଧିଆ ରାଜା ପଣପଣ ଦେଖା ଦେଇଛନ୍ତି । ସେ ଭିତରୁ କେହି ‘ମୁଁ ଜଙ୍ଗଲର ରାଜା’ ଫରେଷ୍ଟ ଗାର୍ଡ଼ କହୁଛି ତ କିଏ କହୁଛି ମୁଁ ତମ ରାଜା ‘ପୋଲିସ କନଷ୍ଟେବଲ୍’ କିଏ ବସ୍ ଭିତରେ କଣ୍ଡକ୍ଟର ହୋଇ ରାଜା ବନିଛି ତ କିଏ ରାସ୍ତାର ଚେକ୍ ଗେଟରେ ରାଜା ସାଜିଛି । ଆଉ ହାକିମ ମାନେ ହୋଇଛନ୍ତି ଏ ରାଜାମାନଙ୍କ ଉପରେ ରାଜାଧିରାଜା–ମହାରାଜା ।

 

ଗାଁ’ରେ ମୂଲ ଖଟୁଥିବା ମୂଲିଆ ଏ ଖରାଦିନେ ତା’ର ପୁରୁଣା ଜଙ୍ଗଲରୁ ବାଉଁଶ ଦି’ଗଛ କିମ୍ୱା କାଠ ବୋଝାଏ ଆଣି ବିକି ଭାଙ୍ଗି ଖାଇବା ଦିନ ଆଉ ନାହିଁ । ଜମିରେ ଯେଉଁମାନେ ମାଟି କାମ କରାଉ ଥିଲେ ସେମାନେ ସିଲିଂ ଯୋଗୁଁ କେତେ ଜମି ରହିବ ନ ଜାଣି କାମ ବନ୍ଦ କରି ଦେଇଛନ୍ତି । ପୋଖରୀ ଖୋଳି ଧର୍ମ କରିବା ଦିନ ଚାଲିଗଲାଣି । ପଞ୍ଚମ ଯୋଜନାର ନିଷ୍ପତ୍ତି ବିନା ସରକାରୀ କାମ ଆରମ୍ଭ ହେବାକୁ ଢେରୀ, ଧାନ କୁଟିଲେ ଯେଉଁ ଖୁଦ ଚାଉଳ ଟିକକ ମିଳୁଥିଲା ତାହା ବି ଗଲା ଭୋକିଲା ଜନତା କାମ ବିନା ତା’ର ବାସନ କୁସନ, ଗହଣାଗାଣ୍ଠି, ଗାଈ ବଳଦ ବିକି ସାରିଲା ପରେ ନିଜ ପୁଅ ଝିଅଙ୍କୁ ବିକିବାକୁ ଆରମ୍ଭ କରିଛି । ଆହା କରିବାକୁ କେହି ନାହିଁ ।

 

ଶିକ୍ଷିତ ଜନତା ନାନା ରଙ୍ଗର ପତାକା ସହ ତା’ର ବିରାଟ ପଟୁଆର ନେଇ ସ୍ଳୋଗାନ୍ ଦେଇ ଦେଇ ସହରର ଦାଣ୍ଡମାନଙ୍କରେ ମାର୍ଚ୍ଚ କଲାବେଳେ ହାତ ମୁଠା ଟାଣ କରି ଚିତ୍କାର କରୁଛି–‘ଆହୁରୀ ବେଶୀ ଦରମା ଦିଅ–ମହଙ୍ଗା ଭତ୍ତା ବଢ଼ୁ ।’ ସେମାନଙ୍କ ସମୟ କାହିଁ ଯେ ସେମାନେ ଏ ଭୋକିଲା ଲୋକଙ୍କୁ ଦେଖିବେ ?

 

ଜାତିର ପ୍ରାଣ କେନ୍ଦ୍ର–ଛାତ୍ରସମାଜ ତାଙ୍କ ନିଜ କଳିକଜିଆ ତଥା ଶିକ୍ଷକ ଓ ବିଶ୍ୱବିଦ୍ୟାଳୟ ବିରୋଧୀ ଅଭିଯାନରେ ବ୍ୟସ୍ତ ଅଥବା ସିନେମା ଦେଖାରେ ମସଗୁଲ୍ ସେମାନଙ୍କ ଆଖି ବା ଏଆଡ଼ିକି ଯିବ କାହିଁକି ?

 

ବାପୁ ନାହାନ୍ତି କି ସେ ଗୋପବନ୍ଧୁ ନାହାନ୍ତି । କା’ ଆଖିରୁ ପାଣି ଝରିବ ?

 

ଜନତାର ଆର୍ତ୍ତ ‘ମୁନ୍ଦିଏ ପାଣିଦିଅ’ ଡାକ ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଛି ।

 

ମନେହୁଏ ଯେ ସେ କାଳ ଆଉ ଏ କାଳ ଭିତରେ କିଛି ବିଶେଷ ପାର୍ଥକ୍ୟ ନାହିଁ । ରାଜା ଥାଉ ବା ନ ଥାଉ–ମଣିଷ ସବୁଦିନେ ସେଇ ମଣିଷ–ଭଲ ଓ ମନ୍ଦ ମିଶାମିଶି ।

 

ନାଟକରେ ସେହି ଜଣେ ମଣିଷ ଯେପରି କେତେବେଳେ ‘ମହାରଥୀ କର୍ଣ୍ଣ’ ସାଜେ ଓ କେତେବେଳେ ‘ମୃତ ସୈନିକ’ ବନିଯାଏ, ମଣିଷ କେଉଁ କାଳରେ ‘ପ୍ରଜା’ ହୁଏ ତ କେଉଁ କାଳରେ ହୁଏ ‘ଜନତା’

 

ତଫାତ୍ କିଛି ନାହିଁ । କେବଳ କାଳର ବିଡ଼ମ୍ୱନା ।

Image

 

କୀର୍ତ୍ତିମୟୀ ମାଆ ମୋର

 

ଆମ ଜନ୍ମଭୂମି ଉତ୍କଳକୁ ମରୁଡ଼ି ଆସେ–ତା’ପରେ ଆସେ ବନ୍ୟା । ବେଳେ ବେଳେ ବନ୍ୟା ପରେ ବନ୍ୟା ଆସେ, ମରୁଡ଼ି ପରେ ମରୁଡ଼ି ଆସେ, ଆଉ ବନ୍ୟା ଓ ମରୁଡ଼ି ମଝିରେ ଦେଖା ଦିଏ ବାତ୍ୟା–ବନ୍ୟା ଆଉ ମରୁଡ଼ି ଦାଉରୁ ଯାହା କିଛି ଉବୁରି ରହିଥାଏ ତା’କୁ ଉଡ଼ାଇ ନେଇ ଚକା ଚକା ଭଉଁରୀ ଖେଳିବା ପାଇଁ । ଚକାଡ଼ୋଳାଙ୍କ ଚକ ପରି ଆଖି ତଳେ ଓଡ଼ିଆ ଜାତି ସବୁଦିନ ଛଟପଟ ହେଉଥାଏ ।

 

କାଳଚକ୍ରର ଆବର୍ତ୍ତନରେ ମଣିଷ ସୁଖ ଓ ଦୁଃଖ ଭୁଞ୍ଜେ ବୋଲି କେତେ ମନୀଷୀ କହନ୍ତି-। ଏହି କାଳଚକ୍ର ଯେ ଠିକ୍ କ’ଣ ଓ ତା’ର ଆବର୍ତ୍ତନ କେଉଁ ନିୟମ ଅନୁଯାୟୀ ହୁଏ ସେ କଥା କିନ୍ତୁ କେହି କହି ଯାଇ ନାହାନ୍ତି । କେହି କହାନ୍ତି ଯେ ପ୍ରକୃତିର ନିୟମ ଅନୁଯାୟୀ ରାତ୍ରିର ଯେପରି ଶେଷ ହୁଏ ଓ ଦିନ ଆସେ, ଠିକ୍ ସେପରି ଦୁଃଖର ଅବସାନ ଘଟେ ଓ ସୁଖ ଆସେ । ପ୍ରକୃତିର ନିୟମରେ ଆବଦ୍ଧ ପୃଥିବୀର ଘୂର୍ଣ୍ଣନ ଓ ଏହି କାଳଚକ୍ରର ଆବର୍ତ୍ତନ ଯଦି ଏକା ଧରଣର ହୋଇ ଥାଆନ୍ତା ତେବେ ମଣିଷ ଜୀବନରେ ସୁଖ ଓ ଦୁଃଖ ପ୍ରାୟ ସମାନ ସମାନ ବା ଅଧାଅଧି ହୁଅନ୍ତା । କିନ୍ତୁ ଦେଖାଯାଏ ଯେ କାହା କାହା ଜୀବନରେ ଦୁଃଖ ପରେ ସୁଖର ବଦଳରେ ପୁନର୍ବାର ଦୁଃଖ ହିଁ ଆସେ ଓ ତା’ ପରେ ପୁଣି ଦେଖାଦିଏ ନୂତନ ଦୁଃଖ–ଗୋଟିକର ଶେଷ ନ ହେଉଣୁ ଆଉ ଗୋଟିଏ ପହଞ୍ଚିଯାଏ । ଦୁଃଖର ଅବିରାମ ଧାରା ଚାଲିଥାଏ ଅସରନ୍ତି ରୂପରେ–ଅନନ୍ତମୁଖୀ ହୋଇ ଏହି ହତଭାଗ୍ୟ ଓ ହତଭାଗିନୀମାନଙ୍କ ଜୀବନରେ ରାତ୍ରି ପରେ କେବଳ ରାତ୍ରି ହିଁ ଆସେ ଗଭୀରରୁ ଗଭୀରତର ହୋଇ । ଦିନ ଆସିବା ତ ଦୂରର କଥା, ସିନ୍ଦୁରା ବି ଫାଟେନି । ଅନ୍ଧକାରର ଗଭୀରତା ମଝିରେ ଯେଉଁ ଆଲୋକ ଟିକିଏ କାହିଁ କେଉଁଠି ଦେଖା ଦିଏ, ସେ ଆଲୋକ କେବଳ ଜ୍ୟୋତିରିଙ୍ଗଣର ଆଲୁଅ ।

 

ଭାରତରେ ମା’ ମାନଙ୍କ ଜୀବନ ବୋଧହୁଏ ଏଇ ଧରଣର । ଭାରତର ମାତୃ ଜାତିର ପ୍ରତୀକ ସତୀ ସାଧ୍ୱୀ ସୀତାଙ୍କ ଦୁଃଖମୟ ଜୀବନ କାହାଣୀ ଏ ସମ୍ୱନ୍ଧରେ ମନେପଡ଼େ

 

ମିଥିଳା ପୁରୀର ରାଜନନ୍ଦିନୀ ଅଲିଅଳ ଜାନକୀ । ରଘୁ କୁଳର ବଧୂ, କୋଦଣ୍ଡଧାରୀ ରାମଚନ୍ଦ୍ରଙ୍କ ପତ୍ନୀ, ରାଜା ଦଶରଥ ଓ ରାଜରାଣୀ କୌଶଲ୍ୟାଙ୍କ ଦୁଲାଳୀ ସୀତା ।

 

ରାମଚନ୍ଦ୍ର ଯୁବରାଜ ହେବେ ଓ ସେ ହେବେ ଯୁବରାଣୀ ।

 

ଅଭିଷେକ ଲଗ୍ନ ପାଖେଇ ଆସୁଛି । ରାମ ଓ ସୀତା ନିତ୍ୟକର୍ମ ସାରି ପ୍ରସ୍ତୁତ ହେଉଛନ୍ତି, ରାଜାଙ୍କ ଡାକରା ଆସିଲା । ଲଗ୍ନ ବେଳ ତ ଆସିନି–ଯିବା ପାଇଁ ହଠାତ୍ ଏମିତି ଡାକରା । ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହେଲେ । ହେଇ ଆସୁଛି ବୋଲି ସୀତାଙ୍କୁ କହି ତରତରରେ ବାପାଙ୍କ ପାଖକୁ ଚାଲିଗଲେ-। କିଛି ସମୟ ପରେ ଫେରି ଆସି ସେ ଯେତେବେଳେ କହିଲେ ଯେ ସେ ଚଉଦବର୍ଷ ପାଇଁ ବନବାସ ଯିବେ ସତ୍ୟସନ୍ଧ ଶ୍ରୀରାମଙ୍କ ମୁଖରୁ ଏପରି ଗୋଟିଏ ପରିହାସର କଥା ସୀତା ପ୍ରଥମରେ ବିଶ୍ୱାସ କରି ପାରିଲେନି ଅଭିଷେକ ବଦଳରେ ଆରମ୍ଭ ହେଲା ବନବାସ । ରାଜ ଦୁଲାଳୀ ସୀତା କୈକେୟୀଙ୍କ ପାଖକୁ ଯେତେବେଳେ ବିଦାୟ ନେବାକୁ ଗଲେ ଗହଣାଗାଣ୍ଠି ତ ଦୂରର କଥା, ପାଲଟିବା ପାଇଁ ଆଉ ଖଣ୍ଡିଏ ଶାଢ଼ୀ ମଧ୍ୟ ସାଙ୍ଗରେ ନେବାକୁ କୈକେୟୀ ଆପତ୍ତି କଲେ । କଣ୍ଟା ବଣ, ଗୋଜିଆ ପଥର, ରୁଗୁଡ଼ ମାଟି, ଚିକିଟା କାଦୁଅ ଉପର ଦେଇ ଖାଲି ପାଦରେ ବୁଲା ଜୀବନ ଆରମ୍ଭ କଲେ ବିଦ୍ରୋହର ରାଜକନ୍ୟା ବୈଦେହୀ । ବର୍ଷ ବର୍ଷ ଧରି ବଣର ଫଳମୂଳ ହେଲା ତାଙ୍କର ଆହାର । ମାଟି ଉପରେ ଖଡ଼ କିମ୍ୱା ପତର ବିଛା ହୋଇଥିବା ଶଯ୍ୟା ହେଲା ତାଙ୍କର ପଲଙ୍କ ସୁପାତି-

 

ଦୁଃଖ ଭିତରେ ସୁଖର ଝଲକ ହୋଇ ହଠାତ୍ ଦେଖାଦେଲା ସୁବର୍ଣ୍ଣର ମୃଗ । ତୃଷ୍ଣାର ଆକର୍ଷଣୀ ଶକ୍ତିରୁ ଅନେକ ଦୂରରେ ଥାଇ ମଧ୍ୟ କାଳଚକ୍ରର ଆବର୍ତ୍ତନରେ ସୀତା ସେହି ସୁନା ହରିଣ ଆଡ଼କୁ ହାତ ବଢ଼ାଇଲେ । ହରିଣ ପଛରେ ଗୋଡ଼ାଇ ଗଲେ ରାମ ଓ ରାମଙ୍କ ପଛରେ ଗଲେ ଲକ୍ଷ୍ମଣ । ସୀତାଙ୍କ ସେ ହାତକୁ ଟାଣି ନେଇଗଲା ଲଙ୍କାର ରାବଣ ।

 

ଦୁଃଖ ଦୁର୍ଦ୍ଦଶାର ଚରମ ମୁହୂର୍ତ୍ତରେ ଆଶାର ଆଲୋକ ରୂପରେ ଦେଖା ଦେଲା ଜଟାୟୁ । ମାତୃଜାତିର ମଥାମଣିଙ୍କୁ ରକ୍ଷା କରିବାକୁ ଯାଇ ମହାପ୍ରତାପୀ ରାବଣର ବାଟ ଓଗାଳିଲା ସାମାନ୍ୟ ଗୋଟିଏ ପକ୍ଷୀ । ପକ୍ଷୀ ଜାଣିଥିଲା ଯେ ବିଶ୍ୱ ବିଜୟୀ ଦଶାନନର ଦୁର୍ଦ୍ଦାନ୍ତ ଶକ୍ତି ସମ୍ମୁଖରେ ତା’ର ନଖ ଓ ଚଞ୍ଚୁର ସାମର୍ଥ୍ୟ ଅତ୍ୟନ୍ତ କ୍ଷୀଣ, ତଥାପି ଦୁର୍ବଳ ଉପରେ ସବଳର ଏପରି ଅତ୍ୟାଚାରକୁ ବିରୋଧ କରିବା ତା’ର କର୍ତ୍ତବ୍ୟ ବୋଲି ସେ ମନେ କରିଥିଲା । କିନ୍ତୁ ପାରିଲାନି । ଜୀବନ ଦେଇ କେବଳ ଆଦର୍ଶ ରଖି ଦେଇଗଲା ।

 

ଶେଷରେ ରାବଣର ସର୍ବନାଶ ହେଲା । କିନ୍ତୁ ସୀତାଙ୍କ ଦୁଃଖର ଶେଷ ହେଲାନି–ଦୁଃଖର ଯେତେବେଳେ ଅନ୍ତ ହେବା କଥା ସେତିକିବେଳେ ଶ୍ରୀରାମ ଚାହିଁଲେ ଅଗ୍ନି ପରୀକ୍ଷା । ଅଗ୍ନି ପରୀକ୍ଷା ହେଲା–ତଥାପି ସୀତା ହେଲେ ଶେଷରେ ନିର୍ବାସିତା । ସୀତାଙ୍କର ତପସ୍ୱିନୀ ଜୀବନ ଶେଷରେ ଯେତେବେଳେ ସେ ଆଉ ଥରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ଲାଭ କଲେ ଶ୍ରୀରାମ ଚାହିଁଲେ ସମସ୍ତଙ୍କ ସମ୍ମୁଖରେ ଆଉଥରେ ପରୀକ୍ଷା । ସତୀଙ୍କ ଦୁଃଖରେ ପୃଥିବୀ ମଧ୍ୟ ଫାଟିଗଲା–ସେ ଭିତରେ ଶେଷ ଆଶ୍ରୟ ଦେଲେ ସାଧ୍ୱୀ ସୀତା । ଦୁଃଖର ଅବସାନ ହେଲା ଏପରି ଭାବରେ ।

 

ବନ୍ୟା, ବାତ୍ୟା ଓ ମରୁଡ଼ି ପ୍ରପୀଡ଼ିତା ଉତ୍କଳ ଜନନୀର ଦୁଃଖ କାହାଣୀ ମଧ୍ୟ ଠିକ୍ ଏଇ ଧରଣର ବୋଲି ମନେହୁଏ ।

 

କଳା ଓ ଭାସ୍କର୍ଯ୍ୟର ଗାରିମାରେ ଗାରିମାମୟ ଏ ଉତ୍କଳ ମହୋଦଧି ତା’ର ଚରଣ ଧୌତ କରେ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ପରି ମହା ମହା ନଦୀ ତା’ର କେଶ ପଖାଳେ, ଚିଲିକାର ନୀଳ ଦର୍ପଣରେ ସେ ମୁହଁ ଦେଖେ । ଖଣିଜ ଓ ପ୍ରାକୃତିକ ସମ୍ପଦରେ ଭରା ଏ ଉତ୍କଳ ସିଂହଳ ଠାରୁ ସୁଦୂର ଜାଭା ସୁମାତ୍ରର ବୋର୍ଣ୍ଣିଓ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଦିନେ ସେ ଥିଲା ମଥାମଣି-

 

ତଥାପି ତା’ର ଦୁଃଖ ଦୁର୍ଦ୍ଦଶାର କାହାଣୀ ସୀତାଙ୍କ ଦୁଃଖମୟ ଜୀବନ କାହାଣୀ ପରି ।

 

ଏ ଦୁଇ କାହାଣୀ ମଧ୍ୟରେ କିନ୍ତୁ ବିଶେଷ ପାର୍ଥକ୍ୟ ରହିଛି । ସୀତାଙ୍କ ଦୁଃଖ ଦୁର୍ଦ୍ଦଶା ମଣିଷର ଆୟତ୍ତାଧୀନ ନ ଥିଲା । ବନ୍ୟା ଓ ମରୁଡ଼ି କୌଣସି କାଳଚକ୍ର ଆବର୍ତ୍ତନର ପରିଣତି ହେଲେ ମଧ୍ୟ ମଣିଷର ଆୟତ୍ତାଧୀନ ।

 

ରାବଣ କୁମ୍ଭକର୍ଣ୍ଣ ରୂପୀ ଏହି ରାକ୍ଷସମାନଙ୍କୁ ଗୋଟିଏ ମାତ୍ର ଜଟାୟୁ ଅଟକାଇ ରଖି ନ ପାରେ । କିନ୍ତୁ ଉପଯୁକ୍ତ ଅଧିନାୟକତ୍ୱରେ ମାଙ୍କଡ଼ ଓ ଭାଲୁଙ୍କ ପଲ ରାକ୍ଷସମାନଙ୍କୁ ହନ୍ତସନ୍ତ ଓ ବ୍ୟତିବ୍ୟସ୍ତ କରିଦେଲା ପରି ଓଡ଼ିଆ ଜାତି ଯେ ଏଇ ଭୟଙ୍କର ରୂପୀ ବନ୍ୟା ମରୁଡ଼ି ଦାନବମାନଙ୍କୁ ଆକଟ କରିପାରେ ସେଥିରେ ସନ୍ଦେହ ନାହିଁ । ହୀରକୁଦ ବନ୍ଧ ତହିଁର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ପ୍ରଳୟଙ୍କରୀ ମହାନଦୀ ବନ୍ୟାର ସ୍ଥାୟୀ ପ୍ରତିକାର ଯେତେବେଳେ କଳ୍ପନା କରାଗଲା ସେତେବେଳେ ହୀରାକୁଦ ବନ୍ଧ ସଙ୍ଗରେ କଳ୍ପନା କରାଯାଇଥିଲା ଟିକରପଡ଼ା ଓ ପରାଜ ବନ୍ଧ ଯୋଜନା । ହୀରାକୁଦ ବନ୍ଧ ଥିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ।

 

ଓଡ଼ିଶାର ଗଙ୍ଗା ଏଇ ମହାନଦୀ ମହାନ୍ ତା’ର ଭୈରବୀ ମୂର୍ତ୍ତି । ସମ୍ୱଲପୁର ପାଖରେ ପହଞ୍ଚିଲାବେଳକୁ ୩,୦୦୦ ବର୍ଗ ମାଇଲର ବିଶାଳ ଭୂଖଣ୍ଡରୁ ଜଳ ସଂଗ୍ରହ କରି ସେ ଧରିଛି କାଳୀୟ ନାଗର ଭୟଙ୍କରୀ ରୂପ । ଫୁତ୍କାର ସହ ଶିଳାମାନଙ୍କରେ ଫଣା କଚାଡ଼ି କଚାଡ଼ି ‘ରାମପାଦ’ ପାଖରେ ତା’ର ବିଷ ସବୁ ଢାଳି ଦେଇ ଜଳକୁ କରିଛି ଫେନିଳ । ନାଉରୀ ସେ ପାଖ ଦେଇ ନାଆ ବାହି ନେବାକୁ ସାହସ କରେନି ‘ଗଙ୍ଗାମାୟୀ’ଙ୍କ ଦୟା ବିନା ଯାତ୍ରୀ ଜୀବନ ଧରି ନଈର ଗୋଟିଏ କୂଳରୁ ପ୍ରାୟ ମାଇଲିଏ ଦୂରର ଅନ୍ୟ କୁଳକୁ ଯାଇପାରେନି । ପ୍ରାଣ ବିକଳରେ ସେ ଯାଗେ ନଡ଼ିଆ ସାଙ୍ଗରେ କେତେ ଜୀବନ୍ତ ପଶୁବଳି । ସେଇ ନଦୀ ପୁଣି ବନ୍ଧା ହେବ । ମଣିଷର ଏଇ ଅଦ୍ଭୁତ ସାହସକୁ ସେ ଦିନର କେତେ ବିଶ୍ୱାସ ମଧ୍ୟ କରିପାରି ନ ଥିଲେ ।

 

ବାଘ, ଭାଲୁ ଓ ବଣୁଆ ହାତୀ ଉପଦ୍ରୂତ ବୁର୍ଲା ଓ ହୀରାକୁଦ ଅଞ୍ଚଳର ନିବିଡ଼ ଅରଣ୍ୟ ଭିତରେ ବନ୍ଧର ସର୍ବଶ୍ରେଷ୍ଠ ସ୍ଥାନ ନିରୂପଣ କରିବା ପାଇଁ ସର୍ଭେ ସାଙ୍ଗରେ ବିଭିନ୍ନ ସ୍ଥାନମାନଙ୍କରେ ପରୀକ୍ଷା ସବୁ ଯେତେବେଳେ ଚାଲିଥିଲା କୌତୂହଳୀ ଲୋକେ ଦଳ ଦଳ ହୋଇ ଦେଖିବାକୁ ଆସୁଥିଲେ, ବନ୍ଧର ସ୍ଥାନକୁ ନୁହେଁ, ମହାନଦୀ ବାନ୍ଧିବାକୁ ସାହସ କରୁଥିବା କେତେକ ପାଗଳଙ୍କୁ ପ୍ରଶ୍ନ ଛଳରେ ପରିହାସ କରୁଥିଲେ । ବେଳେ ବେଳେ କଥାବାର୍ତ୍ତା ଏପରି ଭାବରେ ଚାଲୁଥିଲା-

 

...ବାବୁ ଏ ନଦୀକୁ ବାନ୍ଧିବ ?

 

....ହଁ ।

 

....ଏ ପାହାଡ଼ରୁ ସେ ପାହାଡ଼କୁ ବାନ୍ଧିଦେବ ?

 

....ହଁ

 

.....ତମର ତ ଲାଙ୍ଗୁଡ଼ ନାହିଁ ।

 

.....ଲାଙ୍ଗୁଡ଼ କାହିଁକି ?

 

....ହନୁମାନ ସମୁଦ୍ରକୁ ବାନ୍ଧିଦେଲା । ତା’ର ଲାଙ୍ଗୁଡ଼ ଥିଲା ।

 

ଅନ୍ୟମାନେ ହସି ହସି ଉତ୍ତର ଦେଉଥିଲେ–‘ଆଉ କେତେଦିନ ଗଲେ ବାବୁଙ୍କର ଲାଞ୍ଜ ବାହାରିବ ଯେ ।’

 

ଆଉ କେହି କେହି ବା ପୁରୁଣା ଖବରକାଗଜ ଖଣ୍ଡିଏ ବାହାର କରି ସାଙ୍ଗସାଥୀଙ୍କୁ ଶୁଣାଇ ମିଛରେ ପଢ଼ୁଥିଲେ–‘ଯୁବକ ନିରୁଦ୍ଦିଷ୍ଟ । ବର୍ଣ୍ଣ ଶାବନା–ଉଚ୍ଚତା ପାଞ୍ଚଫୁଟ ଆଠଇଞ୍ଚ–ନାକରେ ଗହୀରିଆ ବସନ୍ତ ଦାଗ । ଖାକି ପେଣ୍ଟ ଖଣ୍ଡିଏ ପିନ୍ଧିଛି । ମସ୍ତିଷ୍କ ବିକୃତି ଯୋଗୁଁ କେତେମାସ ହେଲା ଘର ଛାଡ଼ି ଚାଲି ଯାଇଛି ।’ ଏତିକିବେଳେ ଅନ୍ୟ କେହି ସମବେଦନା ଜଣାଇ ପରାମର୍ଶ ହେଉଥିଲା ‘ବାବୁ–ପ୍ରଥମ ଅବସ୍ଥାରେ କୁଆଡ଼େ ରାଞ୍ଚିରେ ଭଲ ହୋଇ ଯାଉଛନ୍ତି....

 

ଆଉ କେତେ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ନୀତିଗତ ସଂଶୟ ପ୍ରକାଶ କରୁଥିଲେ । ଗୋଟିଏ ଅଞ୍ଚଳକୁ ବନ୍ୟା ବିପଦରୁ ରକ୍ଷା କରିବାକୁ ଯାଇ ଆଉ ଗୋଟିଏ ଅଞ୍ଚଳକୁ ଚିରଦିନ ବୁଡ଼ାଇ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ହିଁ ଥିଲା ସେମାନଙ୍କ ମୌଳିକ ପ୍ରଶ୍ନ । ସେମାନେ ପୁଣି ଦର୍ଶାଉଥିଲେ ଯେ ପଟୁମାଟି ଯୋଗୁଁ ହୀରାକୁଦ ବନ୍ଧ ୪୦ । ୫୦ ବର୍ଷ ଭିତରେ ପୋତି ହୋଇଯିବ-

 

ସ୍ୱାଧୀନ ଭାରତର ପ୍ରଥମ ମନ୍ଦିର ହୀରାକୁଦ ବନ୍ଧ ତିଆରି ଶେଷ ହେଲା, କିନ୍ତୁ ମହାନଦୀ ଉପତ୍ୟକା ଉନ୍ନୟନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ମଧ୍ୟ ହେଲାନି । ହୀରାକୁଦ ବନ୍ଧ ବନ୍ୟାର ପ୍ରତିକାର କରି ନ ପାରିଲେ ମଧ୍ୟ ଆଂଶିକ ଭାବରେ ବନ୍ୟାର ନିୟନ୍ତ୍ରଣ କରି ଓ ଆଖପାଖ ଅଞ୍ଚଳ ମରୁଡ଼ି ପ୍ରପୀଡ଼ିତ ହେଲେ ମଧ୍ୟ ତା’ର ଜଳସେଚିତ ଅଞ୍ଚଳକୁ ଶସ୍ୟ ଶ୍ୟାମଳା କରି ପ୍ରମାଣିତ କରିଛି ଯେ ବନ୍ୟା ଓ ମରୁଡ଼ି ମଣିଷର ଆୟତ୍ତାଧୀନ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ମଧ୍ୟ ଏପରି ଭାବରେ ମରୁଡ଼ିରୁ ମୁକ୍ତ କରାଯାଇପାରେ । ଏପରି ରାକ୍ଷସମାନଙ୍କୁ ଆୟତ୍ତ କରିବା ପାଇଁ କିନ୍ତୁ ଲୋଡ଼ା ଜଟାୟୁର ତ୍ୟାଗ, ଗୁଣ୍ଡୁଚି ମୂଷାର ଅଧ୍ୟବସାୟ–ମାଙ୍କଡ଼ ଓ ଭାଲୁଙ୍କ ମିଳିତ ଉଦ୍ୟମ ଓ ଯୁଥପତିଙ୍କ ସୁଦକ୍ଷ ପରିଚାଳନା ।

 

ଦୁଃଖ ପରେ ସୁଖ ନ ଆସି ଯଦି ଦୁଃଖ ହିଁ ଆସେ ତେବେ ସେହି କାଳଚକ୍ର ଆବର୍ତ୍ତନର ନିୟମରେ ଓଡ଼ିଆ ଜାତି ପାଇଁ ସୁଖ ପରେ ସୁଖ ଓ ତା’ପରେ ପୁଣି ସୁଖ ଆସିବ ନାହିଁ କାହିଁକି ?

Image

 

ପାହିଲାଣି ଏବେ

 

ଉତ୍‍ଥାନ ଓ ପତନ ଧରାର ରୀତି ।

 

ଯେ କୌଣସି ଜାତିର ଜୀବନରେ ମଧ୍ୟ ଏ ନିୟମ ସମାନ ଭାବରେ ପ୍ରଯୁଜ୍ୟ । ତେଣୁ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଇତିହାସରେ ଏହାର ବ୍ୟତିକ୍ରମ ହେବ ବା କିପରି ? ତଥାପି ଖାରବେଳଙ୍କ ଓଡ଼ିଶା, କଳିଙ୍ଗ ଯୁଦ୍ଧରେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା, ଜଗନ୍ନାଥ ଧର୍ମର ପୀଠସ୍ଥଳୀ ଓଡ଼ିଶା, ବିଶୁ ମହାରଣା–ଧରମା-ବାଇମୁଣ୍ଡିଙ୍କ ଓଡ଼ିଶା, ସମୁଦ୍ର ବୁକୁର ଦୂର ଦୂରାନ୍ତରେ ଇତିହାସ ସୃଷ୍ଟି କରିଥିବା ଆ-କା-ମା-ଭୈର ଓଡ଼ିଶା, ସୁରେନ୍ଦ୍ର ସାଏ ଓ ବକ୍ସି ଜଗବନ୍ଧୁଙ୍କ ଓଡ଼ିଶା ଯେ ଦିନେ ତା’ର ସ୍ୱାତନ୍ତ୍ର୍ୟ ହରାଇ ବସିବ ସେ ଆଶଙ୍କା ଆମ ପୂର୍ବପୁରୁଷ ମାନଙ୍କ ମନରେ କୌଣସି କାଳେ ସ୍ଥାନ ପାଇ ନଥିବ ।

 

ଆଞ୍ଚଳିକ ଭାଷାରେ ଯେ ସାହିତ୍ୟ ସୃଷ୍ଟି କରାଯାଇପାରେ ସେ ଭାବନା ଯେତେବେଳେ ଭାରତର ଅନେକ ଅଞ୍ଚଳରେ କବିମାନଙ୍କ ମନରେ ସ୍ଥାନ ସୁଦ୍ଧା ପାଇ ନ ଥିଲା, ଶୂଦ୍ର ମୁନି ଓଡ଼ିଆରେ ମହାଭାରତ ଲେଖି ସାରିଥିଲେ । ସଂସ୍କୃତି ହିଁ ଏକମାତ୍ର ଆର୍ଯ୍ୟ ଭାଷା ଓ ପ୍ରକୃତ ଭାଷା କେବଳ ଶୂଦ୍ର ଭାଷା, ମ୍ଳେଚ୍ଛ ଭାଷା ତଥା ତୁଚ୍ଛ ଭାଷା ବୋଲି ଯେତେବେଳେ ସ୍ୱନାମଧନ୍ୟ କବିମାନେ କହୁଥିଲେ, ସେତେବେଳେ ଜଗନ୍ନାଥ ଦାଶଙ୍କ ଭାଗବତ ଓଡ଼ିଆଙ୍କ ଘରେ ଘରେ ପୂଜା ପାଇ ଭାରତୀୟ ସଂସ୍କୃତି କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରି ସାରିଥିଲା । ବଳାରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ, ଅନନ୍ତ ଦାସ, ଚୈତନ୍ୟ ଦାସ, ଭକ୍ତ ଚରଣ ଦାସ ଓଡ଼ିଆରେ ସେମାନଙ୍କ ଅମର କୃତୀ ଦେଇ ସାରିଥିଲେ । ଆମ ପଡ଼ୋଶୀ ରାଜ୍ୟମାନେ ଯେଉଁ ସମୟରେ ଓଡ଼ିଆ ଭାଷାର ଚମତ୍କାରିତାରେ ଆଶ୍ଚର୍ଯ୍ୟ ହୋଇ ବିସ୍ଫାରିତ ନେତ୍ରରେ ଚାହିଁ ରହିଥିଲେ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ସାହିତ୍ୟରେ ନୂତନ ଯୁଗ ଆରମ୍ଭ କରିଦେଇଥିଲେ–ପାଲା, ଦାସକାଠିଆ ଓ ଗୋଟିପୁଅଙ୍କ ମୁହଁରେ କବିସୂର୍ଯ୍ୟଙ୍କ ଚମ୍ପୂ, ଅଭିମନ୍ୟୁ, ଦୀନକୃଷ୍ଣ, ଭକ୍ତଚରଣଙ୍କ ଛାନ୍ଦ ଗାଁ ଦାଣ୍ଡରେ ଝଙ୍କାରି ଉଠୁଥିଲା–କୋଇଲି ଓ ଚଉତିଶା ଯୋଗୀମାନଙ୍କର କେନ୍ଦରାରେ ମୂର୍ଚ୍ଛନା ତୋଳୁଥିଲା ଆଉ ଶଗଡ଼ ଦଣ୍ଡାରୁ ଶଗଡ଼ିଆର ‘ଗଲାଣି ତ ଗଲା କଥାରେ ସଙ୍ଗାତ....’ ବଣ ଜଙ୍ଗଲ କମ୍ପାଇ ଦେଉଥିଲା ।

 

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଓ ବିଂଶ ଶତାବ୍ଦୀର ଆରମ୍ଭରେ ସେହି ଓଡ଼ିଆ ଭାଷା ଗୋଟିଏ ସ୍ୱତନ୍ତ୍ର ଭାଷା ଓ ଓଡ଼ିଆ ଜାତି ଗୋଟିଏ ସ୍ୱତନ୍ତ୍ର ଜାତି କି ନୁହେଁ ସେ ସମ୍ୱନ୍ଧରେ ପ୍ରଶ୍ନ ଉଠିଥିଲା ।

 

ଭାଗ୍ୟର କି ବିଡ଼ମ୍ୱନା !

 

ସେତେବେଳକୁ ଓଡ଼ିଶା ଖଣ୍ଡ ଖଣ୍ଡ ହୋଇ ସାରିଥିଲା ଆଉ ଓଡ଼ିଶା ବୋଲି କୌଣସି ପ୍ରଦେଶ ନ ଥିଲା । କବି ସମ୍ରାଟଙ୍କ ଜନ୍ମସ୍ଥଳୀ ଗଞ୍ଜାମ ତଥା କୋରାପୁଟ ଜିଲ୍ଲାକୁ ତେଲୁଗୁ ଭାଷା ଭାଷୀ ଅଞ୍ଚଳ ବୋଲି ସେ ଦିନର ସରକାର ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇ ଦେଇଥିଲେ । ସୁରେନ୍ଦ୍ରସାଏଙ୍କ କ୍ରୀଡ଼ାଭୂମି ସମ୍ୱଲପୁର ଓ ଆଖପାଖ ଗଡ଼ଜାତ ଅଞ୍ଚଳ ସବୁ ହିନ୍ଦୀ ଭାଷା ଭାଷୀ ଅଞ୍ଚଳ ବୋଲି ମଧ୍ୟପ୍ରଦେଶ ସହ ସମ୍ପୃକ୍ତ ଥିଲା । ବାକି ଯେଉଁ ଖଣ୍ଡକ ବଙ୍ଗଳାରରେ ମିଶିକରି ଥିଲା ତା’କୁ ବଙ୍ଗ ଭାଷା ଭାଷୀ ବୋଲି ଆମ ସେ ଦିନର ‘ଉପକାରୀ’ ବନ୍ଧୁଗଣ କହିବାକୁ ଆରମ୍ଭ କରି ଦେଇଥିଲେ ।

 

ଜାତିର ସେହି ଘୋର ଦୁର୍ଦ୍ଦିନରେ ଉତ୍କଳ ଜନନୀଙ୍କ କୋଳରେ ଯେଉଁ ଅମର ସନ୍ତାନ ସବୁ ଦେଖା ଦେଇଥିଲେ ସେ ସମସ୍ତେ ଓଡ଼ିଆ ଜାତିର ଚିର ନମସ୍ୟ ।

 

ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ, ବିଚିତ୍ରାନନ୍ଦ, ପ୍ରଚାରକ ଶ୍ରୀବତ୍ସ ପଣ୍ଡା, ଅନନ୍ତ ପଣ୍ଡା, କର୍ମବୀର ଗୌରୀଶଙ୍କର, ସାର୍ ସୁଢ଼ଳ ଦେବ, ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର, ମହନ୍ତ ବିହାରୀ ଦାସ, ବଳଭଦ୍ର ସୂପକାର, ମଦନମୋହନ ମିଶ୍ର, ଚନ୍ଦ୍ରଶେଖର ବେହେରା, ବୈକୁଣ୍ଡନାଥ ପୂଜାରୀ ଓ ବରେଣ୍ୟ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଆଜି ଏହି ଏପ୍ରିଲ ମାସ ଏକ ତାରିଖରେ ମନେପଡ଼େ

 

ଆହୁରି ମନେପଡ଼େ କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ସ୍ୱଭାବ କବି ଗଙ୍ଗାଧର, ବ୍ୟାସକବି ଫକୀର ମୋହନ ଓ ପଲ୍ଲୀକବି ନନ୍ଦକିଶୋରଙ୍କୁ, ମାୟାଧର ମାନସିଂହଙ୍କୁ ।

 

ଓଡ଼ିଶାର ଏହି କୃତି ସନ୍ତାନ ଓ ଉତ୍କଳ ଜନନୀଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅନେକ ମହାମନାଙ୍କ ଉଦ୍ୟମ ଫଳରେ ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହେଲା । ସିଂହଭୂମି, ମେଦିନୀପୁର, ରାୟଗଡ଼, ଶାରଙ୍ଗଗଡ଼, ବସ୍ତର ଆଉ ଅନ୍ୟାନ୍ୟ ଅନେକ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା ସତ, ତଥାପି ସେଦିନ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ଜୀବନ୍ୟାସ ପାଇଥିଲା–ନୂତନ ଚେତନା ନେଇ ଜାଗି ଉଠିଥିଲା ।

 

ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହେବାର ପୂର୍ବାବସ୍ଥା ମଧ୍ୟ ଆଜି ମନେପଡ଼େ କଲେଜ କହିଲେ ସେତେବେଳେ କେବଳ ରେଭେନ୍‍ସା କଲେଜକୁ ହିଁ ବୁଝାଉଥିଲା । ୧୯୩୯ ବିହାର–ଓଡ଼ିଶା ପ୍ରଦେଶର ଓଡ଼ିଶା ଅଞ୍ଚଳରେ ମେଡ଼ିକେଲ କଲେଜ, ଇଞ୍ଜିନିୟରିଂ କଲେଜ, ଟ୍ରେନିଂ କଲେଜ କିମ୍ୱା କୌଣସି ମହିଳା କଲେଜ ନ ଥିଲା ପୁଅ କଲେଜ କହ କି ଝିଅ କଲେଜ କହ, ସାଧାରଣ କଲେଜ କହ କି ବୈଷୟିକ କଲେଜ କହ–ସେଇ ଏକମାତ୍ର ରେଭେନ୍‍ସା କଲେଜ । ଆଜିର ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପରିସରଭୁକ୍ତ ଅଞ୍ଚଳରୁ ସେଦିନ ଯେତେ କଲେଜ ଛାତ୍ର ସେହି ରେଭେନ୍‍ସା କଲେଜରେ ପଢ଼ୁଥିଲେ ସେମାନଙ୍କ ସଂଖ୍ୟା ଆଙ୍ଗୁଠିରେ ଗଣିହୋଇ ଯାଇଥିଲା–ବେଶି ହେଲେ ହାତ ଆଙ୍ଗୁଠିରୁ ଗୋଡ଼ ଆଙ୍ଗୁଠି ଯାଏ । କଲେଜ ପାଠୁଆ ଝିଅ ସଂଖ୍ୟା ଥିଲା ପ୍ରାୟ ଶୂନ । ୧୯୩୭ରେ ଏ ଅଞ୍ଚଳର ପ୍ରଥମ କଲେଜ ପାଠୁଆ ଝିଅ ରେଭେନ୍‍ସା କଲେଜରେ ନାଁ ଲେଖାଇଥିଲେ ।

 

ସେଦିନ ସଙ୍ଗେ ତୁଳନା କଲେ ଆଜି ଓଡ଼ିଶା ଅନେକ ଆଗେଇ ଯାଇଛି । ଗୋଟିଏ କଲେଜ ଜାଗାରେ ୪ଟି ବିଶ୍ୱବିଦ୍ୟାଳୟ । ଏ ଅଞ୍ଚଳରେ ଗୋଟିଏ ମାତ୍ର କଲେଜ ପାଠୁଆ ଝିଅଙ୍କ ସ୍ଥାନରେ ଆଜି କେବଳ ସମ୍ୱଲପୁର ଓ ବୁର୍ଲା ସହରରେ ପ୍ରାୟ ୧୦୦୦ କଲେଜ ପାଠୁଆ ଝିଅ । ଭାରତର ଅନେକ ବିଶ୍ୱବିଦ୍ୟାଳୟ ମାନଙ୍କରେ ଓଡ଼ିଆ ଛାତ୍ର ସୁନାମ ଅର୍ଜନ କରି ସାରିଛନ୍ତି, ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ ଓଡ଼ିଆ ଛାତ୍ର ନିଜ ବୁଦ୍ଧିମତ୍ତାର ଯଥେଷ୍ଟ ପରିଚୟ ଦେଇଛି ।

 

ତଥାପି ଅନେକ ପରେ ଉଠିଥିବା ଆନ୍ଧ୍ର ପ୍ରଦେଶର ତୁଳନାରେ ବିଭାଜିତ ବଙ୍ଗ ତୁଳନାରେ–ଏ ଜାତି ଏତେ ପଛରେ ପଡ଼ି ରହିଛି କାହିଁକି ?

 

ଏ ସମ୍ୱନ୍ଧରେ ଗୋଟିଏ କଥା ମନେପଡ଼େ

 

ଶୁଣାଯାଏ ଯେ, ଥରେ କେହି ଜଣେ ଅତି ଉଚ୍ଚ ପଦସ୍ଥ ସର୍ବଭାରତୀୟ ହାକିମ ଉଚ୍ଚ ସ୍ତରରେ ଲୋକ ନିଯୁକ୍ତି କରୁଥିଲେ । ଜଣେ ରେଡ଼୍ଡ଼ି ଓ ଜଣେ ମିଶ୍ରଙ୍କୁ ଉପଯୁକ୍ତ ପ୍ରାର୍ଥୀ ବୋଲି ଭାବି ସେମାନଙ୍କ ଉପଯୋଗିତା ସମ୍ୱନ୍ଧରେ କିଛି ଜାଣିବା ଉଦ୍ଦେଶ୍ୟରେ ତାଙ୍କ ଚିହ୍ନା ଜଣେ ତେଲୁଗୁ ଓ ଜଣେ ଓଡ଼ିଆ ବନ୍ଧୁଙ୍କୁ ଏହି ରେଡ଼୍ଡ଼ି ଓ ମିଶ୍ର ସମ୍ୱନ୍ଧରେ ପଚାରିଲେ । ତେଲୁଗୁ ଭଦ୍ରଲୋକଙ୍କୁ ଯେତେବେଳେ ରେଡ଼୍ଡ଼ି କେମିତି ଲୋକ ବୋଲି ପଚରାଗଲା, ସେ ସାଙ୍ଗେ ସାଙ୍ଗେ ଜବାବ ଦେଲେ–‘ରେଡ଼୍ଡ଼ି ? ଆବ୍‍ବା...ଏମିତି ବଢ଼ିଆ ଲୋକ–ଯିଏ ତା’କୁ କର୍ମଚାରୀ କରି ପାଇବ ସେ ଭାଗ୍ୟବାନ୍ । କି ବୁଦ୍ଧି ! କି ବିଚକ୍ଷଣତା ! କି ଶୃଙ୍ଖଳା ଜ୍ଞାନ ! ଗଧ ପରି ଖଟିପାରେ, ଆଉ ଭାରୀ ବିଶ୍ୱାସୀ.....’

 

ଆଉ ଜଣେ ଏ ସବୁ ଶୁଣୁଥିଲେ । ସେ ପରେ ନିଭୃତରେ ଏ ଭଦ୍ରଲୋକଙ୍କୁ ପଚାରିଲେ–‘ଆଚ୍ଛା, ଆପଣ ତ ଦିଲ୍ଲୀରେ ରହନ୍ତି, ଆନ୍ଧ୍ରପ୍ରଦେଶର କେଉଁ କୋଣରେ ରହୁଥିବା ଏ ରେଡ଼୍ଡ଼ି ବିଷୟରେ ଏତେ କଥା ଆପଣ ଜାଣିଲେ କେମିତି ?’ ତେଲୁଗୁ ଭଦ୍ରଲୋକ ହସି ହସି ଜବାବ ଦେଲେ ‘ଆରେ–ଆନ୍ଧ୍ରରେ ଲକ୍ଷ ଲକ୍ଷ ରେଡ଼୍ଡ଼ି ଅଛନ୍ତି, ମୁଁ କାହିଁକି ଏ ରେଡ଼୍ଡ଼ିକୁ ଜାଣିବି ? ତେବେ ସବୁ ତେଲୁଗୁ ବୁଦ୍ଧିମାନ–ବିଚକ୍ଷଣ–ବିଶ୍ୱାସୀ.... ମୁଁ କ’ଣ ମୋର ଜଣେ ତେଲୁଗୁ ଭାଇ ସମ୍ୱନ୍ଧରେ କହିଥାଆନ୍ତି ଯେ ମୁଁ ତା’କୁ ଜାଣିନି କି ସେ ଭଲ ନୁହେଁ ?’’

 

ଓଡ଼ିଆ ଭଦ୍ରଲୋକ ମିଶ୍ର ବାବୁଙ୍କ ସମ୍ୱନ୍ଧରେ ମନ୍ତବ୍ୟ ଦେଲେ–‘କିଏ ? ସେ ମିଶ୍ର ତା’କୁ ନେବେ ? ରାମ୍ ରାମ୍–ସେମିତି ଭୁଲ କରିବେନି ସେଇଟା ଅପଦାର୍ଥ ଅଳସୁଆ କଜିଆଖୋର୍–କଥାପଦେ ବି ଭଲ କରି କହି ଜାଣେନି.... ।’

 

ତାଙ୍କୁ ଯେତେବେଳେ ପୁଣି ନିଭୃତରେ ଉପରୋକ୍ତ ଭଦ୍ରଲୋକ ପଚାରିଲେ ଯେ ସେ କେମିତି ମଫସଲର ଏ ମିଶ୍ରଙ୍କୁ ଜାଣିଲେ, ସେ ଜବାବ୍ ଦେଲେ ଯେ ସେ ଏ ମିଶ୍ରଙ୍କୁ ଜାଣି ନାହାନ୍ତି, ତେବେ ଓଡ଼ିଆ ମାତ୍ରକେ ସେମିତି । ଏଇ ମିଶ୍ର ଏଇଠିକି ଆସିଲେ ତାଙ୍କ ବିରୁଦ୍ଧରେ କହି ବୁଲିବ । ତିନି ଜଣ ହେଲେ ତିନିଟା ପାର୍ଟି ସୃଷ୍ଟି କରିବେ ।’

 

ଜଣେ ବଙ୍ଗାଳୀ ଲଣ୍ଡନରେ ମଧ୍ୟ ଆଉ ଜଣେ ବଙ୍ଗାଳୀକୁ ଦେଖିଲେ ତା’ର ଛାତି କୁଣ୍ଢେ ମୋଟ ହୋଇଯାଏ ଓ ସେ ବଙ୍ଗଳା ଦି’ ପଦ କହି ଦିଏ–ଯେଉଁ ମାତୃଭାଷା ପ୍ରେମ ଯୋଗୁଁ ଆଜି ବଙ୍ଗଳାଦେଶ ପାକିସ୍ଥାନରୁ ଅଲଗା ହୋଇଗଲା । ଜଣେ ମାରୁଆଡ଼ି ଆଉ ଜଣେ ଗରିବ ମାରୁଆଡ଼ିକୁ ଦେଖିଲେ ତା’ ନିଜ ଗୋଡ଼ରେ ଠିଆ ହୋଇ ବ୍ୟବସାୟ କରିବାକୁ ଅକୁଣ୍ଠିତ ଚିତ୍ତରେ ଟଙ୍କା ସାହାଯ୍ୟ ଦିଏ–ଜଣେ ପଞ୍ଜାବୀ ଆଉ ଜଣେ ପଞ୍ଜାବୀକୁ ଦେଖିଲେ ନିଜ ତନ୍ଦୁରି ରୋଟି ଭେଣ୍ଡି ଭଜାକୁ ଦି’ ଭାଗ କରେ, ଜଣେ ତେଲୁଗୁ କର୍ମଚାରୀ ଆଉ ଜଣେ ଅଚିହ୍ନା ଚାକିରି ଖୋଜୁଥିବା ତେଲୁଗୁ ଆଗନ୍ତୁକ ପାଇଁ ଖୁସିରେ ନିଜ ଘରେ ମଶିଣା ବିଛାଇ ଦେଇ ନିଜ ଘରକୁ ଧର୍ମଶାଳାରେ ପରିଣତ କରେ । ଆଉ ଓଡ଼ିଆ......!

 

ଜଣେ ଓଡ଼ିଆ ଠିଆ ହୋଇଥିଲେ ଅନ୍ୟ ଜଣେ ଓଡ଼ିଆ ପଛପଟୁ ଯାଇ ଗୋଡ଼ ଟାଣି ଦେବାକୁ ଭଲପାଏ

 

ମନେ ହୁଏ ଯେ ଆଜି ଅବସ୍ଥା ବଦଳିବାକୁ ଆରମ୍ଭ କରିଛି । ଚକ୍ରବାଳରେ ନୂତନ ପ୍ରଭାତର ଉଜ୍ଜ୍ୱଳ ରଶ୍ମି ରେଖା ଦେଖା ଦେଲାଣି

 

ଉତ୍କଳ ଗୌରବ ସେ ଦିନ ମନ ଦୁଃଖରେ ଗାଇଥିଲେ–

 

‘ମାଆ ମାଆ ବୋଲି କେତେ ମୁଁ ଡାକିଲି ମାଆକୁ ପାଇଲି ନାହିଁ ।

 

ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି ନଦେଲେ ଉତ୍ତର କେହି ।’

 

ଓଡ଼ିଆ ଜାତିର ତା’ର ମାଆକୁ ପାଇ ସାରିଛି । ଆଜି ଓଡ଼ିଆ ଭାଇର ଡାକ ମଧ୍ୟ ଅନ୍ୟ ଓଡ଼ିଆ ଭାଇମାନେ ଶୁଣିବାକୁ ଆରମ୍ଭ କଲେଣି । ନୈରାଶ୍ୟର କୌଣସି କାରଣ ନାହିଁ ।

Image

 

ସତ୍ୟର ପଥ

 

ବିପରୀତ ଧର୍ମୀ ଭାବଧାରା ଓ ପରସ୍ପର ବିରୋଧୀ ପରିବେଶର ଅଦ୍ଭୁତ ସମାବେଶ ତଥା ସେ ସବୁର ସହଜ ଓ ସରଳ ସହାବସ୍ଥାନକୁ ଲକ୍ଷ୍ୟ କରି ପାଶ୍ଚାତ୍ୟ ପଣ୍ଡିତମାନେ ଅନେକ ସମୟରେ ମନ୍ତବ୍ୟ ଦିଅନ୍ତି ଯେ ଭାରତ ଏବଂ ଭାରତୀୟଙ୍କୁ ଚିହ୍ନିବା ସହଜ ନୁହେଁ ।

 

ଏକ ଦିଗରେ ନଭଶ୍ଚୁମ୍ୱୀ ହିମାଳୟ ପର୍ବତମାଳା–ଅନ୍ୟ ଦିଗରେ ମହାସାଗରର ଦିଗନ୍ତ ବିସ୍ତାରୀ ନୀଳ ଅମ୍ୱୁରାଶି; ଏକ ପାଖରେ ସୃଜଳା ସୁଫଳା ଶସ୍ୟ ଶ୍ୟାମଳା ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ରର ସମତଳ ଉପତ୍ୟକା–ଅନ୍ୟ ପାଖରେ ବିନ୍ଧ୍ୟ ଓ ନୀଳଗିରି ଅଧିତ୍ୟକାର ବନ୍ଧୁର ପ୍ରସ୍ତରମୟ ଭୁଖଣ୍ଡ, ପ୍ରକୃତି ହିଁ ଏହି ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଉକ୍ତିକୁ କେତେକାଂଶରେ ସମର୍ଥନ କରୁଥିଲା ପରି ମନେ ହୁଏ କିନ୍ତୁ ପ୍ରକୃତିର ଏପରି ସହାବସ୍ଥାନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଊଣା ଅଧିକେ ଦେଖିବାକୁ ମିଳେ । ତେଣୁ ଏଥିରେ ବିଚିତ୍ରତା କିଛି ନାହିଁ । ସେଥିପାଇଁ ପଣ୍ଡିତମାନେ ପାଶ୍ଚାତ୍ୟ ହୁଅନ୍ତୁ ବା ପ୍ରାଚ୍ୟ ହୁଅନ୍ତୁ ଖୁସି ହେବେ ସିନା ଆଶ୍ଚର୍ଯ୍ୟ ହେବେ କାହିଁକି ?

 

ଆମ ଦେଶରେ ବିରାଟ ପ୍ରାସାଦର ପ୍ରାଚୁର୍ଯ୍ୟ ଓ ଆଡ଼ମ୍ୱର ପୂର୍ଣ୍ଣ ସୌଖୀନତା ଭିତରେ ବେଲୁନ ପରି ଫୁଲି ଉଠିଥିବା କୋଟିପତି ଓ ରାସ୍ତାକଡ଼ରେ ଛିଣ୍ତା ଅଖା ଭିତରେ ଜାକିଜୁକି ହୋଇ ଭୋକ ଉପାସରେ ଶୋଇ ରହିଥିବା ଜୀର୍ଣ୍ଣ ଶୀର୍ଣ୍ଣ ମଣିଷ ରୂପୀ କଙ୍କାଳର ସହାବସ୍ଥାନ ଦେଖି ସେମାନେ ଅବଶ୍ୟ ଆଶ୍ଚର୍ଯ୍ୟ ହେଉଥିବେ ।

 

ଷ୍ଟାଣ୍ଡାର୍ଡ, ଫିଏଟ, ଆମ୍ୱାସାଡର ଓ ବିଦେଶୀୟ ଲାଇମୋସିନ ସାଙ୍ଗରେ ମଣିଷ ଟଣା ରିକ୍‍ସା ଓ ବେଳେବେଳେ କାଠ ଚକ ଉପରେ କାଠ ଡବା ଭିତରେ ଗୋଡ଼, ହାତ, ନାକ ଛିଣ୍ଡି ପଡ଼ିଥିବା ପଙ୍ଗୁର ଠେଲାଗାଡ଼ି ଦେଖି ସେମାନେ ଅବଶ୍ୟ ଚମକି ଉଠୁଥିବେ ।

 

ଅଶୋକା ହୋଟେଲ ପରି ହୋଟେଲ ଆଉ ନାଇଟ୍ କ୍ଳବ୍ ମାନଙ୍କରେ ପଲାଉ ମାଂସ ଓ ଅନ୍ୟାନ୍ୟ ଖାଦ୍ୟପେୟର ସୁସଜ୍ଜିତ ଟେବୁଲ ସାଙ୍ଗକୁ ଅର୍କେଷ୍ଟ୍ରାର ତାଳେ ତାଳେ କାବାରେ ଡାନ୍‍ସ୍‍ ଚାଲିଥିଲା ବେଳେ ବାହାରେ କେଉଁଠି ଅଇଁଠା ପତ୍ର ପାଇଁ କୁକୁର ଓ ମଣିଷ ଭିତରେ ଟଣା ଓଟରା ଲାଗିଥିବା ଦେଖି ନିଶ୍ଚୟ ଚକିତ ହେଉଥିବେ ।

 

ଦିନେ ସର୍ବଗ୍ରାସୀ ପ୍ରଳୟଙ୍କାରୀ ବନ୍ୟାରେ ଗାଁ ଗଣ୍ଡା ଭାସିଗଲା ପରେ ଆଉ ଦିନେ ଶୁଖା ମରୁଡ଼ିରେ ପାଣି ବିନା ମଣିଷର ହାହାକାର ଶୁଣି, ସ୍ୱର୍ଣପ୍ରସୂ ଭାରତରେ ଦାରିଦ୍ର୍ୟର ତାଣ୍ଡବଲୀଳା ଦେଖି, ପ୍ରାକୃତିକ ସମ୍ପଦର ଗନ୍ତାଘରେ ଯୁବକଙ୍କ କର୍ମହୀନତା ଓ ବେକାରୀ ଲକ୍ଷ୍ୟ କିର ସେମାନେ ନିଶ୍ଚୟ ବିସ୍ମିତ ହେଉଥିବେ । ତେବେ ଅନ୍ୟାନ୍ୟ ଦରିଦ୍ର ଓ ବିକାଶମୁଖୀ ଦେଶମାନଙ୍କରେ ମଧ୍ୟ ଏପରି ଦୃଶ୍ୟ ସବୁ ଦେଖିବାକୁ ମିଳେ–ତେଣୁ ଭାରତରେ ଏ ଦୁଃଖ ଦାୟକ ଅର୍ଥନୈତିକ ପରିସ୍ଥିତିକୁ ବୁଝି ନ ପାରିବେ କାହିଁକି ?

 

ଏହି ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମଧ୍ୟରୁ ଅନେକ ବେଦ ଓ ଉପନିଷଦ୍‍ର ଜନ୍ମସ୍ଥଳୀ ଭାରତକୁ ଜ୍ଞାନର ଅନୁସନ୍ଧାନରେ ହିଁ ଆସିଥାନ୍ତି । ଏଠାକୁ ଆସି ଯେତେବେଳେ ଦେଖନ୍ତି ଯେ ଏଠାରେ ଆଦର୍ଶ ଓ ବାସ୍ତବତା ଭିତରେ, କଥା ଓ କ୍ରିୟାକଳାପ ମଧ୍ୟରେ ଆକାଶ ପାତାଳର ବ୍ୟବଧାନ, ସେତେବେଳେ ହିଁ ସେମାନେ ବୋଧହୁଏ କିଛି ବୁଝି ପାରନ୍ତିନି

 

ବରିଷ୍ଠ ବେଦବ୍ୟାସ, ମହାବୀର, ବୁଦ୍ଧଙ୍କ ଦେଶରେ ସେମାନ ଦେଖିବାକୁ ପାଆନ୍ତିୁ ଯେ ଲୋକେ ଗାଈକୁ ମା’ ବୋଲି କହି ଖାଇବାକୁ ଗଣ୍ଡିଏ ମଧ୍ୟ ନ ଦେଇ ତା’ର ଶୁଖିଲା ପହ୍ନାରୁ ଶେଷ ବିନ୍ଦୁ ଦୁଧ ଦୁହିଁବାକୁ ଚେଷ୍ଟା କରନ୍ତି । ଏକଲବ୍ୟଙ୍କର ଦେଶରେ ଛାତ୍ର ଶିକ୍ଷକକୁ ଗୁରୁ ବୋଲି କହେ ସତ, କିନ୍ତୁ ବେଳେବେଳେ ସେହି ଗୁରୁଙ୍କୁ ବିଧା ଗୋଇଠା ଦକ୍ଷିଣା ଦେବାକୁ ପଛାଏନି ଯେଉଁ ଦେଶର ଲୋକେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦିନ ମହାପାଞ୍ଜିକାର ଚିତ୍ରଗୁପ୍ତ ପ୍ରତ୍ୟେକଙ୍କର କ୍ରିୟାକଳାପ ସମ୍ୱନ୍ଧରେ ପାଞ୍ଜି ଲେଖେ ଯଥା ସମୟରେ ସେ ସବୁର ବିଚାର ପାଇଁ, ସେ ଦେଶରେ ଯଜ୍ଞ ଓ ଧର୍ମ ନାମରେ ଯେଉଁମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି, ସେହିମାନେ ହିଁ ବେଳେ ବେଳେ ବିନା ଦ୍ୱିଧାରେ ଖାଦ୍ୟ ଦ୍ରବ୍ୟ ଓ ଔଷଧରେ ଅପମିଶ୍ରଣ କରିବାକୁ କୁଣ୍ଠାବୋଧ କରନ୍ତିନି ଯେଉଁ ଦେଶରେ ବିଶ୍ୱାସ ଅଛି ଯେ ଅନନ୍ତ ଶୟନରେ ଥାଇ ମଧ୍ୟ ବିଷ୍ଣୁଙ୍କ ହାତରେ ସୁଦର୍ଶନ ଚକ୍ର, ବନବାସୀ ଶ୍ରୀରାମଙ୍କ ହାତରେ କୋଦଣ୍ଡ, ଯୋଗରତ ମହାଯୋଗୀ ଶିବଙ୍କ ପାଖରେ ତ୍ରିଶୂଳ, ମା’ ଭବାନୀ ମହାଶକ୍ତି ଧାରିଣୀ, ଯେଉଁ ଦେଶରୁ ପ୍ରତ୍ୟେକ ଦେବାଦେବୀଙ୍କ ହାତରେ ଅସ୍ତ୍ରଶସ୍ତ୍ର ଏପରିକି ମୂଷିକ ବାହାନା ଗଣେଶଙ୍କ ହାତରେ ମଧ୍ୟ ପାଶ ଓ ଅଙ୍କୁଶ, ସେ ଦେଶର ଲୋକେ ଯୁଗ ଯୁଗ ଧରି ପରାଧୀନ ରହନ୍ତି । ଯେଉଁ ଦେଶରେ ମହାଜ୍ଞାନୀ, ମହାବଳୀ ହନୁମାନ ଓ ଗାଣ୍ଡୀବଧାରୀ ପରନ୍ତପ ଅର୍ଜ୍ଜୁନ ଭକ୍ତଙ୍କର ଆଦର୍ଶ, ସେ ଦେଶର ଭକ୍ତମାନେ ଶତ୍ରୁ ଭୟରେ ଜଗନ୍ନାଥଙ୍କ ପ୍ରତିମାକୁ ଲୁଚାଇ ବୁଲନ୍ତି । ଆଉ ଯେଉଁ ଦେଶର ବେଦାନ୍ତକୁ ଜ୍ଞାନର ଅନ୍ତବୋଲି କୁହାଯାଏ, ଯେଉଁଠି ‘ସୋହଂ’, ‘ତତ୍ତ୍ୱମ୍‍ ଅସି’ ମହାବାଣୀ ପ୍ରଚାରିତ, ସେହି ଦେଶର ମଣିଷ ବେଳେବେଳେ ଅନ୍ୟ ମଣିଷକୁ ଛୁଇଁବାକୁ ମଧ୍ୟ ଘୃଣା କରେ । ବାହାରର ଲୋକେ ସେଥିପାଇଁ ଏସବୁ ଦେଖି କିଛି ବୁଝିପାରନ୍ତିନି ଆଉ ସମୟ ସମୟରେ ଭୁଲ କରି ବସନ୍ତି ।

 

ଶୁଣାଯାଏ ଯେ ଥରେ କେହି ଜଣେ ପାଶ୍ଚାତ୍ୟ ପଣ୍ଡିତ ଦକ୍ଷିଣ ଭାରତରେ ରେଳଗାଡ଼ିରେ ଯାଉଥିଲେ ସେ ତ ଆଗରୁ ଶୁଣିଥିଲେ ଯେ ଭାରତର ଲୋକେ ବଡ଼ ଧାର୍ମିକ ଓ ସୂର୍ଯ୍ୟୋଦୟବେଳେ ସୂର୍ଯ୍ୟ ନମସ୍କାର କରନ୍ତି, ତେଣୁ ଯେତେବେଳେ ରେଳଗାଡ଼ିରୁ ଦେଖିଲେ ଯେ ସକାଳୁ ଅନେକ ଲୋକ ପ୍ରାୟ ଧାଡ଼ିବାନ୍ଧି ରେଳଲାଇନ ପାଖରେ ବସି ଯାଇଛନ୍ତି, ସେ ଧରିନେଲେ ଯେ ସେ ସମସ୍ତେ ସୂର୍ଯ୍ୟ ନମସ୍କାର ପାଇଁ ସୂର୍ଯ୍ୟୋଦୟକୁ ଅପେକ୍ଷା କରି ବସିଛନ୍ତି । ଖୁସିରେ ଭାରତୀୟ ଜୀବନଧାରାର ମହନୀୟତାକୁ ପ୍ରଶଂସା କରୁ କରୁ ଅନେକଙ୍କ ପାଖରେ ଗୋଟିଏ ଲେଖାଏଁ ପାଣି ପାତ୍ର ଥୁଆ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପାଖରେ ବସିଥିବା ଜଣେ ଭାରତୀୟଙ୍କୁ ସେ ତା’ର କାରଣ ପଚାରିଲେ ଭାରତୀୟ ଭଦ୍ରଲୋକଙ୍କ ପ୍ରତିକ୍ରିୟା କ’ଣ ହୋଇଥିବ ତାହା କେବଳ ଅନୁମାନ କରାଯାଇପାରେ

 

ଜ୍ଞାନ ଓ ଆଲୋକର ପୀଠସ୍ଥଳୀ ଭାରତରେ ଅଜ୍ଞାନ ଓ ଅନ୍ଧାରର ଏପରି ଚରମ ପରିପ୍ରକାଶ ସମସ୍ତଙ୍କୁ ବିସ୍ମିତ କରିଦିଏ । ସ୍ୱାଭାବିକ ଭାବରେ ତେଣୁ ମନରେ ପ୍ରଶ୍ନ ଉଠେ ଯେ ଏପରି ଅଘଟଣ କଥା ଘଟିଲା କିପରି ?

 

ଏଥିର ଠିକ କାରଣ ଖୋଜି ବାହାର କରିବା ସହଜ ନୁହେଁ । ତଥାପି ମନେ ହୁଏ ଯେ ଆମ ଅବଚେତନ ମନର ମାନସିକ ଦ୍ୱନ୍ଦ୍ୱ ଓ ମାନସିକ ସଂଘର୍ଷ ହିଁ ଏହାର ପ୍ରଧାନ କାରଣ ।

 

ବିଦେଶୀୟ କେତେ ମନିଷୀ କହନ୍ତି ଯେ ସତ୍ୟର ପଥ ଏକ । ସେ ଦେଶମାନଙ୍କରେ ସତ୍ୟର ସନ୍ଧାନୀକୁ ତେଣୁ ଏକ ଦର୍ଶିତ ମାଗର୍ରେ ହିଁ ଯିବାକୁ ପଡ଼େ । ସେହି ମାର୍ଗରେ ଶେଷରେ କ’ଣ ଅଛି ସେ କଥା କେହି ଜାଣନ୍ତିନି ସତ, ମାଗର୍ଟି ପ୍ରକୃତରେ ଠିକ କି ଭୁଲ ସେ କଥା ପ୍ରମାଣ କରି କହିବା ଉପାୟ ନାହିଁ, କିନ୍ତୁ ସେ ଦେଶମାନଙ୍କରେ ଏ ସମ୍ୱନ୍ଧରେ ପ୍ରଶ୍ନ ମଧ୍ୟ ଉଠେନି ଯେହେତୁ ସେଇଠି ସମସ୍ତେ ବିଶ୍ୱାସ କରନ୍ତି ଯେ ସେହି ଦର୍ଶିତ ମାର୍ଗ ହିଁ ସତ୍ୟର ମାର୍ଗ । ସନ୍ଦେହୀ ଓ ଅବିଶ୍ୱାସୀର ସେଠାରେ ସ୍ଥାନ ନଥାଏ ।

 

ଆମ ଦେଶର ଜ୍ଞାନୀମାନେ କିନ୍ତୁ କହିଯାଇଛନ୍ତି ଯେ ସତ୍ୟ ଏକ ହେଲେ ମଧ୍ୟ ପଥ ଅନେକ–ଠିକ କୌଣସି ଗୋଟିଏ ସହରକୁ ପହଞ୍ଚିବାକୁ ହେଲେ ଯେପରି ଭିନ୍ନ ଭିନ୍ନ ଦିଗରୁ ବିଭିନ୍ନ ପଥ ଦେଖିବାକୁ ମିଳେ । ସହରକୁ ଯାଉଥିବା ଯାତ୍ରୀ କେଉଁ ଦିଗରୁ ଓ ସ୍ଥାନରୁ ତା’ର ଯାତ୍ରା ଆରମ୍ଭ କରିଛି ସେ ଉପରେ ହିଁ ତା’ର ଯାତ୍ରା ପଥ ନିର୍ଭର କରେ । ଜଣେ ଯାତ୍ରୀର ପଥ ଅନ୍ୟ ଯାତ୍ରୀ ପାଇଁ ଠିକ ହୋଇପାରେ ଅଥବା ଭୁଲ ହୋଇପାରେ, ତେଣୁ କେହି ଯଦି କହେ ସେ ଯେଉଁ ବାଟଦେଇ ସହରକୁ ଆସିଛି ସେହି ବାଟ ହିଁ ଗୋଟିଏ ମାତ୍ର ବାଟ ଆଉ ସହରକୁ ଆସୁଥିବା ସମସ୍ତଙ୍କୁ ସେହି ବାଟଦେଇ ହିଁ ଆସିବାକୁ ପଡ଼ିବ ତେବେ ତାହା ଠିକ ହେବନି । ସେପରି ସତ୍ୟ ଅନୁସନ୍ଧାନରୁ ପଥ ମଧ୍ୟ ଭିନ୍ନ ଭିନ୍ନ ମଣିଷ ପାଇଁ ବିଭିନ୍ନ ବୋଲି ଏହି ଜ୍ଞାନୀମାନେ ମତ ଦିଅନ୍ତି ।

 

ସାଧାରଣ ମଣିଷ କିନ୍ତୁ ଏ ବିଭିନ୍ନ ମାର୍ଗ ଦେଖି ବାଟବଣା ହେଇଯାଏ । ସେ ଯେତେବେଳେ ତା’ର ଯାତ୍ରା ଆରମ୍ଭ କରେ ନାନା ଲୋକେ ନାନା ବାଟ ଦେଖାଇ ବସନ୍ତି । କିଏ କହେ ଏହା ଜ୍ଞାନମାର୍ଗ–ଏଇ ମାର୍ଗ ହିଁ ପ୍ରକୃତ ମାର୍ଗ, ଆଉ କିଏ କହେ–ଇଏ ଭକ୍ତି ମାର୍ଗ, କିଏ ଅବା ଧ୍ୟାନ ମାର୍ଗ ଦେଖାଏ, କିଏ କହେ କର୍ମ, କିଏ କହେ ନାମ କୀର୍ତ୍ତନ, ଆଉ କିଏ କହେ ଓଷା, ବ୍ରତ, ଭୋଗ ରାଗ ।

 

ଏହି ଟଣାଓଟରା ଫଳରେ ସେ କୁଆଡ଼େ ଯିବ କିଛି ସ୍ଥିର କରିପାରେନି

 

କୌଣସି ଅସହାୟ ମଣିଷକୁ ଦେଖି କେହି ଜଣେ ଯେତେବେଳେ କହେ ତା’କୁ ସାହାଯ୍ୟ କର, ଆଉ ଜଣେ କହେ ତା’କୁ ତା’ର ପୂର୍ବଜନ୍ମର କର୍ମଫଳ ଭୋଗିବାକୁ ଦିଅ । ଜଣେ ଯେତେବେଳେ କହେ ଯେ ପ୍ରତ୍ୟେକ ମଣିଷ ଭିତରେ ଭଗବାନଙ୍କ ସତ୍ତା ନିହିତ–ତେଣୁ ସବୁ ମଣିଷ ସମାନ, ଆଉ ଜଣେ କହେ ଯେ ଜନ୍ମ ଜନ୍ମାନ୍ତରର ପ୍ରାରବ୍‍ଧ ଧରି ମଣିଷ ଆଗେଇ ଚାଲିଛି ଆଉ ପ୍ରତ୍ୟେକ ମଣିଷ କୌଣସି ନା କୌଣସି ସ୍ତରରେ ଆସି ପହଞ୍ଚିଛି । ମଣିଷ ମଣିଷ ଭିତରେ ସୋପାନର ସୃଷ୍ଟି ହୁଏ ଆଉ ତାହା ଲମ୍ୱି ଯାଇ ଛୁଆଁ ଅଛୁଆଁ ଆଡ଼କୁ ଗତି କରେ ।

 

ଜଣେ ଯେତେବେଳେ ଗୁଣାତୀତ, କାମନାରହିତ ହୋଇ କର୍ତ୍ତବ୍ୟ କର୍ମକରି ଯିବାକୁ ଶିକ୍ଷା ଦିଏ ଆଉ ଜଣେ ଅର୍ଥ କର୍ମକାଣ୍ଡର କର୍ମ କର୍ମାଣି ବୋଲି କହି ପୁତ୍ର, ପୌତ୍ର, ଧନ, ଯଶ ଆଦି ପାଇଁ ଗଣନାୟକଙ୍କୁ ପ୍ରାର୍ଥନା କରିବାକୁ ଶିଖାଏ । ଏପରି ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନର ଭିନ୍ନ ଭିନ୍ନ ଅର୍ଥ ମାନସିକ ସଂଘର୍ଷର ସୂତ୍ରପାତ କରେ । ଅହିଂସା ଓ କାପୁରୁଷତା ଭିତରେ ତଫାତ୍ ଜଣାପଡ଼େନି ଅପରିଚ୍ଛନ୍ନତା ସରଳତା ପରି ଦିଶେ ।

 

ଆକାଶ ଉପରକୁ ଉଠିଗଲେ ମଣିଷ ଯେପରି ପୃଥିବୀ ପୃଷ୍ଠର ଘୂର୍ଣ୍ଣିବାତ୍ୟାରୁ ଦୂରେଇ ଯାଏ ସେହିପରି ଯେଉଁମାନେ ଜ୍ଞାନର ଉପର ସ୍ତରକୁ ଉଠିଯାଆନ୍ତି ସେମାନେ ଏ ପରସ୍ପର ବିରୋଧୀ ବିଭିନ୍ନତାରୁ ଦୂରେଇଯାଏ ଐକ୍ୟର ସନ୍ଧାନ ପାଆନ୍ତି । ସାଧାରଣ ମଣିଷ କିନ୍ତୁ ଏହି ଜ୍ଞାନ ଜାଲରେ ଛନ୍ଦି ହୋଇଯାଏ ଆଉ ଅଜ୍ଞାନକୁ ଜ୍ଞାନ ବୋଲି ଭାବି ଭୁଲକରି ବସେ । ସେଥିପାଇଁ ହିଁ ଅଜ୍ଞାନରୁ ଜ୍ଞାନକୁ ଚିହ୍ନାଇ ଦେବାପାଇଁ ଭାରତୀୟ ପରମ୍ପରା ଯୁଗେ ଯୁଗେ ଗୁରୁଙ୍କ ଆବଶ୍ୟକତା ଦର୍ଶାଇ ଆସିଛି ଓ ଗୁରୁଙ୍କୁ ସବୁଦିନ ଉଚ୍ଚ ଆସନ ଦେଇଛି ।

 

ହଜାର ହଜାର ବର୍ଷ ତଳେ ମଣିଷ ମନର ଏ ମାନସିକ ଦ୍ୱନ୍ଦ୍ୱ ସୁନ୍ଦର ଭାବରେ ଅବତାରଣା କରାଯାଇଥିଲା ଗୋଟିଏ ମହାଯୁଦ୍ଧର ପଟ୍ଟଭୂମିରେ ।

 

ସାରା ପାଣ୍ଡବସେନା ଯେତେବେଳେ କେବଳ ଅର୍ଜୁନଙ୍କ ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରି ଭୀଷ୍ମ, ଦ୍ରୋଣ, କର୍ଣ୍ଣଙ୍କ ପରି ମହା ମହାରଥୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଠିଆ ହୋଇଥିଲା, ଠିକ ସେତିକିବେଳେ ଅଜ୍ଞାନରେ ହେଉ, ଭୟରେ ହେଉ ଅବା, ମୋହାନ୍ଧ ହୋଇ ହେଉ ମାନବଜାତିର ପ୍ରତୀକ ସେହି ଅର୍ଜୁନ ଧନୁଶର ଛାଡ଼ି ଦେଇ ହିମାଳୟକୁ ତପସ୍ୟା କରିଯିବାପାଇଁ ବାହାରି ପଡ଼ିଥିଲେ ଜ୍ଞାନର ଦ୍ୱାହିଦେଇ । ତାଙ୍କ ସାରଥି ଓ ସଖା ଶ୍ରୀକୃଷ୍ଣ ଯୁଦ୍ଧ କରିବା ପାଇଁ ତାଙ୍କୁ ବୁଝାଇଲେ, କିନ୍ତୁ ସେ ଅଭିଯୋଗ କଲା ପରି ପଚାରି ବସିଲେ ‘କର୍ମ ଅପେକ୍ଷା ଜ୍ଞାନ ଶ୍ରେୟସ୍କର ବୋଲି କହିସାରିଲା ପରେ ମୋତେ ଏ ଯୁଦ୍ଧପରି ଭୟଙ୍କର କର୍ମ କରିବାକୁ କିପରି କହୁଛନ୍ତି ?’ ଆଉ କହିଲେ, ‘ଏପାଖ ସେପାଖ ଓଲଟା କଥା ସବୁ କହି ଆପଣ ମୋ ମନଭିତରେ ଏପରି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ଯେ ମୁଁ କ’ଣ କରିବି କିଛି ଠିକ କରିପାରୁନି । ଦୟାକରି ସିଧାସଳଖ ଗୋଟିଏ କଥା କୁହନ୍ତୁ ଯାହାକଲେ ମୋର ମଙ୍ଗଳ ହେବ ।’

 

ଏପରି ସିଧାସଳଖ ଗୋଟିଏ କଥା ଅଥବା ‘ସତ୍ୟର ପଥ କେବଳ ଗୋଟିଏ’ ଏହି ଧାରଣା କେବଳ ଅନ୍ଧବିଶ୍ୱାସ ଜାଗ୍ରତ କରାଇବ ଏହା ଭାବି ବୋଧହୁଏ ମାନବଜାତିର ସର୍ବଶ୍ରେଷ୍ଠ ବନ୍ଧୁ ଓ ଜଗତର ଗୁରୁ ସେଦିନ ମାନସିକ ଦ୍ୱନ୍ଦ୍ୱ ଆଣୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ପରେ ଗୋଟିଏ ଦେଇ ଅର୍ଜୁନଙ୍କୁ ମୋହ ଦୂର କରିଥିଲେ ।

 

ଆଜି ମଧ୍ୟ ଲିପିବଦ୍ଧ ହୋଇ ମନୁଷ୍ୟର ସେହି ଅମୂଲ୍ୟ ସମ୍ପଦ ଆମ ପାଖରେ ରହିଛି ।

 

କିନ୍ତୁ ବଂଶ ଶତାବ୍ଦୀର ଅତ୍ୟାଧୁନିକ ମଣିଷ ଆମେ–ପଛକୁ ଚାହିଁବାକୁ ବୋଧହୁଏ ଲଜ୍ଜାବୋଧ କରୁଛୁଁ । ଭୁଲିଯାଉଛୁଁ ଯେ ସତ୍ୟ ତଥା ସତ୍ୟ ସମ୍ୱନ୍ଧୀୟ ଜ୍ଞାନ କେବେ ପୁରୁଣା ହୁଏନି

Image

 

ସଭ୍ୟତା ଓ ସଂସ୍କୃତି

 

ସଭ୍ୟତା ଓ ସଂସ୍କୃତି ଭିତରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ଟାଣିବା ସହଜ ନୁହେଁ । ବେଳେବେଳେ ମନେ ହୁଏ ଯେ ଏ ଦୁଇଟି ଏକ ଓ ଅଭିନ୍ନ । ଅନ୍ୟ ସମୟରେ ଗୋଟିଏ ଅନ୍ୟଟିର ପରିପୂରକ ପରି ଜଣାପଡ଼େ ଆଉ କେତେବେଳେ ବା ମନେ ହୁଏ ଯେ ଏ ଦୁଇଟି ସମଭାବାପନ୍ନ ଜଣାପଡ଼ୁଥିଲେ ହେଁ ସମ୍ପୂର୍ଣ୍ଣ ବିଭିନ୍ନ ।

 

ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତା, ମିଶରୀୟ କିମ୍ୱା ବେବିଲୋନୀୟ ସଭ୍ୟତା, ଦ୍ରାବିଡ଼ କିମ୍ୱା ଆର୍ଯ୍ୟ ସଭ୍ୟତା, ପ୍ରାଚୀନ ଓ ଆଧୁନିକ ସଭ୍ୟତା ତଥା ପ୍ରସ୍ତର ଯୁଗର ସଭ୍ୟତା, ଲୌହ ଯୁଗର ସଭ୍ୟତା, ଯନ୍ତ୍ର ଯୁଗର ସଭ୍ୟତା ପ୍ରଭୃତି ବିଭିନ୍ନ ସଭ୍ୟତା ସମ୍ୱନ୍ଧରେ ଶୁଣାଯାଉଥିଲେ ମଧ୍ୟ ସଭ୍ୟତା କହିଲେ ଠିକ କ’ଣ ବୁଝାଏ ଓ ସଭ୍ୟତାର ପ୍ରକୃତ ରୂପରେଖ କ’ଣ ସେ କଥା କହିବା କଠିନ । ସାହିତ୍ୟ, କଳା, ଦର୍ଶନ ପ୍ରଭୃତି ସତ୍ୟତାର ଅଙ୍ଗ ବୋଲି ଧରାଯାଉଥିଲେ ହେଁ ସାଧାରଣ ଭାବରେ ସଭ୍ୟତା କହିଲେ ବେଶଭୂଷା, ଢଙ୍ଗରଙ୍ଗ, ଚାଲିଚଳଣ ତଥା ଜୀବନଧାରଣ ପ୍ରଣାଳୀକୁ ହିଁ ବୁଝାଏ । ସଭ୍ୟ ମାନବର ଚିତ୍ର କଳ୍ପନା କଲେ ମନ ଭିତରେ ଉଙ୍କି ମାରେ ଗୋଟିଏ ପେଣ୍ଟ, କୋଟ୍, ହେଟ୍, ବୁଟ୍ ପିନ୍ଧା, ଟାଇ ଭିଡ଼ା ଭଦ୍ରଲୋକ–ମୁହଁରେ ସିଗାରେଟ୍, ପାଇପ୍ ଅଥବା ସିଗାର୍, ଆଖିରେ ରଙ୍ଗୀନ ଚଷମା, ହାତରେ ବାଡ଼ି ଆଖି ଆଗରେ ନାଚି ଉଠେ, କୋଟ୍ ପକେଟ୍‍ରୁ ଉଙ୍କି ମାରୁଥିବା ରୁମାଲ୍, ଗୋଡ଼ର ନାଇଲନ୍ ମୋଜା, ଡାହାଣ ହାତର ଘଡ଼ି, କାନ୍ଧର କେମେରା, ପିଠିର ଟେପ୍‍ରେକର୍ଡର, ଲମ୍ୱା ବାଳ, ତ୍ରିକୋଣ ଦାଢ଼ି, ନାନା ଢଙ୍ଗର ଜ୍ୟାମିତିକ ଚିତ୍ର କଲି ।

 

ଆଉ ଅସଭ୍ୟତାର ପ୍ରତୀକ ରୂପରେ ଦେଖାଦିଏ ଧୂଳିଆ ଧୂସର ଦେହର ଅଣ୍ଟା ପାଖରେ ଝୁଲୁଥିବା ଚାରି ଆଙ୍ଗୁଳିଆ ଲେଙ୍ଗୁଟି, ମାଛ କାତିଆ ପାଦ ଅଥବା ବେକରେ ଲମ୍ୱିଥିବା କେତେ କେରା ପୋହଳା ମାଳ, ହାତର ପିତଳ କିମ୍ୱା କଂସା ଖଡ଼ୁ, ଚିତା କୁଟା ଦେହ ।

 

ମଣିଷର ସଭ୍ୟତା କେବେ ଆଉ କେଉଁ ଭାବରେ ଜନ୍ମ ନେଇଥିଲା ସେ କଥା କହିବା ସହଜ ନୁହେଁ । ପାଶ୍ଚାତ୍ୟ ଜଗତର ଆଦି ଗ୍ରନ୍ଥ ବାଇବେଲର କଥନ ଅନୁସାରେ ଶୟତାନର ପ୍ରରୋଚନାରେ ପଡ଼ି ଇଭ୍ ଓ ପରେ ପରେ ଆଦାମ୍ ଯେତେବେଳେ ଇଡ଼େନ୍‍ର ନିଷିଦ୍ଧ ଫଳ ଖାଇପକାଇଲେ ସେମାନଙ୍କ ମନରେ ଲଜ୍ଜାର ଆବିର୍ଭାବ ହେଲା ଓ ନିଜର ଫୁଙ୍ଗୁଳା ଦେହ ଦେଖଇ ସେମାନେ ଡିମିରି ପତ୍ର ସାହାଯ୍ୟରେ ଲଜ୍ଜା ଢାଙ୍କିବାକୁ ଚେଷ୍ଟା କଲେ । ମନେହୁଏ ଯେ ସେହି ମୁହୂର୍ତ୍ତରେ ହିଁ ମଣିଷ ସଭ୍ୟତା ଆରମ୍ଭ କରିଥିଲା ପ୍ରାଣୀଜଗତରେ ତା’ର ବିଜୟର ଜୟଯାତ୍ରା । ସେହିଦିନଠାରୁ ପ୍ରକୃତିର ସନ୍ତାନ ମଣିଷ ସେହି ପ୍ରକୃତି ପାଖରୁ ଦୂରେଇ ଯିବାକୁ ଆରମ୍ଭ କଲା ।

 

ସଭ୍ୟତାର ସୋପାନ ଆରୋହଣ କଲାବେଳେ ମଣିଷ ଯେଉଁ ସବୁ ପଦକ୍ଷେପ ନେଇଥିଲା ସେ ସବୁର ଧାରାବାହିକ ବିବରଣୀ କେଉଁଠି ଲିପିବଦ୍ଧ ହୋଇନି । ଏ ସମ୍ବନ୍ଧରେ କିନ୍ତୁ କେତେ କୌତୂହଳ ପୂର୍ଣ୍ଣ କାହାଣୀ ଶୁଣିବାକୁ ମିଳେ ।

 

ଶୁଣାଯାଏ ଯେ ଜୀବଜଗତର ଅନ୍ୟାନ୍ୟ ମାଂସାଶୀ ପ୍ରାଣୀ ପରି ସଭ୍ୟତାର ଆଦିଯୁଗରେ ମଣିଷ ବି କଞ୍ଚା ମାଂସ ଖାଉଥିଲା ଓ ମେଣ୍ଢା ରଖିବା ଶିଖି ସାରିଥିଲା । ମେଣ୍ଢାମାନେ ଯେପରି କୁଆଡ଼େ ଚାଲି ନ ଯିବେ କିମ୍ୱା ଅନ୍ୟ କେହି ଯେପରି ସେମାନଙ୍କୁ ଖାଇ ନ ଯିବ ସେଥିପାଇଁ ମେଣ୍ଢାଶାଳ ତିଆରି ହେଉଥିଲା ଓ ମେଣ୍ଢା ଜଗୁଆଳ ମଧ୍ୟ ରହୁଥିଲେ । ମଣିଷ କିନ୍ତୁ ନିଆଁର ବ୍ୟବହାର ଜାଣି ନ ଥିଲା କିମ୍ୱା ରାନ୍ଧି ଖାଇବା ଅଥବା ସିଝାଇ ଖାଇବା ଶିଖି ନ ଥିଲା ।

 

ଦିନେ ଗୋଟିଏ ମେଣ୍ଢାଶାଳରେ ନିଆଁ ଲାଗିଗଲା । ଶାଳରେ ଯେଉଁ କେତୋଟି ମେଣ୍ଢା ଥିଲେ ସେଥିରୁ କେତେ ରକ୍ଷା ପାଇଗଲେ, ଆଉ ଗୋଟିଏ ଦିଓଟି ଜୀବନ୍ତ ଦଗ୍ଧ ହୋଇଗଲେ । ମେଣ୍ଢାଶାଳର ରକ୍ଷକ ଗୋଟିଏ ପୋଡ଼ା ମେଣ୍ଢାକୁ ଧରି ବାହୁନି ବାହୁନି କାନ୍ଦି ବସିଲା ଓ ସେଦିନର ପ୍ରଥା ଅନୁଯାୟୀ କାନ୍ଦିଲା ବେଳେ ମେଣ୍ଢା ଦେହରେ ଥରେ ଓ କପାଳରେ ଥରେ ହାତ ବାଡ଼େଇବାକୁ ଲାଗିଲା । ଏପରି କରୁଁ କରୁଁ ହଠାତ୍ ତା’ ହାତ ପାପୁଲି ଗୋଟିଏ ବେଶୀ ପୋଡ଼ି ଯାଇଥିବା ଅତ୍ୟନ୍ତ ନରମ ମାଂସ ଉପରେ ପଡ଼ିଗଲା, ଫଳରେ କିଛି ସିଝା ମାଂସ ଆଙ୍ଗୁଠିରେ ଲାଗିଗଲା । ଅତ୍ୟଧିକ ଉତ୍ତାପ ଯୋଗୁଁ ଆଙ୍ଗୁଠି ଜ୍ୱଳନରୁ ରକ୍ଷା ପାଇବାକୁ ଯାଇ ସେ ପ୍ରକୃତି ବଶତଃ ଆଙ୍ଗୁଠିକୁ ସିଝା ମାଂସ ଲାଗିଥିବା ଅବସ୍ଥାରେ ପାଟିରେ ପୂରାଇ ଦେଲା । ଗୋଟିଏ ନୂତନ ଆସ୍ୱାଦନରେ ତା’ ଦେହ ପୁଲକିତ ହେଲା ଓ ସେ ତହିଁର କାରଣ ଠିକ୍‍ ବୁଝିପାରିଲାନି । କାନ୍ଦୁ କାନ୍ଦୁ ସେ ଅବସ୍ଥାର ପୁନରାବୃତ୍ତି ହେଲା ଆଉ ସିଝା ମାଂସ ଲଗା ଆଙ୍ଗୁଠି ପାଟି ଭିତରକୁ ଯିବାରେ ପୁନର୍ବାର ସେହି ଆସ୍ୱାଦନର ଅନୁଭୂତି ହେଲା । ଜଗୁଆଳୀର ସନ୍ଦେହ ହେଲା–କାଳେ ସେ ସିଝା ମାଂସ ସେପରି ଭଲ ଲାଗୁଛି । ଏଥର ସେ ଜାଣି ଶୁଣି ଆଙ୍ଗୁଠିକୁ ସେଇଠି ଗେଞ୍ଜି ଦେଲା ଓ ସିଝା ମାଂସ ଲଗା ଆଙ୍ଗୁଠିକୁ ପାଟିରେ ଭର୍ତ୍ତି କରି ବୁଝିପାରିଲା ଯେ ସତକୁ ସତ ସେହି ସିଝା ମାଂସ ହିଁ ଏତେ ରୁଚିକର ହୋଇଛି । ତା’ପରେ ସେ କାନ୍ଦୁ କାନ୍ଦୁ ଘନ ଘନ ସେହି ପୋଡ଼ା ଜାଗାରେ ଆଙ୍ଗୁଠି ପୂରାଇବାକୁ ଲାଗିଲା ।

 

ମେଣ୍ଢାଶାଳର ମରାମତି ହେଲା, କିନ୍ତୁ ଅନ୍ୟ ମାସ ଠିକ ସେପରି ଜହ୍ନ ରାତିରେ ସେହି ମେଣ୍ଢାଶାଳରେ ଆଉ ଥରେ ନିଆଁ ଲାଗିଲା । ରକ୍ଷକ ଠିକ୍ ଆଗ ପରି ଗୋଟିଏ ପୋଡ଼ା ମେଣ୍ଢାର ଭଲ ସିଝିଥିବା ଅଂଶରେ ଆଙ୍ଗୁଠି ପୂରାଇ ବାହୁନି ବାହୁନି କାନ୍ଦିଲା ବେଳେ ପାଟିରେ ମଧ୍ୟ ଆଙ୍ଗୁଠି ପୂରାଇବାକୁ ଭୁଲିଲାନି ।

 

ତା’ ପର ମାସରେ ମଧ୍ୟ ସେହି ଜହ୍ନରାତିରେ ମେଣ୍ଢାଶାଳରେ ଯେତେବେଳେ ନିଆଁ ଲାଗିଲା–ସନ୍ଦିଗ୍‍ଧ ମାଲିକ ଲୁଚି ଲୁଚି ଏ ଘଟଣା ନିରୀକ୍ଷଣ କରି ପୋଡ଼ା ମାଂସ ଖାଉଥିବା ଜଗୁଆଳୀକୁ ଡାହାଣୀ ଲାଗିଛି ବୋଲି ପ୍ରଥମେ ଧରି ନେଲା । ଜଗୁଆଳୀ କିନ୍ତୁ ପ୍ରାଣ ଭୟରେ ପ୍ରକୃତ ଘଟଣା ପ୍ରକାଶ କଲା ଓ ମାଲିକ ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଯାଇ ନିଜେ ସେପରି ସିଝା ମେଣ୍ଢା ଦେହରେ ଆଙ୍ଗୁଠି ପୂରାଇ କାନ୍ଦିବାକୁ ଆରମ୍ଭ କଲା ଓ ମେଣ୍ଢା ମାଂସ ଶେଷ ହେବା ପର୍ଯ୍ୟନ୍ତ ବାହୁନିବାକୁ ଲାଗିଲା ।

 

ଏଥର ପ୍ରତିମାସ ସେହି ଜହ୍ନରାତି ପାଳିରେ ମେଣ୍ଢାଶାଳରେ ନିଆଁ ଲାଗିଲାବେଳେ ସମସ୍ତେ ଜଗୁଆଳୀ ଓ ମାଲିକ ଉଭୟଙ୍କୁ ଏକାଠି ଦେଖିବାକୁ ପାଇଲେ । ଯଥା ସମୟରେ ସନ୍ଦେହୀ ମଣିଷମାନଙ୍କ ନିଜ ନିଜ ମେଣ୍ଢାଶାଳମାନଙ୍କରେ ମଧ୍ୟ ନିଆଁ ଲାଗିବା ଆରମ୍ଭ ହେଲା ଓ ସାମାନ୍ୟ କେତେ ମାସ ଭିତରେ ଏହି ନିଆଁଲଗା ରୋଗ ପାଖ ଆଖ ଅନ୍ୟ ଗାଁର ମେଣ୍ଢାଶାଳଗୁଡ଼ିକୁ ମଧ୍ୟ ବ୍ୟାପିଗଲା ।

 

କିଛିକାଳପରେ ଏସବୁ ଘଟଣା ବିଶେଷ ଭାବରେ ଅନୁଧ୍ୟାନ କରିଥିବା ଜଣେ ଅତ୍ୟନ୍ତ ବିଜ୍ଞ ବ୍ୟକ୍ତି ଘୋଷଣା କଲେ ଯେ କୌଣସି ନିର୍ଦ୍ଦିଷ୍ଟ ଜହ୍ନରାତିରେ ନିଆଁ ଲାଗିଥିବା ମେଣ୍ଢାଶାଳର ଗୋଟିଏ ଦଗ୍‍ଧ ମେଣ୍ଢାର ମାଂସ ଯେ ସୁଆଦିଆ ତା’ ନୁହେଁ, କଞ୍ଚା ମାଂସ ଅପେକ୍ଷା ଯେକୌଣସି ଦିନ ଅବା ରାତିରେ ମେଣ୍ଢାଶାଳରେ ଅଥବା ଶାଳ ବାହାରେ ଅଜାଣତରେ ଦଗ୍‍ଧ ହେଉଥିବା କିମ୍ୱା ଜାଣିଶୁଣି ଦଗ୍‍ଧିଭୂତ କରାଯାଉଥିବା ମେଣ୍ଢାର ସିଝା ମାଂସ ସୁସ୍ୱାଦୁକର ।

 

ବେଶଭୂଷା ସମ୍ୱନ୍ଧୀୟ ପ୍ରଗତି ମଧ୍ୟ ଏପରି ଅଦ୍ଭୁତ ପଥ ସବୁ ଦେଇ ଗତି କରିଛି ବୋଲି ଶୁଣାଯାଏ ।

 

ଡିମ୍ୱିରି ପତ୍ର ଛାଡ଼ି ମଣିଷ କେବେ ଗଛର ବକଳ ପିନ୍ଧିଲା ଓ ପରେ କପା ଓ ରେଶମରେ ତିଆରି ଲୁଗାପଟାରେ ନିଜର ଦେହ ସଜାଇଲା ସେ କଥା ଠିକ ଜଣା ନାହିଁ । କିନ୍ତୁ ଶୁଣାଯାଏ ଯେ କେହି ଜଣେ ରାଜା ଯେତେବେଳେ ମନ୍ତ୍ରୀଙ୍କୁ ଆଦେଶ ଦେଲେ ଯେ ସେ ଖରାବେଳେ ସହରର ବହୁ ଦୂରରେ ଥିବା କୌଣସି ମନ୍ଦିରକୁ ପାଦରେ ଚାଲିକରି ଯିବେ ଓ ତାଙ୍କୁ ଖରା କାଟିଲେ ମନ୍ତ୍ରୀଙ୍କ ଶିରଚ୍ଛେଦ ହେବ, ସେତେବେଳେ ଏତେ ଗାଲିଚା କେଉଁଠୁ ପାଇବେ ବୋଲି ମନ୍ତ୍ରୀ ଭାଳେଣି କରି ଦୁଃଖରେ ଶୋଇଥିଲାବେଳେ ତାଙ୍କ ସାନ ଝିଅ ତାଙ୍କୁ ରାସ୍ତାଯାକ ଗାଲିଚା ନ ବିଛାଇ ରାଜାଙ୍କ ପାଦ ଦିଓଟିକୁ ଗାଲିଚାରେ ଗୁଡ଼ାଇ ଦେବା ବୁଦ୍ଧି ବତାଇ ଦେଇଥିଲା । ସେଥିରୁ ହିଁ ଜୋତାର ଆବିଷ୍କାର ହେଲା । ପଗଡ଼ି, ଟୋପି, ଛତା ମଧ୍ୟ ସେପରି ଭାବରେ ଆବିଷ୍କୃତ ହୋଇଥିଲା ବୋଲି କେହି କେହି କହନ୍ତି । ବେକର ଘା’ ଢାଙ୍କିବାକୁ ଯାଇ ଜଣେ ଭଦ୍ରଲୋକ ଗଳାବନ୍ଧର କଳ୍ପନା କରୁଁ କରୁଁ ସମ୍ମାନସୂଚକ ଓ କ୍ରୂଶ ଚିହ୍ନ ବ୍ୟଞ୍ଜକ ନେକ୍‍ଟାଇ ସୃଷ୍ଟି କରିଥିଲେ ବୋଲି ମଧ୍ୟ ଶୁଣାଯାଏ ।

 

ଏ ବେଶଭୂଷା ତଥା ଖାଇବା ପିଇବାର ଢଙ୍ଗ ସଭ୍ୟତାର ବାହ୍ୟ ରୂପହେଲେ ମଧ୍ୟ ତାହା ହିଁ ପାଶ୍ଚାତ୍ୟ ସଭ୍ୟତା ବୋଲି କହିବା ସମ୍ପୂର୍ଣ୍ଣ ଭୁଲ । ପାଶ୍ଚାତ୍ୟ ସଭ୍ୟତା ବସ୍ତୁବାଦୀ ହେଲେ ହେଁ ସେ ଭିତରେ ଜୀବନ ଦର୍ଶନ ରହିଛି । ଭାରତୀୟ ଦର୍ଶନର କର୍ମଯୋଗ ହିଁ ଏହି ପାଶ୍ଚାତ୍ୟ ଜୀବନ ଦର୍ଶନର ମୂଳ ବୀଜ ବୋଲି ମନେ ହୁଏ । ଇଂରାଜୀରେ ଗୋଟିଏ ପ୍ରବାଦ ଅଛି ଯେ, ଏଟନ୍‍ର କ୍ରିକେଟ୍ ପଡ଼ିଆରେ ହିଁ ନେପୋଲିୟନଙ୍କର ପରାଜୟ ଘଟିଥିଲା । ଏ କଥାର ସାରମର୍ମ ହେଲା ଯେ କ୍ରିକେଟ୍ ଖେଳ, ଇଂରେଜ ଜାତିକୁ ଯେଉଁ ଧୈର୍ଯ୍ୟ ଓ ନିରବଚ୍ଛିନ୍ନ ଅଧ୍ୟବସାୟ ଶିକ୍ଷା ଦେଲା ଓ ହାରିଗଲେ ମଧ୍ୟ ଖେଳୁଆଡ଼ର ମନୋବୃତ୍ତି ନେଇ ପରାଜୟର ଗ୍ଳାନି ବିନା ସାଧନାରତ ହେବା ପାଇଁ ପ୍ରେରଣା ଦେଲା ତାହା ହିଁ ଇଂରେଜ ଜାତିକୁ ଶେଷରେ ଜୟଯୁକ୍ତ କରାଇ ପାରିଥିଲା ।

 

ବ୍ୟକ୍ତିଗତ ଜୀବନର ଉତ୍କର୍ଷ ସାଧନ କରିବା ସଙ୍ଗେ ସଙ୍ଗେ ସେ ଜୀବନକୁ ବିନା ଦ୍ୱିଧାରେ ଜାତି, ଦେଶ, ଧର୍ମ ଓ ଜ୍ଞାନପାଇଁ ଉତ୍ସର୍ଗ କରିବା ପାଶ୍ଚାତ୍ୟ ସଭ୍ୟତାର ମୂଳଭିତ୍ତି । ସେଥିପାଇଁ ଏସିଆ ଓ ଆଫ୍ରିକାର ଦୁର୍ଗମ ବଣ ଜଙ୍ଗଲ ଭିତରେ ମଧ୍ୟ ନିଜ ଧର୍ମର ପ୍ରଚାର ପାଇଁ ଜୀବନ ଉତ୍ସର୍ଗ କରିଥିବା ମିଶନାରୀମାନେ ଦେଖାଯାଆନ୍ତି । ଏହି ମିଶନାରୀମାନେ ଅନେକ ସମୟରେ ମିଶନାରୀ ହସପିଟାଲର ଡାକ୍ତର ଭାବରେ ରୋଗୀଙ୍କ ସେବାକରି, ବେଳେ ବେଳେ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ଭାବରେ ଛାତ୍ରମାନଙ୍କୁ ଶିକ୍ଷାଦାନ କରି ସେ ସଙ୍ଗରେ ନିଜ ଧର୍ମ ପ୍ରଚାର କରନ୍ତି । ଜ୍ଞାନ ଆହରଣ ପାଇଁ ଜୀବନ ଉତ୍ସର୍ଗ କରିବା ଏ ସଭ୍ୟତାର ବୈଶିଷ୍ଟ୍ୟ । କିମ୍ୱଦନ୍ତୀ ଅଛି ଯେ ଜଣେ ପ୍ରସିଦ୍ଧ ରସାୟନବିଦ୍ ଯେତେବେଳେ ପୋଟାସିୟମ ସାଇନାଇଡ ଆବିଷ୍କାର କଲେ ସେ ଜାଣିପାରିଥିଲେ ଯେ ସେହି ସାଇନାଇଡ ଏଡ଼େ ଭୟଙ୍କର ବିଷ ଯେ ଟିକିଏ ପାଟିରେ ଦେଲା କ୍ଷଣି ମଣିଷ ମରିଯିବ । ତଥାପି ତା’ର ଗୁଣ ସମୂହ ନିରୂପଣ କରିବାକୁ ଯାଇ ସେ ତା’ର ସ୍ୱାଦ ଜାଣିବାକୁ ଚାହିଁଥିଲେ । ଖଣ୍ଡିଏ ନୋଟ୍‍ବହି ପାଖରେ ରଖି କଲମ ହାତରେ ଧରି ଲେଖିବାକୁ ପ୍ରସ୍ତୁତ ରହି ସେ ସାଇନାଇଡକୁ ଜିଭରେ ଦେଲେ । ଆଦ୍ୟ ଅକ୍ଷର ‘ଏସ୍ (s)’ ଲେଖିବା କ୍ଷଣି ସେ ମରିଯାଇଥିଲେ । ‘ଏସ୍ (s)’ ଟି ଇଂରାଜୀର ସୁଇଟ୍ କି ସାଓ୍ୱାର ବ୍ୟଞ୍ଜକ ଜଣାପଡ଼ିଲାନି ତାଙ୍କ ସ୍ତ୍ରୀ ଏଥର ସେମିତି ସେହି ନୋଟ୍‍ବୁକ ପାଖରେ ରଖି ‘ଏସ୍’ ପାଖରେ ପୁଣି କିଛି ଲେଖିବାକୁ ପ୍ରସ୍ତୁତ ହୋଇଯାଇ ସାଇନାଇଡ ଜିଭରେ ଦେଲେ । ‘ଏସ୍’ ପାଖରେ ‘ଡବ୍ଳ୍ୟୁ’ (w)’ ଲେଖି ସେ ମଧ୍ୟ ନିଜ ଜୀବନ ହରାଇଲେ । ବିଜ୍ଞାନ ଏଥର ଜାଣିଲା ଯା ପୋଟାସିୟମ ସାଇନାଇଡ ସୁଇଟ୍ ବା ମିଠା । ଏପରି ଜ୍ଞାନର ଅଦମ୍ୟ ପିପାସା ନେଇ କେହି ମେରୁ ପ୍ରଦକ୍ଷିଣ କରିବାକୁ ଯାଇ ଜୀବନ ଦେଇଛି ତ କେହି ଆଫ୍ରିକା ମହାଦେଶର ଅନ୍ତର ପ୍ରଦେଶ ଆବିଷ୍କାର କରିବାକୁ ଯାଇ ହିଂସ୍ର ବନ୍ୟଜନ୍ତୁ ତଥା ଭୟଙ୍କର ଲୋକଙ୍କ ଖାଦ୍ୟ ହୋଇ ପଡ଼ିଛି । କେହି ଛୋଟ ଡଙ୍ଗାଟିଏ ଧରି ଆତଲାନ୍ତିକ ମହାସାଗର ପାରିହେବାକୁ ଚେଷ୍ଟା କରିଛି ତ କେହି ଗୋଟିଏ ଛୋଟ ଉଡ଼ାଜାହାଜରେ ଏକୁଟିଆ ପୃଥିବୀ ପ୍ରଦକ୍ଷିଣରେ ବାହାରିଛି–ଆଉ କେହି ଚନ୍ଦ୍ରପୃଷ୍ଠରେ ଏକାକୀ ଓହ୍ଲାଇ ପଡ଼ିଛି । ଏହି ସଭ୍ୟତା ମଣିଷକୁ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ବଞ୍ଚିବାକୁ ପ୍ରେରଣା ଦେଇଛି । ଫଳରେ ଆମେ ଦେଖିବାକୁ ପାଉଁ ଯେ ଜଣେ ଜର୍ମାନ ସଂସ୍କୃତଜ୍ଞ ମେକ୍‍ସମୁଲର ଆମ ବେଦ ଉପନିଷଦକୁ ଅନୁବାଦ କରି ପୃଥିବୀର ଦୃଷ୍ଟି ଆକର୍ଷଣ କରିଛନ୍ତି ତ ଆଉ ଜଣେ ଇଂରେଜ ହଣ୍ଟର ସାହେବ ଓଡ଼ିଶାର ଇତିହାସ ଲେଖି ଯାଇଛନ୍ତି-। କେହି ଗଡ଼ଜାତମାନଙ୍କର ଅଗମ୍ୟ ଅଞ୍ଚଳ ଭିତରେ ଥିବା ଗିରିକନ୍ଦର, ନଈ ନାଳର ଭୌଗୋଳିକ ଚିତ୍ର ଅଙ୍କନ କରିଛନ୍ତି ତ କେହି ଘୋଡ଼ା ପିଠିରେ ବସି ସାରା ମହାନଦୀ ଉପତ୍ୟକାର ଅରଣ୍ୟାନୀ ଭିତରେ ଘୂରିବୁଲି ବଢ଼ିପାଣି ତଥା ମେଘ ଓ ଝଡ଼ର ସଞ୍ଚାର ସମ୍ୱନ୍ଧରେ ସର୍ବଶ୍ରେଷ୍ଠ ତଥ୍ୟ ଉପସ୍ଥାପିତ କରି ଯାଇଛନ୍ତି ।

 

ମାନବର ସଖା ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ‘‘ଜିଣିଲେ ପୃଥିବୀ ଭୋଗ କରିବୁ, ମଲେ ତୋ’ର ସ୍ୱର୍ଗପ୍ରାପ୍ତି ହେବ । ତେଣୁ ଜୟ ପରାଜୟ ପ୍ରତି ଭ୍ରୂକ୍ଷେପ ନକରି ଯୁଦ୍ଧ କରିଯା ।’’ ଏହି ଉପଦେଶ ହିଁ ପାଶ୍ଚାତ୍ୟ ଜୀବନ ଦର୍ଶନର ମୂଳମନ୍ତ୍ର ବୋଲି ମନେହୁଏ ।

 

ଦୁର୍ଭାଗ୍ୟର କଥା ଯେ ଆମେ ଆଜି ଏହି ପାଶ୍ଚାତ୍ୟ ସଭ୍ୟତାର ଖୋଳପାକୁ ଦେଖି ତାହା ହିଁ ପାଶ୍ଚାତ୍ୟ ଜୀବନବୋଲି ଧରି ନେଉଛୁଁ । ଫଳରେ ସେମାନଙ୍କ ବେଶଭୂଷା ପିନ୍ଧିଛୁ ସତ, ସେମାନଙ୍କ ପରି ଖାଇବା ପିନ୍ଧିବା ମଉଜ ମଜଲିସ୍ କରିବାକୁ ଶିଖିଛୁଁ–ହିପ୍‍ପୀ ସାଜିଛୁଁ, କିନ୍ତୁ ସେମାନଙ୍କ ସମୟାନୁବର୍ତ୍ତିତା, କର୍ତ୍ତବ୍ୟବୋଧ ଓ ଶୃଙ୍ଖଳାଜ୍ଞାନ ତଥା ନିରବଚ୍ଛିନ୍ନ ଅଧ୍ୟବସାୟ ଆଡ଼କୁ ଆଖି ବୁଜି ଦେଇଛୁଁ ।

 

ପୋକମାନେ ଆଲୁଅ ଆଡ଼କୁ ଧସେଇ ପଶିଲା ପରି ଆଜି ପାଶ୍ଚାତ୍ୟ ସଭ୍ୟତାର ବାହ୍ୟ ରୂପ ଆଡ଼କୁ ଆମର ଅନେକେ ଅଣନିଶ୍ୱାସୀ ହୋଇ ଧାଇଁଛନ୍ତି–ନଳୀ ପେଣ୍ଟ କିମ୍ୱା ବେଲବେଟ୍ ସଙ୍ଗରେ ଗେରୁଆ ପଞ୍ଚାବୀ ପିନ୍ଧି, ରୁଦ୍ରାକ୍ଷମାଳା ପକାଇ ଓ ସିନେମାର ଛଳନାମୟ ‘ହରେକୃଷ୍ଣ ହରେରାମ’ ଗୀତ ମୁହଁରେ ଧରି ।

 

ପୋକମାନଙ୍କ ପରି ସେମାନଙ୍କର ମଧ୍ୟ ଡେଣା ଛିଣ୍ଡିଯାଉଛି–ତଥାପି ଅନ୍ୟ ପୋକାମାନେ ଆଲୁଅ ଖୁଣ୍ଟ ପାଖକୁ ଉଡ଼ି ଚାଲିଲାପରି ସେ ସମସ୍ତେ ମୋହାନ୍ଧ ହୋଇ ଧାଇଁଛନ୍ତି ।

 

ଏ ମୋହଗ୍ରସ୍ତ ଧାବନର ଶେଷ କେଉଁଠି କେଜାଣି ?

Image

 

ସଖା ଶ୍ରୀକୃଷ୍ଣ

 

ଶୁଣାଯାଏ ଯେ ପରମାଣୁ ବୋମାରେ ହୀରୋସିମା ଓ ନାଗାସେକୀ ସହର ଧ୍ୱଂସ ପାଇଯିବା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଯେତେବେଳେ ବୋମା ନିର୍ମାଣ ପ୍ରଣାଳୀର କାର୍ଯ୍ୟକାରିତା ତଥା ବିସ୍ଫୋରଣର ତେଜସକ୍ରିୟିତା ସମ୍ୱନ୍ଧରେ ପରୀକ୍ଷା କରାଯାଉଥିଲା, ସେତେବେଳେ ଅଣୁବିଦ୍ ବୈଜ୍ଞାନିକମାନଙ୍କ ମଧ୍ୟରେ ପରମାଣୁ ବୋମାର ଜନକ ଓପେନହେମାର ମଧ୍ୟ ଦୂରରୁ ବୋମାର ପ୍ରଥମ ବିସ୍ଫୋରଣକୁ ଚାହିଁ ରହିଥିଲେ । ବିସ୍ଫୋରଣ ଯେତେବେଳେ ଘଟିଲା ସେତେବେଳେ କୁଆଡ଼େ ପୃଥିବୀ ଓ ଆକାଶ ଝଲସି ଉଠିଥିଲା ଓ ମନେ ହୋଇଥିଲା ସତେ ଯେପରି ସମଗ୍ର ବିଶ୍ୱ ସେହି ତେଜରେ ହିଁ ଧ୍ୱଂସ ପାଇଯିବ । ଠିକ୍ ପରେ ପର ଓପେନହେମାରଙ୍କୁ ଯେତେବେଳେ ସେହି ମହା ବିସ୍ଫୋରଣ ଦେଖି ତାଙ୍କରୂ ମାନସିକ ପ୍ରତିକ୍ରିୟା କ’ଣ ହେଲା ଓ ସେ କ’ଣ ଭାବିଲେ ବୋଲି ପଚରାଗଲା ସେ ମନ୍ତ୍ରମୁଗ୍‍ଧ ପରି ଭଗବତ ଗୀତାର ବିଶ୍ୱରୂପ ଦର୍ଶନ ଯୋଗର ‘ଦିବି ସୂର୍ଯ୍ୟ ସହସ୍ରସ୍ୟ, ଭବେତ୍ ଯୁଗ ପଦୁଞ୍ଚିତା ଯଦି ଭାଃ ସଦୃଶୀ ସା ସ୍ୟାଦ୍ଭାସସ୍ତସ୍ୟ ମହାତ୍ମନଃ’ ଦୁଇଧାଡ଼ି ମନରୁ ଗାଇ ଯାଇଥିଲେ ।

 

ଆଇନଷ୍ଟାଇନ୍, ଓପେନହେମାର ପ୍ରମୁଖ ପୃଥିବୀର ଅନେକ ମହାନ୍ ବୈଜ୍ଞାନିକ ଓ ରୋମାରୋଲାଁଙ୍କ ପରି ଅନେକ ଦାର୍ଶନିକ ଭଗବତ୍ ଗୀତାରୁ ପ୍ରେରଣା ପାଉଥିଲେ ଓ ଅନେକ ଆଜି ମଧ୍ୟ ପାଉଛନ୍ତି । ତାହା ଜାଣି ମଧ୍ୟ ଆଜିର ଆମ ତଥା-କଥିତ ଆଧୁନିକ ସମାଜରେ ଗୀତା ସମ୍ୱନ୍ଧରେ କିମ୍ୱା ଗୀତାର ସ୍ରଷ୍ଟା ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ଆଲୋଚନା କଲେ ‘ପୁରୁଣା କାଳିଆ, ମାନ୍ଦା ଦଳିଆ’ ପ୍ରଭୃତି ଆଖ୍ୟା ପାଇବା ଭୟରେ ଏପରି ଆଲୋଚନା କରିବାକୁ ସାହସ ହୁଏନି ଅନ୍ୟ ଦିଗରେ ଏପରି କରୁଁ କରୁଁ ଧରାବନ୍ଧା ମତରୁ ଟିକିଏ ଏପାଖ ସେପାଖ ହେଲେ, ଆମ ଅସହିଷ୍ଣୁ ଧର୍ମଯାଜକମାନେ ଯେ ବେକ ମୋଡ଼ି ଦେବାକୁ ବାହାରି ପଡ଼ିପାରନ୍ତି ସେ ଭୟ ମଧ୍ୟ ରହିଛି-। ତଥାପି ମନୁଷ୍ୟର ସର୍ବଶ୍ରେଷ୍ଠ କୃତିର କର୍ତ୍ତାଙ୍କ ସମ୍ୱନ୍ଧରେ କିଛି ସୂଚନା ଦେବା ଉଚିତ୍ ବୋଲି ହିଁ ମନେ ହୁଏ ।

 

ପ୍ରାୟ ୩୨ ବର୍ଷ ତଳର କଥା । ଗାନ୍ଧୀଜୀ ସେତେବେଳେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଭଲ ବୁଝାମଣା ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଥାଆନ୍ତି, କିନ୍ତୁ ଗୋଟାଏ ଦିଗରେ ମୁସଲିମ ଲିଗ୍ ଓ ଅନ୍ୟ ଦିଗରେ ହିନ୍ଦୁ ମହାସଭା ସେ ଉଦ୍ୟମକୁ ଭଣ୍ଡୁର କରିବାକୁ ଜୋର ସୋରରେ ଲାଗିପଡ଼ି ଥାଆନ୍ତି; ଆଉ ତହିଁର ଶିକାର ହୋଇ ଥାଆନ୍ତି ନିଜେ ଗାନ୍ଧୀଜୀ । ସେହି ସମୟରେ ହିନ୍ଦୁ ମହାସଭାର ଜଣେ ଖ୍ୟାତନାମା ନେତା ଡକ୍ଟର ମୁଞ୍ଜେ ଥରେ ଗୋଟିଏ ସାଧାରଣ ସଭାରେ କହିଥିଲେ, ଗାନ୍ଧୀଜୀ ମଣିଷ ନୁହନ୍ତି, ସେ ଜଣେ ଦେବତା–ସ୍ୱୟଂ ଭଗବାନ । ତାଙ୍କୁ ପୂଜାକର, କିନ୍ତୁ ତାଙ୍କ କଥା କେହି ଶୁଣନା–ତାଙ୍କୁ କିଛି କହିବାକୁ ଦିଅନା ଆମର ଦେବତା ଓ ଭଗବାନ କଥା କହନ୍ତିନି

 

ଡକ୍ଟର ମୁଞ୍ଜେଙ୍କ ମନ୍ତବ୍ୟ ପରିହାସ ବ୍ୟଞ୍ଜକ ହୋଇଥିଲେ ହେଁ ସେ ଭିତରେ ଯେ ଅନେକ ପରିମାଣରେ ବାସ୍ତବତାର ଗୂଢ଼ ତଥ୍ୟ ଛପି ରହିଛି ସେଥିରେ ସନ୍ଦେହ ନାହିଁ । ଜଣେ ସାଧାରଣ ମଣିଷ ଯାହାଙ୍କ ପାଖରେ ତା’ର ନିଜ ଆଦର୍ଶ ଗୁଣସବୁ ଠୁଳ ହୋଇଥିବା ଦେଖେ, ତାଙ୍କୁ ସେ ନିଜର ଗୁରୁ ବୋଲି ଅନ୍ତର ଭିତରେ ମାନି ନିଏ ଓ ସେପରି ଗୁରୁଙ୍କ ଦର୍ଶିତ ପଥ ଅନୁସରଣ କରିବାକୁ ଚେଷ୍ଟା କରେ । ଏପରି ଆଦର୍ଶ ସ୍ଥାନୀୟ ମଣିଷ ବା ଗୁରୁ ଯେତେବେଳେ ଦେବତା କିମ୍ୱା ଭଗବାନ ପାଲଟି ଯାଆନ୍ତି, ସାଧାରଣ ମଣିଷ ସେହି ଗୁରୁଙ୍କ ନାମ କୀର୍ତ୍ତନ କରେ ସିନା, ସେପରି ଦେବତା କିମ୍ୱା ଭଗବାନଙ୍କ ଚଲାବାଟରେ ଆଉ ଯିବାକୁ ସାହସ କରିପାରେନି, ଯେହେତୁ ସେ ଧରିନିଏ ଯେ ଯାହା ଭଗବାନଙ୍କ ପକ୍ଷରେ ସମ୍ଭବ ତାହା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ । ତେଣୁ ମଣିଷ ଭଗବାନ ପାଲଟି ଗଲାକ୍ଷଣି ଅନ୍ୟ ମଣିଷମାନଙ୍କ ପାଖରୁ ଦୂରେଇ ଯାଏ ।

 

ମାନବ ସମାଜରେ ସେ ଯୁଗରେ ଯୀଶୁ ଖ୍ରୀଷ୍ଟ ଓ ମହମ୍ମଦ ଓ ଏ ଯୁଗରେ ଲେନିନଙ୍କ ପ୍ରଭାବ ସଙ୍ଗେ ଭଗବାନ ରୂପରେ ପରିଣତ ହେଲା ପରେ ଭାରତରେ ବୁଦ୍ଧଙ୍କ ପ୍ରଭାବ ବିଚାରକୁ ନେଲେ ଏହାର ସତ୍ୟତା ଜଣାପଡ଼େ ।

 

ମନେହୁଏ କେତେ ହଜାର ବର୍ଷ ତଳେ ଭାରତର କେତେକ କ୍ଷମତାସୀନ ନେତା ସ୍ଥାନୀୟ ବ୍ୟକ୍ତି ଠିକ୍ ଏହିପରି ଶ୍ରୀକୃଷ୍ଣଙ୍କ ବହୁମୁଖୀ, ପ୍ରତିଭା, ବୈପ୍ଳବିକ ଚିନ୍ତାଧାରା, ଜ୍ଞାନର ଗାରିମା ତଥା ଶକ୍ତି ଓ ସାମର୍ଥ୍ୟ ସହ ବେଦର ସମାଲୋଚନା ପ୍ରଭୃତି ଲକ୍ଷ୍ୟ କରି ସମାଜରେ ତାଙ୍କର ପ୍ରଭାବକୁ କ୍ଷୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଭଗବାନ ରୂପରେ ପରିଣତ କରି ଦେଇଥିଲେ-

 

ପୃଥିବୀର ଅନେକ ଭଗବାନଙ୍କ ଅସ୍ତିତ୍ୱରେ ହିଁ ବିଶ୍ୱାସ କରନ୍ତିନି ତେଣୁ ଭଗବାନ ପାଲଟିଯିବା ଫଳରେ ଶ୍ରୀକୃଷ୍ଣ ଏପରି ନାସ୍ତିକମାନଙ୍କର ବିଦ୍ରୂପର ପାତ୍ର ହେଲେ । ଭଗବାନଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁଥିଲେ ମଧ୍ୟ ଖ୍ରୀଷ୍ଟିୟାନ ଓ ମୁସଲମାନ ଧର୍ମାବଲମ୍ୱୀ ପରି ଯେଉଁମାନେ ସାକାର ଭଗବାନଙ୍କୁ ବିଶ୍ୱାସ କରନ୍ତିନି ସେମାନଙ୍କ ଆଖିରେ ପିତୁଳା ପୂଜା କରୁଥିବା ହିନ୍ଦୁମାନଙ୍କ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ହାସ୍ୟାସ୍ପଦ ପିତୁଳାରେ ହିଁ ପରିଣତ ହେଲେ । ହିନ୍ଦୁଙ୍କ ମଧ୍ୟରେ ମଧ୍ୟ ଶୈବ ଓ ଶାକ୍ତମାନେ ଶ୍ରୀକୃଷ୍ଣଙ୍କୁ ଯଥୋଚିତ ଆସନ ଦେଲେନି ଶ୍ରୀକୃଷ୍ଣ ହେଲେ କେବଳ ବୈଷ୍ଣବଙ୍କ ଭଗବାନ ସେଥିରେ ମଧ୍ୟ ବିଷ୍ଣୁଙ୍କ ଅନେକ ଅବତାର ମଧ୍ୟରେ ଶ୍ରୀକୃଷ୍ଣ ଗୋଟିଏ ଅବତାର ହୋଇ ରହିଲେ ଓ ସେହି ଅବତାରର ଅଂଶୀଦାର ହେଲେ ବଳରାମ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ ।

 

ଏପରି ଭାବରେ ବନ୍ଦୀଶାଳାର ପଥର ଘରେ ପୃଥିବୀର ଯେଉଁ ସର୍ବଶ୍ରେଷ୍ଠ ମହାମାନବ ଜନ୍ମ ନେଇଥିଲେ, ତାଙ୍କ ମୃତ୍ୟୁର କେତେ ହଜାର ବର୍ଷ ଭିତରେ ମନୁଷ୍ୟର ସେହି ସାଥୀ, ସାରଥୀ, ବନ୍ଧୁ ଓ ସଖା, ଜଗଦ୍‍ଗୁରୁ ମହାଯୋଗୀ ଶ୍ରୀକୃଷ୍ଣ ପଥର ଘରେ ହିନ୍ଦୁର ମନ୍ଦିର ଭିତରେ ବନ୍ଦୀ ହୋଇଗଲେ

 

କେତେ ପଣ୍ତିତଙ୍କ ମତରେ ଅଗ୍ନିର ସ୍ଫୁଲିଙ୍ଗ ଯେପରି ଅଗ୍ନିଠାରୁ ଭିନ୍ନ ନୁହେଁ, ଜଳବିନ୍ଦୁ ଯେପରି ସାଗରଠାରୁ ଭିନ୍ନ ନୁହେଁ, ଜୀବ ଠିକ ସେପରି ଭଗବାନଙ୍କ ଠାରୁ ଅଭିନ୍ନ । ପାର୍ଥକ୍ୟ ଯାହା, ତାହା ବୋଧହୁଏ ମାତ୍ରାରେ, ଗୁଣରେ ନୁହେଁ । ଯେଉଁ କ୍ଷେତ୍ରରେ ଗୁଣ ସାଙ୍ଗରେ ମାତ୍ରାର ମଧ୍ୟ ଆଧିକ୍ୟ ଦେଖିବାକୁ ମିଳେ ସେଠାରେ ମଣିଷ ଓ ଭଗବାନ ଏକ ହୋଇଯାଆନ୍ତି ବୋଲି ଶୁଣାଯାଏ-। ତେଣୁ ପାଣ୍ଡବ ଭିତରେ ଧନଞ୍ଜୟ ଓ ଯାଦବଙ୍କ ଭିତରେ ବାସୁଦେବ ମଣିଷ ହୋଇ ମଧ୍ୟ ଭଗବାନ ହୋଇପାରନ୍ତି । ତେବେ ଅର୍ଜୁନ ଯଦି ଆମ ଆଖିରେ ମଣିଷ ହୋଇ ରହିଲେ, ଶ୍ରୀକୃଷ୍ଣଙ୍କ ମଣିଷ ହୋଇ ରହିବେ ନାହିଁ କାହିଁକି ବୋଲି ମନ ଭିତରେ ସ୍ୱାଭାବିକ ପ୍ରଶ୍ନ ଜାଗି ଉଠେ । ମତ୍ସ୍ୟ, କୂର୍ମ, ବରାହ ଓ ନୃସିଂହ ଅବତାରରେ ଭଗବାନ ନିଜେ ନିଜକୁ ପ୍ରକାଶ କରିଥିଲେ ବୋଲି ଶୁଣାଯାଏ । ଶ୍ରୀକୃଷ୍ଣ କିନ୍ତୁ ଗୋଟିଏ ସାଧାରଣ ପରିବାରରେ ଓ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥିଲେ, ଅତ୍ୟାଚାରୀ ରାଜାଙ୍କ ଆକ୍ରୋଶରୁ ରକ୍ଷା କରିବା ପାଇଁ ଜନ୍ମକାଳରୁ ହିଁ ତାଙ୍କୁ ତାଙ୍କ ବାପା ଦୂରରେ ଅନ୍ୟ ଜଣକର ଘରେ ଲୁଚାଇ ରଖିଥିଲେ

 

ରାମଚନ୍ଦ୍ର ସଶରୀରରେ ସ୍ୱର୍ଗକୁ ଯାଇଥିଲେ ଓ ପରଶୁରାମ ଅମର ବୋଲି ଶୁଣାଯାଏ । ମର ଶରୀରରେ ଯୀଶୁଖ୍ରୀଷ୍ଟ ଓ ଗାନ୍ଧୀଙ୍କ ପରି ଯେଉଁ ମହାମାନବମାନେ ଆତତାୟୀଙ୍କ ଦ୍ୱାରା ନିହତ ହୋଇଛନ୍ତି, ଶ୍ରୀକୃଷ୍ଣ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

 

ପିଲାଦିନେ ଶ୍ରୀକୃଷ୍ଣ କୁଆଡ଼େ ଆମପରି ମାଟି ଖାଉଥିଲେ, ଧୂଳି ଖାଉଥିଲେ, ଆଉ ସୁବିଧା ଦେଖି କେତେବେଳେ ଦୁଧସର କେତେବେଳେ ଦହି, ଛେନା, ଚୋରି କରି ଖାଉଥିଲେ, ଆଉ ସାଙ୍ଗସାଥୀଙ୍କ ଭିତରେ ବିରାଡ଼ି ମାଙ୍କଡ଼ଙ୍କ ଭିତରେ ବାଣ୍ଟୁଥିଲେ, ଆଉ ତାଙ୍କ ମା’ଙ୍କ ପାଖରୁ ନିର୍ଧୁମ ମାଡ଼ ଖାଉଥିଲେ । ତାଙ୍କ ବିରୁଦ୍ଧରେ ତାଙ୍କ ବାପା ମା’ଙ୍କ ପାଖରେ ଗାଁ ବାଲାଙ୍କ ସବୁବେଳେ କମ୍ପ୍ଳେନ୍‍–କେତେବେଳେ କା’ ଘରେ ପଶି ହାଣ୍ଡି ଭାଙ୍ଗିଲେଣି ତ କିଏ ଗାଧୋଇଲା ବେଳେ ଲୁଗାପଟା ନେଇ କେଉଁଠି ଲୁଚାଇ ଦେଲେଣି । ଭୟଙ୍କର ଦୁଷ୍ଟ । କେଉଁଠି ସାପର ଲାଞ୍ଜ ଧରିଲେଣି ତ କେଉଁଠି ଷଣ୍ଢର ଶିଙ୍ଗ ଧରି ତା’ ପିଠିରେ ବସିଲେଣି । ଆଉ କେଉଁଠି କାମୁଡ଼ା ଘୋଡ଼ା ମୁହଁରେ ହାତ ପୂରାଇ ସାରିଲେଣି ।

 

ଶ୍ରୀକୃଷ୍ଣ ଥିଲେ ଠିକ ଆମରି ପରି ଜଣେ ମଣିଷ । ଗାଁ’ରେ ସେ ସମସ୍ତଙ୍କର ପ୍ରିୟ ଥିଲେ-। ବାପା ମା’ଙ୍କ ଅଲିଅଳ ପୁଅ, ବଡ଼ଭାଇ ବଳରାମଙ୍କ ଅତି ପ୍ରିୟ ସାନଭାଇ–ଟିକିଏ ଛାଡ଼ି ରହି ପାରିବେନି । ଗାଁ’ର ସବୁ ପୁଅଝିଅଙ୍କ ପ୍ରାଣ-ପରମ ସଖା ।

 

ସେ ସବୁ ବିଷୟରେ ପାରଙ୍ଗମ ଥିଲେ । ଗୀତ, ନାଚ, ଖେଳ କୁଦ, କୁସ୍ତି କସରତ ସବୁଥିରେ ସେ ଥିଲେ ସର୍ବଶ୍ରେଷ୍ଠ । ପିଲାଦିନରୁ ହିଁ ତାଙ୍କର ବୈପ୍ଳବିକ ଚିନ୍ତାଧାରା ପ୍ରକାଶ ପାଇଥିଲା । ସେ ଦେବତା ପୂଜା ଓ କର୍ମକାଣ୍ଡ ବନ୍ଦ କରିବାକୁ ଗାଁ ବାଲାଙ୍କୁ ମତାଇ ଦେଇଥିଲେ ।

 

ଶ୍ରୀକୃଷ୍ଣ ଯେତେବେଳେ ବୃନ୍ଦାବନ ଛାଡ଼ି ମଥୁରା ଗଲେ ତାଙ୍କର ବୟସ କୁଆଡ଼େ ୯ ବର୍ଷ ଥିଲା । କେହି କେହି ୧୨ ବୋଲି ମଧ୍ୟ କହନ୍ତି । (ନିନ୍ଦୁକମାନେ ଏହି ୯ କିମ୍ୱା ୧୨ ବର୍ଷ ବୟସର ବାଳକକୁ ହିଁ ଲମ୍ପଟ ଓ ଗୋପୀକାବଲ୍ଲଭ ବୋଲି କହିଥାଆନ୍ତି )

 

ମଥୁରାରେ କୃଷ୍ଣଙ୍କ କାର୍ଯ୍ୟାବଳୀ ଶୁଣିଲେ ଆଜିକାଲିର ଛାତ୍ର ବିଶୃଙ୍ଖଳା କଥାହିଁ ମନେପଡ଼େ କେଉଁଠୁ ରାଜାଙ୍କ ଫୁଲ ଛଡ଼ାଇ ନେଲେଣି ତ କେଉଁଠୁ ରାଜାଙ୍କ ଲୁଗାପଟା ନେଇଗଲେଣି ବିନା ଟିକେଟରେ ସିନେମା ଦେଖିଲା ପରି ବିନା ଅନୁମତିରେ ଧନୁଘରକୁ ପଶିଗଲେଣି । ଫଳରେ ସବୁଠାରେ ରାଜାଙ୍କର ସେ ଦିନର ପୋଲିସ ସାଙ୍ଗେ ତାଙ୍କର ସାଙ୍ଗସାଥୀ ମାନଙ୍କ ଧ୍ୱସ୍ତାଧ୍ୱସ୍ତି ହେଉଥିଲା ।

 

ସେ ଥିଲେ ଠିକ ଆମରି ପରି । ଯାହାକୁ ଭଲ ପାଉଥିଲେ ତା’କୁ ସାହାଯ୍ୟ କରିବା ପାଇଁ ବେଳେ ବେଳେ ଗୋଟିଏ ଅଧେ ମିଛ ମଧ୍ୟ କହି ଦେଉଥିଲେ । କୁନ୍ତୀ ଆଉ ପାଣ୍ଡବମାନଙ୍କୁ ଗୁପ୍ତରେ ଜତୁଗୃହରୁ ଖସାଇ ଦେଇ ସେମାନେ ପୋଡ଼ି ମଲେ ବୋଲି ସେ ହିଁ ସବୁଠାରୁ ବେଶି କାନ୍ଦିଥିଲେ ମଣିଷ ହେଉ ବା ହାତୀ ହେଉ ଅଶ୍ୱତ୍‍ଥାମା ମରିଗଲା ବୋଲି ଯୁଧିଷ୍ଠିରଙ୍କୁ କହିବାକୁ କହି, ତାହା କହିଲା ବେଳେ ଏଡ଼େ ଜୋରରେ ଶଙ୍ଖ ଫୁଙ୍କି ଦେଲେ ଯେ ‘ମଣିଷ ହେଉ ବା ହାତୀ ହେଉ’ ଆଦୌ ଶୁଣା ଗଲାନି । ମହାଭାରତ ଯୁଦ୍ଧରେ ନିଜେ ଯୁଦ୍ଧ କରିବେନି କହି ଭୀଷ୍ମଙ୍କୁ ଦିନେ ମାରି ଗୋଡ଼ାଇଥିଲେ । ସେ ଥିଲେ ମଣିଷ ପରି ଜଣେ ମଣିଷ । ସାଙ୍ଗ, ସଖା ଛାତିରେ ଲାତ ମାରିଲେ ବି ସହି ଯାଉଥିଲେ, କିନ୍ତୁ ଶିଶୁପାଳ ପରି ଶତ୍ରୁ ପାଇଁ ସହିବାର ଗୋଟିଏ ସୀମା ରହୁଥିଲା । ସେ ଯେମିତି ସାହସୀ ଥିଲେ, ସେମିତି ବଳବାନ ଓ ଜ୍ଞାନୀ ମଧ୍ୟ ଥିଲେ ।

ପାଣିନୀ କେତେ ହଜାର ବର୍ଷ ତଳେ ତାଙ୍କୁ ଜଣେ ପ୍ରଚାରକ ବୋଲି କୁଆଡ଼େ ବର୍ଣ୍ଣନା କରି ଯାଇଛନ୍ତି । ସେ କିନ୍ତୁ କୌଣସି ଉଚ୍ଚ ଆସନରୁ କୌଣସି ମତ ପ୍ରଚାର କରି ନ ଥିଲେ । ଏକା ଥାଳିରେ ଖାଇ, ଗୋଟାଏ ଖଟରେ ଶୋଇ, ରଥରେ ସାରଥୀ କାମ କରି ଅର୍ଜ୍ଜୁନଙ୍କୁ ଯୁଦ୍ଧବେଳେ ଯାହା ସବୁ ବୁଝାଇଥିଲେ ତାହା ହିଁ ଭଗବତ ଗୀତା ରୂପରେ ମାନବ ଜାତିର ଜ୍ଞାନର ଭଣ୍ଡାର ହୋଇ ରହିଛି ।

ଶ୍ରୀକୃଷ୍ଣଙ୍କୁ ବୁଝିବା ସହଜ ପରି ମନେ ହୁଏ । ସେ ଆମକୁ ଘରଦ୍ୱାର ଛାଡ଼ି ହିମାଳୟର କେଉଁ ଗୁମ୍ଫା ଭିତରେ ତପସ୍ୟା କରିବାକୁ କହିନାହାନ୍ତି ଭଲ ଓ ମନ୍ଦର ଉଚିତ ବିବେଚନା କରି ଆମର ଯାହା କର୍ତ୍ତବ୍ୟ ତାହା ହିଁ ବିନା ଲାଳସା ଓ ବିନା ଭୟରେ ସୁଚାରୁ ରୂପେ କରିଯିବାକୁ ସେ ଶିକ୍ଷା ଦେଇ ଯାଇଛନ୍ତି । ତାଙ୍କ ମତରେ କର୍ମରେ କୁଶଳତା ହିଁ ଯୋଗ, ଆଉ ଜୀବନ ସଂଗ୍ରାମରୁ ପଳାୟନ କାପୁରୁଷତା ।

କର୍ମ ବିମୁଖ ଓ ପଳାୟନବାଦୀ ପରମ୍ପରାରେ ଜଡ଼ିତ ଭାରତୀୟ ସମାଜରେ ଶ୍ରୀକୃଷ୍ଣଙ୍କ ଚିନ୍ତାଧାରା ଅତ୍ୟାଧୁନିକ ପରି ହିଁ ମନେହୁଏ ।

ତେଣୁ ବୈପ୍ଳବିକ ଚିନ୍ତାଧାରାରେ ବିଶ୍ୱାସୀ ଆଜିର ଯୁବ ସମାଜ ଗୀତାରେ ଯେ ତାଙ୍କର ଚରମ ସନ୍ତୋଷ ପାଇପାରିବେ ଏଥିରେ ସନ୍ଦେହ ନାହିଁ । ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ଭାବି ଭଗବତ ଗୀତାକୁ ଗୋଟିଏ ଧର୍ମଗ୍ରନ୍ଥ ହିସାବରେ ଆଜି ପର୍ଯ୍ୟନ୍ତ ଦୂରେଇ ରଖିଛନ୍ତି ସେମାନେ ଗୀତା ପଢ଼ିସାରିଲା ପରେ ଶ୍ରୀକୃଷ୍ଣଙ୍କୁ ସଖା କୃଷ୍ଣ କିମ୍ୱା କମ୍ରେଡ଼ କୃଷ୍ଣ ଭାବରେ ନୂଆ ରୂପରେ ଦେଖିପାରିବେ ବୋଲି ଆଶା ।

Image

 

ଶୁଣ ପରୀକ୍ଷ

ଶକ୍ତି ଓ ଜ୍ଞାନ

 

ଦୁର୍ବଳ ଉପରେ ସବଳର ଅତ୍ୟାଚାର କେବଳ ଯେ ପଶୁ ପକ୍ଷୀ ଜଗତର ନିୟମ ତାହା କଦାପି କୁହାଯାଇ ନ ପାରେ । ମଣିଷ ମଧ୍ୟ ଏ ନିୟମର ବ୍ୟତିକ୍ରମ ନୁହେଁ ।

 

ବେଙ୍ଗ ବିଚରା କେବେ କାହାର କ’ଣ କ୍ଷତି କରିଥିଲା କେଜାଣି, ମଣିଷ ଚିରଦିନ ତା’ ଉପରେ ଅତ୍ୟାଚାର କରି ଆସିଛି ।

 

ଚାହାଳୀ ଓ ସ୍କୁଲ ପିଲାମାନେ ‘ଦୁଇ’ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପରକୁ ଟେକା ପକାଇ ସେମାନଙ୍କ କାଳ ହୋଇଛନ୍ତି । କଲେଜ ଛାତ୍ରମାନେ ଲେବୋରେଟରୀମାନଙ୍କରେ ବେଙ୍ଗକୁ ଖଣ୍ଡ ଖଣ୍ଡ କରି କାଟିଛନ୍ତି । ବଡ଼ ବଡ଼ ହୋଟେଲରେ ବେଙ୍ଗର ଗୋଡ଼କୁ ରୋଷ୍ଟ କରାଯାଇଛି । କେଉଁ କେଉଁ ଦେଶରେ ଜୀଅନ୍ତା ବେଙ୍ଗ ଗିଳିବା ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଭଲ କରି ପାଦ ପକାଇ ଜାଣୁ ନ ଥିବା ଛୋଟ ଛୁଆଟିଏ ମଧ୍ୟ ଘରେ ବେଙ୍ଗଟିଏ ଦେଖିଲେ କାଠ ଖଣ୍ଡିଏ ଧରି ତା’କୁ କେଞ୍ଚିବାକୁ ଚେଷ୍ଟା କରିଛି ।

 

ଏପରି ଅନ୍ୟାୟ ଅତ୍ୟାଚାର କରିସାରିଲା ପରେ ଯେ ମଣିଷ ସନ୍ତୁଷ୍ଟ ହୋଇଯାଇଛି ତା’ ନୁହେଁ–ବେଙ୍ଗକୁ ଅଯଥା ବିଦ୍ରୂପ କରିଛି ମଧ୍ୟ ।

 

ସେ ଯେତେବେଳେ ଟୁପୁରୁ ଟାପୁରୁ ବର୍ଷେ, ଜନପ୍ରାଣୀ ସମସ୍ତେ ସ୍ୱାଭାବିକ ରୀତିରେ କୌଣସି ଛତ୍ର ତଳର ଆଶ୍ରା ଖୋଜି ବସନ୍ତି । ବାଟୋଇ କାଖତଳୁ ତା’ର ଛତା ବାହାର କରି ନିଜ ମୁଣ୍ଡ ଉପରେ ଟେକି ଧରେ । ଖେତରେ ହଳ କରୁଥିବା ଚାଷୀ ପିଠି ଆଡ଼ିକି ଝୁଲୁଥିବା ଛତୁରୀକୁ ଟାଣୀ ଅଥବା ଖେତ ହୁଡ଼ାରୁ ଓଟାରି ଆଣି ମୁଣ୍ଡରେ ଭଲ କରି ଭିଡ଼ି ନିଏ । ପଡ଼ିଆରେ ଚରୁଥିବା ଗାଈଗୋରୁଙ୍କୁ ଧରି ଗାଈ ଜଗାଳିମାନେ କୌଣସି ଝଙ୍କାଳିଆ ଗଛ ତଳର ଆଶ୍ରା ନିଅନ୍ତି । ସହର ଦାଣ୍ଡରେ ଘୂରି ବୁଲୁଥିବା ବୁଲା ଷଣ୍ଢ ମଧ୍ୟ କାହାର ବାରଣ୍ଡା ଉପରକୁ ଉଠିଯାଏ । ତେଣୁ ଏପରି ଅବସ୍ଥାରେ, କେଶୁର ଜଗା ମାରୁ ବା ନ ମାରୁ, ବେଙ୍ଗଟିଏ ଯଦି ସାରୁଗଛ ତଳର ଆଶ୍ରୟ ନେଲା ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ବା ଥାଇପାରେ ? ହୁଏତ ସାରୁପତ୍ରର ଛତ୍ର ତଳେ ଆସୀନ ଏହି ବେଙ୍ଗଟି ତା’ ପୁଅ ଝିଅମାନେ କିଏ କେଉଁଠି ଆଶ୍ରୟ ପାଇଲେଣି ନା ନାହିଁ ସେ ସମ୍ୱନ୍ଧରେ ଖୋଜ ଖବର ନେବା ଉଦ୍ଦେଶ୍ୟରେ ବଡ଼ ପାଟି କରି ଦି’ ଚାରୋଟି ପ୍ରଶ୍ନ ପଚାରି ଦେଲା–ଅଥବା ‘ଆମ ଆଡ଼ିକି ବେଶ୍ ବର୍ଷା ତମ ଆଡ଼ିକି କେମିତି ହେ ସମୁଧି’ ବୋଲି ପାଖ ଗାଁ ଉଦ୍ଦେଶ୍ୟରେ ବଡ଼ ପାଟି କରି ଦି’ ଚାରୋଟି ପ୍ରଶ୍ନ ପଚାରି ଦେଲା–ଅଥବା ‘ଆମ ଆଡ଼ିକି ବେଶ୍ ବର୍ଷା ତମ ଆଡ଼ିକି କେମିତି ହେ ସମୁଧି’ ବୋଲି ପାଖ ଗାଁ ଉଦ୍ଦେଶ୍ୟରେ କେତୋଟି ବିରାଟ କୁହାଟ ଛାଡ଼ି ଦେଲା-

 

ଏହା ମଧ୍ୟ ହୋଇପାରେ ଯେ, ମା’ ମାନେ ଯେମିତି ‘ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ ତୁ ଖସି’ ଗାଇ ଗାଇ ଅଝଟ ଛୁଆମାନଙ୍କୁ ଖୁଆଇବାକୁ ଚେଷ୍ଟା କରନ୍ତି କିମ୍ୱା ସେମାନଙ୍କ ମୁଣ୍ଡ ଥାପୁଡ଼େଇ ଥାପୁଡ଼େଇ ଗାଁ ମୁଣ୍ଡ ବରଗଛ ତଳର ଦାଢ଼ିଆ କାବୁଲି କେମିତି ତା’ ଝୁଲି ମୁଣିରେ କାନ୍ଦୁରା ପିଲାମାନଙ୍କୁ ଭର୍ତ୍ତି କରି ନେଇଯାଉଛି ସେକଥା କହି ‘‘ଶୋଇ ଯା’ରେ ଧନ ମୋର.....’’ ଗୀତ ମେଲି ଦିଅନ୍ତି ସେମିତି, ତି’ ଚାରୋଟି ଝଡ଼ି ପୋକ ଖୁଆଇ ଦେବା ଆଶାରେ ଅଥବା ଟପର ଟପର ବର୍ଷା ଶବଦରେ ଶୋଇପାରୁ ନ ଥିବା ଆଉ ଅଯଥା ଡେଇଁ ବୁଲୁଥିବା ଅଝଟ ବେଙ୍ଗଛୁଆମାନଙ୍କୁ ଶୁଆଇ ଦେବା ଉଦ୍ଦେଶ୍ୟରେ ବେଙ୍ଗୁଲୀ ତା’ର ରାତିର ଲମ୍ୱା ଗୀତ ମେଲି ଦେଇଛି ସେଥିରୁ କିପରି ପ୍ରମାଣ ମିଳିଲା ଯେ ବେଙ୍ଗଟି ସାରୁ ଗଛ ମୂଳେ ବସି ଆପେ ଆପଣାକୁ ରାଜା ବୋଲାଉଛି ? ବିଦ୍ରୂପ କରିବା ଛଡ଼ା ଏହାର ଆଉ କ’ଣ ବା ଅର୍ଥ ହୋଇପାରେ ?

 

ଏତିକି ନୁହେଁ । ମଣିଷ ପାଖରୁ ବେଙ୍ଗ ସାଧାରଣ ନ୍ୟାୟ ବିଚାର ମଧ୍ୟ ପାଇନି ।

 

ସରସୀ ଜଳରେ ନିରୀହ ମଣ୍ଡୁକ ଅତି କବଳରେ ପଡ଼ିଛି । ମଣ୍ଡକୁ ପ୍ରତି ମଣିଷର ଦୟା ନାହିଁ ସହାନୁଭୂତି ନାହିଁ କିମ୍ୱା ‘ଆହା’ ଗୋଟିଏ ମଧ୍ୟ ନାହିଁ । ନିର୍ମମ ଯନ୍ତ୍ରଣା ଦେଇ ମଣ୍ଡୁକକୁ ତିଳ ତିଳ କରି ମାରୁଥିବା ଅହି କେବଳ ‘କ୍ରୁର ଅହି’ ପଦକ ଗାଳିରେ ଖସି ଯାଇଛି । କିନ୍ତୁ ସେହି ବେଙ୍ଗ ଯେତେବେଳେ ଖତେଇ ହେଲା ପରି ମୁହଁ ପାଖରେ ଉଡ଼ି ଯାଉଥିବା ଗୋହିଏ କଙ୍କିକୁ ଗିଳି ଦେଇଛି, ସେ କଙ୍କିଟିକୁ କେବଳ ଯେ ‘ଶିଶୁ କଙ୍କି’ ବୋଲି କୁହାଯାଇଛି ତା’ ନୁହେଁ, ବେଙ୍ଗଟି ‘ଉହୁଙ୍କି’ ଶିଶୁ କଙ୍କିକୁ ଗିଳିଦେଲା ବୋଲି ବର୍ଣ୍ଣନା କରାଯାଇଛି ବେଙ୍ଗର ଅଧାରୁ ବେଶୀ ତ ସାପର ପାଟି ଭିତରେ, ସେ ବିଚରା ଉହୁଙ୍କିବ କିପରି ?

 

ନୀଳ ଆକାଶର ଛତ୍ର ତଳେ ନିଜକୁ ଜୀବଜଗତର ସମ୍ରାଟ ବୋଲାଉଥିବା ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ନିଜେ ଡିଣ୍ଡିମ ପିଟୁଥିବା ମଣିଷ, ଦୟା, ଅହିଂସା ପରୋପକାର ଦ୍ୱାହି ଦେଉଥିଲେ ମଧ୍ୟ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରି ଆସିଛି । ଦୁର୍ବଳତାକୁ ହେୟଜ୍ଞାନ କରିଛି ଆତ୍ମା ଗାରିମା ଓ ଆତ୍ମାଶ୍ଳାଘା ନେଇ ।

 

କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ସତତ ଚେଷ୍ଟା କରି ଆସିଛନ୍ତି ଯେତେବେଳେ ପାଣ୍ତବ ଶକ୍ତି ରକ୍ଷାକବଚ ହୋଇ ଦ୍ରୌପଦୀଙ୍କ ପାଖକୁ ଯିବାକୁ ଭରସି ପାରି ନାହାନ୍ତି, କିନ୍ତୁ ସେହି ଶକ୍ତି ଯେତେବେଳେ ମୁହ୍ୟମାନ ହୋଇ ପଡ଼ିଛି, ଦୁଃଶାସନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ନେଇଛି–ସଭାରେ ସମସ୍ତଙ୍କ ସମ୍ମୁଖରେ ଲାଞ୍ଛନା ଓ ଅପମାନ ଦେବାପାଇଁ । କେବେ କେଉଁଠି ଦ୍ରୌପଦୀଙ୍କ କେଶ ବନ୍ଧନ ହୋଇଛି କିନ୍ତୁ ଅନେକ ସ୍ଥଳରେ ଏପରି ଅବଳାମାନଙ୍କ କେଶ ଚିର ମୁକୁଳା ରହି ଯାଇଛି–ବାଂଲାଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ ପରି ।

 

ଆବହମାନ କାଳରୁ ମଣିଷ ଶକ୍ତିକୁ ସମ୍ମାନ ଦେଇ ଆସିଛି । ଏ ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ତା’କୁ ସମ୍ମାନ ଦେଇଛି ପ୍ରାଣର ଭୟରେ ଜୀବନର ଆକୁଳତାରେ–ଦେବତାମାନେ ରାବଣର ଆଲଟ ଚାମର ଢାଳିବା, ଲୁଗା ପଖାଳିବା ରୀତିରେ । ମହାବଳ ବାଘ ମଧ୍ୟ ମାମୁଁ ହୋଇଛି–ହିମାଳୟର ସନ୍ତାନ ହୋଇଥିବା ଯୋଗୁଁ ହିମାଳୟ ନନ୍ଦିନୀ ମା’ ପାର୍ବତୀଙ୍କ ଭାଇ ଲେଖାରେ ।

 

ଏ ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ମଧ୍ୟ ସୃଷ୍ଟି କରିଛି, ମଣିଷ ସେ ଶକ୍ତିକୁ ଦୈବୀ ଶକ୍ତି ରୂପରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ର ଘର ଦ୍ୱାର ଜାଳି ପୋଡ଼ି ଛାରଖାର କରି ଦେଇଛି, ସେ ଡରରେ ଅଗ୍ନିକୁ ଦେବତା ବୋଲି କହି ତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ହୋମଯଜ୍ଞର ଭିଆଣ କରିଛି । ପବନ ଯେତେବେଳେ ଅଣଞ୍ଚାଶ ମୂର୍ତ୍ତି ଧରିୁ ମଣିଷର କ୍ଷୁଦ୍ର ସୃଷ୍ଟିକୁ କ୍ଷଣକରେ ଧୂଳିସାତ୍ କରି ଦେଇଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିହ୍ନ ହୋଇଯାଇଛି, ମଣିଷ ପବନ ଓ ବରୁଣଙ୍କୁ ଦେବତା ଆଖ୍ୟା ଦେଇ ସେମାନଙ୍କର ସ୍ତୋତ୍ର ଗାନ କରିଛି ।

 

ଆଉ ଏ ଶକ୍ତି ଯେତେବେଳେ କେବଳ ମଙ୍ଗଳମୟ ଓ ରକ୍ଷାକାରୀ ଶକ୍ତି ରୂପରେ ଦେଖା ଦେଇଛନ୍ତି, ମଣିଷ ସେ ଐଶୀ ଶକ୍ତିଙ୍କୁ ପୂଜା କରିଛି–କୃତଜ୍ଞତାରେ–କୃତଜ୍ଞତା ଜନିତ ଭକ୍ତିର ବିହ୍ୱଳତାରେ ପ୍ରାଣର ଆବେଗରେ, ମନର ଆନନ୍ଦରେ ମଣିଷ ଏ ଶକ୍ତିକୁ କେତେବେଳେ ମା’ ବୋଲି ଡାକିଛି, କେତେବେଳେ ପିତା ବୋଲି ସମ୍ୱୋଧନ କରିଛି । କେତେବେଳେ ଗୁରୁ ବୋଲି କହିଛି ଆଉ କେତେବେଳେ ବନ୍ଧୁ ଓ ସଖା ବୋଲି ଆଦର କରିଛି ।

 

ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ପୂର୍ବପୁରୁଷମାନେ କହି ଯାଇଛନ୍ତି । କିନ୍ତୁ ସେମାନେ ଦୁର୍ବଳତାକୁ ପ୍ରଶ୍ରୟ ଦେଇ ନାହାନ୍ତି, ବରଂ ସ୍ପଷ୍ଟ ଭାବରେ ନିନ୍ଦା କରି ଘୋଷଣା କରିଛନ୍ତି ଯେ ବଳହୀନ ଦ୍ୱାରା ଏ ଆତ୍ମା ପ୍ରାପ୍ୟ ନୁହେଁ । ଶକ୍ତିର ଆହରଣ ଓ ସଞ୍ଚୟ ଆମର ଧ୍ୟେୟ ହେବା ଉଚିତ ବୋଲି କହିବା ସଙ୍ଗେ ସଙ୍ଗେ ସେ ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନ ନିଏ ସେଥିପାଇଁ ଜ୍ଞାନର ଆବଶ୍ୟକତା ସୂରାଇ ଦେବାକୁ ଯାଇ ଯେଉଁ ଆଦର୍ଶର ଇଙ୍ଗିତ ଦେଇଛନ୍ତି ପୃଥିବୀର ଅନ୍ୟତ୍ର ତା’ର ପଟାନ୍ତର ନାହିଁ ।

 

ପୁରାଣର କାହାଣୀମାନଙ୍କ ମାଧ୍ୟମରେ ସେମାନେ ଆମକୁ ଏସବୁ ଆଦର୍ଶର ଶିକ୍ଷା ଦେଇ ଯାଇଛନ୍ତି ବିଶ୍ୱାମିତ୍ରଙ୍କ ସାଧନାର କାହାଣୀ କାଳ୍ପନିକ ହୋଇପାରେ–କିନ୍ତୁ ଏ ଆଦର୍ଶର ଗୋଟିଏ ସୁନ୍ଦର ପ୍ରତୀକ । ଏଠାରେ ତା’ର ସାଧାରଣ ବର୍ଣ୍ଣନା ଅପ୍ରାସଙ୍ଗିକ ହେବନି ।

 

ପ୍ରତାପୀ ରାଜା ବିଶ୍ୱାମିତ୍ର ସୈନ୍ୟବଳ ଧରି ଦିଗ୍‍ବିଜୟରେ ବାହାରିଥିଲେ । ସୈନ୍ୟମାନେ ଶ୍ରାନ୍ତ, କ୍ଳାନ୍ତ, ରାଜାଙ୍କୁ ମଧ୍ୟ ଖୁବ୍ ଭୋକ ଓ ଶୋଷ–ସେମାନେ ବଶିଷ୍ଠଙ୍କ ଆଶ୍ରମ ଦେଖିବାପାଇଁ ସେଠାକୁ ଗଲେ । କେବଳ ତାଙ୍କ ପାଇଁ ନୁହେଁ, ସାରା ସୈନ୍ୟବଳ ପାଇଁ ବଶିଷ୍ଠ ସୁଖାଦ୍ୟର ଆୟୋଜନ ସହଜରେ କରି ଦେଇଥିବା ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ ଓ ପଚାରି ଜାଣି ପାରିଲେ ଯେ ବଶିଷ୍ଠଙ୍କ ଗାଈ କାମଧେନୁ ଯୋଗୁ ହିଁ ତାହ ସମ୍ଭବପର ହୋଇଛି ।

 

ରାଜାଙ୍କର ମନରେ ଲୋଭ ଜନ୍ମିଲା ଏପରି ଗାଈ କେବଳ ରାଜାଙ୍କର ଧନ ହେବା ଉଚିତ ଭାବି ସେ କାମଧେନୁକୁ ବଳାତ୍କାରରେ ସାଙ୍ଗରେ ନେଇଯିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ । ବଶିଷ୍ଠ ଅତ୍ୟନ୍ତ ଦୁଃଖିତ ହୋଇ ଏ ଅନ୍ୟାୟର ପ୍ରତିବାଦ କଲେ କିନ୍ତୁ କିଛି ଫଳ ହେଲାନି-। କାମଧେନୁକୁ ଚଲାଇ ସାଙ୍ଗରେ ନେଇ ନ ପାରିବାରୁ ସୈନ୍ୟମାନେ ଅନେକ ମାଡ଼ ମାରି ଚାରି ଗୋଡ଼ ବାନ୍ଧି ରଥରେ ପକାଇ ନେଇଯିବାକୁ ଉଦ୍ୟମ କଲେ । ଗାଈ ପ୍ରତି ଏପରି ଅତ୍ୟାଚାର ଓ ତା’ର ବିକଳ କ୍ରନ୍ଦନ, ବଶିଷ୍ଠ ସମ୍ଭାଳି ପାରିଲେନି । କୁଶ ଖଣ୍ଡିଏ ମନ୍ତ୍ର କରି ଛାଡ଼ି ଦେବା ଫଳରେ ବିଶ୍ୱାମିତ୍ରଙ୍କ ସୈନ୍ୟବଳର ସମୂଳ ବିନାଶ ହେଲା । ରାଜା ନିରସ୍ତ୍ର ହୋଇ ପଡ଼ିଲେ ଓ କାମଧେନୁ ମୁକୁଳି ଆସିଲେ-

 

ଏତେ ବଡ଼ ପ୍ରତାପୀ ରାଜା ବିଶ୍ୱାମିତ୍ର ଏପରି ଭାବରେ ଲଜ୍ଜା ଓ ଅପମାନରେ ସେଠାରୁ ପଳାଇ ଯାଇ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଦେଲେ । ଯଥା ସମୟରେ ସେ ବର ପାଇ ସବୁ ଦେବ ଶର ଓ ବ୍ରହ୍ମଶରର ଅଧିକାରୀ ହେଲେ ଓ ପୁଣି ଥରେ ବଶିଷ୍ଠଙ୍କ ପାଖରୁ କାମଧେନୁ ଛଡ଼ାଇ ନେବା ଉଦ୍ଦେଶ୍ୟରେ ଆସିଲେ । କିନ୍ତୁ ଏଥର ମଧ୍ୟ ସବୁ ଚେଷ୍ଟା ବିଫଳ ହେଲା । ବ୍ରହ୍ମର୍ଷି ବଶିଷ୍ଠଙ୍କ ଦଣ୍ଡରେ ପଡ଼ି ବ୍ରହ୍ମଶର ମଧ୍ୟ ଲୀନ ହୋଇଗଲା ବିଶ୍ୱାମିତ୍ର ବୁଝିପାରିଲେ ଯେ ବ୍ରହ୍ମ ତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ ।

 

ସେ ରାଜ୍ୟଭାର ଅନ୍ୟ ହାତରେ ସମର୍ପି ଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ତାଙ୍କର ଅଦ୍ଭୁତପୂର୍ବ ତପସ୍ୟା ଆରମ୍ଭ କରିଦେଲେ । କାଳେ ଇନ୍ଦ୍ରପଦ ନେଇଯିବ, ଏଇ ଭୟରେ ଇନ୍ଦ୍ର ବିଶ୍ୱାମିତ୍ରଙ୍କ ତପ ଭଙ୍ଗ ପାଇଁ କିପରି ମେନକାଙ୍କୁ ପଠାଇଲେ, ଶକୁନ୍ତଳାଙ୍କ ଜନ୍ମ, ଚଣ୍ଡାଳ ତ୍ରିଶଙ୍କୁଙ୍କୁ ବିଶ୍ୱାମିତ୍ରଙ୍କ ସ୍ୱର୍ଗକୁ ପ୍ରେରଣ, ତ୍ରିଶଙ୍କୁଙ୍କ ନ ଯଯୌ ନ ତସ୍ଥୌ ଅବସ୍ଥା, ନୂତନ ସ୍ୱର୍ଗ ସୃଷ୍ଟି ପ୍ରଭୃତି ସମସ୍ତଙ୍କୁ ଊଣା ଅଧିକେ ଜଣା । ଏତେ ତପସ୍ୟା ପରେ ମଧ୍ୟ ସମ୍ପୂର୍ଣ୍ଣ ରୂପେ କ୍ରୋଧ ଦମନ କରିପାରି ନ ଥିବାରୁ ଆଉ ଅହଙ୍କାର ଯୋଗୁଁ ବିଶ୍ୱାମିତ୍ର ଆଉ ଥରେ ବଶିଷ୍ଠଙ୍କ ପାଖକୁ ଯାଇ ନିଜକୁ ଅପମାନିତ ମନେ କରିଥିଲେ । ଶେଷରେ ତାଙ୍କର ଯେତେବେଳେ ବ୍ରହ୍ମଜ୍ଞାନର ଉଦ୍ରେକ ହେଲା–ସେ ବଶିଷ୍ଠଙ୍କୁ ଦେଖା କଲେ ସହାସ୍ୟ ବଦନରେ । କ୍ରୋଧ କୁଆଡ଼େ ଚାଲି ଯାଇଥିଲା–ବଶିଷ୍ଠଙ୍କୁ ହରାଇବା ପ୍ରଶ୍ନ ଆଉ ନ ଥିଲା । ବଶିଷ୍ଠ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କୁ ସସମ୍ମାନରେ ନିଜ ଆଶ୍ରମକୁ ପାଛୋଟି ନେଇଥିଲେ ।

 

ମହାତେଜସ୍ୱୀ ବ୍ରହ୍ମର୍ଷି ବିଶ୍ୱାମିତ୍ର, ନିଜେ ଅତି ଶକ୍ତିମାନ ହୋଇ ମଧ୍ୟ ପରେ ଆଉ ଅସ୍ତ୍ରଧାରଣ କରି ନାହାନ୍ତି । ସୁବାହୁ, ମାରିଚ, ତାଡ଼କା, ରାକ୍ଷସମାନଙ୍କ ଦାଉରୁ ନିଜ ଆଶ୍ରମକୁ ରକ୍ଷା କରିବା ପାଇଁ ଦଶରଥଙ୍କ ପାଖକୁ ଯାଇ ରାମ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ଓ ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି ।

 

ଗାନ୍ଧୀଜୀ ମଧ୍ୟ ଏପରି ଆଦର୍ଶ ଶିକ୍ଷା ଦେଇ ଯାଇଛନ୍ତି । ତାଙ୍କର ଅହିଂସା ଦୁର୍ବଳର ଅହିଂସା ନୁହେଁ, ତାହା ସବଳର ଅହିଂସା । ଥରେ ଛାତ୍ରମାନଙ୍କ ଗୋଟିଏ ସଭାରେ ଭାଷଣ ଦେଲା ବେଳେ ସେ ଛାତ୍ରମାନଙ୍କ ଶୀର୍ଣ୍ଣ ଦୁର୍ବଳ ଶରୀର ସବୁକୁ ଲକ୍ଷ୍ୟ କରି ସୁସ୍ଥ ଓ ସବଳ ଶରୀର ଗଠନ ପାଇଁ ଉପଦେଶ ଦେବାକୁ ଯାଇ ତାଙ୍କ ପାଖରେ ବସିଥିବା ଆଲି ଭାଇ, ବିଶାଳକାୟ ମହମ୍ମଦ ଆଲିଙ୍କୁ ଦେଖାଇ ପରିହାସ ଛଳରେ କହିଥିଲେ, ଯେ ଏ ଆଲିଙ୍କ ଗାଲରେ ଯଦି କେହି ଚଟକଣାଟିଏ ମାରେ ଓ ସେ ଅନ୍ୟ ଗାଲ ଦେଖାଇ ଦିଅନ୍ତି ତେବେ ତା’କୁ ହିଁ ଅହିଂସା କୁହାଯିବ, ଯେହେତୁ ଗୋଟିଏ ଚଟକଣା ଜାଗାରେ ଦିଓଟି ଚଟକଣା ଦେବା ପାଇଁ ତାଙ୍କର ଶକ୍ତି ଅଛି । ମୋ ଗାଲରେ କେହି ଯଦି ଚଟକଣାଟିଏ ଦେବା ପାଇଁ ତାଙ୍କର ଶକ୍ତି ଅଛି । ମୋ ଗାଲରେ କେହି ଯଦି ଚଟକଣାଟିଏ ମାରେ ଆଉ ମୁଁ ଅନ୍ୟ ଗାଲଟି ଦେଖାଇ ଦିଏଁ–ତା’ ଅହିଂସା ହେବନି କାରଣ ଚଟକଣା ମାରିଥିବା ଲୋକକୁ ଚଟକଣାଟିଏ ଦେବାର ଶକ୍ତି ଯେତେବେଳେ ନାହିଁ–ଅନ୍ୟ ଗାଲ ଦେଖାଇ ଦେବା ଛଡ଼ା ମୋର ଆଉ କି ଗତି ଅଛି ?

 

ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ । ସେଥିପାଇଁ ଜ୍ଞାନର ଗାରିମାରେ ଗରୀୟାନ ହେଲେ ହେଁ ଦୁର୍ବଳ ଭାରତ ପୃଥିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ତ ଦୂରେ ଥାଉ ଅନେକ ସମୟରେ ଉପହାସର ପାତ୍ର ହୋଇଛି ।

 

ଶକ୍ତି ଓ ଜ୍ଞାନର ସୁସମନ୍ୱୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତ ଆଜି ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ଭାରତର ଅର୍ଥନୈତିକ କ୍ଷେତ୍ରରେ ତା’ର ପ୍ରଭାବ ଯାହା ହେଉ ନା କାହିଁକି ମାନବ ସମାଜର ଯେ ମଙ୍ଗଳ ହୋଇଛି ଏଥିରେ ସନ୍ଦେହ ନାହିଁ ।

Image

 

ବିଜ୍ଞାନ ଓ ଦର୍ଶନ

 

ଆଜିର ଏହି ବୈଜ୍ଞାନିକ ଯୁଗରେ ମଣିଷ ଯେତେବେଳେ ଜହ୍ନମାମୁଁଙ୍କ ମାମୁତ୍ୱ ଉପରେ ବାରମ୍ୱାର ପଦାଘାତ କରି ଚାଲିଛି ଆଉ ବିବାହାଦି ଶୁଭ କାର୍ଯ୍ୟମାନଙ୍କରେ ଅରିଷ୍ଟ ଖଣ୍ଡନ ପାଇଁ ତଥା ସେମାନଙ୍କ ଶାନ୍ତି ଓ ପ୍ରୀତ୍ୟାର୍ଥେ ଯେଉଁ ମଙ୍ଗଳ, ବୁଧ, ବୃହସ୍ପତି ଆଦି ଗ୍ରହ ମହାଗ୍ରହମାନଙ୍କ ଉଦ୍ଦେଶ୍ୟରେ ମଣିଷ ହୋମ ଯଜ୍ଞ ପ୍ରଭୃତିର କର୍ମବିଧାନ କରୁଥିଲା, ସେହି ଗ୍ରହ ମହାଗ୍ରହମାନଙ୍କୁ ଯେତେବେଳେ ଶନିଦଶା ପଡ଼ି ମଣିଷର ପ୍ରୋବିଂ ରକେଟ ବିଦ୍ଧ କରିବାକୁ ବସିଲାଣି, ସେତିକିବେଳେ ଓ ସେହି ଯୁଗରେ ଦର୍ଶନ ସମ୍ୱନ୍ଧୀୟ ଆଲୋଚନା କେତେଦୂର ଯୁକ୍ତିଯୁକ୍ତ ସେ ବିଷୟରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ।

 

କେହି କେହି ସିଧାସଳଖ ମନ୍ତବ୍ୟ ଦିଅନ୍ତି ଯେ ଭାରତର ଆର୍ଥିକ ଓ ବିକାଶ ମୂଳକ ଅନଗ୍ରସରତା ପାଇଁ ଦର୍ଶନ ହିଁ ଦାୟୀ–ତେଣୁ ଏପରି ସ୍ୱପ୍ନିଳ, ଅନିଶ୍ଚିତ, ଅପ୍ରମାଣ୍ୟ ଓ ଭ୍ରମପ୍ରମାଦ ପୂର୍ଣ୍ଣ ଦର୍ଶନ ସମ୍ୱନ୍ଧୀୟ ଆତ୍ମଚିନ୍ତା ତଥା ନୈତିକତା ସମ୍ୱନ୍ଧରେ ସମୟ ନଷ୍ଟ ନ କରି ଭାରତୀୟ ଯୁବକ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବୈଷୟିକ ବିଜ୍ଞାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।

 

ଏ ରକମର ଚିନ୍ତାଧାରା କେତେକାଂଶରେ ସତ ବୋଲି ଜଣା ପଡ଼ୁଥିଲେ ହେ ବାସ୍ତବରେ ଭ୍ରମପୂର୍ଣ୍ଣ ବୋଲି ମନେହୁଏ ।

 

ଦର୍ଶନ ଓ ବିଜ୍ଞାନ ପରସ୍ପରର ପରିପୂରକ । କେତେକ କ୍ଷେତ୍ରରେ ଏ ଦୁହେଁ ଏକ ଓ ଅଭିନ୍ନ ବୋଲି ମଧ୍ୟ କୁହାଯାଇ ପାରେ । ଦାର୍ଶନିକ ଓ ବୈଜ୍ଞାନିକର ଜୀବନ ଓ ମୌଳିକ ଚିନ୍ତାଧାରା ବାହାରକୁ ଭିନ୍ନ ଦେଖା ଯାଉଥିଲେ ହେଁ ଅଧିକାଂଶରେ ସମାନ । ଦୁହେଁ ଅଜଣାର ଅନୁସନ୍ଧାନୀ । ସତ୍ୟର ସନ୍ଧାନ ଓ ପ୍ରକୃତିର ରହସ୍ୟ ଉଦ୍‍ଘାଟନ ହିଁ ଦୁହିଁଙ୍କର ମୂଳମନ୍ତ୍ର ।

 

ସାଧାରଣ ଭାବରେ କହିବାକୁ ଗଲେ ଜଣେ ମୁଖ୍ୟତଃ ବହିର୍ଜଗତ ତଥା ବସ୍ତୁଜଗତର ଜ୍ଞାନ ଆହରଣ କରେ । ତେଣୁ ତା’କୁ ବହିର୍ଜ୍ଞାନୀ ବା ବିଜ୍ଞାନୀ କୁହାଯାଇପାରେ ଅନ୍ୟଜଣକ ଅନ୍ତର୍ଜଗତ ସମ୍ୱନ୍ଧୀୟ ଜ୍ଞାନର ଅନୁସନ୍ଧାନ କରେ । ଏପରି ଅନ୍ତର୍ଜ୍ଞାନୀମାନଙ୍କୁ ସାଧାରଣ ଭାବରେ ଜ୍ଞାନୀ ବୋଲି କୁହାଯାଇଥାଏ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଏହି ଅର୍ଥରେ ରାମଚନ୍ଦ୍ରଙ୍କ ପାଦ ଧୋଇଥିବା କୈବର୍ତ୍ତକୁ ‘ବିଜ୍ଞାନୀ କୈବର୍ତ୍ତ’ ବୋଲି କହିଛନ୍ତି ।

 

କିଛି କାଳ ପୂର୍ବରୁ ବିଜ୍ଞାନ ଦର୍ଶନର ଏକ ଅଂଶବିଶେଷ ବୋଲି ହିଁ ଗଣା ଯାଉଥିଲା । ସେ ପରମ୍ପରା ଅନୁଯାୟୀ ଆଜି ମଧ୍ୟ ବୈଜ୍ଞାନିକ ତା’ର ଜ୍ଞାନର ସନ୍ତକ ରୂପରେ ବିଶ୍ୱବିଦ୍ୟାଳୟମାନଙ୍କରୁ ଡକ୍ଟରେଟ୍ ଅଫ୍‍ଫିଲସଫି ଉପାଧି ପାଇଥାଏ ।

 

ଦାର୍ଶନିକ ଓ ବୈଜ୍ଞାନିକ କିପରି ଏକ ଓ ଅଭିନ୍ନ ସେ ସମ୍ୱନ୍ଧରେ ଅନେକ ଦିନ ତଳର ଗୋଟିଏ ଜଣାଶୁଣା ଘଟଣା ଏଠାରେ ସାଧାରଣ ଭାବରେ ବର୍ଣ୍ଣନା କରାଯାଇପାରେ

 

ସୁବିଖ୍ୟାତ ଦାର୍ଶନିକ ଓ ରାଜ୍ୟସଭାର ସର୍ବଶ୍ରେଷ୍ଠ ପଣ୍ଡିତ ଆର୍କିମିଡ଼ିସ୍‍ଙ୍କୁ ଗ୍ରୀକ୍ ସମ୍ରାଟ ଯେତେବେଳେ ଆଦେଶ ଦେଲେ ଯେ ସୁନାର ରାଜମୁକୁଟରେ ବଣିଆ କେତେ ରୂପା ମିଶାଇଛି ତାହା ତିନି ଦିନ ଭିତରେ ମୁକୁଟ ନ ଭାଙ୍ଗି ତାଙ୍କୁ କହିବାକୁ ପଡ଼ିବ, ସେ ଦିନ ଆର୍କିମିଡ଼ିସ୍‍ଙ୍କ ମୁଣ୍ଡରେ ଚଡ଼କ ପଡ଼ି ଯାଇଥିଲା ଏପରି ଦୁଃସମୟ ବେଳେ ଭଗବାନ ହିଁ ଏକମାତ୍ର ସହାୟ ବୋଲି ଧରି ନେଇ ସେ ରାତିଦିନ ଗଭୀର ଚିନ୍ତାମଗ୍ନ ହୋଇ ଭାବୁଥିଲେ ଏପରି ଜଟିଳ ପ୍ରଶ୍ନର ସମାଧାନ କରିବେ କିପରି ? ମୁକୁଟ ନ ଭାଙ୍ଗି ମୁକୁଟରେ କେତେ ରୂପା ମିଶିଛି ଜାଣିବେ କେମିତି ?

 

ଶେଷ ଦିନ ପହଞ୍ଚିଗଲା । ପାଶ୍ଚାତ୍ୟ ସଭ୍ୟତାର ଜନକ ଗ୍ରୀସ୍ ଦେଶର ସାମାଜିକ ପରମ୍ପରା ଅନୁଯାୟୀ ଆର୍କିମିଡ଼ିସ୍ ତାଙ୍କ ଗାଧୋଇବା ଘର କାନ୍ଥ ଖୁଣ୍ଟିରେ ଲୁଗାପଟା ଝୁଲାଇ ଦେଇ ଉଲଗ୍ନ ହୋଇ ପାଣିକୁଣ୍ଡରେ ପଶି ଗାଧୋଉଥିଲେ, ଆଉ ସେଥି ସଙ୍ଗେ ସଙ୍ଗେ ସେହି ମୁକୁଟ ସମ୍ୱନ୍ଧୀୟ ଚିନ୍ତାରେ ହିଁ ନିମଗ୍ନ ଥିଲେ । ବୋଧହୁଏ ଭାବୁଥିଲେ ଯେ ଡୁବି ନ ମରି ବଞ୍ଚିଛନ୍ତି କାହିଁକି । ହଠାତ୍ ତାଙ୍କର ଖିଆଲ ହେଲା ସେ ପାଣି ଭିତରେ ଡୁବି ନ ଯାଇ ଭାସୁଛନ୍ତି କିପରି ? ପବନରେ ତ ଭାସିପାରନ୍ତିନି ତାଙ୍କ ଶରୀରର ଓଜନ ତା’ ହେଲେ ଗଲା କୁଆଡ଼େ ? ପାଣି କ’ଣ ତା’ ହେଲେ ତାଙ୍କୁ ଉପରକୁ ଠେଲୁଛି ? କେତେ ଶକ୍ତି ନେଇ ? ସେ କୁଣ୍ଡ ଭିତରେ ପଶିଲା ବେଳେ ଯେତେ ପାଣି କୁଣ୍ଡରୁ ଉଛୁଳି ଉଠିଲା ସେତିକି ପାଣିର ଓଜନ କ’ଣ ତାଙ୍କ ନିଜ ଶରୀରର ଓଜନରୁ କମିଗଲା-? ମୁକୁଟଟିକୁ ଯଦି ପାଣି ଭିତରେ ଓଜନ କରାଯାଏ । ଯେତେ ଓଜନ କମିଯିବ ସେଥିରେ ତ ପାଣିର ଘନ ପରିମାଣ ଓ ତହିଁରୁ ମୁକୁଟର ଘନ ପରିମାଣ ଜଣାଯିବ । ସେଠାରୁ ମୁକୁଟର ଘନତ୍ୱ । ଆଉ ତାହା ଯଦି ସୁନାର ଘନତ୍ୱ ସଙ୍ଗେ ସମାନ ନ ହୁଏ !

 

ଆର୍କିମିଡ଼ିସ୍ କୁଣ୍ତରୁ ଡେଇଁ ପଡ଼ିଲେ–କବାଟ ଖୋଲି ଏକ ମୁହାଁ ଦଉଡ଼ିବାକୁ ଲାଗିଲେ ରାଜଦରବାର ଆଡ଼କୁ । ସହରର ଦାଣ୍ଡ ଗହଳି ଦେଇ ଗଲା ବେଳେ ସେ ଚିତ୍କାର କରୁଥାଆନ୍ତି ‘ଇଉରେକା ଇଉରେକା...’ ଜାଣିଗଲି, ଜାଣିଗଲି । ଆଉ ସହରର ବିରାଟ ଜନତା ଏ ସମ୍ମାନାସ୍ପଦ ଦାର୍ଶନିକଙ୍କ ଅଦ୍ଭୁତ ଓ ଅଶ୍ରୁତ ପୂର୍ବ କ୍ରିୟାକୁ ବିସ୍ଫାରିତ ନେତ୍ରରେ ଚାହିଁ ରହିଥିଲେ । ଆକର୍ମିଡ଼ିସ୍ ଲଙ୍ଗଳା ହୋଇ ହିଁ ରାଜଦରବାରକୁ ଦଉଡ଼ୁଥିଲେ । ସେ ଦିନ ଲୋକେ ଭାବିଥିଲେ ଆର୍କିମିଡ଼ିସ୍ ଜଣେ ପାଗଳ ।

 

କିନ୍ତୁ ସେଦିନ ଦର୍ଶନ ଦେଇଥିଲା ମାନବ ସମାଜକୁ ଗୋଟିଏ ମହାନ ଅବଦାନ । ଆଉ ଜଳ ଓ ବାୟୁ ବିଜ୍ଞାନ ପାଇଥିଲା ତା’ର ଅମୂଲ୍ୟ ସମ୍ପଦ–‘ବୋଏନ୍‍ସି’ ଓ ଆର୍କିମିଡ଼ିସ୍ ପ୍ରିନିସି୍ପି୍ଲ୍–ଭାସମାନ କ୍ରିୟାର ମୂଳତତ୍ତ୍ୱ–ହୀରାକୁଦ ବନ୍ଧପରି ବନ୍ଧ ଠାରୁ ଆରମ୍ଭ କରି ଜଳଜାହାଜ, ବୁଡ଼ାଜାହାଜ, ଉଡ଼ାଜାହାଜ ପ୍ରଭୃତିର ନିର୍ମାଣ କ୍ଷେତ୍ରରେ ଯେଉଁ ଜ୍ଞାନର ବ୍ୟବହାର ଦରକାର ପଡ଼େ-

 

ଗଣିତ ଶାସ୍ତ୍ରରେ ପ୍ରାଚୀନ ଭାରତର ଅବଦାନ, ଭାରତର ନୌବାଣଜ୍ୟ ଓ ଜାହାଜ ତିଆରି କାରିଗରି, ଅଶୋକସ୍ତମ୍ଭମାନଙ୍କର କଳଙ୍କି ଲାଗୁ ନ ଥିବା ଲୁହାର ବ୍ୟବହାର, ହରପ୍‍ପା ମହେଞ୍ଜୋଦାରୋ ସଭ୍ୟତାରେ ସହର ନିର୍ମାଣ ପ୍ରଣାଳୀ, ଆୟୁର୍ବେଦ ଓ ଶଲ୍ୟ ଚିକିତ୍ସାର ବିକାଶ ଓ ଜ୍ୟୋତିର୍ବିଜ୍ଞାନ, ସେଦିନର ଭାରତୀୟ ବିଜ୍ଞାନ ତଥା ବୈଷୟିକ ବିଜ୍ଞାନର ବିକାଶ ସୂଚିତ କରେ ।

 

ପୌରାଣିକ ଯୁଗରେ ମଧ୍ୟ ଭାରତରେ ବିଜ୍ଞାନର ଯଥୋଚିତ ବିକାଶ ଘଟିଥିଲା ବୋଲି ମନେ ହୁଏ । ହୋମକୁଣ୍ଡରୁ ତ୍ରିଶଙ୍କୁଙ୍କୁ ସଶରୀରରେ ସ୍ୱର୍ଗକୁ କ୍ଷେପଣ ଓ ମହାଶୂନ୍ୟରେ ତ୍ରିଶଙ୍କୁଙ୍କ ‘ନ ଯଯୌ ନ ତସ୍ଥୌ’ ଅବସ୍ଥା ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ରକେଟ ସମ୍ୱନ୍ଧୀୟ ଜ୍ଞାନର ଇଙ୍ଗିତ ଦିଏ । ମନେ ହୁଏ ଯେ ତ୍ରିଶଙ୍କୁ ପୃଥିବୀର ମାଧ୍ୟାକର୍ଷଣକୁ ଡେଇଁ ଗଲାପରେ ଅନ୍ୟ ଗ୍ରହର ମାଧ୍ୟାକର୍ଷଣ ଭିତରକୁ ପଶି ପାରିଲେ ନାହିଁ ଓ ମାଧ୍ୟାକର୍ଷଣ ଶୂନ୍ୟତାରେ ହିଁ ରହିଗଲେ । ଏହା ଯଦି କବିର କଳ୍ପନା–ତେବେ ଜଣେ ମହାନ୍ ବୈଜ୍ଞାନିକ କବିର କଳ୍ପନା ।

 

ତଥାପି ଭାରତୀୟ ଦର୍ଶନରେ ବିଜ୍ଞାନ ଚିରଦିନ ଗୌଣସ୍ଥାନ ଅଧିକାର କରି ଆସିଛି । ଭେଷଜ ବିଜ୍ଞାନରେ ଚ୍ୟବନ ଓ ଶଲ୍ୟ ଚିକିତ୍ସାରେ ଚରକଙ୍କ ନାମ ଶୁଣାଯାଉଥିଲେ ହେଁ ବେଦ ମଧ୍ୟରେ ଅଥର୍ବ ବେଦର ସ୍ଥାନ ଗୌଣ । ବିଜ୍ଞାନ ସମ୍ୱନ୍ଧୀୟ ଜ୍ଞାନର ଆଧାର ଅଥର୍ବ ବେଦକୁ କେହି ବେଦ ବୋଲି ସ୍ୱୀକାର କରୁ ନଥିବା କଥା ମଧ୍ୟ ଶୁଣାଯାଏ । ଏଥରେ ଆଶ୍ଚର୍ଯ୍ୟ ହେବାର ମଧ୍ୟ କିଛି ନାହିଁ, ଯେହେତୁ ଭାରତୀୟ ପରମ୍ପରା ସବୁଦିନ ବୈଷୟିକ ବିକାଶ ଅପେକ୍ଷା ଆଧ୍ୟାତ୍ମିକ ବିକାଶକୁ ଉଚ୍ଚ ଆସନ ଦେଇ ଆସିଛି ।

 

ଶିଳ୍ପ ବିପ୍ଳବ ପରେ ଇଉରୋପରେ ଯେତେବେଳେ ଶିଳ୍ପ ବୈଷୟିକ ବିଜ୍ଞାନର ଅଦ୍ଭୁତପୂର୍ବ ଦ୍ରୁତ ବିକାଶ ଘଟିଲା, ଦର୍ଶନ ଓ ବିଜ୍ଞାନ ଭିତରେ ପରୋକ୍ଷ ଭାବରେ ଦ୍ୱନ୍ଦ୍ୱ ଦେଖା ଦେଲା । ବିଜ୍ଞାନକୁ ବସ୍ତୁବାଦୀ ଓ ଜଡ଼ ବୋଲି ଭର୍ତ୍ସନା କରୁଥିବା ଦର୍ଶନକୁ ବିଜ୍ଞାନ ଫମ୍ପା, ସ୍ୱପ୍ନିଳ, ଅବାସ୍ତବ ବୋଲି ତାତ୍ସଲ୍ୟ କରିବାକୁ ଆରମ୍ଭ କଲା, ଆଉ ଆଧ୍ୟାତ୍ମିକ ଚିନ୍ତାକୁ ହେୟ ଜ୍ଞାନ କଲା ।

 

ଏବେ କିନ୍ତୁ ଅବସ୍ଥା ଆଉଥରେ ବଦଳିଯିବାକୁ ବସିଲାଣି ।

 

ଆଇନ୍‍ଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ହିଁ ଦର୍ଶନ ଓ ବିଜ୍ଞାନର ପୁନର୍ମିଳନର ସୂତ୍ରପାତ କରିଛି ଓ ବୈଜ୍ଞାନିକକୁ ଧୀରେ ଧୀରେ ନୂତନ ଦିଗ୍‍ଦର୍ଶନ ଦେବାରେ ଲାଗିଛି । ସେ ଆଜି ବୁଝୁଛି ଯେ ସେ ଯେତେ ପ୍ରକୃତିର ନୂତନ ତଥ୍ୟ ସଂଗ୍ରହ କରୁଛି, ନୂତନ ନିୟମ ଆବିଷ୍କାର କରୁଛି, ସେତିକି ନୂଆ ନୂଆ ପ୍ରଶ୍ନର ଧାରା ଛୁଟୁଛି ।

 

ନିଉଟନ୍ ପ୍ରଥମ କରି ଆତ କାହିଁକି ତଳକୁ ଖସିଲା ତା’ର ଅନୁସନ୍ଧାନ କରିଥିଲେ । ତା’ ପୂର୍ବରୁ କେହି ବୋଧହୁଏ ଭାବି ବି ନ ଥିଲେ ଯେ ଆମ୍ୱ ଗଛକୁ ଫିଙ୍ଗା ହୋଇଥିବା ଟେକା ଖଣ୍ଡକ ଶୂନ୍ୟକୁ ଉଡ଼ି ନ ଯାଇ ପୃଥିବୀକୁ ଫେରିଆସୁଛି କାହିଁକି ? ମାଧ୍ୟାକର୍ଷଣ ଶକ୍ତି ଓ ବସ୍ତୁର ଓଜନ ସେଦିନ ନିଉଟନ ଆବିଷ୍କାର କରିଥିଲେ । ପ୍ରତ୍ୟେକ ମଣିଷ ଏବେ ବୁଝିଛି ଯେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ଠିକ୍ ବାହାରକୁ ଚାଲିଗଲେ ମଣିଷ ଆକାଶରେ ଭାସେ–ସାଟେଲାଇଟ୍ ଭିତରର ଦୃଶ୍ୟ ଚିତ୍ରରେ ଅନେକେ ଦେଖି ସାରିଛନ୍ତି । ଆଇନଷ୍ଟାଇନ୍ ତାଙ୍କ ‘ରିଲେଟିଭିଟି ତତ୍ତ୍ୱ’ ଦେବା ପର୍ଯ୍ୟନ୍ତ ବୈଜ୍ଞାନିକ ଭାବି ନେଇଥିଲା ଯେକୌଣସି ବସ୍ତୁର ଓଜନ ମାଧ୍ୟାକର୍ଷଣ ଶକ୍ତି ଅନୁଯାୟୀ କମ୍‍ ବେଶି ହେଲେ ମଧ୍ୟ ବସ୍ତୁତ୍ୱ ବା ମାସ୍‍ର ପରିବର୍ତ୍ତନ ହୋଇ ନ ପାରେ । ଆପେକ୍ଷିକବାଦ ପ୍ରମାଣ କଲା ଯେ ବସ୍ତୁକୁ ଶକ୍ତି ପ୍ରଦାନ କଲେ ଗତି ସଙ୍ଗରେ ବସ୍ତୁତ୍ୱ ମଧ୍ୟ ବଢ଼ିଚାଲେ ଓ ଅତ୍ୟନ୍ତ ଗତିଶୀଳ ବସ୍ତୁକୁ ପ୍ରଦତ୍ତ ଶକ୍ତି କ୍ରମେ କ୍ରମେ ଗତି ଅପେକ୍ଷା ବସ୍ତୁତ୍ୱକୁ ବେଶୀ ବଢ଼ାଏ । ସୂର୍ଯ୍ୟରଶ୍ମିର ସେକେଣ୍ଡକୁ ୧୮୬,୦୦୦ ମାଇଲ ଠାରେ ବସ୍ତୁକୁ ଶକ୍ତି ଯୋଗାଇ ଦେଲେ କେବଳ ବସ୍ତୁତ୍ୱ ବଢ଼େ, ଗତି ଆଉ ବଢ଼ିପାରେନି । ଶୂନ୍ୟ ବସ୍ତୁତ୍ୱ ଥିବା ଫୋଟନ କଣା–ଯାହା କି ସୂର୍ଯ୍ୟରଶ୍ମି–କେବଳ ଏହି ବେଗରେ ଗତି କରେ । ତେଣୁ ଯେ କୌଣସି ବସ୍ତୁ ସେକେଣ୍ଡକୁ ୧୮୬୦୦୦ ମାଇଲରୁ ବେଶୀ ବେଗରେ ଗତି କରିପାରିବନି, ଆଉ ଏପରି ଗତିରେ ମଧ୍ୟ ଧ୍ରୁବ ତାରାକୁ ପହଞ୍ଚିବାକୁ ହେଲେ ପ୍ରାୟ ୩୦୦ ବର୍ଷ ଲାଗିଯିବ । ହିସାବ କରି କୁହାଯାଏ ଯେ, ଏହି ବେଗରେ ଗଲେ ଆମ ନକ୍ଷତ୍ର ମଣ୍ଡଳର ସବୁଠାରୁ ଦୂରରେ ଥିବା ତାରାକୁ ପହଞ୍ଚିବାକୁ ୭୫୦୦୦ ବର୍ଷ ଲାଗିବ ଓ ଆଣ୍ଡ୍ରୋମେଡ଼ା ନକ୍ଷତ୍ର ମଣ୍ଡଳକୁ ପହଞ୍ଚି ଫେରି ଆସିବାକୁ ହେଲେ ସେକେଣ୍ଡକୁ ୧୮୬୦୦୦ ମାଇଲ ବେଗରେ ଗଲେ ୫୦୦୦୦୦୦ ବର୍ଷ ଲାଗିବ । ତା’ଠାରୁ ଆହୁରି ଦୂରରେ ମଧ୍ୟ ନକ୍ଷତ୍ର ରାଜି ରହିଛନ୍ତି । ସେଇ ଆଇନ୍‍ଷ୍ଟାଇନଙ୍କ ତତ୍ତ୍ୱ ଅନୁସାରେ ଆଜି ଶକ୍ତି ଓ ବସ୍ତୁତ୍ୱ ଏକ ଅଭିନ୍ନ ହୋଇଯାଇଛି ସମୟ ଓ ସ୍ଥାନ ମଧ୍ୟରେ ପ୍ରଭେଦ ଦୂର ହୋଇଯାଇ କାଳ ଓ ଆକାଶର ଶୂନ୍ୟ ଅଥବା ଆରମ୍ଭ ବିନ୍ଦୁର ଅସ୍ତିତ୍ୱର ସ୍ଥିତି ଜଣା ପଡ଼ିବା ଉପରେ । କାଳ ନାହିଁ, ସ୍ଥାନ ନାହିଁ, ବସ୍ତୁତ୍ୱ ନାହିଁ, କେବଳ ଶକ୍ତି ହିଁ ଶକ୍ତି–ଏହି ଧାରଣା ବୈଜ୍ଞାନିକକୁ ଦାର୍ଶନିକରେ ପରିଣତ କରିଦିଏ । ଯେଉଁଠାରୁ କାଳର ଜନ୍ମ, ମହାକାଶ ଓ ମହାଶୂନ୍ୟରୁ ଜନ୍ମ, ଯିଏ ଅନାଦି ଶକ୍ତିର ଉତ୍ସ ଓ ଆଧାର ତା’କୁ ହିଁ ସେଦିନ ବ୍ରହ୍ମ ବା ମହାଶକ୍ତି ନାମରେ ନାମିତ କରିଥିଲା ଓ କହିଥିଲା ଯେ ପ୍ରତ୍ୟେକ ବସ୍ତୁରେ ବ୍ରହ୍ମର ସତ୍ତା ନିହିତ ।

 

ବିଜ୍ଞାନ ଆଜି ପ୍ରମାଣ କରି ଦେଇଛି ଯେ ବସ୍ତୁତ୍ୱ ଥିବା କୌଣସି ବସ୍ତୁ ବିଶ୍ୱର ଗୋଟିଏ କୋଣରୁ ଅନ୍ୟ ଗୋଟିଏ କୋଣକୁ ଯାଇପାରିବନି ବୈଜ୍ଞାନିକ ମତରେ ‘ଟେକାୟନ’ ପରି କୌଣସି ବିଯୁକ୍ତ ବସ୍ତୁ ଅବସ୍ତୁ କିମ୍ୱା ପ୍ରତିବସ୍ତୁର ସାହାଯ୍ୟ ନ ନେଲେ ମଣିଷ ସମଗ୍ର ବିଶ୍ୱର ଅନୁସନ୍ଧାନ କରି ନ ପାରେ । ଏହି ଟେକାୟନ କୁଆଡ଼େ ସୂର୍ଯ୍ୟ ରଶ୍ମିର ଗତିଠାରୁ ଆହୁରି ବେଶି ଗତିଶୀଳ ହୋଇପାରିବ ବୈଜ୍ଞାନିକର ମତରେ ଏହି ଅବସ୍ତୁ ‘ଇମାଜିନେରୀ’ ଅଥବା କାଳ୍ପନିକ ବୋଲି ଜଣା ଯାଉଥିଲେ ହେଁ ତା’ର ଅସ୍ତିତ୍ୱ ରହିଛି । ମନ ବା କଳ୍ପନା ତ ମୁହୂର୍ତ୍ତରେ ବ୍ରହ୍ମାଣ୍ଡ ବୁଲି ଆସେ; ତେବେ କ’ଣ ମନ ଏପରି ଗୋଟାଏ ‘ଟେକାୟନ’ ? ଦାର୍ଶନିକ ଶରୀର ପରେ ସୂକ୍ଷ୍ମ ଶରୀରର ଅସ୍ତିତ୍ୱ ସ୍ୱୀକାର କରେ । ଏହି ସୂକ୍ଷ୍ମ ଶରୀର କ’ଣ ଅବସ୍ତୁ ଯାହା କି ସହଜରେ ଗ୍ରହ ନକ୍ଷତ୍ର ଭ୍ରମଣ କରି ଆସିପାରେ ?

 

ଦୁଇଟି ରେଡ଼ିଓ ଯନ୍ତ୍ରକୁ ରେଡ଼ିଓ କହିଲେ ମଧ୍ୟ ଗୋଟିଏ ଶକ୍ତିଶାଳୀ ରେଡ଼ିଓ ପୃଥିବୀର ସବୁ ଷ୍ଟେସନକୁ ଧରୁଥିଲେ ହେଁ ଅନ୍ୟ କମ୍ ଶକ୍ତି ବିଶିଷ୍ଟ ରେଡ଼ିଓ ହୁଏ ତ ସିଲୋନ୍ ବି ଧରିପାରେନି- ସେପରି ମଣିଷ ଏକ ହେଲେ ହେଁ ସାଧାରଣ ମନ ଓ ମସ୍ତିଷ୍କବାଲା ମଣିଷ ଏ ବିରାଟତ୍ୱର ଅନୁସନ୍ଧାନ କରିପାରିବ ତ ?

 

ଦର୍ଶନ ସେଥିପାଇଁ ଦିନେ କହିଥିଲା ଯେ ବିରାଟତ୍ୱର ଅନୁସନ୍ଧାନ କରିବାକୁ ହେଲେ ମଣିଷକୁ ଆଗ ନିଜ ଭିତରର ଯନ୍ତ୍ରପାତିକୁ ଶକ୍ତିଶାଳୀ କରିବାକୁ ପଡ଼ିବ ।

 

ମଣିଷର ମସ୍ତିଷ୍କ କୁଆଡ଼େ ଯେପରି ଗୋଟିଏ ରିସିଭିଂ ଷ୍ଟେସନ ବା ଆହରଣ କେନ୍ଦ୍ର, ସେପରି ଗୋଟିଏ ଟ୍ରାନ୍‍ସମିଟିଂ ଷ୍ଟେସନ ବା ବିକିରଣ କେନ୍ଦ୍ର । ଏହି ଟ୍ରାନ୍‍ସମିଟିଂ ଷ୍ଟେସନର ଅବସ୍ତୁ ତରଙ୍ଗମାଳା କେବେ କ’ଣ ବ୍ରହ୍ମାଣ୍ଡର ଅନୁସନ୍ଧାନ କରିପାରେ ?

 

ଏହି ଅସୀମ ଓ ଅଚିନ୍ତ୍ୟର ଅନୁସନ୍ଧାନ କରିବାରେ ସକ୍ଷମ ହେଲା ପରି ଶକ୍ତିଶାଳୀ ମସ୍ତିଷ୍କବାନ ମଣିଷର ଆବିର୍ଭାବ ହେଉନାହିଁ ତ !

 

ଆଜି ବିଜ୍ଞାନ ପୁଣି ଦର୍ଶନର ଦ୍ୱାର ଦେଶରେ ।

 

୧୯୦୫ରେ ଆଇନ୍‍ଷ୍ଟାଇନ ଦେଇଥିବା ଗାଣିତିକ ତତ୍ତ୍ୱ ଆଜି ଧୀରେ ଧୀରେ ବୈଜ୍ଞାନିକର ଗବେଷଣାଗାରରେ ପ୍ରମାଣିତ ହେଉଛି । ମନେହୁଏ, ଦିନ ଆସିବ ଯେତେବେଳେ ଦର୍ଶନ ତତ୍ତ୍ୱ ଉପସ୍ଥାପନ କରିବ ଓ ବିଜ୍ଞାନ ତା’ର ପ୍ରମାଣର ଭାର ନେବ । ଏପରି ଦର୍ଶନ ଓ ବିଜ୍ଞାନର ସୁସ୍ଥ ସମନ୍ୱୟ ହିଁ ମଣିଷକୁ ତା’ର ଚରମ ବିକାଶ ଦେଇପାରିବ

 

ଆଜିର ଅନୁସନ୍ଧିତ୍ସୁ, ତେଣୁ ବୈଷୟିକ ଓ ସାମାଜିକ ବିଜ୍ଞାନର ଗବେଷଣାରେ ରତ ଥିବା ସଙ୍ଗେ ସଙ୍ଗେ ବିଜ୍ଞାନର ଦୃଷ୍ଟିକୋଣ ନେଇ ନିଜ ଅନ୍ତର୍ନିହିତ ଶକ୍ତିର ଅନୁସନ୍ଧାନ କରିବା ଉଚିତ୍ ବୋଲି ମନେ ହୁଏ । ଏଥିରେ କୌଣସି ଅନ୍ଧବିଶ୍ୱାସର ସ୍ଥାନ ନାହିଁ ।

Image

 

ଶିକ୍ଷାନୀତି ବନାମ ରାଜନୀତି

 

ରାଜନୀତି ଓ ଶିକ୍ଷାନୀତିକୁ ତୁଳନା କରିବା ସହଜ ନୁହେଁ, ତଥାପି କୌତୂହଳ ଚରିତାର୍ଥ କରିବା ପାଇଁ ଯଦି ଏ ଦୁଇଟିକୁ ତୁଳନା କରାଯାଏ ତେବେ କେତେକ ଉଲ୍ଲେଖଯୋଗ୍ୟ ତାରତମ୍ୟ ଦେଖିବାକୁ ମିଳେ ।

 

ଗଣ ସମର୍ଥନ ଉପରେ ନିର୍ଭର କରୁଥିବାରୁ ଓ ଆଶୁ ଫଳଲାଭ ଅଭିଳାଷ ରଖୁଥିବାରୁ ରାଜନୀତି ଭବିଷ୍ୟତ ଅପେକ୍ଷା ବର୍ତ୍ତମାନ ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ । ଏହି ଗଣ ସମର୍ଥନ ପାଇବା ନିମନ୍ତେ ଦରକାର ପଡ଼ିଲେ ସମୂହ ସ୍ୱାର୍ଥ ପାଇଁ ରାଜନୀତି ବ୍ୟକ୍ତିବିଶେଷର ସ୍ୱାର୍ଥକୁ ଅକାତରରେ ବଳିଦିଏ, ଏପରିକି ବ୍ୟକ୍ତିବିଶେଷର ପୁଞ୍ଜୀଭୂତ ଧନକୁ ସର୍ବସାଧାରଣ ଭିତରେ ବାଣ୍ଟିଦେବାକୁ କୁଣ୍ଠାବୋଧ କରେ ନାହିଁ । ସାଧାରଣ ଭାବରେ କହିବାକୁ ଗଲେ ରାଜନୀତି ସବୁବେଳେ ସହଜ ଓ ସୁଗମ ତଥା ସମୟୋପଯୋଗୀ ଜନପ୍ରିୟ ପନ୍ଥା ଅନୁସରଣ କରିଥାଏ ।

 

ଶିକ୍ଷାନୀତିର ଆଭିମୁଖ୍ୟ କିନ୍ତୁ ଭିନ୍ନ । କ୍ରମବିକାଶ ଯେଡ଼େ କଠିନ ଓ କଷ୍ଟସାଧ୍ୟ ହେଲେ ମଧ୍ୟ ଜନପ୍ରିୟ ହେବା ଆଶାରେ ଶିକ୍ଷାନୀତି ଭବିଷ୍ୟତକୁ ଜଳାଞ୍ଜଳି ଦେଇ କୌଣସି ସହଜ ପନ୍ଥାର ଆଶ୍ରୟ ନେଇପାରେ ନାହିଁ । ଜନ ସମାଜର ସମୂହ କଲ୍ୟାଣକୁ ସମ୍ମାନ ଦେଉଥିଲେ ମଧ୍ୟ ଶିକ୍ଷାନୀତି ବ୍ୟକ୍ତିବିଶେଷର ଜ୍ଞାନାର୍ଜନ ଶକ୍ତିକୁ କେବଳ ଯେ ବିଶେଷ ସମ୍ମାନ ଦିଏ ତାହା ନୁହେଁ, ପରନ୍ତୁ ଏପରି ବ୍ୟକ୍ତିବିଶେଷଙ୍କ ପାଇଁ ଉତ୍ତରୋତ୍ତର ଓ ସମ୍ପୂର୍ଣ୍ଣ ଜ୍ଞାନ ଆହରଣର ସୁଯୋଗ ଓ ସୁବିଧାର ବ୍ୟବସ୍ଥା କରିଥାଏ । ବ୍ୟକ୍ତି ଓ ବ୍ୟକ୍ତି ଭିତରେ ଜ୍ଞାନର ବ୍ୟବଧାନ ଶିକ୍ଷା ନୀତିରେ ସର୍ବତ୍ର ଗ୍ରହଣୀୟ, ତେଣୁ କୌଣସି ବ୍ୟକ୍ତି ବିଶେଷର ପୁଞ୍ଜୀଭୂତ ଜ୍ଞାନକୁ ସର୍ବସାଧାରଣଙ୍କ ଭିତରେ ସମାନ ଭାବରେ ଧନ ବାଣ୍ଟିଲା ଭଳି ବାଣ୍ଟିଦେବା ପ୍ରଶ୍ନ ଶିକ୍ଷାନୀତିରେ ଉଠେ ନାହିଁ । ରୋଗୀର ଔଷଧ ପରି ଭବିଷ୍ୟତର ମଙ୍ଗଳ ନିମନ୍ତେ ବର୍ତ୍ତମାନର ସୁଖସୁବିଧାକୁ ଜଳାଞ୍ଜଳି ଦେଉଥିବାରୁ ଶିକ୍ଷାନୀତି ଅନେକ କ୍ଷେତ୍ରରେ ଅପ୍ରିୟ ହୋଇଥାଏ ।

 

ଏହି ପୃଷ୍ଠଭୂମିରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ସମ୍ୱନ୍ଧରେ କିଛି ଅପ୍ରିୟ ସତ୍ୟ କୁହାଯାଇପାରେ

 

ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଯେ ସର୍ବଦା ସ୍ପୃହଣୀୟ ଏଥିରେ ସନ୍ଦେହ ନାହିଁ । କୌଣସି ଛୋଟ ଶିଶୁକୁ ତା’ର ନିଜ ମାତୃଭାଷାରେ ଶିକ୍ଷା ଦେଲେ ସେ ଯେ ଶୀଘ୍ର କଥାଟି ଧରି ନେଇପାରିବ ଓ ତା’ର ମନର ଚିନ୍ତାଧାରାକୁ ନିଜ ଭାଷାରେ ସହଜ, ସରଳ ଓ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବ ଏ କଥା ବୁଝିବା ପାଇଁ କୌଣସି ବୈପ୍ଳବିକ ଚିନ୍ତାଧାରାର ସେପରି ଆବଶ୍ୟକତା ନାହିଁ, ବିଷୟଟି ବୁଝାଇବା ପାଇଁ ମଧ୍ୟ କୌଣସି ଜୋର ଜବରଦସ୍ତିର ଅବକାଶ ନାହିଁ-। କିନ୍ତୁ ମାତୃଭାଷା ଯଦି ବିଶେଷ ଭାବରେ ଉନ୍ନତ ହୋଇ ନଥାଏ ତେବେ ଶିକ୍ଷାର କେଉଁ ସ୍ତରରେ ଓ କେଉଁ ପରିମାଣରେ ମାତୃଭାଷାକୁ ଶିକ୍ଷାର ମାଧ୍ୟମ ରୂପରେ ପ୍ରଚଳନ କରାଯାଇପାରେ ସେ ସମ୍ୱନ୍ଧରେ ପ୍ରଶ୍ନ ଉଠେ ଓ ଭିନ୍ନ ଭିନ୍ନ ମତ ପୋଷଣ କରିବାର ସମ୍ଭାବନା ଦେଖାଦିଏ-

 

ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ଗରୀୟସୀ ସତ, ତେବେ ମା’ ଯେତେ ପ୍ରିୟ ହେଲେ ମଧ୍ୟ ଶିକ୍ଷା ଦେବା ପାଇଁ ଦରକାରୀ ଜ୍ଞାନ, ଶିକ୍ଷା ଦେବାର ପ୍ରଣାଳୀ ତଥା ପଦ୍ଧତି ଜାଣି ନ ଥିଲେ ଯେପରି ନିଜ ପୁଅ ଝିଅଙ୍କ ଶିକ୍ଷୟିତ୍ରୀ ହୋଇପାରନ୍ତି ନାହିଁ, ମାତୃଭାଷା ଠିକ୍ ସେହିପରି ଯେତେ ପ୍ରିୟ ହେଲେ ମଧ୍ୟ ଶିକ୍ଷାର ମାନ ତୁଳନାରେ ଉନ୍ନତ ହୋଇ ନ ଥିଲେ ଶିକ୍ଷାର ମାଧ୍ୟମ ହୋଇ ନ ପାରେ ।

 

ତେଣୁ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ବିଷୟ ବିଚାର କଲାବେଳେ ଭାବପ୍ରବଣ ନ ହୋଇ ଓଡ଼ିଆ ଭାଷାର ମାନକୁ ଦୃଷ୍ଟିଦେଇ ବିଷୟଟିର ବିଚାର କରିବା ଉଚିତ୍ । ତଥା ଓଡ଼ିଆ ଭାଷାକୁ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ମାଧ୍ୟମ କରିବାକୁ ଗଲେ ଭାଷାର ମାନ କିପରି ବୃଦ୍ଧି କରାଯାଇପାରେ ସେ ବିଷୟରେ ଚିନ୍ତା କରିବା ଦରକାର ।

 

ଅନ୍ୟାନ୍ୟ ଭାରତୀୟ ଭାଷା ପରି ଓଡ଼ିଆ ଭାଷାର ବର୍ତ୍ତମାନ ମାନ ଯାହା, ସେଥିରେ ନୂତନ ଶବ୍ଦ ଆହରଣ କିମ୍ୱା ସୃଷ୍ଟି ନ କଲେ ଓଡ଼ିଆ ମାଧ୍ୟମରେ ବିଜ୍ଞାନ ଓ କାରିଗରୀ ବିଦ୍ୟା ତଥା ସ୍ନାତକୋତ୍ତର ଶିକ୍ଷା ଦେବା ସମ୍ଭବପର ନୁହେଁ ।

 

ଶୁଣାଯାଏ ଯେ ଆମର ଆଦିକବି ସାରଳା ଦାସ ଯେତେବେଳେ ଓଡ଼ିଆରେ ମହାଭାରତ ଲେଖୁଥିଲେ ପ୍ରାୟ ସେତିକିବେଳେ ଇଂଲଣ୍ଡରେ ଚସର ଇଂରାଜୀ ସାହିତ୍ୟର ମୂଳଦୁଆ ଦେଉଥିଲେ । ମାତ୍ର ପାଞ୍ଚଶହ ବର୍ଷ ତଳେ ଓଡ଼ିଆ ସାହିତ୍ୟ ଇଂରାଜୀ ସାହିତ୍ୟ ଅପେକ୍ଷା ଅନେକ ସମୃଦ୍ଧ ଥିଲା । କିନ୍ତୁ ଏହି ପାଞ୍ଚଶହ ବର୍ଷ ଭିତରେ ଇଂରାଜୀ ଭାଷା ଯେତେବେଳେ ପୃଥିବୀର ପ୍ରାୟ ସବୁ ଭାଷାରୁ ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ନୂଆ ନୂଆ ଶବ୍ଦ ସଂଗ୍ରହ କରି ତା’ର ସାହିତ୍ୟ ତଥା ବିଜ୍ଞାନ ଓ ବିଭିନ୍ନ କାରିଗରୀ ବିଦ୍ୟାକୁ ସମୃଦ୍ଧ କରିନେଲା ଓ ପୃଥିବୀରେ ସର୍ବଶ୍ରେଷ୍ଠ ଭାଷାରେ ପରିଣତ ହୋଇଗଲା । ଓଡ଼ିଆ ଭାଷା ଗୋଟିଏ ପ୍ରାକୃତ ଭାଷା ହୋଇ ମଧ୍ୟ ସଂସ୍କୃତିକୁ ଜାବୁଡ଼ି ଧରି ତା’ର ସ୍ଥିତାବସ୍ଥାରେ ହିଁ ରହିଗଲା ଓ ସମୟର ଗତି ସଙ୍ଗେ ନିଜକୁ ଖାପଖୁଆଇ ନ ପାରି ପଛରେ ପଡ଼ିଗଲା । ଇଂରାଜୀ ଭାଷା ଯେତେବେଳେ ଭାରତୀୟ ଶବ୍ଦ ସବୁ ଏପରିକି ନୂତନ ସୃଷ୍ଟ ଘେରାଉ’କୁ ମଧ୍ୟ ତା’ର ଅଭିଧାନରେ ସ୍ଥାନ ଦେଲା ଓଡ଼ିଆ ଭାଷା ଇଂରାଜୀ ଶବ୍ଦ ତ ଦୂରର କଥା ନିଜ ପ୍ରଦେଶର ପ୍ରାୟ ଅଧାଅଧି ଅଂଶରେ କୁହାଯାଉଥିବା ସମ୍ୱଲପୁରୀ ଓଡ଼ିଆ ଶବ୍ଦକୁ ମଧ୍ୟ ଗ୍ରହଣ କରିବାରେ କୁଣ୍ଠାବୋଧ କଲା ।

 

ବିଜ୍ଞାନ, ଭେଷଜ ଓ ଇଞ୍ଜିନିୟରିଂ ପ୍ରଭୃତି କାରିଗରୀ ବିଦ୍ୟା ତଥା ବିଭିନ୍ନ ସାମାଜିକ ବିଜ୍ଞାନରେ ଉଚ୍ଚଶିକ୍ଷା ପାଇଁ ଓଡ଼ିଆ ଛାତ୍ରମାନଙ୍କୁ ଯେପରି ଓଡ଼ିଶା ବାହାରକୁ ଯିବାକୁ ପଡ଼ିବ, ଓଡ଼ିଶା ବାହାରର ଛାତ୍ରମାନଙ୍କୁ ସେହିପରି ଓଡ଼ିଶାକୁ ଆସିବାକୁ ପଡ଼ିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷକମାନଙ୍କ ଆଦାନପ୍ରଦାନ ମଧ୍ୟ ନିତାନ୍ତ ବାଞ୍ଛନୀୟ ।

 

ସାରା ଇଉରୋପ, ଆମେରିକା ଓ ରୁଷିଆ ପ୍ରଭୃତି ଦେଶମାନଙ୍କରେ ଯେପରି ବୈଜ୍ଞାନିକ ଶବ୍ଦ ସବୁ ପ୍ରାୟ ଇଂରାଜୀ ଶବ୍ଦ ସଙ୍ଗେ ସମାନ, କଥିତ କିମ୍ୱା ଲିଖିତ ଭାଷାରେ ପ୍ରଚଳିତ ଶବ୍ଦର ଅଭାବ ଥିଲେ ଓଡ଼ିଆ ଭାଷା ତଥା ଭାରତର ଅନ୍ୟାନ୍ୟ ପ୍ରାକୃତ ଭାଷା ସବୁ ଯଦି ମୂଳ ସଂସ୍କୃତରୁ ଶବ୍ଦ ସୃଷ୍ଟି ନ କରି ପ୍ରଚଳିତ ଇଂରାଜୀ ଶବ୍ଦକୁ ନିଜ ଭାଷାରେ ଗ୍ରହଣ କରିନିଅନ୍ତି ତେବେ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷା ଦେବା ଯେପରି ସହଜ ହେବ, ଓଡ଼ିଆ ଛାତ୍ରମାନଙ୍କୁ ସେପରି ବାହାରକୁ କିମ୍ୱା ବିଦେଶକୁ ଉଚ୍ଚଶିକ୍ଷା ପାଇଁ ଗଲେ ନୂତନ ଶବ୍ଦ ଶିକ୍ଷା ଦରକାର ପଡ଼ିବ ନାହିଁ ଓ ଅଳ୍ପ ସମୟ ମଧ୍ୟରେ ସେ କୌଣସି ଭାରତୀୟ ଭାଷା ତଥା ବିଦେଶୀୟ ଭାଷା ଶିଖିବାକୁ ସହଜ ହେବ ।

 

ଦୁଃଖର କଥା ହିନ୍ଦୀ ଭାଷାର ତଥାକଥିତ ପ୍ରଗତିଶୀଳ ଜାତୀୟତାବାଦୀ ହିନ୍ଦୀଭାଷାନ୍ଧ ଶିକ୍ଷାବିତ୍‍ମାନେ ଏବେ ଶବ୍ଦ ଜାଲର ନୂତନ ସୃଷ୍ଟି ଆରମ୍ଭ କରି ଦେଇଛନ୍ତି । ସେ ଜାଲରେ ଅନ୍ୟାନ୍ୟ ଭାରତୀୟ ଭାଷା ସହ ଓଡ଼ିଆ ଭାଷା ମଧ୍ୟ ଛନ୍ଦି ହେବାକୁ ବସିଲାଣି । ନେକ୍‍ଟାଇକୁ କଣ୍ଠ ଲଙ୍ଗୋଟ, ସିମେଣ୍ଟକୁ ବଜ୍ରଚୂର୍ଣ୍ଣ, ଅକ୍‍ସିଜେନକୁ ପ୍ରାଣବାୟୁ ଠାରୁ ଆାରମ୍ଭ କରି ଆସିଷ୍ଟାଣ୍ଟ ସର୍ଜନକୁ ବେସାମରିକ ସହାୟକ ଶଲ୍ୟ ଚିକିତ୍ସକ ପରି ହିନ୍ଦୀରେ ଯେପରି ନୂତନ ଶବ୍ଦର ସୃଷ୍ଟି ହେଲାଣି, ଓଡ଼ିଆରେ ସେଇପରି ‘ପେଣ୍ଡୁ ନାଚ, ଯନ୍ତ୍ରୀ’ ପ୍ରଭୃତି ଆକ୍ଷରିକ ଅନୁବାଦ ଦ୍ୱାରା ଉଦ୍ଭଟ ଶବ୍ଦ ସୃଷ୍ଟି ଆରମ୍ଭ ହୋଇଛି । ଶୁଣାଯାଏ ଯେ ରେଲଓ୍ୱେ ସିଗନାଲକୁ ହିନ୍ଦୀ ଭାଷା ବିଶାରଦମାନେ ‘ଯାବତ ଆବତ ବାଷ୍ପୀୟ ଶକଟ ପଥ ନିର୍ଦ୍ଦେଶକ ଉଠତ ପଡ଼ତ ଲୌହଶଳାକା’ ଓ ଟେନିସ ଖେଳ ପ୍ରତିଯୋଗିତାକୁ ‘ଜମିନ୍‍କେ ଉପର, ଆସମାନ୍ କେ ନୀଚେ, ଲେ ପଟାପଟ୍ ଦା ପଟାପଟ୍ କ୍ରୀଡ଼ା ପ୍ରତିଯୋଗିତା’ ବୋଲି ବର୍ଣ୍ଣନା କଲେଣି । ଆମେ ବି ଯଦି ଏପରି ଶବ୍ଦମାଳା ସୃଷ୍ଟି ଆରମ୍ଭ କରୁଁ ତେବେ ଆମକୁ ବିଜ୍ଞାନ, କାରିଗରୀ ବିଦ୍ୟା ତଥା ସ୍ନାତକୋତ୍ତର ଶିକ୍ଷା ବଦଳରେ ମେଟ୍ରିକୁଲେଶନ ପରେ କେତେବର୍ଷ ପାଇଁ ଅମରକୋଷ ପରି ଭାଷାକୋଷ ମାତ୍ର ଶିଖାଇବାକୁ ପଡ଼ିବ ।

 

ଏହା ପ୍ରଗତି ନା ପଶ୍ଚାଦ୍‍ଗତି ?

 

ଆମେ ଯଦି ଏ ଅବସ୍ଥାକୁ ବିନା ପ୍ରଶ୍ନରେ ଗ୍ରହଣ କରି ନେଉ ତେବେ ତାହା ଶିକ୍ଷାନୀତି ହେବ ନା ରାଜନୀତି ?

Image

 

ଏରଣ୍ଡୋପି

 

‘ପାଦପ’ ନ ଥିବା ଦେଶରେ ‘ଏରଣ୍ଡ’ ମଧ୍ୟ ‘ଦ୍ରୁମାୟତେ’ ବୋଲି ଗୋଟିଏ ପ୍ରବାଦ ରହିଛି-। ପରର ଛିଦ୍ର ଖୋଜିବାରେ ଯେଉଁମାନେ ସଦାସର୍ବଦା ବ୍ୟସ୍ତ ତଥା ଅଭ୍ୟସ୍ତ ସେପରି ଛିଦ୍ରାନ୍ୱେଷୀ ବା ଛିଦ୍ରିଅମାନେ ଯେ ଏ ପ୍ରବାଦର ସୃଷ୍ଟିକର୍ତ୍ତା ଏଥରେ ସନ୍ଦେହ ନାହିଁ ।

 

ବଣ ଜଙ୍ଗଲ ପରିପୂର୍ଣ୍ଣ ଓ ପାଦପ ବହୁଳ ଅଞ୍ଚଳରେ ଥିବା ଜଡ଼ାଗଛ ଉପରେ ହଂସ କିମ୍ୱା ଲୋଟଣୀ ପାରା ନ ବସିଲେ ମଧ୍ୟ ବେଳେବେଳେ କାଉଟିଏ, ବଣିଟିଏ ଅଥବା ବଗଟିଏ ବସେ । କ୍ଷେତ ହୁଡ଼ାର ତା’ର ସୀମିତ ଛାୟା ତଳେ କୌଣସି ଶ୍ରାନ୍ତ ପଥିକ ବିଶ୍ରାମ ନ ନେଲେ ମଧ୍ୟ ଶାଗ ଓ ପଖାଳ କଂସା ଧରି କୃଷକ ଘରଣୀ ହଳ କରୁଥିବା ତା’ ଗେରସ୍ତକୁ ଅନାଇ ରହିଲା ବେଳେ କେବେ କେବେ ସେ ଛାଇର ଆଶ୍ରା ନିଏ ତେଣ ପାଦପ ଥାଉ ବା ନ ଥାଉ ଯେକୌଣସି ଦେଶରେ ଏରଣ୍ଡ ନ୍ୟାୟତଃ ଓ ସ୍ୱୀୟ ଅଧିକାର ବଳରେ ଗୋଟିଏ ଗଛ–ଲତା ନୁହେଁ କି ଗୁଳ୍ମ ନୁହେଁ-। ହୋଇପାରେ ତା’ର ଶାଖା ପ୍ରଶାଖା ଟିକିଏ ସରୁ–ଆଉ ଏହା ମଧ୍ୟ ହୋଇପାରେ ଯେ ବଟବୃକ୍ଷର ଜୀବନ ତୁଳନାରେ ତା’ ଜୀବନ କ୍ଷଣସ୍ଥାୟୀ, ତଥାପି ବୃକ୍ଷ ସମାଜରେ ସେ ନିଜକୁ ହୀନ ମନେ କରିବ କାହିଁକି ? ସର୍ବସାଧାରଣରେ ନିଜକୁ ଗୋଟିଏ ରୀତିମତ ଗଛ ବୋଲି ପରିଚିତ କରାଇବାକୁ ଚେଷ୍ଟା ନ କରିବ କାହିଁକି ? ସେ ଚେଷ୍ଟାରେ ଦେଖେଇ ହେବାର ସୂଚନା କାହିଁ ଯେ ତାକୁ ‘ଦ୍ରୁମାୟତେ’ରେ ଅପବାଦ ଦିଆହେବ ? ତଥାପି ତା’କୁ ଯଦି ବିଦ୍ରୂପ କରାଗଲା ଓ ଅପବାଦ ଦିଆଗଲା, ସେଥିରେ ବିଚରା ଜଡ଼ାଗଛର ଚାରା କଣ ? ସେ ନ୍ୟାୟରେ ତ ଜଣେ ସରୁ ମଣିଷକୁ କେହି ମୋଟା ‘ମଣିଷାୟତେ’ ବୋଲି ବିଦ୍ରୂପ କରିପାରେ ।

 

ସାହିତ୍ୟ ଜଗତରେ ପାଠକ ଏପରି ଗୋଟିଏ ଦ୍ରୁମାୟତେ ଅଭିଯୁକ୍ତ ଏରଣ୍ଡ କି କେବଳ ଗୋଟିଏ ମଧୁମକ୍ଷିକା କିମ୍ୱା ଆଉ କିଛି, ସେ ସମ୍ବନ୍ଧରେ ନାନାବିଧ ମତ ଶୁଣିବାକୁ ମିଳେ ।

 

ସାହିତ୍ୟିକ ତା’ର ସୃଷ୍ଟି ଚେତନା ନେଇ କୁଆଡ଼େ ରସ ସୃଷ୍ଟି କରିଯାଏ । ସେହି ସୃଷ୍ଟି ଭିତରେ ସେ ଏପରି ନିମଜ୍ଜି ରହେ ଯେ କ’ଣ ଚିନ୍ତା କରୁଛି ବା କ’ଣ ଲେଖୁଛି ସେ କଥା ନିଜେ ମଧ୍ୟ ଜାଣିପାରେନି । ସ୍ରଷ୍ଟା ଓ ସୃଷ୍ଟି ଏକୀଭୂତ ହୋଇଯିବା ଫଳରେ ରସର ପ୍ରକାର ଗୁଣ ଅଥବା ଭେଦ ସମ୍ୱନ୍ଧରେ ସେ ସମ୍ପୂର୍ଣ୍ଣ ଅଚେତନ ହୋଇପଡ଼େ ତେଣୁ ତା’ର ସେ ସୃଷ୍ଟିରୁ ମକରନ୍ଦ ଗଳେ କି ବିଷ ଝରେ ସେ କଥା ନିଜେ ବି ବୁଝିପାରେନି ସେଥିପାଇଁ ତା’ର ସାତଖୁଣ ମାଫ୍ । ଏହି ସୁଯୋଗ ନେଇ ବେଳେ ବେଳେ କେହି କେହି ସାହିତ୍ୟିକ କାଉ ଅନ୍ୟର ପୁଚ୍ଛ ଆଣି ନିଜ ଦେହରେ ଖଞ୍ଜିବାକୁ ଚେଷ୍ଟା କରନ୍ତି ।

 

ସାହିତ୍ୟିକର ସୃଷ୍ଟି ଅମୃତ ପୂର୍ଣ୍ଣ କି ଗରଳଭରା–ସେ କଥା କହିବାକୁ କୁଆଡ଼େ ସମାଲୋଚକ ହିଁ ହକଦାର୍‍

 

ସମାଲୋଚକ ଚଷମା ପିନ୍ଧିବା ବଦଳରେ ଗୋଟିଏ ଆଖିରେ ଅଣୁବୀକ୍ଷଣ ଯନ୍ତ୍ର ଓ ଅନ୍ୟ ଆଖିରେ ଦୂରବୀକ୍ଷଣ ଯନ୍ତ୍ର ଖଞ୍ଜି ତା’ର ଭାବ ଚେତନା ତଥା ଜ୍ଞାନର ଗଭୀରତା ବଳରେ ସାହିତ୍ୟିକର ସେହି ଅଚେତନ ସୃଷ୍ଟିକୁ ଛିନ୍ନଭିନ୍ନ କରି ଝୁଣି ପକାଏ ଓ ସେ ଭିତରେ ନିର୍ଲ୍ଲଜ୍ଜ ଭାବରେ ନାଚିକୁଦି ବୁଲୁଥିବା ଅଥବ ସଲଜ୍ଜ ବଦନରେ ଲୁଚି ରହିଥିବା ନାୟକର ବେଶଭୂଷା ଢଙ୍ଗରଙ୍ଗ ତଥା ନାୟିକାଙ୍କ ଚାଳିଚଳଣ ଆଉ ଏପରିକି ପଣତକାନିର ଡିଜାଇନ୍ ପର୍ଯ୍ୟନ୍ତ ବାହାର କରି ପଦାରେ ପକାଇବାକୁ ଚେଷ୍ଟାକରେ ।

 

ବଣିଆ ଯେପରି ଗହଣାରେ କେତେ ସୁନା ଅଛି ଆଉ କେତେ ଖାଦ ମିଶିଛି କଷଟି ପଥର ସାହାଯ୍ୟରେ ଧରି ନିଏ ଆଉ ବେଳେ ବେଳେ ଦେଖିଲାକ୍ଷଣି ମଧ୍ୟ ସେ କଥା ଜାଣିଯାଏ, ସମାଲୋଚକ ସେପରି କୌଣସି ଲେଖା ଯେତେ ଚକ୍ ଚକ୍ କରୁଥିଲେ ମଧ୍ୟ ତାହା ଖାଣ୍ଟି କି କଲେଇ କରା, ଭଲ କି ଭେଜାଲ ସହଜରେ ଚିହ୍ନିପାରେ । ଅନ୍ୟ କୌଣସି ରସରେ ଆପ୍ଳୁତ ହୋଇ ଚେତନା ହରାଇଥିବା କୌଣସି ଭଣ୍ଡ ଯଦି ସୃଷ୍ଟି ରସରେ ଆପ୍ଳୁତ ଜଣେ ସାହିତ୍ୟିକ ବୋଲି ଛଳନା କରୁଥାଏ, ସେ ସମାଲୋଚକର ଶକ୍ତିଶାଳୀ ଅନ୍ତର୍ଦୃଷ୍ଟି ଏଡ଼ାଇ ପାରେନି–ଧରା ପଡ଼ିଯାଏ । ତେଣୁ ସମାଲୋଚକକୁ ସମସ୍ତେ ଯେତିକି ଖାତିର କରନ୍ତି ସେତିକି ଭୟ କରନ୍ତି ମଧ୍ୟ । ଦୁର୍ଭାଗ୍ୟ କ୍ରମେ କେହି କେହି ସମାଲୋଚକ ଏହି ସୁବିଧାର ସୁଯୋଗ ନେଇ ଧଳାକୁ କଳା ଓ କଳାକୁ ଧଳା କରିବାର ଚେଷ୍ଟା କରନ୍ତି ଏବଂ ନିଜେ ଜଣେ ସାହିତ୍ୟିକ ହୋଇଥିଲେ ଅଥବା କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସପକ୍ଷବାଦୀ ହୋଇଥିଲେ ସୁବିଧା ଉଠାଇବାକୁ ଚେଷ୍ଟା କରନ୍ତି ।

 

ଆଉ ପାଠକ ?

 

ପୃଥିବୀର ପ୍ରାୟ ପ୍ରତ୍ୟେକ ଉନ୍ନତ ଭାଷାରେ ପାଠକର ସ୍ଥାନ ବିବାହ ଶୋଭାଯାତ୍ରାରେ ବରର ସ୍ଥାନ ସଦୃଶ ହେଲେ ହେଁ ଆମ ଓଡ଼ିଆ ପାଠକର ସ୍ଥାନ କୌଣସି ଭୋଜିରେ ଜଣେ ଅନିମନ୍ତ୍ରିତ ଭୋଜିଖିଆ ଲୋକଠାରୁ ମଧ୍ୟ ହୀନ । ସେ ଯଦି କୌଣସି ମନ୍ତବ୍ୟ ନ ଦେଇ ଲେଖାର ରସ ଆସ୍ୱାଦନ କରିଯାଏ ତେବେ ପଢ଼ିଲାବେଳେ ଗୁଣୁଗୁଣୁ କରୁ ବା ନ କରୁ ସେ ହୁଏ ମଧୁମକ୍ଷିକା-। ଯଦି, ବୁଝୁ ବା ନ ବୁଝୁ, ଲେଖାର ତାରିଫ୍ କରିଯାଏ ସେ ହୁଏ ବିଦଗ୍‍ଧ ପାଠକ, ସାହିତ୍ୟ ରସିକ, ସାହିତ୍ୟାନୁରାଗୀ ଓ ସାହିତ୍ୟ ପ୍ରେମୀ । ସେ ଯଦି କହେ ଯେକୌଣସି ଲେଖା ଦୁର୍ବୋଧ୍ୟ ସେ ହୁଏ ଜରଦ୍‍ଗବ ଆଉ ସେ ଯଦି କୌଣସି ଲେଖାକୁ ଅଲଣା, ପାଣିଚିଆ, ଲୁଣିଆ କିମ୍ୱା ଆମ୍ୱିଳିଆ ବୋଲି କହିଦିଏ ସେ ହୁଏ ନିଜକୁ ଦ୍ରୁମ ବୋଲି ମନେ କରୁଥିବା ଗୋଟିଏ ଏରଣ୍ଡ ।

 

ରନ୍ଧନ କ୍ରିୟାରେ ପାଚକ ତା’ର ସମଗ୍ର ସୃଷ୍ଟିଚେତନା ନେଇ ଡାଲି, ତରକାରୀ, ବେସର, ଛେଞ୍ଚଡ଼ା ସୃଷ୍ଟି କରି ଚାଲେ । ସେ ଯଦି ସାହିତ୍ୟିକ ପରି ନିଜ ରସରେ ନିଜେ ଉବୁଟୁବୁ ହୋଇ ଲୁଣ ଦେଉଛି ତ ଦେଉଥାଏ କିମ୍ୱା ଘାଣ୍ଟୁଛି ତ ଘଣ୍ଟା ଘଣ୍ଟା ଧରି ଘାଣ୍ଟୁଥାଏ ତେବେ ସେ ସୃଷ୍ଟିର ଫଳାଫଳ ସମ୍ୱନ୍ଧୀୟ ବିଚାର ମୀମାଂସା କେବଳ ଭୋକ୍ତା ହିଁ କରେ । ଭୋକ୍ତା ତେଣୁ କେବଳ ଯେ ଉପଭୋଗୀ ତା’ ନୁହେଁ, ସେ ହୁଏ ରନ୍ଧନର ଏକମାତ୍ର ଓ ସର୍ବଶେଷ ସମାଲୋଚକ, ସମୀକ୍ଷକ ତଥା ବିଚାରକ ।

 

ସାହିତ୍ୟ କ୍ଷେତ୍ରରେ କିନ୍ତୁ ପାଠକ ସାହିତ୍ୟର ରସଗ୍ରହୀତା ହେଲେ ମଧ୍ୟ ତା’ର ସମାଲୋଚନା କରିବାର ଅଧିକାରକୁ ଅସ୍ୱୀକାର କରାଯାଏ । ଏକଥା ନିଶ୍ଚିତ ଯେ ‘ଜୀବନ ବିହୁନେ ଯେହ୍ନେ ଯଶ’, ପାଠକ ବିନୁ ସାହିତ୍ୟ ପ୍ରାୟ ସେପରି । ସାହିତ୍ୟ ସୃଷ୍ଟି ହୁଏ ମୁଖ୍ୟତଃ ପାଠକ ପାଇଁ । ତେଣୁ ଲୁବ୍‍ଧ ପ୍ରତିଷ୍ଠ ଖ୍ୟାତନାମା କିମ୍ୱା ବୃଷାଳ ସାହିତ୍ୟିକ ଅଥବା ବିଜ୍ଞ ସମାଲୋଚକ ନ ହୋଇ ମଧ୍ୟ ପାଠକ ତା’ର ପାଠ୍ୟ ବସ୍ତୁ ସମ୍ୱନ୍ଧରେ ଦୁଇ ଚାରି ପଦ କହିପାରେ । ଏହା ତା’ର ହକ୍, ତଥା ମୌଳିକ ଅଧିକାର । ଏହି ଦୃଷ୍ଟିକୋଣରୁ ଏଠାରେ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସମ୍ୱନ୍ଧରେ କିଛି ଆଲୋଚନା କରାଯାଇପାରେ

 

କୌଣସି ସର୍ବସମ୍ମତ ସଂଜ୍ଞା ନ ଥିବାରୁ ସାହିତ୍ୟ କହିଲେ ଠିକ କ’ଣ ବୁଝାଏ ସେ କଥା କହିବା ସହଜ ନୁହେଁ । କେହି କେହି କହନ୍ତି ଯେ ଯାହା ମଣିଷର ହିତସାଧନ କରେ ତାହା ହିଁ ସାହିତ୍ୟ । ଅନ୍ୟ କାହାରି ମତରେ ଯାହା ମଣିଷ ଚିରଦିନ ରହି ଆସିଛି ତାହା ସାହିତ୍ୟ । ପୁଣି କେହି ଯେତେବେଳେ କହନ୍ତି ଯେ ମଣିଷର ସଚେତନ ତଥା ଅବଚେତନ ମାନସରେ ସଞ୍ଚିତ ଜୀବନ ଅନୁଭୂତି ସମୂହରେ ପରିପ୍ରକାଶ ହିଁ ସାହିତ୍ୟ ଅନ୍ୟ କେହି କହେ ଯେ ଭାଷା ମାଧ୍ୟମରେ ସୌନ୍ଦର୍ଯ୍ୟ ଓ ରସସୃଷ୍ଟି ହିଁ ସାହିତ୍ୟ । ଏସବୁ ପ୍ରତ୍ୟେକ ସଂଜ୍ଞା ଊଣା ଅଧିକେ ଠିକ ବୋଲି ଧରି ନିଆଯାଇପାରେ । ଯେଉଁମାନେ କେବଳ ସୌନ୍ଦର୍ଯ୍ୟ ସୃଷ୍ଟି ଉପରେ ଓ ରସ ସୃଷ୍ଟି ଉପରେ ଗୁରୁତ୍ୱ ଦିଅନ୍ତି ସେମାନଙ୍କ ମତରେ ଯାହା ମଣିଷ ହୃଦୟରେ ଆନନ୍ଦର ଲହରୀ ଖେଳାଏ ମନରେ ବିବିଧ ରସର ସଞ୍ଚାର କରେ ତାହା ହିଁ ସାହିତ୍ୟ । ସେଥିରେ ବିଷୟବସ୍ତୁ ଥାଇପାରେ ବା ନ ଥାଇପାରେ ଓ ଯଦି ବା ଥାଏ ତେବେ ବିଷୟଟି ଅନୁଭୂତି ପ୍ରସୂତ ହୋଇପାରେ ଅଥବା କଳ୍ପନା ପ୍ରସୂତ ହୋଇପାରେ । ଅପର ପକ୍ଷରେ ଯେଉଁମାନେ ଜୀବନ ଓ ସାହିତ୍ୟ ଅଙ୍ଗାଙ୍ଗୀଭାବରେ ଜଡ଼ିତ ବୋଲି ଗ୍ରହଣ କରନ୍ତି, ସେମାନେ ବିଷୟବସ୍ତୁ ବିନା ସାହିତ୍ୟରେ କଳ୍ପନା କରିପାରନ୍ତିନି ସେମାନଙ୍କ ମତରେ ବିଷୟବସ୍ତୁ ହିଁ ସାହିତ୍ୟର ଜୀବନ । ସାହିତ୍ୟର ଯେଉଁ ଅଂଶ ସୌନ୍ଦର୍ଯ୍ୟ ସୃଷ୍ଟି କରେ ତାହା କେବଳ ତା’ର ଶରୀର ତଥା ଶରୀରର ପୋଷାକ ପରିଚ୍ଛଦ ଓ ବେଶବିନ୍ୟାସର ପରିପାଟୀ ।

 

ପାଶ୍ଚାତ୍ୟ ଜୀବନଧାରା ବସ୍ତୁବାଦୀ କିନ୍ତୁ ଭାରତୀୟ ଜୀବନ ଦର୍ଶନ ଆଧ୍ୟାତ୍ମିକତା ଉପରେ ପ୍ରତିଷ୍ଠିତ । ତେଣୁ ଭାରତୀୟ ସାହିତ୍ୟର ମୁଖ୍ୟତଃ ଆଧ୍ୟାତ୍ମିକ ହେବା ସ୍ୱାଭାବିକ । ସେ ସାହିତ୍ୟ ବିଷୟବସ୍ତୁ ବିହୀନ ହେବା ସମ୍ଭବ ନୁହେଁ । ଆଧ୍ୟାତ୍ମିକତା ଯେହେତୁ ପରମ ଆନନ୍ଦର ହିଁ ସନ୍ଧାନୀ, ଭାରତୀୟ ସାହିତ୍ୟିକ ପରମ୍ପରା ଆଧ୍ୟାତ୍ମିକତା ଉପରେ ପ୍ରତିଷ୍ଠିତ ହୋଇ ମଧ୍ୟ ଆନନ୍ଦ ଦାନ ଓ ସୌନ୍ଦର୍ଯ୍ୟ ଉପାସନା ଉପରେ ଗୁରୁତ୍ୱ ଦିଏ । ଏ ସୌନ୍ଦର୍ଯ୍ୟ କିନ୍ତୁ ନୈସର୍ଗିକ ଓ ଏ ଆନନ୍ଦ କ୍ଷଣସ୍ଥାୟୀ ଲାଳସାଭରା ଇନ୍ଦ୍ରିୟବିଳାସ ନୁହେଁ । ତେଣୁ ଭାରତୀୟ ପରମ୍ପରାରେ କାମନାଦୀପ୍ତ ଅଶ୍ଳୀଳତା ଓ ସାହିତ୍ୟ ପରସ୍ପର ବିରୋଧୀ ।

 

ସାହିତ୍ୟର ସଂଜ୍ଞା ଯାହା ହେଉନା କାହିଁକି ଏହା ନିଶ୍ଚିତ ଯେ ମଣିଷର ମନ ଓ ଚେତନାକୁ ଉର୍ଦ୍ଧ୍ୱମୁଖୀ କରିବା ହିଁ ଏହାର ମୌଳିକ ଧର୍ମ ।

 

ଯୋଗ ଓ ଦର୍ଶନ ସାହିତ୍ୟର ସମଧର୍ମୀ । କିନ୍ତୁ ଯୋଗ ଦର୍ଶନ ଗୁରୁ ଆଶ୍ରୟୀ, ସାଧନା ନିର୍ଭରଶୀଳ ଓ କଷ୍ଟ ସାଧ୍ୟ । ସଂଗୀତ ଓ କଳା ମଧ୍ୟ ସାହିତ୍ୟର ସମଧର୍ମୀ–ଶ୍ରବଣ ମାଧ୍ୟମରେ ଓ ଦୃଷ୍ଟି ମାଧ୍ୟମରେ ମନ ଚେତନାକୁ ଊର୍ଦ୍ଧ୍ୱଗାମୀ କରିବା ସେ ସବୁର ଲକ୍ଷ୍ୟ । ଏସବୁ ମଧ୍ୟରେ ସାହିତ୍ୟ ସର୍ବଶ୍ରେଷ୍ଠ ଯେହେତୁ ଏହା ସରଳ, ସହଜ ବୋଧଗାମୀ, ରୁଚିକର ଓ ସୁଖପ୍ରଦ–ଭାଷାର ଚାତୁରୀ ମାଧ୍ୟମରେ ବର୍ଣ୍ଣନାର କୌଶଳ, ଶବ୍ଦ ପ୍ରୟୋଗ ଓ ଧ୍ୱନି ମଧ୍ୟ ଦେଇ ଦର୍ଶନ କଳା, ସଙ୍ଗୀତ ସବୁକୁ ନିଜ ବେଷ୍ଟନୀ ଭିତରକୁ ଅକ୍ଳେଶରେ ନେଇ ଆସିପାରେ । ଏଣୁ ସାହିତ୍ୟ ହୁଏ ସର୍ବଜନ ଆଦୃତ–ମଣିଷ ସମାଜରେ ଗଣଶିକ୍ଷାର ସର୍ବଶ୍ରେଷ୍ଠ ମାଧ୍ୟମ ।

 

ଜଗନ୍ନାଥ ଦାସଙ୍କ ଭାଗବତ ଏହାର ସର୍ବୋତ୍କୃଷ୍ଟ ଉଦାହରଣ ତହିଁର ଭାଷା ସରଳ ଓ ସୁନ୍ଦର । ବିଷୟବସ୍ତୁ ଭାବପୂର୍ଣ୍ଣ ଓ ଶିକ୍ଷାପ୍ରଦ । ସ୍ଥଳ ବିଶେଷରେ ଯୁଗଧର୍ମୀ ହେଲେ ହେଁ ଶାଶ୍ୱତ ଓ ଚିରନ୍ତନୀ । ତହିଁର କେତୋଟି ପଦ ନମୁନା ସ୍ୱରୂପ ଏଠାରେ ଦିଆଯାଇପାରେ ।

 

(ଶ୍ରୀକୃଷ୍ଣ ମଥୁରାକୁ ଚାଲିଗଲା ପରେ ଗୋପୀମାନେ ଅଭିମାନରେ ଉଦ୍ଧବ ଆଗରେ ଅଭିଯୋଗ କରୁଛନ୍ତି )

 

ଯାବତ ଥାଇ ଅର୍ଥଲାଭ

ତାବତ ଥାଇ ପ୍ରିୟ ଭାବ

।।

 

 

 

 

X X X

 

 

 

 

କୁସୁମେ ଯେମନ୍ତ ଭ୍ରମର

ମଧୁ ପାଇଣ ଯାଇ ଦୂର

।।

ସୁନ୍ଦର ପୁରୁଷ ନିର୍ଦ୍ଧନ

ଗଣିକା ଛାଡ଼ଇ ଯେସନ

।।

 

 

 

 

X X X

 

 

 

 

ବିଦ୍ୟା ପାଇଲେ ଶିଷ୍ୟ ଗୁରୁ

ସେ ଯେହ୍ନେ ତେଜନ୍ତି ମନରୁ

।।

ଦକ୍ଷିଣା ପାଇ ବିପ୍ରଜନେ

ଯେହ୍ନେ ଛାଡ଼ନ୍ତି ଯଜମାନେ

।।

ଫଳ ସରିଲେ ବୃକ୍ଷ ଛାଡ଼ି

ପକ୍ଷୀଏ ଯାନ୍ତି ଯେହ୍ନେ ଉଡ଼ି

।।

 

X X X

 

ଅତିଥି ଯେହ୍ନେ ଖାଇ ପିଇ

ପଦେ ନ ପୁଚ୍ଛି ଚଳି ଯାଇ

।।

ପୋଡ଼ିଲା ବନ ପଶୁଗଣେ

ଛାଡ଼ି ପଳାନ୍ତି ଅନ୍ୟ ବନେ

।।

 

X X X

 

ତେମନ୍ତ କଲେ ବନମାଳି

ଛାଡ଼ି ସକଳ ଗୋପବାଳୀ

।।

 

(ଭାଗବତ ଦଶମସ୍କନ୍ଧ, ଦ୍ୱାରିକାଲୀଳା, ପୃ ୧୫)

 

ଏହି ସବୁ ପଦ ପଢ଼ିଲେ ମନେହୁଏ ସତେ ଯେପରି କେହି ଜଣେ କବି ଆଜିର ସମାଜକୁ ଲକ୍ଷ୍ୟ କରି ହିଁ କିଛି ଦିନ ପୂର୍ବରୁ ଏସବୁ ଲେଖି ଯାଇଛନ୍ତି ।

 

ସାରଳାଦାସ ଓ ପଞ୍ଚସଖା ଓଡ଼ିଆ ସାହିତ୍ୟର ଯେଉଁ ମୂଳଦୁଆ ଦେଇଗଲେ ସେହି ମୂଳଦୁଆ ଉପରେ ଆଜି ଗଢ଼ିଉଠିଛି ଗୋଟିଏ ସୁନ୍ଦର ବଳିଷ୍ଠ ସାହିତ୍ୟସୌଧ । ଓଡ଼ିଆ ସାହିତ୍ୟ ତା’ର ସମସ୍ତ ଶାଖା ପ୍ରଶାଖା ମେଲିଛି । ପ୍ରତ୍ୟେକ ବିଭାବକାବ୍ୟ, କବିତା, ଗଳ୍ପ ଉପନ୍ୟାସ, ନାଟକ ତଥା ପ୍ରବନ୍ଧ ଏପରି ଗୋଟିଏ ସ୍ତରକୁ ଆସିଛି ଯାହାର ଗୁଣାତ୍ମକ ତୁଳନା ଭାରତର ଅନ୍ୟାନ୍ୟ ସମସାମୟିକ ପ୍ରାଦେଶିକ ଭାଷା–ସାହିତ୍ୟମାନଙ୍କ ସଙ୍ଗରେ ସହଜରେ କରାଯାଇପାରେ କିନ୍ତୁ ଦୁଃଖର ସହିତ ଲକ୍ଷ୍ୟ କରିବାକୁ ପଡ଼େ ଯେ ଆଜିର ସାହିତ୍ୟ ସର୍ବସାଧାରଣ ପାଠକ ସମାଜ ପାଖରୁ ଦୂରେଇ ଯାଇଛି । ମନେହୁଏ ଯେ ଓଡ଼ିଆ ସାହିତ୍ୟସୌଧ ଆଜି ପ୍ରାଚୀର ବେଷ୍ଟିତ ଓ ସେ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ନିଷିଦ୍ଧ ।

 

ଯେ କୌଣସି ଓଡ଼ିଆ ଅକୁଣ୍ଠିତ ଚିତ୍ତରେ ଓ ଆନନ୍ଦ ମନରେ ମାସକୁ ଦୁଇ ଚାରି ଟଙ୍କା ସିନେମା ଦେଖାରେ ଖର୍ଚ୍ଚ କରେ । କିନ୍ତୁ ସିଏ ମାସକୁ ଟଙ୍କାଟିଏ ଖର୍ଚ୍ଚ କରି ମଧ୍ୟ କୌଣସି ଓଡ଼ିଆ ମାସିକ ପତ୍ରିକା କିଣିବାକୁ ଆଗ୍ରହ ପ୍ରକାଶ କରେନି ଗ୍ରାହକ ବିନା ପତ୍ରିକାମାନଙ୍କର ଅକାଳ ମୃତ୍ୟୁ ହୁଏ ଅନେକ ପ୍ରତିଷ୍ଠିତ ଲେଖକ ଅର୍ଥାଭାବ ଯୋଗୁଁ ଦାରିଦ୍ର୍ୟର ଗଞ୍ଜଣା ସହିବାକୁ ବାଧ୍ୟ ହୁଅନ୍ତି । ଏଥିରୁ ଜଣାପଡ଼େ ଯେ ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ସାଧାରଣ ପାଠକଙ୍କ ମନକୁ ସ୍ପର୍ଶକରି ପାରୁନି ଓ ସେମାନଙ୍କୁ ଯଥୋଚିତ ଆନନ୍ଦ ଦେବାରେ ଅକ୍ଷମ ହେଉଛି ।

 

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ମାନ ଉଚ୍ଚକୋଟୀର ହେଲେହେଁ ଅନେକ ସମୟରେ ଗଳ୍ପ ସବୁ ବିଷୟବସ୍ତୁ ବିହୀନ ଅଥବା ଲକ୍ଷ୍ୟହୀନ ଓ ଅଗଭୀର, କବିତା ଅସଂଲଗ୍ନ ସଂଗୀତ ଶୂନ୍ୟ ଦୁର୍ବୋଧ୍ୟ ଗଣିତ ଶାସ୍ତ୍ର । ପାଶ୍ଚାତ୍ୟ ଚିନ୍ତାଧାରାର ଅନୁସରଣରେ ଏପରି ସାହିତ୍ୟ କଳାପାଇଁ ହିଁ କଳା ସୃଷ୍ଟି କରୁଥିଲେ ହେଁ ତାହା ସାଧାରଣ ପାଠକ ଦ୍ୱାରା ଆଦୃତ ହୋଇପାରୁନାହିଁ ଯେଉଁମାନେ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ଗୋପାଳକୃଷ୍ଣ ଆଦିଙ୍କ ଲେଖାସବୁକୁ ଭାଷାକ୍ଳିଷ୍ଟ, ଅଳଙ୍କାର-ଯମକ-ଅନୁପ୍ରାସ-ଶବ୍ଦାଡ଼ମ୍ୱର ଭରା, ଦୁର୍ବୋଧ୍ୟ ଓ ସାମନ୍ତବାଦୀ ବୋଲି ଅଭିଯୋଗ କରନ୍ତି ସେଇମାନେ ହିଁ ନିଜ ନିଜ କବିତା ସମୂହକୁ ଅବୋଧ୍ୟ ଚିତ୍ରକଳ୍ପ ରୂପକ ଓ ସୂଚନାସମ୍ୱଳିତ କରି ଦୁର୍ବୋଧ୍ୟ କରି ପକାଉଛନ୍ତି । ଯେକୌଣସି କବିତାର କିଛି କିଛି ଅଂଶ ଓ ସୁପ୍ରତିଷ୍ଠିତ କବିଙ୍କ କେତେ ବୌଦ୍ଧିକ କବିତା ସମସ୍ତଙ୍କ ପକ୍ଷରେ ସହଜରେ ବୁଝିବା କଷ୍ଟକର ହେବା ସ୍ୱାଭାବିକ । କିନ୍ତୁ ପ୍ରତ୍ୟେକ କବିତା ବୁଝିବା ପାଇଁ ଜଣେ ସାଧାରଣ ପାଠକ ଯଦି ସମାଲୋଚକ ଅଥବା ଶିକ୍ଷକର ସାହାଯ୍ୟ ଲୋଡ଼େ ତେବେ ସେ ସେପରି କବିତା ପଢ଼ିବାପାଇଁ ଆଗ୍ରହ ପ୍ରକାଶ କରିବ କାହିଁକି ? ଯଦିବା ପଡ଼େ ସେଥିରୁ ସିନେମା ଓ ଡ୍ରାମାଦେଖା କିମ୍ୱା ଅର୍କେଷ୍ଟ୍ରା ଶୁଣା ସହଜ ଲଭ୍ୟ ଆନନ୍ଦ ପାଇପାରିବ କିପରି-?

 

ସାରଳାଦାସ, ଜଗନ୍ନାଥ ଦାସ, ବଳରାମ ଦାଶ ପ୍ରମୁଖ ଓଡ଼ିଆ କବି ନଥିଲେ ଆଜି ଓଡ଼ିଆ ଭାଷା ବଞ୍ଚିରହି ନ ଥାଆନ୍ତା । ଓଡ଼ିଶା ପ୍ରଦେଶ ନ ଥିଲାବେଳେ ଓଡ଼ିଆଜାତି ଯେତେବେଳେ ବିହାର, ବଙ୍ଗଳା, ମାନ୍ଦ୍ରାଜ, ମୋଗଲବନ୍ଦୀ ଓଡ଼ିଶା ଓ ଅନେକଗୁଡ଼ିଏ ଗଡ଼ଜାତ ଭିତରେ ଭାଗ ଭାଗ ହୋଇ ପଡ଼ି ରହିଥିଲା, ଗୋଟିଏ ଦିଗରେ ହିନ୍ଦୀ, ଆଉ ଗୋଟିଏ ଦିଗରେ ବଙ୍ଗଳା ଓ ଅନ୍ୟ ଦିଗରେ ତେଲୁଗୁ ଯେତେବେଳେ ଓଡ଼ିଆକୁ କୋରି ଖାଉଥିଲେ, ସେତିକିବେଳେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିଥିଲା ଆମର ପ୍ରାଚୀନ ଓ ରୀତିଯୁଗର ସାହିତ୍ୟ । ସେ ସାହିତ୍ୟକୁ ପଢ଼ୁଥିଲେ ବଣ ଜଙ୍ଗଲ ଭିତରେ ଅଜଣା ଅଶୁଣା ଭାବରେ ପଡ଼ିରହିଥିବା ଆଧୁନିକ ଶିକ୍ଷା-ବିବର୍ଜିତ ଆମ ଗୋସାଇଁବାପା ଓ ବୁଢ଼ୀମା’ମାନେ । ଦାଶକାଠିଆ ଓ ପାଲାବାଲାମାନେ ସେ ସାହିତ୍ୟକୁ ଗାଁ ଦାଣ୍ଡରେ ବଞ୍ଚି ଦେଉଥିଲେ । ଶଗଡ଼ିଆ ସେ ସବୁକୁ ରାଗ ରାଗିଣୀ ଧରି ଗାଇଲାବେଳେ ବଣ ଜଙ୍ଗଲ ଥରାଇ ଦେଉଥିଲା ।

 

ଆଜିର ଆଧୁନିକ କବିତାକୁ ଆମ ଅଜା ଆଇ ଆଉ ଶଗଡ଼ିଆ କିମ୍ୱା ଟ୍ରକ ଡ୍ରାଇଭର ଭାଇ ସେମିତି ବୋଲି ପାରିବେ ତ ?

 

ନା’ ଆଜିର ସାହିତ୍ୟ କେବଳ ସାହିତ୍ୟଜଗତର ବଟଦ୍ରୁମମାନଙ୍କ ପାଇଁ ଉଦ୍ଦିଷ୍ଟ ? ତା’କୁ ତେବେ କ’ଣ ନୂତନ ସାମନ୍ତବାଦୀ ବୋଲି କୁହାଯିବନି ?

Image

 

କଳ୍ପନାର ରାଜପୁତ୍ର

 

ପୁରୁଣା କଥା । କେଉଁ ଅଜଣା କାଳର କୌଣସି ଅଶୁଭ ମୁହୂର୍ତ୍ତରେ ଜଣେ କେହି ଗୋଦରୀ ଭୁଲରେ ହେଉ ବା ଜାଣିଶୁଣି ହେଉ ଅନ୍ୟ କାହାରି ଗୋଡ଼ର ସ୍ଥୂଳତ୍ୱ ସମ୍ୱନ୍ଧରେ କିଛି ଗୋଟିଏ ଟିପ୍‍ପଣୀ ଦେଇ ଦେଇଥିଲା । ତା’ପରଠାରୁ ସେ ଆଉ କ୍ଷମା ପାଇନି । ଯୁଗ ଯୁଗ ଧରି କାଳର ଅନନ୍ତ ଓ ଅସରନ୍ତି ପରିସର ମଧ୍ୟ ଦେଇ ସମାଜ କିଛି ନା କିଛି ବାହାନାରେ ଅଥବା ସିଧାସଳଖ ସେହି ଗୋଦରୀ ମହାଶୟାଙ୍କୁ ତଳକୁ ଅନାଇବାକୁ ପରାମର୍ଶ ଦେଇ ଆସିଛି । ଆଉ କଣା ସର୍ବସ୍ୱ ଚାଲୁଣୀକୁ ସାମାନ୍ୟ ଗୋଟିଏ ଫୋଡ଼ବାଲା ଛୁଞ୍ଚି କ’ଣ କହିଥିଲା ସେ କଥା ମଧ୍ୟ ଥରକୁ ଥର ଚେତେଇ ଦେଇଛି ।

 

ଏବେ କିନ୍ତୁ ସେ କଥା ଆଉ ନାହିଁ । ଆଜିର ଗୋଦରୀ ନିର୍ଭୟରେ ନିର୍ବିକାର ଭାବରେ ଅନ୍ୟମାନଙ୍କର ହାତ ଗୋଡ଼ ମାପିବାରେ ଲାଗିଛି । ଏବର ଚାଲୁଣୀ ବିନା ଦ୍ୱିଧାରେ ଛୁଞ୍ଚିର ଫୋଡ଼କୁ ବାରମ୍ୱାର ଆଙ୍ଗୁଳି ନିର୍ଦ୍ଦେଶ କରି ପରିହାସ କରି ଚାଲିଛି । ଆଉ କେଉଁ ଆଡ଼ୁ କିଛି ଜବାବ ଶୁଣା ଯାଉନି । ଆଜିର ସମାଜ ନିର୍ବାକ୍ ।

 

ମଣିଷ ବୋଧହୁଏ ସବୁବେଳେ ଅନ୍ୟମାନଙ୍କୁ ସମାଲୋଚନା କରିବାକୁ ଭଲପାଏ ଅନ୍ୟର ଭୁଲ ଭଟକା ବର୍ଣ୍ଣନା କଲାବେଳକୁ ଶତଜିହ୍ୱ ହୋଇଉଠେ, କିନ୍ତୁ ନିଜ କ୍ରିୟାକଳାପ, ଆଚାର ବ୍ୟବହାର, ଦୋଷ ଦୁର୍ବଳତା ତଥା ଅପାରଗତା ସମ୍ୱନ୍ଧରେ କେବଳ ଯେ ଅନଭିଜ୍ଞ ରହେ ତା’ ନୁହେଁ, ଅନ୍ୟ କେହି ସେ ବିଷୟରେ କିଛି ମନ୍ତବ୍ୟ ଦେଲେ ଅସହିଷ୍ଣୁ ହୋଇ ଉଠେ ।

 

ମନେହୁଏ ଯେ ମଣିଷର ଏ ଦୁର୍ବଳତା ଆଜିର ନୁହେଁ–ତାହା ଆଦିମ । ଏହା ମଣିଷ ସୃଷ୍ଟିର ଅପୂର୍ଣ୍ଣତା ତଥା ତା’ ନିଜ ସମ୍ୱନ୍ଧୀୟ ଜ୍ଞାନର ସୀମିତତାର ହିଁ ସୂଚନା ଦିଏ

 

ଯେ କୌଣସି ସାଧାରଣ ଲୋକ ତା’ର ଚାରିପାଖର ପ୍ରତ୍ୟେକ ଚଳନ୍ତି ଓ ଅଚଳନ୍ତି ପ୍ରାଣୀ ତଥା ବସ୍ତୁ ଦେଖିପାରେ–ଦୂର ଆକାଶର ଗ୍ରହ ନକ୍ଷତ୍ର ମଧ୍ୟ ବାଦ ଯାଆନ୍ତିନି କିନ୍ତୁ ସେ ନିଜ ମୁହଁକୁ ସିଧାସଳଖ ଦେଖିପାରେନି ତା’ ନିଜ ମୁହଁ ଦେଖିବାକୁ କିପରି ତାହା ଜାଣିବାକୁ ହେଲେ ତା’କୁ ଅନ୍ୟର ଆଶ୍ରୟ ନେବାକୁ ପଡ଼େ–ଅନ୍ୟର ମତ ଲୋଡ଼ିବାକୁ ହୁଏ । ତେବେ ମଧ୍ୟ ଅନ୍ୟର ସାହାଯ୍ୟରେ ସେ ଯାହା ଦେଖେ ତାହା କେବଳ ଗୋଟିଏ ପ୍ରତିବିମ୍ୱ ମାତ୍ର–ଗୋଟିଏ ପ୍ରତିକୃତି–ଗୋଟିଏ ଛାୟା–ଯେତେ ସ୍ପଷ୍ଟ ହେଲେ ମଧ୍ୟ ଅପ୍ରାକୃତ–ଠିକ୍ ସ୍ୱରୂପ ବୋଲି କୁହାଯାଇ ନ ପାରେ । ନିଜର କଳ୍ପିତ ସୁନ୍ଦର ମୁହଁ ସାଙ୍ଗରେ ଯେଉଁ ପ୍ରତିବିମ୍ୱର ସାମଞ୍ଜସ୍ୟ ବେଶି ବୋଲି ମନେହୁଏ ମଣିଷ ସେହି ପ୍ରତିବିମ୍ୱକୁ ହିଁ ଆଦର କରେ । ଯେଉଁ କନଭେକ୍‍ସ ଦର୍ପଣରେ ନାକ ଶୁକ ଚଞ୍ଚୁ ପରି ନ ହୋଇ ହାତୀଶୁଣ୍ଡ ପରି ହୁଏ ଅଥବା ତିଳଫୁଲ ପରି ନ ଦିଶି ଘସରା ପଇସା ପରି ଜଣାପଡ଼େ, ଦାନ୍ତ ଡାଳିମ୍ୱ ମଞ୍ଜି ପରି ନ ଦିଶି ଲୁହା ଶାବଳର ରୂପ ନିଏ, ଆଖି କମଳ ଲୋଚନ ହେବା ପରିବର୍ତ୍ତେ ଟେରା ଦିଶେ ଆଉ ମୁହଁ ଚନ୍ଦ୍ରମାର ସ୍ୱଚ୍ଛ, ସ୍ନିଗ୍‍ଧ କମନୀୟ କୋମଳତା ବଦଳରେ ମୃଗାଙ୍କ ଓ ଶଶାଙ୍କର କର୍କଶତା ଓ ବନ୍ଧୁରତାର ଇଙ୍ଗିତ ଦିଏ, ସେ ଦର୍ପଣକୁ ଗୋଇଠା ମାରି ତଳେ କଚାଡ଼ି ଚୁରମାର କରି ଦେବାକୁ ଇଚ୍ଛା କରେ ଆଉ ଯେଉଁ ଦର୍ପଣରେ ସେ ଚିତ୍ରସେନ ଗନ୍ଧର୍ବ କିମ୍ୱା ରାଜେଶ ଖାନ୍ନା ତଥା ରୂପସୀ ମେନକା କିମ୍ୱା ହେମାମାଳିନୀ ପରି ଦିଶେ ସେହି ଦର୍ପଣକୁ ଯତ୍ନରେ ନିଜ ଡ୍ରେସିଂ ଟେବୁଲରେ ସଜାଇ ରଖେ ଓ ନିଜ ମୁହଁ ସମ୍ୱନ୍ଧରେ ବାରମ୍ୱାର ତା’ର ମତାମତ ଲୋଡ଼େ ।

 

ମୁହଁ ଅପେକ୍ଷା ମଣିଷର ଆହୁରି ବେଶି ପ୍ରାୟ ଓ ଅତି ଆଦରର ବସ୍ତୁ ହେଉଛି ସେ ନିଜେ–ତା’ର ମୁଁ । ଏହି ‘ମୁଁ’ ଟି ଠିକ୍ କିଏ ଓ କେଉଁଠି ଥାଏ କହିବା କଠିନ । କାହାରି କାହାରି ମତରେ ମଣିଷର ‘ମୁଁ’ ତା’ ଛାତି ଭିତରେ ଚକା ମାଡ଼ି ବସିଥାଏ । କେହି କେହି କହନ୍ତି ଯେ ଏହି ‘ମୁଁ’ ମୁଣ୍ଡର ଖପୁରି ତଳେ ଜାଲ ଘେରରେ ବୁଢ଼ିଆଣୀ ଛକି ରହିଥିଲା ପରି ମସ୍ତିଷ୍କର ଧୂସର ଶୈବାଳ ଭିତରେ କେଉଁଠି ଛପି ରହିଥାଏ, ଆଉ କିଏ ବା କହେ ଯେ ଦୁଇ ଭୂରୁ ମଝିରେ ଥିବା ତ୍ରିକୁଟୀରେ ଏହି ‘ମୁଁ’ ବସାବାନ୍ଧି ରହେ । ତେବେ ଛାତି ଭିତରେ ହେଉ, ଖପୁରି ଭିତରେ ତ୍ରିକୁଟୀରେ ହେଉ, ଯେଉଁଠି ରହୁଥଲେ ବି ‘ମୁଁ’ ସବୁବେଳେ ଗୋଟିଏ କଳ୍ପନାର ରାଜପୁତ୍ରର ରୂପ ନିଏ ଓ ସେ ହୁଏ ସବୁଠାରୁ ସୁନ୍ଦର, ସବୁଠାରୁ ଚତୁର, ବଳବାନ୍, ଧୁରନ୍ଧର ଓ ସୁକୁମାର । କିଏ କହେ, ଲକ୍ଷେ ରାଜାଙ୍କର ମଉଡ଼ମଣି ‘ମୁଁ’ ଦୁର୍ଯ୍ୟୋଧନ, ବିନା ଯୁଦ୍ଧରେ ସୂଚ୍ୟଗ୍ର ପରିମାଣ ଭୂମି ସୁଦ୍ଧା ଦେବି ନାହିଁ; କିଏ କହେ ‘ସାରା ବିଶ୍ୱର ଅଧିକାରୀ ମହାଦାନୀ ବଳୀ ‘ମୁଁ’, ଅନ୍ୟ କେହି ଅବା କହେ ‘‘ଦେବ ଦେବ ମହାଦେବଙ୍କୁ ଯେ ବଶୀଭୂତ କରିପାରେ ‘ମୁଁ’ ସେହି କାମଦେବ’’ ଆଉ କେହି କହେ ‘ମୁଁ ହିଟ୍‍ଲର, ମୁଁ ମୁସୋଲିନୀ, ମୁଁ ଆୟୁବ ଖାଁ’ ଯୁଗ ଯୁଗ ଧରି ଗର୍ବ, ଦମ୍ଭ, ଅଭିମାନର ପ୍ରତୀକ ଏପରି କୋଟି କୋଟି ବୁବ୍ଦୁଦ ‘ମୁଁ’ ଇନ୍ଦ୍ରଧନୁର ରଙ୍ଗ ନେଇ ସମୟର ସ୍ରୋତରେ ଭାସିଚାଲିଥାଆନ୍ତି । ଆଉ ଏପରି ଭାସି ଯାଉଥିଲାବେଳେ ମଧ୍ୟ ସେ ଭିତରୁ କେହି କେହି ଚିତ୍କାର କରି ଉଠନ୍ତି ‘ମୁଁ’ ନେତା, ‘ମୁଁ’ ମନ୍ତ୍ରୀ’, ‘ମୁଁ କୋଟିପତି ଶିଳ୍ପପତି’, ‘ମୁଁ ପଣ୍ଡିତ, ଜ୍ଞାନୀ, ଶିକ୍ଷକ’, ‘ମୁଁ ବିପ୍ଳବୀ ଯୁବକ ଛାତ୍ର ନେତା’–କ୍ରୂର ଅହି କବଳରେ ପଡ଼ିଥିଲା ବେଳେ ‘ବିକଳେ ରାବୁଁ ରାବୁଁ, ଉର୍ଦ୍ଧ୍ୱ ଉଡ଼୍ଡ଼ୀନ ଉହୁଙ୍କି ଶିଶୁକଙ୍କି ଦେଲା ଗିଳିଣ’ ମଣ୍ଡୁକ ପରି ।

 

ସବୁ ମଣିଷ ସମାନ । ସ୍ଥାନ ବିଶେଷରେ ସାନ ବଡ଼ ଦେଖାଯାଆନ୍ତି ଯାହା । ସମସ୍ତେ ସେହି ଏକ ମହାପଥର ଯାତ୍ରୀ–ଆଗ ପଛ ହୋଇ କିଏ କେଉଁ ଟପାଘର ବା ପାନ୍ଥଶାଳାରେ ପହଞ୍ଚିଛି-। ତଥାପି ମଣିଷ ନିଜକୁ ସବୁବେଳେ ଏହି ‘ମୁଁ’ ବୋଲି ହିଁ ପରିଚୟ ଦିଏ । ନିଜ ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ପ୍ରତ୍ୟେକ ମଣିଷ ସେଥିପାଇଁ ସମସ୍ତଙ୍କୁ ସମାଲୋଚନା କରେ, ସମସ୍ତଙ୍କର ଦୋଷତ୍ରୁଟି ଦେଖାଏ, କିନ୍ତୁ ନିଜେ ଯେ ଭୁଲ କରିପାରେ ତାହା କଳ୍ପନା ବି କରେନି ତା’ର ଧାରଣା ହୁଏ ଯେ ସେ ଯାହା କରୁଛି ତାହା ହିଁ ଠିକ୍ ଆଉ ଯେଉଁ ବାଟରେ ସେ ଚାଲିଛି ତାହା ହିଁ ପ୍ରକୃତ ମାର୍ଗ । କୌଣସି ସରକାରୀ ଚାକିରିଆ ଅନ୍ୟମାନଙ୍କୁ ଡେଇଁ ନିଜେ ଯଦି ପ୍ରମୋଶନ ପାଏ ସେ ଧରିନିଏ ଯେ ତାହା ତା’ର ଯୋଗ୍ୟତାର ନିଦର୍ଶନ । ସେ ନ ପାଇଁ ଅନ୍ୟ କେହି ଯଦି ଏପରି ପ୍ରମୋଶନ ପାଏ ତାହା ହୁଏ ପ୍ରିୟାପ୍ରୀତି ତୋଷଣ । କେହି ଯଦି ଅନ୍ୟ କାହାଠାରୁ ଅସଦ୍ ଉପାୟରେ ଅର୍ଥ ଗ୍ରହଣ କରେ ତାହା ହୁଏ ଉତ୍କୋଚ ବା ଲାଞ୍ଚ । ନିଜେ ସେପରି କଲେ ଅର୍ଥନୀତିର ବୈଷମ୍ୟ ତଥା ଦରଦାମ ବୃଦ୍ଧି ଦାୟୀ ହୁଏ ଓ ମଣିଷ ନିଜେ ଦୋଷ ଶୂନ୍ୟ ହୋଇଯାଏ । ଅନ୍ୟ କେହି କାମ ନ କଲେ ତା’ ହୁଏ ଆଳସ୍ୟ ଓ କର୍ତ୍ତବ୍ୟରେ ଅବହେଳା–ତେଣୁ ଘୃଣ୍ୟ, ଆଉ ନିଜେ କାମ ନ କରି ସୁବିଧା ମାରିପାରେ ତାହା କେବଳ ବୁଦ୍ଧିମତ୍ତାର ହିଁ ପରିଚୟ ଦିଏ । ଅନ୍ୟର ପୁଅ ଦୋଷ କଲେ ସେ ହୁଏ କଠୋର ଶାସ୍ତି ବିଧାନର ଉପଯୁକ୍ତ ପାତ୍ର, ଆଉ ନିଜ ପୁଅ ଦୋଷ କଲେ ତା’ ହୁଏ ଶିକ୍ଷା ପ୍ରଣାଳୀର ଦୋଷ । ନିଜ ପୁଅର ଯେଉଁ ଦୁଷ୍ଟାମି ଖେଳବାଡ଼ଗିରି ପରି ଜଣାପଡ଼େ ଅନ୍ୟର ପୁଅଠାରେ ତାହା ହୁଏ ଗୁଣ୍ଡାମି ।

 

ପ୍ରତ୍ୟେକେ ନିଜର ଦୋଷ ତ୍ରୁଟି ସମ୍ୱନ୍ଧରେ ସଚେତନ ନ ହେବାରୁ ଦେଶରେ ଆଜି ଯେଉଁ ଅବସ୍ଥା ଦେଖା ଦେଇଛି ତାହା ଆମର ସେହି ଚିର ପରିଚିତ ପୁରୁଣା କାହାଣୀକୁ ମନେ ପକାଇ ଦିଏ ।

 

ରାଜା ଗୋଟିଏ ପୁଷ୍କରିଣୀ ଖୋଳାଇଲେ ।

 

ସମସ୍ତେ ତ ପୋଖରୀ ଖୋଳାଉଛନ୍ତି–ତେବେ ଏ ପୁଷ୍କରିଣୀ ଖୋଳାଇବାରେ ରାଜାଙ୍କର ଆଉ ବାହାଦୁରୀ ରହିଲଶ କେଉଁଠି ? ସେ ତେଣୁ ଠିକ୍ କଲେ ଯେ ପୁରାଣର କ୍ଷୀରସମୁଦ୍ର ପରି ଏ ପୁଷ୍କରିଣୀଟି ଗୋଟିଏ କ୍ଷୀର ପୁଷ୍କରିଣୀ ହେବ ।

 

ଯଥାରୀତି ଡେଙ୍ଗୁରା ଦିଆହେଲା ଯେ ଜଳାଶୟ ପ୍ରତିଷ୍ଠା ପାଇଁ ନିର୍ଦ୍ଧାରିତ ଦିନ ବ୍ରାହ୍ମ ମୁହୂର୍ତ୍ତରେ, ସହରବାସୀ ସମସ୍ତେ ପ୍ରତ୍ୟେକେ ଗୋଟିଏ ଗୋଟିଏ ମାଠିଆ ଦୁଧ ଆଣି ପୁଷ୍କରିଣୀରେ ଢାଳିବେ । ନଚେତ୍-

 

ପ୍ରତିଷ୍ଠା ଦିନ ପହଞ୍ଚିଗଲା । ପ୍ରତ୍ୟେକେ ଭାବିଲେ ଯେ, ସମସ୍ତେ ଦୁଧ ଢାଳିବା ଫଳରେ ପୋଖରୀଟି ତ ଦୁଧରେ ଭର୍ତ୍ତି ହୋଇ ଯାଇଥିବ–ସେ ଯଦି ମାଠିଆଏ ପାଣି ଢାଳି ଦିଏ ତେବେ ପୋଖରୀଏ ଦୁଧରେ ମାଠିଆଏ ପାଣି ଜଣା ବି ପଡ଼ିବନି–ଆଉ ଅନ୍ଧାରରେ କିଏ ବା ଦେଖୁଛି ? ପ୍ରତ୍ୟେକେ ଏମିତି ମାଠିଆଏ ଲେଖା ପାଣି ଢାଳି ଦେଇଗଲେ । ସକାଳେ ଦେଖିଲା ବେଳକୁ ପୁଷ୍କରିଣୀଟି ପାଣିରେ ଭରପୁର । ଦୁଧର ଲେଶ ମାତ୍ର ହିଁ ନାହିଁ ।

 

ଆଜି ଆମେ ଠିକ୍ ଏହି ଦଶାରେ ଆସି ପହଞ୍ଚିଛୁଁ । ପ୍ରତ୍ୟେକେ ଅନ୍ୟର କ୍ରିୟାକଳାପରେ ଅସହିଷ୍ଣୁ, କିନ୍ତୁ ନିଜ କର୍ତ୍ତବ୍ୟ ସମ୍ୱନ୍ଧରେ ଉଦାସୀନ । ନିଜେ ନିଜର ଦୋଷ ତ୍ରୁଟି ଜାଣିପାରିବା କଷ୍ଟକର ହୁଏ ବୋଲି ଶିକ୍ଷକ ଓ ଗୁରୁଜନମାନେ ଯାହା କରୁଛନ୍ତି ତା’କୁ ସମାଲୋଚନା ନ କରି ସେମାନେ ଯାହା କହୁଛନ୍ତି ବା ଉପଦେଶ ଦେଉଛନ୍ତି ତା’କୁ ମାନିବା ପାଇଁ ଆମ ସଂସ୍କୃତି ଚିରଦିନ ଶିକ୍ଷା ଦେଇ ଆସିଛି ଓ କହି ଆସିଛି ଯେ, ଆମର ଦୃଷ୍ଟି ବର୍ହିମୁଖୀ ନ ହୋଇ ଅନ୍ତର୍ମୁଖୀ ହେବା ଉଚିତ । ଦେଶରେ ଆଜି ଯେଉଁ ବିଶୃଙ୍ଖଳା ଦେଖା ଦେଇଛି ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଶାସନ ପ୍ରଣାଳୀ କିମ୍ୱା ଶିକ୍ଷା ପ୍ରଣାଳୀ ଦାୟୀ ହୋଇ ନ ପାରେ, ଆମେ ସମସ୍ତେ ଏଥିପାଇଁ ବ୍ୟକ୍ତିଗତ ଭାବରେ ଦାୟୀ । ବ୍ୟକ୍ତିଗତ କର୍ତ୍ତବ୍ୟବୋଧ ଓ କର୍ତ୍ତବ୍ୟ ନିଷ୍ଠା ହିଁ ଆମ ମହାନ ଦେଶକୁ ପୁନର୍ବାର ପୃଥିବୀର ସର୍ବଶ୍ରେଷ୍ଠ ଦେଶରେ ପରିଣତ କରିପାରେ । ସେଥିପାଇଁ ସବୁବେଳେ ଅନ୍ୟର ଭୁଲ ବାଛିବାକୁ ନ ଯାଇ ନିଜର ଦୋଷ ତ୍ରୁଟି ସମ୍ୱନ୍ଧରେ ସଚେତନ ହେବାକୁ ପ୍ରତ୍ୟେକେ ଚେଷ୍ଟା କରିବା ହିଁ ବିଧେୟ ବୋଲି ମନେ ହୁଏ ।

Image

 

ଅନ୍ଧାର ଘର

 

‘ମରାଳ ମାଳିନୀ ନୀଳାମ୍ୱୁ’ ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇ କବିବର ରାଧାନାଥ ଗାଇ ଉଠିଥିଲେ–‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’’

 

କବିବରଙ୍କର ଏଇ ଉକ୍ତି ସୀମିତ ଜଣା ପଡ଼ୁଥିଲେ ମଧ୍ୟ ତାହା ପରିବ୍ୟାପ୍ତ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ । ସୁନ୍ଦର ଦୃଶ୍ୟର ଦର୍ଶନରେ ଯେପରି ଚିରନ୍ତନୀ ଆନନ୍ଦ ମିଳେ ସେପରି ସୁନ୍ଦର ଗୀତର ଶ୍ରବଣରେ, ମଧୁର ଗନ୍ଧର ଆଘ୍ରାଣରେ, ସୁନ୍ଦର ଶୀତଳ ପବନର ସ୍ପର୍ଶରେ, ସୁସ୍ୱାଦୂ ଓ ରୁଚିକର ଭୋଜନରେ ପୌନପୌନିକତା ଥିଲେ ମଧ୍ୟ ତୃପ୍ତିର ଅବସାଦ ଆସେ ନାହିଁ । କୌଣସି ଗୋଟିଏ ଭଲ କାବ୍ୟ ଅନେକ ଥର ପଢ଼ିଲେ କିମ୍ୱା ଭଲ ଗପଟିଏ ବାରମ୍ୱାର ଶୁଣିଲେ ମଧ୍ୟ ଚିଟା ଲାଗେ ନାହିଁ । ‘କୁହୁକ ଜାମା’ (Enchanted shirt) ଏପରି ଗୋଟିଏ ଗପ । ଏହି ଗପଟି ଏଡ଼େ ସୁନ୍ଦର ଯେ ସମସ୍ତେ ଜାଣିଥିଲେ ମଧ୍ୟ ପୁନରୁକ୍ତିର ଦୋଷକୁ ଭୟ ନକରି ଆଉଥରେ କୁହାଯାଇପାରେ ।

 

ରଜାଙ୍କର ଦେହ ଖରାପ, ମନ ଭଲ ନାହିଁ–ସବୁବେଳେ ଚିଡ଼ିଚିଡ଼ିଆ ଭାବ ।

 

ବିରାଟ ଗୋଟିଏ ପଲଙ୍କର ସୁପାତି, ଶେଯ ଉପରେ ରଜା ଶୋଇଛନ୍ତି–ଝରକା ଜାଲିଣି ସବୁ ବନ୍ଦ ଆଲୁଅ ଜଳୁଛି । ପାତ୍ର ଅମାତ୍ୟ ସମସ୍ତେ ଦେଖିବାକୁ ଆସୁଛନ୍ତି–ଆଉ ରଜା ସବୁବେଳେ ବିରକ୍ତ ।

 

ରାଜ୍ୟର ସବୁଠାରୁ ବଡ଼ ବଇଦ ଆସି ରଜାଙ୍କ ଶରୀରର ଟିକିନିଖି ପରୀକ୍ଷା କଲେ–ରୋଗର ନିଦାନ କରିପାରିଲେ ନାହିଁ ରାଜାଙ୍କର କିଛି ଅସୁସ୍ଥତା ନାହିଁ । ତାଙ୍କର ମୁଣ୍ଡକାଟ ହେଲା ।

 

ପରେ ଅନେକ ବଇଦ, ଡାକ୍ତର ଆସିଲେ–ବୁଦ୍ଧିର କରାମତି ଦେଖାଇବାକୁ କିମ୍ୱା ଟଙ୍କାର ଲୋଭରେ ଆପେ ଆପେ ଆସିଲେ, ଡକା ହୋଇ ଆସିଲେ ଅଥବା ଧରାହୋଇ ଆସିଲେ-। ଜଣ ଜଣ କରି ସମସ୍ତେ ରଜାଙ୍କୁ ଦେଖିଲେ–କହିଲେ ରଜାଙ୍କର କିଛି ହୋଇନାହିଁ । କେହି ଆଉ ଘରକୁ ଫେରିଲେନି, ସମସ୍ତଙ୍କର ମୁଣ୍ଡକାଟ ହେଲା ।

 

ବିପଦରୁ ରକ୍ଷା ପାଇବା ପାଇଁ କେତେକ ବଇଦ ରାଜ୍ୟଛାଡ଼ି ପଳାଇଗଲେ–ଆଉ କେତେ ବା ବଣ ଜଙ୍ଗଲରେ ଲୁଚି ରହିଲେ

 

ରାଜାଙ୍କୁ ଦେଖିବାପାଇଁ ଆଉ କେହି ବଇଦ ନ ମିଳିଲାବେଳେ ଓ ବଇଦ କୁଳର ଘୋର ସଙ୍କଟ ସମୟରେ କୂଳରକ୍ଷା ନିମନ୍ତେ ଆତ୍ମବଳି ଦେବାକୁ ପ୍ରସ୍ତୁତ ହୋଇ ଜଣେ ବେପରବା ଏ ସୃଷ୍ଟିଛଡ଼ା ଆତ୍ମବିଶ୍ୱାସୀ ବଇଦ ରାଜପ୍ରାସାଦରେ ହଠାତ୍ ପହଞ୍ଚି କହିଲେ ସେ ଟିକିଏ ରାଜାଙ୍କୁ ଦେଖିବେ ।

 

ସମସ୍ତଙ୍କ ମନରେ ନୂତନ ଆଶାର ସଞ୍ଚାର ହେଲା ।

 

ବଇଦ ରାଜାଙ୍କ ପାଟି ମେଲାକରି ଜିଭ ଦେଖିଲେ, ଆଖି ପତା ଟେକି ଡୋଳାକୁ ଅନେଇଲେ, କାନ ପରଖିଲେ, ମୁଣ୍ଡ ହଲାଇଲେ, ଛାତି ଓ ପିଠି ଥାପୁଡ଼େଇ କ’ଣ ସବୁ ଶୁଣିଲେ, ପେଟ ଚିପିଲେ, ନାଡ଼ି ଦେଖିଲେ ଓ ଆଉ କେତେ କ’ଣ ସବୁକରି ଗମ୍ଭୀର ଭାବରେ ଠିଆ ହେଲା ଏବଂ ନିଜ ଲମ୍ୱା ନାକ ଟାଣୁ ଟାଣୁ ବିଚାରପତି ରାୟଦେଲା ସ୍ୱରରେ କହିଲେ, ‘‘ରାଜାଙ୍କ ଦେହ ଅତି ଖରାପ–ରୋଗ ଅତି ବିଷମ ।’’

ଉପାୟ !!

ଅଛି, ଏକମାତ୍ର । ରାଜା ଯଦି କୌଣସି ସୁଖୀ ଲୋକର କାମିଜ ଦିନକ ପାଇଁ ପିନ୍ଧନ୍ତି !

ସମସ୍ତେ ଆଶ୍ୱସ୍ତିର ନିଶ୍ୱାସ ମାଇଲେ । ବେଶ ସହଜ ଉପାୟ–ଅବଶ୍ୟ ଏଡ଼େବଡ଼ ରାଜାଙ୍କୁ ଅନ୍ୟ ଜଣକର ପୁରୁଣଳା କାମିଜ ଖଣ୍ଡିଏ ପିନ୍ଧିବାକୁ ପଡ଼ିବ–ସମ୍ମାନହାନିର ସମ୍ଭାବନା ରହିଛି । ତେବେ ଜୀବନ ମରଣର ସନ୍ଧି କ୍ଷଣରେ ସମ୍ମାନ–ମର୍ଯ୍ୟାଦାର ବିଚାର !

ରାଜା ପୁରୁଣା କାମିଜ ପିନ୍ଧିବାକୁ ରାଜିହେଲେ ।

ପାରିଷଦ ବର୍ଗ ଓ ପାର୍ଶ୍ୱଚରମାନେ ଦୌଡ଼ିଗଲେ ମନ୍ତ୍ରୀଙ୍କ ଘରକୁ–ତାଙ୍କର କାମିଜ ଖଣ୍ତିଏ କିଏ ଆଗ ରାଜାଙ୍କ ପାଖକୁ ଆଣିବ ।

ମନ୍ତ୍ରୀ କିନ୍ତୁ ସବୁ ଶୁଣି ଗୋଟିଏ ଦୀର୍ଘଶ୍ୱାସ ମାଇଲେ–କହିଲେ ଯାହାର ପୁଅ ନାହିଁ କି ଝିଅ ନାହିଁ ସେ ପୁଣି ସୁଖୀ !

ସମସ୍ତେ ଏଥର ଦୌଡ଼ିଲେ ସାଧବଘରକୁ । ସାଧବଘରର ବିରାଟ ଉଆସ–ମନ୍ତ୍ରୀ ମଧ୍ୟ ପାରିଷଦ ବର୍ଗଙ୍କ ସଙ୍ଗେ ଯାଇଛନ୍ତି, ରାଜାଙ୍କ ପାଇଁ ଅତି ଧନୀ ସାଧବଙ୍କ ଖଣ୍ଡିଏ ପୁରୁଣା କାମିଜ ଆଣିବ ଉଦ୍ଦେଶ୍ୟରେ । ସାଧବଙ୍କୁ କିନ୍ତୁ ଗଣ୍ଠିବାତ ଧରିଛି–ସେ ସୁଖୀହେବ କୁଆଡ଼ୁ ?

କଟୁଆଳ ଘର–ଧାଡ଼ିକି ଧାଡ଼ି ଘୋଡ଼ା ବନ୍ଧା ହୋଇଛନ୍ତି–ବର୍ଚ୍ଛାଧାରୀ ପାଇକ । କଟୁଆଳ ଥିରି ଥିରି କହିଲେ, ‘‘ଯେଉଁଠି ସ୍ୱାମୀ ସ୍ତ୍ରୀ ଭିତରେ ନିତି କଳି ସେଠି ପୁଣି ସୁଖ !’’

 

ଦିନ ଗଡ଼ି ଚାଲିଛି । ଏ ଭିତରେ ଘର କରି ରାଜ୍ୟର ପ୍ରାୟ ସବୁ ସହର ଓ ଗାଁ ଖୋଜା ସରିଲାଣି–ଅନେକ ବାହାରୁ ବେଶ୍ ସୁଖୀ ଦିଶୁଚନ୍ତି ସତ କିନ୍ତୁ ସମସ୍ତଙ୍କର କିଛି ନା କିଛି ଦୁଃଖ ରହିଛି–ଏମାନଙ୍କ କାମିଜ ନେଇ ଲାଭ କ’ଣ ?

 

ଭୟଙ୍କର ଖରା–ପାରିଷଦ ବର୍ଗ ହତାଶ ହୋଇ ଫେରୁ ଫେରୁ ଗୋଟିଏ ବରଗଛ ଛାଇରେ ଟିକିଏ ବିଶ୍ରାମ ନେଉଛନ୍ତି, ହଠାତ୍ ପାଖ ମହୁଲ ଗଛ ଆଢ଼ୁଆଳରୁ ବଇଁଶୀ ସ୍ୱର ଶୁଭିଲା । କିଛିକ୍ଷଣ ପରେ ବଂଶୀ ସ୍ୱର ବନ୍ଦ ହେଲା ଓ ସମସ୍ତେ ଦେଖିଲେ ଜଣେ ଗାଈ ଚରୁଆ ପିଲା ତା’ର ବଂଶୀଟିକୁ ଅଣ୍ଟା ଉପରେ ଖୋସି ଦେଇ ଗାଲତୁରୀ ମାରି ମାରି ନାଚିବାକୁ ଆରମ୍ଭ କରି ଦେଇଛି–ଆନନ୍ଦରେ ମତୁଆଳ ।

 

ସମସ୍ତେ ଏକା ନିଃଶ୍ୱାସରେ ତା’ ପାଖକୁ ଦୌଡ଼ିଗଲେ । ଏଇ ସେଇ ସୁଖୀ ଲୋକ ଯାହାକୁ ଏ’ଯାଏ ଖୋଜା ଚାଲିଥିଲା । ଯେତେ ଟଙ୍କା ମାଗୁପଛକେ ତା’ର ପୁରୁଣା କାମିଜ ନେବାକୁ ହିଁ ହେବ, ନ ହେଲେ ଜୋର ଜବରଦସ୍ତି ।

 

ଟୋକାଟି ସମସ୍ତଙ୍କୁ ଦେଖି କାବା ହୋଇଗଲା । ସବୁ ଶୁଣିଲାପରେ ହସିବାକୁ ଆରମ୍ଭ କଲା–କହିଲା ‘କାମିଜ ? ମୋର କାମିଜ ଆସିବ କୁଆଡ଼ୁ ?’

 

ରାଜପ୍ରାସାଦରେ ବିଷାଦର ଛାୟା । ସବୁ ଉପାୟ ସରିଛି, କିନ୍ତୁ ସୁଖୀଲୋକର କାମିଜ ମିଳିନି । ଯେଉଁମାନଙ୍କର କାମିଜ ଅଛି ସେମାନେ କେହି ସୁଖୀ ନୁହନ୍ତି, ଆଉ ଯିଏ ସୁଖୀ ତା’ର କାମିଜ ହିଁ ନାହିଁ ।

 

ରଜା ସବୁ ଶୁଣିଲେ । କ’ଣ ବୁଝିଲେ କେଜାଣି, ହଠାତ୍ ଝରକା ସବୁ ଖୋଲିବାକୁ ଆଦେଶ ଦେଲେ ଓ ନିଜେ ପଲଙ୍କରୁ ଓହ୍ଲାଇ ଆସିଲେ । ସୂର୍ଯ୍ୟାସ୍ତର ରଙ୍ଗୀନ ଆକାଶ ଓ ଝରକା ଦେଇ ଆସୁଥିବା ଶୀତଳ ପବନ ତାଙ୍କୁ ବେଶ୍ ଭଲ ଲାଗିଲା ।

 

ମନେହୁଏ ଯେ ରାଜାଙ୍କ ରୋଗପରି ଗୋଟିଏ ଭୟଙ୍କର ସଂକ୍ରାମକ ରୋଗ ଏବେ ଆମ ସମାଜରେ ଦେଖା ଦେଇଛି । ଏଇ ରୋଗରୁ କେହି ଛାଡ଼ି ପାଇଲାପରି ଜଣା ପଡ଼ୁନାହିଁ । କାହାରି ମନରେ ସୁଖ ନାହିଁ ଏବଂ ସମସ୍ତେ ଯିଏ ଯାହାର ଛିଣ୍ଡା ଖଟ, ପଟା ଖଟ, ଫିତା ଖଟ କିମ୍ୱା ପଲଙ୍କ ଉପରେ ଚେଇଁ ଶୋଇଛନ୍ତି ଓ ନିଜ ନିଜ ପଡ଼ୋଶୀ ସବୁ ବେଶ୍ ସୁଖରେ ଥିବା ମନେକରି ଡହଳ ବିକଳ ହେଉଛନ୍ତି । କିନ୍ତୁ ଦୁଃଖର କଥା, କେହି ଯଦି ଏହି ମାନସିକ ବ୍ୟାଧିଗ୍ରସ୍ତ ଦୁଃଖୀଲୋକମାନଙ୍କ ଦୁଃଖ ଲାଘବ କରିବାପାଇଁ କୌଣସି ସୁଖୀଲୋକର କାମିଜ ଖୋଜିବାକୁ ଯାଇ ସହରର ରାସ୍ତାରେ ଚାଲୁଥିବା କାହାରିକୁ ଜାମା ମାଗେ ସେ ଭଦ୍ରଲୋକ ନିଜର ଦୁଃଖର କାହାଣୀ ବର୍ଣ୍ଣନା କରିସାରିଲା ପରେ କୌଣସି ସାଇକଲ ଚଢ଼ାଳୀ ଆଡ଼କୁ ଆଙ୍ଗୁଠି ଦେଖାଇ ଦେବେ ସାଇକଲ ଚଢ଼ାଳୀଙ୍କ ପାଖକୁ ଗଲେ ସେ କୌଣସି ସ୍କୁଟରବାଲାଙ୍କୁ, ସ୍କୁଟରବାଲା କାରବାଲାଙ୍କୁ ଓ ପୁରୁଣା କାରବାଲା ନୂଆ କାର ଆଡ଼କୁ ଚାହିଁ ରହିବେ । କୌଣସି କୁଡ଼ିଆ ଘରେ ରହୁଥିବା ଲୋକ ପାଖକୁ ଏମିତି ଜାମାପାଇଁ ଗଲେ ସେ ସେପରି ପକ୍‍କାଘର ଆଡ଼କୁ ଓ ସାଧାରଣ ପକ୍‍କା ଘରବାଲା ବିରାଟ ପ୍ରାସାଦ ଆଡ଼କୁ ଆଙ୍ଗୁଠି ଦେଖାଇବେ କେହି ଯଦି କୌଣସି ସ୍କୁଲ ଶିକ୍ଷକଙ୍କୁ ସୁଖୀ ଭାବି ତାଙ୍କ ପାଖକୁ ଯାଏ ସେ ଭଦ୍ରଲୋକ କଲେଜ ଅଧ୍ୟାପକଙ୍କ ପାଖକୁ ଯିବାକୁ ଉପଦେଶ ଦେବେ । ପ୍ରାଇଭେଟ କଲେଜ ଅଧ୍ୟାପକ ସରକାରୀ କଲେଜ ଅଧ୍ୟାପକଙ୍କ ପାଖକୁ, ସରକାରୀ କଲେଜ ଅଧ୍ୟାପକ (ୟୁନିଭର୍ସିଟି) ଗ୍ରାଣ୍ଟସ୍ କମିଶନର ବେତନ ହାର ପାଉଥିବା ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ପାଖକୁ ଯିବାକୁ କହିବେ । ଉଚ୍ଚବେତନ ଭୋଗୀ ସରକାରୀ କର୍ମଚାରୀ ବେଶ୍ ଆରାମରେ ଅଛନ୍ତି ଭାବି କେହି ଯଦି ତାଙ୍କ ପାଖକୁ ଯାଏ ସେ ଠିକାଦାର ଓ ବ୍ୟବସାୟୀମାନଙ୍କୁ ଦେଖାଇଦେବେ । ସାଧାରଣ ବ୍ୟବସାୟୀ କଳାକାରଖାନା ମାଲିକଙ୍କ ପାଖକୁ ପଠାଇଲେ କଳକାରଖାନା ମାଲିକ ଶ୍ରମିକ ଧର୍ମଘଟ କଥା କହିବେ ।

 

କେହି ନିଜ ଅବସ୍ଥାରେ ସୁଖୀ ନୁହନ୍ତି । ଗୋଟିଏ ଇଚ୍ଛା ପୂରଣ ହେଲାବେଳକଚୁ ନୂତନ ଲାଳସା ଜନ୍ମ ନେଉଛି, ନୂତନ ଅଭାବ ଦେଖା ଦେଉଛି । ନିଜେ ନିଜ ପାଇଁ ସୃଷ୍ଟି କରିଥିବା ଅତୃପ୍ତିଜନିତ ଦୁଃଖରେ ମ୍ରିୟମାଣ ହୋଇ ସମସ୍ତେ କାମ ଧନ୍ଦା ଛାଡ଼ିବାକୁ ଆରମ୍ଭ କଲେଣି ।

 

ସୁଖ ଦୁଃଖ କହିଲେ କେବଳ ମଣିଷ ମାନସିକ ଅବସ୍ଥାକୁ ହିଁ ବୁଝାଏ ଅର୍ଥ ଏଇ ସୁଖ ଦୁଃଖ ସଙ୍ଗରେ କେତେ ଦୂର ଓ କେତେ ପରିମାଣରେ ଜଡ଼ିତ ଓ ଧନ ସଙ୍ଗରେ ମାନସିକ ଶାନ୍ତି କିପରି ଭାବରେ ସଂଶ୍ଳିଷ୍ଟ ତାହା କହିବା ସହଜ ନୁହେଁ । ବୋଧହୁଏ ଏଇସବୁ ବିଷୟ ବିବେଚନାକୁ ନେଇ ଆମର ପୂର୍ବପୁରୁଷମାନେ ଉପଦେଶ ଦେଇଥିଲେ ଯେ ମଣିଷ କର୍ମର ଅଧିକାରୀ କିନ୍ତୁ କର୍ମଫଳର ନୁହେଁ । ଅର୍ଥ ଅପେକ୍ଷା ଏପରି ବିଶ୍ୱାସ ମନରେ ବେଶୀ ଶାନ୍ତି ଦିଏ ବୋଲି ଗ୍ରହଣ କରିପାରିଲେ ସମସ୍ତେ ସହଜରେ ନିଜ ନିଜ ଅନ୍ଧାର ଘରର ଝରକା କବାଟ ଖୋଲି ଛିଣ୍ଡା ଖଟ, ପଲଙ୍କରୁ ଓହ୍ଲାଇ ଆସିବାକୁ ସକ୍ଷମ ହୁଅନ୍ତେ । ଦେଶ ଆଗେଇଯାଇପାରନ୍ତା

Image

 

ବିଶ୍ୱ ଦେଖ ମଧୁମୟରେ ଜୀବନ

 

କେହି କେହି କହନ୍ତି ଯେ ପ୍ରାଣୀ ଜଗତରେ କେବଳ ମଣିଷ ହିଁ କାନ୍ଦିପାରେ ଓ ହସିପାରେ । ଏ କଥାଟି କେତେଦୂର ସତ ତାହା ଠିକ୍ କହିହେବନି ।

 

ମହାଜନ ବା ସାହୁକାର ଖାତକକୁ ଚଢ଼ା ସୁଧରେ ଟଙ୍କା କରଜ ଦେଉଁ ଦେଉଁ ତା’ର ଆର୍ଥିକ ଦୁର୍ଗତିରେ ସମବେଦନା ଜଣାଇ ସମୟ ସମୟରେ ଲୁହ ଗଡ଼ାଇଲା ପରି କୁମ୍ଭୀରର ବଡ଼ ବଡ଼ ଆଖିରୁ ପ୍ରାଣୀ ଜଗତରେ ଦୁଃଖ ଦୁର୍ଦ୍ଦଶା ଦେଖି ବେଳେ ବେଳେ ଲୁହ ଟୋପା ଠସ୍ ଠସ୍ ଖସି ପଡ଼ୁଥିବା କଥା ଶୁଣାଯାଏ । ତେବେ ଏ କୁମ୍ଭୀର କାନ୍ଦଣାକୁ କାନ୍ଦଣା କୁହାଯିବ କି ନାହିଁ ସେ ସମ୍ୱନ୍ଧରେ ଭିନ୍ନ ଭିନ୍ନ ମୁନି ଭିନ୍ନ ଭିନ୍ନ ମତ ପୋଷଣ କରିପାରନ୍ତି ।

 

ବୈଶାଖ ଓ ଜ୍ୟେଷ୍ଠର ଦି’ପହରିଆ ଖରାବେଳେ ଗଛର କେଉଁପତ୍ର ଗହଳି ଭିତରୁ କାପ୍ତା ଯେତେବେଳେ ତା’ର ‘ଉଠରେ ପୁତ ଉଠ’ ଆରମ୍ଭ କରିଦିଏ ସେଇଟାକୁ କାନ୍ଦଣା କୁହାଯିବ କି ପକ୍ଷୀ ଜଗତର କୌଣସି ଗୋଟିଏ ଆଧୁନିକ ସଙ୍ଗୀତ ଅଥବା ଶାସ୍ତ୍ରୀୟ ‘ଖେୟାଲ’ ବୋଲି ଧରି ନିଆଯିବ ସେ କଥା ମଧ୍ୟ କହିବା କଠିନ ଆଉ ଦଶହରା ସମୟରେ ଛେଳି ମେଣ୍ଢାମାନଙ୍କ ବେକରେ ଫୁଲମାଳ ପିନ୍ଧାଇ କାତି ଖର୍ପର ଧାରୀ ପୂଜକମାନେ ଯେତେବେଳେ ସେମାନଙ୍କୁ ବିଚ୍‍ ରାସ୍ତା ମଧ୍ୟ ଦେଇ ‘ପୂଜା’ ସ୍ଥାନକୁ ନେଉ ଥାଆନ୍ତି ସେତେବେଳର ମେଁ ମେଁ ରବ ବିକଳ କାନ୍ଦଣା କି ଫୁଲମାଳ ପାଇଁ ଧନ୍ୟବାଦ ଅର୍ପଣ ସେ କଥା ଅବା କିଏ କହିପାରିବ ? ଯେପରି ସାଇକେଲ ସିଟ୍‍ ସାମନା ରଡ୍‍ର ଦୁଇ ପାଖରେ ଭାର ସାମ୍ୟ ରକ୍ଷା କରି ତଳମୁହାଁ ହୋଇ ଝୁଲୁଥିବା ଗୋଡ଼ବନ୍ଧା କୁକୁଡ଼ା ସବୁ ସାଇକେଲ ଚଢ଼ାଳୀ ଭଦ୍ରଲୋକଙ୍କ ରନ୍ଧାଘର ଆଡ଼କୁ ଗତି କଲାବେଳେ ମଝିରେ ମଝିରେ ଯେଉଁ କଅଁ-କଅଁ କରୁଥାଆନ୍ତି ତା’କୁ ଅବା କେଉଁ ପ୍ରଦର୍ଶନୀର ମେରି–ଗୋ–ରାଉଣ୍ଡରେ ଦୋଳି ଝୁଲୁଥିବା ଛୁଆମାନଙ୍କ ଆନନ୍ଦ କୋଳାହଳ ପରି କୁକୁଡ଼ାମାନଙ୍କ ସାଇକେଲ ଚଢ଼ାର ଆନନ୍ଦ ରାବ ବୋଲି କିପରି କହି ହେବ ?

 

ମନେହୁଏ ମଣିଷ ପରି ଅନ୍ୟପ୍ରାଣୀମାନେ ମଧ୍ୟ କାନ୍ଦନ୍ତି । ମଣିଷ କିନ୍ତୁ ଅନେକ କାରଣରୁ କାନ୍ଦେ, ଅନେକ ପ୍ରକାରରେ କାନ୍ଦେ ।

 

କେହି କେହି ଛାତି କୋଡ଼ି, ଚିତ୍କାର କରି ଆଖପାଖ କମ୍ପାଇ କାନ୍ଦନ୍ତି । କେହି ନିଜ ସମବେଦନା ଖୋଲା ଖୋଲି ପ୍ରକାଶ କରିବା ଉଦ୍ଦେଶ୍ୟରେ ତଥା ଲୋକ ଦେଖାଣିଆ ଏପରି କାନ୍ଦରେ ଯୋଗଦେଇ କାନ୍ଦେ । ଅନ୍ୟ କେହି କୌଣସି ଉପଲକ୍ଷରେ କାନ୍ଦିବା ତାଙ୍କର ସାମାଜିକ କର୍ତ୍ତବ୍ୟ ବୋଲି କାନ୍ଦନ୍ତି । ପିଲାମାନେ ବାପାମା’ଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଅଥବା ଭୟରେ କାନ୍ଦନ୍ତି କେହି ବା ନିଜ ନିଜ ଦୁଃଖର ଆତିଶଯ୍ୟରେ ବିକଳ ହୋଇ ନୀରବରେ କିମ୍ୱା ସକେଇ ସକେଇ କାନ୍ଦେ । ବେଳେ ବେଳେ ଅନ୍ୟର ସୁଖ ଦେଖି ନ ପାରି ମଧ୍ୟ ମଣିଷ ହିଂସାରେ ଜଳି କାନ୍ଦେ । ଆଉ ଉତ୍କଳମଣି ଗୋପବନ୍ଧୁଙ୍କ ପରି ମହାପ୍ରାଣ ଅନ୍ୟର ଦୁଃଖ କଷ୍ଟ ସହି ନ ପାରି ବିକଳ ହୋଇ କାନ୍ଦନ୍ତି ।

 

ଆଶ୍ଚର୍ଯ୍ୟ କଥା ଯେ ମଣିଷ ସମୟ ସମୟରେ କାନ୍ଦିବା ପାଇଁ କୌଣସି ସିଧାସଳଖ କାରଣ ନ ଥଲେ ମଧ୍ୟ ବିନା କାରଣରେ କାନ୍ଦେ । ବର୍ତ୍ତମାନର ସୁଖ ଓ ଆନନ୍ଦ ଭିତରେ ଅତୀତର ଦୁଃଖ କଷ୍ଟ ସବୁ ମନେ ପକାଏ ଓ ଭାବି ଆଶଙ୍କାର ଦୁଶ୍ଚିନ୍ତାରେ କାନ୍ଦି ବସେ । ଏହା ହିଁ ବୋଧହୁଏ ମଣିଷ ସୃଷ୍ଟିର ବୈଶିଷ୍ଟ୍ୟ ତଥା ବୈଚିତ୍ର୍ୟ ।

 

ଶୋଭାର ଭଣ୍ଡାର ଚିଲିକାର ଦୃଶ୍ୟରେ ଆତ୍ମହରା ହୋଇ କବିବର ରାଧାନାଥ ସେଦିନ ସେମିତି ‘‘ପାରିଲେଣି ଏବେ ଦେବ ବିକର୍ତ୍ତନ, ଭାଲେରୀ ଶିଖରେ ସ୍ୱର୍ଣ୍ଣ ସିଂହାସନ....’’ ଗାଉ ଗାଉ ହଠାତ୍ ‘ଚିର ହାହାମୟ ଏ ଛାର ଜୀବନ, ଜୀବନ ନୁହଇ ଜୀବନ୍ତ ମରଣ’ ଆରମ୍ଭ କରି ଦେଇଥିଲେ-

 

କେହି କେହି କହନ୍ତି ଯେ ମଣିଷର ଅଶ୍ରୁ ଗଙ୍ଗାଜଳ ପରି ପବିତ୍ର । ଗଙ୍ଗାଜଳର ପବିତ୍ରତା ସମ୍ୱନ୍ଧରେ କାହାରି କାହାରି ସନ୍ଦେହ ରହୁଥିଲେ ହେଁ ଉତ୍କଳମଣି ଓ କବିବରଙ୍କର ଅଶ୍ର ଯେ ପ୍ରତ୍ୟେକ ଓଡ଼ିଆ ପକ୍ଷରେ ପବିତ୍ର ଏଥିରେ ଭିନ୍ନମତ ରହି ନ ପାରେ ତଥାପି ମନେ ହୁଏ ଯେ ଅଶ୍ରୁ ମଣିଷର ଅସହାୟତା ତଥା ହୃଦୟର କୋମଳତା ସଙ୍ଗେ ସଙ୍ଗେ ତା’ ହୃଦୟର ଦୁର୍ବଳତାରେ ହିଁ ଇଙ୍ଗିତ ହୁଏ ।

 

ମଣିଷର ଜୀବନ ଦୁଃଖପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ମାଆର କରୁଣା ଚିତ୍କାର ସହ ସଂସାରରେ ଯେଉଁ ଜୀବନରେ ଅୟଂ ଆରମ୍ଭ ହୁଏ ମୃତ୍ୟୁକାଳୀନ ଶେଷ ନିଶ୍ୱାସ ତ୍ୟାଗର ଦାରୁଣ ଯନ୍ତ୍ରଣାରେ ଓ ତତ୍‍ପରବର୍ତ୍ତୀ ‘ରାମ ନାମ ସତ୍ୟ ହେ’ ରେ ତା’ର ହୁଏ ପରିସମାପ୍ତି ।

 

ସଂସାରରେ ରକ୍ତମାଂସର ଦେହ ଧରି କେହି ଦୁଃଖ ଓ କଷ୍ଟରୁ ପରିତ୍ରାଣ ପାଇନାହାନ୍ତି ବନବାସୀ ଶ୍ରୀରାମ, କ୍ରୁଶ ବିଦ୍ଧ ଯୀଶୁ ତହିଁର ନିଦର୍ଶନ ।

 

ସେଥିପାଇଁ ଦୁଃଖ ମଧ୍ୟରେ ଶାନ୍ତିର ସନ୍ଧାନ, ଦୁର୍ଦ୍ଦଶାଗ୍ରସ୍ତ ଜୀବନର ହା ହୁତାଶ ମଧ୍ୟରେ ଆନନ୍ଦର ସତ୍ତା ଉପଲବ୍‍ଧି ଚିରଦିନ ମନୁଷ୍ୟର ଚରମ ଲକ୍ଷ୍ୟ ହୋଇଆସିଛି ଆଉ ରୋଗ, ଜରା, ମୃତ୍ୟୁର ସଂସାରରେ ଦେଖା ଦେଇଛନ୍ତି ଭିକ୍ଷାପାତ୍ରଧାରୀ ପ୍ରଶାନ୍ତ ବଦନ ବୁଦ୍ଧ, ଶଙ୍କର, ବିବେକାନନ୍ଦ-

 

ସତ୍, ଚିତ୍ ଓ ଆନନ୍ଦରୁ ଏ ଜଗତରେ ସୃଷ୍ଟି ବୋଲି କୁହାଯାଇଥାଏ । ମଣିଷ ସେହି ଆନନ୍ଦମୟ ପ୍ରକୃତିର ସନ୍ତାନ, ଆନନ୍ଦ ସିନ୍ଧୁର ଗୋଟିଏ ବିନ୍ଦୁ, ତେଣୁ ମଣିଷର ସ୍ୱଭାବ ଆନନ୍ଦମୟ ହେବା ହିଁ ସ୍ୱାଭାବିକ ।

 

ସେଥିପାଇଁ ବୋଧହୁଏ ପଲ୍ଲୀ ଅଞ୍ଚଳର ଗୋଟିଏ ସାଧାରଣ ଗାଁ’ରୁ ସ୍ୱଭାବକବି ଗଙ୍ଗାଧର ସେଦିନ ଗାଇ ଉଠିଥିଲେ ‘ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ’ ଗରିବ ଘରେ ଜନ୍ମ ନେଇ, ଉଚ୍ଚ ଶିକ୍ଷା ଓ ବିଳାସ ବ୍ୟସନ, ସୁଖ ସମ୍ଭୋବର ଦୂରରୁ ଦାରିଦ୍ର୍ୟର କଷାଘାତ ଓ ଜୀବନର ହା ହୁତାଶ ଭିତରେ ସେ କିପରି ବିଶ୍ୱର ମଧୁମୟ ରୂପ ଦେଖି ପାରିଥିଲେ ତାହା ଯଥାଯଥ ଭାବରେ କହି ହେବ ନାହିଁ–ତେବେ ସେ ଦିନର ଗ୍ରାମର ସରଳ ଓ ସୁନ୍ଦର ଜୀବନ ଏବଂ ପ୍ରକୃତିର ଚିରନ୍ତନୀ ସୌନ୍ଦର୍ଯ୍ୟ ତାଙ୍କ କବି ପ୍ରାଣକୁ ନିଶ୍ଚୟ ମୁଗ୍‍ଧ କରିଥିବ । ଗାଁ ପୋଖରୀର କଇଁ ଆଉ ପଦ୍ମଫୁଲ, କାଖରେ ଓ ମୁଣ୍ଡରେ ପାଣି ଭରା ଚକଚକିଆ ଗରା ଓ ମାଠିଆ ନେଇ ଧାଡ଼ି ହୋଇ ଚାଲିଥିବା ପଲ୍ଲୀ ବଧୂର ଛାୟାକୃତି, ଗୋଧୂଳି ବେଳରେ ଗାଁ ଝିଅର ମନଖୋଲା ହସ, ପବନରେ ଦୋହଲୁଥିବା ଧାନ କେଣ୍ଡା, କ୍ଷେତକୁ କ୍ଷେତ ବୋହି ଯାଉଥିବା ପାଣି ସୁଅରେ କେରାଣ୍ଡି ମାଛର ବିଚିତ୍ର ଗତି, ପେଚା ବିଲୁଆର ରଡ଼ି ସାଙ୍ଗରେ ତାଳ ମିଳାଇ ବନ୍ୟଜନ୍ତୁକୁ ଘଉଡ଼ିବା ଉଦ୍ଦେଶ୍ୟରେ ମଞ୍ଚାରେ ଶୋଇଥିବା ଚାଷୀର ନିଦ ବାଉଳା ‘ହୋ-ହୋ’ ଡାକ, ଧାନ କାଟୁଥିବା ମର୍ଦ୍ଦ ପାଖକୁ ଅଳସଭରା ଗତିରେ ବାସି ପଖାଳ, ଲୁଣ, ଉଲି ଆଉ ଲଙ୍କାଟିଏ ଧରି ଚାଲିଥିବା ଭୁଆସୁଣୀର ଚାଲିବା ଢଙ୍ଗ, ପୁନେଇ ରାତିରେ ଝିଅଙ୍କ ଡାଲଖାଇ ନାଚ, ପୁଅଙ୍କ ଡୁ-ଡୁ-ଖେଳ, ନୂଆଖାଇ ବେଳର ଘୁମୁରା, ପୁଷ ପୂନିର ମନମତାଣିଆ ଗୀତ ଆଉ ଗାଁ ପିଣ୍ଡାରେ ଗୋଡ଼ ଓ ଦେହକୁ ଗାମୁଛାରେ ବାନ୍ଧି ବେପରବାଏ ଭାବରେ ଦୋହଲୁଥିବା ଗାଁ ବାଲାଙ୍କ ଚିନ୍ତାଶୂନ୍ୟ ଜୀବନର ମଧୁମୟ ରୂପ କବିଙ୍କ ସରଳ, ସୁନ୍ଦର, ନିଷ୍କପଟ ଜୀବନରେ ନିଶ୍ଚୟ ଗଭୀର ପ୍ରକାଶ ପକାଇଥିବ ।

 

ଶରୀର ଓ ମନ ଉପରେ ବହିର୍ଜଗତର ଘାତ ଓ ଅନ୍ତର୍ଘାତରେ ପ୍ରତିଘାତ ସୁଖ ଓ ଦୁଃଖ ରୂପରେ ମଣିଷ ମନରେ ପ୍ରତିକ୍ରିୟା ସୃଷ୍ଟି କରେ । ହସ ଓ କାନ୍ଦ ସେହି ମାନସିକ ପ୍ରତିକ୍ରିୟାର ଶାରୀରିକ ପରିପ୍ରକାଶ ମାତ୍ର ।

 

କୁହାଯାଏ ଯେ ସୁଖ ଓ ଦୁଃଖ ଋତୁ ଭେଦରେ ଶୀତ ଓ ଗ୍ରୀଷ୍ମ ପରି–ଯେମିତି ଆସେ, ଯେମିତି ଯାଏ–ସ୍ଥିର ହୋଇ ରହେନି । ଆଉ ପ୍ରକୃତିର ନିୟମ ବଳରେ ନିଶ୍ଚୟ ଆସେ । ତେଣୁ ଆମ ପୂର୍ବପୁରୁଷମାନେ କହିଯାଇଛନ୍ତି ଯେ ଯେଉଁ ସୁଖ ଦୁଃଖ ନିଶ୍ଚୟ ଆସିବ ଓ ଯାହାକୁ ଏଡ଼ାଇ ହେବନି, ତା’କୁ ଧୀର ସ୍ଥିର ଭାବରେ ଗ୍ରହଣ କରିନେବା ହିଁ ମଣିଷର କର୍ତ୍ତବ୍ୟ । ସେମାନଙ୍କ ମତରେ ସୁଖର ଆତିଶଯ୍ୟାରେ ସେ ଆତ୍ମହରା ହୁଏନି ଓ ଦୁଃଖରେ ଯେ ମ୍ରିୟମାଣ ନ ହୋଇ ଉଦବେଗହୀନ ରହିପାରେ ସେ କେବଳ ଶାନ୍ତି ଓ ଆନନ୍ଦର ଅଧିକାରୀ ହେବାକୁ ସକ୍ଷମ ହୁଏ ।

 

ସୁଖ ଓ ଦୁଃଖରେ, ତଥା ହସ ଓ କାନ୍ଦରେ ସମଭାବାପନ୍ନ ହେବା ଯେପରି କଠିନ–ତହିଁରେ ଉଦାସୀନ ହୋଇ ରହିବା ସେପରି କଷ୍ଟସାଧ୍ୟ । ଏହା ବୋଲି ସଂସାରକୁ ଗୋଟିଏ ଦୁଃଖ ଦୁର୍ଦ୍ଦଶାର ଗନ୍ତାଘର ଭାବି ସବୁବେଳେ ନିଜର ଅଭାବ ଅସୁବିଧାର ଚିନ୍ତାରେ ହାଣ୍ଡିପରି ମୁହଁକରି ନୈରାଶ୍ୟବାଦୀ ହୋଇ ନିଜେ କାନ୍ଦିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଜଳାଇ ପୋଡ଼ାଇ କନ୍ଦାଇ ମାରିବା କଦାପି ଉଚିତ୍ ହୋଇ ନ ପାରେ ଜଣେ ଆଶାବାଦୀର ଦୃଷ୍ଟିକୋଣ ନେଇ କବିଙ୍କ ଉପଦେଶ ମତେ ବିଶ୍ୱକୁ ମଧୁମୟ ରୂପରେ ଦେଖି ନିଜେ ସାମାନ୍ୟ ଶାନ୍ତି ଓ ଆନନ୍ଦ ଲାଭ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ମୁହଁରେ ଟିକିଏ ପ୍ରସନ୍ନତା ଫୁଟାଇ ପାରିଲେ ଆମ ମନୁଷ୍ୟ ଜୀବନ ବୋଧହୁଏ ସାର୍ଥକ ହେବ ।

Image

 

ଯା’ ଦେବୀ

 

ଅନେକ ସମୟରେ କୌଣସି ବସ୍ତୁର ନାମ ସଙ୍ଗରେ ତା’ର ଗୁଣ ଏପରି ଭାବରେ ଜଡ଼ିତ ହୋଇଥାଏ ଯେ ନାମ ଶୁଣିଲାକ୍ଷଣି ଗୁଣ ମଧ୍ୟ ଆପେ ଆପେ ପ୍ରକାଶ ପାଇଯାଏ । ଲେମ୍ୱୁ କିମ୍ୱା ତେନ୍ତୁଳି କହିଲେ ଖଟା, କଲରା କିମ୍ୱା କୁଇନାଇନ୍ କହିଲେ ପିତା, ଗୁଡ଼ ମହୁ କିମ୍ୱା ଚିନି କହିଲେ ମିଠା, ଅଅଁଳା କିମ୍ୱା ହରିଡ଼ା କହିଲେ କଷା ଆଉ ମରିଚ କହିଲେ ରାଗ ବୁଝାଏ । ବରଂ ଏପରି ସବୁ ନାମବାଚକ ବସ୍ତୁରେ ଆଶା କରାଯାଉଥିବା ଗୁଣର ଅଭାବ ଦେଖିଲେ ହିଁ ମଣିଷ ଆଶ୍ଚର୍ଯ୍ୟ ହୁଏ–ମରିଚ ରାଗ ଲାଗୁନି ବୋଲି ଅଭିଯୋଗ କରେ, ବିରକ୍ତ ହୁଏ ।

 

ପ୍ରାଣୀ ଜଗତରେ ମଧ୍ୟ ନାମ ଉପରେ ଗୁଣର ଏପରି ପ୍ରତିଫଳନ ଦେଖିବାକୁ ମିଳେ । ଠେକୁଆ କହିଲେ ଦୁର୍ବଳତା ଓ ନିରୀହତା ଯେପରି ପ୍ରକାଶ ପାଏ, ସିଂହ କହିଲେ ବିକ୍ରମ ଓ ସାହସ, ବିଲୁଆ କହିଲେ ଧୂର୍ତ୍ତତା, ମେଣ୍ଢା କହିଲେ ନିର୍ବୋଧତା ସେପରି ଭାବରେ ପ୍ରକାଶ ପାଏ । ସେଥିପାଇଁ ଏପରି ନାମ ସବୁ ବେଳେବେଳେ ବିଶେଷଣ ଭାବରେ ମଧ୍ୟ ପ୍ରୟୋଗ କରାଯାଏ । ମଣିଷକୁ କୁକୁର କହିଲେ ଜଣେ ପଦଲେହନକାରୀ ଖୋସାମତିଆ ଲୋକ ବୋଲି ବୁଝାଏ । ବ୍ୟାଘ୍ର କହିଲେ ଦୁର୍ଦ୍ଦାନ୍ତ, ଗଧ କହିଲେ ନିର୍ବୋଧ, ବେଙ୍ଗ କିମ୍ୱା ଚଟିଆ କହିଲେ ଅକିଞ୍ଚନ ବୋଲି ଜଣାପଡ଼େ । ପକ୍ଷୀ ଜଗତରେ କପୋତ ହୁଏ ଶାନ୍ତି ଓ ବାଜ ହୁଏ ହିଂସ୍ରତାର ପ୍ରତୀକ ।

 

ବ୍ୟକ୍ତି ତଥା ଜାତି ପାଇଁ ମଧ୍ୟ ଏକଥା ଊଣା ଅଧିକେ ପ୍ରଯୁଜ୍ୟ । ଫଳରେ ବ୍ୟକ୍ତି ଜଗତରେ ବ୍ୟାସ ଓ କାଳିଦାସ, ବୁଦ୍ଧ ଓ ଯୀଶୁ, ସିକନ୍ଦର ଓ ନେପୋଲିୟନ, ଗାନ୍ଧୀ ଓ ଝାନ୍ସିରାଣୀ ନାମବାଚକ ଶବ୍ଦ ନ ହୋଇ ବେଳେବେଳେ ଗୁଣବାଚକ ଶବ୍ଦ ହୋଇପଡ଼ନ୍ତି । ଫକୀର ମୋହନ ହୁଅନ୍ତି ବ୍ୟାସକବି ଫକୀର ମୋହନ । ଅବଦୁଲ ଗଫର ଖାନ୍ ହୁଅନ୍ତି ସୀମାନ୍ତ ଗାନ୍ଧୀ, ଗୋପବନ୍ଧୁ ହୁଅନ୍ତି ଓଡ଼ିଶାର ଗାନ୍ଧୀ । ଇହୁଦୀ, କାବୁଲୀବାଲା, ମାରୁଆଡ଼ୀ, ନେପାଳୀ ଶିଖ ପ୍ରଭୃତି ଶବ୍ଦ ଜାତି ବ୍ୟଞ୍ଜକ ହେଲେ ହେଁ ଅନେକ ସମୟରେ ଗୁଣର ଇଙ୍ଗିତ ଦିଏ । ଜର୍ମାନ ଜାତି ସହ ବିଜ୍ଞାନ, ଆମେରିକାନ ସହିତ ଧନ, ଇଂରାଜ ସହିତ ବାଣିଜ୍ୟ ଯେପରି ସ୍ୱତଃ ଜଡ଼ିତ ବୋଲି ମନେହୁଏ ଫରାସୀ ଜାତି ସଙ୍ଗରେ ସୌଖୀନତା ଓ ଜାପାନୀ ସଙ୍ଗରେ କର୍ମଠତା ଗୁଣ ସେପରି ଆପେ ଆପେ ପ୍ରକାଶ ପାଏ ।

 

ଭାରତବର୍ଷ ଗୋଟିଏ ଦରିଦ୍ର ଦେଶ ବୋଲି ପରିଗଣିତ ହେଉଥିଲେ ହେଁ ଦେଶ ବିଦେଶରେ ଭାରତୀୟ କହିଲେ ଉଣା ଅଧିକେ ଦାର୍ଶନିକ ବୁଝାଏ । ବିଶ୍ୱଦରବାରରେ ଭାରତୀୟଙ୍କ ସମ୍ୱନ୍ଧରେ ଏ ଧାରଣା କିଏ ଦେଲା ଓ ଏ ଧାରଣା କେବେ ଓ କିପରି ଭାବରେ ହେଲା ସେ କଥା କହିବା କଠିନ । ହୁଏନ୍‍ସାଂ, ଫାହିଏନ୍, ମେଗାସ୍ଥିନିସ୍ ପ୍ରଭୃତି ପରିବ୍ରାଜକମାନଙ୍କ ଭ୍ରମଣ ବୃତ୍ତାନ୍ତ ଓ ଭାରତୀୟଙ୍କ ସମ୍ୱନ୍ଧରେ ସେମାନଙ୍କ ଲିପିବଦ୍ଧ ମତାମତ ଦେଶ ବିଦେଶରେ ଏପରି ଧାରଣା ଜନ୍ମାଇବାରେ ସାହାଯ୍ୟ କରିଥାଇପାରେ, କିନ୍ତୁ ମନେହୁଏ ଯେ ତା’ ପୂର୍ବରୁ ଗ୍ରୀକ୍‍ମାନେ ଭାରତୀୟଙ୍କ ସମ୍ୱନ୍ଧରେ ଏପରି ଧାରଣା କରିସାରିଥିଲେ ଗ୍ରୀକ୍ ସଭ୍ୟତା ଯେହେତୁ ପାଶ୍ଚାତ୍ୟ ସଭ୍ୟତାର ଜନ୍ମଦାତା, ପାଶ୍ଚାତ୍ୟ ଜଗତ ଗ୍ରୀକ୍‍ମାନଙ୍କ ପାଖରୁ ହିଁ ଏପରି ଧାରଣା ସଂଗ୍ରହ କରିଥିବ-। ଆଲେକଜାଣ୍ଡାରଙ୍କ ଭାରତ ଆକ୍ରମଣ ସମ୍ୱନ୍ଧୀୟ ଗୋଟିଏ କାହାଣୀ ଏଠାରେ ମନେପଡ଼େ-

 

ପୁରୁଙ୍କୁ ଜିଣିସାରିଲା ପରେ ବିଜୟୀ ସିକନ୍ଦର ଧରିନେଲେ ଯେ ସାରା ଭାରତ ତାଙ୍କର ପଦାନତ ହେଲା ଆଉ ସେ ହେଲେ ବିଶ୍ୱବିଜୟୀ ସମ୍ରାଟ–ସମସ୍ତଙ୍କର ହର୍ତ୍ତା ଓ କର୍ତ୍ତା ।

 

ଭାରତ ଜୟ ପୂର୍ବରୁ ଯୁଦ୍ଧରେ ଜାଣିଥିବା ଅନ୍ୟାନ୍ୟ ଦେଶମାନଙ୍କର ଗାଁ ଗହଳି ଦେଇ ସେ ଯେତେବେଳେ ତାଙ୍କ ସେନାବାହିନୀ ସହ ଯାଆନ୍ତି, ଆବାଳବୃଦ୍ଧବନିତା ସମସ୍ତେ ଆଣ୍ଡୁମାଡ଼ି ମୁଣ୍ଡ ନୁଆଁଇ ଅଥବା ଲମ୍ୱ ହୋଇ ତଳେ ଶୋଇଯାଇ ତାଙ୍କର ଅଭିବାଦନ କରନ୍ତି । ବଳୟୋନ୍ମତ୍ତ ସିକନ୍ଦର ସ୍ୱାଭାବିକ ଭାବରେ ଧରି ନେଇଥିଲେ ଯେ ଭାରତର ଗାଁ ଗହଳିରେ ମଧ୍ୟ ଲୋକେ ବିଶ୍ୱ ସମ୍ରାଟଙ୍କୁ ସେହି ରକମର ଅଭିବାଦନ ଜଣାଇବେ । କିନ୍ତୁ ଏ ଦେଶରେ ତା’ର ବିପରୀତ ହେଲା । ସୂର୍ଯ୍ୟକିରଣରେ ଝଲସି ଯାଉଥିବା ଶିରସ୍ତ୍ରାଣ, ସାଞ୍ଜୁ ଓ ତରବାରୀରେ ସଜ୍ଜିତ ଅଶ୍ୱାରୋହୀଙ୍କ ଗହଣରେ ସେ ଯେତେବେଳେ ଭାରତର ଗାଁ ଗହଳି ମଧ୍ୟ ଦେଇଗଲେ ବୁଢ଼ାମାନେ ତାଙ୍କ ଦଉଡ଼ିଆ ଖଟରେ ବସି ହୁକ୍‍କା ଟାଣୁଥିଲା ବେଳେ ଆଉ ବୁଢ଼ୀମାନେ ସପ ଉପରେ ବସି ଖରା ପୁହାଉଁ ପୁହାଉଁ ନାତୁଣୀ ମୁଣ୍ଡରୁ ଉକୁଣୀ ବାଛୁଥିବା ସମୟରେ କୌତୂହଳରେ ମୁଣ୍ଡ ଟେକି ଏଇ ଅଦ୍ଭୁତ ମଣିଷମାନଙ୍କ ଆଡ଼କୁ ଅନାଉଥିଲେ ସତ, କିନ୍ତୁ ଅଭିବାଦନ କରିବା ତ ଦୂରେ ଥାଉ କେହି ଠିଆ ହେବାକୁ ମଧ୍ୟ ଚେଷ୍ଟା କରୁ ନ ଥିଲେ ସିକନ୍ଦର ଧରି ନେଲେ ଯେ ଭାରତର ଲୋକେ ଅଶିକ୍ଷିତ, ବର୍ବର, ମାନସମ୍ମାନ ଜ୍ଞାନ ରହିତ ।

 

ଦିନେ ସେ ଗୋଟିଏ ଗାଁର ରାସ୍ତା ଦେଇ ନିଜ ଶିବିରକୁ ଫେରୁଛନ୍ତି ହଠାତ୍ ଦେଖିଲେ ଯେ ଏହି ବୁଢ଼ାବୁଢ଼ୀମାନେ ନିଜ ନିଜ ସ୍ଥାନରୁ ଦଉଡ଼ିଯାଇ ରାସ୍ତାରେ ଚାଲି ଯାଉଥିବା ଜଣେ ଲୋକର ପାଦ ଛୁଇଁ ତାଙ୍କୁ ଅଭିବାଦନ ଜଣାଉଛନ୍ତି । ସାମାନ୍ୟ ଖଣ୍ଡିଏ ଲେଙ୍ଗୁଟି ବ୍ୟତୀତ ଲୋକଟି ପ୍ରାୟ ଲଙ୍ଗଳା, ପାଉଁଶବୋଳା ଦେହ, ମୁଣ୍ଡର ନୁଖୁରା ବାଳ ଜଟାବାନ୍ଧି ଯାଇଛି । ଏପରି ଜଣକୁ ଲୋକେ ଅଭିବାଦନ ଜଣାଉଥିବା ଦେଖି ସିକନ୍ଦର ଧରିନେଲେ ଯେ ସେ ନିଶ୍ଚୟ ଜଣେ ଛଦ୍ମବେଶୀ ରାଜା କୌପୀନଧାରୀ ଅବଧୂତ ସୈନ୍ୟଙ୍କ ଦ୍ୱାରା ଧୃତ ହୋଇ ଶିବିରକୁ ନୀତି ହେଲେ । ଶିବିରରେ ସମ୍ରାଟଙ୍କୁ ପ୍ରଣାମ କରିବାରୁ ତାଙ୍କୁ ଯେତେବେଳେ କୈଫିୟତ ମଗାଗଲା ସେ ଉତ୍ତର ଦେଲେ ଯେ ଭାରତବର୍ଷରେ ରାଜା ସନ୍ୟାସୀଙ୍କୁ ପ୍ରଣାମ କରେ, ସନ୍ୟାସୀ ରାଜାଙ୍କୁ ନୁହେଁ ।

 

ସନ୍ୟାସୀ ବନ୍ଦୀ ହେଲେ ଓ ସମ୍ରାଟଙ୍କୁ ଅପମାନ ଦେଇଥିବାରୁ ନିର୍ଯ୍ୟାତିତ ହେଲେ । କାରାଗାରରେ କିନ୍ତୁ ସନ୍ୟାସୀଙ୍କ କିଛି ପରିବର୍ତ୍ତନ ହେଲାନି ସମ୍ରାଟଙ୍କ ପାଖକୁ ଏହି ବନ୍ଦୀ ଯେତେଥର ନୀତ ହୁଅନ୍ତି ଘଟନାର ପୁନରାବୃତ୍ତି ହୁଏ, ନିର୍ଯ୍ୟାତନା ବଢ଼େ । ଏପରି ଶାରୀରିକ କଷ୍ଟ ଭିତରେ ବିକାର ଓ ଦ୍ୱନ୍ଦ୍ୱ ରହିତ ସନ୍ୟାସୀଙ୍କ ପ୍ରାଶାନ୍ତ ବଦନ ଓ ହୁଷ୍ଟଚିତ୍ତ ଦେଖି ସିକନ୍ଦର ଶେଷରେ ମନେକଲେ ଯେ ଲୋକଟିକୁ ପ୍ରୀତ କଲେ ଅବା କିଛି ଫଳ ଲାଭ ହୋଇପାରେ ! ଦିନେ ସେ ନିଜେ କାରାଗାରରେ ବନ୍ଦୀ କଲେ ଅବା କିଛି ଫଳ ଲାଭ ହୋଇପାରେ ! ଦିନେ ସେ ନିଜେ କାରାଗାରରେ ବନ୍ଦୀ ସନ୍ୟାସୀଙ୍କୁ ଦେଖା କରି ସହାସ୍ୟ ବଦନରେ ପଚାରିଲେ ଯେ, ବନ୍ଦୀ ଯାହା ଚାହାଁନ୍ତି ସେ ସମ୍ରାଟଙ୍କୁ ନିବେଦନ କରିପାରନ୍ତି ସମ୍ରାଟ ଆଶା କରିଥିଲେ ଯେ ବନ୍ଦୀ ମୁକ୍ତି ଚାହିଁବେ-। କିନ୍ତୁ ସନ୍ନ୍ୟାସୀ ଟିକିଏ ହସିଲେ ଆଉ କହିଲେ, ସମ୍ରାଟଙ୍କ ଯଦି ଏତେ ଦୟା ତେବେ ସେ ଠିଆ ହୋଇଥିବା ସ୍ଥାନରୁ ଟିକିଏ ଘୁଞ୍ଚି ଯଦି ଠିଆ ହୁଅନ୍ତେ ତେବେ ଭଲ ହୁଅନ୍ତା–କାନ୍ଥର ଗୋଟିଏ ଛିଦ୍ର ଦେଇ ଯେଉଁ ସୂର୍ଯ୍ୟରଶ୍ମି ସନ୍ନ୍ୟାସୀଙ୍କ ଦେହରେ ପଡ଼ୁଥିଲା ତାହା ସମ୍ରାଟଙ୍କ ଦେହ ଦ୍ୱାରା ଢାଙ୍କି ନ ହୋଇ ଆଉ ଥରେ ତାଙ୍କ ଦେହରେ ପଡ଼ନ୍ତା ।

 

ସିକନ୍ଦର କିଂକର୍ତ୍ତବ୍ୟ ବିମୂଢ଼ ହୋଇଗଲେ । ଏପରି ତାତ୍ସଲ୍ୟ ସେ କଳ୍ପନା ମଧ୍ୟ କରିପାରି ନ ଥିଲେ । ସେଦିନ ତାଙ୍କର ପ୍ରଥମ କରି ମନେ ହେଲା ଯେ ଭାରତ ଗୋଟିଏ ଅଦ୍ଭୁତ ଦେଶ ଆଉ ଏ ଲୋକମାନେ ମଧ୍ୟ ଅଦ୍ଭୁତ ।

 

ସିକନ୍ଦରଙ୍କ ମନରେ ପରିବର୍ତ୍ତନ ଦେଖାଦେଲା । ସନ୍ୟାସୀଙ୍କ ପାଖରୁ କିଛି ଶିଖିବାକୁ ସେ ଯେତେବେଳେ ଚାହିଁଲେ କଥାବାର୍ତ୍ତା ଛଳରେ ସନ୍ୟାସୀ ସିକନ୍ଦରଙ୍କୁ ପ୍ରଶ୍ନ କଲେ ଯେ ସିକନ୍ଦର ମଧ୍ୟ ତାଙ୍କ ପିତାଙ୍କ ପରି ଯେତେବେଳେ ଅନ୍ୟପାରିକି ଯିବେ ସଙ୍ଗରେ ସେ କେତେ ଘୋଡ଼ାସବାର ନେବେ, କେତେ ଧନରତ୍ନ ଯିବ ଓ ଜିଣିଥିବା ରାଜ୍ୟ ମଧ୍ୟରୁ କେଉଁ କେଉଁ ରାଜ୍ୟକୁ ସେ ସଙ୍ଗରେ ନେବେ । ସେ ଆହୁରି ମଧ୍ୟ ଜାଣିବାକୁ ଚାହିଁଲେ ଯେ ରାଜ୍ୟ ଜିଣିବା ଲାଳସାରେ ନିରୀହ ପ୍ରଜାଙ୍କୁ ପୀଡ଼ା ଦେଇ ତାଙ୍କର ଠିକ୍ କ’ଣ ଲାଭ ହେଉଛି ।

Image